STORYMIRROR

Shakti Prasad Das

Inspirational

4.5  

Shakti Prasad Das

Inspirational

ଉତ୍କଳର ଦୁର୍ଦ୍ଧର୍ଷ ସେନାପତି - ଫକୀରମୋହନ

ଉତ୍କଳର ଦୁର୍ଦ୍ଧର୍ଷ ସେନାପତି - ଫକୀରମୋହନ

13 mins
48


ଆଜି ପବିତ୍ର ମକର ସଂକ୍ରାନ୍ତି ଫକୀରମୋହନ ସେନାପତିଙ୍କର ପୁଣ୍ୟ ଜନ୍ମତିଥି | ୧୮୪୩ ମସିହାରେ ମକର ସଂକ୍ରାନ୍ତି ଜାନୁୟାରୀ ମାସ ୧୪ ତାରିଖ ଦିନ ପଡିଥିଲା | ଏହିଦିନ ଫକୀରମୋହନ ବାଲେଶ୍ବର ସହରର କେନ୍ଦ୍ରସ୍ଥଳ ଠାରୁ ଅନତିଦୂରରେ ଅବସ୍ଥିତ ମଲ୍ଲିକାଶପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ | ଅଧୁନା ବାଲେଶ୍ବର ସହର ଠାରୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଡକୁ କିଛି ବାଟ ଗଲାବେଳେ ଏହି ଗାଁଟି ବାଟରେ ପଡେ | ବାଲେଶ୍ବର ବସଷ୍ଟାଣ୍ଡ ଠାରୁ ଏହାର ଦୂରତା ପ୍ରାୟ ୪ କିମି ହେବ | ଆଜି ଏଠାରେ ପେଡେଷ୍ଟାଲ୍ ଉପରେ ଫକୀରମୋହନଙ୍କର ପୂର୍ଣ୍ଣା°ଗ ପ୍ରତିମୂର୍ତ୍ତି ଦଣ୍ଡାୟମାନ ଅବସ୍ଥାରେ ଶୋଭା ପାଉଛି ଓ ଅଗଣିତ ନରନାରୀଙ୍କୁ ମାତୃଭୂମି ତଥା ମାତୃଭାଷାମନସ୍କ କରୁଛି |  


ଆଗରୁ ଯଦିଓ ଘରେ ଜେଜେ ଓ ବାପାବୋଉଙ୍କ ଠାରୁ ଫକୀରମୋହନଙ୍କ ବିଷୟରେ କିଛି କିଛି ଶୁଣିଥିଲି, ତାଙ୍କ ବ୍ୟକ୍ତିତ୍ବ ସହିତ ମୋର ପ୍ରଥମ ଯଥାର୍ଥ ପରିଚୟ (୧୯୮୪ ମସିହାରେ) ସପ୍ତମ ଶ୍ରେଣୀରେ ହୋଇଥିଲା | ସେହି ଶ୍ରେଣୀର ସାହିତ୍ୟ ପୁସ୍ତକରେ ଫକୀରମୋହନଙ୍କ ଉପରେ ଏକ ଅଧ୍ୟାୟ ଥିଲା, ଯାହାର ଆରମ୍ଭ ଫକୀରମୋହନଙ୍କ ଲିଖିତ ନିମ୍ନୋକ୍ତ ଇତିହାସ-ପ୍ରସିଦ୍ଧ ପତ୍ରଟିରୁ ହୋଇଥିଲା-


“ମଇ ମାସ, ୧୬ ତାରିଖ, ସନ ୧୮୯୧

ମୁକାମ ରାଇସୁଆଁ

ଭୋଳାନାଥ ଖମାରିଆ ଜାଣିବୁ,

ମହାରାଣୀ-ପୁତ୍ରଙ୍କ ସକାଶେ ନିତାନ୍ତ ଦରକାର, ଅତି ଶୀଘ୍ର ଶହେ ହେଲେ ମଧ୍ୟ ପାନ, ଦୁଇଶ ଗୁଆ, ପଠାଇବୁ | ପଶ୍ଚିମ ପଟରୁ ମାହାର କରି ଆଖୁବାଡିକୁ ଶୀଘ୍ର ପାଣି ବୁହାଇବୁ | ନୋହିଲେ ଆଖୁବାଡି ବିନାଶ ଯିବ ବୋଲି ଜାଣିବୁ | ଇତି |

ଫକୀରମୋହନ ସେନାପତି”


ଏହି ଚିଠି ଲେଖିବା ସମୟରେ ଫକୀରମୋହନଙ୍କୁ ବୟସ ପ୍ରାୟ ୪୮ ବର୍ଷ | ସେ କେନ୍ଦୁଝରର ମହାରାଜା ଧନଂଜୟ ନାରାୟଣ ଭଂଜଙ୍କ ଅଧୀନରେ ଆନନ୍ଦପୁର ଇଲାକାର ମ୍ୟାନେଜର ଭାବେ ଚାକିରି କରୁଥା’ନ୍ତି | ଏହି ସମୟରେ କେନ୍ଦୁଝରର ଭୂୟାଁ ପ୍ରଜାମାନେ ମେଳି କରି ମହାରାଜାଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ କରୁଥିଲେ | ଏହି ପ୍ରଜାମେଳିର ନେତା ଥିଲେ ଧରଣୀଧର ଭୂୟାଁ, ଯିଏ ବଡାଇ ଦେଖାଇ ନିଜକୁ ମହାରାଣୀ-ପୁତ୍ର ବୋଲି କହି ବୁଲୁଥିଲେ | ଫକୀରମୋହନ ମହାରାଜାଙ୍କ ମ୍ୟାନେଜର ଥିବାରୁ ଭୂୟାଁମାନେ ସୁଯୋଗ ଦେଖି ତାଙ୍କୁ ବନ୍ଦୀ କରି ନେଇଥିଲେ | ଫକୀରମୋହନ କୌଣସି ଭୁଲ କରିଥିଲେ ଭୂୟାଁମାନେ ତାଙ୍କ ପ୍ରାଣନାଶ କରିଥାନ୍ତେ | କିନ୍ତୁ, ସେ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ଧୀରସ୍ଥିର ଭାବେ ପରିସ୍ଥିତିକୁ ଲକ୍ଷ୍ୟ କଲେ | ସାମରିକ ଦୃଷ୍ଟିକୋଣରୁ ସେ ପରାଜିତ ହୋଇ ବନ୍ଦୀ ହୋଇଥିଲେହେଁ ଅନ୍ତର ମଧ୍ୟରେ ଆତ୍ମସମର୍ପଣ କରି ନଥିଲେ | ବିଦ୍ରୋହୀ ଭୂୟାଁଙ୍କ କବଳରୁ ଖସିବାକୁ ଓ କେନ୍ଦୁଝର ରାଜ ଉଆସକୁ ରକ୍ଷା କରିବାକୁ ସେ ବୁଦ୍ଧିର ଲଢାଇ ଜାରିରଖିଲେ | ବିଭିନ୍ନ ଚାଟୁ ବଚନ କହି ସେ ଭୂୟାଁମାନଙ୍କ ବିଶ୍ବାସଭାଜନ ହେଲେ ଓ ଧରଣୀଧରଙ୍କ ଠାରୁ ଆଦେଶ ପାଇଲେ ମହାରାଜାଙ୍କୁ ପରିତ୍ୟାଗ କରି ତାଙ୍କ ଅଧୀନରେ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ନିଜର (ଛଦ୍ମ) ଇଚ୍ଛା ପ୍ରକଟ କଲେ | ଫକୀରମୋହନ ପାନୁଆ ଥିଲେ | ଭୂୟାଁ ନେତା ଧରଣୀଧର ମଧ୍ୟ ପାନପ୍ରିୟ ଥିଲା | ଏହାର ସୁଯୋଗ ନେଇ ଫକୀରମୋହନ ଧରଣୀଧରକୁ ପାନ ଖାଇବାକୁ ଦେଇ ତା ସହିତ ବିଶେଷ ବନ୍ଧୁତା ସ୍ଥାପନ କରିଦେଲେ | ବିଦ୍ରୋହୀଙ୍କ କବଳରେ ପାଂଚ-ଛଅ ଦିନ ରହିବା ପରେ ଫକୀରମୋହନଙ୍କ ପାନତକ ସରିଆସିଲା | ଏହାକୁ ପ୍ରକୃଷ୍ଟ ସୁଯୋଗ ମନେକରି ଫକୀରମୋହନ ଧରଣୀଧରକୁ କହିଲେ, ଯେ ସେ ଭୋଳାନାଥ ନାମକ ତାଙ୍କର ଜଣେ ଖମାରିଆ (ଖମାରର ତତ୍ତ୍ବାବଧାରକ)କୁ କିଛି ପାନ ପଠାଇବାକୁ ପତ୍ର ଲେଖିବେ; ସାଥିରେ ସେହି ପତ୍ରରେ ତାଙ୍କର ଆଖୁକିଆରୀର ଯତ୍ନନେବା ପାଇଁ ମଧ୍ୟ ଲେଖିବେ | ଧରଣୀଧର ଚିଠି ପଢି ଦେଖିଲା, ଯେ ଏଥିରେ କିଛି ଆପତ୍ତି କରିବାର ନାହିଁ; ଅଧିକନ୍ତୁ ପାନ ଆସିଲେ ତା’ର ଲାଭ | ଫକୀରମୋହନଙ୍କ ସାଂଗରେ ବନ୍ଦୀ ହୋଇଥିବା ଚାରି ଜଣ ପାଇକଙ୍କୁ ମୁକ୍ତକରି ଧରଣୀଧର ତାଙ୍କ ହାତରେ ଏହି ଚିଠି ପଠାଇଲେ | କେନ୍ଦୁଝରର ମହାରାଜା ଓ ତାଙ୍କର ଅନ୍ୟ କର୍ମଚାରୀମାନେ ସେହି ସମୟରେ ଆନନ୍ଦପୁରରେ ଅବସ୍ଥାନ କରୁଥିଲେ | ପତ୍ରଟି ଯଥା ସମୟରେ ତାଙ୍କର ହସ୍ତଗତ ହେଲା | ଫକୀରମୋହନଙ୍କର ନା ଆନନ୍ଦପୁରରେ ଭୋଳାନାଥ ନାମରେ କେହି ଖମାରିଆ ଥିଲା, ନା ତାଙ୍କର କୌଣସି ଖମାର ବା ଆଖୁକିଆରୀ ଥିଲା | ତେଣୁ ଏହି ପତ୍ରଟି ଏକ ସାଂକେତିକ ସନ୍ଦେଶ ବୋଲି ମହାରାଜା ନିଃସନ୍ଦେହ ହେଲେ ଓ ଏହାର ପ୍ରକୃତ ଅଭିପ୍ରାୟ ଜାଣିବା ନିମନ୍ତେ ଜାଣିବା-ଶୁଣିବା ବ୍ୟକ୍ତିଙ୍କର ସହାୟତା ନେଲେ | ଚିଠିର ଅର୍ଥ ବାହାରିଲା- ପାନ ହେଲା ସିପାହି, ଗୁଆ ହେଲା ଗୁଳି, ଆଖୁକିଆରୀ ହେଲା ରାଜଉଆସ | ଅଧିକନ୍ତୁ ଫକୀରମୋହନ ଚିଠି ନେଇ ଯାଇଥିବା ଜଣେ ପାଇକର ପଇତାରେ ତିନି ଖଣ୍ଡ ତାର ବାନ୍ଧି ଦେଇଥିଲେ | ଏଥିରୁ ବୁଝାଗଲା ଯେ ଅତି କମରେ ଶହେ ବନ୍ଧୁକଧାରୀ ସିପାହି ପାଇଁ ଗଭର୍ଣ୍ଣର, ସୁପରିଣ୍ଟେଣ୍ଡେଣ୍ଟ ଓ ନନ୍ଦକିଶୋର ବାବୁଙ୍କୁ ତାର (telegram) ଯୋଗେ ବାର୍ତ୍ତା ପଠାଯିବ | ଏହି ଚିଠି ପଠାଇବା ପରେ ଫକୀରମୋହନଙ୍କ ପକ୍ଷେ ଥିଲା ଧୈର୍ଯ୍ୟର ପରୀକ୍ଷା | ଏହି ସମୟ ବିଷୟରେ ସେ ‘ଆତ୍ମ ଚରିତ’ରେ ଲେଖିଛନ୍ତି- “ମୁଁ ସୈନ୍ୟମାନଙ୍କ ବାଟ ଚାହିଁ ଦିନ କାଟୁଥାଏ | ମହାରାଣୀପୁତ୍ର ମୋର ହସ୍ତଗତ | ଅନେକ ଭୂୟାଁ ସର୍ଦ୍ଦାର ମଧ୍ୟ ଆୟତ୍ତକୁ ଆସିଗଲେଣି | ସେମାନଙ୍କୁ ପାଖରେ ବସାଇ ହସି ହସି ରାଜ୍ୟକଥା, ଘରକରଣା କଥା, ସୁଖ-ଦୁଃଖ କଥା କହେଁ | କେବଳ ମହାପାତ୍ରକୁ ପାରୁନାହିଁ | ସେ ସର୍ବଦା ମୋ ଗତିବିଧି ଓ କଥାବାର୍ତ୍ତାକୁ ଲକ୍ଷ୍ୟ ରଖିଥାଏ | ମାତ୍ର ମୋର ତା’ ପ୍ରତି ସନ୍ଦେହ, ମୁଁ ଏ ଭାବ ପ୍ରକାଶ କରେନାହିଁ | ମନ ମଧ୍ୟରେ ଭାବୁଥାଏ, ମନ୍ତ୍ରୀବୁଦ୍ଧି, ଭୂୟାଁ-ବୁଦ୍ଧି ବର୍ତ୍ତମାନ କଷାକଷି | ଜିଣାପଟ କାହାର ହେବ, ଦେଖାଯିବ | ଗୋପାଳିଆ ମୋତେ ଦେଖିଲେ ଦାନ୍ତ କଡମଡ କରେ | ମୋ ଲମ୍ବା ବେକ ହାଣିପକାଇବାକୁ ତାର ଭାରି ଇଚ୍ଛା |”    


ଫକୀରମୋହନଙ୍କର ବୌଦ୍ଧିକ ସଂଗ୍ରାମର ଅବଶେଷରେ ବିଜୟ ହେଲା | ସଶସ୍ତ୍ର ସୈନ୍ୟ ଆସି ପହଂଚିଲେ, ପ୍ରଜାମେଳି ଦମନ ହେଲା ଓ ସେ ମୁକ୍ତ ହେଲେ | ସଂକଟ ସମୟ ହିଁ ଗୋଟିଏ ଯୋଦ୍ଧାର ଉପଯୁକ୍ତ ପରୀକ୍ଷା କରେ | ଅନୁରୂପ ନ୍ୟାୟରେ ଏହି ବିପଦପୂର୍ଣ୍ଣ ପରିସ୍ଥିତି ଫକୀରମୋହନଙ୍କର ସେନାପତିପଣିଆ ପରୀକ୍ଷା କରିଥିଲା | ସେନାପତି ସଫଳତାର ସହ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ |


ପୂର୍ବରୁ କହିରଖିଛି ଯେ ଏହି ସେନାପତି ୧୮୪୩ ମସିହା ଜାନୁୟାରୀ ମାସ ୧୪ ତାରିଖ, ମକର ସଂକ୍ରାନ୍ତି ଦିନ ବାଲେଶ୍ବର ଜିଲ୍ଲାର ମଲ୍ଲୀକାଶପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ | ସୌର-ପଂଜିକାରେ ମକରସଂକ୍ରାନ୍ତି ପରି ଏହା ଉତ୍କଳର ଭାଗ୍ୟରବିଙ୍କର ଉତ୍ତରାୟଣ ପର୍ବର ଅୟମାରମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ | ତାଙ୍କର ପିତାଙ୍କ ନାମ ଥିଲା ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ଥିଲା ତୁଳସୀଦେଈ | ଜନ୍ମର ଏକ ବର୍ଷ ପାଂଚ ମାସ ପରେ ପିତା ଓ ଏହାର ବର୍ଷେ ଦୁଇମାସ ପରେ ମାତା ସ୍ବର୍ଗବାସୀ ହେଲେ | ଅନାଥ ଫକୀରମୋହନ ନିଜ ଜେଜେମା କୋଚିଲାଦେଈଙ୍କ ଦ୍ବାରା ପାଳିତ ହେବାକୁ ଲାଗିଲେ | ବାଲ୍ୟାବସ୍ଥାରେ ବିଭିନ୍ନ ରୋଗମାନ ସର୍ବଦା ପୀଡା ଦେବାରୁ ତାଙ୍କ ଜେଜେମା ମହରମ୍ ସମୟରେ ତାଙ୍କୁ ୮ (ଆଠ) ଦିନ ପାଇଁ ଫକୀର କରି ଦେଇଥିଲେ | ଏଣୁ ତାଙ୍କ ନାମ ‘ବ୍ରଜ ମୋହନ’ରୁ ବଦଳି ‘ଫକୀରମୋହନ’ ହୋଇଗଲା |


ଅର୍ଥାଭାବ ସାଂଗକୁ କେହି ଉପଯୁକ୍ତ ଅଭିଭାବକ ନ ଥିବାରୁ ବାଳକ ଫକୀରମୋହନ ମାତ୍ର ଅଢେଇ ବର୍ଷ ପାଇଁ ଚାଟଶାଳୀରେ ପଢିଥିଲେ | ଅଥଚ ମାତୃଭାଷା ଘୋର ସଂକଟରେ ପଡିଥିବା ସମୟରେ ଏହି ‘ଅଳ୍ପ ପାଠୁଆ’ ମଣିଷ ଜଣକ ଏକ କୁଶଳୀ ସେନାପତିର ଭୂମିକା ନିର୍ବାହ କରିଥିଲେ ଓ ତାହା କରି ଦେଖାଇଦେଲେ, ଯାହା ଶହ ଶହ ତଥାକଥିତ ‘ଉଚ୍ଚ ଶିକ୍ଷିତ’ ମାନଙ୍କର ସାଧ୍ୟ ଓ କଳ୍ପନାର ବାହାରେ ଥିଲା |


ବାପ-ମା ଛେଉଣ୍ଡ ହୋଇଥିବାରୁ ଭାଗ୍ୟର ତାଡନାରେ ତାଙ୍କୁ ସମ୍ପର୍କୀୟ କକା-ଖୁଡୀଙ୍କ ଆଶ୍ରୟରେ ରହିବାକୁ ପଡିଥିଲା | ଫକୀରମୋହନଙ୍କ ବିଷୟରେ ପୂର୍ବୋକ୍ତ ଯେଉଁ ଅଧ୍ୟାୟ ଆମର ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଥିଲା, ସେଥିରେ ଲେଖାଥିବାର ମନେପଡୁଛି ଯେ କକା ସ୍କୁଲର ଅବଧାନଙ୍କୁ ମିଛସତ କହି ଅସହାୟ ଫକୀରମୋହନଙ୍କୁ ନିର୍ମମ ବେତ୍ରାଘାତ ଦେବାର ନିଶ୍ଚିତ ବ୍ୟବସ୍ଥା କରି ଖୁବ୍ ଆନନ୍ଦ ପାଉଥିଲେ | ଫକୀରମୋହନଙ୍କ ଜୀବନର ଏହି ଯନ୍ତ୍ରଣାସିକ୍ତ ପର୍ଯ୍ୟାୟ ବିଷୟରେ ଡଃ. ମାୟାଧର ମାନସିଂହ ‘ସରସ୍ବତୀ ଫକୀରମୋହନ’ରେ ଲେଖିଛନ୍ତି-


“ପ୍ରତିଭାର ଔଜ୍ଜ୍ବଲ୍ୟ ସହିତ ଅପରିଚିତ ପୁରୁଷୋତ୍ତମ ସେନାପତି ଓ ତାଙ୍କ ପତ୍ନୀଙ୍କ ପରି ଅଧମାଧମ କକାଖୁଡୀଙ୍କ ପ୍ରତି ଅସହାୟ ବାପମା’-ଛେଉଣ୍ଡ ପୁତୁରାଟିର ବୌଦ୍ଧିକ ସିଦ୍ଧି ଅସହ୍ୟ ହେଲେ ମଧ୍ୟ, ସେପ୍ରକାର ଅବାଂଛନୀୟ ଅତ୍ୟାଚାର ଓ ଅବହେଳା ଭିତରେ ମଧ୍ୟ ଏକ ପ୍ରତିଭା ନିଶ୍ଚୟ ଯେ ମୁଣ୍ଡ ଟେକି ଉଠିବ, ତା’ର ପ୍ରକୃଷ୍ଟ ଦୃଷ୍ଟାନ୍ତ ରୁଗ୍ଣ, ଅସହାୟ ଓ ଅତ୍ୟାଚାରିତ କିଶୋର ଫକୀରମୋହନ | ଅନ୍ତତଃ ଓଡିଆଜାତିର କିଶୋର-ତରୁଣ ସମ୍ପ୍ରଦାୟ ସମ୍ମୁଖରେ, ସକଳ ପ୍ରତିକୂଳ ଅବସ୍ଥା ଭିତରେ କିଶୋର ଫକୀରମୋହନଙ୍କର ଅଦମ୍ୟ ଜ୍ଞାନାର୍ଜନ-ଉତ୍ସାହ ଓ ସେଥିଲାଗି ଫଳଲାଭ ପର୍ଯ୍ୟନ୍ତ ସାଧନା କରିବାର ଅଧିକ ଉଜ୍ଜ୍ବଳତର ଦୃଷ୍ଟାନ୍ତ ନାହିଁ |”


୧୮୫୬ ମସିହାରେ ମାତ୍ର ୧୩ (ତେର) ବର୍ଷ ବୟସରେ ଫକୀରମୋହନଙ୍କର ବିବାହ ମାଣିଖମ୍ବ ଗାଁର ନାରାୟଣ ପରିଡାଙ୍କ ଝିଅ ଲୀଳାବତୀଙ୍କ ସହିତ ସମ୍ପନ୍ନ ହୋଇଥିଲା | ଲୀଳାବତୀ କଟୁଭାଷିଣୀ ଓ ସ୍ବାମୀଙ୍କର ବିରୁଦ୍ଧାଚାରିଣୀ ଥିଲେ | ଏଣୁ ଫକୀରମୋହନଙ୍କର ପ୍ରଥମ ଦାମ୍ପତ୍ୟ ଜୀବନ (ପ୍ରାୟ ୧୫ ବର୍ଷ) ଏକ ପ୍ରକାର ହା-ହୁତାଶମୟ ଥିଲା | ଲୀଳାବତୀ ବ୍ୟାଧିଗ୍ରସ୍ତ ହୋଇ ୧୮୭୧ ମସିହାରେ ମୃତ୍ୟୁବରଣ କଲେ | ଏତେବେଳକୁ ଫକୀରମୋହନଙ୍କ ବୟସ ପ୍ରାୟ ୨୮ ବର୍ଷ; ଯୁବାବସ୍ଥା | ଅଳ୍ପ କିଛିଦିନ ମଧ୍ୟରେ ଫକୀରମୋହନ ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ; ଜୀବନସଂଗିନୀ ଥିଲେ କୃଷ୍ଣାକୁମାରୀ | ଏହି ବିବାହ ସୁଖପ୍ରଦ ହେଲା | ପ୍ରାୟ ୨୩ ବର୍ଷ କାଳ କୃଷ୍ଣାକୁମାରୀ ଫକୀରମୋହନଙ୍କ ଦୁଃଖ ଜର୍ଜରିତ ଜୀବନରେ ପୁଲକର ଅନୁଭବ ଆଣିଦେଲେ | ଅବଶେଷରେ ୧୮୯୪ ମସିହାରେ କୃଷ୍ଣାକୁମାରୀ ୫୨ ବର୍ଷୀୟ ଫକୀରମୋହନଙ୍କୁ ଏକାକୀ କରିଦେଇ ପରଲୋକ ଗମନ କରିଥିଲେ |   


ଫକୀରମୋହନଙ୍କ ତରୁଣ ଓ ପ୍ରୌଢ଼ ଜୀବନ ମଧ୍ୟ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା | ୧୮୬୬ ମସିହାରେ ଓଡିଶାରେ ନ’ଅଂକ ଦୁର୍ଭିକ୍ଷ ଦେଖା ଦେଇଥିଲା | ଏଥିରେ ଓଡିଶାର ପ୍ରାୟ ୩୦ ଲକ୍ଷ ନରନାରୀ ପ୍ରାଣ ହରାଇଥିଲେ | ସେତେବେଳକୁ ଫକୀରମୋହନଙ୍କର ବୟସ ୨୩ ବର୍ଷ ଓ ସେ ସ୍ବଚକ୍ଷୁରେ ଏହି ଭୟଂକର ଦୁର୍ବିପାକର କରାଳରୂପ ଦେଖିଥିଲେ | କେତେକାଂଶରେ ଏହି ଦୁର୍ବିପାକ ମନୁଷ୍ୟକୃତ ଥିଲା | ଓଡିଶାର ଅଧିକାଂଶ ସରକାରୀ ଚାକିରିକୁ ଅଣଓଡିଆମାନେ ମାଡିବସି ରହିଥିଲେ | ଓଡିଶାରେ ଦୁର୍ବିପାକ ହେଲେ ତାହା ସେମାନଙ୍କ ପାଇଁ ଜମିଦାରୀ ଅଥବା ଭୂସମ୍ପତ୍ତି ଅଳ୍ପ ମୂଲ୍ୟରେ କିଣିନେବା/ ନିଲାମ ଧରିବା ଭଳି ସୁଯୋଗ ସୃଷ୍ଟି କରୁଥିଲା | ଦୁର୍ବଳ, ଗରୀବ ଓ ବିଖଣ୍ଡିତ ଓଡିଶାକୁ ସହଜରେ ନିଜର ଚରାଭୂଇଁ କରିବା ପାଇଁ ସକ୍ଷମ ହୋଇ ସେମାନେ ବ୍ୟକ୍ତିଗତ ସ୍ତରରେ ପ୍ରଚୁର ଲାଭବାନ ହେଉଥିଲେ ଓ ଏକ ପ୍ରକାରର ପୈଶାଚିକ ଆନନ୍ଦ ଲାଭ କରୁଥିଲେ | ସେମାନେ ଇଂରେଜ ସରକାରଙ୍କୁ ମିଥ୍ୟା ଆଶ୍ବାସନା ଦେଇଥିଲେ ଯେ ଓଡିଶାର ରାଜା, ଜମିଦାର ଓ ସାହୁକାରମାନଙ୍କ ଅମାରରେ ପ୍ରଚୁର ଧାନ ଗଚ୍ଛିତ ଅଛି | ସାଧାରଣ ସମୟରେ ସେମାନେ ହୁଏତ ଏହି ଗଚ୍ଛିତ ଧାନ ଗରିବଗୁରୁବାଙ୍କ ମଧ୍ୟରେ ବିତରଣ କରୁ ନାହାନ୍ତି (ଯଦ୍ଦ୍ବାରା ସମୟ ସମୟରେ ସେମାନଙ୍କ ମଧ୍ୟରେ ଖାଦ୍ୟାଭାବ ପରିଲକ୍ଷିତ ହେଉଛି), କିନ୍ତୁ ଦୁର୍ଭିକ୍ଷ ଭଳି ପରିସ୍ଥିତି ହେଲେ ସେମାନେ ଅମାର ଖୋଲିଦେବେ | ଏ ପ୍ରକାର ମିଥ୍ୟା ଆଶ୍ବାସନାରେ ପ୍ରଭାବିତ ହୋଇ ଇଂରେଜ ସରକାର ଦୁର୍ଭିକ୍ଷକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା କରି ନଥିଲେ | ରାଜନୀତିର ଏହି ପଶାପାଲିରେ ଉତ୍କଳର ପ୍ରାୟ ୩୦ ଲକ୍ଷ ମହାପ୍ରାଣୀ ବିନାଶ ଗଲେ ଓ ଅବଶିଷ୍ଟ ଯେଉଁମାନେ ଜୀବିତ ରହିଲେ, ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ |   


କଥାରେ ଅଛି- ‘ନଇଁ ପଡିଥିବ ଯେତିକିବେଳେ, ବିଧାଏ ମାରିବୁ ସେତିକିବେଳେ’ | ଉକ୍ତ କରାଳଗ୍ରାସୀ ଦୁର୍ଭିକ୍ଷର ଦୁଇ ବର୍ଷ ନ ଯାଉଣୁ ଜଣେ ଅଣଓଡିଆ ବୁଦ୍ଧିଜୀବୀ ଦାବି କରିବାକୁ ଲାଗିଲେ ଯେ ଓଡିଆ ଗୋଟେ ସ୍ବତନ୍ତ୍ର ଭାଷା ନୁହଁ | ଉତ୍କଳପ୍ରଦେଶକୁ ସବୁଦିନ ପାଇଁ ମାଡିବସିବା ଅଭିପ୍ରାୟରେ ଅଣଓଡିଆ ଗୋଷ୍ଠୀ ପ୍ରବଳ ଉତ୍ସାହରେ ଏହି ନୂତନ ତତ୍ତ୍ବକୁ ସମର୍ଥନ କରିବାକୁ ଲାଗିଲେ | ସେ ସମୟରେ ଯୁବକ ଫକୀରମୋହନ ଯେଉଁ ଉଦ୍ୟମ ଓ ସାହସ ପ୍ରଦର୍ଶନ କରିଥିଲେ ତାହା ବର୍ଣ୍ଣନା କରିବାକୁ ତାଙ୍କ ‘ଆତ୍ମଚରିତ’ର କିୟଦଂଶ ଉଦ୍ଧାର କରୁଛି- “ସହସା ଆମ୍ଭମାନଙ୍କ ମସ୍ତକରେ ଯୁଗପତ୍ ସହସ୍ର ବଜ୍ରପାତ ଭଳି ଜଣାଗଲା | ଶତ୍ରୁମାନଙ୍କ ଆନନ୍ଦ ଉତ୍ସାହ, ବିଦ୍ରୂପବାଣୀ ହୃଦୟରେ ତୀର ପରି ବିନ୍ଧି ଯାଉଥାଏ | ଏଁ, ଏ କ’ଣ ହେଲା? ଆମ୍ଭମାନଙ୍କ ମାତୃଭାଷା କ’ଣ ଆଉ ପଢିହେବ ନାହିଁ? ଆମ୍ଭମାନଙ୍କର ସେହି କ୍ଷୁଦ୍ର ଦୁର୍ବଳ କମିଟି ବସିଗଲା | ଦିବାରାତ୍ର ଚିନ୍ତା- ରକ୍ଷାର ଉପାୟ କ’ଣ? ସଂଜଠାରୁ ରାତ୍ର ଛ’ ଘଡି ଯାଏଁ ସହରବାସୀ ପ୍ରଧାନ ପ୍ରଧାନ ଲୋକମାନଙ୍କର ଦ୍ବାର ବୁଲିବାକୁ ଲାଗିଲୁ | କଚେରିରେ ଅମଲାମାନଙ୍କୁ ଏକତ୍ର କରି ଆତ୍ମରକ୍ଷାର ଉପାୟ ନିର୍ଦ୍ଧାରଣ ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲୁ |...............”  


ଏହି ଦୁର୍ଭିକ୍ଷ ସମୟରେ ଫକୀରମୋହନ ବାଲେଶ୍ବର ମିଶନ୍ ସ୍କୁଲରେ ଶିକ୍ଷକତା କରୁଥିଲେ (୧୮୬୪-୧୮୭୧) | ଦୁର୍ଭିକ୍ଷ ପରେ ପରେ ୧୮୬୮ ମସିହାରେ ଫକୀରମୋହନଙ୍କ ଉଦ୍ୟମରେ ବାଲେଶ୍ବରରେ ପ୍ରଥମ ଛାପାଖାନା ପ୍ରତିଷ୍ଠା ହେଲା | ଓଡିଆ ଭାଷାବାସୀଙ୍କ ଉପରେ ହେଉଥିବା ଯାବତୀୟ ଅତ୍ୟାଚାରର ପ୍ରତିବାଦ କରିବା ପାଇଁ ବିଭିନ୍ନ ପତ୍ର-ପତ୍ରିକା ଛାପିବା ଆବଶ୍ୟକ ହେଉଥିଲା | ଏହି ଆବଶ୍ୟକତା ପୂରଣ କରିବା ପାଇଁ ଫକୀରମୋହନ ଛାପାଖାନା ପ୍ରତିଷ୍ଠା କରିଥିଲେ | ଅଚିରେ ଏଠାରୁ ‘ବୋଧଦାୟିନୀ’ ଓ ‘ସମ୍ବାଦବାହିକା’ ପତ୍ରିକା ପ୍ରକାଶ ପାଇବାକୁ ଲାଗିଲା |


ବଂଗଭୂମିର ମହାନ ଶିକ୍ଷାବିତ୍ ଓ ବିଦ୍ବାନ୍ ଈଶ୍ବରଚନ୍ଦ୍ରଙ୍କ ଜୀବନୀ ଫକୀରମୋହନଙ୍କୁ ବେଶ୍ ପ୍ରଭାବିତ କରିଥିଲା | ଏଣୁ, ୧୮୬୮ ମସିହାରେ ଫକୀରମୋହନ ତାଙ୍କ ଜୀବନୀକୁ ବଂଗଳାରୁ ଓଡିଆକୁ ଅନୁବାଦ କରି ଗଭୀର ଆତ୍ମସନ୍ତୋଷ ଲାଭକଲେ | ୧୮୬୯ ମସିହାରେ ସେ ‘ଭାରତବର୍ଷର ଇତିହାସ ୧ମ ଭାଗ’ ଓ ୧୮୭୦ ମସିହାରେ ‘ଭାରତବର୍ଷର ଇତିହାସ ୨ୟ ଭାଗ’ ଲେଖିଲେ | ଏହାପରେ ୧୮୭୧ ମସିହାରେ ତାଙ୍କର ପ୍ରଥମ ପତ୍ନୀଙ୍କର ଅକାଳ ବିୟୋଗ ଘଟିଲା ଓ ସେ ଦ୍ବିତୀୟ ବିବାହ କଲେ (ଯାହା ବିଷୟରେ ପୂର୍ବରୁ କୁହାଯାଇଛି) | ୧୮୭୧ ମସିହାରୁ ୧୮୭୫ ମସିହା ପର୍ଯ୍ୟନ୍ତ ସେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ରାଜ୍ୟର ଦେୱାନ୍ ଭାବେ କାମ କଲେ | ୧୮୭୬ ମସିହାରୁ ୧୮୭୭ ମସିହା ପର୍ଯ୍ୟନ୍ତ ପ୍ରାୟ ଦୁଇ ବର୍ଷ ଡମପଡା (ବାଂକି) ଗଡଜାତ ରାଜ୍ୟର ଦେୱାନ ଭାବେ କାମ କଲେ | ତାହା ଉତ୍ତାରୁ ୧୮୭୭ ମସିହାରୁ ୧୮୮୩ ମସିହା ପର୍ଯ୍ୟନ୍ତ ଢେଂକାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କର୍ମ ସମ୍ପାଦନ କଲେ ଓ ଏହି ଅବଧି ମଧ୍ୟରେ ସଂସ୍କୃତ ମହାଭାରତକୁ ଓଡିଆରେ ଅନୁବାଦ କରିଥିଲେ | ୧୮୮୪ ମସିହାରୁ ୧୮୮୬: ଦଶପଲ୍ଲା ରାଜ୍ୟର ଦେୱାନ, ୧୮୮୬ ମସିହାରୁ ୧୮୮୭: ପାଲଲହଡା ରାଜ୍ୟର ଦେୱାନ ଭାବେ କର୍ମ କରିବା ଉତ୍ତାରୁ କେନ୍ଦୁଝର ରାଜ୍ୟର ଆନନ୍ଦପୁର ଇଲାକାର ମ୍ୟାନେଜର ଭାବେ ନିଯୁକ୍ତି ପାଇଲେ | ଏହି ଦାୟିତ୍ବର ଅବଧି ଥିଲା ୧୮୮୭ ମସିହାରୁ ୧୮୯୨ ମସିହା | ଏହି ଅବଧି ମଧ୍ୟରେ କେନ୍ଦୁଝରରେ ପ୍ରଜାବିଦ୍ରୋହ ସଂଘଟିତ ହୋଇଥିଲା, ଯାହା ସମ୍ବନ୍ଧରେ ପୂର୍ବରୁ କୁହାଯାଇଛି | ଅଧିକନ୍ତୁ, ଏହି ଅବଧି ମଧ୍ୟରେ ସେ ନିଜେ ଲେଖିଥିବା ଭ୍ରମଣ କାହାଣୀ ‘ଉତ୍କଳ ଭ୍ରମଣ’ ଛପାଇଥିଲେ | ୧୮୯୪ ମସିହାରେ ତାଙ୍କର ପ୍ରାଣପ୍ରିୟା ପତ୍ନୀ କୃଷ୍ଣାକୁମାରୀଙ୍କ ବିୟୋଗ ଘଟିଲା | ବାର୍ଦ୍ଧକ୍ୟ ଆସିବାର ଯଥେଷ୍ଟ ପୂର୍ବରୁ ଫକୀରମୋହନ ସମ୍ପୂର୍ଣ୍ଣ ନିଃସଂଗ ହୋଇଗଲେ | ୧୮୯୪ ମସିହାରୁ ୧୮୯୬ ମସିହା ଭିତରେ ତାଙ୍କର ପୁଷ୍ପମାଳା କବିତାଗୁଚ୍ଛ ପ୍ରକାଶ ପାଇଲା | ୧୮୯୬ ମସିହାରୁ ୧୯୦୫ ମସିହା ପର୍ଯ୍ୟନ୍ତ ଫକୀରମୋହନ କଟକରେ ନିଜସ୍ବ ଘର ତିଆରି କର ରହିଲେ | ଏହି ଅବଧି ମଧ୍ୟରେ ୧୮୯୮ ମସିହାରେ ସେ ତାଙ୍କର କାଳଜୟୀ ଉପନ୍ୟାସ “ଛ’ ମାଣ ଆଠ ଗୁଣ୍ଠ” ରଚନା କଲେ | ଅଧିକନ୍ତୁ, ଏହି ସମୟରେ ସେ ଦୁଇବର୍ଷ ପାଇଁ (୧୮୯୯-୧୯୦୦) କେନ୍ଦ୍ରାପଡାର ମ୍ୟାନେଜର ଭାବେ କାମ କଲେ ଓ ୧୯୯୦-୧୯୦୫ ମଧ୍ୟରେ “ଲଛମା” ଉପନ୍ୟାସ ଓ କେତେକ କ୍ଷୁଦ୍ରଗଳ୍ପ ରଚନା କଲେ | ପୁଅ ସହିତ ମନାନ୍ତର ଯୋଗୁ ୧୯୦୫ ମସିହାରେ ଫକୀରମୋହନ କଟକ ପରିତ୍ୟାଗ କଲେ ଓ ବାଲେଶ୍ବରରେ ଅବସ୍ଥାନ କଲେ | ପରିଣତ ବୟସରେ ଏକମାତ୍ର ପୁତ୍ର ତାଙ୍କର ଘୋର ବିରୋଧୀ ହୋଇପଡିବାରୁ ଫକୀରମୋହନ ଜୀବନରେ ପୁନଶ୍ଚ ନର୍କ-ଯନ୍ତ୍ରଣା ଭୋଗ କରିଥିଲେ | ‘ଡାକ-ମୁନସୀ’ ଗଳ୍ପ (ଯାହାର ସ୍ରଷ୍ଟା ନିଜେ ଫକୀରମୋହନ)-ର ବିଷୟବସ୍ତୁ ଭଳି, ପରିଣତ ବୟସରେ ଫକୀରମୋହନ ପୁଅ-ବୋହୁ-ନାତି-ନାତୁଣୀଙ୍କ ସାନିଧ୍ୟରୁ ବଂଚିତ ହୋଇ ଏକାକୀ (ଚାକରବାକରଙ୍କ ସହାୟତାରେ) ନିଜ ବାଲେଶ୍ବର ସ୍ଥିତ ବାସଭବନରେ ଅବସ୍ଥାନ କରୁଥିଲେ | ଏହି ଏକାନ୍ତବାସ ବିଷୟରେ ଫକୀରମୋହନ ସ୍ବରଚିତ ‘ଆତ୍ମ ଚରିତ’ରେ ଲେଖିଛନ୍ତି-


“.................ଜ୍ଞାତି-ବନ୍ଧୁମାନଙ୍କ ଠାରୁ ବିଛିନ୍ନ ହୋଇ ମୁଁ ଏହି ଦୀର୍ଘ ୧୩ ବର୍ଷ କାଳ ପ୍ରାୟ ଏକାକୀ ରହିଅଛି | ଚିରଦିନ ଏକାକୀ ରହିବା ମୋର ଭାଗ୍ୟଲିପିରେ ଲେଖାଅଛି | ବାଲ୍ୟକାଳରେ ପିତୃମାତୃହୀନ ଥିଲି, ଯୌବନରେ ପତ୍ନୀବିରହିତ ହୋଇ ଦୂରଦେଶରେ ଥିଲି | ଏବେ ବାର୍ଦ୍ଧକ୍ୟରେ ସୁଦ୍ଧା ସନ୍ତାନଠାରୁ ବିଛିନ୍ନ ହୋଇ ନିର୍ଜନବାସ କରୁଅଛି | ଏକାକୀ ଥିବାରୁ ଚିନ୍ତା କରିବାକୁ ଯଥେଷ୍ଟ ସମୟ ପାଏ | ମୁଁ ଚିରଦିନ ରୋଗୀ ଥିବାରୁ କର୍ମପଟୁ ନୁହେଁ; ମାତ୍ର ବ୍ୟାଧି, ବିପଦ ସମୟରେ ମୋର ଲେଖା ଟିକିଏ ଭଲ ହୁଏ |.............”


ଏହାପରେ ୧୯୧୮ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଉ କଟକ ଫେରିଲେ ନାହିଁ | ଜନ୍ମସ୍ଥାନ ବାଲେଶ୍ବରରେ ହିଁ ତାଙ୍କର ଶେଷ ଜୀବନ କଟିଥିଲା | ବାଲେଶ୍ବର ନିବାସ ସମୟରେ ୧୯୧୫ ମସିହାରେ ସେ ଆଉ ଏକ କାଳଜୟୀ ଉପନ୍ୟାସ “ପ୍ରାୟଶ୍ଚିତ” ରଚନା କଲେ | ୧୯୧୬ ମସିହାରେ ବାମଣ୍ଡା ରାଜ୍ୟର ଗୁଣଗ୍ରାହୀ ରାଜା ତାଙ୍କୁ ‘ସରସ୍ବତୀ’ ଉପାଧିରେ ଭୂଷିତ କରିଥିଲେ | ଏଣୁ, ସେ ସରସ୍ବତୀ ଫକୀରମୋହନ ଭାବେ ଖ୍ୟାତ ହେଲେ | ୧୯୧୭ ମସିହାରେ ଫକୀରମୋହନ ଉତ୍କଳ ସମ୍ମିଳନୀର ସଭାରେ ସଭାପତିତ୍ବ କରିଥିଲେ | ୧୯୧୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା | ଏହା ତାଙ୍କର କର୍ମମୟ ଜୀବନର ଏକ ସଂକ୍ଷିପ୍ତ ଦଲିଲ୍ |


ମାତୃଭୂମି ପ୍ରତି ଫକୀରମୋହନଙ୍କ ଐକାନ୍ତିକ ନିଷ୍ଠାର ଝଲକ ତାଙ୍କର ଅନେକ ଗଦ୍ୟ ଓ କବିତାରେ ରହିଛି | ଉଦାହରଣ ସ୍ବରୂପ, ଗୋଟିଏ କବିତାରେ ସେ ଲେଖିଥିଲେ-


“ଜନ୍ମଭୂମି ଆଉ ଜନନୀ ଏମାନେ  |

ଶାସ୍ତ୍ରରେ କଥିତ ସ୍ବରଗ ସମାନେ  ||


ଯେ ବୋଲେ ନିଜକୁ ବିଦେଶୀୟ ଲୋକ  |

ନିଶ୍ଚେ ସେହି ଜନ୍ମଭୂମିର ନିନ୍ଦୁକ  ||


ଆସ ଭାଇମାନେ କରୁଛି ଜୁହାର  |

ମିଳିମିଶି କରୁଁ ଦେଶ ଉପକାର  ||”


ଫକୀରମୋହନ ସେନାପତି, କର୍ମବୀର ଗୌରୀଶଂକର, ଉତ୍କଳଗୌରବ ମଧୁସୂଦନ ଆଦି ମହାପୁରୁଷଙ୍କର ଆପ୍ରାଣ ଉଦ୍ୟମ ଫଳରେ ଓଡିଆ ଭାଷା ରକ୍ଷା ପାଇଲା | କେତେବଡ ଏକ ଐତିହାସିକ ବିଭ୍ରାଟ ହେଉହେଉ ଟଳିଗଲା! ଆଜି ଅନେକ ପ୍ରାଦେଶିକ ଭାଷାକୁ ପଛରେ ପକାଇ ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭ କରିସାରିଛି | ନିଜ ଜୀବନକାଳ ମଧ୍ୟରେ ଓଡିଆ ସାହିତ୍ୟର ଏହି ମହା-ସେନାପତି ରଚନା କରିଗଲେ ଚାରିଟି କାଳଜୟୀ ଉପନ୍ୟାସ: ‘ଛ-ମାଣ ଆଠଗୁଣ୍ଠ’, ‘ମାମୁଁ’, ‘ଲଛମା’ ଓ ‘ପ୍ରାୟଶ୍ଚିତ’ | ଏହା ବ୍ୟତୀତ ଛାଡିଦେଇଗଲେ ‘ରେବତୀ’, ‘ଧୂଳିଆ ବାବା’, ‘ଗାରୁଡି ମନ୍ତ୍ର’, ‘ରାଣ୍ଡିପୁଅ ଅଣତା’, ‘ଡାକ ମୁନିସୀ’ ଭଳି ପ୍ରାୟ କୋଡିଏଟି କାଳଜୟୀ କ୍ଷୁଦ୍ରଗଳ୍ପ | ଏହା ବାଦ୍ ‘ବୌଦ୍ଧବତାର କାବ୍ୟ’, ‘ଆତ୍ମ ଚରିତ’, ‘ଉତ୍କଳ ଭ୍ରମଣଂ’, ରାମାୟଣ ଓ ମହାଭାରତର ଅନୁବାଦ ଭଳି ଅନେକ ଉତ୍କୃଷ୍ଟ ସାରସ୍ବତ ସୃଷ୍ଟି | ଠିକଣା ସମୟରେ ସୃଷ୍ଟି କରିଥିବା ଏହି ସାରସ୍ବତ ସମ୍ଭାର ସବୁ ମୁମୂର୍ଷୁ ଓଡିଆ ଭାଷାର ଜୀବନ ବଂଚାଇ ତାକୁ ଅସଂଖ୍ୟ ଘାତ-ପ୍ରତିଘାତ ଓ ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ସାମର୍ଥ୍ୟ ଯୋଗାଇଲା | [ବି.ଦ୍ର. ଏଗୁଡିକ ମଧ୍ୟରୁ ଅଧିକାଂଶ ତାଙ୍କ ଜୀବନର ଶେଷ ପଚିଶି ବର୍ଷର ଅବଧିରେ ରଚିତ ହୋଇଥିଲା |]


ତାଙ୍କର ପ୍ରତିଟି ଲେଖା ମାଟିମନସ୍କ | ଏସବୁଥିରେ ମାତୃଭାଷା ଓ ଜନ୍ମଭୂମି ପ୍ରତି ଗଭୀର ଶ୍ରଦ୍ଧା ପ୍ରତିଫଳିତ | ଉଦାହରଣ ସ୍ବରୂପ ତାଙ୍କର ‘ମୋ ଗାଁ ମଲ୍ଲିକାଶପୁର’ କ୍ଷୁଦ୍ର କବିତାଟିକୁ ନିଆ ଯାଇପାରେ | ଏହି କବିତାରେ ସେ ଲେଖିଲେ-


“ଅଟ୍ଟାଳିକାମାଳା ପୂର୍ଣ୍ଣ ସୁନ୍ଦର ନଗର,

ଉଜ୍ଜ୍ବଳ ତରଂଗମାଳା ନୀଳିମ ସାଗର,


କେତେ ନଦ କେତେ ନଦୀ ଗିରି ଅରଣ୍ୟାନୀ,

ହାଟ, ଗ୍ରାମ, ଲୋକ-ପରିପୂର୍ଣ୍ଣ ରାଜଧାନୀ  |


ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲି ଜୀବନେ

ସେ ଗ୍ରାମ ଚିତ୍ରଟି ମାତ୍ର ଭାସୁଛି ନୟନେ,


ଥାଏ ଯହିଁ, ଯାଏ ଯହିଁ ପଡଇ ମନରେ

ବଳେ ମନ, ଧାଇଁ ଯାଇ ଦେଖିଆସେ ଥରେ  |


@**********************************@


ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲି ଧୂଳି

ପିଲାଖେଳବେଳେ ହେଉଥିଲି ଦେହେ ବୋଳି  |


ସେହି ଧୂଳି, ସେହି ବାଲି ପଡୁ ମୋ ଦେହରେ

ଏହିପରି କେତେଥର ଭାଳେ ମୁଁ ମନରେ  |


ସେହି ସେ ବାସଂଗ, ଗେଂଡୁ ଫୁଟେ ଶୀତକାଳେ

ପେନ୍ଥା ପେନ୍ଥା କଷିଆମ୍ବ ଝୁଲୁଥାଏ ଡାଳେ,


ସେ ଫୁଲ ସୌରଭ, କଷି-ଆମ୍ବର ମାଧୁରୀ

ନ ପାଇଲି କାହିଁ ସାରା ଭାରତଟା ଘୂରି  |


@***************************@


କରନ୍ତୁ ପଛକେ ସେହି ଗ୍ରାମଲୋକେ କଳି

ନ ପାଇଲି ସଂଗସୁଖ ତାହାଠାରୁ ବଳି  |


ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟ ଧନ

ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ  |


ମୋ କାନକୁ ଶୁଭେ ତାହା ନାମ ସୁମଧୁର

ସେ କ୍ଷୁଦ୍ର ଗ୍ରାମର ନାମ ମଲ୍ଲିକାଶପୁର  |


ଏତେ ସରଳ ଓ ସୁନ୍ଦର କବିତା ଲେଖିବା କ’ଣ ସେନାପତିଙ୍କ ବ୍ୟତୀତ ଅନ୍ୟ କାହା ଦ୍ବାରା ସମ୍ଭବ? ପୁଣି ଜନ୍ମମାଟି ପ୍ରତି ଏତେ ଅଗାଧ ସ୍ନେହ! [ବି.ଦ୍ର. ପରବର୍ତ୍ତୀ ସମୟରେ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କର ‘ଛୋଟ ମୋର ଗାଁ’ଟି’ କବିତାରେ ସେହି ଅନାବିଳ ଆତ୍ମୀୟତା ପରିଲକ୍ଷିତ ହୋଇଥିଲା |] ମାତୃଭାଷାକୁ ଉପେକ୍ଷା କରି ତଥାକଥିତ ଉଚ୍ଚଶିକ୍ଷା ପଛରେ ଧାବମାନ ସଂକୀର୍ଣ୍ଣଚେତା ବ୍ୟକ୍ତିମାନଙ୍କୁ ଫକୀରମୋହନ ପ୍ରବଳ ଘୃଣା କରୁଥିଲେ | ସେମାନଙ୍କୁ ବିଦ୍ରୁପ କରି ସେ ଲେଖିଛନ୍ତି-


ଭଲ ଗୋଟେ ମାତୃଭାଷା କିସ ହେବ ଭାଇ,

ଚଳି ଯାଉଅଛି କାମ ରୁ°ଡାଇ ପୁ°ଡାଇ |


କୁକୁର କିମ୍ପାଇଁ ଗୋଟେ ବନାଇବ ଘର ?

ଚାଟିବୁଲେ ବାରମିଶା ଅଇଁଠା ପତର |


ଫକୀରମୋହନଙ୍କ ‘ହାଟ ବାହୁଡା’ କବିତାରେ ଇଂରାଜୀ ଭାଷା ଓ ଇଂରାଜୀ ଶିକ୍ଷାର ପୃଷ୍ଠପୋଷକଙ୍କ ନିମନ୍ତେ ଅନୁରୂପ କଟାକ୍ଷ  ପ୍ରତିଫଳିତ | ଏହି କବିତାର କିଛି ପଂକ୍ତି ଏହିପରି-


ମାତ୍ରକ ଯେ ବିକେ ବିଲାତୀ ମାଲ,

ଖାଇ ପିଇ ତାର ଫୁଲିଛି ଗାଲ  |


ତାକୁ ଡରି ଥାନ୍ତି ବହୁତ ଲୋକେ,

କାଳେ ବୋଲିଦେବ କଥା ପଦକେ  |


ଦେଖି ଲାଗିଲାଣି ତାଟଂଗା ମୋତେ,

ଦେଶୀ ବିଲାତୀରେ ପ୍ରଭେଦ ଏତେ  |


@**********************@


ଫକୀରମୋହନଙ୍କ ପାଇଁ ମାତୃଭାଷା ସର୍ବୋପରି ଥିଲା | ଆଜୀବନ ସେ ମାତୃଭୂମି ଓ ମାତୃଭାଷାର ସେବାରେ ବ୍ରତୀ ଥିଲେ | ମାତୃଭାଷାର ଜୟଗାନ କରି ଫକୀରମୋହନ ଲେଖିଛନ୍ତି-


ପଢିଲି କେତେ ଦେଶ ଭାଷା

ତେବେ ତ ନ ପୂରିଲା ଆଶା


ହେଉଣ ପଛେ ସେ ନିକୃଷ୍ଟ

ମୋ ମାତୃଭାଷା ମୋତେ ଶ୍ରେଷ୍ଠ


@**********************@


ମାତୃଭୂମି ଉତ୍କଳ ତାଙ୍କ ପାଇଁ ପ୍ରାଣ ଠାରୁ ଅଧିକ ପ୍ରିୟ ଥିଲା | ଏହାର ଜୟଗାନ କରି ସେ ଲେଖିଛନ୍ତି-


“ଉତ୍କଳ ପବିତ୍ରଭୂମି ଭାରତ ଭୂମିରେ  |

କରନ୍ତି ଏଥିରେ ବାସ ପୁଣ୍ୟବନ୍ତ ନରେ  ||

ଅସଂଖ୍ୟ ଅସଂଖ୍ୟ ଯାତ୍ରୀ ଆସୁଛନ୍ତି ଧାଇଁ  |

ଏହି ମହା ପୁଣ୍ୟକ୍ଷେତ୍ର ଦେଖିବାର ପାଇଁ  ||

ଭାରତର ସର୍ବଦେଶେ ଏମନ୍ତ ପ୍ରଚାର  |

ପବିତ୍ର ଉତ୍କଳଭୂମି ଅଟେ ସ୍ବର୍ଗଦ୍ବାର  ||

ପ୍ରକୃତି ଯେମନ୍ତ ଶୋଭା ଏଠାରେ ମେଲିଛି  |

ଏମନ୍ତ ସୌନ୍ଦର୍ଯ୍ୟରାଶି ଭାରତେ କାହିଁଛି  ||


ନିଜେ ସୃଷ୍ଟି କରିଥିବା ପ୍ରାୟ ସମସ୍ତ ଉପନ୍ୟାସ, ଗଳ୍ପ ଓ କବିତାରେ ଫକୀରମୋହନ କେବଳ ସାଧାରଣ ଲୋକଟିର ଭାଷା ଫୁଟାଇଛନ୍ତି | ଜଣେ ପ୍ରଶାସକ ଭାବେ ଦୀର୍ଘଦିନ କାମ କରି ସେ ସାଧାରଣ ଜନତାଙ୍କ ଠାରୁ ନେଇ କୁଚକ୍ରୀ ଅମଲା, ଜମିଦାରଙ୍କ ଠାରୁ ନେଇ ସାଧାରଣ ଚାଷୀ ଅଥବା ଦିନ ମଜୁରିଆ, ସମସ୍ତଙ୍କୁ ଭଲ ଭାବେ ଅନୁଧ୍ୟାନ କରିଥିଲେ | ଆଇନ ଓ କୁସଂସ୍କାରର ଅନ୍ଧଗଳି ମଧ୍ୟରେ ପ୍ରଭାବଶାଳୀମାନେ କିପରି ନିରାପଦ ଭାବେ ସମାଜର ଦୁର୍ବଳବର୍ଗକୁ ଲୁଣ୍ଠନ କରନ୍ତି, ସେ ବିଷୟ ତାଙ୍କୁ ଭଲଭାବେ ମାଲୁମ୍ ଥିଲା | ଏହି ଅନୁଭୂତିଗୁଡିକୁ ଦୀର୍ଘକାଳ ନିଜ ଭିତରେ ସାଇତି ରଖି ସେ ଗୋଳେଇ-ଘାଣ୍ଟି ହେଉଥିଲେ | ଏହି ମନ୍ଥନରୁ ଜୀବନର ଅପରାହ୍ନରେ ସୃଷ୍ଟି ହେଲା ଉତ୍କୃଷ୍ଟ ସାରସ୍ବତ ଫସଲ | ତାଙ୍କର ଉପନ୍ୟାସ, ଗଳ୍ପ ଆଦିର ଚରିତ୍ରମାନେ ଆମ ଚାରିପଟେ ଥିବା ସାହିଭାଇଙ୍କ ମଧ୍ୟରୁ ଜଣେ ବୋଲି ମନେ ହୁଅନ୍ତି | ହିନ୍ଦୀ ସାହିତ୍ୟର ଗୋସ୍ବାମୀ ତୁଳସୀଦାସଙ୍କ ପରି ସେ ପାଣ୍ଡିତ୍ୟପୂର୍ଣ୍ଣ ଭାଷା ପରିହାର କରି ଗାଉଁଲି ଲୋକଭାଷାକୁ ଆପଣେଇ ନେଇଛନ୍ତି ଓ ସେଇଥିରୁ ସୃଷ୍ଟି କରିଛନ୍ତି କାଳଜୟୀ ଗଳ୍ପ, ଉପନ୍ୟାସ ଓ କବିତା | ଏଥିପାଇଁ ସେ ନିଶ୍ଚୟ ଭାବେ ଆଧୁନିକ ଉତ୍କଳର ପ୍ରଥମ ଲୋକ-ଲେଖକ | ଏହି କଳାରେ ସେ ମ୍ୟାକ୍ସିମ୍ ଗର୍କି ଓ ମୁନସୀ ପ୍ରେମଚାନ୍ଦଙ୍କ ଭଳି ସମ୍ମାନର ହକଦାର |


ପୂର୍ବରୁ କୁହାଯାଇଛି ଯେ ଅକ୍ଲାନ୍ତ ପରିଶ୍ରମ କରି ଫକୀରମୋହନ ୧୯୬୮ ମସିହାରେ ବାଲେଶ୍ବରରେ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ | ଏହା ଓଡିଆ ଜନଜୀବନରେ ଏକ ନୂତନ ଚମକ ଆଣି ଦେଇଥିଲା | ତାଙ୍କର ଏହି କାର୍ଯ୍ୟରେ ଗଭୀରଭାବେ ପ୍ରଭାବିତ ହୋଇ କବିବର ରାଧାନାଥ ରାୟ କହିଥିଲେ- “ଆପଣ ଯେଉଁ ଭାବରେ ପ୍ରେସ୍ କୋମ୍ପାନୀ ସ୍ଥାପନ କରିଛନ୍ତି, ତାହା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିଖିତ ହୋଇ ରହିବା ଉଚିତ |”       


ଜୀବନର ଦୁର୍ବାର ସଂଗ୍ରାମରେ ଦୀର୍ଘ ୭୫ ବର୍ଷ ସେନାପତିତ୍ବ କରିବା ପରେ, ଏହି ବୀରପୁରୁଷ ୧୯୧୮ ମସିହା ଜୁନ ମାସ ୧୪ ତାରିଖ (ରଜ ସଂକ୍ରାନ୍ତି) ଦିନ ତାଙ୍କ ବାରି ସମାପ୍ତିର ଘୋଷଣା କରି ଫେରି ଯାଇଥିଲେ | ଏହି ମହାପୁରୁଷଙ୍କ ଜୀବନ ସଂଗ୍ରାମରେ ଆରମ୍ଭ ଓ ସଂଗ୍ରାମରେ ଶେଷ; ସଂକ୍ରାନ୍ତିରେ ଆରମ୍ଭ ଓ ସଂକ୍ରାନ୍ତିରେ ଶେଷ | ସଂକ୍ରାନ୍ତିରେ ଜନ୍ମ ଓ ଦେହାବସାନ, ଉଭୟ ଲଭିଥିବା ଏହି ମହାପୁରୁଷଙ୍କୁ ଅନେକ ‘ସଂକ୍ରାନ୍ତି ପୁରୁଷ’ ଭାବେ ଅଭିହିତ କରିଥାନ୍ତି |


ପୂର୍ବରୁ କୁହାଯାଇଛି ଯେ ଓଡିଆ ଭାଷା ପ୍ରତି ଅଭୂତପୂର୍ବ ଅବଦାନ ହେତୁ ବାମଣ୍ଡା ରାଜଦରବାର ତରଫରୁ ତାଙ୍କ ଜୀବନକାଳ ମଧ୍ୟରେ (୧୯୧୬ ମସିହାରେ) ତାଙ୍କୁ ‘ସରସ୍ବତୀ’ ଉପାଧିରେ ଭୂଷିତ କରା ଯାଇଥିଲା | ନିଜସ୍ବ ଉଦ୍ୟମରେ ଏକା ସମଗ୍ର ରାମାୟଣ ଓ ମହାଭାରତର ଓଡିଆ ଅନୁବାଦ କରିଥିବା ହେତୁ ଶ୍ରଦ୍ଧାରେ ଲୋକେ ତାଙ୍କୁ ‘ବ୍ୟାସକବି’ ଉପାଧି ମଧ୍ୟ ଦେଲେ | ଫକୀରମୋହନ, କବିବର ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନ ରାଓ ସମସାମୟିକ ଥିଲେ | ତିନିଜଣ ଓଡିଆ ଭାଷା-ସାହିତ୍ୟର ମହାରଥୀ ଥିଲେ ଓ ପରସ୍ପର ପ୍ରତି ପ୍ରୀତିଭାବ ପୋଷଣ କରୁଥିଲେ | ପରସ୍ପରକୁ ସହଯୋଗ କରି ଏମାନେ ଓଡିଆ ଭାଷାର ଅଶେଷ ଉନ୍ନତି ସାଧନ କରିଥିଲେ | ଏମାନଙ୍କୁ ଓଡିଆ ଭାଷା-ସାହିତ୍ୟର ‘ମହତ୍-ତ୍ରୟୀ’ ବୋଲି କୁହାଯାଏ |


ଜାତିର କର୍ଣ୍ଣଧାର ଓ ପରମ ନମସ୍ୟ ଏହି ମହାପୁରୁଷଙ୍କ ପୁଣ୍ୟ ଜନ୍ମତିଥିରେ ସଶ୍ରଦ୍ଧ ପ୍ରଣାମ |


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୧୪-୦୧-୨୦୨୬, ବୁଧବାର, ମକର ସଂକ୍ରାନ୍ତି


[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୧୪-୦୧-୨୦୨୫, ମଂଗଳବାର (୨) ତା ୧୫-୦୧-୨୦୨୪, ମକରସଂକ୍ରାନ୍ତି (୩) ତା ୧୪-୦୧-୨୦୨୩ ରିଖ, ଶନିବାର, ମକର ସଂକ୍ରାନ୍ତି (୪) ତା ୧୪-୦୧-୨୦୨୨, ଶୁକ୍ରବାର (୫) ତା ୧୪-୦୧-୨୦୨୧ ରିଖ (୬) ତା ୧୪-୦୧-୨୦୨୦ ରିଖ (୭) ତା ୧୪-୦୧-୨୦୧୮ ରିଖ, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com; shaktiprasaddas.blogspot.com, Linked-in ଆଦିରେ  ପ୍ରକାଶିତ |]


Rate this content
Log in

Similar oriya story from Inspirational