କଣ୍ଢେଇକୁ ଭାରି ଜର
କଣ୍ଢେଇକୁ ଭାରି ଜର
ମୋଅ କଣ୍ଢେଇକୁ ଜର ଧରିଅଛି
ତାତିରେ ଫୁଟୁଛି ଖଇ ,
ଯାହା ଖୋଇଲେ ବି କିଛି ଖାଉନାହିଁ
ଦେଖ ଡାକତର ଭାଇ ।
ଶୀତ କାକରରେ ଭିଜିଥିଲା କାଲି
ସାଥେ ଦେଖୁଥିଲା ମେଳା ,
ଗରମ ପୋଷାକ ପିନ୍ଧେଇ ନ ଥିଲି
ହୋଇଥିଲା ଟିକେ ହେଳା ।
ଭଳି ଭଳି କେତେ ଜିନିଷ ଦେଖିଲୁ
ଖେଳିଲୁ ଚକିରି ଦୋଳି ,
ଛୁକୁ ଛୁକୁ ଛୁକୁ ରେଳଗାଡ଼ି ଚଢ଼ି
କିଣିଲୁ ଟିକିଲି ,ମାଳି ।
ବାପା,ବୋଉ ସାଥେ ସୁବିଧାରେ ବୁଲି
ଖୁସିରେ ଫେରିଲୁ ଘର ,
ଆଜି ଏଇଲାଗେ ଦେଖିଲା ବେଳକୁ
କଣ୍ଢେଇକୁ ଭାରି ଜର ।
ଭଲକରି ତାକୁ ପରୀକ୍ଷା କରିକି
ଦିଅ ଅଉଷଧ କିଛି ,
ତାହା ହେଲେ ଯାଇ ଦୂର ହେବ ସିନା
ତା' ପାଇଁ ଯା' ଚିନ୍ତା ଅଛି ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।