ଯୌତୁକ ଜୁଇ
ଯୌତୁକ ଜୁଇ


ସମୟ ବଡ ବଳବାନ । ପ୍ରଖର ସ୍ରୋତରେ ଗତାନୁମୁଖୀ ନଈଟିଏ ପରି ମାତ୍ର ପରିବର୍ତ୍ତନର ମାର୍ଗରେ ସେ ସର୍ବାଗ୍ରେ ହେଲେ କାହା ପାଇଁ ଏ ଶୁଭର ସଂକେତ ହଳଦିବସନ୍ତ ତ ଆଉ କାହା ପାଇଁ ବାଟ କାଟିଥିବା କଳା ବିଲେଇ ସଦୃଶ ।ଯେମିତିକି କାହାର ପୁଷ ମାସ ଆଉ କାହାର ସର୍ବନାଶ ।
ମୋର ଏହି କାହାଣୀ ଟିରେ କେମିତି ସମୟର ସୁରର ସାତଟି ଯାକ ସୁର ଏକ ତାଳ ଆଉ ଏକ ଲୟରେ ଗତି କରୁଥିଲେ ଆଉ ହଠାତ୍ ସମୟର କାଳଚକ୍ରରେ ସବୁ କେମିତି ଉଜୁଡ଼ିଗଲା ତାର ଏକ ଝଲକ ଆପଣ ମାନେ ସମସ୍ତେ ଦେଖିପାରିବେ । କାହାଣୀ ଟିର ଉପସ୍ଥାପନା ଏହି ପରି ।
ଅବିନାଶ ସାମନ୍ତରାୟ ।ମଧ୍ୟବିତ୍ତ ପରିବାରରର ଜଣେ ସୁନାମଧନ୍ୟ ସରକାରୀ କର୍ମଚାରୀ ଆଉ ତାଙ୍କ ସହଧର୍ମିଣୀ ତନ୍ଦ୍ରା ସାମନ୍ତରାୟ ଜଣେ ସୁଗୃହିଣୀ ।ସେମାନେ ଦୁଇ ଜଣ କନ୍ୟା ସନ୍ତାନର ପିତା ମାତା ଭାବେ ନିଜକୁ ଧନ୍ୟ ମନେକରନ୍ତି।ଦୁଇ ଝିଅଙ୍କ ପାଇଁ ସେମାନଙ୍କ ଆଖିରେ ଆଖିଏ ସ୍ଵପ୍ନ । ଦୁଇ ଝିଅଙ୍କ ମଧ୍ୟରେ ବଡ ଝିଅଟି ସର୍ବ ଗୁଣ ସମ୍ପର୍ଣ୍ଣ । ସମୟକ୍ରମେ ଝିଅ ଟି ବଡ ହୋଇ ନାମିଦାମୀ ବେସରକାରୀ ସଂସ୍ଥା ରେ କାର୍ଯ୍ୟରତ ।ବିବାହ ବନ୍ଧନରେ ଆବଦ୍ଧ ଏବଂ ପୁତ୍ର ସନ୍ତାନର ଜନନୀ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣା ଏହା ସତ୍ୱେ ବି ଯୌତୁକ ନିର୍ଯ୍ୟାତନାର ଶିକାର ହୋଇଛି ସେ ।କେବଳ ମାନସିକ ଆଘାତ ନୁହେଁ ସେ ଶାରୀରିକ ଆଘାତରେ କ୍ଷତାକ୍ତ । କଣ କରିବ ସେ ? ବୃଦ୍ଧ ପିତା ମାତାଙ୍କୁ କହିବ ବା କିପରି ? ସେମାନେ ଆଘାତ ପ୍ରାପ୍ତ ହେବେ ଆଉ ଚିନ୍ତାଗ୍ରସ୍ଥ ବି କାରଣ ପିତା ତାର ଅବସରପ୍ରାପ୍ତ ଆଉ ରୁଗ୍ଣ ଏବଂ ସାନ ଝିଅ ର ବିବାହ ହୋଇ ନାହିଁ ବୋଲି ତା ମା ଏଥିପାଇଁ ବହୁତ ଚିନ୍ତିତ ।
କଣ କରିବ ସେ, ସମାଜ କଣ କହିବ? ଏତେ ଛୋଟ ପୁଅ ଟିକୁ ସେ ଏକା ପାଳିବ ଵା କେମିତି? ଏତେ ସବୁ ମଧ୍ୟରେ ସେ ଯେମିତି ଫସିଯାଇଛି ଚକ୍ରବ୍ୟୁହରେ ।ସହ୍ୟ କରିବ ବି କେତେ? ସବୁ ଦିନ ସ୍ୱାମୀ,ଶାଶୁ , ଶଶୁର ଆଉ ନଣନ୍ଦଙ୍କର ବର୍ବରତାର ଚିହ୍ନକୁ ସେ କେତେ ଲୁଚାଇବ ନିଜର ସହକର୍ମୀ ମାନଙ୍କ ଠାରୁ କି ଆଜି ଗାଧୁଆ ଘରେ ଗୋଡ଼ ଖସିଗଲା , କାଲି ସିଡ଼ି ପାହଚରୁ ଖସିଗଲା ସେ ଅନ୍ୟମନସ୍କ ହୋଇ, ପୂର୍ବ ଦିନ ଗରମ ତେଲରେ ହାତ ଜଳିଗଲା ଇତ୍ୟାଦି ଇତ୍ୟାଦି । ଏତେସବୁ ଅମାନୁଷିକ ଅତ୍ୟାଚାର ପରେ ବି ବଂଚିବାର ସେ କ୍ଷୀଣ ଆଶା କେବଳ ନିଜ ପୁଅ ପାଇଁ । ଆହା ଯଦି ମରିଯିବ , ପୁଅ କଣ କରିବ ?କେମିତି ବଂଚିବ ସେ ? କିଏ ତାର ଯତ୍ନ ନେବ? ଝିଅ ଟିଏ ହୋଇ ଜନ୍ମ ନେବା ଆଜି ମହଙ୍ଗା ପଡୁଛି ତାକୁ ଆଉ ବହୁତ ପାପ ହେଇ ଯାଇଛି ତା ଦ୍ୱାରା ଯେମିତି ।ଏତେ କଷ୍ଟ ସହ୍ୟ କରିବ ଅବା କେମିତି ?
ଦିନକର ଘଟଣା । ତାର ଫୋନ କଲ ଟି ଏକମାତ୍ରେ ତାର ଭଉଣୀକୁ ସ୍ତବ୍ଧ କରିଦେଇଥିଲା ଯେମିତି । କହୁଛି କି ଯଦି ସେ ମରିଯାଏ ତା ହେଲେ ତା ପୁଅକୁ ବାପା ମା ଙ୍କୁ କହିବୁ ଆସି ନେଇଯିବେ । ତା ଭଉଣୀ ଆଶ୍ଚର୍ଯ୍ୟ ହୋଇ ପଚାରୁଛି କଣ ହେଇଛି କହିବୁ ଟିକେ ନାନୀ ? ଏତେ କାନ୍ଦୁଛୁ କାହିଁକି ? ଏତିକି ଖାଲି ସେ କହିଛି କି ତା ସ୍ୱାମୀ,ଶାଶୁ , ଶଶୁର ଆଉ ନଣନ୍ଦ ମିଶିକି ତା ମୁଣ୍ଡକୁ ଫଟେଇ ଦେଇଛନ୍ତି । ମେଡିକାଲ ବି ନେଇ ନାହାଁନ୍ତି । ପାଶବିକ ଅତ୍ୟାଚାରରେ ସେ ଆଜି ପେଷି ହେଇଯାଇଛି । ଏତିକି କହି ତା ଫୋନ ଟି ବନ୍ଦ ହେଇଯାଇଛି । ମୁଣ୍ଡ ଫାଟି ଚାରି ଆଡେ ଖାଲି ରକ୍ତର ଛିଟା ପଡିଛି । ରକ୍ତ ସ୍ନାନ କରିଛି ଯେମିତି ତାର ଶରୀର ଆଉ ଶୁଭୁଛି ଚିତ୍କାରର ଆର୍ତ୍ତନାଦ । କେତେ ସମୟ ପରେ ତାର ଶରୀର ନିସ୍ତବ୍ଧ ହୋଇଯାଇଛି , ସେ ପାଲଟିଯାଇଛି ଶବ । ଏତେ ସବୁ ବୁଝିବା ପାଇଁ ତା କୁନି ପୁଅର ବୟସ ବି ହେଇନି କି ସେ ଜାଣିବା ଯେ ତା ମା ମୃତ ଆଉ ସେ କେବେ ବି ଫେରିବନି ତା ଜୀବନକୁ । ମା ମା ବୋଲି ସେ ଚିତ୍କାର କରୁଛି । ହେଲେ ମା ଶୁଣୁନି ,ସେ ଯେ ସ୍ଥାଣୁ ପାଲଟି ଯାଇଛି । ଏ ପଟେ ତା ବାପା ମା ଙ୍କୁ କୁହା ହେଉଛି କି ଆସ ତୁମ ଝିଅର ଦେହ ବହୁତ ଖରାପ ଅଛି । ପରେ ଆସି ଯାହା ଦେଖୁଛନ୍ତି ଯେମିତିକି ତାଙ୍କ ପାଇଁ ସେ ସବୁ କାଳସ୍ୱପ୍ନ ଆଉ ଯମଯନ୍ତ୍ରଣା ସମ । ଏ କଣ ଝିଅ ଆତ୍ମହତ୍ୟା କରିଛି? ଆତ୍ମହତ୍ୟା କରିବ, କାହିଁକି ? ସନ୍ତାନର ମୋହରେ ସେ କେବେ ବି ଏ ପନ୍ଥାକୁ ଆପଣେଇ ନେବ ନି । ମାନସିକ , ଶାରୀରିକ ଆଘାତରେ ସେ ଆଜି ଧରାଶାୟୀ । ଆଉ ଏ ସବୁକୁ ଆତ୍ମହତ୍ୟାର ରୂପରେଖ ଦିଆଯାଇଛି , ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାର କୋଠରୀ ଭିତରକୁ ପଶିବାରୁ ଦେଖିବାକୁ ମିଳିଛି ଚାରିଆଡେ ରକ୍ତର ଛିଟା । ଦେହରେ ପିନ୍ଧିଥିବା ଧଳା ଲୁଗାଟି ରକ୍ତିମ ଆଭାରେ ରଙ୍ଗାୟିତ ଆଉ ବେକରେ ହଳଦିଆ ରଙ୍ଗର ଓଢଣୀ ଟିଏ । ଏ ସବୁକୁ ଦେଖି ସମସ୍ତେ କାନ୍ଦୁଛନ୍ତି ହେଲେ ମା ର ଚିତ୍କାର କିନ୍ତୁ ହୃଦୟ ବିଦାରକ ଆଉ ମର୍ମନ୍ତୁଦ ମଧ୍ୟ । କଣ କରିବେ କିଛି ବୁଝି ପାରୁନାହାନ୍ତି ବାପା , ମା ଆଉ ଭଉଣୀ । ରକ୍ତର ଛିଟା ଆଉ ଆର୍ତ୍ତ ଚିତ୍କାରକୁ ସମାଜ ଭୁଲିଯିବ କିନ୍ତୁ ବାପା , ମାଆ କେବେବି ଭୁଲି ସାମାନ୍ୟ ହେଇପାରିବେ ନାହିଁ ।