Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଇଠୁ ଆରମ୍ଭ
ଏଇଠୁ ଆରମ୍ଭ
★★★★★

© Biswa Bharati Dash

Inspirational

7 Minutes   389    41


Content Ranking

ଗପ #_ଏଇଠୁ_ଆରମ୍ଭ_!#

ଅନେକ ବର୍ଷ ହୋଇଗଲାଣି ନୀରାକୁ ଦେଖିନି । ଶୁଣିଥିଲି ତା ବାହାଘର ସରି ଯାଇଛି । ଗୋଟିଏ ବୋଲି ପୁଅରେ ବାହା ହୋଇଛି ପରା । ଭୁବନେଶ୍ୱରରେ ଚାକିରୀ କରୁଛି , କୋଉ ଗୋଟେ ବଡ଼ କମ୍ପାନୀରେ । ଆଜି କାଲା ବାପ ମା' ବଡ଼ପରିବାର ଦେଖିବା ଅପେକ୍ଷା ବଡ଼ଲୋକିଆ ଘର ଦେଖି ଝିଅ ଦେବାକୁ ପସନ୍ଦ କରୁଛନ୍ତି । ଯେମିତି ଆଗକୁ କିଛି ଅସୁବିଧା ନ ହେଉ ନିଜ ଝିଅକୁ ।

ଏଇ 'ନୀରା' , ସୁନ୍ଦରୀ ନଣନ୍ଦଟିଏ ମୋର । ଦୁଇ ପୁଅରେ ଗୋଟିଏ ଝିଅ । ପିଉସୀ ଶାଶୁଙ୍କର ଝିଆରୀ , ମାନେ ଯାଆର ଝିଅ । ସବୁବେଳେ ଆମ ଘରକୁ ଆସନ୍ତି , ସବୁ ପର୍ବପର୍ବାଣି ରେ । ମୋ ବାହାଘର ବେଳେ ମାସେ ଉପର ଥିଲେ ଅନେକ ନଣନ୍ଦ ଦିଅର , ରଜ ପର୍ଯ୍ୟନ୍ତ ! ଖୁବ୍ ମସ୍ତି କରିଥିଲୁ ଆମେ ସବୁ। ସେଥିପାଇଁ ମୋ ସହ ବେଶୀ ମିଶିଯାଇଥିଲେ ସମସ୍ତେ । ଯେବେ ଗାଁକୁ ଯାଏ , ସମସ୍ତେ ଆସନ୍ତି ଏକାଠି ହେଉ ଆମେ । ହେଲେ ଧୀରେ ଧୀରେ ନୂଆ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥାଏ ବର୍ଷକୁ ବର୍ଷ , ଜ୍ବାଇଁ ଓ ବୋହୁମାନଙ୍କର !

ଶାଶୁଘର ଗାଁ , ସବୁଆଡେ ବୁଲିବାକୁ ଟିକେ କଟକଣା ଥାଏ । ହେଲେ ମୋ ପାଇଁ କଟକଣା କ'ଣ ଦରକାର । ମୁଁ ତ ନିଜେ ନିଜ ପାଇଁ ଅନୁଶାସନ ଟିଏ । ବୋଉ ର ତ ଏତକ ଶିକ୍ଷା । ଛିଃ , କି ବେକାର କଥାଗୁଡା ସତରେ । କାହିଁକି କେଜାଣି , ଝିଅ ବେଳେ ତ ଯିବାକୁ ଦିଏନି କୁଆଡ଼େ , ଆଉ ଶାଶୁ ଘରେ ବାପଘର ନାଁ ପକେଇବୁନି କହେ । ଗଲା ସେବେଠୁ ତ ... ଛାଡ଼ , କହିକି ବି ଲାଭ କ'ଣ ! ମୁଁ ତ ନିଜେ ଢିଲା କରିପାରୁନି ନିଜକୁ , ପୁଣି ଏତେ କଥା ଭାବୁଛି ! ତଥାପି ମୁଁ ଢେର୍ ସ୍ବାଧୀନତା ପାଇଛି ଏ ଘରେ ।

ମୋ ମନ ଭିତରେ ନିଜ ସହ ସବୁବେଳେ ଘୋମୋଘୋଟ ଲଢ଼େଇ ଚାଲିଥାଏ ଏଇଥିପାଇଁ । ବୋଉ ଯୋଉଟା କହିବ ଠିକ୍ ତା ଓଲଟା ଟା କରିବାର ଇଚ୍ଛା ହୁଏ ସବୁବେଳେ । ନିଜ ଇଚ୍ଛା ଅନୁସାରେ ମଣିଷଟେ କାହିଁକି ବଞ୍ଚି ପାରିବନି ! ସବୁ ଅସୁବିଧା ଏଇ ସମାଜକୁ ! କଲେ ମଲ ନ କଲେ ମଲ ! କି ବେକାର ବେକାର ନିୟମ ସବୁ ! ମୁଁ କାହାକୁ କହୁଛି , ନିଜେ ବି ତ ସେସବୁକୁ ଜାବୁଡ଼ି ଧରିଛି ! ଥରେ ଥରେ ଭାବେ , ଭଗବାନ୍ ମଣିଷକୁ କାହିଁକି ଡେଣା ଦେଲେନି ଯେ ? କେତେ ଭଲ ହୁଅନ୍ତା ! ସବୁ କିଛି ନିଜ ଇଚ୍ଛା ମୁତାବକ ତ କରି ପାରନ୍ତା !

ଏଇ ତ ପିତେଇ ନାନୀ ଆସିଲେଣି । ଜମ୍ମାରୁ ଭଲ ଲାଗେନି ମୋତେ ତାଙ୍କ ସହ କଥା ହେବାକୁ । ଯେମିତି ନାମ ସେମିତି କାମ । ସବୁବେଳେ ଖାଲି ଆ ତା' ନାଁରେ ଚୁଗୁଲି ଖଚେଇ , କେମିତି ତାଙ୍କୁ ଭଲ ଲାଗେ କେଜାଣି ? ସେଇଥିପାଇଁ ଭଗବାନ୍ ତାଙ୍କ ଭାଗ୍ୟରେ ଏତେ ଦୁଃଖ ଲେଖିଛନ୍ତି ବୋଧେ ।

ମୋ ଶାଶୁ ଭାରି ସ୍ନେହୀ ଓ ଦରଦୀ ମଣିଷ ଟିଏ । ସେ ଗାଁର ଜମିଦାର ଘର ଝିଅ ବୋଲି ପିତେଇ ନାନୀଙ୍କୁ , ଖୁବ୍ ଆଦର ସ୍ନେହ କରନ୍ତି । ଚା' ପାଣି ଦିଅନ୍ତି । କହନ୍ତି " ବିଚାରୀର କପାଳ ଫଟା । କ'ଣ କରିବି , ହତାଦର କେମିତି କରିବି କହିଲୁ ମା' , ମୁଁ ପରା ମା'ଟିଏ ! ତା'ର ପିଲାବେଳ ମୋ ଆଗରେ କଟିଛି ପରା ! "

ଏଥର ଗ୍ରୀଷ୍ମ ଛୁଟିରେ ପିଲାଙ୍କୁ ନେଇ ଆସିଛି । ମୁଁ ନିଜେ ବି ଦୁଇ ମାସର ଛୁଟି ନେଇ ଆସିଛି । ମା ଓ ବାବାଙ୍କ ପାଖରେ ରହି ଆସିବି । ପିଲେ ବି ଗାଁ ବିଷୟ ରେ କିଛି ଜାଣନ୍ତୁ । ଗାଁ ପରିବେଶ ଦେଖନ୍ତୁ ! ସହରର ଚାକଚକ୍ୟ ଆଉ ଗାଁର ନିର୍ମଳ ଶାନ୍ତ ପରିବେଶ ଭିତରେ ଅନେକ ଫରକ୍ ଅଛି । ତେଣୁ ସମୟ ପାଇଲେ ପ୍ରାୟ ଗାଁ କୁ ଚାଲିଆସେ । ନୂଆ ନୂଆ ବା' ହୋଇ ଆସିଥିଲି ଯେବେ , ମୋତେ ଟିକେ ଅଡ଼ୁଆ ଲାଗନ୍ତି ଏ ପିତେଇ ନାନୀ । ମା' ତାଙ୍କ ବିଷୟରେ ସବୁ କଥା ମୋ ପାଖରେ ଗପନ୍ତି ।

' ମୁଁ , ବା' ହୋଇ ଆସିଲା ବେଳକୁ ତୋ ପିତେଇ ନାନୀ ,ବୋଧେ ଦଶ ବାର ବର୍ଷର ହୋଇଥିଲା । ଏଇ ପିଣ୍ଡାରେ ଡେଇଁ ଡେଇଁ ଭାଉଜ ଡାକେ , ବସେ ଉଠେ ମୋରି ପାଖରେ । ସ୍କୁଲ ଗଲା ଆଇଲା ବେଳେ ମୋତେ ଦେଖାକରି ନଗଲେ , ତା ଭାତ ହଜମ ହୁଏନି । ସେଥିପାଇଁ ମା' ସାଆନ୍ତାଣୀ ମୋତେ ବହୁତ୍ ଭଲ ପାଆନ୍ତି । ମୁଁ ତାକୁ ଭଲ ପାଏ ମୋ ଝିଅଟେ ଭଳି । ତୋ ଶ୍ବଶୁର ତାଙ୍କୁ ବଡ଼ମା' ବୋଲି ଡାକନ୍ତି । ତାଙ୍କ ଦୁଇ ପୁଅ ସହରରେ ରହନ୍ତି ବୋଲି , ସୁବିଧା ଅସୁବିଧାରେ ତୋ ଶ୍ବଶୁରଙ୍କ ପରାମର୍ଶ ନିଅନ୍ତି ସେ ।

କାଳଚକ୍ରରେ ତ ସମସ୍ତେ ବନ୍ଧାରେ ମା' ! ଦିନ ଗଡ଼ି ଗଡ଼ି ଗଲା । ବଡ଼ ପୁଅ , ବୋହୁପିଲାଙ୍କୁ ଧରି ସହରରେ ରହେ । ସ୍କୁଲ ପଢା ସରିଲାରୁ , ସାଆନ୍ତ ,ବଡ଼ଲୋକିଆ ଦେଖି , ସୁନ୍ଦରିଆ ଜ୍ବାଇଁ ଟିଏ ପାଇ ପିତେଇ ବା'ଘର ଠିକ୍ କରିଲେ , ପାଖ ଗାଁରେ । ପିତେଇ ବା' ସା' ହୋଇ ଘର ବସେଇଲା । ତା ବା'ଘର ପର ବର୍ଷ ସାଆନ୍ତ ହାର୍ଟ ରୋଗରେ ଆଖି ବୁଜିଲେ । ସାନପୁଅ ବି ବିଭା ହେଲା ତାପରେ । ସହରୀ ବୋହୁଏ ଗାଁରେ ଚଳି ପାରିଲେନି । ସାଆନ୍ତାଣୀଙ୍କୁ ସାଙ୍ଗରେ ନେଇ ଯିବେ ବୋଲି ବହୁତ କରି ବୁଝାଇ କହିଲେ ଦୁଇ ପୁଅ । ସେ ତ ଜମ୍ମାରୁ ରାଜି ହେଲେନି ଗାଁ ଘର ଛାଡ଼ି ଯିବାକୁ । ମା'କୁ ଛାଡ଼ି ଯିବାକୁ ବାଧ୍ୟ ହେଲେ ପୁଅମାନେ । ସହରୀ ଚାକିରୀ , କୋଉ ଚାଷବାସ କାମ ହୋଇଛି ଯେ , ଏତେଦିନ ରହିବେ ଗାଁରେ ?

ହଠାତ ଦିନେ ପିତେଇ ଆସି ଘରେ । ସାଆନ୍ତାଣୀ ମୋତେ ଘରକୁ ଡକେଇଲେ ସଂଧ୍ୟାରେ । ମୋ ଶଶୁର ତ ଟିକେ ଅଡ଼ୁଆ ଲୋକ । ସେ କହିଲେ ବୋହୁମା' ସଞ୍ଜ ନଈଁବା ପରେ ଘର ବାହାରକୁ ଯିବାଟା ଠିକ୍ ନୁହେଁ । ଗାଁରେ ମୋର ମାନ ସମ୍ମାନ ବୋଲି କିଛି ଆଉ ରହିବନି । ତୋ ଶ୍ବଶୁର ତାଙ୍କୁ ବୁଝାଶୁଝା କରି , ମୋ ସହ ଗଲେ ସେଠିକି । ସେଠୁ ସବୁ ଶୁଣି ଫେରି , ଆଉ କି ରାତି ସାରା ନିଦ ହୁଏ ମୋତେ ! ଭାବିଲି ଭଗବାନ୍ ଏମିତି ନିୟମ ସବୁ କାହିଁକି କରିଥାନ୍ତି କେଜାଣି ? ଯେତେକ ଦୁଃଖ କଷ୍ଟ କ'ଣ ଏଇ ସ୍ତ୍ରୀ ଲୋକଙ୍କ ଭାଗରେ ?

କୋଳରେ ବର୍ଷକର ଗୁଲୁଗୁଲିଆ ପୁଅଟେ । ସ୍ବାମୀ ତାକୁ ଛାଡି ଆଉ ଗୋଟେଝିଅକୁ ବା' ହୋଇ କେମିତି ରହିଲା ? ଭଗବାନ ତାକୁ ପୁଣି ଆଉ କି ଅଭାବରେ ରଖିଲେ ? ଗୋରୀ ସ୍ତ୍ରୀ ଟେ , କୋଳକୁ ବଅଁଶ ରଖିବାକୁ ପୁଅଟେ , ତଥାପି ... !

ତୁ କହ ମା' କେମିତି ତା' ପ୍ରତି କଠୋର ହୋଇପାରିବି ? '

' ତେବେ କାହିଁକି ତାଙ୍କୁ ଆଉ ଗୋଟେ ଜାଗାରେ ବାହା କରିଦେଲେନି ତାଙ୍କ ଘର ଲୋକେ ? '

' ଗାଁ କଥା ତୋତେ ମାଲୁମ ନାହିଁ ଲୋ ମା' ! ବଞ୍ଚିବାକୁ ଦେବେନି ଗଞ୍ଜଣା ଦେଇ ଦେଇ । '

' ସେଥିରେ କ'ଣ ଲୋକଙ୍କର ପେଟ ପୁରିଯାଏ ନା ଘର ପୁରିଯାଏ ମା' ? '

' କେଜାଣେ , କିନ୍ତୁ କିଛି ନୀତିନିୟମ , ଆମ ସ୍ତ୍ରୀ ଜାତିକୁ ହିଁ ମାନିବାକୁ ପଡେରେ ! '

' ଆଉ ନ ମାନିଲେ ? '

' ତାକୁ କୁଳଟା କହିବେ ! '

' ତା'ବୋଲି , ସାରା ଜୀବନ କ'ଣ ଗୋଟେ ଝିଅ , ନିଜ ସବୁ ସୁଖ ଶାନ୍ତିକୁ ଜଳାଞ୍ଜଳି ଦେଇଦେବ ? ନାଃ , ଏଇଟା ତ ଖୁବ୍ ଏକ କଠୋର ଦଣ୍ଡ ! '

' ଆଲୋ ମା' କପାଳରେ ଯଦି ସେଇୟା ଲେଖା ହୋଇଛି , କିଏ ବା କ'ଣ କରିବ ? '

' କାହିଁକି ପୁଅମାନଙ୍କ ପାଇଁ ନିୟମ ନାସ୍ତି ! ଦୁନିଆ ଯାକର ଯେତେ ନିୟମ , ସବୁ ଏଇ ନାରୀ ଜାତିକୁ ? ପୁଅଟେ ଆଉଗୋଟେ ବାହା ହୋଇ ପାରିବ, ଆଉ ଗୋଟେ ଭଲ ପାଇ ପାରିବ , ଯେତେ ଜଣଙ୍କ ସହ ବୁଲି ପାରିବ , ସବୁ ତା ପାଇଁ ସତ ଖୁଣ ମାଫ୍ , ଆଉ ଯଦି ଠିକ୍ ସେଇ ସବୁ ଝିଅଟେ କଲା , ତେବେ ରାମାୟଣ ପୁରା ଅଶୁଦ୍ଧ ! ଅଜ୍ଜବ ନିୟମ ସବୁ ସତରେ , ନୁହେଁ ମା' ? '

' ହଁ , ଯେ , ହେଲେ କିଏ ଏସବୁକୁ ଟପି ଯାଇ ପାରିବ ନା ଭାଙ୍ଗି ଦେଇପାରିବ କହିଲୁ ? ସଂସାରରେ ସବୁ କିଛି ଖରାପ୍ ହିଁ ଖରାପ ହେବ ! ଲୋକେ ତାକୁ ସହଜେ ଗ୍ରହଣ କରିବେନି । ଏଠି ତ ଚାଲୁଣି ଛୁଞ୍ଚିର କାରବାର ଲୋ ମା । କିଏ ପୁଣି ଏଗୁଡ଼ିକୁ ବଦଳାଇବ ! ଛାଡ଼୍ ଆମର ସେଥିରୁ କଁ ମିଳିବ ଯେ ? '

' ମା' , ଏଇ ମଣିଷ ହିଁ ସବୁ କରି ପାରିବ ! ବାସ୍ ଦରକାର କିଛି ସାହସ ଓ ସାହାଯ୍ୟ । ସେତକ ମିଳିଲେ ବହୁତ୍ କିଛି ପରିବର୍ତ୍ତନ ହୋଇପାରିବ ମା ! '

ଏ ଭିତରେ ପିତେଇ ନାନୀ ଆସି ପିଣ୍ଡାରେ ଆସନ ଗ୍ରହଣ କରି , ଭାଷଣ ଝାଡିବାକୁ ବସିଲାଣି । ମୁଁ ରୋଷେଇ ଘରୁ କାନେଇ ଥାଏ ତା' ଖଚେଇ କଥାକୁ । ଯେତିକି କଥା ନ ଶୁଣିଥାଏ , ସେ ଗଲା ପରେ ଶାଶୁ ସବୁ ଗପିଦିଅନ୍ତି ।

' ଏ ନୂଆଉ , କୁଆଡ଼େ ଗଲୁ ? ନୂଆଉ .... ହେଇଟି , ଓଳିଗି ! '

' ଆଉ ପିତେଇ , ମା' ସାଆନ୍ତାଣୀ କୁଶଳରେ ତ ? ବହୁତ୍ ଦିନ ହେଲାଣି ଆସି ନଥିଲ ଯେ ? ଦେହପା' ଭଲ ତ ? '

' ହଁ ନୂଆଉ ଭଲ । ହେଲେ , ସକାଳୁ ମନଟା ଜମ୍ମାରୁ ଭଲ ନାଇଁ ଲୋ ! '

' କଁ ହେଲାକି ?... '

' କାଇଁ , ତୋତେ ତୋ ନଣନ୍ଦ ଫୋନ କରିନି କି ଏଯାଏଁ ? '

' ନାଇଁ ରେ , କିଛି ଅସୁବିଧା ହୋଇଛି କି , ପିତେଇ ? '

' ଏଇ ମନୁ ଭାଇନା ଝୁଅ ମ ନୀରା ! କପାଳ ଫଟା ଲୋ ! ଗେରସ୍ତଟି ମରିଗଲା ଆକ୍ସିଡେଣ୍ଟ୍ ରେ । ବିଚାରୀଟି କେମିତି ବଞ୍ଚିବ ଲୋ , ଏ କଞ୍ଚା ବଅସରେ ! ବୁଝି ପାରୁଛୁ ଟି ନୂଆଉ ? ମୁଁ କଣ କହୁଛି ? ଆଲୋ , ମୋର ସିନା ବାପ ନଥିଲା ଭାଇମାନେ ବୁଝିଲେନି ମୋ ଅଭାବ , ହେଲେ ଏଇ ନୀରା କଥା ଶୁଣି ମୋ ଛାତି ଭିତରଟା କୋରି ହୋଇଯାଉଛି ଲୋ ! '

'ନୀରା' ... ନାଁଟା ଶୁଣି ଥମ୍ କି ବସି ପଡ଼ିଲି !

' ଏଁ !!! ତୁ କ'ଣ କହୁଛୁରେ ପିତେଇ ? ଏଇ ଗଲା ସନ ତ ବା'ଘର ହେଇଥିଲା ! ଓଃ , ହେ ପ୍ରଭୁ , ଏ କି କଷ୍ଟ ତା କପାଳରେ ଲେଖିଛ ହେ ! ଆହା ହା ହା ବିଚାରୀ ଟା ! ଛୋଟ ପିଲାଟା , ତୁମର କି ଦୋଷ କରିଥିଲା , ଏତେ ବଡ଼ ଦଣ୍ଡଟିଏ ଦେଲ ହେ ! '

' ହେଇଟି ନୂଆଉ , ଗୋଟେ ଅଭିଲା କଥା କହିବି ? '

' କହୁନ , କ'ଣ ! '

' ଏ ଆମ ବୋହୁମା' ଟିକେ କିଛି କରନ୍ତେ ନି ତା ପାଇଁ ? ସେ ତ ଅନେକ କିଛି ପାଠ ପଢ଼ିଛନ୍ତି । କେତେ କାଇଦା କାନୁନ ବି ପଢ଼ିଛନ୍ତି । ମୋତେ ତ କହିବାକୁ ଲାଜ ମାଡ଼ିବ । ତୁ ଟିକେ କହନ୍ତୁନି ? ମୋ ଜୀବନଟା ତ ସେଇ ଛଟପଟ ଅନ୍ଧାରରେ କାଟିଦେଲି ଲୋ ନୂଆଉ । ଛୋଟ ପିଲାଟାକୁ କେମିତି କହିବି । ସେ ପୁଣି ମୋତେ ଖରାପ ଭାବିବ । ଯେ ନାନୀ ବି ବୋଧେ ଏଇ ଈଚ୍ଛା କରୁଥିଲେ । ହେଲେ ଏବେ ତ କେତେ ନିୟମ କାନୁନ ବଦଳି ଗଲାଣି । ତା ପାଇଁ କିଛି ଗୋଟେ .... ! '

ଭିତରେ ଥାଇ ମୋ ଅନ୍ତର କାନ୍ଦି ଉଠୁଥିଲା ପିତେଇ ନାନୀ ପାଇଁ । ସତରେ କେତେ ଖରାପ୍ କଥା ନ ଭାବୁଥିଲି ତାଙ୍କ ବିଷୟରେ ! ହେଲେ ସେ ବି ଯେ ଅନ୍ୟ ର ଦୁଃଖ କୁ ହୃଦୟଙ୍ଗମ କରିପାରନ୍ତି ! ଆଉ ଚୁପ୍ ରହି ପାରିଲିନି ଭିତରେ ,

' ନାନୀ , ମୁଁ କ'ଣ ତୁମ ଝିଅଟେ ନୁହଁ ? ସବୁ ଶୁଣିଛି ଭିତରେ ଥାଇ । ମୁଁ ବି ତ ନୀରାକୁ ବହୁତ୍ ଭଲ ପାଏ । ଯଦି ମୋର କାମ ମୋ ଘର ଲୋକଙ୍କ ମୁହଁରେ ଖୁସି ନ ଦେଇପାରିଲା , ତେବେ କ'ଣ ପଇସା ସବୁ ସୁଖ ଦେଇଦେବ ମୋତେ ? '

' ମୋ' ଧନରେ ...' ( କହି କୁଣ୍ଢେଇ ପକାଇଲେ ପିତେଇ ନାନୀ )

( ଶାଶୁଙ୍କ ଆଡ଼କୁ ଚାହିଁ ) ' ମା' ..... ????? '

' ଆରେ ପଚାରୁଛୁ କ'ଣ ! ଏ ଘର ପରା ତୋର ! ସବୁ କିଛିର ସ୍ବାଧୀନତା ତ ତୋତେ ମୁଁ କେବେଠୁ ଦେଇସାରିଛି ! ହେଲେ ତୁ ତ .... , ଯା' ମା' ଯା'.... ପିତେଇ ନାନୀ କେମିତି ଏବେ ବୁଝିଲୁଟି ? ତୋତେ ବାଟ ଦେଖେଇ ଦେବ ସେ ! ଗାଁ ଟା ଯାକ ତାକୁ ଢେର୍ ମାନନ୍ତି । '

ସଂଧ୍ୟାରେ ପିଉସୀ ନାନୀଙ୍କ ଫୋନ୍ ଆସିଲା । ଶାଶୁ ସାହସ କରି କିଛି କହି ପାରୁ ନଥାନ୍ତି ତାଙ୍କୁ । ଗାଁ ଗହଳିର ପୁରୁଣା କାଳିଆ ବୋହୁଟେ ଯେ ସେ !

ସେତେବେଳେ ମୋ ଶାଶୁଙ୍କ ପାଇଁ ମୋତେ ଖୁବ୍ ଗର୍ବ ହେଉଥାଏ । ସତରେ ପରିବର୍ତ୍ତନ ଏମିତି ହିଁ ହୁଏ । ତେବେଏଇଠୁ ଆରମ୍ଭ ହେଉ !

✍️ ବିଶ୍ବ ଭାରତୀ (ଗୋସ୍ବାମୀ) ଦାଶ । ( ବାଙ୍ଗାଲୋର )

ଶାଶୁଘର ଦରଦୀ ସ୍ନେହ

Rate the content


Originality
Flow
Language
Cover design

Comments

Post

Some text some message..