Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନାବୃତ ଅନ୍ଧକାର
ଅନାବୃତ ଅନ୍ଧକାର
★★★★★

© Chinmayee Barik

Abstract Others

8 Minutes   7.6K    27


Content Ranking

-ଅବୁ...ଏ ଅବୁ...ଖାଲୋ ଥୋଡା ରୋଟି....କ୍ୟା ଇତନା ଶୋଚ୍ ରହେ ହୋ??

-ଆଁ...ନେହିଁ ତୋ...ଐସା କୁଛ୍ ନେହିଁ...ହାଁ ଖା ଲେତା ହୁଁ...

-ଆଜ୍ ସବଜି ଥୋଡା କମ୍ ହେ ଅବୁ..

-ଆରେ ବେଟିୟା..ତୁ ଯୋ ଭି ଦେତା ହେ ମୁଝେ ଆଛା ଲଗତା ହେ....

ରାମସ୍ୱାମୀ ବିକଳ ହୋଇ ଖାଇଯାଉଥିଲେ ରୁଟି ଆଉ ତରକାରୀ ।ପାଖରେ ଟିକେ ଆଚାର ବି ଥିଲା ।ଆଃ...ଭାରୀ ତୃପ୍ତି ..ରେଜିଆ ହାତରେ କଣ ଅଛି କେଜାଣେ ଲାଗେ ଯେମିତି ମା"ର ମମତା ସବୁ ଘୋରି ହୋଇ ଯାଇଛି ରୁଟି ଆଉ ତରକାରୀ ଭିତରେ ।ହଠାତ୍..ଗଳାରେ କଣ ଅଟକି ଗଲା..କାଶି ଉଠିଲେ ରାମସ୍ୱାମୀ ।ତା ପରେ ସବୁ ଭ୍ରମ ଦୂର ହୋଇଗଲା ..ସବୁ ପରିଷ୍କାର ।କାହିଁ ରେଜିଆ କାହିଁ?ନା..କେହି ନାହିଁ ତ...ନା ରେଜିଆ ..ନା ରୁଟି...ନା ସବଜି....

ଦୁଆର ବନ୍ଧ ପାଖରେ ଚୁଡି ଝଣ ଝଣ ।ଶାନ୍ତି ଦେବୀ ହାତରେ ଖାଇବା ଥାଳି ଧରି ଠିଆ ହୋଇଛନ୍ତି ।ଦରଜା ସେପଟରୁ ଖାଇବା ଥାଳି ତଳେ ପେଲି ଦେଇ କହିଲେ ଖାଇ ନେବ ।ସେ ଭିତରକୁ ଆସିବେନି ..ବିଞ୍ଚଣା ଧରି ଖାଇବା ପରଶିବେନି...କାରଣ ରାମସ୍ୱାମୀ ଏବେ ବିଧର୍ମୀ ।ତଳେ ଥୋଆ ହୋଇଥିବା ଖାଇବା ଥାଳିକୁ ଅନେଇଲେ ରାମସ୍ୱାମୀ ।ଖାଇବା ଦେଖି କାହିଁକି କେଜାଣେ ତାଙ୍କୁ ବାନ୍ତି ଲାଗିଲା ..ଯଦିଓ ପେଟରେ ଭୋକ ଆଉ ସାମ୍ନାରେ ପୁରି ସହ ପାଞ୍ଚ ପ୍ରକାର ତରକାରୀ ଥୁଆ ହୋଇଥିଲା ।ସେ ଖାଇବା ଥାଳିକୁ ଛୁଇଁଲେ ମଧ୍ୟ ନାହିଁ ।

ଖଟ ଉପରେ ଚିତ୍ ହୋଇ ଶୋଇଲେ ।ସାମ୍ନାରେ ପୁଣି ରେଜିଆ...ଗୁଞିଗାଞି ହୋଇ ତାଙ୍କ ପାଖରେ ବସିଛି ପାଣି ଗ୍ଲାସେ ଧରି ।ରେଜିଆ ଜାଣେ ଶୋଇବା ଆଗରୁ ଉଷୁମ ପାଣି ଗ୍ଲାସେ ନ ପିଇଲେ ରାମସ୍ୱାମୀଙ୍କୁ ଭଲରେ ନିଦ ହେବନି ।ରାମସ୍ୱାମୀ ଢକ ଢକ କରି ପାଣି ପିଇ ନେଲେ କିନ୍ତୁ ଶୋଷ ମେଣ୍ଟିଲାନି ।କାରଣ ରେଜିଆ ଆଉ ପାଣି ଦୁହେଁ ଯାକ ଭ୍ରମ ଥିଲେ ।

କଡ ଲେଉଟାଇ ଶୋଇଲେ ।ସ୍ତ୍ରୀ ଆସିବନି ମଶାରୀ ପକାଇବାକୁ କି ଗୋଡରେ ଟିକେ ହାତ ମାରିବାକୁ ।ସେମିତି ମଶା ଭଣ ଭଣରେ ଶୋଇଲେ ।ମନେ ପଡୁଥିଲା କେମିତି ତାଙ୍କୁ ଛାଡି ଶାନ୍ତି ଦେବୀ ଟିକେ ବି ରହି ପାରନ୍ତିନି ।ବାପ ଘରକୁ ସକାଳେ ଗଲେ ବି ସଞରେ ଆସି ଘରେ ହାଜର ହୋଇ ଯାଆନ୍ତି ।

ଆଖି କୋଣରୁ ଦୁଇଧାର ଲୁହ ବୋହି ଆସି ତକିଆରେ ଭିଜା ମାନଚିତ୍ରଟେ ଆଙ୍କି ଦେଉଛି ।

ଦୁଇ ଦିନ ହେଲାଣି ଆସିଲେଣି ଘରକୁ ରାମସ୍ୱାମୀ ହେଲେ କେହି ତାଙ୍କ କଥା ବୁଝିବାକୁ ଆସୁ ନାହାଁନ୍ତି ।ତାଙ୍କ ଅତୀତ ଶୁଣିଲା ପରେ ସବୁ ନିର୍ବାକ୍ ଯେମିତି ।କଥା ଯେମିତି ସବୁ ହଜି ଯାଇଛି ।

ଶୁଦ୍ଧ ବ୍ରାହ୍ମଣ ପରିବାର ତାଙ୍କର ।ଏବେ ମଥାରେ ଚଡକ ପଡିଛି ସମସ୍ତଙ୍କୁ ରାମସ୍ୱାମୀଙ୍କୁ ନେଇ ।ତାଙ୍କୁ ସମାଜ ଆଗରେ ଜାତି କରାଯିବ..ଜୋରିମାନା ଦିଆ ଯିବ...ମୁକ୍ତି ମଣ୍ଡପ ଆଗରେ ଦୋଷ ସ୍ୱିକାର କରାଯିବ ।ତା ପରେ ଯାଇଁ ଯେଉଁ କଥା ।କଣ ହେବ ଆଉ ତା ପରେ??ପୁଣି ଚିନ୍ତା ଇନ୍ସୁରେନ୍ସ୍ କମ୍ପାନୀକୁ ନେଇ ।ମୃତ୍ୟୁ କାଳୀନ ସମସ୍ତ ପଇସା ପାଇ ସାରିଛନ୍ତି ଘର ଲୋକ ମାନେ ।ସରକାରଙ୍କ ପାଖରୁ ବି ପଇସା ମିଳିଛି ତୀର୍ଥରେ ରାମସ୍ୱାମୀଙ୍କ ମୃତ୍ୟୁ ଘଟଣାକୁ ନେଇ ।ଏବେ କଣ ସେଗୁଡିକ ଫେରାଇ ନେଇଯିବେ??କେଜାଣେ....ସମସ୍ତେ ଏଇଆ ହିଁ ଭାବୁଥିଲେ ।

ଏହିସବୁ କାରଣ ହେତୁ ରାମସ୍ୱାମୀଙ୍କୁ ଏବେବି ଘର ଭିତରେ ଲୁଚେଇ ରଖା ଯାଇଛି ଦୁଇ ଦିନ ହେଲା...କିଛି ନିଷ୍ପତ୍ତିରେ କେହି ପହଞ୍ଚି ପାରୁ ନାହାନ୍ତି ।

*************

ରାତି ସାରା ଅନିଦ୍ରା ସେ ।ଆଖି ଆଗରେ ଦେଖା ଯାଉଛି ଅତୀତ ।କେଦାରନାଥରେ ତୀର୍ଥ ଦର୍ଶନ କରିବାକୁ ଯାଇ ବନ୍ୟାର ଅକାତ କାତ ପାଣିରେ ସେ ଉବୁଟୁବୁ ।ଆଖି ସାରା ସବୁ ନୀଳ ନୀଳ ।ପାଣିର ସ୍ରୋତରେ ଘୋଷାରି ହୋଇ ଚାଲିଛନ୍ତି ।ନାକରେ ଆଖିରେ ପାଣି ।ଆଃ...ଶେଷ ସମୟ ଆସିଗଲା ବୋଧେ ।ଆଖି ବୁଜି ହୋଇ ଆସୁଥିଲା....ଦେହ ହାତ ଅବଶ...ହେରାମ କହି ଶେଷ ନିଃଶ୍ୱାସ ଟିକେ ନେବାକୁ ବସିଥିଲେ ।ହଠାତ୍....ହଠାତ୍...ପାଣିଭିତରକୁ ପଶିଆସିଲା ହାତଟିଏ ।ହଁ ସେ ହାତ ନିଶ୍ଚୟ ଈଶ୍ୱରଙ୍କର ।ହଁ..ହଁ...ମୋତେ ବଞ୍ଚିବାକୁ ହେବ...ତିନୋଟି ପ୍ରାଣୀ ତାଙ୍କ ବାଟକୁ ଚାହିଁ ବସିଥିବେ ।ଜାବୁଡି ଧରିଲେ ସେ ହାତଟିକୁ ।ଜାବ ପକାଇ ମୁର୍ଛା ହୋଇଗଲେ ସେ ।ତା ପରେ....

ଚେତା ଫେରିଲା ବେଳକୁ ସେ ଗୋଟିଏ ଗଛ ମୂଳେ ଶୋଇଛନ୍ତି ।ତାକୁ ଝାଙ୍କି ପଡି ଅନେଇଛି ଚବିଶ ପଚିଶ୍ ବର୍ଷର ପିଲାଟେ ।ପଚାରୁଛି...ଆପକା ନାମ କ୍ୟା ହେ??କାହାଁ ସେ ହୋ ଆପ୍?ରାମସ୍ୱାମୀ ନିଜକୁ ଭୂଲି ସାରିଥିଲେ ।ବିକଳରେ ପିଲାଟିର ମୁହଁକୁ ଚାହିଁ ରହିଥିଲେ ।ପିଲାଟି ତାଙ୍କୁ ଆଉଥରେ ନିରେଖି ଦେଖିଲା..ଗଳାରେ ତୁଳସୀ ମାଳ ଆଉ କାନ୍ଧରେ ପଇତା ଦେଖି କହିଲା ..ତୁମ୍ ହିନ୍ଦୁ ହୋ??ରାମସ୍ୱାମୀ ନିରୁତ୍ତର ରହିଲେ ।

ପିଲାଟି କହିଲା ...ମେରା ନାମ୍ ଜାଫର୍ ।ମେଁ ମୁସଲମାନ୍ ହୁଁ ।ଆପ୍ ମେରେ ସାଥ୍ ଚଲିଏ...

ଜାଫର୍ ରାମସ୍ୱାମୀଙ୍କ ହାତଧରି ଏକ ପ୍ରକାର ଟାଣି ଟାଣି ନେଇଗଲା ତା ଘରକୁ ।

ହଁ...ପାଣିରେ ହାତ ବଢାଇଥିବା ଈଶ୍ୱରଟି ରାମ..କୃଷ୍ଣ..କି ଆଲ୍ଲାଙ୍କର ନ ଥିଲା ।ସେ ହାତ ଜାଫରର ହିଁ ଥିଲା ।

ଦୁଇବଖରା ଘର ।ଟିଣ କବାଟ ।କବାଟ ଠକ୍ ଠକ୍ କରି ଜାଫର୍ ରଡି ଛାଡିଲା..ରେଜିଆ...ଆରେ ଓ ରେଜିଆ...କାହାଁ ହେ ତୁ?

-ଆଇ ଭାଇଜାନ୍...କ୍ୟା ହୁଆ??

-ଆରେ ଦେଖୋ ହାମାରେ ଘର କୌନ ଆୟା ହେ?

-କୌନ୍ ଭାଇଜାନ୍?

ଗୋଟିଏ ସୁନ୍ଦର ଗୋରା ତକ୍ ତକ୍ ଝିଅଟେ ଘର ଭିତରୁ ବାହାରି ଆସିଲା ।ଆଖି ଦୁଇଟି ଢଳ ଢଳ ଓ ନୀଳ ।ବୟସ ବୋଧେ ଚଉଦ କି ପନ୍ଦର ହେବ ।ରାମସ୍ୱାମୀଙ୍କୁ ଦେଖି ପୁଣି ଘରକୁ ପଶି ଯାଉଥିଲା ।

-ଆରେ ରେଜିଆ ଶୁନ୍ ତୋ...ଏ ହାମାରେ ମେହେମାନ ହେଁ ।ବାଡ୍ ମେଁ ଫସ୍ ଗୟେ ଥେ ।ମେଁ ଉନକୋ ଲେ ଆୟା ହୁଁ। ଉନକୋ କୁଛ୍ ୟାଦ୍ ନେହିଁ ହେ ।ଜାଫର୍ କହୁଥିଲା ।

-ତୋ ଓହ କିତନେ ଦିନ୍ ରହେଙ୍ଗେ ଭାଈଜାନ୍ ?

-କିତନେ ଦିନ୍ କ୍ୟା?ଓହ ହାମାରେ ଅବାଜାନ୍ ଜୈସେ ହେଁ ।ଅବ୍ ସେ ଏ ଉନକା ଘର ହେ ।ଜବ୍ ତକ୍ ଚାହେଁଗେ ହାମାରେ ଘର ମେଁ ରହସକତେ ହେଁ ।ଆଜ୍ ସେ ଉନକୋ ଅବୁ ବୁଲାନା ...ସମଝି??

-ଜୀ...ଭାଈଜାନ୍ ।

ରେଜିଆ ରାମସ୍ୱାମୀଙ୍କୁ ଘରକୁ ନେଇଗଲା ଆଉ ଲୁଙ୍ଗିଟିଏ ଧରାଇ ଦେଲା ଓଦା ଲୁଗା ପାଲଟିବାକୁ ।

************

ରାତି ଦଶଟା ।ରେଜିଆ ଚାରିପଟ ରୁଟି ଆଉ ତରକାରୀ ଆଣି ଖାଇବାକୁ ଦେଲା ।ରାମସ୍ୱାମୀ ଡାହାଳ ଭଳି ଅନେଇଥିଲେ ଖାଇବା ଥାଳିକୁ ।ହାତ କିନ୍ତୁ ଯାଉ ନ ଥିଲା ।ସେ ହିନ୍ଦୁ ଆଉ ବ୍ରାହ୍ମଣ ବୋଧେ ।କେମିତି ଯିବ ଏ ଖାଦ୍ୟ ତାଙ୍କ ଗଳାକୁ ?କିଛି ସମୟ ତ ନିଜକୁ ସଂଯତ କରିନେଲେ ହେଲେ ପେଟ ଭୋକରେ କଁ କଁ ହେଉଥିଲା ।ପେଟ କି ବୁଝେ ଧର୍ମ ଅଧର୍ମ ।ଝାମ୍ପି ପଡି ଝୁଣି ପକାଇଲା ଭଳି ଖାଇନେଲେ ସେ ରୋଟି ତରକାରୀ ।ତା ପରେ ସେ ଶୋଇଗଲେ ପାଖରେ ପଡିଥିବା ଦୌଡିଆ ଖଟିଆଟିରେ ।ରାତି ସାରା ଜ୍ୱରରେ କମ୍ପୁଛନ୍ତି ।

ଅଧରାତିରେ ନିଦ ଭାଙ୍ଗିଲା ବେଳକୁ ଦେଖୁଛନ୍ତି ରେଜିଆ ତାଙ୍କ ମୁଣ୍ଡରେ ପାଣି ପଟି ଦେଉଛି ଆଉ ଜାଫର ତାଙ୍କ ଗୋଡରେ ଗରମ ତେଲ ମାଲିସ୍ କରୁଛି ।ହଠାତ୍ ଉଠି ବସିଲେ ସେ...ଜାଫର୍ ଆଉ ରେଜଆକୁ ଟାଣି ଆଣି ଛାତିରେ ଲଗେଇ ବହେ କାନ୍ଦିଲେ ।

ସକାଳୁ ତାଙ୍କ ଦେହ ମନ ହାଲକା ହୋଇ ଯାଇଥିଲା ।ସେ କେବଳ ଖଣ୍ଡି ହିନ୍ଦି କହି ବୁଝି ପାରିଲେ ଯେ ଜାଫର୍ ସକାଳୁ ଯାଏ ଜରି ଆଉ ପ୍ଲାଷ୍ଟିକ୍ ଗୋଟାଇବାକୁ ।ତା ପରେ ଫେରି ଗୋଟିଏ ସାଇକେଲ୍ ଦୋକାନରେ କାମ କରେ ।ରେଜିଆ ସନ୍ଧ୍ୟା ବେଳେ କିଛି ଛୁଆଁଙ୍କୁ ଉର୍ଦ୍ଦୁ ପଢାଏ ।ଜାଫର୍ ଓ ରେଜିଆ ମ୍ୟାଟ୍ରିକ୍ ଯାଏ ପଢିଛନ୍ତି ।ଗୋଟିଏ ଦୁର୍ଘଟଣାରେ ତାଙ୍କ ବାପା ମା ମୃତ ।

ଜାଫର୍ ନିଜକୁ ସଫା ସୁତରା ରଖେ...ମୁଣ୍ଡ ଭଲ ଭାବେ କୁଣ୍ଡାଇ ଟେରୀ କରେ...ସାଇକେଲ୍ ଷ୍ଟୋରକୁ ଗଲେ ସଫା ପ୍ୟାଣ୍ଟ ସାର୍ଟ ପିନ୍ଧେ ଆଉ ସେଣ୍ଟ ବି ପକାଏ ।ରେଜିଆ ଘରେ କୁର୍ତ୍ତା ପାଇଜାମା ପିନ୍ଧେ ଆଉ ବାହାରକୁ ଗଲେ ବୁର୍ଖା ।ଦୁଃଖେ ସୁଖେ ବଞ୍ଚନ୍ତି ସେମାନେ ।

ନିତି ଜାଫର୍ ଆଣୁଥିବା ଜରି ଆଉ ପ୍ଲାଷ୍ଟିକ୍ କୁ ଅଲଗା ଅଲଗା କରି ରଖେ ରେଜିଆ ।ଏବେ ରାମସ୍ୱାମୀ ତାକୁ ସାହାଯ୍ୟ କରନ୍ତି ।ରୋଷେଇରେ ବି ସାହାଯ୍ୟକରନ୍ତି ରେଜିଆକୁ ।ଜାଫର୍ ଲାଗି ଦାୱିପହରେ ଖାଇବା ନେଇକି ଯାଆନ୍ତି ତା ଦୋକାନକୁ ।ଦୂରରୁ ଦେଖନ୍ତି ତାକୁ ...ତା ମୁହଁଟା ରାମସ୍ୱାମୀଙ୍କୁ ଈଶ୍ୱର ଈଶ୍ୱର ଲାଗେ ।ଭଗବାନଙ୍କୁ ଡାକନ୍ତି ତାଙ୍କର ସବୁ ମନେ ପଡିଯାଉ ବୋଲି ।

ଜାଫର୍ ଆଉ ରେଜିଆର ଆତ୍ମିୟତାରେ ବାନ୍ଧି ହୋଇ ପଡିଲା ବେଳକୁ ଅଚାନକ ଦିନେ ଗୋଟିଏ ଘଟଣା ଘଟେ ।ଗୋଟାଇ ଆଣିଥିବା ଜରି ଭିତରୁ ଜଗନ୍ନାଥଙ୍କର ଚିତ୍ର ଥିବା ଗୋଟିଏ ପୋଲିଥିନ୍ ମିଳେ ରାମସ୍ୱାମୀଙ୍କୁ ।ସେ ଆଖି ଭିତରୁ ସେ ଅନେକ ଜିନିଷ ଝାପସା ଦେଖା ଯାଉଥିଲା ।କିଛି କିଛି ମନେ ପଡୁଥିଲା ।ମୁଣ୍ଡଟା ଫାଟି ପଡୁଥିଲା ।ହଁ...ତାଙ୍କ ଆଗରେ ତାଙ୍କ ଘର ତୁଳସୀ ଚଉଁରାରେ ଏ ଜଗନ୍ନାଥଙ୍କ ଫଟୋ ଦେଖା ଗଲା ...ତା ପରେ ତାଙ୍କ ଚାଳଘର...ସ୍ତ୍ରୀ ଶାନ୍ତି ଦେବୀ...ପୁଅ ଶ୍ରବଣ...ଝିଅ ସୀତା...ଗାଁ କୃଷ୍ଣ ମନ୍ଦିର ....ବେଦ...ପୁରାଣ....ଶ୍ଲୋକ.....ସବୁକିଛି...ହଁ ତାଙ୍କ ଗାଁ ଓଡିଶାର ସାକ୍ଷୀଗୋପାଳରେ ।ସେ ଥିଲେ କୃଷ୍ଣମନ୍ଦିରର ପୂଜକ ।

ସବୁ କଥା ଶୁଣିଲା ପରେ ଜାଫର୍ ଓ ରେଜିଆ ଖୁବ୍ ଖୁସି ହେଇଥିଲେ ଆଉ କାନ୍ଦିଥିଲେ ମଧ୍ୟ ।ପୁଣିଥରେ ସେ ତାଙ୍କ ଆବାଜାନ୍ ଙ୍କୁ ହରାଉଛନ୍ତି ବୋଲି ।ଗାଡିର ସବୁ ଟିକେଟ୍ କରି କିଛି ପଇସା ରାମସ୍ୱାମୀଙ୍କ ହାତରେ ଜାଫର୍ ଗୁଞି ଏଇଥିଲା ଆଉ ମୁହଁ ତଳକୁ କରି ଠିଆ ହେଲା ।ରେଜିଆ ରାତିସାରା କାନ୍ଦି ଆଖି ଲାଲ୍ କରିଛି ତଥାପି ଖାଦ୍ୟ ପୁଟୁଳିଟି ଧରାଇ ଦେଇ ରାମସ୍ୱାମୀଙ୍କ ଛାତିରେ ଜଡେଇ ହୋଇ କାନ୍ଦିଲା ।ପଚାରିଲା ..ଅବୁ...ଆପ୍ ଆଓଗେ ନା ଫିର୍?ଜାଫର୍ ତାକୁ ଠାରିଲା ଚୁପ୍ ରହିବାକୁ ।ରାମସ୍ୱାମୀ ବସ୍ ରେ ବସିବା ଆଗରୁ ଜାଫର୍ ର ହାତକୁ ଧରି ପକାଇଥିଲେ ଯାହା ଦିନେ ଈଶ୍ୱରଙ୍କ ହାତଭଳି ମରିବା ମୁହଁରୁ ତାଙ୍କୁ ବଞ୍ଚାଇ ଥିଲା ।

ଆଖିରେ ଆଖିଏ ଲୁହ ନେଇ ସେ ବିଦାୟ ନେଲେ ।

****************

ଘରେ ଆସି ପହଞ୍ଚିଲା ବେଳକୁ ରାତି ଅନେକ ।ସ୍ତ୍ରୀ ,ପୁଅ ତାଙ୍କୁ ଦେଖି ଚମକି ପଡିଲେ ଭୂତ ଭାବି ଆଉ ତାପରେ ଅନେକ ଖୁସି ।ୟା ଭିତରେ ଚାରିବର୍ଷ କଟି ଯାଇଛି ।ଅନେକ ଜିନିଷର ପରିବର୍ତ୍ତନ ଘଟିଛି ।ସ୍ତ୍ରୀ ବିଧବା ସାଜିଛି ...ଚାଳଘର ପାଖକୁ କୋଠାଘରଟେ ହେଇଛି...ପୁଅ ଶ୍ରବଣ ଆଉ ଝିଅ ସୀତାର ବାହାଘର ହୋଇ ସାରିଛି ।ପୁଅର ଏବେ ଲୁଗା ଦୋକାନଟେ ବି କରିଛି ।ଏସବୁ କିଛି ହୋଇ ପାରିଛି ରାମସ୍ୱାମୀଙ୍କ ଏଲ୍ ଆଇ ସି ଆଉ ଅନ୍ୟାନ୍ୟ ମୃତ୍ୟୁ କାଳୀନ ଇନ୍ସୁରାନ୍ସର ପଇସା ଯୋଗୁଁ ।ଏକଥା ଭାବି ସମସ୍ତଙ୍କ ମୁହଁରୁ ହସ ଫସର ଫାଟି ଯାଇଛି ।ଏବେ ଯଦି ସବୁ ଜାଣିବେ କଣ ହେବ??

ରାମସ୍ୱାମୀଙ୍କ ପାଖ କେହି ମାଡୁ ନାହାନ୍ତି ।ତାଙ୍କୁ ଜାତି କଲା ପରେ ଯାଇ ଯେଉଁ କଥା ।ଜାତି କଲେ ତ ସବୁ ଜାଣିବେ ରାମସ୍ୱାମୀ ଜୀବିତ ।ତା ପରେ??

ଝିଅ ସବୁ ଶୁଣି ଶଶୁର ଘରୁ ଏଠାକୁ ଆସିଛି ।ମୁଣ୍ଡିଆଟେ ମାରି ଯାଇଛି ଯେ ଦେଖା ଦର୍ଶନ ନାହିଁ ।

ରାତି ସାରା ରାମସ୍ୱାମୀ ଆଉଟୁ ପାଉଟୁ ଏ ସବୁ ଦ୍ୱନ୍ଦ ଭିତରେ।ସକାଳକୁ କବାଟ ଠକ୍ ଠକ୍ ର ଆବାଜ ।ରାମସ୍ୱାମୀ ଦେଖିଲେ ଆଗରେ ସ୍ତ୍ରୀ,ପୁଅ ଓ ଝିଅ ।ପୁଅ ଥଙ୍ଗେଇ ଥଙ୍ଗେଇ କହିଲା ବାପା...ଏହା ଭିତରେ କଲିକତାରେ ଜାଗାଟେ କିଣିଛି ।ଭାବୁଛି ସେଇଠି ଘରଟେ କରିଦେବି ।ଆପଣ ସେଇଠି ରହିବେ ।ଆମେ ସୁବିଧା ଦେଖି ଯିବା ଆସିବା କରିବୁ ।ସବୁ ବ୍ୟବସ୍ଥା କରିଦେବି ।ହେଲେ ଆପଣ ଜୀବିତ ଅଛନ୍ତି ଏକଥା କେହି ନ ଜାଣନ୍ତୁ ।ଆପଣ ତ ଜାଣନ୍ତି ଇନସୁରାନ୍ସ ବାଲାଙ୍କ କଥା ...କିଛି ସୁବିଧା ଅସୁବିଧା ହେଲେ ସବୁ ବୁଡିଯିବ ।

ରାମସ୍ୱାମୀ ହତବାକ୍ ହୋଇଗଲେ ପୁଅ ଶ୍ରବଣର କଥା ଶୁଣି ।ସ୍ତ୍ରୀ ଶାନ୍ତି ଦେବୀଙ୍କୁ ଅନେଇ ପଚାରିଲେ ..ଆଉ ତୁମେ ସାରା ଜୀବନ ବିଧବା ହୋଇ ରହିବ ମୁଁ ଥାଉ ଥାଉ??

ଶାନ୍ତି ଦେବୀ ମୁହଁ ତଳକୁ କରି କହିଲେ ..ମୁଁ ଆଉ କଣ କହିବି??ପିଲାମାନେ ଯାହା କହିବେ....

ବାସ୍...ଥାଉ...ଯାଅ ତୁମେ ମାନେ ମୋ ସାମ୍ନାରୁ ।ରାମସ୍ୱାମୀଙ୍କ ଆଖିରେ ନିଆଁର ଝୁଲ ଥିଲା ।ଦିନ ସାରା ଚୁପ୍ ଚାପ୍ ଥିଲେ ।ରାତି ଗାଢ ହେବାରୁ ସେ ବାହାରିଲେ ।ଆର ମାଟି ଘର ଶୋଇବା ଘରକୁ ଗଲେ ।ସେଠାରେ ମାଟିତଳେ ଏକ ନିର୍ଧିଷ୍ଟ ଜାଗାକୁ ନିଃଶବ୍ଦରେ ଖୋଳିଲେ ।ତା ଭିତରେ ଗୋଟିଏ ଛୋଟ ବାକ୍ସ ଥିଲା ।ତା ଭିତରେ ଝିଅ ସୀତାର ବାହାଘର ଲାଗି ରଖିଥିଲେ କିଛି ଟଙ୍କା ଆଉ ଗହଣା ।ତାକୁ ଗୋଟେ ଝୁଲାରେ ପୁରେଇ ଫେରି ଆସିଲେ ପୁଣି କୋଠା ଘରକୁ ।ଆଖି ଆଗରେ ରେଜିଆର ମୁହଁ ଦେଖା ଯାଉଥିଲା ...ଆଉ ଜାଫର୍ ର ହାତ ।

ରେଜିଆ ଡାକୁଥିଲା...ଅବୁ....ଅବୁ....ଉଠୋ...

-ଆଁ...ହାଁ ବେଟିୟା ମେଁ ଆ ରହା ହୁଁ....

ରାମସ୍ୱାମୀ ଗୁଣୁଗୁଣେଇ ଉଠିଲେ ।ଝୁଲା ଧରି ସେ ଗାଁ ମୁଣ୍ଡରେ ପହଞ୍ଚିଲେ ଅନ୍ଧାରରେ। ହଁ ..ଏଇତ ସେ କୃଷ୍ଣ ମନ୍ଦିର ।ତାଲା ପଡିଛି ।ଏଇ ମନ୍ଦିରରେ ପଇଁତିରିଶ ବର୍ଷ ପୂଜା କରିଛନ୍ତି ସେ ନୀରବଛିନ୍ନ ଭାବରେ ।କେତେ ବ୍ରତ..ଉପବାସ...ସବୁ ମନେ ପଡୁଛି ।ଆଖିରୁ ତତଲା ଲୁହ ଖସି ଆସିଲା ।ମନେ ମନେ ଈଶ୍ୱରଙ୍କ ପାଖରେ ଶେଷ ଅଭିମାନ ବାଢିଲେ ...

ହେ ରାଧା ମାଧବ ତୁମେ କୁହ ମୋ ଅପରାଧ କଣ?ଏମାନଙ୍କୁ କେମିତି ବୁଝେଇବି?ମୁଁ କେମିତି କହିବି ଯେ ମୃତ୍ୟୁ ସାମନାରେ ସାହାଯ୍ୟ ଲାଗି ବଢାଉ ଥିବା ହାତକୁ ପଚାରି ହୁଏନି ତୋର ଧର୍ମ କଣ ବୋଲି....ଦେଢ ଦିନ ପାଣିରେ ଭାସିଲା ପରେ ପେଟର କଁ କଁ ଭୋକ ପରଶିଲା ବାଲାକୁ ପଚାରି ହୁଏନି ତୋର ଧର୍ମ କଣ ବୋଲି......ସ୍ମୃତିଶକ୍ତି ହରାଇଥିବା ମଣିଷ ମୁଣ୍ଡ ଗୁଞିବା ଆଶ୍ରୟ ସ୍ଥଳକୁ ପଚାରେନି ତା କେଉଁ ଧର୍ମର ବୋଲି.....।ଆଉ କେମିତି ବୁଝେଇବି ରକ୍ତକୁ ପାଣି କରି ମଣିଷ କରିବା ଘର ଲୋକଙ୍କୁ ଯେ ଇନସୁରେନ୍ସ ର ପଇସା ଠାରୁ ବୁଢାବାପର ଜୀବନ ଅଧିକ ମୂଲ୍ୟବାନ ବୋଲି?

କେବେ ଏମାନେ ବୁଝିବେ ଜୀବନ ଗୋଟିଏ ଜୀବନକୁ ଖୋଜେ ।ଧର୍ମ,ଜାତି ଏସବୁ ତ ଭାରୀ ଛୋଟ କଥା ଏସବୁ ସାମ୍ନାରେ ।ସବୁ ଧର୍ମ ଠାରୁ ମାନବିକତା ହେଉଛି ବଡ ଧର୍ମ ।ମୁଁ ଠିକ୍ ଜାଣିଛି ଯଦି ବା ମୁଁ ଏଇଠି ରୁହେ ଏ ମନ୍ଦିରରେ ଆଉ ମୋତେ ପୂଜା କରିବାକୁ ସୁଯୋଗ ଦେବନି ଏ ସମାଜ ।

ତେବେ କୁହ ହେ...ରାଧା ମାଧବ...ମୁଁ କାହିଁକି ରହିବି ଏଇଠି??ମୁଁ ମରି ସାରିଛି ଇଞ୍ଚେ ଇଞ୍ଚେ ହୋଇ ଏଇ ଦୁଇ ଦିନ ଭିତରେ ।ସବୁ ବୁଝି ସାରିଛି ।ସବୁ ମନ୍ତ୍ର ପୂଜା ପାଠ ଶ୍ଲୋକ ଭୂଲି ସାରିଛି ....

ଏଇ ରହିଲା ତୁମ ତୁଳସୀ ମାଳ ଆଉ ପଇତା ।ଆଜିଠୁ ମୁଁ ଖାଲି ମଣିଷ ।ମୁଁ ଅନାଥ ।କିଛି ଧର୍ମ ନାହିଁ...ଜାତି ନାହିଁ ମୋର ...।

ରାମସ୍ୱାମୀ କାନ୍ଦି କାନ୍ଦି ବିଦାୟ ନେଲେ ମନ୍ଦିରରୁ ଏକ ମୁହାଁ ହୋଇ ।ରେଜିଆର ଅବୁ ଡାକ ଶୁଭୁଛି ।ତା ପାଖକୁ ଯିବାକୁ ହେବ।ସେ ପାଦ ବଢାଇଲେ ଆଗକୁ ଆଗକୁ....

ମନ୍ଦିରରୁ ଗୋଟିଏ କଳା ଛାଇ ବାହାରି ରାମସ୍ୱାମୀଙ୍କ ପଛେ ପଛେ ଚାଲିଲା ।ରାମସ୍ୱାମୀ ଜାଣି ପାରୁଥିଲେ ତାଙ୍କୁ କେହି ପିଛା କରୁଛି ।ସେ ଝୁଲା ମୁଣିକୁ ଜାବୁଡି ଧରି ଦୌଡିବାକୁ ଆରମ୍ଭ କଲେ ।ସେ ଯେତେ ଜୋରରେ ଦୌଡୁ ଥିଲେ ଛାଇ ବି ଦୌଡୁଥିଲା ନିଃଶବ୍ଦରେ ।ରାମସ୍ୱାମୀଙ୍କର ନିଃଶ୍ୱାସ ପ୍ରବଳତର ହେବାକୁ ଲାଗିଲା ...ନା ଆଉ ଜୋରରେ ଦୌଡି ପାରିବେନି....ମୁକାବିଲା କରିବାକୁ ହେବ ଛାଇ ସହ ।ଏତକ ଟଙ୍କାଆଉ ଗହଣା କେବଳ ଜାଫର୍ ଆଉ ରେଜିଆର ।ଅନ୍ୟ କାହାକୁ ଦେବେନି ଜୀବନ ଯାଉ ପଛେ ।ହାତ ମୁଠା ଶକ୍ତ କରି ହଠାତ୍ ଠିଆ ହୋଇ ଗଲେ ଆଉ ପଛକୁ ଫେରି ପଡିଲେ....

ଏ କଣ??ପଛରେ ଖାଲି ଅନ୍ଧାର ।ଧୂପ କର୍ପୂରର ବାସ୍ନା ।ଆଗକୁ ଅନେଇଲେ ...ଶୁଭୁଥିଲା ରେଜିଆର ସ୍ନେହ ବୋଳା ଅବୁ ଡାକ....ପଛକୁ ପୁଣି ଫେରି ଅନେଇଲେ ...କିଛି ନ ଥିଲା ଖାଲି କରୁଣ ବଂଶୀର ସ୍ୱର....

ଆଃ...ଏବେ କରିବେ ତ କଣ କରିବେ ରାମସ୍ୱାମୀ ?ଛାତିରେ କୋହ ଆଖିରେ ଲୁହ ।ଧଡାସ୍ କରି ଗଳା ଫଟେଇ ଚିତ୍କାର କରି କାନ୍ଦି ଉଠିଲେ ସେ ।

ତାଙ୍କ ଚିତ୍କାରରେ ଅନ୍ଧାରର ଛାତି ଚିରି ହୋଇ ଯାଉଥିଲା...। ସକାଳ ହେବାକୁ ଅନେକ ଡେରୀ ଥିଲା ...।

ରାମସ୍ୱାମୀ କୃଷ୍ଣ ଜାଫର୍

Rate the content


Originality
Flow
Language
Cover design

Comments

Post

Some text some message..