ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଯା' ନୀଳିମା ପରିବ୍ୟାପ୍ତ ମହା ଅନ୍ତରୀକ୍ଷେ,
ଯେ ପୀତ-ଦୁକୂଳ ପିନ୍ଧେ ଉଷା,ପ୍ରଦୋଷରେ,
ଯା' ଶିରେ ଚନ୍ଦ୍ରିକା-ଗୁଚ୍ଛ,ମେଘ,ବିଦ୍ୟୁଦ୍ ବନ୍ତ
ସେ ସୁନ୍ଦର କୃଷ୍ଣ ପଦେ ମୁହିଁ ପୂଜା କରେ ।୧।
ଦେଖିଛି ମୁଁ ରାସ ତା'ର ପୂର୍ଣ୍ଣିମା-ନିଶୀଥେ
ନିର୍ମଳ , କର୍ପୂର-କୀର୍ଣ୍ଣ ଯେବେ ନଭାଙ୍ଗନ,
ଜ୍ୟୋତ୍ସ୍ନାର ଉତ୍ତରୀ ଘେନି ନକ୍ଷତ୍ର-ଗୋପିନୀ
ନୃତ୍ୟେ ଘେରିଥାନ୍ତି ତା'ର ନୀଳ ଅପଘନ ।୨।
ସୃଷ୍ଟିର ଯମୁନାକୂଳେ, ପ୍ରେମ-ନୀପମୂଳେ
ଅହରହ ବାଜେ ତା'ର ବଂଶୀ,ଘର-ଛଡ଼ା,
ସେ ଧ୍ୱନି-ଉନ୍ମାଦେ ଶୂନ୍ୟେ କୋଟି ଧରା-ଶ୍ରେଣୀ
ଧାଉଁଛନ୍ତି,- କି ଅଲଭ୍ୟ ଖୋଜୁଛନ୍ତି ପରା ।୩।
ସେ ପୁଣି ଅନ୍ତର ଯେବେ ହୁଏ କୁରୁକ୍ଷେତ୍ର
କାମନା ଓ କର୍ତ୍ତବ୍ୟର ଜଟିଳ ଆହବେ,
ଶୁଣାଏ ନିଃଶବ୍ଦେ ବକ୍ଷେ,ବାଣୀ ଭାଗବତ
"ପଙ୍କଜ ହୁଅରେ ବତ୍ସ,ପଙ୍କମୟ ଭବେ !" ।୪।
ଆଗେ,ପଛେ,ଉର୍ଦ୍ଧ୍ୱେ, ଅଧେ,ବାମେ ଓ ଦକ୍ଷିଣେ
ପ୍ରଣମେ ମୁଁ ଓତପ୍ରୋତ ସେ ଶ୍ୟାମ-ବରଣେ,
ଛାୟା-ପଥ ଯା ବକ୍ଷର ଶୁଭ୍ର ବନମାଳ
ନ ହେବ କେ ଗୋପୀ,ସବୁ ସଁପି ତା' ଚରଣେ ।୫।