ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଯାତ୍ରୀ – ଭାଗ ୧

ଯାତ୍ରୀ – ଭାଗ ୧

3 mins
7.6K


ସମ୍ବଲପୁର ଜିଲ୍ଲା ଇବ୍ ନଦୀ କୂଳରେ ଥିବା ବାଘରା ଗାଁରେ ଆଜି ସବୁଠାରୁ ବୁଢ଼ା, ସବୁଠାରୁ ପ୍ରବୀଣ ଚାଷୀ ବାବାଜୀ ପଧାନ ଏକ ଗଭୀର ଚିନ୍ତାରେ ମଗ୍ନ । କାଲି ସକାଳୁ ତାକୁ ଗାଁ ଛାଡ଼ି ଯିବାକୁ ହେବ । ହୀରାକୁଦ ବନ୍ଧ ହେବା ଫଳରେ ଗାଁଟି ସବୁଦିନ ପାଇଁ ନଦୀ ଗର୍ଭରେ ଲୀନ ହେବ । ଏ ବର୍ଷ ବର୍ଷାକୁ ଗାଁ ମଝି ଖୁଲି(ରାସ୍ତା) ଉପରେ ବାଉଁଶେ ପାଣି ରହିବ ବୋଲି ଗାଁ ଲୋକଙ୍କଠାରୁ ଶୁଣିବା ଦିନଠାରୁ ଆଜିକି ପନ୍ଦର ଦିନ ହେଲା ତା’ର ମନରେ ଶାନ୍ତି ନାହିଁ, ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ । ଜ୍ୟେଷ୍ଠ ମାସର ଏକ ତପ୍ତ ସନ୍ଧ୍ୟା । ବାବାଜୀ ପଧାନ ପରି ସ୍ଥାଣୁ ଓ ବହୁ ପୁରାତନ, ଗାଁ ମଝିରେ ଥିବା ପି୍ଳ ଗଛଟି ଆଜି ନିଶ୍ଚଳ । ସେ ଗଛରେ ବାକି ଥିବା ସାମାନ୍ୟ କେତେକ ସ୍ୱଭାବଚଞ୍ଚଳ ପତ୍ରମାନ ସୁଦ୍ଧା ହଲୁ ନାହିଁ । ଏ ବୃକ୍ଷକୁ ଆଶ୍ରୟ କରିଥିବା ପକ୍ଷୀମାନେ କେଉଁ କାଳରୁ ନିରବ ହୋଇ ନିଦ୍ରାର ଆଶ୍ରୟ ନେଲେଣି । ଆକାଶରେ ସାମାନ୍ୟ ମେଘ । ପବନର ଚଳାଚଳ ନାହିଁ । ବାବାଜୀ ପଧାନ ନଦୀକୁ ସନ୍ଧ୍ୟାରେ ଗାଧୋଇ ଯିବା ବାଟରେ ଗଛ ମୂଳରେ କିଛି ସମୟ ଥକାମାରି ବସିଲା । କାଲି ସନ୍ଧ୍ୟାରେ କେଉଁଠି ଥିବ ସେ? ଭାବି ପାରୁ ନାହିଁ ବାବାଜୀ ପଧାନ । ଏ ଜନ୍ମମାଟି, ଯେଉଁଠି ସେ ଚାରିକୋଡ଼ିରୁ ଅଧିକ ବର୍ଷ ବିତାଇ ଦେଇଛି, ତା’ର ପ୍ରତ୍ୟେକ ରକ୍ତ କଣିକାରେ, ତା’ର ହାଡ଼, ଚମ, ମାଂସ ସବୁଥିରେ ଯେଉଁ ମାଟିର ଗନ୍ଧ ଓ ରସ ଭରି ରହିଛି, ସେ ମାଟିରୁ ସେ ସବୁଦିନ ପାଇଁ ବିଚ୍ଛିନ୍ନ ହେବ କାଲିଠାରୁ । ଏ ପୁରାତନ ଗଛଟି ହୁଏତ ଆସନ୍ତା ବର୍ଷାରେ ମହାନଦୀ ବନ୍ଧରେ ବୁଡ଼ି ଭାସି ଯିବ । ସେତେବେଳେ ଏ ଗଛର ପକ୍ଷୀମାନେ ଆନନ୍ଦରେ ଅନ୍ୟ ନୀଡ଼ରେ ଆଶ୍ରୟ ନେବେ, ଏ ଗଛର ଆଶ୍ରୟକୁ ସବୁଦିନ ପାଇଁ ଭୁଲି ଯାଇ ପାଣି ମାଡ଼ି ଆସିବା ପୂର୍ବରୁ ହୁଏତ କେଉଁ ଠିକାଦାର ବା ଚାଷୀର ନିଷ୍ଠୁର କୁରାଢ଼ୀ ଏ ପୁରାତନ ଗଛକୁ ନିଶ୍ଚିହ୍ନ କରିଦେବ । ପାଣି ମାଡ଼ି ଆସିଲେ ଏ ଗଛର ବା ବାବାଜୀ ପଧାନର ପ୍ରେତ ସୁଦ୍ଧା ଏଠାକୁ ଆସି ପାରିବ ନାହିଁ ।... ଗଛଟି ଯେପରି ଶହ ଶହ ଚେର ସାହାଯ୍ୟରେ ମାଟି ସହିତ ବନ୍ଧା ହୋଇ ପଡ଼ିଛି, ଆଜି ଶହ ଶହ ମାୟାର ବନ୍ଧନ, ମମତାର ଆକର୍ଷଣ, ଗାଁର ମାଟି ସଙ୍ଗେ ବାବାଜୀ ପଧାନର ମନର ଚେରକୁ ବାନ୍ଧି ରଖିବାକୁ ଚାହେଁ । କିନ୍ତୁ ଏ ବନ୍ଧନକୁ କାଲି ସକାଳ ସୁଦ୍ଧା ଛେଦିବାକୁ ପଡ଼ିବ । ସେ ଭାବେ ଓ ଦୀର୍ଘଶ୍ୱାସ ଛାଡ଼େ । ଏ ଗଛଠାରୁ ସୁଦ୍ଧା ଆହୁରି କେତେ ଗୁଣ ପରାଧୀନ, କେତେ ଅସହାୟ ମନୁଷ୍ୟ । କାଲି ସକାଳେ ତାକୁ ନିଶ୍ଚୟ, ନିଶ୍ଚୟ ଏ ଗାଁ ଛାଡ଼ି ଚାଲିଯିବାକୁ ହେବ । ତା’ର ପୁଅ ଚନ୍ଦ୍ରମଣି ପଧାନ ସମ୍ବଲପୁରର ଡେମ୍ ଅଫିସ୍କୁ ଯାଇଛି । ସରକାରୀ ମଞ୍ଜୁର କରାଇ କାଲି ସକାଳେ ଗାଁକୁ ଫେରିବ । ଘରେ ପୁରା(ଓଳିଆ) ଓ ବସ୍ତାରେ ଧାନ, ଚାଉଳ, ମୁଗ, କୋଳଥ ଆଦି ବନ୍ଧାବନ୍ଧି ସାରିଲାଣି । ଏଥିୂର୍ବରୁ ଗାଁର ପଞ୍ଚ ସଦାଶିବ ଷଡ଼ଙ୍ଗୀ, ମଦନ ପ୍ରଧାନ, ମଧୁମିଶ୍ର ଆଦି ଅନେକେ ଗାଁ ଛାଡ଼ି କିଏ ଚାରିଦିନ ହେଲା, କିଏ ପାଞ୍ଚଦିନ ହେଲା କିଏ କୁଆଡ଼େ ଚାଲି ଗଲେଣି । ଗାଁର ଅଧିକାଂଶ ଘରେ ଆଉ ଛାତ ନାହିଁ । ଶୂନ୍ୟ ଦିଶିଲାଣି ଗାଁର ଶିରୀ । ଅତୀତର ସମସ୍ତ ସୁଖ ଦୁଃଖର ସ୍ମୃତିକୁ ଏଠାରେ ସମାଧି ଦେଇ ଗାଁର କେତେ ଲୋକ ଅନ୍ୟ ଗାଁମାନଙ୍କୁ ବାହାରି ଗଲେଣି । ବାବାଜୀ ପଧାନ ଚେଷ୍ଟା କଲେ ମଧ୍ୟ ଏଠାରେ ଆଉ ବେଶି ଦିନ ରହି ପାରନ୍ତା ନାହିଁ । ଏ ବୁଢ଼ା ବୟସରେ କେଉଁ ପାପରୁ ତାକୁ ଦେଶତ୍ୟାଗୀ ହେବାକୁ ପଡ଼ୁଛି? ସେହି କଥା ଭାବେ ବାବାଜୀ ପଧାନ । ତା’ର ଦୁଇ ଆଖିରୁ ଝରି ପଡ଼େ ଦୁଇଧାର ଲୁହ ।

ଦୂରରେ ଦକ୍ଷିଣରୁ ହୀରାକୁଦରେ କାମ ହେଉଥିବାର ବିଜୁଳିବତିର ଅସ୍ପଷ୍ଟ ଆଲୁଅ ତାକୁ ମନେ ପକାଇ ଦେଉଛି ଏ ସନ୍ଧ୍ୟାରେ - ଏ ଗାଁ, ଏ ନଦୀ, ଏ ଜମିବାଡ଼ି, ଏ ଘରଦ୍ୱାର, ଗାଁର ପାଖ ପଡ଼ୋଶୀ ବନ୍ଧୁବାନ୍ଧବ - ସବୁ ଛାଡ଼ି ଚାଲିଯିବାକୁ ହେବ । ଦୂର ହୀରାକୁଦରେ ଚାଲୁଥିବା ମେସିନ୍ର କ୍ଷୀଣ ସ୍ୱର ଯେପରି ତାକୁ ଅସ୍ୱସ୍ତିକର ସନ୍ଧ୍ୟାରେ ବାରବାର କହୁଛି; ମନେ ପକାଇ ଦେଉଛି - ଚାଲିଯାଅ, ଚାଲିଯାଅ ଏଠୁ । ଅତୀତ ଜୀବନର କେତେ ଚିତ୍ର ତା’ ମନରେ ଖେଳିଯାଏ ଗୋଟିଏ ସ୍ୱପ୍ନର ଅସଂଲଗ୍ନ ଭାବନାମାନ ପରି । କେତେ ଯତ୍ନରେ ଗଢ଼ିଥିଲା ସେ ତା’ର ଛୋଟ ଦୁନିଆଟି । କେତେ ପରିଶ୍ରମ କରି ବୁଣିଛି ସେ କେତେ ମାୟା ମମତାର ଜାଲ । ଏତେ ପ୍ରତିକୂଳ ଅବସ୍ଥାରେ ସୁଦ୍ଧା ସେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନିଜ ଖେତରେ ବୁଲି ନ ଆସିଲେ ତା’ର ମନରେ ସ୍ୱସ୍ତି ଆସେ ନାହିଁ । ଅଦିନିଆ ବର୍ଷାରେ ଖେତରେ ହଳ ବୁଲିଲା କି ନାହିଁ, ଠିକ୍ ସମୟରେ କ୍ଷେତରେ ଖତ ଦିଆଗଲା କି ନାହିଁ, ଧାନ ଠିକ୍ ସମୟରେ ବୁଣା ହେଲା କି ନାହିଁ, ବଳଦମାନଙ୍କୁ ଠିକ୍ ସମୟରେ ପୁଆଳ, କୁଣ୍ଡା ଦିଆ ହେଲା କି ନାହିଁ, ଘର ସାମୟିକ ଭାବରେ ଲିା ପୋଛା ହେଲା କି ନାହିଁ ଇତ୍ୟାଦି । ତା’ର ଛୋଟ ଦୁନିଆର ଯାବତୀୟ ବିଷୟ ସେ ଏ ବୟସରେ ସୁଦ୍ଧା ବୁଝେ । ଖେତର ପ୍ରତ୍ୟେକ ଧୂଳିକଣା ସଙ୍ଗେ ଯେପରି ତା’ର ଜନ୍ମ ଜନ୍ମାନ୍ତର ସମ୍ବନ୍ଧ ସେହି ଖେତର ଧୂଳିକଣାରୁ ତ ତା’ର ରକ୍ତମାଂସର ଶରୀର ଗଢ଼ା ହୋଇଛି । ଆଜି କିନ୍ତୁ ସେ ସମ୍ବନ୍ଧକୁ ଜୋର୍ କରି ତୁଟାଇବାକୁ ହେବ – ସବୁଦିନ ପାଇଁ । ମନେ ପଡ଼େ ପିଲାଦିନର ସ୍ମୃତି ।


Rate this content
Log in

Similar oriya story from Classics