Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଲିଅଳି ରୁ ଅଲୋଡ଼ା
ଅଲିଅଳି ରୁ ଅଲୋଡ଼ା
★★★★★

© Roja Panda

Tragedy

12 Minutes   555    26


Content Ranking

ଲେଖିକା - ରୋଜା ପଣ୍ଡା

ଅନେକ ଦିନ ପରେ ଆଜି ରାସ୍ତାରେ ମୋର ପୁରୁଣା ଗଣିତ ଅଧ୍ୟାପିକା " ସୁକନ୍ୟା ମ୍ୟାଡାମ୍" ଙ୍କୁ ଗୋଟେ ପରିବା ଦୋକାନରୁ ପରିବା କିଣୁଥିବାର ଦେଖିଲି । ଅତି ସରଳ କସ୍ତା ଶାଢ଼ୀ ଖଣ୍ଡେ ପିନ୍ଧିଛନ୍ତି । ହାତରେ ପରିବା ବ୍ୟାଗ । ଆଖିରେ ଆଉ ଆଗ ଭଳି ଷ୍ଟାଇଲ ଚଷମା ନାହିଁ । ମୁଣ୍ଡର ଚୁଟି ଗୁଡାକ ଆଲୁରୁ ବାଲୁରୁ ହେଇ ମୁହଁରେ ପଡିଛି । ହାତରେ ମାଳେ ମାଳେ କାଚ ଚୁଡି । ପୁରାପୁରି ଗୋଟେ ଗାଉଁଲି ବୋହୁଟିଏ ପରି ଦେଖାଯାଉଛନ୍ତି । କଥାର ଶୈଳୀ ବି ପୁରାପୁରି ବଦଳି ଗଲାଣି ତାଙ୍କର ।

ମୁଁ ପାଖକୁ ଯାଇ ତାଙ୍କୁ ପ୍ରଣାମ କଲି । ପଚାରିଲି - ମ୍ୟାଡାମ୍ କେମିତି ଅଛନ୍ତି ? ମତେ ଜାଣିପାରୁଛନ୍ତି ?

ସେ ମତେ କିଛି ସମୟ ଚାହିଁ ରହିଲେ । ମୁଁ ପୁଣି କହିଲି - ମ୍ୟାଡାମ୍ ମୁଁ ଆପଣଙ୍କ ପ୍ରିୟ ଛାତ୍ରୀ ରୋଜୁ , ଯାହାକୁ ଆପଣ କଲେଜ ଡାଇନିଂ ରେ ବସେଇ କଫି ପିଇବା ଶିଖାଉଥିଲେ । ମୋର ଗଣିତ ଭଲ ହୁଏନି ବୋଲି ଏକ୍ସଟ୍ରା କ୍ଲାସ ନେଉଥିଲେ ଆଉ ନିଜର ସୁଖ ଦୁଃଖ ଯାହା ସହିତ ବାଣ୍ଟୁଥିଲେ ମୁଁ ସେଇ ରୋଜୁ ।

କିଛି ସମୟ ପରେ ମ୍ୟାଡାମ୍ କହିଲେ - ଆରେ ତମେ ! ଓଃ ବହୁତ ଦିନ ପରେ ! ଆଉ ଥରେ ଦେଖା ହେବ ବୋଲି କେବେ ସ୍ୱପ୍ନରେ ଭାବିନଥିଲି । ଆଉ କେମିତି ଅଛ ?

ମୁଁ ସ୍ମିତହାସ୍ୟ ଦେଇ ଉତ୍ତର ଦେଲି - ହଁ ମ୍ୟାଡାମ୍ ମୁଁ ଭଲ ଅଛି । ହେଲେ ଆପଣ ଏଇ ଅବସ୍ଥାରେ ? ଏଠି , ଏମିତି !

ଆଜି କଣ ଆପଣଙ୍କ କଲେଜ ଛୁଟି ଅଛି ମୁଁ ପୁଣି ପଚାରିଲି ।

ମ୍ୟାଡାମ୍ ଏକ ଗମ୍ଭୀର ଦୀର୍ଘନିଶ୍ୱାସ ମାରି ଉତ୍ତର ଦେଲେ - ମୁଁ ବାହାଘର ପରେ ଚାକିରୀ ଛାଡିଦେଲି ।

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି - କିନ୍ତୁ ମ୍ୟାଡାମ୍ କାହିଁକି ? ଆପଣ ତ କହୁଥିଲେ ଆପଣ ଯାହାକୁ ବିବାହ କରୁଛନ୍ତି ସେ ବହୁତ ଏଜୁକେଟେଡ଼ । ସେ ଆପଣଙ୍କ ଚାକିରୀକୁ ସହମତି ଜଣାଇବେ । ଆଉ ଆପଣ ମଧ୍ୟ ନିଜ କ୍ୟାରିୟର କୁ ନେଇ ବହୁତ ସ୍ବପ୍ନ ଦେଖିଥିଲେ । ଆପଣ ତ କଲେଜରେ ବେଷ୍ଟ ଅଧ୍ୟାପିକା ଆୱାଡ଼ ବି ପାଇଥିଲେ । ଗଣିତରେ ମଧ୍ୟ ଆପଣ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ହେଲେ ହଠାତ ଏମିତି ନିଷ୍ପତ୍ତି କାହିଁକି ନେଲେ ?

ମ୍ୟାଡାମ୍ ଉତ୍ତର ଦେଲେ - ସେ ବହୁତ କଥା । ମୁଁ ଏଇ ପାଖ ଅଟାକଳ ଗଳିରେ ରହୁଛି । କେବେ ସୁବିଧା ଦେଖି ଘର ଆଡ଼େ ଆସ । ସବୁ କହିବି । ଏବେ ବହୁତ ଡେରି ହେଲାଣି । ମତେ ଯିବାକୁ ପଡ଼ିବ ।

ଏତିକି କହି ମ୍ୟାଡାମ୍ ତରତର ହେଇ ନିଜ ଘରକୁ ଚାଲିଗଲେ ।

ମୁଁ ସେଇଠି ସ୍ତବ୍ଧ ହେଇ ଠିଆ ହେଇଥାଏ । ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରୁଥାଏ । ପୁରୁଣା କଥା ସବୁ ଗୋଟି ଗୋଟି କରି ମନର ଝରକାରେ ଦୃଶ୍ୟମାନ ହେଉଥାଏ ବାରମ୍ବାର ।

ମ୍ୟାଡାମ୍ ଥିଲେ ଆମ କଲେଜ ର ଅଲିଅଳି ଅଧ୍ୟାପିକା । ସବୁ ଛାତ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଙ୍କର ଅତି ପ୍ରିୟ ଥିଲେ । ଖୁବ ଭଲ ଗଣିତ କରୁଥିଲେ । ଗଣିତ ଫର୍ମୁଲା ସବୁ ତାଙ୍କ ମୁହଁରେ ମୁଖସ୍ତ ଥିଲା । ମୁଁ ସବୁବେଳେ ତାଙ୍କୁ ଅନୁକରଣ କରୁଥିଲି ଆଉ ତାଙ୍କ ଭଳି ହେବାକୁ ଚେଷ୍ଟା କରୁଥିଲି । ନିଜ ପାଠ ପଢ଼ା ପାଇଁ ସେ ବହୁତ ସମୟ ଦେଉଥିଲେ । କଲେଜ ରେ ଟିକେ ନିରୋଳା ପାଇଲେ ବସି ପାଠ ପଢୁଥିଲେ । ସେ ବହୁତ ପରିଶ୍ରମୀ ଏବଂ ଉଚ୍ଚାଭିଳାସୀ ମଧ୍ୟ । ନିଜ ଘରେ ମଧ୍ୟ ଏତେ ଭଲ ପାଠ ପଢୁଥିବାରୁ ବାପା ମାଆ ଙ୍କର ଅଲିଅଳି କନ୍ୟା ଥିଲେ ସେ । ସେ ବହୁତ ସ୍ୱାଭିମାନି ଥିଲେ । ସବୁବେଳେ ସ୍ୱାଧୀନ ଭାବରେ ନିଜ ରୋଜଗାର ଟଙ୍କାରେ ବଞ୍ଚିବାକୁ ପସନ୍ଦ କରୁଥିଲେ । କାହା ଉପରେ ବୋଝ ହେଇ ବଞ୍ଚିବାକୁ ସେ ଆଦୌ ଚାହୁଁନଥିଲେ । କିନ୍ତୁ ଆଜି ସେ ଚାକିରୀ ଛାଡ଼ିଦେଇଛନ୍ତି କାହିଁକି ?

ଏମିତି ଭାବି ଭାବି ମୁଁ ଘରକୁ ଆସିଲି । ମନ କେଉଁଠି ଲାଗୁନଥାଏ ମୋର । ବାରମ୍ବାର ମ୍ୟାଡାମ୍ ଙ୍କର ଶୁଖିଲା ମୁହଁ ଟି ଆଖି ସାମ୍ନାରେ ନାଚିଯାଉଥାଏ । ଗୁଡ଼ାଏ ଏଣୁତେଣୁ ଭାବନା ମନକୁ ଆସୁଥାଏ । ବହୁତ କଷ୍ଟରେ ରାତିଟା ପାହିଗଲା । ମୁଁ ସକାଳୁ ନିଜ ଅଫିସ କୁ ଫୋନ କରି ଛୁଟି ନେଇଗଲି ଆଉ ନିଜର ନିତ୍ୟକର୍ମ ସାରି ବାହାରି ପଡ଼ିଲି ମ୍ୟାଡାମ୍ ଙ୍କ ଘରକୁ ।

କଲିଂ ବେଲ ବଜାଇଲି । ମ୍ୟାଡାମ୍ କବାଟ ଖୋଲିଲେ । କହିଲେ - ଆରେ ତମେ ହଠାତ !

ମୁଁ କହିଲି - ମ୍ୟାଡାମ୍ ମନେ ପଡିଗଲା ତ , ଦେଖିବାକୁ ଚାଲିଆସିଲି ।

ମ୍ୟାଡାମ୍ କିନ୍ତୁ ମୋ ମନ କଥାକୁ ଠିକ ପଢିପାରୁଥିଲେ । ହସିଦେଇ କହିଲେ - ଓଃ ମୋ ବିଷୟରେ ଜାଣିବାକୁ ବହୁତ ଆଗ୍ରହ ବୋଧହୁଏ ।

ମୁଁ ଟିକେ ସ୍ମିତହାସ୍ୟ ଦେଇ ଚୁପ ରହିଲି ।

ମ୍ୟାଡାମ୍ ମତେ ନେଇ ନିଜ ରୁମରେ ବସାଇଲେ ଏବଂ କହିଲେ - ମୁଁ ଟିକେ କାମ ସାରିଦିଏ , ବସିକି କଥା ହେବା । ମୁଁ ମୁଣ୍ଡ ହଲାଇ ହଁ ଭରିଲି । ମ୍ୟାଡାମ୍ ନିଜ କାମରେ ବ୍ୟସ୍ତ ରହିଲେ । ମୁଁ ବସି ସବୁ ଦେଖୁଥାଏ ।

ମ୍ୟାଡାମ୍ ଙ୍କର ଶାଶୂଘର ଲୋକ କହିଲେ ତାଙ୍କ ଶାଶୁ , ଶ୍ୱଶୁର, ସ୍ୱାମୀ ଆଉ ଜଣେ ନଣନ୍ଦ । ଶ୍ୱଶୁର ଟିକେ ଚୁପଚାପ ସ୍ୱଭାବର । ସ୍ୱାମୀ ଠିକ ଠାକ ହେଲେ ଟିକେ କମ୍ ସ୍ୱାଧୀନତା ଦିଅନ୍ତି ମ୍ୟାଡାମ୍ ଙ୍କୁ । କିନ୍ତୁ ଶାଶୁ ଆଉ ନଣନ୍ଦ ନିଜର ରୁକ୍ଷ କର୍କଶ କଥାରେ ଯେମିତି ତଣ୍ଟି କାଟିଦେବେ ଲାଗନ୍ତି । ମ୍ୟାଡାମ୍ ତର ତର ହେଇ ସବୁ କାମ ସାରିଦେଲେ ଆଉ ମତେ ନେଇ ଛାତ ଉପରକୁ ଗଲେ ।

ମୁଁ ପଚାରିଲି - ମ୍ୟାଡାମ୍ ଚାକିରୀ କାହିଁକି ଛାଡିଲେ ?

ମ୍ୟାଡାମ୍ ସଙ୍ଗେ ସଙ୍ଗେ କାନ୍ଦି ପକାଇଲେ ମୋ ପ୍ରଶ୍ନ ଶୁଣି ଆଉ ଅତି ଧୀର କଣ୍ଠରେ କହିଲେ - ଘରେ ସ୍ୱାମୀ ଚାହୁଁଥିଲେ ମୁଁ ଚାକିରୀ ଛାଡି ଘରେ ରହି ତାଙ୍କ ବାପା ଆଉ ମାଆଙ୍କର ଯତ୍ନ ନେବି ।

ମୁଁ କହିଲି - ସେମାନଙ୍କ ଯତ୍ନ ନେବାପାଇଁ ଚାକିରୀ ଛାଡିବା କଣ ଦରକାର ? ଚାକିରୀ କରି ମଧ୍ୟ ସେମାନଙ୍କ ଯତ୍ନ ନେଇହେବ । ବହୁତ ସ୍ତ୍ରୀ ଲୋକ ଚାକିରୀ କରି ମଧ୍ୟ ନିଜ ପରିବାରର ଯତ୍ନ ଖୁବ ଭଲ ଭାବରେ ନେଇପାରୁଛନ୍ତି । ସବୁ କାମକୁ ଠିକ ସେ ସମ୍ଭାଳି ନିଜ ଚାକିରୀକୁ ମଧ୍ୟ ସମ୍ଭାଳୁଛନ୍ତି ।

ମ୍ୟାଡାମ୍ ପୁଣି କହିଲେ - ମୋ ଶାଶୁ ଚାହୁଁନାହାନ୍ତି ଯେ ମୁଁ ଘର ଛାଡ଼ି ବାହାରକୁ ଯାଏ । ଘରର ବୋହୁ ବାହାରକୁ ଚାକିରୀ କରିବାକୁ ଗଲେ ତାଙ୍କୁ ଖରାପ ଲାଗୁଛି । ସେ କୁହନ୍ତି ଘରର ବୋହୁ ଘରକୋଣରେ ରହିବା କଥା ମୁଣ୍ଡରେ ହାତେ ଓଢଣୀ ଦେଇ । ଏବଂ କୁହନ୍ତି ଯେ ," ମୁଁ ବି ପାଠ ପଢ଼ିଛି କାଇଁ ମୁଁ ତ ଚାକିରୀ କରିନି । ମୋ ଶାଶୁ ମତେ ଚାକିରୀ କରିବାକୁ ଦେଇନଥିଲେ । ଆଉ ତୁ କଣ ଘରର ବୋହୁ ହେଇ ଯାଇ ବାହାରେ ଚାକିରୀ କରିବୁ ,ମୋ ପାଖେ ରହି କ୍ଷୀରି ପିଠା ତିଆରି କରିବା ଶିଖ, ଝୋଟି ଚିତା କରିବା ଶିଖ ,ଭବିଷ୍ୟତରେ କାମରେ ଆସିବ " ।

ଏସବୁ ଶୁଣି ମୁଁ କହିଲି - ଆଜିକାଲି ଗାଁ ଗହଳିର ଲୋକମାନେ ବି ନିଜ ଚିନ୍ତାଧାରା ଉନ୍ନତ କଲେଣି । ନିଜ ଘରର ଝିଅ ବୋହୁଙ୍କ ବୁଦ୍ଧି ବିଦ୍ୟାକୁ ପରଖି ସେମାନଙ୍କୁ ସ୍ୱାଧୀନ ଭାବରେ ନିଜ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସାହାଯ୍ୟ କଲେଣି । ହେଲେ ଆପଣଙ୍କ ଶାଶୁ ଏତେ ବଡ ଗୋଟେ ସହରରେ ରହି ମଧ୍ୟ ନିଜକୁ ଏବଂ ନିଜର ଚିନ୍ତାଧାରାକୁ ବିଲକୁଲ ଜଣେ ଗାଉଁଲି ଅପାଠୁଆ ଙ୍କ ପରି ପ୍ରଦର୍ଶନ କରିଛନ୍ତି ।

କଥା କଥାରେ ମାନସିକ ଯନ୍ତ୍ରଣା ଦେଉଛନ୍ତି ଆଉ ଆପଣଙ୍କୁ ଆକ୍ଷେପ କରୁଛନ୍ତି । ମୁଁ ଏଇ କିଛି ସମୟ ହେବ ଲକ୍ଷ କରୁଛି ଯେ ସେ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ପାରଦର୍ଶିତାକୁ ଭୟ କରୁଛନ୍ତି ଏବଂ ଆପଣଙ୍କୁ ସବୁ ଗୁଣରେ ନିଜ ଠାରୁ ଅଧିକା ଦେଖି ସେ ଇର୍ଷା କରୁଛନ୍ତି ମଧ୍ୟ । ସେ ଭୁଲି ଯାଉଛନ୍ତି ଯେ ସେ ବି କେବେ ଜଣେ ବୋହୁ ଥିଲେ ଆଉ ତାଙ୍କର ବି ଗୋଟେ ଝିଅ ଅଛି ଯିଏ କି କେବେ ନା କେବେ କାହାର ବୋହୁ ହେବ ।

ଆପଣଙ୍କ ସ୍ୱପ୍ନକୁ ଭାଙ୍ଗି ସେମାନେ କଣ ଲାଭ ପାଉଛନ୍ତି ?

ମ୍ୟାଡାମ୍ କହିଲେ - ଏସବୁ ମୋ ଭାଗ୍ୟରେ ଅଛି, ମୁଁ ଆଉ କଣ କରିବି ?

ମୁଁ ଉତ୍ତର ଦେଲି - ମ୍ୟାଡାମ୍ ଭାଗ୍ୟ ତ ଭଗବାନ ଲେଖିବେ କିନ୍ତୁ କର୍ମ ଆମ ହାତରେ । ଆମେ ଆମ କର୍ମ କରିବା ଉଚିତ । ଆଉ ଆପଣ ଯେ ପର୍ଯ୍ୟନ୍ତ ନିଜ ମନକୁ ଖୁସି ଦେଇନାହାନ୍ତି,ନିଜର ଯତ୍ନ ନେଇପାରିନାହାନ୍ତି, ନିଜର ସ୍ୱପ୍ନକୁ ସାକାର କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣ ଆଉ କାହାର ବି ଠିକ ସେ ଯତ୍ନ ନେଇପାରିବେ ନାହିଁ । କୋଉଠି ନା କୋଉଠି ତ୍ରୁଟି ରହିବ । ଆପଣ ନିଜକୁ ତିଳ ତିଳ କରି ଯେତେ ଜାଳିଲେ ବି ଏ ଦୁନିଆ ଆପଣଙ୍କୁ କେବେବି ପୁରାପୁରି ଠିକ ଭାବିବନାହିଁ । ସମସ୍ତଙ୍କ ଆତ୍ମାରେ ଈଶ୍ୱର ବିଦ୍ୟମାନ । ତେଣୁ ଆପଣଙ୍କର କୌଣସି ଅଧିକାର ନାହିଁ ଯେ ଆପଣ ନିଜ ଆତ୍ମାକୁ କଷ୍ଟ ଦେବେ । ନିଜ ସ୍ବପ୍ନ କୁ ଅଧୁରା ଛାଡିବେ । ଯେତେବେଳେ ଆମେ ଏରୋପ୍ଲେନ ରେ ବସିଥାଉ ସେତେବେଳେ ନାରୀ ଆମନ୍ତ୍ରକ ମାନେ କଣ ବୁଝାନ୍ତି , ଯେ ଏରୋପ୍ଲେନରେ କିଛି ଦୁର୍ଘଟଣାର ସୂଚନା ମିଳିଲେ ପ୍ରଥମେ ନିଜେ ନିଜର ଅକ୍ସଇଜେନ ମୁଖା ପିନ୍ଧନ୍ତୁ ଏବଂ ପରେ ଅନ୍ୟକୁ ପିନ୍ଧାନ୍ତୁ । ଏହାର କାରଣ ସ୍ୱାର୍ଥପରତା ନୁହେଁ ବରଂ ନିଜେ ବଞ୍ଚିଥିଲେ ଅନ୍ୟ ମାନଙ୍କୁ ବଞ୍ଚେଇପାରିବା । ଠିକ ସେଇଭଳି ଆପଣ ଯଦି ଅଧ୍ୟାପିକା ଭାବରେ ଚାକିରୀ କରିବେ ତେବେ ଆପଣଙ୍କ ଦିବ୍ୟଜ୍ଞାନ ଜରିଆରେ ଆପଣ ଲକ୍ଷ ଲକ୍ଷ ପିଲାଙ୍କୁ ଜ୍ଞାନ ବାଣ୍ଟି ପାରିବେ । ବହୁତ ଲୋକଙ୍କର ଅନ୍ଧକାର ଦୂର କରିପାରିବେ । ଆଉ ନିଜର ସ୍ୱପ୍ନକୁ ପୁରା କରିପାରିବେ । ତା ସହିତ ମଧ୍ୟ ଆପଣ ନିଜ ଶାଶୁ ଶ୍ୱଶୁର ଏବଂ ପୁରା ପରିବାରର ଯତ୍ନ ନେଇପାରିବେ କାରଣ ଆପଣ ନିଜେ ଖୁସି ରହିଲେ ଆପେ ଆପେ ନିଜର ଶକ୍ତିକୁ ଦ୍ୱିଗୁଣିତ କରିପାରିବେ ।

ମୋ କଥା ଶୁଣି ସୁକନ୍ୟା ମ୍ୟାଡାମ୍ କହିଲେ - ହେଲେ ଏସବୁ କଥା ମୋ ଶାଶୁ କି ମୋ ସ୍ୱାମୀ କେମିତି ବୁଝିବେ ? ସେମାନେ ଏସବୁ ବୁଝିପାରୁଥିଲେ କଣ ମତେ ଚାକିରୀ ଛାଡିବାକୁ ବାଧ୍ୟ କରିଥାନ୍ତେ ।

ମୁଁ କହିଲି - ମୁଁ ଅଛି ନା । ଚେଷ୍ଟା କଲେ ସବୁ ସମ୍ଭବ । ମ୍ୟାଡାମ୍ ଙ୍କୁ ଭରସା ଦେଇ ମୁଁ ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଗଲି ।

ତାଙ୍କ ସ୍ୱାମୀ ପେସାରେ ଜଣେ ପୋଲିସ ଅଫିସର । ମୁଁ ଧୀରେ ଧୀରେ ତାଙ୍କ ପାଖୁ ଯାଇ କହିଲି - ସାର ନମସ୍କାର । ମୁଁ ସୁକନ୍ୟା ମ୍ୟାଡାମ୍ ଙ୍କର ଜଣେ ଛାତ୍ରୀ । ଆପଣଙ୍କ ସହିତ କିଛି କଥା ଅଛି ।

ସାର କହିଲେ - ଠିକ ଅଛି କୁହ ।

ମୁଁ ଆରମ୍ଭ କଲି - ସାର ଆପଣ ପୋଲିସ ଚାକିରୀ କାହିଁକି କଲେ ? ଅନ୍ୟକିଛି ଚାକିରୀ କଲେନି ।

ସାର ଉତ୍ତର ଦେଲେ - ମୋର ପିଲାଟି ଦିନରୁ ସ୍ବପ୍ନ ଥିଲା ପୋଲିସ ହେବା ପାଇଁ ଆଉ ବାପା ମାଆ ଙ୍କର ବି ଇଛା ଥିଲା ଯେ ପୁଅ ସରକାରୀ ଚାକିରୀଟିଏ ପାଉ । ସେଥିପାଇଁ ମୁଁ ଦିନରାତି ଏକ କରି ପାଠ ପଢି ଚାକିରୀ ପାଇଛି ।

ମୁଁ ସ୍ମିତହାସ୍ୟ ଦେଇ ପୁଣି ପଚାରିଲି - ସାର ଯଦି କୌଣସି ପରିସ୍ଥିତିରେ ଆପଣଙ୍କୁ ନିଜ ପରିବାର ପାଇଁ ଚାକିରୀ ଛାଡିବାକୁ ପଡେ ତେବେ ଆପଣ କଣ କରିବେ ?

ସାର କହିଲେ - ସବୁ ପରିସ୍ଥିତିର କିଛି ନା କିଛି ସମାଧାନ ଥିବ ନିଶ୍ଚିତ । ଚାକିରୀ ଛାଡିବା କଣ ଦରକାର ? ତାଛଡା ମୁଁ ବହୁତ କଷ୍ଟରେ ପାଠ ପଢି ଚାକିରୀ ପାଇଛି ସେଥିପାଇଁ ଯେ କୌଣସି ପରିସ୍ଥିତି ଆସିଲେ ବି ମୁଁ ତାପାଇଁ କିଛି ନା କିଛି ବାଟ ନିଶ୍ଚୟ ବାହାର କରିବି । ଚେଷ୍ଟା ରେ ଅସାଧ୍ୟ ଦୁନିଆରେ କିଛି ନାହିଁ ।

ସେତେବେଳକୁ ମତେ ସାରଙ୍କୁ ମ୍ୟାଡାମ୍ ଙ୍କ ବିଷୟରେ ବୁଝେଇବା ପାଇଁ କିଛି ରାସ୍ତା ମିଳିସାରିଥିଲା । ମୁଁ ପଚାରିଲି - ସାର ତେବେ ମ୍ୟାଡାମ୍ କାହିଁକି ଚାକିରୀ ଛାଡିଲେ ? ସେ ତ ବହୁତ କୃତି ଅଧ୍ୟାପିକା ଥିଲେ । ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସବୁଥିରେ ଖୁବ ଭଲ ନମ୍ବର ରଖିଥିଲେ । ହେଲେ................

ଏତିକି ପଚାରି ମୁଁ ଚୁପ ରହିଲି ।

ସାର କହିଲେ - ସେ ଝିଅ ପିଲା , ଘରେ ରହିଲେ ଭଲ ବୋଲି ମାଆ କହିଲେ । ସେଥିପାଇଁ ସେ ଚାକିରୀ ଛାଡିଦେଲା । ତାଛଡା ମୁଁ ତ ଚାକିରୀ କରିଛି । ତାର ଚାକିରୀ କରିବା କଣ ଦରକାର ?

ମୁଁ ଟିକେ ରାଗିଯାଇ ଆରମ୍ଭ କଲି କହିବା - ସାର ଈଶ୍ୱର ଝିଅଙ୍କୁ କଣ ପଥର କରି ତିଆରି କରିଛନ୍ତି ? ସେମାନଙ୍କର ମନ,ହୃଦୟ ବୋଲି କିଛି ନାହିଁ । ସେମାନେ କେବଳ ବିବାହ କରିବେ ଆଉ ପିଲା ଜନ୍ମ କରିବେ ବାସ । ସେମାନଙ୍କ ପରିଶ୍ରମର ମୂଲ୍ୟ କଣ କିଛି ନାହିଁ । ସେମାନଙ୍କର ଜୀବନ କଣ ଘର କୋଣର ଗୋଟେ ଝାଡୁ ସଦୃଶ୍ୟ ? ସେମାନେ କଣ ସ୍ବପ୍ନ ଦେଖିପାରିବେ ନାହିଁ ? ତାଙ୍କର କଣ ଦୁନିଆରେ କିଛି ଅଧିକାର ନାହିଁ ? ଏମିତି ଅନେକ କିଛି କହିଚାଲିଲି ଏକା ନିଶ୍ୱାସରେ.......

ସାର ବିସ୍ମିତ ହେଇ ମତେ ପଚାରିଲେ - ଆରେ ତୁମର କଣ ହେଲା ? ଏତେ ରାଗ ହଠାତ !

ମୁଁ ଦୀର୍ଘନିଶ୍ୱାସ ଛାଡି ନିଜକୁ ସମ୍ଭାଳି ଧୀର କଣ୍ଠରେ ଆରମ୍ଭ କଲି - ସାର ଆପଣ ପାଠ ପଢା ପାଇଁ ଯେତିକି ପରିଶ୍ରମ କରିଛନ୍ତି ଠିକ ସେତିକି ପରିଶ୍ରମ ମ୍ୟାଡାମ ମଧ୍ୟ କରିଛନ୍ତି । ଆପଣ ପରୀକ୍ଷା ସମୟରେ ଯେମିତି ରାତି ଦିନ ଅନିଦ୍ରା ହେଇ ପାଠ ପଢୁଥିବେ ଠିକ ସେଇଭଳି ମ୍ୟାଡାମ୍ ମଧ୍ୟ ନିଜ ପରୀକ୍ଷା ପାଇଁ ରାତି ରାତି ଅନିଦ୍ରା ହେଇଥିବେ । ପରୀକ୍ଷାରେ ଭଲ ରେଜଲ୍ଟ ଦେଖି ଆପଣ ଯେତିକି ଖୁସି ହେଇଥିବେ ସେତିକି ଖୁସି ମ୍ୟାଡାମ୍ ମଧ୍ୟ ହେଇଥିବେ ଯେତେବେଳେ ତାଙ୍କ ରେଜଲ୍ଟ ଆସିଥିବ । ଆପଣଙ୍କ ବାପା ମାଆ ଙ୍କ ପରି ମ୍ୟାଡାମ୍ ଙ୍କର ବାପା ମାଆ ମଧ୍ୟ ମ୍ୟାଡାମ୍ ଙ୍କପାଇଁ ବହୁତ ସ୍ବପ୍ନ ଦେଖିଥିବେ । ଆପଣଙ୍କ ପାଠପଢା ପାଇଁ ଆପଣଙ୍କ ବାପା ,ମାଆ ଯେମିତି ଟଙ୍କା ଖର୍ଚ୍ଚ କରିଥିବେ ଠିକ ସେଇଭଳି ମ୍ୟାଡାମ୍ ଙ୍କର ପାଠପଢା ପାଇଁ ତାଙ୍କ ବାପା ,ମାଆ ଟଙ୍କା ଖର୍ଚ୍ଚ କରିଥିବେ । ସ୍କୁଲରେ ପାଠ ଭୁଲ ହେଲେ ଆପଣ ଯେମିତି ଶିକ୍ଷକ ମାନଙ୍କଠାରୁ ଗାଳି ଶୁଣିଥିବେ ଠିକ ସେଇଭଳି ମ୍ୟାଡାମ୍ ମଧ୍ୟ ବହୁତ ବାର ଗାଳି ଶୁଣିଥିବେ ।

ଯଦି ଦୁଇଟି ମଣିଷଙ୍କର ପରିଶ୍ରମ ଏକା, ତେବେ ଫଳ କାହିଁକି ଅଲଗା ? ସମାନ କଷ୍ଟ କରି ଯଦି ଦୁଇଜଣ ନିଜ ସ୍ୱପ୍ନରେ ପହଞ୍ଚିବେ ଆଉ ସେତେବେଳେ ଜଣେ ନିଜ ସ୍ୱପ୍ନକୁ ଆଗକୁ ବଢ଼ାଇବ ଆଉ ଅନ୍ୟ ଜଣେ ନିଜ ସ୍ୱପ୍ନକୁ କବର ଦେଇଦେବ ତାହା କେତେ ଦୂର ଠିକ ?

ପରିଶ୍ରମ ଯଦି ସମାନ ତେବେ ମୂଲ୍ୟ ମଧ୍ୟ ସମାନ ହେବା ଆବଶ୍ୟକ ।

ମୁଁ ପୁଣି କହିଲି - ସାର ଯଦି କେହି ଆପଣଙ୍କ ସ୍ବପ୍ନ ଭାଙ୍ଗିବା କଥା କହୁଛନ୍ତି ତେବେ ଆପଣ ସଙ୍ଗେ ସଙ୍ଗେ ପରିସ୍ଥିତିର ମୁକାବିଲା କରିବାକୁ ଆଗେଇ ଆସୁଛନ୍ତି ସେଇଭଳି ମ୍ୟାଡାମ୍ ଙ୍କ ସ୍ବପ୍ନ ସାକାର କରିବା କଣ ଆପଣଙ୍କ କର୍ତ୍ତବ୍ୟ ନୁହେଁ ? ଆପଣ ଆପଣଙ୍କ ବାପା,ମାଆ ଆଉ ପରିବାର କଥା ଚିନ୍ତା କରି ମ୍ୟାଡାମ୍ ଙ୍କ ସ୍ବପ୍ନ ,ଆକାଂକ୍ଷା କୁ ବଳି ପକାଉଛନ୍ତି । ଆପଣଙ୍କ ବାପା,ମାଆ ଆଉ ପରିବାରଙ୍କ ଦାୟିତ୍ୱ ନେବା କଣ ଖାଲି ମ୍ୟାଡାମ୍ ଙ୍କ କର୍ତ୍ତବ୍ୟ ଆଉ ଆପଣଙ୍କ କର୍ତ୍ତବ୍ୟ ନୁହେଁ ? ମ୍ୟାଡାମ୍ ଙ୍କର ବି ବାପା,ମାଆ ଅଛନ୍ତି । ମ୍ୟାଡାମ୍ କଣ ସବୁ ସମୟରେ ତାଙ୍କ ପାଖେ ରହି ତାଙ୍କ କର୍ତ୍ତବ୍ୟ କରିପାରୁଛନ୍ତି । ସେମାନଙ୍କର ବି ଅଧିକାର ଅଛି ନିଜ ଝିଅ ଉପରେ । ତେବେ ଆପଣ ଆଉ ମ୍ୟାଡାମ୍ ମିଶି କଣ ଦୁଇ ପରିବାରଙ୍କର ଯତ୍ନ ନେଇ ପାରିବେ ନାହିଁ । କାହାର ଯତ୍ନ ନେବାର ଅର୍ଥ ନୁହେଁ ଯେ କେବଳ ଗୋଟେ ପରିବାର ପାଇଁ ନିଜର ଅନ୍ୟମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ କୁ ଭୁଲିଯିବା, କର୍ତ୍ତବ୍ୟ ତ ଆମର ସାରା ସଂସାର ପାଇଁ ଅଛି । ତେବେ ଆମେ କଣ ପୁରା ସଂସାରର ସମସ୍ତଙ୍କ ପାଖରେ ପୁରା ସମୟ ଦେଇପାରିବା । ସେଥିପାଇଁ କିଛି ସମୟ ନିଜ ପାଇଁ ଦେଲେ ଯଦି ଅଧିକାଂଶ ଲୋକଙ୍କର ମଙ୍ଗଳ ହେଉଛି ତେବେ ଏହା କରିବା ଉଚିତ । କର୍ତ୍ତବ୍ୟର ଅର୍ଥ ନୁହେଁ ଯେ ପୁରୁଣା ଯୁଗର ରୀତିନୀତିକୁ ଅନୁସରଣ କରିବା । କର୍ତ୍ତବ୍ୟର ଅର୍ଥ ସମସ୍ତଙ୍କର କଲ୍ୟାଣ କରିବା,ସମସ୍ତଙ୍କୁ ସାହାଯ୍ୟ କରିବା, ବୃଦ୍ଧ ବାପା ମାଆଙ୍କର ଖାଇବା ପିଇବା ବୁଝିବା,ସେମାନଙ୍କ ଆବଶ୍ୟକୀୟ ଜିନିଷ ଆଣି ତାଙ୍କୁ ଦେବା,ସେମାନଙ୍କୁ ପରିଶ୍ରମ ଜନିତ କାର୍ଯ୍ୟରୁ ବିଶ୍ରାମ ଦେବା,ସେମାନଙ୍କ ଦେହ ଖରାପରେ ଔଷଧ ଯୋଗାଇବା,ସେମାନଙ୍କ ରହିବା ପାଇଁ ଉତ୍ତମ ବାତାବରଣ ଯୋଗାଇବା ଇତ୍ୟାଦି । ଏହାର ଅର୍ଥ ନୁହେଁ ଯେ ନିଜର ସ୍ୱପ୍ନକୁ ପଛରେ ଛାଡ଼ିଦେବା ।

ଆପଣ ଆଉ ମ୍ୟାଡାମ୍ ମିଶି ଏସବୁ ଠିକ ଭାବରେ ତୁଲେଇ ପାରିବେ । ମ୍ୟାଡାମ୍ ଯଦି ଆଉଥରେ ଚାକିରୀରେ ଯୋଗ ଦେବେ ତାହାଲେ ସେ ନିଜର ଆଉ ପରିବାର ବ୍ୟତୀତ ଆହୁରି ବହୁତ ଲୋକଙ୍କର ଯତ୍ନ ଠିକ ଭାବରେ ନେଇପାରିବେ । ସେ ନିଜର ମାନସିକ ଅବସାଦ ଭିତରୁ ମଧ୍ୟ ବାହାରି ପାରିବେ । ତାଙ୍କ ଅଧିକାର ତାଙ୍କୁ ଦିଅନ୍ତି । ତାଙ୍କ ସ୍ବପ ପୁରା କରିବା ପାଇଁ ତାଙ୍କୁ ଆପଣଙ୍କ ସାହାଯ୍ୟ ଆଉ ମନବଳ ଆବଶ୍ୟକ ।

ଆପଣ ଆଖି ଖୋଲି ଦେଖନ୍ତୁ ଦୁନିଆରେ ବହୁତ ସ୍ତ୍ରୀ ନିଜର ସ୍ବପ୍ନ ସହିତ ପରିବାରର ଯତ୍ନ ମଧ୍ୟ ନେଉଛନ୍ତି । ମ୍ୟାଡାମ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ହେଇପାରିବେ ।

ଏସବୁ ଶୁଣି ସାର ଦୀର୍ଘନିଶ୍ୱାସ ଛାଡ଼ି କହିଲେ - ତୁମେ ମୋର ଆଖି ଖୋଲି ଦେଲ । ସତରେ ମୁଁ କେବେ ତାର ସ୍ବପ୍ନ ବିଷୟରେ ଚିନ୍ତା ହିଁ କରିନି । ସେ ବି ଗୋଟେ ମଣିଷ । ସେ ବି ଠିକ ମୋ ଭଳି ବହୁତ ପରିଶ୍ରମ କରି ନିଜର ଦକ୍ଷତା ହାସଲ କରିଥିବ । ସେ ବି ମୋ ଭଳି ସ୍କୁଲରେ ଗାଳି ଶୁଣିଥିବ,ରାତି ରାତି ନିଜ ପରୀକ୍ଷା ପାଇଁ ଅନିଦ୍ରା ରହିଥିବ ଆଉ ଜୀବନରେ କିଛି ଗୋଟାଏ କରିବ ବୋଲି ଆଶା ପୋଷଣ କରିଥିବ । ମୁଁ ଆଗାମୀ ଜୀବନରେ ତାକୁ ନିଶ୍ଚିତ ସମର୍ଥନ କରିବି ଆଉ ତାର ସ୍ବପ୍ନ ପୁରା ହେବା ପାଇଁ ତାକୁ ପ୍ରେରଣା ଦେବି ।

ମୁଁ ସାରଙ୍କ କଥାରେ ଟିକେ ଆଶ୍ୱସ୍ତି ଲାଭ କଲି । ଅଳ୍ପ ହସି ମ୍ୟାଡାମ୍ ଙ୍କ ଶାଶୁଙ୍କ ପାଖକୁ ଚାଲିଲି ।

ଶାଶୁ ମା ବସି ପାନ ଭାଙ୍ଗୁଥିଲେ । ମୁଁ ପ୍ରଣାମ କଲି । ନିଜର ପରିଚୟ ଦେଲି । ଏବଂ ତାଙ୍କୁ କହିଲି - ମାଆ ଆପଣ ଜଣେ କମ ପାଠପଢ଼ା ଝିଅକୁ ନିଜର ବୋହୁ କଲେନି ଯେମିତିକି ସାମାନ୍ୟ ଦଶମ ପାସ କରିଥିବ ।

ଶାଶୁ ମା ଉତ୍ତର ଦେଲେ - ଛି ଛି ମୋ ପୁଅ ଏତେ ପାଠ ପଢ଼ିଛି । ଏତେ ବଡ ସରକାରୀ ଚାକିରୀ କରିଛି । ବୋହୁ ଟା ଅଧିକା ପାଠ ନପଢିଥିଲେ ଲୋକେ କଣ କହିବେ । ମୁଁ ମନେ ମନେ ଭାବିଲି ଅଜବ ଶାଶୁ ତ ! ବୋହୁ ବହୁତ ପାଠ ପଢ଼ିଥାଉ କିନ୍ତୁ ଚାକିରୀ ନକରି ଘର କୋଣରେ ଲୁଚି ରହୁ । ଏ କି ଚିନ୍ତାଧାରା ଏ ଶାଶୁ ମାଆଙ୍କର ।

ମୁଁ ପଚାରିଲି - ମାଆ ମ୍ୟାଡାମ୍ ବହୁତ ଭଲ ଗଣିତ ପଢ଼ାନ୍ତି । ସେ ଚାକିରୀ କାହିଁକି ଛାଡିଲେ ?

ଶାଶୁ ମା କହିଲେ - ବୋହୁ ଟା ବାହାରକୁ ଯିବ କଣ ? ଛି ଛି ଲୋକେ କଣ କହିବେ ? ଘରେ ରହି ପିଲା ଛୁଆ କରି ଘର ସମ୍ଭାଳିବ ନା ।

ମୁଁ କଣ ପାଠ ପଢିନି କାଇଁ ମୁଁ ତ ଚାକିରୀ କରିନି ? ସେ ଚାକିରୀ କରିବାକୁ ଗଲେ ଦିନକୁ ଦୁଇ ଥର ମୋ ଗୋଡ଼ ଧୁଆ ପାଣି କିଏ ପାଇବ ? ସେ ମୋ ଗୋଡ଼ ଧୁଆ ପାଣି ଟୋପେ ପାଇଲେ ସିନା ତାର ମଙ୍ଗଳ ହେବ । ଏମିତି ବହୁତ ପୁରୁଣା ରୀତିନୀତି ଶୁଣାଇଲେ । ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲି ଆଉ ଭାବିଲି ଅନ୍ଧ ବିଶ୍ୱାସରେ ଆଜିବି ଲୋକମାନେ ବୁଡି ରହିଛନ୍ତି ।

ମୁଁ କହିଲି - ମାଆ ଆପଣ ବି ଦିନେ ବୋହୁ ଥିଲେ । ଆପଣଙ୍କ ଶାଶୁ ଯେତେବେଳେ ଆପଣଙ୍କ ସ୍ବପ ଭାଙ୍ଗୁଥିବେ ଆପଣଙ୍କୁ ବି ବହୁତ କଷ୍ଟ ହେଉଥିବ । ଆପଣ ନିଜ ପରିସ୍ଥିତିକୁ ଅନୁଭବ କରିପାରୁଥିବେ ଭଲଭାବେ । ଆଜି ମଧ୍ୟ ସବୁ ଜାଣିଶୁଣି ନିଜ ବୋହୁ ଉପରେ ଏତେ ଅନ୍ୟାୟ କେମିତି କରୁଛନ୍ତି । ଦୁନିଆରେ ପ୍ରତ୍ୟେକ ଝିଅ ନିଜ ଘରେ ଅତି ଅଲିଅଳିରେ ବଢ଼ିଥାନ୍ତି । ଖୁବ ଗେଲବସର ହେଇଥାନ୍ତି କିନ୍ତୁ ବାହାଘର ପରେ ସେମାନେ ହେଇଯାଆନ୍ତି ଅଲୋଡ଼ା । ପିଢ଼ି ପରେ ପିଢ଼ି ଏମିତି ଚାଲେ । ସେଇ ଝିଅ ଯେତେବେଳେ ବୋହୁ ଟିଏ ହୁଏ ଶାଶୁଙ୍କ ଠାରୁ ଯନ୍ତ୍ରଣା ସହେ । ସେଇ ବୋହୁ ପୁଣି ଯେତେବେଳେ ଶାଶୁ ହୁଏ ସେ ମଧ୍ୟ ନିଜ ବୋହୂକୁ ଯନ୍ତ୍ରଣା ଦେଇଚାଲେ । ଝିଅଟିଏ ହେଇ ଯଦି ରାଣୀ ଲଷ୍ମୀବାଇ ଦେଶପାଇଁ ଲଢ଼ି ପାରିଲେ ତେବେ ଆଜିର ନାରୀ କଣ ନିଜେ ସ୍ୱାବଲମ୍ବୀ ହେଇ ନିଜର ସ୍ବପ୍ନ ପୂରଣ କରିପାରିବ ନାହିଁ । ସେଇଥିପାଇଁ କହୁଛି ମାଆ ଦୟାକରି ନିଜ ବୋହୁ କୁ ବୋହୁ ନୁହେଁ ନିଜର ଝିଅଟିଏ ଭାବି ତାର ସ୍ବପ୍ନ ପୁରା କରିବାରେ ସାହାଯ୍ୟ କରନ୍ତୁ । କାଲି ଯେତେବେଳେ ମ୍ୟାଡାମ୍ ନିଜର ଦକ୍ଷତା ପାଇଁ କେଉଁଠୁ ପୁରସ୍କୃତ ହେବେ ସେତେବେଳେ ଆପଣ ନିଶ୍ଚିତ ଗର୍ବ ଅନୁଭବ କରିବେ ଆଉ କହିବେ - ଦେଖ ଏ ମୋ ବୋହୁ ।

ଶେଷରେ ମ୍ୟାଡାମ୍ ଙ୍କ ଶାଶୁ ମୋ କଥାରେ ଏକମତ ହେଲେ ଆଉ ସମସ୍ତେ ମିଶି ମ୍ୟାଡାମ୍ ଙ୍କୁ ନିଜର ଲକ୍ଷସ୍ଥଳରେ ପହଞ୍ଚିବାକୁ ସାହାଯ୍ୟ କଲେ । ଆର ସପ୍ତାହ ଠାରୁ ମ୍ୟାଡାମ୍ ଆଉଥରେ କଲେଜ ରେ ଯୋଗ ଦେବେ ଗଣିତ ଅଧ୍ୟାପିକା ଭାବରେ । ମ୍ୟାଡାମ୍ ତ ବହୁତ ଖୁସି । ଆଉ ଆପଣମାନେ ?

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ -୭୫୩୦୧୦

Ph-9438175930

ସୁକନ୍ୟା ରୋଜୁ ଶାଶୁ ମା

Rate the content


Originality
Flow
Language
Cover design

Comments

Post

Some text some message..