ଜମେଇ ଦେବାଟି ଖେଳ
ଜମେଇ ଦେବାଟି ଖେଳ
ପୋଖରୀରେ ପାଣି ଖେଳେ ଭଉଁରୀ ,
ସାଥୀହୋଇ ଟିକେ ଯିବା ପହଁରି...
ଡେଇଁବା ଛିପାକ ଛପ ;
ଭାରି ମଜା ହେବ ଚିଙ୍ଗୁଡ଼ି, କରାଣ୍ଡି
ଦରାଣ୍ଡିବା ଚୁପଚାପ ।
ଘରେ ଆସିଛି ମୁଁ ମାଆକୁ କହି ,
ନିଶ୍ଚିନ୍ତରେ ଟିକେ ଥିବୁ ତୁ ରହି...
ସାଙ୍ଗମେଳେ ଗାଧୋଇବି ;
ପୋଖରୀ ପାଣିରେ ପହଁରା ଶିଖିବି
ସାବଧାନ ମୁହିଁ ଥିବି ।
କାଚକେନ୍ଦୁ ଭଳି ଦିଶୁଛି ପାଣି ,
ମାଛ ଭଳିଆ ତୁ ଡେଉଁଛୁ ଜାଣି...
ପଡ଼ିଛି ଗଛର ଛାଇ ;
ଚାହାଁ ସେ କେମିତି ଭଉଁରୀ ସାଥିରେ
ଖେଳୁଛି ଚହଲି ଯାଇ ।
ଛୁଟିଦିନ ଦେଖି ଏଣିକି ଆସି ,
ଗାଧୋଇବା ଆମେ ଏକାଠି ମିଶି...
କରିବାନି କଳିଗୋଳ ;
ସଜାଗ ରହିକି ଏଇ ପୋଖରୀରେ
ଜମେଇ ଦେବାଟି ଖେଳ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।