ପୁରୁଷୋତ୍ତମ ଦେବ(ଭାଗ - ୮)
ପୁରୁଷୋତ୍ତମ ଦେବ(ଭାଗ - ୮)
(ଐତିହାସିକ କାବ୍ୟାଂଶ)
ଯୋଗକୁ ସେଦିନ କାବେରୀ ବାଲିରେ
ନଇଁ ଆସୁଥିଲା ସଂଧ୍ୟା,
ସଖୀଙ୍କ ମେଳରେ କନ୍ଦୁକ ଖେଳରେ
ଥିଲାଯେ ଚପଳ ଛନ୍ଦା।
ବାଲିହରିଣଟି ସମ ଲମ୍ଫଦିଏ
ଜେମା କନ୍ଦୁକ ସହିତେ,
ପବିତ୍ର ହୋଇଲା କୁମାରଙ୍କ ନେତ୍ର
ଅଙ୍ଗ ଲତିକାର ନୃତ୍ୟେ।
ଝିନ୍ନ ଅଙ୍ଗବାସ ଭିତରେ ସତେକି
ନାଚଇ କନକ ଲତା,
ଝରି ପଡୁଥିଲା ହସ ରୂପା ତାରା
ଜେମା କହୁ କହୁ କଥା।
ବିସ୍ଫାରିତ ନେତ୍ରେ ଭାବିଲେ କୁମାର
କାହୁଁ ଆସିଲା ଏ ପରୀ?
ବିଧାତା ଦେଇଛି ବିଶ୍ୱସୌନ୍ଦର୍ଯ୍ୟକୁ
ବାଳା ଦେହେ ଠୁଳକରି।
ସାଗର ନୀଳିମା ବିନ୍ଦୁଟିଏ ହୋଇ
ରହିଯାଇଛି ଆଖିରେ,
ଘୋର ଘନଘଟା ନଇଁ ଆସିଅଛି
ବାମା କୃଷ୍ଣ କବରୀରେ।
ପୂର୍ଣ୍ଣମାସୀ ଜ୍ୟୋତ୍ସ୍ନା ଶୀତଳତା ଭରି-
ରହିଛି ଜେମା ଲପନେ,
ସଂସାରର ସବୁ ସ୍ୱପ୍ନ ଏକ ହୋଇ
ଅଛନ୍ତି ବାମା ନୟନେ।
ଅଙ୍ଗ ଲତିକାରେ ପୂର୍ଣ୍ଣ ହୋଇଅଛି
ମଧୁଚକ୍ର ସୁସମାର,
କ୍ଷୀଣକଟୀ,ଗୁରୁ ଜଘନ,ନିତମ୍ବ,
ଉରଜ କେଡେ ସୁନ୍ଦର !
ନିତମ୍ବ ପର୍ଯ୍ଯନ୍ତ ଲମ୍ବିଛି କୁନ୍ତଳ
ତା ଆଗରେ ଅଙ୍ଗଲତା-
ଚମ୍ପକ ବରଣୀ,ଖେଳିଯାଉଛିକି
ମେଘଦେହେ ବିଦ୍ୟୁଲ୍ଲତା !
ବହିଆସେ ଅଙ୍ଗୁ ପଦ୍ମବାସ ଏତ
ପଦ୍ମାବତୀ ମୋହପାଇଁ,
ବିଚାରୁ ଏମନ୍ତ କୁମାର ଦେଖିଲେ
ସଖୀ ଏକ ଆସେ ଧାଇଁ।
ପଚାରିଲା ସଖୀ" ହେ କନ୍ଦର୍ପ ଦର୍ପ-
ହାରୀ ହେ ରୂପସୁନ୍ଦର !
ରାଜପୁତ୍ର ସମ ଦେଖାଯାଅ,କେଉଁ-
ରାଜ୍ୟରେ ତୁମ୍ଭର ଘର ?"
ବୋଇଲେ କୁମାର "ମୁଁ ପୁରୁଷୋତ୍ତମ
ଉତ୍କଳର ଯୁବରାଜ,
ତୁମ୍ଭ ଜେମା ରୂପଡୋରୀ ବାନ୍ଧି ମୋତେ
ଘେନି ଆସିଅଛି ଆଜ।"
ହସି ବୋଲେ ଦାସୀ,ଆହେ ସୂର୍ଯ୍ୟବଂଶୀ
ଜାଣିନାହଁ କି ହେ ବୀର ?
ପତଙ୍ଗ ହୋଇଲେ ଅନଳେ ପତିତ
କି ଦଶା ହୁଏ ତାହାର?
ପ୍ରବେଶ ତୁମ୍ଭର ଯେ ଅନଧିକାର,
ସୀମା ଆସିଅଛ ଡେଇଁ,
ତଥାପି ହେ ଦେବ ! ଆତିଥ୍ୟରେ ଜେମା
କାର୍ପଣ୍ୟ କରିବେ ନାହିଁ ।
ରାଜକୁମାରଙ୍କୁ ଦେଖି ରୂପାମ୍ବିକା
ଛାଡି କନ୍ଦୁକ କ୍ରୀଡନ,
ସଖୀଠାରୁ ପାଇ ପରିଚୟ କଲେ
ସଲ୍ଲଜେ ଅଭିବାଦନ।
ଜେମାଙ୍କ କୁଶଳ,ଗୃହ ଅନାମେୟ
ପୁଚ୍ଛାକରନ୍ତେ କୁମାର,
"ସବୁ ଭଲ"ବୋଲି ବୀଣାଜିଣାକଣ୍ଠେ
ସୁନ୍ଦରୀ ଦେଲେ ଉତ୍ତର ।
ସେ ବାଣୀ ବିଦ୍ୟୁତ ଗତିରେ କୁମାର-
ହୃଦତନ୍ତ୍ରୀରେ ଚହଟି,
ପ୍ରୀତି ଅଙ୍ଗିକାର ସମ ଅଧିକାର କଲା
ତାଙ୍କ ହୃଦୟଟି।
କଥୋପକଥନ ଥିଲା ଗୌଣ,ମାତ୍ର
ଦର୍ଶନ ଥିଲା ପ୍ରଧାନ,
କଥାରେ କଥାରେ ମିଶିଯାଉଥିଲା
ନେତ୍ର ସଙ୍ଗେ ଦୁଇମନ।
ଦିନ ଅବସାନେ ବିଦାୟ ନିଅନ୍ତେ
ଅସ୍ତାଚଳେ ଦିନମଣି,
ପ୍ରାସାଦକୁ ଆସିବାକୁ କୁମାରଙ୍କୁ
ନିମନ୍ତ୍ରିଲେ ଜେମାମଣି।
"ବନ୍ଦୀ କରିବେନି ମହାରାଜା ?"ବୋଲି
ପଚାରନ୍ତେ ଯୁବରାଜ,
ସଖୀଏ ବୋଇଲା "ଜେମାଙ୍କ ପ୍ରୀତିରେ
ବନ୍ଦୀ ହୋଇନ କି ଆଜ?"
ହାସ୍ୟରୋଳମଧ୍ୟେ ବୋଇଲେ କୁମାର
ଆସିବି ମୁଁ ଆଉଦିନେ,
ବିଦାୟ ଘେନିଲେ ରାଜଜେମା ସଖୀ-
ସଙ୍ଗେ ସହାସ୍ୟ ବଦନେ।
ଫେରିଯାଉଁ ଜେମା ସଖୀଙ୍କର ମେଳେ,
ପଛକୁ ଚାହିଁବା ଆଶେ,
ଜାଣି ଜାଣି ହାତୁଁ କନ୍ଦୁକ ପକାଇ
କହିଲେ "କାହିଁ ଗଲା ସେ?"
କନ୍ଦୁକ ତୋଳିବା ଛଳରେ ପଛକୁ
ଅନାଇଁ ଦେଲେ ଛଇଳୀ,
ଦେଖିଲେ କୁମାର ଚାହିଁଛନ୍ତି
ଚାରିଆଖି ପୁଣି ଗଲା ମିଳି।
ସଖୀଏ ବୋଇଲା "ଚାଲ ଲୋ ସଜନୀ
ଜେମା ଖେଳନ୍ତୁ କନ୍ଦୁକ,
ସଞ୍ଜ ଗଡିଗଲେ କୁମାର ଅଛନ୍ତି
ନାହିଁ ଡର ଭୟ ଦକ।"
ଲାଜରେ ଆରକ୍ତ ହେଲା ଜେମା ମୁଖ,
କହିଲେ "ଚାଲ ଭବନେ,
ଏଡେ ଅଲାଜୁକୀ ହେଲଲୋ ସଜନୀ,
ଦଉଚି ତୁମକୁ ପାନେ।"
"ଲାଜର ପସରା ଯାହା ଆଣିଥିଲୁ
ଅଧା ତ ବୁଣିଦେଲୁଣି"
ଜେମାଙ୍କୁ ବୋଲନ୍ତେ ସଖୀ ଏକ,ଉଚ୍ଚେ
ହସିଦେଲେ ସଖୀଶ୍ରେଣୀ।
କ୍ରମଶଃ----