ଏଇତ ଶରତ ଋତୁ
ଏଇତ ଶରତ ଋତୁ
ଶରତ ଆସିଛି ମରତ ଭୂଇଁ କୁ କାଶତଣ୍ଡି ଫୁଲ ବଣେ,
ନଈ ପଠା ପାଟ ଧବଳ ବରଣ ଦୋଳଇ ଧୀର ପବନେ;
ମହୁଲିଆ ଶୀତ ବାତ,
ନିର୍ମଳ ଚାନ୍ଦିନୀ ଯାମିନୀ ଝଲସେ ଆକାଶେ ଉଇଁଲେ ଚାନ୍ଦ ।
ଧବଳ ବରଣ ତୁଳାଭିଣା ଘନ ନଭ ମଣ୍ଡଳକୁ ଛୁଇଁ,
ଭାସି ଭାସି ଯାଏ ଦିଶଇ ଯେମିତି ଝରଇ ବରଫ ନଈ;
ଶେଫାଳୀ କୁସୁମ ଝରା,
ବାସ ଚହଟଇ ପ୍ରତ୍ୟୁଷ ପୂର୍ବରୁ ଝରି ଛୁଇଁ ଅଛି ଧରା
ସୁନିର୍ମ ଜଳ ଗରଭରେ ଧରି କୁଳୁକୁଳୁ ଗୀତ ଗାଇ,
ପାହାଡି ଝରଣା ପ୍ରବାହିତ ହୁଏ
ବହୁ ବାଧା ବନ୍ଧ ଡେଇଁ;
କୃଷକ କେଦାର ଶ୍ୟାମ,
ଶଶ୍ୟ ଶାଳିନୀ ଆହାକି ଅପୂର୍ବ
ରୂପ କରିଛି ଧାରଣ ।
ଶାରଦୀୟ ଦୁର୍ଗାପୂଜା ପାଇଁ ସର୍ବେ ହୋଇଲେଣି ସଜବାଜ,
ଧରାବତରଣ କରିବେ ଜନନୀ ମଧୁମୟ ଲାଗେ ସଞ୍ଜ;
ଅପୂର୍ବ ୟେ ସାଜସଜ୍ଜା,
ଅମୀୟ ପ୍ରକୃତି ନୃତ୍ୟ ରତେ ଭୋଳ ବାଜଇ ମଙ୍ଗଳ ବାଜା ।
ଟମକ, ନିଶାଣ ତାଳେ ତାଳେ ଭେରୀ ତୁରୀ ବାଜଇ କାହାଳୀ,
ଉଛୁଳି ଉଠୁଛି ୟେ ମର୍ତ୍ତ୍ୟ ଭୂବନ ଆସନ୍ତି ଗିରି ଦୁଲାଳୀ;
ସର୍ବେ ଏକାକାର ମୟ,
ଏ ସାରା ବସୁଧା ଏକଇ କୁଟୁମ୍ବ ଏକଇ ଅଟେ ଆଳୟ ।
ଏଇତ ଶରତ ଋତୁର ମହତ୍ଵ ମହା ମହୋତ୍ସବ ଋତୁ,
ବିଶ୍ଵ ଜନନୀ ଙ୍କ ଆଗମନେ ଆଜି ଥରି ଉଠୁଅଛି ଶତ୍ରୁ;
ପାପର ହୋଇବ କ୍ଷୟ,
ମରିବ ରାକ୍ଷସ ସରିଯିବ ପାପ ଧର୍ମର ହୋଇବ ଜୟ ।