ବିପୁଳାଚ ପୃଥ୍ବୀ
ବିପୁଳାଚ ପୃଥ୍ବୀ
·
...................
କାନ୍ଦି ଶିଖ,
ଝରିପଡ଼
ଅନୁଭବ କରି ଶିଖ ଅଦୃଶ୍ୟକୁ
ହଜିଯାଅ ଦୃଶ୍ୟମାନର ସମ୍ଭାରରେ
ବିପୁଳାଚ ପୃଥ୍ବୀ ।
କାନ୍ଦ ତୁମେ
ଲୁହର ଉଜାଣିରେ,
ଧୋଇଦିଅ କ୍ଲିଷ୍ଟ ଅନ୍ତର୍ଦାହ
ଜୋଛନାର ଜରିଲଗା ପତ୍ର ଫାଙ୍କେ
ଝରିପଡୁ ଲୁହ ଟୋପା ଟୋପା
ଶିଶିରର ସିକ୍ତତାରେ
ମରୁପ୍ରାନ୍ତେ ଉପୁଜାଇ ମୁକ୍ତା ।
କାନ୍ଦି ଶିଖ,
କାନ୍ଦ ତୁମେ
ସମ୍ବେଦନାରେ ,ସମର୍ପଣରେ
ନିବିଡ଼ ଆତ୍ମୀୟତାର ଆଶ୍ବାସରେ
ଜଙ୍ଗଲର ସୁସୁପ୍ତିରେ
ଝରଣାର ଏକନିଷ୍ଠତାରେ ।
କାନ୍ଦିଛ କି
କେବେ ଅଧିର ଉଲ୍ଲାସରେ
ସୂର୍ଯ୍ୟାସ୍ତର ସନ୍ଧିକାଳେ
କେଉଁ ଅପହଞ୍ଚ ସବୁଜ ଘାଟିରେ
ନୈସର୍ଗିକ ସୁଷମା ର
ଗୋପନୀୟତା ରେ ,....
ଏକାକିନୀ ନଈ ବାଙ୍କେ
ଦୋଳାୟିତ ଶୁଭ୍ର କାଶତଣ୍ଡିର
ନିର୍ମଳ ହସରେ ।
କାନ୍ଦି ଶିଖ,
ଝରିପଡ଼
ବୋହିଯାଅ,
ହିମାଳୟରୁ ଉଦଗତ
ପ୍ରବହମାନ ଧାରାଟିଏ ହୋଇ
ଦୁଇକୂଳ ମୁଖରିତ କର
ବିପୁଳାଚ ପୃଥ୍ବୀ ।
ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ