ଅକୁହା କଥା
ଅକୁହା କଥା


ତୁମେ ବୋହିପାର ତମାମ ଜଞ୍ଜାଳର ବୋଝ
ବିନା ପାରିଶ୍ରମିକରେ
ଜଞ୍ଜାଳର ଯାତନା ଦୋହଲାଇ ପାରେନା ତୁମକୁ
ଘୋର ତମସାରେ
ତୁମେ ହସିପାର ହେଉ ପଛେ ଅଭିନୟର
ହସାଇପାର ସଭିଙ୍କୁ
ଦେଇପାର ଥିବା ଯାଏ ରକ୍ତବିନ୍ଦୁ ଶରୀରରେ
ନିର୍ବିଘ୍ନରେ ନିର୍ବିକାରରେ ।
ନା ତୁମେ ଶିଖିଛ ଠକିବା ପଣିଆ
ନା ଶିଖାଇଛ କାହାକୁ
ତଥାପି ବାରମ୍ବାର ଠକି ଠକି ସଜାଡି ଚାଲ ନିଜକୁ
ହେଲେ ପ୍ରତିବାଦର ସ୍ବର ନଥାଏ ତୁମର
ଶିଖାଇଛ ପ୍ରତିବାଦ କରିବାକୁ
ସବୁବେଳେ ଉଭାହୁଅ ପାଖରେ ଦେବତାଟିଏ ହୋଇ
ଜନ୍ମନେଇ ଏ ଧରାକୁ ।
ମୁଁ କାହିଁ ପାଇ ପାରିଲିନି କିଛି ଶିଖିବାକୁ
ତୁମର ସେ ଦେବତ୍ବର ଗୁଣକୁ
ନ ଥିଲା ମୋର ସେ ଆୟୂଷ ତୁମ ପାଖରେ
ଆଞ୍ଜୁଳାରେ ଭରିବାକୁ ସେ ଗୁଣକୁ
ଖୋଜୁଛି ସମାଜର ପ୍ରତିଟି ଗହଳି ଭିତରେ
ଆଉ ଥରେ ଧରା ଦେବାକୁ
ଛାଡନ୍ତିନି ଜାବୁଡ଼ି ଧରନ୍ତି
ତୁମର ଚଞ୍ଚଳ ପାଦ ଯୋଡିକୁ
ଦେଖାଇ ଦିଅନ୍ତି ମୋର ସେ ଅସ୍ଥିର ମନକୁ
ଖୋଲି ଦିଅନ୍ତି ପାଦତଳେ ତୁମର ମୋର ସେ ବିକଳ ମନକୁ
କହି ଚାଲନ୍ତି ସାଇତି ଥିବା ଯେତେକ ଅକୁହା କଥାକୁ
ପାଇଥିବା ସମସ୍ତ ତାତ୍ସଲ୍ୟ ଏ ଡାହାଣୀ ଆଖି ମାନଙ୍କରୁ
ଫିଙ୍ଗି ଦିଅନ୍ତି ଅଳିଆ ଡବାକୁ ।।
ଆକୁଳେ ବିକଳେ ଥରଟିଏ ହେଉ ପଛେ
ଡାକି ଦିଅନ୍ତି ସେ ମଧୁବୋଳା ଡାକକୁ
ସପନରେ ହେଲେ ବି ଆସିବକି
ଥରଟିଏ ମୋ ପାଖକୁ
ସମସ୍ତଙ୍କ ଇଙ୍ଗିତରେ ପକାଇ ଦିଅନ୍ତୁ ପୂର୍ଣ୍ଣଛେଦ
ଆଉ କେବେ ଆସନ୍ତାନି ଅମାବାସ୍ୟା
ପୂର୍ଣ୍ଣିମାର ଶୁଭ୍ର ଜ୍ୟୋତ୍ସାରେ ବହେ ନାଚି ଯାଆନ୍ତି
ଦେଖିଦେଇ ତୁମକୁ
ଚଞ୍ଚଳ ପିନ୍ଧେଇ ଦିଅନ୍ତି ଲାଲ୍ ସିନ୍ଦୁର ଟୋପାଏ
ଶୋଭା ପାଆନ୍ତା ମୋ ମାଆର ମଥାକୁ ।।
ଅପବାଦ ଅପନିନ୍ଦା ଧୋଇ ହୋଇ
ସୁନେଲି ସୂର୍ଯ୍ୟ ଉଇଁ ଆସନ୍ତା ସେ
ଭାଗ୍ୟ ଆକାଶକୁ
ଖୁବ୍ ଜୋରରେ ଡାକି ଚାଲନ୍ତି ତୁମକୁ
ଆଦରରେ ଖୋଇ ଦିଅନ୍ତି ତୁମକୁ
ବଢେଇ ଦିଅନ୍ତି ତୁମେ ଭଲ ପାଉଥିବା ଖୋର୍ଦ୍ଧା ଲୁଙ୍ଗିକୁ
ପୋଛି ଦିଅନ୍ତି ଦେହରୁ ଝାଳ
ଏ ମନ ଖୋଜୁଥାଏ ତୁମରି କୋଳ
ଆସିବକି,
ଦେଖିବକି,
ବୁଝିବକି,
ଶୁଣିବକି
ମୋର ସବୁ ଅକୁହା କଥାକୁ ।