Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Tragedy

4.2  

Lipi Sahoo

Tragedy

ସେଇ ଭଦ୍ରବ୍ୟକ୍ତି

ସେଇ ଭଦ୍ରବ୍ୟକ୍ତି

9 mins
361


ପଶ୍ଚିମ ଆକାଶ ରେ ଅସ୍ତରାଗ ବୁଣି ବୁଡି ଯାଉଥିବା ସୂର୍ଯ୍ୟ ସାମାନ୍ୟ ଅନ୍ୟମନସ୍କ କରି ଦେଇଥିଲା ଅରୁଣିମା ଙ୍କୁ । ଠିକ୍ ଏଇ ସମୟରେ ପାର୍କ ର ବଉଳ ଗଛ ତଳ ସିମେଣ୍ଟ ବେଞ୍ଚ ରେ ସବୁଦିନେ ଆସି ବସନ୍ତି ସେ । ଏକାନ୍ତ ନିଃସଙ୍ଗ ଜୀବନରେ ଏଇ କିଛି ମୁହୂର୍ତ୍ତ ସେ କାଟନ୍ତି କୋଳାହଳ ଭିତରେ । ଖୁବ୍ ଭଲ ଲାଗେ ଏଠି ଆସି ବସିବାକୁ । କିଛି ଆଳାପ ହେଇଯାଏ ପରିଚିତ ଲୋକ ମାନଙ୍କ ସହ ଆଉ ବସି ବସି ପରଖନ୍ତି ବିବିଧ ଜୀବନ ସ୍ରୋତ ମାନଙ୍କୁ । ଦୀର୍ଘ ଛଅ ବର୍ଷ ହେବ ତାଙ୍କୁ ନିଃସଙ୍ଗ କରି ଦିଗନ୍ତ ହଠାତ୍ ଦିନେ ଅଧା ବାଟରେ ହାତ ଛାଡି ଚାଲିଗଲେ ସେଇ ଅଫେରା ରାଇଜକୁ । ଆଉ ପିଲାମାନ !! ଠିକ୍ ପକ୍ଷୀ ଶାବକ ଭଳି ଯେତେବେଳେ ଉଡ଼ିବା ଶିଖି ଗଲେ ମୁକ୍ତ ଆକାଶ ରେ ସେମାନେ କାହିଁକି ବା ଫେରି ଚାହିଁଥାନ୍ତେ ପୁରୁଣା ନୀଡ଼ କୁ ?? ଅରୁଣିମା ଙ୍କ ପୁଅ ଆଉ ଝିଅ ଦୁଇଜଣ ଯାକ ଏବେ ବିଦେଶରେ । ନିଜ ନିଜ ପରିବାର କୁ ନେଇ ବ୍ୟସ୍ତ । ହେବା ବି ସ୍ୱଭାବିକ । ସେ ହିଁ ତ ନିଜେ ଚାହିଁ ଥିଲେ ପିଲାମାନେ ବଡ଼ ଚାକିରୀ କରନ୍ତୁ ଆଉ ବିଦେଶ ରେ ରୁହନ୍ତୁ । ସେ କ'ଣ କେବେ ସ୍ୱପ୍ନରେ ସୁଧା ଭାବିଥିଲେ ଦିଗନ୍ତ ଏମିତି ତାଙ୍କୁ ଏକା କରି ଚାଲିଯିବେ ??? ବରଂ ସେ ତ ଭାବିଥିଲେ ସବୁ ଦାୟିତ୍ଵ ସରିଗଲା ପରେ ସେ ଦୁହେଁ ଉଡି ବୁଲିଥାନ୍ତେ ନୀଳ ଆକାଶ ରେ ମୁକ୍ତ ବିହଙ୍ଗ ପରି । ହେଲେ ସେ ଚାଲିଗଲା ପରେ ଅରୁଣିମା ବିଲକୁଲ ଏକୁଟିଆ ହେଇ ଯାଇଛନ୍ତି । ଏମିତି ନୁହଁ କି ପିଲାମାନେ ଜିଦ୍ କରି ନାହାନ୍ତି ସେମାନଙ୍କ ପାଖକୁ ନେଇ ଯିବାକୁ । ସେ ଯାଇ ବି ଥିଲେ । ହେଲେ ସେଠିକା ଜୀବନ ତାଙ୍କୁ ଏକବାରେ ଅଣନିଃଶ୍ବାସୀ କରି ପକେଇଲା । ନିଜ ଘର ଆଉ ନିଜ ମାଟି ହାତଠାରି ଡାକିଲା ବାର ବାର । ସେ ଚାଲି ଆସିଲେ ସେଠାରୁ । 


                 ହେଲେ ତାଙ୍କର ସବୁ ଅଭିଯୋଗ ଦିଗନ୍ତ ଙ୍କ ଉପରେ । କ'ଣ ଦରକାର ଥିଲା ଏତେ ଶିଘ୍ର ତାଙ୍କୁ ଛାଡି ଚାଲିଯିବା ?? ଷାଠିଏ ବର୍ଷ କ'ଣ ଗୋଟେ ବୟସ ?? ଆଜି ବି ଆସି ଯଦି ଥରେ ହାତ ବଢ଼େଇ ଡାକି ଦିଅନ୍ତେ ଚାଲ ମୋ ସାଙ୍ଗରେ ତମର ଏଠି ଏକୁଟିଆ ରହିବା କିଛି ଦରକାର ନାହିଁ । ସେ ଖୁସି ଖୁସି ହାତ ବଢ଼େଇ ଦିଅନ୍ତେ । ସତ କୁ ସତ ଅନ୍ୟମନସ୍କ ଭାବରେ ସେ ହାତ ବଢ଼େଇ ଦେଇଥିଲେ । ହଠାତ୍ ଚମକି ପଡିଲେ ତାଙ୍କ ହାତରେ କାହାର ଏକ ହାତର ସ୍ପର୍ଶ ପାଇ । ଅନେଇ ଦେଖିଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କ ହାତ ଧରିଛନ୍ତି ।


                   ଅରୁଣିମା ଫଟାକ୍ ସେ ନିଜ ହାତକୁ ଟାଣି ଆଣିଲେ । ସେ ଭଦ୍ରବ୍ୟକ୍ତି ବି କାଳବିଳମ୍ବ ନକରି କହିଲେ ମ୍ୟାଡାମ୍ ଆପଣ ହଠାତ୍ ଏମିତି ହାତ ବଢେଇଲେ ଯେ ମୁଁ ଭାବିଲି ଆପଣ ବୋଧ ହୁଏ ଉଠିବାକୁ ଚେଷ୍ଟା କରୁଛନ୍ତି ହେଲେ ଉଠି ପାରୁ ନାହାଁନ୍ତି । ସେଇଥି ପାଇଁ , ମୁଁ ଆପଣଙ୍କୁ ଉଠେଇ ଦେବି ବୋଲି ହାତ କୁ ଧରି ପକେଇଲି । ଏଇ ବୟସରେ ଏମିତି ପ୍ରୋବଲେମ୍ ହୁଏ । ଅରୁଣିମା ଖୁବ୍ ଅପ୍ରସ୍ତୁତ ହେଇ ପଡିଥିଲେ ଆଉ ବିରକ୍ତ ବି । ଥରେ ଚାରିଆଡେ ଆଖି ବୁଲେଇ ଆଣିଲେ । କିଏ ଦେଖି ନାହାନ୍ତି ତ ?? 

                   ଅଳ୍ପ ଦୂରରେ ଆଉ ଗୋଟିଏ ବେଞ୍ଚ ଉପରେ ବସିଥିବା ଅନୀତା ଘଟଣାଟି କୁ ସହଜ କରିବା ପାଇଁ ହସି ହସି କହିଲା , ରାଓ ଅଙ୍କଲ୍ ଅରୁ ଆଣ୍ଟି ଏବେ ବି ଖୁବ୍ ଷ୍ଟ୍ରଙ୍ଗ ଅଛନ୍ତି । ପାର୍କ ରେ ଚାରି ରାଉଣ୍ଡ ମାରି ପାରିବେ । ଆଣ୍ଟି ଇୟେ ହେଉଛନ୍ତି ବିଶ୍ୱନାଥ ରାଓ ଅଙ୍କଲ୍ । ଆମ ପଡ଼ୋଶୀ N29 ରେ ଆସି ରହୁଛନ୍ତି । ଅଳ୍ପ ଦିନ ହେଲା ଆସିଛନ୍ତି । ହେଲେ ଅରୁଣିମା ଜମା ସହଜ ହେଇ ପାରୁ ନଥିଲେ । ତର ତର ହେଇ ରାଓ ବାବୁଙ୍କୁ ହାତ ଯୋଡ଼ି ନମସ୍କାର କରି କହିଲେ ମୋର ଡେରି ହେଇ ଯାଉଛି.... ମୁଁ ଆସୁଛି । ଏକ ନିଃଶ୍ୱାସ ରେ ପାର୍କ ରୁ ବାହାରି ଆସିଲେ ।


                   ପର ଦିନ ଠିକ୍ ସେଇ ସମୟରେ ଅରୁଣିମା ପାର୍କ କୁ ଯାଇ ସେଇ ବେଞ୍ଚ ରେ ବସିଲେ । ନିଜ ଭାବନା ରାଜ୍ୟ ରେ ବୁଡି ଗଲେ । କିଛି ସମୟ ପରେ କାହାର ଡାକରେ ସେ ପ୍ରକୃତିସ୍ଥ ହେଲେ । ଅନେଇଲେ ସେଇ ରାଓବାବୁ ଠିଆ ହେଇଛନ୍ତି । ମନେ ମନେ ଅରୁଣିମା ଭାବିଲେ ଆଜି ପୁଣି କ'ଣ ହେଲା ?? ଇୟେ ବୁଢ଼ା ତ ମୋ ପଛରେ ପଡି ଯାଇଛି । ସେ କହିଲେ ମ୍ୟାଡାମ୍ ସବୁ ବେଞ୍ଚ ରେ ଲୋକ ବସି ଯାଇଛନ୍ତି । ଏଇଟି ଖାଲି ଅଛି । ମୁଁ ଏଇଠି ବସି ପାରିବି ?? ଅରୁଣିମା ଚାରିଆଡ଼େ ଆଖି ବୁଲେଇଲେ ସତ କୁ ସତ ସବୁ ବେଞ୍ଚ ରେ ଲୋକ ବସି ଯାଇଛନ୍ତି । ଅରୁଣିମା ଅନିଚ୍ଛା ସତ୍ତ୍ବେ ମୁଣ୍ଡ ହଁ ରେ ଟୁଙ୍ଗାରିଲେ ।


                 ବସୁ ବସୁ ରାଓବାବୁ ପଚାରିବା ଆରମ୍ଭ କଲେ କେତେ ବର୍ଷ ହେଲା ଆପଣ ଏଠାରେ ଅଛନ୍ତି ?? ଆପଣ ଙ୍କର କିଏ କିଏ ଅଛନ୍ତି ?? କୋଉଠି ସେମାନେ ଅଛନ୍ତି ?? ଏମିତି ଅସରନ୍ତି ପ୍ରଶ୍ନ । ମନେ ମନେ ବିରକ୍ତ ହେଉଥିଲେ ଅରୁଣିମା , ଭଲା ଗପୁଡିଆ ଲୋକ ଇୟେ । ପରୀକ୍ଷା ରେ ବି ଏତିକି ପ୍ରଶ୍ନ ର ଉତ୍ତର ସେ ଦେଇ ନାହାନ୍ତି ଯେତିକି ଇୟେ ପଚାରି ସାରିଲେଣି । ସୌଜନ୍ୟତା ଦୃଷ୍ଟିରୁ ଅରୁଣିମା ବି ରାଓବାବୁ ଙ୍କୁ ଗୋଟେ ଦୁଇଟା ପ୍ରଶ୍ନ ପଚାରିଲେ ପରିବାର ବିଷୟରେ । 

                  

        ଆଲୋ ମା ଇୟେ କ'ଣ ??? ସେ ତ ପୂରା ଇତିହାସ ଗାଇଲେ । ଅରୁଣିମା ତ ବସି ଶୁଣୁଛନ୍ତି । ସୂର୍ଯ୍ୟ ବୁଡି ଅନ୍ଧାର ହେଇ ଗଲା । ପାର୍କ ର ସବୁ ଲାଇଟ୍ ବି ଜଳିଗଲା । ହେଲେ ରାଓବାବୁ ଙ୍କ କଥା ସରୁନି । ଅରୁଣିମା କିନ୍ତୁ ବୁଝି ସାରିଥିଲେ ବିଚରା ଖୁବ୍ ଦୁଃଖୀ ମଣିଷ ଟିଏ । ସେ ବି ଏକଦମ୍ ଏକୁଟିଆ । ଆର୍ମିରେ ଜଏନ୍ କରିଥିବା ତାଙ୍କର ଏକମାତ୍ର ପୁଅ ରାଘବନ୍ ଆତଙ୍କବାଦୀ ଙ୍କ ଗୁଳିରେ ପ୍ରାଣ ହରେଇଲା । ସେ ବି ତା ବାହାଘର ର ମାସକ ଆଗରୁ । ପୁଅ ଚାଲିଯିବା ଖବର ଶୁଣି ତାଙ୍ଗ ସ୍ତ୍ରୀ ବନ୍ଦନା ମାନସିକ ଭାରସାମ୍ୟ ହରାଇ ବସିଲେ । ସେ ପୁଅର ମୁତ୍ୟୁକୁ ଆଦୌ ଗ୍ରହଣ କରି ପାରି ନଥିଲେ । ପୁଅର ମୃତ ଦେହକୁ ପୁତୁରା ର ମୃତ ଦେହ ଭାବି ବନ୍ଦନା ରାଓବାବୁଙ୍କ ବଡ଼ ଭାଉଜ ଙ୍କୁ ବୁଝେଇବା କୁ ବସି ପଡିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ତା ପର ଠାରୁ ତ ତାଙ୍କ ପାଗଳାମି ବଢ଼ି ବଢ଼ି ଚାଲିଲା । ଫୋନ୍ ବାଜିଲା ମାତ୍ରେ ଦୌଡ଼ି ଯାଇ ଉଠେଇ କହୁଥିଲେ ରଘୁ ତୁ ଭଲ ଅଛୁ ତ ?? କ'ଣ ଖାଇଛୁ ?? କେବେ ଆସିବୁ ?? ଏମିତି ଅନେକ ପ୍ରଶ୍ନ ... । ଦିନେ ଦିନେ ତ ସକାଳୁ ଉଠି ୬/୭ ପ୍ରକାର ରାନ୍ଧି ପକେଇବେ ଆଉ କହିବେ ଆଜି ରଘୁ ଆସିବ । କାଲି ରାତିରେ ମୋତେ ଫୋନ୍ କରିଥିଲା । ତମେ ଶିଘ୍ର ରେଡ୍ଡୀ ହେଇ ଯାଅ ଏୟାରପୋର୍ଟ ରୁ ତାକୁ ନେଇ ଆସିବ । ବହୁତ ଡାକ୍ତର ଦେଖେଇଲି । ହେଲେ କିଛି ଲାଭ ହେଲାନି । ଏମିତି ଚାରି ବର୍ଷ ବିତିଗଲା । ଆଉ ହଠାତ୍ ଦିନେ ରାତିରେ ମୋତେ ଉଠେଇ କହିଲା ଦେଖ !! ରଘୁ ଆସିଛି । କହୁଛି ମୋ କୋଳରେ ଶୋଇବ । ଦେଖ କେତେ ଥକି ଯାଇଛି ସେ । ମୁହଁ ପୁରା ଶୁଖି ଯାଇଛି । ଏତେ ବଡ଼ ହେଲାଣି ତଥାପି ପିଲାଳିଆମୀ ତା'ର ଯାଇନି । ଖଟ ରୁ ଉଠି ସେ ଦୁଇ ହାତ ବଢେ଼ଇଲା ଆଉ ସେଇଠି ଟଳି ପଡ଼ିଲା । ସବୁ ଦିନ ପାଇଁ ମୋତେ ଛାଡ଼ି ଚାଲିଗଲା । ସେ ଥିଲା , ତାରି ପଛରେ ଲାଗି ଲାଗି ଦିନ ଗୁଡା କଟି ଯାଉଥିଲା । ସେ ହିଁ ଯେମିତି ମୋ ଦୁନିଆ ଥିଲା । ଏବେ ଏ ଦୁନିଆର ଭିଡ଼ ଭିତରେ ମୁଁ ସଂପୂର୍ଣ୍ଣ ଏକୁଟିଆ ହେଇଗଲି । 

                 


            ଏମିତି ନୁହଁ କି ତାଙ୍କର କେହି ନାହାଁନ୍ତି । ଭାଇ ବନ୍ଧୁ ତାଙ୍କର ସମସ୍ତେ ଅଛନ୍ତି । ହେଲେ ଆଜିକାଲି କିଏ ବା କାହାର ?? ସମସ୍ତେ ନିଜ ସଂସାର ଜଂଜାଳକୁ ନେଇ ବ୍ୟସ୍ତ । ବିଶାଖାପାଟଣା ରେ ସେ ନିଜେ ଗୋଟେ ଘର କିଣି ସେଇଠି ରହୁଥିଲେ । ହେଲେ ତାଙ୍କ ପୁଅ ଆଉ ସ୍ତ୍ରୀ ବନ୍ଦନା ଚାଲିଗଲା ପରେ ସେ ଘରେ ଥିବା ଅତୀତ ର ସ୍ମୃତି ସବୁ ତାଙ୍କୁ ବ୍ୟତିବ୍ୟସ୍ତ କରି ପକେଇଲା । ସବୁଠି ସେ ଦୁହିଁଙ୍କ ମୁହଁ ଦେଖାଗଲା । ବେଳେ ବେଳେ ମନେ ହେଲା ସେ ବି ପାଗଳ ହେଇ ଯିବେ । ଭାଇମାନେ ଜୋର୍ କଲେ ତୁ ୟେ ଘର ଛାଡ଼ି ଦେ । ନ ହେଲେ ତୁ ବି ପାଗଳ ହେଇ ଯିବୁ । ଯୋଗକୁ ସେ ଭୁବନେଶ୍ୱର ରେ ଚାକିରୀ କରିବା ବେଳେ ଏଇ ଘରଟି କିଣିଥିଲେ । ତାଙ୍କର ଜଣେ କଲିଗ୍ ର ହଠାତ୍ ଅସୁବିଧା ହେବାରୁ ସେ ତାର ନୂଆ ଘରକୁ ବିକି ଦେଇଥିଲା ରାଓ ବାବୁଙ୍କୁ । ସେବେଠୁ ଏଇ ଘରକୁ ଭଡ଼ାରେ ଦେଇ ଦେଇଥିଲେ ସେ । ଭାଇ ମାନଙ୍କ କଥା ମାନି ସେ ଭୁବନେଶ୍ୱର ଚାଲି ଆସିଲେ । ସେ ଖାଲି ସେ ଘର ନୁହଁ ସେ ସହର ବି ଛାଡିଦେଲି । ଏତିକି କହି ରାଓବାବୁ ଚୁପ୍ ହେଇଗଲେ । ଆଖିରେ ଯକେଇ ଆସୁ ଥିବା ଲୁହକୁ ଆଖିରେ ହିଁ ଚାପି ଦେବାକୁ ଚେଷ୍ଟା କଲେ । କିଛି ସମୟ ନୀରବତା ଭିତରେ ଅରୁଣିମା ଙ୍କ ଆଖି ପଡ଼ିଲା ଭସା ବାଦଲ ଭିତରେ ଲୁଚକାଳି ଖେଳୁଥିବା ଜହ୍ନ ଉପରେ । ଆରେ ସଂନ୍ଧ୍ୟା ଅତିକ୍ରାନ୍ତ ହେବାକୁ ଯାଉଛି ।

                 


          ମୁଁ ଆସୁଛି ରାଓବାବୁ ଡେରି ହେଲାଣି କହି ଉଠିଲେ ଅରୁଣିମା । ରାଓବାବୁ କହିଲେ ଆପଣ ଯାଆନ୍ତୁ ମୁଁ ଆଉ କିଛି ସମୟ ଏଇଠି ବସିବି । ନମସ୍କାର ଜଣେଇ ଅରୁଣିମା ପାର୍କ ରୁ ବାହାରି ଆସିଲେ । ହେଲେ ତାଙ୍କ ପାଦ ଠିକ୍ ସେ ପଡୁ ନଥିଲା । ମନ ଖୁବ୍ ଭାରାକ୍ରାନ୍ତ ହେଇ ଯାଇଥିଲା । ସେ ହୃଦୟଙ୍ଗମ କରି ପାରିଥିଲେ ରାଓବାବୁଙ୍କ କଷ୍ଟକୁ । ଅସମୟରେ ଆତ୍ମୀୟ ମାନଙ୍କୁ ହରେଇବାର ଦୁଃଖ କେତେ , ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ମନେ ମନେ ଆକଳନ କରିବାକୁ ଲାଗିଲେ ସେ ବୋଧେ ମୋଠୁ ବେଶୀ ଦୁଃଖୀ । କମ୍ ସେ କମ୍ ମୋ ପିଲାମାନେ ତ ଭଲରେ ଅଛନ୍ତି । ଦୂରରେ ଥିଲେ କ'ଣ ହେଲା ?? ମୋର ନିଜର ବୋଲି ତ କେହି ଅଛନ୍ତି । ସକାଳେ ସଂନ୍ଧ୍ୟା ରେ ଫୋନ୍ କରି ପଚାରୁଛନ୍ତି ମାମା କେମିତି ଅଛ ?? ହେଲେ ତାଙ୍କର କିଏ ଅଛି ?? ମୋର ନାତିନାତୁଣୀ ତ ଅଛନ୍ତି ସେମାନଙ୍କୁ ମୋବାଇଲ୍ ରେ ଭିଡିଓ କଲ୍ କରି ନିତି ଦେଖୁଛି । ହେଲେ ବିଚରା ଏଇ ଭଦ୍ରବ୍ୟକ୍ତି ଜଣଙ୍କର କେହି ନାହାଁନ୍ତି । ଏକ ପ୍ରକାର ସହାନୁଭୂତି ଜାଗି ଉଠିଲା ତାଙ୍କ ମନରେ । ତାଙ୍କ ପ୍ରତି ଥିବା ବିରକ୍ତି ଭାବ ଏବେ କୁଆଡେ଼ ଉଭେଇ ଯାଇ ସେଠି ଶ୍ରଦ୍ଧା ର ଉନ୍ମେଷ ହେଇ ସାରିଥିଲା ।


                ରୋଜ ପାର୍କ ରେ ଦେଖା ହୁଏ ରାଓ ବାବୁଙ୍କ ସହ । ଦୁହେଁ ବସି ଗପନ୍ତି ନିଜ ନିଜ ର ସୁଖଦୁଃଖ ଭରା ସ୍ମୃତି ଆଉ ଅନୁଭୂତିକୁ ନେଇ । ବେଳେ ବେଳେ ଅରୁଣିମା ଘରେ ବନେଇଥିବା ପିଠାପିଠି କିମ୍ବା କ୍ଷୀରି ଟିଫିନ୍ ରେ ପୁରେଇ ନେଇ ଯାଆନ୍ତି ରାଓ ବାବୁଙ୍କ ପାଇଁ । ସେ ବି ଛୋଟପିଲା ଭଳି ସବୁ ତକ ଖାଇ ଯାଆନ୍ତି । ଅରୁଣିମା ଙ୍କୁ ଲାଗେ ତାଙ୍କ ପୁଅ ପୁପୁଲ ଯେମିତି ଛୋଟ ବେଳେ ତାଙ୍କ ହାତ ରନ୍ଧା ଖାଇବାକୁ ଚାଟିଚୁଟି ଖାଇ ଯାଏ ଠିକ୍ ସେମିତି । ସେ ମନେ ମନେ ହସନ୍ତି । ସବୁ ବଡ଼ ମଣିଷ ଙ୍କ ଭିତରେ ବି ଏକ ଶିଶୁ ସବୁବେଳେ ଆତ୍ମଗୋପନ କରି ରହିଥାଏ । ସମୟ ସୁଯୋଗ ଦେଖି ବାହାର କୁ ବାହାରି ଆସେ । ନିଃସଙ୍ଗତା ମଣିଷ କୁ ଖୁବ୍ ସ୍ନେହ କାଙ୍ଗାଳ କରି ପକାଏ । ସେଇଥି ପାଇଁ ତ ସେ ସାମାଜିକ ପ୍ରାଣୀ । 


                    ଏମିତି କିଛି ମାସ କଟିଗଲା । ଦିନେ ହଠାତ୍ ଖରାବେଳେ ଅନୀତା ଆସି ପହଞ୍ଚିଗଲା ଅରୁଣିମା ଙ୍କ ଘରେ । ସେ ମଝିରେ ମଝିରେ ଆସେ ହେଲେ ୟେ ଅସମୟ ରେ ତ କେବେ ଆସେନି । କାହିଁକି କେଜାଣି ସେ ତାଙ୍କୁ ଖୁବ୍ ଭଲ ପାଏ । ଆଉ ସେ ବି ତାକୁ ଠିକ୍ ତାଙ୍କ ଝିଅ ରିଆ ପରି ଭାବନ୍ତି ।ଅରୁଣିମା ଙ୍କୁ ଟାଣି ନେଇ ସୋଫା ଉପରେ ବସେଇ ଦେଲା । ଆରେ !! କ'ଣ ହେଲା କହ ?? ଏମିତି ବ୍ୟସ୍ତ କାହିଁକି ହେଉଚୁ ?? କ'ଣ କିଛି ଅସୁବିଧା ହେଇଛି କି ???


                   ଶୁଣନ୍ତୁ ଆଣ୍ଟି !! ବହୁତ ଗଡବଡ ଖବର ମୋ ପାଖରେ ପହଞ୍ଚିଛି । ଛେପ ଠୋକି କହିଲା , ଆମ କଲୋନୀ ରେ ଆପଣଙ୍କୁ ଆଉ ରାଓ ଅଙ୍କଲ୍ ଙ୍କୁ ନେଇ ଲୋକମାନେ ଇୟାଡୁ ସିୟାଡୁ କଥା କହୁଛନ୍ତି । ବୁଢ଼ା ବୁଢ଼ୀ ଙ୍କର ଏଇ ବୟସରେ ରୋମାନ୍ସ ଚାଲିଛି ବୋଲି । ଏତିକି ଶୁଣିବା ପରେ ତ ମୁଁ ଧାଇଁ ଆସିଲି ଜଣେଇବା ପାଇଁ । ଏ ଲୋକ ଗୁଡାଙ୍କ ମୁଣ୍ଡଫୁଣ୍ଡ କାମ କରୁନି ଆଉ ବୋଧେ । ଯେତେକ ନିଉଛଣିଆ କଥାବାର୍ତ୍ତା ସବୁ ଏଇ ମାନଙ୍କ ର । ଆପଣ ଟିକେ ସତର୍କ ରହିବେ । ମୁଁ ଆସୁଛି !! ମୋର ଭାତ ବସିଛି ଗ୍ୟାସ୍ ରେ । ମୋ କାନରେ ଯେମିତି ପଡ଼ିଛି ମୁଁ ତ ଧାଇଁ ଆସିଛି । ସଂନ୍ଧ୍ୟା ରେ ଦେଖା ହେବା ପାର୍କ ରେ କହି , ଏକା ମୁହାଁ ବାହାରି ଗଲା ।


                 ଅରୁଣିମା ଙ୍କ ମୁଣ୍ଡ ଘୂରେଇ ଗଲା । ସେ ସୋଫାରେ ଆଉଜେଇ ହେଇ ବସି ପଡିଲେ । ସେ ଏବେ ଷାଠିଏ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଦେହ ମନ ପ୍ରାଣ ସବୁ ତ ଶିଥିଳ ହେଇ ସାରିଲାଣି । ଚର୍ମରେ ବି ଭାଙ୍ଗ ପଡ଼ିଲାଣି । ଏବେ ବି କ'ଣ ରମଣୀତ୍ୱ ତାଙ୍କ ଭିତରେ ଅବଶେଷ ରହି ଯାଇଛି ଯେ ସମାଜ ଆଜି ତାଙ୍କୁ ଏତେ ବଡ଼ ଲାଞ୍ଛନା ଦେଇ ପାରିଲା । ଏଇ ଆଜି ତ ଅଷ୍ଟମୀ ମା ଙ୍କ ପୂଜା ଚାଲିଛି । ସେ ତ ଷୋଡଶୀ ବେଶରେ ଧରାବତରଣ କରିଛନ୍ତି । ହେଲେ ସାରା ସଂସାର ତାଙ୍କୁ ମାତୃ ରୂପରେ ବନ୍ଦନା କରୁଛି । କାହାରି ଭିତରେ ବିକାର ଆସୁନାହିଁ ?? ମୋର ପ୍ରୌଢ଼ ଅବସ୍ଥା ରେ ବି କ'ଣ ମୋର ମାତୃତ୍ଵ ର ବିକାଶ ହେଇ ନାହିଁ ଯେ ମୋତେ ସନ୍ଦେହ ଚକ୍ଷୁ ରେ ୟେ ସମାଜ ଦେଖୁଛି । ମୁଁ ଯେ ତା'ଙ୍କ ଅଂଶସମ୍ଭୁତା । ମୋ ସାଧନା ରେ କୋଉଠି କମ୍ ରହିଗଲା ??? ମା !! ସତ କୁହ ତୁମେ ମହିଷାସୁର ବକ୍ଷରେ ପାଦ ରଖିଛ ନା ଏକ ଅବକ୍ଷୟମାନ ସଭ୍ୟତା ଉପରେ ପାଦ ଥାପିଛ ??ନାରୀ ଯେ ସର୍ବଦା ରମଣୀତ୍ୱ ର ବହୁ ଉର୍ଦ୍ଧ୍ବ ରେ ଏଇ ବିଚ୍ୟୁତ ସମାଜ କୁ କିଏ ବା ବୁଝେଇବ ???


                  ଦୁଇ ଦିନ ସେ ଆଉ ପାର୍କ କୁ ଗଲେ ନାହିଁ । ପୁପୁଲ କୁ କହି ପ୍ଲେନ୍ ଟିକେଟ ବୁକ୍ କରେଇ ଦେଲେ । ଯିବା ପୂର୍ବରୁ ସମସ୍ତ ଙ୍କୁ ଦେଖାକରି ଯିବା ଉଚିତ୍ ବୋଲି ମନେ କଲେ । ଦିଗନ୍ତ ଦେଇଥିବା ପ୍ରଥମ ଉପହାର ସ୍ୱରୂପ ଧଳା ରଙ୍ଗର ଶାଢୀରେ ସବୁଜ ଆଉ ସୁନା ରଙ୍ଗରେ ତିଆରି ଧଡି ଥିବା ଶାଢ଼ୀ ଟି ପିନ୍ଧିଲେ । ଏଇ ଶାଢ଼ୀ ଟି ଯେତେବେଳେ ବି ପିନ୍ଧନ୍ତି ସବୁବେଳେ ତାଙ୍କ ମନରେ ଅଜସ୍ର ଭଲ ପାଇବା ସହ ଅଦମ୍ୟ ସାହାସ ଭରିଯାଏ । ଯେଉଁ ମାନେ ଏଇ ଲାଞ୍ଛନା ଦେଇଛନ୍ତି ସେମାନେ ବି ତ ତାଙ୍କ ସନ୍ତାନ । ଇଶ୍ଵର ସେମାନଙ୍କୁ କ୍ଷମା କରି ଦିଅନ୍ତୁ । ମୁଁ ବି ସେମାନଙ୍କୁ କ୍ଷମା କରି ଦେଇଛି କାରଣ ମୁଁ ଯେ ମା । ଦଶହରା ଦିନ ସେ ପାର୍କ କୁ ଗଲେ । ଚିହ୍ନା ପରିଚିତ ଯେଉଁମାନେ ଥିଲେ ସମସ୍ତ ଙ୍କ ପାଖକୁ ଯାଇ ନିଜ ବିଦେଶ ଚାଲିଯିବା କଥା ଜଣେଇଲେ । ଏକ ପ୍ରକାର ନୀରବତା ଛାଇଗଲା ପାର୍କ ଭିତରେ । ସମସ୍ତେ ଚାହାଁ ଚାହିଁ ହେଲେ । ଅପପ୍ରଚାର ଟା ବୋଧ ହୁଏ ଅରୁଣିମା ଙ୍କ କାନରେ ପଡ଼ି ଯାଇଛି ବୋଲି ସମସ୍ତେ ହୃଦବୋଧ କଲେ । 

                  ଧୀରେ ଧୀରେ ସେ ସବୁବେଳେ ବସୁଥିବା ବେଞ୍ଚ ପାଖକୁ ଆଗେଇଲେ । ରାଓବାବୁ ଠିକ୍ ସେଇଠି ବସିଥିଲେ ବିଷର୍ଣ୍ଣ ମୁହଁ ରେ । ଅରୁଣିମା ଙ୍କୁ ଦେଖି ସେ ଏକ ଉଦାସ ହସ ହସିଲେ । ମୁଁ ପୁଅ ପାଖକୁ ଚାଲି ଯାଉଛି କାଲି । ସେ ବି କିଛି ନ କହି ମୁଣ୍ଡ ଟୁଙ୍ଗାରି ଦେଲେ । ବୋଧ ହୁଏ ତାଙ୍କ ଭିତରେ ଏକ ଅପରାଧବୋଧ ଥିଲା ମୁଁ ହିଁ ସବୁର କାରଣ ବୋଲି । ଅରୁଣିମା ହାତ ଟେକି ନମସ୍କାର ଜଣେଇ ଫେରି ଯାଉଥିଲେ ଠିକ୍ ଏଇ ସମୟରେ ପାଖ ଦୂର୍ଗା ମଣ୍ଡପ ରୁ ଜୋର୍ ରେ ଶଙ୍ଖ ଘଣ୍ଟା ଘଣ୍ଟ ଶବ୍ଦ ଶୁଭାଗଲା । ମାଁ ଙ୍କର ବିସର୍ଜନ ପୂଜା ଆରମ୍ଭ ହେଲା ......। ଏକ ପ୍ରକାର କରୁଣ ପରିବେଶ ମାଁ ଚାଲିଯିବେ ....। ରାଓବାବୁ ଉଠି ମଣ୍ଡପ ଆଡକୁ ମୁହାଁଇଲେ । ସେଠି ଯାଇ ଦେଖିଲେ ମା ବି ଠିକ୍ ସେଇ ଭଳି ଶାଢ଼ୀ ଟିଏ ପିନ୍ଧିଛନ୍ତି ଯେମିତି ଅରୁଣିମା ପିନ୍ଧିଥିଲେ । ବିଦାୟ ପୂର୍ବରୁ ମା ର ଆଖି ରୁ ଝରି ଆସୁଛି କରୁଣା , କ୍ଷମା ଆଉ ଶ୍ରଦ୍ଧା ସନ୍ତାନମାନଙ୍କ ଶତ ଅଯୋଗ୍ୟତା ସତ୍ୱେ ।


Rate this content
Log in

Similar oriya story from Tragedy