Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୁରୁ ଦକ୍ଷିଣା
ଗୁରୁ ଦକ୍ଷିଣା
★★★★★

© sushama Parija

Tragedy

6 Minutes   7.3K    14


Content Ranking

ସକାଳର ଟେଲିଫୋନ୍ ଘଣ୍ଟିଟା ଭାରି ବିରକ୍ତିକର । ମୋବାଇଲ୍ ଫୋନ୍ କୁ ସେମିତି ବାଜିବାକୁ ଛାଡି ଦେଇ କାନରେ ତକିଆକୁ ଚାପି ଧରି ଆଉ ଟିକେ ଶୋଇବାକୁ ଚେଷ୍ଟା କଲା ଶ୍ୟାମଳେନ୍ଦୁ । ମୋବାଇଲ୍ ବି ଛାଡି ବାର ଜନ୍ତୁ ନୁହଁ , ଲଗାତାର ବାଜି ଚାଲିଛି ତ ଚାଲିଛି । ପ୍ରଚଣ୍ଡ ବିରକ୍ତିରେ ଛାତି ଉପରୁ ଚଦରଟାକୁ ଫୋପାଡି ଦେଇ ଉଠି ପଡିଲା ଶ୍ୟାମଳେନ୍ଦୁ । ମୋବାଇଲ୍ ଟି ଉଠେଇ ଆରପଟେ ଥିବା ଲୋକ କୁ ଦି ' ପଦ ଶୁଣେଇବାକୁ ଯାଉଥିଲା ବେଳେ ନାରୀ କଣ୍ଠ ର କୋମଳ ସ୍ୱର ଶୁଣି ଅଟକି ଗଲା ସେ। ସେପଟରୁ

ଭାସି ଆସୁଥିଲା କୋହଭରା କଣ୍ଠର ଆକୁଳ ନିବେଦନ '' ବାପା ଚାଲିଗଲେ, ଶିଘ୍ର ଆସନ୍ତୁ '' । ନିଦ ଛାଡି ଗଲା ଶ୍ୟାମଳେନ୍ଦୁ ଆଖିରୁ । ଅଧା ନିଦରେ ବି ସେ ଠିକ୍ ଚିହ୍ନି ପାରିଥିଲା ଶର୍ବରୀ ର କଣ୍ଠସ୍ଵର । କୌଣସି ପ୍ରକାରେ ପ୍ୟାଣ୍ଟ୍ ସାର୍ଟ ହଳକ ଦେହରେ ଗଳେଇ ବାଇକ୍ ଟି ଧରି ଧାଇଁଲା ହରି ସାର୍ ଙ୍କ ଘରକୁ । ସେଠି ପହଞ୍ଚିଲା ବେଳକୁ ଅଗଣାରେ ଲାଗିଛି ପ୍ରବଳ ଭିଡ । ଭିଡ ଠେଲି ଆଗେଇ ଗଲା ଶ୍ୟାମଳେନ୍ଦୁ , ଦେଖିଲା ବାରଣ୍ଡାରେ ପଡିଥିବା ଖଟିଆ ଟି ଉପରେ ଶୋଇ ରହିଛନ୍ତି ହରି ସାର୍। ଗୋଡ ତଳକୁ ବସି ମୁଣ୍ଡ ପିଟି କାନ୍ଦି କାନ୍ଦି ଗଡି ଯାଉଛନ୍ତି ସାର୍ ଙ୍କ ସ୍ତ୍ରୀ, ଖଟିଆର ଦୁଇ ପଟରେ ଛିଡା ହୋଇ ଆଖିରୁ ଲୁହ ଗଡାଇ କ୍ଇଁ କଇଁ ହୋଇ କାନ୍ଦି ଚାଲିଛନ୍ତି ସାର୍ ଙ୍କର ମଝିଆଁ ଝିଅ ସରଳା ଆଉ ସାନ ଝିଅ ମାନିନୀ, ସାର୍ ଙ୍କର ବଡ ଝିଅ ଶର୍ବରୀ ମୁଣ୍ଡ ଉପରକୁ ଠିଆ ହୋଇ ଏକ ଲୟରେ ଚାହିଁ ରହିଛି ନିର୍ବାକ୍ ହୋଇ ।

ଶ୍ୟାମଳେନ୍ଦୁକୁ ଦେଖି ପାଖକୁ ଆସିଲା ଶର୍ବରୀ, କାନ୍ଦ କାନ୍ଦ ହୋଇ କହିଲା '' କାଲି ସଞ୍ଜବେଳେ ଭୂବନେଶ୍ୱରରୁ ଫେରି ବାପା କହୁଥିଲେ ଦେହଟା ଖରାପ ଲାଗୁଛି , ପଖାଳ ଗଣ୍ଡାଏ ଖାଇ ଶୋଇ ପଡିଲେ , ଭଲ ଲାଗିଲେ ଉଠିବି କହିଥିଲେ , ହେଲେ ରାତି ଅଧ ଯାଏ ନ ଉଠିବାରୁ ବୋଉ ତାଙ୍କୁ ଉଠାଇଲା ବେଳକୁ ସେ ଗଡି ପଡିଲେ ଖଟରୁ ତଳକୁ । ଛାନିଆଁ ହୋଇ ଆମେ ସାଇ ପଡିଶାଙ୍କୁ ଡାକ ପକେଇଲୁ । ସେମାନଙ୍କର ସହାୟତା ରେ ଡାକ୍ତର ପାଖକୁ ନେଲୁ ,ସେଇଠି ଡାକ୍ତର ଆମକୁ କହିଲେ ଯେ

ଭୟଙ୍କର ହୃଦ୍ ଘାତ ହୋଇ ବାପାଙ୍କର ମୃତ୍ୟୁ ହୋଇଛି। ଏବେ ଆମେ କ'ଣ କରିବୁ , କେମିତି କରିବୁ , କିଛି ବୁଦ୍ଧି ବାଟ ପାଉ ନାହୁଁ। ଆପଣ ତ ଜାଣନ୍ତି ଯେ ବାପା ନିଜର ଭିଟାମାଟି ଛାଡି ଦୀର୍ଘ ବର୍ଷ ଧରି ଏଇଠି

ଏଇ ଗାଁ ରେ ରହି ଆସିଛନ୍ତି । ଆମେ ଏଇ ଗାଁ ଲୋକଙ୍କ ଛଡା ଆଉ କାହାରିକୁ ଜାଣି ନାହୁଁ ନିଜର ବୋଲି ।

ଆପଣ ବାପାଙ୍କର ପ୍ରିୟ ଛାତ୍ର, ସମୟ ଅସମୟ , ସୁବିଧା ଅସୁବିଧା ରେ ସେ ଆପଣଙ୍କୁ ହିଁ ଖୋଜନ୍ତି, ତାଙ୍କ ତକିଆ ତଳୁ ଏଇ ଚିଠି ଖଣ୍ଡିକ ମିଳିଛି , ଏଥିରେ ଆପଣଙ୍କ ନାଁ ଆଉ ଫୋନ୍ ନମ୍ବର ଲେଖା ଅଛି, ସେଥିଲାଗି ଆମେ ଆପଣଙ୍କୁ ଖବର ଦେଲୁ । ଆଉ ଆମର କିଏ ଅଛି ଯେ ଆମ ପାଖରେ ଏମିତି ଦୁର୍ଦ୍ଦିନ ରେ ଠିଆ ହେବ ? ଆଉ ଅଧିକ କିଛି କହି ପାରିଲାନି ଶର୍ବରୀ , ମେଞ୍ଚା ମେଞ୍ଚା କୋହ ଜମାଟ ବାନ୍ଧି ତା'ର କଣ୍ଠ ରୁଦ୍ଧ ହୋଇଗଲା। ମୁଣ୍ଡ ଝୁଙ୍କାଇ ସବୁ ଶୁଣୁଥିଲା ଶ୍ୟାମଳେନ୍ଦୁ ।

ଚିଠି ଟି ଖୋଲି ପଢିବାକୁ ଆରମ୍ଭ କଲା ଶ୍ୟାମଳେନ୍ଦୁ । ବିଷୟବସ୍ତୁ ତା ଆଖି ଆଗରେ ଚଳଚ୍ଚିତ୍ର ଭଳି ଦେଖାଇ ଦେଲା ସମସ୍ତ ଘଟଣା କ୍ରମ ।

ପିଲାଟି ଦିନରୁ ସେ ହରି ସାର୍ ଙ୍କ ପାଖରେ ପାଠ ପଢିଥିଲା । ପ୍ରଥମରୁ ପଂଚମ ଯାଏ ଗାଁ ସ୍କୁଲ ରେ।

ହରି ମାଷ୍ଟ୍ରେ ଥିଲେ ତାଙ୍କ ଗାଁ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ତାଙ୍କର ନୀତି, ଆଦର୍ଶ, ଛାତ୍ର ବତ୍ସଳତା ଯୋଗୁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଗାଁ ଲୋକଙ୍କ ସହିତ ସଂପର୍କ ରଖି ତାଙ୍କ ସୁଖ ଦୁଃଖ ରେ ସାମିଲ ହେଉଥିଲେ । ଗାଁ ବାଲାଙ୍କର ବି ସବୁ ପର୍ବପର୍ବାଣୀ, ବାହା ନିମିତ୍ତ ରେ ନିଜର ପରିବାରର ସଦସ୍ୟଙ୍କ ଭଳି ହରି ମାଷ୍ଟ୍ରେ ସାମିଲ ହେଉଥିଲେ ନିଜ ପରିବାର ସହିତ । ହରି ମାଷ୍ଟ୍ରେ ଗୋପାଳପୁର ଗାଁକୁ ଆପଣେଇ ନେଇଥିଲେ ନିଜର ସ୍ନେହୀ ସ୍ୱଭାବ ଆଉ ଛାତ୍ର ବତ୍ସଳତାରେ। ସେଇଥି ପାଇଁ ତ ଚାକିରୀରୁ ଅବସର ନେଲା ପରେ ମଧ୍ୟ ରହି ଯାଇଥିଲେ ଗୋପାଳପୁର ଗାଁରେ। ତାଙ୍କର ଅନେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ୟାମଳେନ୍ଦୁ ଥିଲା ତାଙ୍କର ଖୁବ୍ ନିକଟତର। ପାଠପଢା ସାରି କମ୍ପ୍ୟୁଟର୍ ଇଞ୍ଜିନିୟର ଭାବେ ଜଏନ୍ କରିବାର କିଛିଦିନ ମଧ୍ୟରେ ଚାକିରୀ ପ୍ରତି ବିତୃଷ୍ଣା ଆସି ଯାଇଥିଲା ତା'ର। ତେଣୁ ଗାଁକୁ ଫେରିଆସି ଗାଁଆରେ କମ୍ପ୍ୟୁଟର୍ ଇନିଷ୍ଟି ଚ୍ୟୁଟ ଟିଏ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲା । ଗାଁର ସର୍ବାଙ୍ଗୀନ ଉନ୍ନତି କରିବା ସକାଶେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଆୟୋଜନ କରୁଥିଲା । ଗାଁର ଯୁବକ ମାନଙ୍କୁ ଏକାଠି କରି ଗାଁ ଗାଁ ବୁଲି ମଦ ବିରୋଧୀ ଅଭିଯାନ କରୁଥିଲା । ହରି ମାଷ୍ଟ୍ରେ ତା'ର ଏସବୁ ଗୁଣ ଦେଖି ଖୁବ୍ ଆନନ୍ଦିତ ହେଉଥିଲେ। ତା'କୁ ନିଜ ପୁଅ ଭଳି ଦେଖୁଥିଲେ। ତାଙ୍କର ତିନୋଟି ଝିଅ ଥିଲେ ମଧ୍ୟ ପୁଅ ଟିଏର ଅଭାବ କେବେ ଅନୁଭବ କରୁ ନଥିଲେ।

ସେଦିନ ପୋଷ୍ଟ ଅଫିସରୁ ଫେରିଲାବେଳେ ଭେଟ ହୋଇ ଗଲା ରମେଶ ସହିତ । ରମେଶ ତାଙ୍କର ଛାତ୍ର ଥିଲା । ପାଠପଢ଼ା ପରେ ଗାଁ ଛାଡ଼ି ଭୂବନେଶ୍ୱରରେ କେଉଁ ଗୋଟାଏ ଅର୍ଥ ଲଗାଣକାରୀ ସଂସ୍ଥାରେ କାମ କରୁଥିଲା। ତାଙ୍କୁ ଦେଖି ପାଦ ଛୁଇଁ ପ୍ରଣାମ କଲା ରମେଶ । କଥା କଥାରେ ତାଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଲା। ଝିଅ ବାହାଘର ପାଇଁ ବରପାତ୍ର ଦେଖା ଦେଖି କଲେଣି କି ନାହିଁ ପଚାରନ୍ତେ ହରି ମାଷ୍ଟ୍ରେ କହିଲେ ଯେ ଅବସର ପ୍ରାପ୍ୟ ଯାହା ପାଇଥିଲେ ତାକୁ ହିଁ ଜମା କରିବା ଲାଗି ସେ ପୋଷ୍ଟ ଅଫିସ୍ କୁ ଆସିଥିଲେ। ଭାରି ବ୍ୟସ୍ତ ହୋଇ ପଡିଲା ରମେଶ । କହିଲା '' ମତେ ଟିକିଏ ଖବର ଦେଇ ପାରିଲେନି ସାର୍ ।

ଆପଣଙ୍କ ଆଶୀର୍ବାଦରୁ ମୁଁ ଏମିତି ଗୋଟାଏ ସଂସ୍ଥା ରେ କାମ କରୁଛି, ଯେଉଁଠି ଟଙ୍କା ଜମା କଲେ ସେ ତିନି ବର୍ଷରେ ଦୁଇଗୁଣା ହୋଇ ଯାଏ । ଏଇ ଗାଁର ଶହ ଶହ ଲୋକ ଆମ ସଂସ୍ଥାରେ ଟଙ୍କା ଜମା କରି କୋଟିପତି ହେଲେଣି, ଆଉ ଆପଣ ମୋର ନିଜର ଲୋକ ହୋଇ ଏଠି ପୋଷ୍ଟ ଅଫିସରେ କମ୍ ସୂଧରେ ଟଙ୍କା ଜମା ରଖିଲେ। କେତେଟା ଟଙ୍କା ଅବା ସୁଧ ମିଳିବ ଯେ ସେଥିରେ ତିନି ତିନିଟା ଝିଅ ବାହାଘର କରିବେ , ଆପଣ ଦୁଇ ପ୍ରାଣୀ ଚଳିବେ ,ସେଥିରେ ପୁଣି ଦେହ ପା' ଭଲ ମନ୍ଦ ଅଛି। ଆପଣ ଜାଣନ୍ତି ଆମ ସଂସ୍ଥା ଜମାକାରୀଙ୍କ ଅର୍ଥର ସୁରକ୍ଷା କରିବା ସହିତ ସ୍ବାସ୍ଥ୍ୟସେବା ସୁରକ୍ଷା ମଧ୍ୟ ଯୋଗାଇ ଦେଇଥାଏ। ଜମାକାରୀଙ୍କୁ ବଡ ବଡ ରୋଗ ହେଲେ ହାସ୍ପାତାଳରେ ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇ ଦିଏ । ସବୁ ସୁବିଧା ସୁଯୋଗ ଥାଇ ଆପଣ ଏମିତି ଅସହାୟଙ୍କ ଭଳି ପୋଷ୍ଟ ଅଫିସ୍ ଟାରେ ଟଙ୍କା ରଖିବାଟା ମତେ ବଡ ବାଧୁଛି ସାର୍ । ଆପଣଙ୍କ ଭବିଷ୍ୟତ କଥା ଭାବି ମୋ ଛାତି ଫାଟି ଯାଉଛି ''। କଥା କହୁ କହୁ ସକସକ ହୋଇ କାନ୍ଦି ପକାଇଲା ରମେଶ । ହରି ମାଷ୍ଟ୍ରେ ତାକୁ ପ୍ରବୋଧନା ଦେଲେ '' ଆରେ ବାପା ! ମୁଁ ତ ବୁଢା ମଣିଷ, ଏତେ କଥା ମୋ ମୁଣ୍ଡକୁ ଢୁକି ନଥିଲା । ତା'ଛଡା ତୋ ସହିତ ଦେଖା ବି ହୋଇ ନଥିଲା ସେ ଦିନୁ । ତୁ ଯଦି ଏତେ ସୁବିଧା କଥା କହୁଛୁ , ତେବେ କାଲି ଚାଲ୍ , ପୋଷ୍ଟ ଅଫିସରୁ ଟଙ୍କା ଉଠେଇ ତୋ ସଂସ୍ଥାରେ ବାନ୍ଧି ଦେବା , ଅସୁବିଧା କଣ ଅଛି ? '' । ସେଇ କଥା ହେଲା, ତହିଁ ଆରଦିନ ସକାଳୁ ଆସି ରମେଶ ନିଜ ମଟର ସାଇକେଲରେ ବସାଇ ନେଇଗଲା ହରି ସାର୍ ଙ୍କୁ , ପୋଷ୍ଟ ଅଫିସରୁ ପାଂଚ ଲକ୍ଷ ଟଙ୍କା ଉଠାଇ ଭୂବନେଶ୍ୱରରେ ନିଜେ କାମ କରୁଥିବା ସଂସ୍ଥାରେ ଜମା କରି ଆସିଲେ ଦୁଇଜଣ ଯାକ । ଫେରିଲାବେଳକୁ ଆଣି ଥିବା ପାହାଳ ରସଗୋଲା ସହିତ ଲକ୍ଷେ ଟଙ୍କିଆ ପାଂଚଟି ଡିପୋଜିଟ୍ ସାର୍ଟିଫିକେଟ୍ ବଢେଇ ଦେଲେ ସ୍ତ୍ରୀଙ୍କ ହାତକୁ ଆଉ କହିଲେ '' ବୁଝିଲନା , ମୋର ଏଇ ପୁଅଟି ଆଜି ତମ ମାନଙ୍କର ଭବିଷ୍ୟତ ସଜାଡି ଦେଇ ଆସିଛି । ମୁଁ ରହେ ବା ନରହେ ତମର ଆଉ କିଛି ଅସୁବିଧା ହେବ ନାହିଁ ''।

ତିନି ବର୍ଷ ବିତିଗଲାଣି ୟା ଭିତରେ । ମାସକ ତଳେ ଠିକ୍ ହୋଇଛି ଶର୍ବରୀର ବାହାଘର। ଜ୍ୱାଇଁ ରେଳବାଇ ଚାକିରିରେ ଅଛି। ଲକ୍ଷେ ଟଙ୍କା ରାସ୍ତା ଖର୍ଚ୍ଚକୁ ଆଉ ଯାହା କିଛି ଝିଅର ଆସବାବ ପତ୍ର କିଣା ହେବ। ହରି ମାଷ୍ଟ୍ରେ ପହଞ୍ଚିଲେ ରମେଶ ଘରେ। ପହଞ୍ଚିଲା ବେଳକୁ ରମେଶ ଘରେ ନାହିଁ । ଘରଲୋକେ କହିଲେ କୁଆଡେ କାମରେ ଯାଇଛି ଯେ ସାତ ଦିନ ହେବ ଫେରି ନାହିଁ। ନିରାଶ ହୋଇ ଫେରିଲେ ଘରକୁ। ଦୁଇ ଦିନ ଛାଡି ପୁଣି ଥରେ ଗଲେ ରମେଶ ଘରକୁ । ଏଥରକ ବି ସେ ଫେରି ନଥିଲା ଘରକୁ । ବଡ ବ୍ୟସ୍ତ ଲାଗିଲା ତାଙ୍କୁ। ବାହାଘର ଆଉ ଅଳ୍ପ ଦିନ ରହିଲା । ଦୁଇ ଦିନ ପରେ ନିର୍ବନ୍ଧ । କ'ଣ କରିବି ବୋଲି ଭାବୁଥିଲେ ହରି ମାଷ୍ଟ୍ରେ । ଘରେ ପହଞ୍ଚିଲା ପରେ ସ୍ଥିର କଲେ ରମେଶ ଥାଉ କି ନଥାଉ ତାଙ୍କ ପାଖରେ ତ ଡିପୋଜିଟ୍ ସାର୍ଟିଫିକେଟ୍ ଗୁଡିକ ଅଛି , ସେତକ ଧରି ସେ କାଲି ସକାଳୁ ଯିବେ ଭୂବନେଶ୍ୱର । ଯେଉଁ ଅଫିସ୍ ରେ ଟଙ୍କା ଜମା କରିଥିଲେ, ସେଇଠି ପହଞ୍ଚି ଟଙ୍କା ତକ ଧରି ଆସିବେ। କାହାରିକୁ କିଛି ନ କହି ବଡି ଭୋର୍ ରୁ ଉଠି ଚାଲିଗଲେ ଭୂବନେଶ୍ୱର । ରମେଶରର ଅଫିସ୍ ପାଖରେ ପହଞ୍ଚି ଦେଖିଲା ବେଳକୁ ସେଠି ତାଲା ପଡିଛି। ପୋଲିସ୍ ଜଗିଛନ୍ତି। ଅଫିସ୍ ବାହାରେ ହଜାର ହଜାର ଲୋକଙ୍କ ଭିଡ। ସମସ୍ତେ ତାଙ୍କରି ପରି ସାର୍ଟିଫିକେଟ୍ ମାନ ଧରିଛନ୍ତି, ମୋର ଟଙ୍କା ଦିଅ , ଟଙ୍କା ଦିଅ କହୁଛନ୍ତି । ଆଉ ବୁଝିବା ପାଇଁ

ବାକୀ ରହିଲାନି ହରି ମାଷ୍ଟ୍ରଙ୍କର ଯେ ସେ ନିର୍ଘାତ ଧୋକାଟିଏ ଖାଇଛନ୍ତି ନିଜର ପୁତ୍ର ପ୍ରତିମ ଛାତ୍ର ଠାରୁ।

କାନମୁଣ୍ଡା ଝାଇଁ ଝାଇଁ ହୋଇ ଯାଉଥିଲା ତାଙ୍କର। କେମିତି ଝିଅ ବାହାଘର ହେବ ସେ ଚିନ୍ତାରେ ମୁଣ୍ଡ ଘୁରି ଯାଉଥିଲା ତାଙ୍କର। ଭୋକ ଉପାସରେ ତଣ୍ଟି ଅଠା ଅଠା ହୋଇ ଯାଉଥିଲା । ଛାତିରେ ହାତୁଡ଼ି ଧରି କିଏ ପିଟି ପକାଉଥିଲା ଯେମିତି । କଷ୍ଟେମଷ୍ଟେ ବସ୍ ଧରି ଗାଁରେ ପହଞ୍ଚିଲା ପରେ ପଖାଳ ମୁଠାଏ ଖାଇ ଶୋଇ ପଡିଲେ ସେ। ସେଇ ନିଦ୍ରା ପାଲଟିଗଲା ତାଙ୍କର ଶେଷ ନିଦ୍ରା ।

ହରି ସାର୍ ଙ୍କର ଚିଠିଟି ଆମୂଳଚୂଳ ପଢି ସାରି ଆଖିରୁ ଲୁହ ପୋଛିଲା ଶ୍ୟାମଳେନ୍ଦୁ । ସାଙ୍ଗ ମାନଙ୍କୁ ଡାକି ସାର୍ ଙ୍କ ଅନ୍ତିମ ସଂସ୍କାରର ବନ୍ଦୋବସ୍ତ କଲା। ପୁଅ ଟିଏ ଭଳି ସମସ୍ତ ବିଧିବିଧାନ ଅନୁସାରେ କ୍ରିୟା କର୍ମ ସାରିଲା । ସାର୍ ଙ୍କର ଶୁଦ୍ଧି କର୍ମ ପରେ ତାଙ୍କର ଶେଷ ଅନୁରୋଧ ରକ୍ଷା କରି ଶର୍ବରୀକୁ ବିବାହ କରି ତାଙ୍କ ପରିବାରର ସମସ୍ତ ଦାୟିତ୍ବ ବହନ କଲା। ସେଇ ଥିଲା ଶେଷରେ ଶ୍ୟାମଳେନ୍ଦୁର ଗୁରୁ ଦକ୍ଷିଣା ।

ସକାଳ ଶ୍ୟାମଳେନ୍ଦୁ ରମେଶ

Rate the content


Originality
Flow
Language
Cover design

Comments

Post

Some text some message..