Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଲେଇ
ବିଲେଇ
★★★★★

© Biswa Bharati Dash

Inspirational

4 Minutes   7.3K    21


Content Ranking

(କିଛି ସ୍ମୃତି କିଛି ଅନୁଭୂତି)

ଖୁବ୍ ଅଳ୍ପ ଦିନର ଚିହ୍ନା ଜଣା ଆମର । କାହିଁକି କେଜାଣି ଭିତରୁ କିଛି ଗୋଟେ ଆସି ଯାଏ ଜଣ ଜଣଙ୍କ ପାଇଁ , କିନ୍ତୁ ପ୍ରକାଶ କରିହୁଏନି .... ବୋଧେ ଏଇଟା ଭଲପାଇବା ଅଥବା ବିରକ୍ତି ! ଅବଶ୍ୟ ଆପେ ଆପେ ହୋଇଯାଏ ,କାହାକୁ ବି ! ଯେମିତି ମୋତେ ହେଲା, ତାକୁ ବି ହୋଇଛି ବୋଧେ, ଜାଣେନି କି ଜାଣିବାକୁ କେବେ ଚେଷ୍ଟା ବି କରିନି ! କଥାରେ ଅଛି , "ଏମନ ଖୋଜୁଥାଇ ଯାହା , କାଳ ପ୍ରାପତେ ହୁଏ ତାହା "। ସବୁବେଳେ ଜିତାପଟ ମାରିବାର ଇଚ୍ଛା ସମସ୍ତଙ୍କର ଥାଏ । ସେମିତି ମୋର ବି ଇଚ୍ଛା ଟିଏ ଥିଲା ! ବାସ୍ ସମୟକୁ ଅପେକ୍ଷା କରିଥିଲି । କିନ୍ତୁ , ଏ ଅପେକ୍ଷା ବହୁତ୍ କଷ୍ଟ ଦିଏ ନିଶ୍ଚୟ ! ମନରେ ଥିବା ଇଚ୍ଛାଟି ହଠାତ୍ ଆଖିଆଗକୁ ଆସିଗଲେ , ଅପେକ୍ଷା ଠାରୁ ଅଧିକ ଖୁସି ଲାଗେ , ନୁହଁ ? କେବେ ପରୀକ୍ଷା କରିଛନ୍ତି ?? ହଁ , ଅନେକେଙ୍କ ଜୀବନରେ ହୋଇଥାଏ ଏମିତି ବେଳେବେଳେ ।

ଆଉ ଏ ମସୟ .... ତା କଥା ନ କହିଲେ ଭଲ । ତାକୁ କେହି , ନା ଦେଖି ପାରନ୍ତି , ନା ଧରି ପାରନ୍ତି । ନିମନ୍ତ୍ରଣ ରଖେନି କାହାରି ସେ । କିନ୍ତୁ ସେ ଆସେ , ନିଜ ଇଚ୍ଛାରେ , ଖୁବ୍ ପାଖକୁ , ବହୁତ୍ ପାଖକୁ .... ଖୁବ୍ ଶୀଘ୍ର ଫେରି ଯାଏ କିନ୍ତୁ ! ଆଉ ଦେଇ ଯାଏ ଅନେକ କିଛି ସ୍ମୃତି , ସୁଖର ଦୁଃଖର , ହସର ଲୁହର ପାଖେଇ ଆସିବାର ଓ ଦୂରେଇ ଯିବାର , ଖଟାମିଠା ସ୍ବାଦ । ଯେମିତି କି ମୁଁ ବି ଅନୁଭବ କରୁଥିଲି , ତାକୁ ମନ ଭରି ଢୋକି ନେବାକୁ ।ହେଲେ , ସମୟଟା ତ ବାରମ୍ବାର ମୋ କାନରେ କିଛି କହିଦେଉ ଥାଏ । ବାପାମା'ଙ୍କୁ ଠକି ହେବ , ସମୟକୁ ନୁହେଁ । ନାଃ , କେବେବି ନୁହଁ ।

ଏଇ ସଂପର୍କ , ସମୟ ଚକ୍ରରେ ଘୁରି ବୁଲୁଥିବା ଏକ ଅଲିଭା ଛାପ ! ଯାହା କି ମୃତ୍ୟୁ ପରେ ବି ଖୁବ୍ ଜୀବନ୍ତ ରହେ , ହେଲେ ଦେଖି ହୁଏନା । ପ୍ରତି ମୂହୁର୍ତ୍ତରେ ଆମ ଭିତରେ ଘଣ୍ଟି ବଜାଉ ଥାଏ , ଏ ମନର ଅନିଚ୍ଛା ସତ୍ତ୍ୱେ ବି ! ଇଚ୍ଛା କରି ବି ଛିଣ୍ଡେଇ ହୁଏନା ସେ ଖିଅ । ଟିକେ ନା ଟିକେ ଗନ୍ଧ ବାସ୍ନା ତ ଛାଡ଼ି ଦେଇ ଥାଏ । ଭିତରେ ଭିତରେ ଚେର ବିଛାଇ ନିଏ ନିଜର, ଖୁବ୍ ଶୀଘ୍ର ବି ! ଆଉ ଟିକେ ସ୍ନେହ ଶ୍ରଦ୍ଧା ପାଇଲେ ମାଡ଼ିଲା ଆଉ ! ଯଦି ସେଇ ତକ ନ ପାଏ ମରିଯାଏ ସେଇଠି ; ଠିକ୍ ଗଛଟିଏ ପରି । ନା କେବେ ସେ ମୋତେ ଦେଖିଥିଲା , ନା ମୁଁ ତାକୁ ! ତଥାପି କାହିଁକି କେଜାଣି ଏତେ ଆପଣାର ଲାଗନ୍ତି ଜଣେ ଜଣେ , କେହି କହି ପାରିବେନି ?

ଏଇ କଥାରୁ ମନେପଡିଗଲା ..... ଆମ ଘରକୁ ଥରେ ଗୋଟିଏ କୁନି ଶଙ୍ଖିବିଲେଇଟେ ହଠାତ୍ ପଶିଆସିଲା । ଆମେ ଭାଇଭଉଣୀ ସବୁ ତା ସହ ଅନେକ୍ ଖେଳୁ , ବାସ୍ ଧୀରେ ଧୀରେ ଆମ ଭିତରେ ତା'ପ୍ରତି ଭଲପାଇବାର ସଂପର୍କଟିଏ ହୋଇଗଲା , ସେ ଆଉ ଗଲାନି । ମାଛ ଜଗେ, ନିଜେ ଖାଏନି, କିନ୍ତୁ ତା ବନ୍ଧୁବାନ୍ଧବୀଙ୍କୁ କିଛି କହେନି , ସେମାନେ ଆସି ଆମ ରୋଷେଇ ଘରେ ପଶି, ମାଛ ନେଇ ଚମ୍ପଟ ହୁଅନ୍ତି । ଥରେ ତାକୁ ଗୋଟିଏ ନିଶୂନ୍ ଜାଗାରେ ନେଇ ଛାଡ଼ି ଆସିଲା ମୋ ଭାଇ । କେମିତି ତାକୁ ବାସ୍ନା ହେଲା କେଜାଣି , ଆସି ଆମ ପାଖେ ହାଜର୍ !! ଆଶ୍ଚର୍ଯ୍ୟ ତ ହେଲୁ , ଖୁସି ବି ହେଲୁ । ପିଲା ଥିଲୁ ତେଣୁ କୋଳେଇ ନେଲୁ ତାକୁ ସ୍ନେହରେ । ଯଦି ବିଲେଇ ଯାଗାରେ ମଣିଷଟେ ହୋଇଥାନ୍ତା ? ତେବେ କ'ଣ ଆମେ ଆଦରେଇ ପାରନ୍ତୁ ନା ସେ ଆମ ପ୍ରତି ଭଲପାଇବା ମନୋଭାବ ନେଇ ଫେରନ୍ତା ? ସତରେ ବିଚିତ୍ର ଏ ଜଗତ, କିଛି ତର୍ଜମା ନ କରିବା ହିଁ ଭଲ ।

ଭୋକର ବ୍ୟବସ୍ଥା ଖାଦ୍ୟ । ଖାଦ୍ୟ ପୁଣି କେମିତି , ମନଲାଖି ହେବା ବି ଦରକାର ନା ! ମୋତେ ଯେମିତି ବହି ପଢ଼ିବାର ଭୋକ , ଗୀତ ଗାଇବା ଓ ଶୁଣିବାରେ ଭୋକ ! ସେଇ ଲୋଭରେ , ଛୁଟି ମଞ୍ଜୁର କରି ଯାଇ ଥିଲି ଭୂବନେଶ୍ୱର ପୁସ୍ତକ ମେଳାକୁ । ଖାଲି ବହି ତ ନୁହେଁ , ଏମିତି କିଛି ସ୍ମୃତି ବି ଗୋଟେଇ ଆଣିଛି ସାଙ୍ଗରେ , ଯାହା କି ଏ ସୁନାଗହଣାଠୁ ବି ମୂଲ୍ୟବାନ୍ । ସେଇ ଅନେକ୍ ଭିତରୁ ପାଇଥିଲି ଗୋଟିଏ ଗୁଲୁଗୁଲିଆ ଶଙ୍ଖିବିଲେଇଟେ । ହେଲେ ଦେହରେ କଟାସର ଛାଲ ମଡେଇ ଆସି ଥିଲା , ଯୁଗୋପଯୋଗୀ ହୋଇ ବୋଧେ ! ବାସ୍ , ଦଉଡ଼ି ଆସି ଚଢ଼ିଗଲା ମୋ ଉପରେ ! ଆଃ ... କିଛି ବି କହି ପାରୁ ନଥାଏ ମୁଁ । ବାସ୍ ତା ଜିତାପଟରେ କାହିଁକି କେଜାଣି ମୋ ଭିତରେ ଖୁସିଗୁଡିକ ଢେଉ ଭାଙ୍ଗୁଥାଏ !!ଭଲପାଇବା ଆଉ କ'ଣ କି ? ବାସ୍ନାରେ ତ ଆଖପାଖ ମହକି ଉଠେ । ଯେମିତି ମୁଁ ତାକୁ ବାସିଲି ଏତେ ଭିଡ଼ରେ ବି ! ହାରିଗଲି ତା ଭଲପାଇବା ପାଖରେ !! ଭାବି ହୁଏନି ଥରେ ଥରେ , ଅକସ୍ମାତ ଆଖି ଆଖି କଥା ହୋଇ , ବହୁତ୍ କିଛି ଦିଆନିଆ ହୋଇ ଯାଏ ବୋଧେ ! ବୋଧହୁଏ ତା'ମୋ ଭିତରେ ବି ସେମିତି କିଛି ହୋଇଗଲା ! ଆଉ ବହୁତ୍ କିଛି ବାକି ବି ରହିଗଲା ...!!

ଜୀବନରେ ସବୁବେଳେ ଜିତାପଟ୍ ପାଇ ଆସିଲେ ବି , ଥରେ ଥରେ ହାରିବାର ଆନନ୍ଦ ସେଇଠୁ ମିଳେ , ଯେଉଁଠି ମନ ବାନ୍ଧି ହୋଇଯାଏ । ଆଉ ସେଇଥିପାଇଁ ଆଖି ନ ମିଶେଇ ଅନ୍ୟମନସ୍କ ହେବାକୁ ଚାହିଁଥିଲି । ସତରେ ବିଲେଇ ସିନା ଆମ୍ପୁଡି ଦିଏ , ନିଜର ସୁରକ୍ଷା ପାଇଁ , ହେଲେ ଆଦର ପାଇଲେ , ମାଉସୀଟେ ପରି ଓଲଟା ବେଶୀ ଆଦର ଦିଏ । ମଣିଷଙ୍କ ପରି ନୁହଁ ଯେ'କି ଆଦର ପାଇ ବି .....

ଭିନ୍ନ ମତ !!

ଜାଣେନି , ପୁଣି କେବେ ଦେଖିବି ସେଇ ବିଲେଇ ଟିକୁ ! ହଁ , କିନ୍ତୁ ଅପେକ୍ଷା କରିନି .... ହେଲେ ବିଶ୍ୱାସ ରଖିଛି ,ନିଶ୍ଚୟ ପୁଣି ଏ ଆଖି ଆଖି ମିଶିବ । ଆହୁରି ଅନେକ୍ ସୁଖଦୁଃଖର ଆଦାନ ପ୍ରଦାନ ବି ହେବ ! ଗେହ୍ଲୀ ବିଲେଇଟେ .... ତା ପାଇଁ ଅନେକ୍ ଅନେକ୍ ଭଲପାଇବା ମୋର ।

ବିଲେଇ ସଂପର୍କ ମୃତ୍ୟୁ

Rate the content


Originality
Flow
Language
Cover design

Comments

Post

Some text some message..