ଧରା ଜଳିଗଲା ପରେ
ଧରା ଜଳିଗଲା ପରେ
ଥିବ ଶୂନ୍ୟତାର କିଳିକିଳା ନାଦ ଧରା ଜଳି ଗଲାପରେ
କୁଢ କୁଢ ପୋଡା ପାଉଁଶ ଯେ ଉଡୁଥିବେ ପବନ ସଙ୍ଗରେ
ରସା ଦିଶୁଥିବ ଧୂଆଁଳିଆ ପାଉଁସିଆ ରଙ୍ଗର ଚୌହାଦି
ନୀରବି ଯାଇଥିବ ପୃଥିବୀ ନଥିବେ କେ କରିବାକୁ ଦାବି ।।
ଶୁନଶାନ୍ ନିଶ୍ଚୁପ୍ ପ୍ରକୃତି, “ସେ ଦୃଶ୍ୟ ବା ଦେଖିବ କେମିତି-
ଧରା ଜଳିଗଲା ପରେ” ପଡିଥିବ ବୋଧେ ଖାଲି ପୋଡାମାଟି
କେଉଁ ଠାରୁ ଅବା ଉଠୁଥିବ ଅଧାପୋଡା ଗନ୍ଧ ମଣିଷର
କୁହୁଳା ଧୂଆଁ ରେ ଜହ୍ନ ତାରା ସୂର୍ଯ୍ୟ ତାପ ନଥିବ ପ୍ରଖର ।।
ବିହାୟସ ବିହଙ୍ଗ ବିହୀନ ବିକଳାଙ୍ଗ ଚିତ୍ର ପ୍ରକୃତି ର
ମଧୁମୟ ଧରିତ୍ରୀ ଟାଙ୍ଗରା, “ନଥିବ ଏ ସୁଗନ୍ଧ ଫୁଲ”
ନଥିବ ଗଛ ବୃଛ ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ୱାର
ବୋଧ ହୁଏ ଏକା ଏକା ବୁଲୁଥିବେ ନିର୍ବେଦ ଈଶ୍ଵର ।।
ଧରା ଜଳିଗଲା ପରେ ଅବା କିଏ ଆଉ କବିତା ଲେଖିବ
ନିର୍ବୋଧ ପ୍ରଫୁଲ୍ଲ ଭାବନା କିଏ ଥିବ ଯେ ସେସବୁ ପଢିବ ।।