Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲିପିଷ୍ଟିକ
ଲିପିଷ୍ଟିକ
★★★★★

© Bismita Sahoo

Tragedy

4 Minutes   9.4K    39


Content Ranking

ତିନି ତିନି ଜଣଙ୍କ ଘରେ କାମ କରେ ସେ। ବାସନ ମାଜେ। ଘର ଝାଡୁ କରେ।ଲୁଗା ସଫା କରେ। ପୁଣି ଆସି ନିଜ ଘରେ ନିଜ ସ୍ଵାମୀ ଛୁଆଙ୍କ ଅଳି ଅରଦଳି ବୁଝେ। ସେ ଦେଖିଛି ବାବୁଆଣୀ ମାନେ କେତେ ଷ୍ଟାଇଲି ମାରନ୍ତି। ବୟସ ବଢ଼ି ଯାଇଥିଲେ ବି ଚୁଟିକୁ ରଙ୍ଗ କରି ମୁହଁରେ ସ୍ନୋ ପାଉଡର ମାଖି କେଡ଼େ ସୁନ୍ଦର ଦେଖାଯାନ୍ତି।ପାଦରେ ଉଚ୍ଚା ଉଚ୍ଚା ଗୋଇଠିର ଜୋତା ପିନ୍ଧି କାନ୍ଧରେ ଭ୍ୟାନିଟି ବ୍ୟାଗ ପକେଇ ଯେତେବେଳେ ବଜାର ବାହାରନ୍ତି ତା ଆଖି ସେମାନଙ୍କ ଉପରୁ ହଟେନି। କେବେ କେବେ ତାକୁ ବି ଇଚ୍ଛା ହୁଏ ସେମିତି ଷ୍ଟାଇଲି କରିବାକୁ।

ସନିଆ ଜାଣେ ତା ସ୍ତ୍ରୀର ମନକୁ। ତା ସ୍ତ୍ରୀ ରମ୍ଭାର ଭାରି ଇଚ୍ଛା ବାବୁଆଣୀ ମାନଙ୍କ ପରି ଷ୍ଟାଇଲି କରି ବଜାର ବୁଲିଯିବ। କିନ୍ତୁ ବାମନ ହେଇ ଜହ୍ନକୁ କେବେ କଣ ହାତ ବଢ଼େଇ ହେଇଛି ନା ହେବ। ରମ୍ଭା କେତେ କାମ କରେ।ପୁଣି ଘରକୁ ଆସି ତା ଗୁପ୍ ଚୁପ୍ ଠେଲା ପାଇଁ ଆଳୁ ସିଝାଏ। ଗୁପ୍ ଚୁପ୍ ବେଲେ। ଅନବରତ କାମରେ ଲାଗିଲେ ବି କେବେ ସେ ସନିଆ ଉପରେ ରାଗେନି। ତାକୁ ବେଳେବେଳେ ଲାଗେ ପୂର୍ବ ଜନ୍ମରେ ପୁଣ୍ୟ କରିଥିଲା ବୋଲି ସ୍ୱର୍ଗର ଅପ୍ସରୀ ରମ୍ଭା ତା ସ୍ତ୍ରୀ ବେଶରେ ତା ଘରେ ରହୁଛି।

ରମ୍ଭାର ସଜେଇ ହେବାରେ ଭାରି ମନ, କିନ୍ତୁ ତା ପାଖରେ ଏତେ ପଇସା କାହିଁ ସ୍ନୋ ପାଉଡର କିଣିବାକୁ। ସିଏ ଆଉ ରମ୍ଭା ଯାହା ରୋଜଗାର କରନ୍ତି ସେସବୁ ତାର ଘର ଭଡ଼ା, ଗୁପ୍ ଚୁପ୍ ଠେଲାର ଭଡ଼ା ଓ ତା ପୁଅର ବହିପତ୍ର, ଔଷଧ ପାଇଁ ଖର୍ଚ୍ଚ ହେଇଯାଏ। ନିଜେ ଗୋଟିଏ ଗୁପ୍ ଚୁପ୍ ଠେଲା କରିବ ବୋଲି ତାର ଭାରି ଇଚ୍ଛା। ସବୁଦିନ ବେକାରଟାରେ ମାଲିକଙ୍କୁ ଠେଲା ପାଇଁ ପଚାଶ ଟଙ୍କା ଦେବାକୁ ପଡୁଛି। ସେ ଜାଣେ ସେ ବି ପଚାଶ ଟଙ୍କା ର ମଦ ପ୍ରତିଦିନ ପିଉଛି। ସେ ପଚାଶ ଟଙ୍କା ରଖିଲେ ମାସକୁ ତାର କେତେ ଟଙ୍କା ବଞ୍ଚନ୍ତା।

କିନ୍ତୁ କଣ କରିବ ସେ। ଦିନକୁ ଦଶ ଘଣ୍ଟା ଠିଆ ହେବାକୁ ପଡୁଛି ଗୁପ୍ ଚୁପ୍ ବିକିବା ପାଇଁ। ରାତିରେ ଗୋଡ ହାତ ବହୁତ ଘୋଳ ବିନ୍ଧା ହୁଏ। ଏ ମଦ ଟିକେ ପିଇ ଶୋଇପଡିଲେ ସେ ସବୁ କଷ୍ଟ ଭୁଲି ଯାଏ। ଯେଉଁ ଦିନ ମଦ ପିଏନି ସେଦିନ ରାତିସାରା ରମ୍ଭା ତା' ଗୋଡ଼ ଘଷିଲେ ମଧ୍ୟ ତାକୁ ଶାନ୍ତିରେ ଟିକେ ନିଦ ହୁଏନି। ଖାଲି ଛଟପଟ ହୁଏ।

ଏଇ ଶିବରାତ୍ରି ଦିନ ଗାଁରେ ଜାଗର ମେଳା ହେଇଥିଲା। କେତେ କେତେ ଲୋକ କେତେ ଆଡୁ ଆସି ମେଳାରେ ମଉଜ କରୁଥିଲେ କିନ୍ତୁ ସେ ଆଉ ତା ସ୍ତ୍ରୀ ଚୁପଚାପ ଗୁପ୍ ଚୁପ୍ ବିକୁଥିଲେ। ସେ ଜାଣେ ରମ୍ଭାର ଭାରି ଇଚ୍ଛା ତା ହାତ ଧରି ସଜେଇ ହୋଇ ମେଳା ଦେଖିବାକୁ। କିନ୍ତୁ କଣ କରିବ? ମେଳା ଦେଖିଲେ ଇଆଡ଼େ ଯେ ବେପାର ମାନ୍ଦା ହେଇଯିବ।

ଆଜି ସକାଳୁ ସକାଳୁ ରମ୍ଭାର ପେଟ ବହୁତ କାଟୁଥିଲା। ସନିଆ ଯେତେ ମନା କଲେ ବି ରମ୍ଭା କାମ କରିବାକୁ ବାହାରିଲା। ତେଣୁ ସନିଆ ତାକୁ ସାଇକେଲରେ ବସେଇ ମାଲିକାଣୀ ଘରେ ଛାଡ଼ିବାକୁ ଗଲା। ମାଲିକାଣୀ ବୋଧେ ବୁଲି ବାହାରିଥିଲେ। ରମ୍ଭା ସାନିଆକୁ କହିଲା - ଦେଖିଲୁ ମାଲିକାଣୀ ଓଠରେ ଯେମିତି ନାଲି ଲିପିଷ୍ଟିକ ଲାଗେଇଛନ୍ତି ସେମିତି ସେମିତି ଗୋଟିଏ କିଣିବାକୁ ମୋର ଭାରି ଇଚ୍ଛା। ମୁଁ ବି ଟିକେ ମୋ କଳା କଳା ଓଠକୁ ଏମିତି ରଂଗାନ୍ତି।

ସନିଆ ରମ୍ଭା କଥା ଶୁଣି କିଛି ନ ଶୁଣିଲା ପରି ରହିଗଲା। ମନେ ମନେ ଖୁସି ହେଲା ଯାହା ହେଉ ରମ୍ଭା ତାକୁ ଖାଲି ଲିପିଷ୍ଟିକ ମାଗିଛି। ଶାଢ଼ୀ ମାଗିନି।

ସନିଆ ଦୃଢ଼ ନିଷ୍ପତ୍ତି ନେଲା। ଆଜି ଯାହା ହେଲେ ବି ସେ ମଦ ପିଇବନି ଆଉ ସେ ପଇସାରେ ରମ୍ଭା ପାଇଁ ଲିପିଷ୍ଟିକ ନେଇଯିବ। କେତେଦିନ ହେଲାଣି ରମ୍ଭା ତା ଚୁଟିରେ ଗଜରା ଲଗେଇନି। ତା ପାଇଁ ଗଜରା ନେବ। ସେ ଫିଲିମରେ ଦେଖିଥିଲା ହିରୋ ହିରୋଇନକୁ ଗୋଲାପ ଫୁଲ ଦେଲେ ସେ ଭାରି ଖୁସି ହୁଏ। ତେଣୁ ସେ ଗୋଲାପ ଫୁଲ ଟିଏ ବି ନେଇଯିବ। ଖୁସିରେ ସନିଆ ବଜାର ବାହାରିଲା।

ଘର ସାରା ମାଉଁସ ବାସନା ଚହଟି ଯାଉଥିଲା। ପୁଅ କେତେବେଳୁ ଖାଇ ଶୋଇଲାଣି। ତା ସ୍ତ୍ରୀ ବୋଧେ ଆଜି କୁକୁଡ଼ା ମାଂସ କରିଛି। କୋଡ଼ିଏ ଟଙ୍କା ଦେଲେ ଗୋଟା କୁକୁଡ଼ା ର ଚମଡ଼ା ମିଳେ। ସେଇ ଚମଡ଼ାକୁ ଛେଲିକି ମାଉଁସ ବାହାର କରି ରମ୍ଭା ଝୋଳ ତିଆରି କରେ। ତାକୁ ଦେଖି ରମ୍ଭା ଖୁସିରେ କୁଣ୍ଢେଇ ପକେଇଲା।

କହିଲା - ଜାଣିଛୁ ଆଜି ଆମ ବାହାଘରକୁ ୧୦ ବର୍ଷ ପୁରିଲା। ସେଇ ଖୁସିରେ ତୋ ପାଇଁ ମାଉଁସ ବନେଇଛି।

ଆରେ ସତ କଥା ତ। ଏ କଥା ସନିଆ କେମିତି ଭୁଲିଗଲା। ରମ୍ଭା କହିଲା- ମୁଁ ଜାଣିଛି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ତୁ ଭୁଲି ଯାଇଥିବୁ। ମୋ ପାଇଁ କିଛି ଆଣି ନ ଥିବୁ। କିଛି ନାଇଁ ଠିକ ଅଛି।ତୁ ଏମିତି ଭଲରେ ଥା। ମୋର କିଛି ଦରକାର ନାହିଁ।

ଏହା କହି ସେ ପୁଣି ସନିଆକୁ କୁଣ୍ଢେଇ ପକେଇଲା। ---ଓହୋ ତୋର ତାହାହେଲେ ମନେଥିଲା। ସେଥିପାଇଁ ଆଜି ମଦ ପିଇନୁ ମୋତେ ଭଲ ଲାଗେନି ବୋଲି।ସନିଆ କିଛି ନ କହି ତା ଚୁଟିରେ ଗଜରାଲଗେଇ ଦେଲା। ଆଣିଥିବା ନାଲି ଗୋଲାପଟି ତା ମୁଣ୍ଡରେ ଲଗେଇ ଦେଇ ତାକୁ ଆଇନା ଦେଇ କହିଲା-

ଦେଖିଲୁ ତୁ କେଡ଼େ ସୁନ୍ଦରୀ ଦେଖାଯାଉଛୁ। ଯେମିତି ସରଗର ପରୀ।

ରମ୍ଭା ସନିଆର ଏପରି ବ୍ୟବହାରରେ ଖୁସିରେ ନାଚିବାକୁ ଲାଗିଲା। ସେ କହିଲା- ମୋ ପାଇଁ ଏତେ ସବୁ ଜିନିଷ ଆଣିଛୁ, ତେବେ ମୁଁ ଯୋଉଟା ସକାଳେ ମାଗିଥିଲି ସେଟା ବି ଆଣିଥିବୁ। ସନିଆ ରମ୍ଭା ହାତକୁ ଦିଟା ପାନ ବଢ଼େଇ ଦେଇ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ରମ୍ଭା କହିଲା- ଆରେ ତୋର କଣହେଲା? କାନ୍ଦୁଛୁ କାହିଁକି? ପାନ କାହିଁକି ଆଣିଛୁ? ମୁଁ କଣ କେବେ ପାନ ଖାଏ? ମୋ ଲିପିଷ୍ଟିକ କାହିଁ?

ସନିଆ କାନ୍ଦି କାନ୍ଦି କହିଲା- ମୁଁ ତୋ ପାଇଁ ଲିପିଷ୍ଟିକ କିଣିବାକୁ ଯାଇଥିଲି। ତୋ ପାଇଁ ଗଜରା କିଣିଲି। ଗୋଲାପ ଫୁଲ କିଣିଲି। ପୁଅ ପାଇଁ ଖାତା କିଣିଲି।ହାତରେ ଜମା ଦଶ ଟଙ୍କା ବଳିଥିଲା। ଭାବିଲି ଏଥିରେ ତୋ ପାଇଁ ଲିପିଷ୍ଟିକ କିଣିବି। ଦୋକାନରେ ଲିପିଷ୍ଟିକଟିଏ ମାଗି ଦଶ ଟଙ୍କା ଦେବାରୁ ସେ ଦୋକାନୀ ମୋତେ ବହେ ଶୋଧିଲା। କହିଲା ଶହେ ଟଙ୍କା ତଳକୁ କୁଆଡ଼େ ଲିପିଷ୍ଟିକ ମିଳେନି। ପାଖରେ ଗୋଟେ ପାନ ଦୋକାନୀ ଏସବୁ ଶୁଣୁଥିଲା। ସେ ଦଶ ଟଙ୍କା ନେଇ ମୋତେ ଦିଟା ପାନ ଦେଇ କହିଲା- ନେ ତୋ ସ୍ତ୍ରୀକୁ ଦେଇଦେବୁ। ଓଠ ରଙ୍ଗେଇବ।

ରମ୍ଭା ସନିଆକୁ ଛାତିରେ ଜାବୁଡ଼ି ଧରିଲା। କହିଲା- ଆରେ ମୁଁ ସେମିତି ମଜାରେ କହି ଦେଇଥିଲି ନା। ସେ ପାନ ଦିଟା ଦେ। ଏହା କହି ପାନଟିଏ ଚୋବାଇ କହିଲା- ସେ କାନ୍ଥକୁ ଆଉଜି ଛିଡ଼ା କଣ ହେଇଛୁ? ମୋତେ ଦେଖ। ମୋ ଓଠ କେମିତି ବିନା ଲିପିଷ୍ଟିକରେ ତୋ ପାନରେ ରଙ୍ଗେଇ ହେଇ ଗଲା।

ରମ୍ଭା ଲିପିଷ୍ଟିକ ପାନ

Rate the content


Originality
Flow
Language
Cover design

Comments

Post

Some text some message..