Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swagatika Tulo

Romance Tragedy

3  

Swagatika Tulo

Romance Tragedy

ବର୍ଷାର ସେଇ ମୁହୂର୍ତ୍ତ

ବର୍ଷାର ସେଇ ମୁହୂର୍ତ୍ତ

9 mins
14.6K


କାହିଁକି କେଜାଣି ଆଜି ଅଫିସ୍ ରେ ମନ ଭଲ ନଲାଗିବାରୁ ଶିଘ୍ର ଘରକୁ ଫେରି ଆସିଲି । ନୀଳ ଆକାଶରେ ବାଦଲ ଖଣ୍ଡମାନ ନିଜ ନିଜ ମଧ୍ୟରେ ଲୁଚକାଳି ଖେଳୁଥାନ୍ତି କିଏ ପ୍ରଥମେ ଧରାପୃଷ୍ଠକୁ ଛୁଇଁବ । ଘରେ ପାଦ ରଖିଛି କି ନାହିଁ ମେଘ ବରଷି ଗଲା । ବାଲକୋନିରେ ପଡିଥିବା ଚେୟାର ଉପରେ କଫି କପଟେ ଧରି କେତେବେଳେ ନିଜ ଭିତରେ ହଜିଗଲି ଜାଣିପାରି ନାହିଁ । ବର୍ଷାକୁ ଦେଖୁ ଦେଖୁ ମୋ ଅତୀତର ସ୍ମୃତିକୁ ମୁଁ ଦୋହରାଇ ଚାଲିଥିଲି । ଯେଉଁ ଅତୀତକୁ ମନେ ପକାଇବା ମାତ୍ରେ ଦେହ ପୁଲକିତ ହୋଇଥାଏ ଓ ମନ ରୋମାଞ୍ଚିତ ହୁଏ କିଛି ସୁଖ ଦୁଃଖର ଦରଦୀ ଭରା ସମୟ ସ୍ରୋତମାନଙ୍କ ଅମାପ ଢେଉ ।

ମୋର ପ୍ରଥମ ଦୂର୍ବଳତା ଥିଲା ବର୍ଷା । ଖାମଖିଆଲି ମନଟା ବର୍ଷାର ପ୍ରତ୍ୟେକ ବିନ୍ଦୁକୁ ନିଜ ଭିତରେ ସମାହିତ କରିବାର ଆଶା । ପ୍ରତ୍ୟେକ ବର୍ଷାକୁ ଉପଭୋଗ କରିବାର ଭିନ୍ନ ଏକ ଲାଳସା । ଯେମିତି ବର୍ଷା ମୋ ଜୀବନର ପ୍ରଥମ ପ୍ରେମିକ ଥିଲା । ବର୍ଷାରେ ଭିଜିବାର ଯେଉଁ ନିଆରା ଅନୁଭୂତିଟି ମୁଁ ଅନୁଭବ କରେ ଏକୁଟିଆ ଭିଜି ଭିଜି ବେଶ୍ ଆନନ୍ଦଦାୟକ ।

ସ୍କୁଲ୍ ସମୟରେ ବର୍ଷାର ଆରମ୍ଭ ମାସରୁ ପିଲାମାନେ ସମସ୍ତେ ସାଙ୍ଗରେ ଛତା ନେଇ ଯାଆନ୍ତି । କିନ୍ତୁ ମୋତେ ଭାରି କଷ୍ଟଲାଗେ ଓ ଟନ୍ ଟନ୍ ଓଜନ ମନେହୁଏ ସାମାନ୍ୟ ଛତାଟି । ବର୍ଷାରେ ଭିଜି କାଗଜ ଡଙ୍ଗା ଭସେଇବା ପରି ଏକ ବିରଳ ସ୍ମୃତିକୁ କିଏ କେବେ ଭୁଲିପାରେ । ସେଥିପାଇଁ ମାଆଙ୍କ ନିକଟରୁ ଅନେକ ମାଡ ଗାଳି ଖାଇବାକୁ ପଡିଥାଏ । ଇଏ ଥିଲା ସ୍କୁଲ୍ ସସମୟର କଥା ।

ହାଇସ୍କୁଲ୍ ଆମ ଗାଆଁ ଠାରୁ ଦୁଇ କିଲୋମିଟର ଦୂର । ସବୁଦିନ ସାଇକେଲ ନେଇ ଯିବାକୁ ହୁଏ । ବର୍ଷାଦିନେ ସାଙ୍ଗରେ ଛତା ନେବାକୁ ସବୁବେଳେ ମୁଁ ଅମଙ୍ଗ । ଘରେ ଛତା ନେବା ପାଇଁ ବାଧ୍ୟ କଲେ ବାହାନା ଦେଖାଇ ଖାଲି ହାତରେ ଚାଲି ଯାଉଥିଲି । ବର୍ଷାର ପ୍ରଥମ ବିନ୍ଦୁ ଦେହକୁ ଛୁଇଁବା କ୍ଷଣି ଖେଳି ଯାଉଥିଲା ଏକ ଅଜଣା ଶିହରଣ । ସ୍କୁଲ୍ ସରିଲା ବର୍ଷାରେ ଭିଜିବାର ମଜ୍ଜା ବି । କଲେଜ୍ ବହୁତ ଦୂର ହୋଇଥିବାରୁ ବସ୍ ରେ ଯାଉଥିଲି ଓ ଯେଉଁଦିନ ଅଧିକ ବର୍ଷା ହେଉଥିଲା ସେଦିନ ଛୁଟି । ଏମିତି କେବେ କେବେ ଅଦିନିଆ ବର୍ଷା ସହ ଭେଟ ହୋଇଯାଏ ସତ ହେଲେ ମନଭରି ଉପଭୋଗ କରିପାରେନି । 

ଯୁକ୍ତ ଦୁଇ ସରିବା ପରେ ଯୁକ୍ତ ତିନି ପାଇଁ ମୋତେ ଦୂର ଏକ କଲେଜ୍ ଯିବାକୁ ହେଲା । ତେଣୁ ପ୍ରତ୍ୟେକଦିନ ବସ୍ ରେ ଯିବା ଆସିବା ସମ୍ଭବପର ହେଲାନାହିଁ । ବାପା ହଷ୍ଟେଲରେ ରହିବାର ବ୍ୟବସ୍ଥା କରିଦେଲେ ।

ଦିନକର କଥା । ସେତେବେଳକୁ ବର୍ଷା ଋତୁ ଧରାପୃଷ୍ଠକୁ ଅବତରଣ କରି ସାରିଥାନ୍ତି । କଲେଜ୍ ରୁ ହଷ୍ଟେଲକୁ ପ୍ରାୟ ଦେଢ କିଲୋମିଟର ଚାଲି ଚାଲି ଆସିବାକୁ ହୁଏ । କ୍ଲାସ ସାରି ମୁଁ ହଷ୍ଟେଲକୁ ଫେରୁଥାଏ । ହଠାତ୍ କଳାହାଣ୍ଡିଆ ବାଦଲମାନ କେଉଁଠି ଥିଲେ କେଜାଣି ଆକାଶଟାକୁ ସମ୍ପୁର୍ଣ୍ଣ ଢାଙ୍କିଦେଲେ । ଅବିଳମ୍ବେ ଟୋପା ଟୋପା ବର୍ଷା ବି ବରଷିଗଲା । ବହୁତ ଦିନରୁ ଖୋଜୁଥିବା ସୁଯୋଗଟେ ମୋତେ ମିଳିଗଲା । ପ୍ରଜାପତି ପରି ରାସ୍ତାର ଏପାଖରୁ ସେପାଖକୁ ମୁଁ ଭିଜି ଭିଜି ମତୁଆଲା ମନରେ ଗିତ ଗାଇ ଚାଲିଥାଏ । ହଠାତ୍ ମୋତେ ଅନୁଭବ ହେଲା କେହିଜଣେ ମୋ ପଛରେ ଆସୁଛି, ପଛକୁ ଘୁରି ଚାହିଁଲି ତ ମୋ କଲେଜ୍ ର ଜଣେ ସିନିଅର ଛାତ୍ର ଥିଲେ । ତାଙ୍କୁ ଦେଖିବା ମାତ୍ରେ ମୋ ପିଲାଳିଆମି ଆପେ ଆପେ ବନ୍ଦ ହୋଇ ଯାଇଥିଲା । ନିଛାଟିଆ ରାସ୍ତାରେ ଏକୁଟିଆ ତାଙ୍କୁ ଦେଖି ସାମାନ୍ୟ ଭୟଭୀତ ହେଲି । ତାଙ୍କ ପାଖରେ ଛତା ଥିଲେ ମଧ୍ୟ ସେ ମୋ ପରି ଭିଜୁଥିଲେ । ମୋତେ ଲାଗିଲା ସେ ବୋଧେ ମୋ ପରି ବର୍ଷା ପାଇଁ ପାଗଳ । ମାମା ମାମା କହି ସିନିଅର ଜଣକ ଡାକିବାରୁ ମୁଁ ତଟସ୍ଥ ହୋଇ ଫେରି ଆସିଲି ଭାବନା ରାଜ୍ୟରୁ । କଣ ତୁମେ ଛତା ନେଇ କଲେଜ ଆସିନ କି ? ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ମୋ ନାଁ କିପରି ଜାଣିଲେ ଭାବୁଥାଏ । ପୁଣିଥରେ ସେ ସମାନ ପ୍ରଶ୍ନ ଦୋହରାଇବାରୁ ମୁଁ ସାମାନ୍ୟ ରୁପେ ଉତ୍ତର ଦେଲି "ବର୍ଷା ହେବ ବୋଲି ମୋର ଧାରଣା ନଥିଲା।" ପରେ ଦୁହେଁ ଚୁପ୍ଚାପ୍ ବର୍ଷାରେ ଭିଜି ଭିଜି ଚାଲୁଥାଉ । ମନେ ମନେ ମୁଁ ବିରକ୍ତ ହେଊଥାଏ ଏତେଦିନ ପରେ ସୁଯୋଗଟେ ମିଳିଥିଲା, ହେଲେ ୟାଙ୍କ ପାଇଁ ହାତଛଡା । ମୋ ହଷ୍ଟେଲ୍ ପର୍ଯ୍ୟନ୍ତ ପହଞ୍ଚିବା ପରେ ତାଙ୍କୁ କିଛି ନକହି ଚାଲିଗଲି ।

ମୋ ମନର ପରିଧୀ ଭିତରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ, ସେ ମୋ ନାଁ ଜାଣିଲେ କିପରି ? ଏମିତି ଭାବୁ ଭାବୁ କେତେବେଳେ ଆଖି ଲାଗିଗଲା ମୁଁ ଜାଣି ପାରିଲିନି ।

ସକାଳୁ ଉଠିବା ବେଳକୁ ମୋତେ ଟିକିଏ ଥଣ୍ଡା ଲାଗି ଯାଇଥାଏ । ସେଥିପାଇଁ କଲେଜ୍ ଯିବା ବନ୍ଦ । ଦୁଇଦିନ ପରେ ଯେତେବେଳେ କଲେଜ୍ ରେ ପହଞ୍ଚିଲି ମୋ ସାଙ୍ଗ ମଧୁ କହିଲା ତୋତେ ଆମ ସିନିଅର ବାବୁଭାଇ କାହିଁକି ବହୁତ ଖୋଜୁଥିଲେ । ମୁଁ ବୁଝିଗଲି ସେଦିନ ବର୍ଷାରେ ଯେଉଁ ସିନିଅର ଜଣକ ମୋ ସାଥିରେ ଭିଜୁଥିଲେ ତାଙ୍କରି ନାମ ବାବୁ । ମୁଁ ସେତେଟା ଆଗ୍ରହ କଲିନାହିଁ ତାଙ୍କୁ ଦେଖା କରିବା ପାଇଁ କି ମିସିବା ପାଇଁ । କିନ୍ତୁ ସେ ପ୍ରତ୍ୟେକଦିନ ମୋ ସାଙ୍ଗମାନଙ୍କୁ ମୋ ବିଷୟରେ ପଚାରନ୍ତି । ମୁଁ ତାଙ୍କୁ ଦେଖିବା ମାତ୍ରେ ଲୁଚି ଯାଉଥିଲି । କିନ୍ତୁ ସେଦିନ ବାବୁଭାଇଙ୍କ ଆଖିରେ ଧରା ପଡିଯାଇଥିଲି ମୁଁ, ଯେମିତି ଚୋରି କରିବା ପରେ ମୁଁ ପୋଲିସ୍ ହାତରେ ବନ୍ଧା ପଡିଯାଇଛି । 

ହଠାତ୍ ସେ ହସି ହସି ମୋ ନିକଟତର ହେଲେ ଓ କଲେଜ୍ କ୍ୟାମ୍ପସରେ ସମସ୍ତଙ୍କ ସାମନାରେ ଆଣ୍ଠୁମାଡି ଲାଲ୍ ଗୋଲାପ ଦେଇ ପ୍ରପୋଜ୍ କଲେ । ମୋ ପାଖରେ କୌଣସି ଶଦ୍ଦ ନଥିଲା, କି ଉତ୍ତର ଦେବି ଓ କଣ କହିବି । ମୁଁ କିଛି ସ୍ଥିର କରିବା ପୂର୍ବରୁ ଗୋଲାପଟି ତାଙ୍କ ହାତରୁ ମୋ ହାତକୁ କିପରି ଆସିଲା ଜାଣି ପାରିଲିନି । ମୁଁ ସମ୍ପୁର୍ଣ୍ଣ ରୁପେ ସ୍ଥାଣୁ ପାଲଟି ଯାଇଥାଏ । ସମୟ ନେଇ ଉତ୍ତର ଦେବା ପାଇଁ କହି ସେ ଉଭାନ୍ ହୋଇ ଯାଇଥିଲେ ଓ ମଧୁର ଡାକରେ ମୁଁ ପ୍ରକୃସ୍ଥିତ ହେବା ମାତ୍ରେ ଗୋଲାପଟିକୁ ମୋ ହାତରେ ଦେଖି ଆଶ୍ଚର୍ଯ୍ୟ ହେଲି । ମୋତେ ଲାଗୁଥାଏ ମୁଁ ଗୋଲାପ ଆଣି ପ୍ରେମ କରିବାର ସ୍ବୀକୃତି ଦେଇ ସାରିଛି ।

ସେଦିନ ଠାରୁ ସବୁଦିନ ଆମର ଦେଖାହୁଏ । କେବେ ହାତ ଧରାଧରି ହୋଇ କିଛି ଦୂର ଚାଲିଯାଉ ତ କେବେ କଲେଜ୍ କ୍ୟାଣ୍ଟିନରେ ବସି ଦୁହେଁ ଦୁହିଁକ ଆଖିରେ ଦେଖୁ ଅନେକ ମିଠା ସପନ । ଦିନ ପରେ ଦିନ ଗଡି ଚାଲିବା ସହିତ ଆମ ପ୍ରେମ ସମ୍ପର୍କର ଡୋର ମଜବୁତ୍ ହେଉଥାଏ । ସାରା ଜୀବନ ଏକାଠି ହୋଇ ରହିବାର କଥା ଦିଆନିଆ ବାରମ୍ବାର ହେଉଥାଏ । 

ବାବୁ ଥିଲେ ଏକ ଧନୀବାପର ଦୁଃଖୀ ପୁଅ । ମାତ୍ର ସାତବର୍ଷ ବୟସରେ ନିଜ ମାଆକୁ ହରେଇବା ପରେ ଦୁଃଖର କଳା ଚାଦର ଢାଙ୍କି ଦେଇଥିଲା ତାଙ୍କ ଜୀବନ ଆକାଶକୁ । ବାପାଙ୍କ ଦ୍ବିତୀୟ ବିବାହ ପରେ ସାବତ ମାଆର କଟୁ କଥାରେ ମାଆ ଛେଉଣ୍ଡ ବାବୁଙ୍କ ହୃଦୟ ପ୍ରତି ମୁହୂର୍ତ୍ତରେ ଭାଙ୍ଗି ଚୁରମାର୍ ହେଉଥାଏ । ସେହି ସହରରେ ଘର ହୋଇଥିଲେ ମଧ୍ୟ ଏହି କାରଣରୁ ସେ ଘରକୁ ନଯାଇ ରହି ଯାଆନ୍ତି ହଷ୍ଟେଲରେ । ସେଥିପାଇଁ ଯେତେବେଳେ ମୋ ସହିତ ମିଶନ୍ତି, ସେ କହନ୍ତି ମୋ ଜୀବନର ସବୁଠାରୁ ଅଭୁଲା ସ୍ମୃତି ହୋଇ ତୁମେ ରହିବ । ମୁଁ ତାଙ୍କ ଛାତିରେ ମଥା ରଖି କାନ୍ଦି ପକାଏ ଓ ସକେଇ ସକେଇ କହେ ମୁଁ କାହିଁକି ସ୍ମୃତି ହୋଇ ରହିବି ? ମୁଁ ତୁମ ଜୀବନର ପ୍ରତି ସୁଖ ଦୁଃଖର ସହଭାଗିନି ହେବି । ତୁମ ପାଦରେ ପାଦ ମିଶାଇ ଚାଲିବି ଓ ତୁମ ଚଲାପଥର କଣ୍ଟା ପ୍ରଥମେ ମୋ ପାଦକୁ ଛୁଇଁବ ।

ବାବୁ ମୋତେ କୋଳେଇ ନିଅନ୍ତି ଓ କହନ୍ତି ପାଗିଳିଟିଏ ତୁ । କଥା ଦେଲି ସବୁଦିନ ସବୁ ସମୟରେ ତୁମେ ମୋର ଓ ମୁଁ ତୁମର ଛାଇ ହୋଇ ରହିବ । ସାରା ଜୀବନ ସାଥି ହୋଇ ବାଟ ଚାଲିବାର ପ୍ରତିଜ୍ଞ୍ୟା କରନ୍ତି ସେ । 

କିନ୍ତୁ କିଏ ଜାଣେ ସମୟ ନିକିତୀ କେବେ କେଉଁ ପାର୍ଶ୍ବକୁ ଭାରି ହେବ । ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ଏହା ତ ଦୁନିଆର ରୀତିନିତି ।

ବାବୁଙ୍କର ପଢା ଆମ କଲେଜରେ ସରିଗଲା । ସାରା ଜୀବନ ପାଇଁ ସାଥୀ କରିବାର ପ୍ରତିଶୃତି ଦେଇ ଚାଲି ଯାଇଥିଲେ ଉଚ୍ଚଶିକ୍ଷା ପାଇଁ ଦୂର ଏକ ସହରକୁ । କହିଥିଲେ ମୁଁ ଫେରିବି ଓ ସେଦିନ ତୁମ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ରାଜରାଣୀ କରି ନେଇଯିବି ଦୂର ଏକ ରାଇଜକୁ । ବୋଧେ ଏତେ ସପନ ପାଇଁ ରାତି ନଥିଲା, ସମୟର ଚକ ତଳେ ପେଶୀ ହୋଇଯାଇଥିଲୁ ଦୁହେଁ ।

ଆମ ପ୍ରେମ ଘରଲୋକଙ୍କ ଆଖି ଆଢୁଆଳରେ ବେଶୀ ଦିନ ତିଷ୍ଠି ରହି ପାରିଲାନି । ଫୁଲ ଫୁଟିଛି ଯେତେବେଳେ ବାସ୍ନା ତ ହେବ । ସେତେବେଳେ ଏକଥା ମୁଁ ବେଶ୍ ବୁଝି ପାରିଥିଲି ।

ଆମଘରେ ଆମେ ତିନି ବାପାଙ୍କ ଚାରିଝିଅ । ଘରର ବଡଝିଅ ହୋଇଥିବାରୁ ସମସ୍ତେ ମୋ ବାହାଘର ଶିଘ୍ର ସାରି ଦେବାକୁ ତତ୍ପର ହେଲେ । ଏହା ସହିତ କଲେଜ୍ ର ଭଲପାଇବା କଥା ବି ସେମାନଙ୍କ କର୍ଣ୍ଣ ଗୋଚର ହୋଇ ସାରିଥାଏ । ଏସବୁ କଥା ଜାଣିବା ପରେ ବି ବାବୁଙ୍କ ସାବତ ମାଆଙ୍କର ଗୋଟିଏ ଜିଦ୍ଦି ଯିଏ ନଗଦ ଦଶଲକ୍ଷ ଟଙ୍କା ଓ କାର୍ ଯୌତୁକରେ ଦେବ, ସେଇଠି ବିବାହ ହେବ । ସାବତ ମାଆର କାନିରେ ବନ୍ଧା ବାବୁଙ୍କ ବାପା । ଏପଟେ ଆମଘରେ ସମ୍ପୁର୍ଣ୍ଣ ଯୌତୁକ ବିରୋଧୀ । ଆମ ଝିଅକୁ ପାଠଶାଠ ପଢାଇ ମଣିଷ କରିଛୁ ପୁଣି କି ଯୌତୁକ ? ସେପଟେ ବାବୁଙ୍କ ସାବତ ମାଆର ଧନଲୋଭ ଓ ଏପଟେ ସଂସାରକୁ ଗ୍ରାସ କରିଥିବା ଯୌତୁକ ରୁପି ରାକ୍ଷସର କବଳରେ ଦୁଇ ପ୍ରେମୀଙ୍କ ପ୍ରେମ କାହାଣୀର ଅନ୍ତ ନିଶ୍ଚିତ ହୋଇ ଆସୁଥାଏ । ବାବୁଙ୍କ ବାପା କହିଥିଲେ ଯଦି ଆମ ଅନିଚ୍ଛା ସତ୍ତ୍ବେ ସେ ଝିଅକୁ ବିବାହ କରିବୁ ତେବେ ମୋର ମୁହଁରେ ନିଆଁ ବି ଦେବୁନି । ସମାଜର ପ୍ରଚଳିତ ରାଣ ନୀୟମ ଓ ଦ୍ବାହୀ ପରି ସବୁ ପ୍ରକାର ବେଢୀ ଆମ ଦୁହିଁକ ପାଦରେ ବନ୍ଧା ହୋଇ ସାରିଥାଏ । ଦୁଇ ପ୍ରେମୀ ଅଲଗା ଅଲଗା ନିବୁଜ ପଞ୍ଜୁରୀରେ ଅଣନିଶ୍ବାସି ହେଉଥାଉ ।

ଭଲ ପାତ୍ରଟିଏ ଦେଖି ମୋର ବିବାହ ସ୍ଥିର ହୋଇଗଲା । ବାବୁ ସେଇଦିନ ଦୁଃଖରେ ଭାଙ୍ଗିପଡି ଘରଛାଡି ଚାଲି ଯାଇଥିଲେ କେଉଁଆଡେ । ବାହାରେ ମେଘ ବରଷି ଯାଉଥାଏ, ତାକୁ ବା କିଏ ରୋକିପାରିବ ।

ଆମେ ଦୁହେଁ ଦୁହିଁକ ଠାରୁ ଅଲଗା ହୋଇଗଲୁ । କେହି କାହାର ଖୋଜଖବର ବି ଆଉ ରଖିନାହୁଁ ।

ଠିକ୍ ଦଶବର୍ଷ ପରେ-:

ମୁଁ କୌଣସି ଏକ କାମରେ ବାହାରିଥାଏ । ଠିକ୍ ଏମିତି ଏକ ଅଦିନ ମେଘ ଆସି ବରଷି ଗଲା । ଆଜି ବି ମୋ ପାଖରେ ଛତା ନଥାଏ ସେଦିନ ପରି। ହେଲେ ସେଦିନ ପରି ଆଉ ଇଛାନାହିଁ ବର୍ଷାରେ ଭିଜିବାକୁ । ବର୍ଷାକୁ ଭଲପାଇବା ତ ଦୂରର କଥା, ଘୃଣା କରୁଥିଲି । ଅତି ନିଷ୍ଠୁର ଏ ବର୍ଷା । ମୋ ଜୀବନରେ ଆଜି ମୁଁ ସମ୍ପୁର୍ଣ୍ଣ ଏକା ହୋଇ ଯାଇଥିଲି । ବର୍ଷାରୁ ମୁକ୍ତି ପାଇବା ପାଇଁ ରାସ୍ତାକଡ ଭଙ୍ଗା ଚାଳିଆ ଆଡକୁ ମୁହାଁଇଲି ।

ଆରେ ଇଏ କଣ ? ମୋ ପୂର୍ବରୁ ତ କେହିଜଣେ ଏଠି ପୂର୍ବରୁ ଆଶ୍ରୟ ନେଇଛି । ମୋର ବିପରିତ ଦିଗକୁ ଚାହିଁ ସେ କଣ ବୋଧେ ଭାବୁଛି । ସେ ପୁଣି ଜଣେ ପୁରୁଷ । ଭଙ୍ଗା ଚାଳିଆରେ ବି ଏତେ ସୁରକ୍ଷିତ ସ୍ଥାନ ନାହିଁ ନିଜକୁ ବର୍ଷାରୁ ବଞ୍ଚାଇବା ପାଇଁ । ମୁଁ ଫେରି ଆସୁଥାଏ ।

କିଏ ?

ହଠାତ୍ ତଟସ୍ଥ ହେଲି । ଏକ ଚିହ୍ନା ସ୍ବର ପରି ଲାଗିଲା । ପାଦ ଦୁଇଟି ଅଟକି ଯାଉଥିଲେ । ନାଁ, ନାଁ, ଏ ସହରରେ ମୋର କେହି ଚିହ୍ନା ନାହାନ୍ତି । ବୋଧେ ମୋର ଭ୍ରମ । ପୁଣି ପାଦ ଆଗକୁ ବଢାଇବା ମାତ୍ରେ ସେହି କଣ୍ଠସ୍ବର ।

ଆପଣ ଆସନ୍ତୁ ନା । 

ମୁଁ ବର୍ଷାରେ ଚାଲିଯିବି ।

ଆପଣ ଆଶ୍ରୟ ନିଅନ୍ତୁ ।

ଓଃ, ଏତେ ଚିହ୍ନା ଚିହ୍ନା କଣ୍ଠସ୍ବର ! 

କାହାର ହୋଇପାରେ ?

କଣ ସତରେ ଏ ଦୂର ସହରରେ ମୋତେ ଜାଣିଥିବା ଲୋକ ଅଛନ୍ତି ?

ଏତେ ସବୁ ପ୍ରଶ୍ନ ନିଜକୁ ପଚାରିବା ଭିତରେ ମୁଁ ପଛକୁ ଘୁରି ଚାହିଁଥିଲି । 

ନାଁ, ନାଁ, ଏହା ସତ ହୋଇ ନପାରେ । ପୁରୁଷଟିକୁ ଦେଖିବା ମାତ୍ରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ।

ନିଜ ଆଖିକୁ ବିଶ୍ବାସ କରିବାକୁ ମୁଁ ଅବାଧ୍ୟ ହେଉଥାଏ । ହଠାତ୍ ପାଟିରୁ ବାହାରି ଆସିଲା "ବାବୁ" ।

ସେ ବି ମୋ କଣ୍ଠସ୍ବର ଶୁଣି ଚମକି ପଡିଲେ । ଦୁହେଁ ଦୁହିଁକୁ ଅପଲକ ନୟନରେ ଚାହିଁଥାଉ । କିଛିକ୍ଷଣ ବିତିଗଲା, କେତେ ସମୟ କହିପାରିବିନି । ବର୍ଷା ବି ନିଜ ଧୂମ୍ ରେ ବରଷି ଚାଲିଥାଏ । ଘଡ ଘଡିର ଶଦ୍ଦରେ ପ୍ରକୃସ୍ଥିତ ହେ୍ଲୁ । 

ନୀରବତା ଭାଙ୍ଗି ମୁଁ କଥା ଆରମ୍ଭ କଲି । 

କେମିତି ଅଛ ?

ହଁ, ଭଲରେ ଥିବ ନିଶ୍ଚୟ !

ପିଲାଛୁଆ ଘର ପରିବାର ଖବର କଣ ?

ମୁଁ ଏକାଥରେ ଅନେକ ପ୍ରଶ୍ନର ବୃଷ୍ଟି କରି ଚାଲିଥାଏ ।

ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ମୋ ଜୀବନରେ ତୁମ ଛଡା ଆଉ କେହି ଆସିନାହାନ୍ତି କି ଆସିବେ ନାହିଁ । ଆଉ ତୁମ ଖବର କଣ କୁହ ? ବାବୁ ପଚାରିଲେ । 

ବାହାଘର ପରେ ପୁରାପୁରି ସୁଗୃହିଣୀ ପାଲଟି ଯାଇଛ । ଯେଉଁ ଘରକୁ ଯାଇଥିବ, ସେ ଘର ହସ ଖୁସିରେ ନାଚି ଉଠୁଥିବ । ମୁଁ ଠିକ୍ କହିଲି ନା ମାମା ?

ଚୁପ୍ କର ବାବୁ । ମୁଁ ଏସବୁ ଶୁଣି ପାରୁନି । ତୁମେ କିପରି ଭାବିପାରୁଛ ତୁମ ବିନା ମୁଁ ଖୁସିରେ ବଞ୍ଚିପାରିବି । ହଁ, ମୋ ବାହାଘର ଠିକ୍ ହୋଇଥିଲା ସତ, ମଙ୍ଗନ ବି ସରିଥିଲା ହେଲେ, ମୁଁ ଏତିକି କହୁ କହୁ ଅଟକି ଗଲି ।

ହେଲେ କଣ କୁହ ? କୁହ ମାମା କାହିଁକି ଚୁପ୍ ରହିଲ ? ପ୍ଲିଜ୍ ମାମା ପ୍ଲିଜ୍ କଣ ହୋଇଛି କୁହ ???

ମୋତେ ଲାଗୁଥି୍ଲା ମୁଁ ମୋ ଅତୀତର ପୁନରାବୃତ୍ତି କରୁଛି ଓ ଆଖିରେ ଲାଇଭ୍ ସୋ ପରି ନାଚି ଯାଉଛି ସେଦିନର ଘଟଣା । ହଁ, କହୁଛି ଶୁଣ ।

ମୁଁ ସେଦିନର ଘଟଣା ଆରମ୍ଭ କଲି । ସବୁ ସରିଥିଲା ହେଲେ ମୋ ସାନଭଉଣୀ ବାହା ହେଲା । ବରପାତ୍ର ଆମ ପ୍ରେମ କାହାଣୀ ବିଷୟରେ କେଉଁଠୁ ଖବର ପାଇ ସାରିଥାଏ । ବାହାଘର ବେଦୀରେ ବସି ବର ସିଧା ସିଧା ମୋତେ ବିବାହ କରିବା ପାଇଁ ମନା କରିଦେଲା । ମୁଁ କନିଆ ବେଶରେ ସଜ ହୋଇ ସାରିଥାଏ । ବରପାତ୍ରର ଜିଦ୍ଦି ସାମନାରେ ମୋ ସାନଭଉଣୀ ସହ ତାର ବିବାହ ହେଲା । ଗୋଟେ ପଟେ ମୁଁ ମୋ ପ୍ରେମକୁ ହରାଇ ସାରିଥିଲି ଓ ଅନ୍ୟପଟେ ସାରା ଦୁନିଆ ଆଗରେ ବଦନାମ ହେଲି । ସେଦିନ କାହାକୁ କିଛି ନକହି ଘରଛାଡି ଚାଲି ଆସିଛି ଯେ କେବେ ଆଉ ପଛକୁ ଫେରି ଚାହିଁନି । ସେଦିନ ରାତିଟା ବି ବର୍ଷାରାତି ଥିଲା, ମୋର ଅତୀତ ଓ ବର୍ତ୍ତମାନର ଲୁହ ସବୁ ଧୋଇ ସାରିଥିଲା । ମୁଁ ତୁମ ବିନା ଏକାକୀ ରହି ଯାଇଛି ।  

ଏହି ସହର'ର ଏକ ଅନାଥ ଆଶ୍ରମରେ ରହି ସେଠାକାର ଅନ୍ତୋବାସୀକୁ ମୋର ପରିବାର ମାନି ନେଇଛି । ତୁମ କଥା କହିଲନି ବାବୁ, ମୋ କଥାର ପୁର୍ଣ୍ଣଛେଦ ପକାଇ ପଚାରିଥିଲି ।

ମୁଁ ବି ଏକା ଏକା । ଘର ଛାଡିବା ପରଠାରୁ ପରିବାର ସହ ସମ୍ପର୍କ ନାହିଁ । ଏହି ସହରରେ ଏକ NGO ଖୋଲିଛି । ସେହି ସଂସ୍ଥାର କର୍ମଚାରୀ ଓ ଜଡିତ ସଦଶ୍ୟଙ୍କୁ ନେଇ ମୋ ପରିବାର । ଆଉକିଛି ନାହିଁ ମୋ ଜୀବନରେ କହିବାକୁ ମାମା...।

ପୁଣି ଏକ ନୀରବତା ...।

ସେଇ ନୀରବତାରେ ବି ଶଦ୍ଦ ଥିଲା, ଅନୁଭବୀ ହିଁ ଶୁଣିପାରିବ । ନୀରବରେ ନୀରବରେ ଦୁହିଁକ ଆଖି ନିଜ ନିଜ ମଧ୍ୟରେ ଭାବ ବିନିମୟ କରୁଥାନ୍ତି । କିଛି ପୁରୁଣା ସ୍ମୃତି ତାଜା ତାଜା ଲାଗୁଥାଏ, ମନ ଆନମନା ହେଉଥାଏ । ବାଆ ବତାସ ବି ନିଜ ଗତିରେ ବଢି ଚାଲିଥାଏ । ବର୍ଷାର ବଡ ବଡ ଟୋପା ବାଆ ପବନରେ ଛିଟିକି ପଡୁଥାଏ । 

ମାମା, ବର୍ଷାରେ ଭିଜୁଛ, ଆଉ ଟିକେ ପାଖକୁ ଲାଗିଆସ ।

ନାଁ, ମୁଁ ଠିକ୍ ଅଛି ।

ଆଉଟିକେ ପାଖକୁ,,,,

ହଁ, ଏତିକି ଆସିଲି,,,

ଆଉଟିକେ ଆସନା,,,,

କେତେ ଆଉ ଯିବି ଯେ???

କଣ ମୋତେ ଦେଖି ଭୟ କରୁଛ ମାମା ???

ନାଁ, ନାଁ, ତୁମ ପାଖେ ପୁଣି ଭୟ !

ତେବେ ଆସୁନା କାହିଁକି ???

ହଁ, ଗଲି,,,,ଓଃ, ସେହି ଦେହର ଗନ୍ଧ, ସେହି ବଳିଷ୍ଠ ଛାତି ଓ ଉଷ୍ମ ପ୍ରଶ୍ବାସର ସ୍ପର୍ଶ ।

ବାସ୍ । ଏତେ ପାଖକୁ ଚାଲି ଯାଇଥିଲି ଯେ ଫେରିବା ସମ୍ଭବ ନଥିଲା । ବାବୁ ଦୁଇହାତ ବଢାଇ ଦେଲେ ଓ ମୁଁ ଲୋଟିଗଲି ତାଙ୍କ ବକ୍ଷରେ । ପୁଣି ଆମ ପ୍ରେମ ଥରେ ନୂଆଜନ୍ମ ପାଇଥିଲା । ତାଙ୍କ ବକ୍ଷରୁ ଅଲଗା ହେଲି ତ ସେ ପଚାରିଲେ "ମାମା କଣ ଏବେ ଆମେ ସାରାଜୀବନ ସାଥୀ ହୋଇ ରହିପାରିବାନି ?"

ଉତ୍ତର ଦେବା ପରିବର୍ତ୍ତେ ତାଙ୍କ ହାତ ଧରି ଟାଣି ନେଇଥିଲି ବର୍ଷାକୁ । ପୁଣିଥରେ ତାଙ୍କ ହାତଧରି ବର୍ଷାକୁ ଉପଭୋଗ କରୁଥିଲି । ସେ ତାଙ୍କ ପ୍ରଶ୍ନର ଉତ୍ତର ପାଇ ସାରିଥିଲେ ।

ମାମା, ମାମା.......

ପଛ ପଟୁ ଝିଙ୍କି ଦେଇ ପଚାରିଥିଲେ ବାବୁ...

"ବର୍ଷାକୁ ଦେଖି କଣ ଭାବୁଛ?"

ଫେରି ଆସିଲି ସେ ଭାବନା ରାଇଜରୁ ....ମୁହଁ ସଞ୍ଜ ହୋଇ ସାରିଥାଏ । ତକ୍ଷଣ ବାଲକୋନିର ବଲବ୍ ଜଳାଇ କହିେଲ-:

ଉୁଁ,

ବର୍ଷାକୁ ଦେଖି କଣ ଭାବୁଛ ? ବାବୁ ପଚାରିଲେ ।

ଏମିତି,,,,ବର୍ଷାକୁ ଦେଖି କଣ ଆଉ ଭାବିବି ? ତୁମ କଥା ଓ ମୋ କଥା । ହଁ, ସେ କେହି ନୁହନ୍ତି ମୋ ବାବୁ । ପଛରୁ ଧରିନେଲେ ମୋତେ । ସେହି ବର୍ଷା ଆମ ଦୁହିଁକୁ ଏକାଠି କରିଥିଲା ଯାହାକୁ ମୁଁ ବହୁତ ଘୃଣା କରୁଥିଲି । ଆଜି ବାବୁ ଓ ମୁଁ ମିଶି ତାଙ୍କ NGO ଓ ଅନାଥ ଆଶ୍ରମ ଚଳାଉଛୁ । ତାଙ୍କ ପରିବାର ଓ ମୋ ପରିବାରକୁ ମିଶାଇ ଗଢିଛୁ ଆମ ପରିବାର।

ସମାପ୍ତ

© ସ୍ବାଗତିକା ତୁଳ ।

ଶିକ୍ଷୟିତ୍ରୀ

ନାରାୟଣପାଟଣା

କୋରାପୁଟ


Rate this content
Log in

Similar oriya story from Romance