STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ଉତ୍କଳର ବରପୁତ୍ର ସାମନ୍ତ ଚନ୍ଦ୍ରଶେଖର

ଉତ୍କଳର ବରପୁତ୍ର ସାମନ୍ତ ଚନ୍ଦ୍ରଶେଖର

10 mins
352



Hard is the world-redeemer’s heavy task;

The world itself becomes his adversary,

Those he would save are his antagonists:

This world is in love with its own ignorance,

Its darkness turns away from the saviour light,

It gives the cross in payment for the crown.

Savitri (Sri Aurobindo)


ସାମନ୍ତ ଚନ୍ଦ୍ରଶେଖରଙ୍କର ଜୀବନ ଏହିଭଳି ଏକ ଯନ୍ତ୍ରଣା-ସିକ୍ତ ଜୀବନ ଥିଲା | 


ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ | ଉତ୍କଳର ଭାଗ୍ୟ-ରବି ଅସ୍ତମିତ ହୋଇସାରି ଥାଏ | ପରାଧୀନ ଉତ୍କଳର ଚତୁର୍ଦ୍ଦିଗ ଅଜ୍ଞାନ-ତମସାବୃତ | ଏହି ଘୋର ନୈରାଶ୍ୟମୟ ପରିବେଶରେ ଅଦୃଷ୍ଟର ପ୍ରେରଣାରେ ଉତ୍କଳ ପାଇଁ ଆଶାର ଏକ ଆଲୋକ ସ୍ଫୁରିତ ହେଲା | ନୟାଗଡ ଜିଲ୍ଲାର ଖଣ୍ଡପଡା ନାମକ ଏକ କ୍ଷୁଦ୍ର କରଦ ରାଜ୍ୟର ରାଜବଂଶରେ ଜଣେ ୠଷି-ପ୍ରତିମ ମନୀଷୀ ୧୩ ଡିସେମ୍ବର୍ ୧୮୩୫ ମସିହା, ମାର୍ଗଶିର କୃଷ୍ଣ-ଅଷ୍ଟମୀ ତିଥିରେ (ରବିବାର ଦିନ) ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତାଙ୍କ ନାଁ ଥିଲା ଶ୍ୟାମବନ୍ଧୁ ଓ ମାତାଙ୍କ ନାଁ ଥିଲା ବିଷ୍ଣୁମାଳି | ମାତାପିତାଙ୍କର ନଅ (୯)ଟି ସନ୍ତାନଙ୍କ ମଧ୍ୟରୁ ସେ ସର୍ବ-କନିଷ୍ଠ ଥିଲେ | ଶିବଙ୍କ କୃପାରୁ ପୁତ୍ରଲାଭ ହୋଇଥିବାରୁ ମାତାପିତା ନାମ ରଖିଲେ ‘ଚନ୍ଦ୍ରଶେଖର’ | ରାଜକୁଳରେ ଜନ୍ମଲାଭ କରିଥିବାରୁ ତାଙ୍କର ଉପାଧି ‘ସାମନ୍ତ’ ହୋଇଥିଲା | ତାଙ୍କର କେତେଜଣ ଅଗ୍ରଜ ଶୈଶବରେ ରୋଗାକ୍ରାନ୍ତ ହୋଇ ଜୀବନ ହରାଇ ଥିଲେ | ଏଣୁ ପ୍ରଚଳିତ ବିଶ୍ବାସ ଅନୁଯାୟି ଯମଦୃଷ୍ଟିରୁ ସୁରକ୍ଷିତ ରଖିବା ପାଇଁ ମାତାପିତା ତାଙ୍କୁ ‘ପଠାଣି’ ବୋଲି ନାମ ଦେଲେ | ପରବର୍ତ୍ତୀ କାଳରେ ଏହି ମନୀଷୀ ସମସ୍ତ ଉତ୍କଳପ୍ରଦେଶରେ ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ପଠାଣି ସାମନ୍ତ’ ନାମରେ ଖ୍ୟାତିଲାଭ କରିଥିଲେ |


ଶୈଶବରେ ସେ କିୟତ୍-କାଳ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ, କିନ୍ତୁ ପରେପରେ ଏଥିରୁ ଓହରିଆସି ସେ ସଂସ୍କୃତଭାଷାର ଅଧ୍ୟୟନରେ ମନୋନିବେଶ କଲେ, ଏବଂ ବ୍ୟାକରଣ, ପୁରାଣ, ଦର୍ଶନ, କାବ୍ୟ, କବିତା, ଅଳଙ୍କାର ଇତ୍ୟାଦିର ପଠନରେ ମଗ୍ନ ହେଲେ | ତାଙ୍କର ଜଣେ ସମ୍ପର୍କୀୟ ଦାଦାଙ୍କର ଫଳିତ ଜ୍ୟୋତିଷରେ ସମ୍ୟକ୍ ପ୍ରବେଶ ଥିଲା | ତରୁଣ ଅବସ୍ଥାରେ ଚନ୍ଦ୍ରଶେଖର ତାଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କଠାରୁ ପ୍ରେରଣା ଲାଭ କରି ଜ୍ୟୋତିର୍ବିଦ୍ୟା ପ୍ରତି ମନ ବଳାଇଥିଲେ | ଲଗ୍ନ, ଗ୍ରହ, ନକ୍ଷତ୍ର ଆଦି ବିଷୟରେ ଗଭୀର ଅଧ୍ୟୟନ କଲାପରେ ଉକ୍ତ ବିଦ୍ୟାମାନ ଦୃକ୍-ସିଦ୍ଧ କି ନାହିଁ ତାହା ଜାଣିବା ପାଇଁ ସେ ନିଜ ଗବେଷଣା ଚଲାଇଲେ | ରାତି ରାତି ଉଜାଗର ରହି ସେ ଗ୍ରହ, ତାରାମାନଙ୍କ ବ୍ୟୋମମାର୍ଗରେ ଗତି ନିରୀକ୍ଷଣ କରିବାକୁ ଲାଗିଲେ | ପ୍ରାଚୀନ ସୂର୍ଯ୍ୟସିଦ୍ଧାନ୍ତ ଆଦି ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରି ସେ ଉକ୍ତ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଥିବା କେତେଗୁଡିଏ ଯନ୍ତ୍ର ନିଜେ ତିଆରି କରି ପକେଇଲେ ଓ ତାହା ସାହାଯ୍ୟରେ ଗ୍ରହ, ତାରାମାନଙ୍କର ଗତିବିଧି ନିରୀକ୍ଷଣ କଲେ | ନିରୀକ୍ଷଣଲବ୍ଧ ତଥ୍ୟଗୁଡିକୁ ସେ ପ୍ରତିଦିନ ଲିପିବଦ୍ଧ କଲେ ଓ ସେଗୁଡିକୁ ବାରମ୍ବାର ଅନୁଶୀଳନ କଲେ | ଅନେକ ବର୍ଷ ଧରି ଏହି କଠୋର ଅଧ୍ୟବସାୟ ଫଳରେ ଜ୍ୟୋତିର୍ବିଜ୍ଞାନ ଉପରେ ତାଙ୍କର ନିଜସ୍ବ ଅନ୍ତର୍ଦୃଷ୍ଟି ବିକଶିତ ହେବାକୁ ଲାଗିଲା, ଓ ସେ ଅନେକ ନୂତନ ତଥ୍ୟ ଆବିଷ୍କାର କରିବାକୁ ଲାଗିଲେ |


ନିଜର ସିଦ୍ଧାନ୍ତଗୁଡିକୁ ସେ ସଂସ୍କୃତ-ଶ୍ଲୋକ ଆକାରରେ ଓଡିଆ ଲିପି ମାଧ୍ୟମରେ ତାଳପତ୍ର ପୋଥିରେ ଲିପିବଦ୍ଧ କରିବାକୁ ଲାଗିଲେ | କ୍ରମଶଃ ସେଗୁଡିକ ତିନି ଖଣ୍ଡ ପୁସ୍ତକର ଆକାର ଧାରଣ କଲା ଓ ସେ ତାହାର ନାମ ‘ସିଦ୍ଧାନ୍ତ ଦର୍ପଣ’ ରଖିଲେ | ପ୍ରାୟ ୩୪ ବର୍ଷ ବୟସରେ ସେ ଏହି ମହାନ କାର୍ଯ୍ୟ ଆରମ୍ଭ କରିଥିଲେ ଓ ପ୍ରାୟ ୨୩ ବର୍ଷ କାଳ ଅହର୍ନିଶ ପରିଶ୍ରମ କରି ୧୮୯୨ ମସିହା ବେଳକୁ ଏହାକୁ ଅପାତତଃ ଶେଷ କରିଥିଲେ | ଏହି ଗ୍ରନ୍ଥରେ ପାଖାପାଖି ୨୫୦୦ ଗୋଟି ଶ୍ଲୋକ ରହିଛି |


ନିଜସ୍ବ ଗବେଷଣାଲବ୍ଧ ସିଦ୍ଧାନ୍ତ ଅନୁଯାୟି ସାମନ୍ତ ମହାଶୟ ୧୮୬୬ ମସିହାରେ ‘ସାମନ୍ତ ପଂଜିକା’ ପ୍ରକାଶ କରିଥିଲେ, ଓ ତାଙ୍କ ଉଦ୍ୟମ ଫଳରେ ଏହା କାଳକ୍ରମେ ପୁରୀ ବଡଦେଉଳର ମୁକ୍ତିମଣ୍ଡପ ସଭାର ସ୍ବୀକୃତି ଲାଭ କରିଥିଲା | ପୂର୍ବରୁ ପ୍ରଚଳିତ ପ୍ରମାଦପୂର୍ଣ୍ଣ ପଂଜିକାଗୁଡିକର କ୍ରମେ ଅବସାନ ଘଟିଲା, ଓ ‘ସାମନ୍ତ ପଂଜିକା’ ଦୃକ୍-ସିଦ୍ଧ ହୋଇଥିବାରୁ କ୍ରମେ ଏକ ପ୍ରାମାଣିକ ପଂଜିକାର ମାନ୍ୟତା ଲାଭକଲା |


ତତ୍କାଳୀନ ଉତ୍କଳରେ ‘ସିଦ୍ଧାନ୍ତ ଦର୍ପଣ’ ଭଳି ଅନନ୍ୟ ଗ୍ରନ୍ଥର ମହତ୍ତ୍ବ ବୁଝିବାପାଇଁ ଲୋକଙ୍କ ପାଖରେ ଆବଶ୍ୟକ ଜ୍ଞାନ ବା ଆଗ୍ରହ ନ ଥିଲା | ଫଳତଃ ଅନେକ କାଳ ଧରି ଏହା ଅପ୍ରକାଶିତ ହୋଇ ରହିଥିଲା | ସେ ସମୟରେ ରାଧାନାଥ ରାୟ (କବିବର) ଥିଲେ ବିହାର-ଓଡିଶା ଶିକ୍ଷା ବିଭାଗର ପଦସ୍ଥ ଅଫିସର୍ (Joint Inspector) | ଓଡିଶାର ବିଭିନ୍ନ କୋଣ-ଅନୁକୋଣ ଗସ୍ତ କରି ପ୍ରାକୃତିକ ଶୋଭା ଉପଭୋଗ କରିବା ଓ ଜ୍ଞାନୀଗୁଣୀ ବ୍ୟକ୍ତିମାନଙ୍କ ସହିତ ମିଶିବା ଥିଲା ତାଙ୍କର ସୌକ | ଥରେ ଖଣ୍ଡପଡା ଗସ୍ତ ସମୟରେ ସେ ସାମନ୍ତ ଚନ୍ଦ୍ରଶେଖରଙ୍କ ସଂସ୍ପର୍ଶରେ ଆସିଲେ ଓ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଦ୍ବାରା ମୁଗ୍ଧ ହେଲେ | ଏହାପରେ ଆରମ୍ଭ ହେଲା ସାମନ୍ତ ମହୋଦୟଙ୍କୁ ଲୋକଲୋଚନକୁ ଆଣିବାର ତାଙ୍କର ପ୍ରୟାସ | ସେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସାମନ୍ତ ମହୋଦୟଙ୍କ ପ୍ରତିଭା ଓ ଉପଲବ୍ଧି ବିଷୟରେ ଜଣାଇଲେ | ଦୈବସଂଯୋଗ କ୍ରମେ ରେଭେନ୍ସା ମହାବିଦ୍ୟାଳୟର ପ୍ରସିଦ୍ଧ ବିଜ୍ଞାନ ପ୍ରଫେସର ଶ୍ରୀ ଯୋଗେଶଚନ୍ଦ୍ର ରାୟ ମଧ୍ୟ ସାମନ୍ତ ଚନ୍ଦ୍ରଶେଖରଙ୍କ ସଂସ୍ପର୍ଶରେ ଆସିଲେ | ସେ ମଧ୍ୟ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତିଭା ଓ ଜ୍ୟୋତିର୍ବିଜ୍ଞାନକୁ ତାଙ୍କର ଅସାମାନ୍ୟ ଅବଦାନକୁ ଲୋକଲୋଚନକୁ ଆଣିବାକୁ ନିଷ୍ଠାପର ଉଦ୍ୟମ ଜାରି ରଖିଲେ | ଏହି ଗ୍ରନ୍ଥର ମୁଦ୍ରଣ ପାଇଁ ସେ କିଛି ଅର୍ଥ ସାହାଯ୍ୟ କରିବା ପାଇଁ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କୁ ଅନୁରୋଧ କଲେ ଓ ତଦନୁଯାୟୀ ମହାରାଜା ୪୦୦ ଟଙ୍କା ଦେଇଥିଲେ | ଆଠମଲ୍ଲିକର ରାଜା ମହେନ୍ଦ୍ର ଦେଓ ୧,୦୦୦ ଟଙ୍କା ଦେଲେ | ଯୋଗେଶ ରାୟଙ୍କ ଉଦ୍ୟମରେ କଲିକତା ବିଶ୍ବବିଦ୍ୟାଳୟ ପ୍ରେସରେ ଏହି ଗ୍ରନ୍ଥଟି ୧୮୯୯ ମସିହାରେ ମୁଦ୍ରିତ ହେଲା | ଉକ୍ତ ଗ୍ରନ୍ଥର ଦୀର୍ଘ ଅଠାବନ ପୃଷ୍ଠାର ମୁଖବନ୍ଧଟିକୁ ଶ୍ରୀ ଯୋଗେଶଚନ୍ଦ୍ର ରାୟ ଇଂରାଜୀଭାଷାରେ ଲେଖିଥିଲେ | ଏଥିରେ ସେ ସାମନ୍ତ ମହୋଦୟଙ୍କର ଅସାମାନ୍ୟ ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ | ଏହା ପଢି ପାଶ୍ଚାତ୍ୟଜଗତର ଅନେକ ବୁଦ୍ଧିଜୀବୀମାନଙ୍କ ଧ୍ୟାନ ‘ସିଦ୍ଧାନ୍ତ ଦର୍ପଣ’ ଆଡକୁ ଆକର୍ଷିତ ହେଲା ଓ ଦୂରଦୂରାନ୍ତରେ ମଧ୍ୟ ଏହା ଜ୍ୟୋତିଷବିଦ୍ୟା ସମ୍ବନ୍ଧୀୟ ଏକ ଅଦ୍ବିତୀୟ ଗ୍ରନ୍ଥ ବୋଲି ଆଲୋଚିତ ହେଲା | ମୁଦ୍ରଣର ଠିକ୍ ପରେ ପରେ ବ୍ରିଟିଶ୍ ଜର୍ଣ୍ଣାଲ୍ ‘Knowledge’-ରେ ଏହି ଗ୍ରନ୍ଥର ଏପରି ଭୂୟସୀ ପ୍ରଶଂସା ପ୍ରକାଶ ପାଇଲା- “It demonstrates the degree of accuracy, which was possible in astronomical observation before the invention of telescope and it enables us to watch, as it were, one of the astronomers of honorary forgotten antiquity actually at his work before us today.”

ଏ ସବୁ ବିଷୟ ତତ୍କାଳୀନ ଇଂରେଜ୍ ପ୍ରଶାସକମାନଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲା | ପରବର୍ତ୍ତୀ ସମୟରେ କର୍ମବୀର ଗୌରୀଶଂକର ରାୟଙ୍କ କଟକ ପ୍ରିଣ୍ଟି° ପ୍ରେସରେ ମଧ୍ୟ ଏହି ଗ୍ରନ୍ଥ ଛପା ହୋଇଥିଲା |


କୁହାଯାଏ ଯେ ଥରେ ଜଣେ ଇଂରେଜ୍ ସାହେବ ସାମନ୍ତ ମହୋଦୟଙ୍କୁ ପରୀକ୍ଷା କରିବାପାଇଁ ଏକ ଦୂରବର୍ତ୍ତୀ ପାହାଡର ସଠିକ୍ ଉଚ୍ଚତା ମାପି ଜଣାଇବାକୁ କହିଲେ | ମାତ୍ର କେତୋଟି କାଠି ଓ ବାଉଁଶନଳୀ ସାହାଯ୍ୟରେ ସାମନ୍ତ ମହାଶୟ ଏହି ପାହାଡର ଅବିକଳ ଉଚ୍ଚତା ଗଣନା କରିଦେଇ ଉକ୍ତ ସାହେବଙ୍କୁ ଚମତ୍କୃତ କରି ଦେଇଥିଲେ | କୌଣସି ଉନ୍ନତ ବୈଜ୍ଞାନିକ ଯନ୍ତ୍ରପାତିର ବିନା ସାହାଯ୍ୟରେ ଏତେ ଦୁରୁହ କାର୍ଯ୍ୟ ସୁଚାରୁ ରୂପେ କରିପାରୁ ଥିବାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ଖାଲିଆଖିର ଜ୍ୟୋତିର୍ବିଦ୍’ ବୋଲି ଆଖ୍ୟା ଦେଇଥିଲେ |


ଏତାଦୃଶ ଖ୍ୟାତିର ଫଳସ୍ବରୂପ ୧୮୯୩ ମସିହା ଜୁନ ୩ ତାରିଖରେ ଇଂରେଜ୍ ଗଭର୍ଣ୍ଣର୍ ଓ ଭାଇସ୍-ରାୟ ଲର୍ଡ୍ ଲାନ୍ସ୍-ଡାଉନ୍, ରେଭେନ୍ସା ବିଶ୍ବବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସାମନ୍ତ ମହାଶୟଙ୍କୁ ‘ମହାମହୋପାଧ୍ୟାୟ’ ଉପାଧିରେ ଭୂଷିତ କଲେ | ଏହି ଉପାଧି ଲାଭ ପରେ ତାଙ୍କର ସମ୍ପୂର୍ଣ୍ଣ ନାମ ହେଲା- ‘ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ’ |


ତତ୍କାଳୀନ ଅଜ୍ଞାନତମସାବୃତ ଉତ୍କଳରେ ଅଲୋକର ପ୍ରଦୀପ ପ୍ରଜ୍ବଳିତ କରିଥିବା ଏହି ୠଷିପ୍ରାଣ ବ୍ୟକ୍ତିଙ୍କ ସମ୍ମାନାର୍ଥେ କବି ମାୟାଧର ମାନସିଂହ ଲେଖିଛନ୍ତି-


“ଅଜ୍ଞାନ ତମସାବୃତ ଉତ୍କଳ-ଭୁବନେ

ଜାଳିଲେ ଯେ ଜ୍ଞାନ-ଦୀପ ଦରିଦ୍ର-ପ୍ରାଂଗଣେ,


ଆଲୋକ ଯାହାର ଦେଖି ଦେଶ ଦେଶାନ୍ତର

ଜାଣିଲା ପ୍ରଥମେ ନାମ ଉତ୍କଳ-ଦେଶର,


ଏହି ଚନ୍ଦ୍ରଶେଖର ସେ ପୁରୁଷଉତ୍ତମ

ସୁନ୍ଦର, ପ୍ରାଣର ରୂପେ, ସଖିରେ ପ୍ରଣମ |


ରୁଗ୍ଣ ରୁକ୍ଷ ଦେହ-ଯଷ୍ଟି; କିନ୍ତୁ ଅନ୍ତରରେ

କି ତେଜ କି ପ୍ରାଣ ଥିଲା ! ଭୁଲି ଦାରିଦ୍ର୍ୟରେ


ଭୁଲି ରୋଗ, ଭୁଲି ୠଣ, ରାଜ-ଅତ୍ୟାଚାର,

ନ ରଖି ଫଳରେ ଆଶା ତିଳେ ସାଧନାର,


କେମନ୍ତେ କଠୋର ଜ୍ଞାନ-ଯୋଗ ସେ ତପସ୍ବୀ

ସାଧିଲେ ଅଜ୍ଞାତ ରାଜ୍ୟେ ! ମସ୍ତକ ପ୍ରେୟସୀ


ଆପେ ନଇଁଆସେ ଏହି ୠଷି ସମ୍ମୁଖରେ,

ସ୍ତବ୍ଧ ମୁଁ ହୁଅଇ ତାଙ୍କ ପ୍ରାଣ-ସୌନ୍ଦର୍ଯ୍ୟରେ |”

 

ସାମନ୍ତ ମହାଶୟ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଦରିଦ୍ର ଥିଲେ, କାରଣ ତାଙ୍କର ସମ୍ପର୍କୀୟ ରାଜସିଂହାସନର ଅଧିକାରୀ ଥିଲେ ଓ ସେ ସାମନ୍ତ ମହୋଦୟଙ୍କ ପ୍ରତି ଈର୍ଷା-ପରାୟଣ ଥିଲେ | ଅଧିକନ୍ତୁ ଲୋକମୁଖରେ ସାମନ୍ତ ମହାଶୟଙ୍କ ଯଶର ପ୍ରଚାର ଓ ଇଂରେଜ୍ ସରକାରଙ୍କ ତାଙ୍କୁ ‘ମହାମହୋପାଧ୍ୟାୟ’ ଉପାଧି ପ୍ରଦାନ ଉକ୍ତ ଈର୍ଷାଳୁ ସମ୍ପର୍କୀୟମାନଙ୍କୁ ଅଧିକ ଉତ୍ତେଜିତ କଲା | ସେମାନେ ସାମନ୍ତ ମହାଶୟଙ୍କୁ ଅନେକ ପ୍ରକାରରେ ହଇରାଣ ହରକତ ଓ ଅପମାନିତ କଲେ | କିନ୍ତୁ ୠଷିପ୍ରତିମ ସାମନ୍ତ ମହାଶୟ ସେଗୁଡିକୁ ଅତି ଧୈର୍ଯ୍ୟର ସହ ସହି ନେଇଥିଲେ ଓ ନିଜକୁ ସାଧନାରୁ କଦାପି ବିଚ୍ୟୁତ ହେବାକୁ ଦେଇ ନଥିଲେ |


ଅର୍ଥାଭାବ, ଏକ ଅଜ୍ଞାନ-ଅନୁରାଗୀ ସମାଜର ତାଡନା ଓ ଚିର-ରୁଗ୍ଣ ଶରୀର ସାମନ୍ତ ମହାଶୟଙ୍କୁ ସବୁବେଳେ ସନ୍ତାପିତ କରୁଥିଲା | ଆଦ୍ୟ-ଯୌବନରୁ ସେ ଶୂଳରୋଗରେ ପୀଡିତ ଥିଲେ ଓ ଏହା ଆଜୀବନ ତାଙ୍କର ସହଚର ହୋଇ ରହିଥିଲା | ଏହିସବୁ ପ୍ରତିକୂଳ ପରିସ୍ଥିତିରେ ନିଜ ତପସ୍ୟାତୁଲ୍ୟ-ସାଧନା ଅନବରତ ଜାରିରଖିବାକୁ ଲକ୍ଷ୍ଯ କରି କବିବର ରାଧାନାଥ ‘ଦରବାର’ କାବ୍ୟରେ ଲେଖିଛନ୍ତି-


“ମଣ୍ଡିଅଛ କିପାଁ ଆସି ସଭାଘର,

ଉତ୍କଳଶେଖର ହେ ଚନ୍ଦ୍ରଶେଖର ?


ଚିତ୍ରୋତ୍ପଳାନୀର-ପାୟୀ କି ଆଶାରେ

ପଶିଲ କାସର-ସେବିତ କାସାରେ ?


କହ ଫେଡି, ପଡି କେଉଁ ଭ୍ରମଜାଲେ,

ସତ୍ୟଲୋକୁଁ ଖସି ଆସିଲ ପାତାଳେ ?


ଲୋଡୁଅଛ କି ହେ ବିଶ୍ବପୂଜାସ୍ପଦ,

ଖଦ୍ୟୋତନ ହୋଇ ଖଦ୍ୟୋତର ପଦ ?


ଏ ସମ୍ମାନେ ତୁମ୍ଭେ ହେବ କି ହେ ବଣା ?

ତୁମ୍ଭଙ୍କୁ ତ ଏହା ମୂଲ୍ୟ ଅଛି ଜଣା ||


ଏ ସମ୍ମାନ-ମାଳା ମାନୁଛି କି ଗଳେ,

ବିଶୁଦ୍ଧ-ସ୍ବର୍ଣ୍ଣେ କି ମୁଦ୍ରା ବସେ ଭଲେ ?


ଜାଣେ ମୁଁ, ନ ଥିଲ ସମ୍ମାନ-ଆଶାୟୀ,

ସମ୍ମାନ ତୁମକୁ ଲୋଡିନେଲା ଯାଇ ||


ତୁମ୍ଭ ମୁଖ୍ୟକର୍ମ ତପ ଆଚରିବା,

ଦୁନିଆର ଯଶେ ଯାଏ ଆସେ କିବା ?


ଧନ୍ୟ, ଧନ୍ୟ ଆହେ ତପସ୍ବି-ସତ୍ତମ,

ମର୍ତ୍ତ୍ୟ ଦେହେ ତୁମେ ପରାଜିଲ ଯମ ||


ଦେଇଛନ୍ତି ଦିବ୍ୟଚକ୍ଷୁ ବାଗୀଶ୍ବରୀ,

ଦେଖିବାକୁ ମହାଭୂତି ମାହେଶ୍ବରୀ ||


ସବୁବେଳେ ଧ୍ୟାନ କରୁଛ ଭାସ୍ବତୀ

ହିରଣ୍ୟ-ଗର୍ଭର ମୂରତି ଶାଶ୍ବତୀ ||


ତୁମ୍ଭ ଆଗେ ଭାସେ ପ୍ରତିନେତ୍ରୋନ୍ମେଷେ,

କୋଟି କୋଟି ବିଶ୍ବ ସୀମାତୀତ-ଦେଶେ ||


କୋଟି ଗ୍ରହ, ଉପଗ୍ରହ, ଧୂମକେତୁ

ତୁମ୍ଭ ତପେ ତୁଷ୍ଟ ବାଗ୍-ଦେବୀ ସଂକେତୁଁ ||


କରୁଛନ୍ତି କେତେ ଲୀଳା କୁତୂହଳେ,

ଯାଦୋଗଣ ଯଥା ମହାର୍ଣ୍ଣବ ଜଳେ ||


ତୁମ୍ଭଙ୍କୁ ନିଶାରେ ନିତି ନବ ନବ,

ଦେଖାନ୍ତି ନକ୍ଷତ୍ର-ପୁରୁଷେ ତାଣ୍ଡବ ||


ଜ୍ୟୋତିର୍ଲୋକବାସୀ ମହାମୁନିଙ୍କର,

ଜ୍ୟୋତିର୍ବିଦ, ତୁମ୍ଭେ ନିତ୍ୟ ସହଚର ||


ରହିବ ତାବତ ଭବେ ତୁମ୍ଭ ଯଶ,

ଦୀପିବେ ଯାବତ ଏ ଜ୍ୟୋତି ଛାନ୍ଦସ ||


ଛାନ୍ଦସ ବିଧିର ଅନୁଷ୍ଠାନ ଚାରୁ

ସାଧ୍ୟ ହେଲା ଯେଣୁ ତୁମ୍ଭ ଗଣନାରୁ ||


ହେ ଉତ୍କଳମାତା-ଯୋଗ୍ୟତମ ସୁତ,

ତୁମ୍ଭଯୋଗୁଁ ଆମ୍ଭେ ସର୍ବେ ହେଲୁଁ ପୂତ ||


ଗୋଦାବରୀ ଠାରୁ ଗଂଗାଯାଏ ବ୍ୟାପି,

କୀର୍ତ୍ତିମାଳା ଯାର ବିରାଜେ ଅଦ୍ୟାପି,


ଏକାମ୍ରେ କୋଣାର୍କେ ଯା କୀର୍ତ୍ତି ଭାସ୍ବର,

>ଯୋଗ୍ୟପୁତ୍ର ତୁମ୍ଭେ ସେହି ଉତ୍କଳର ||


ମାତ୍ର କାଳମୁଖେ ସେ କୀର୍ତ୍ତି ବିମଳ

ଦେଇ, ନିଜ ମୁଖେ ଏବେ ଯେ ଉତ୍କଳ


ବୋଳିଦେଇଅଛି ଅଜ୍ଞାନର ମସି,

ସେ ଉତ୍କଳେ ତୁମ୍ଭେ ଶ୍ମଶାନ-ତୁଳସୀ ||


ତାରା ରୂପେ ଉଇଁ ଉତ୍କଳ-ଗଗନେ

ରହିଲ ଅଜ୍ଞାନ-ମେଘ-ଆବରଣେ,


ଦୂରୁଁ ଦେଖି ତବ ଦିବ୍ୟ ଜ୍ୟୋତିରାଶି

ଚିହ୍ନିଲେ ତୁମ୍ଭଙ୍କୁ ଦୂରଦେଶବାସୀ ||


ଉତ୍କଳ ଉଦୟ-ଅଚଳେ ଭାସ୍କର,

ହେଲ ଭାରତର ଦ୍ବିତୀୟ ଭାସ୍କର ||


ମାତ୍ର ହେଲା ଯେହୁ ତୁମର ପ୍ରସୂତି,

ନ ଚିହ୍ନିଲା ସେ ତ ନିଜର ବିଭୂତି ||


ଗୁଣଜ୍ଞ ଉତ୍କଳେ ଜଣେ କେହି ନାହିଁ

ଗୁଣୀନ୍ଦ୍ର, ତୁମର ହେବ ଗୁଣଗ୍ରାହୀ ||


ସଲିଳ ନ ସିଂଚି ଖାଲି ଦଣ୍ଡବତ,

କରିବାକୁ ଛନ୍ତି ଲୋକ ଶତ ଶତ ||


ଥାଉଁ କି ଶ୍ରୀରାମଚନ୍ଦ୍ର ନରରାଣ

ବୟସେ କିଶୋର, ଜ୍ଞାନେ ବର୍ଷୀୟାନ,


ଥାଉଁ ଥାଉଁ ବାସୁଦେବ ନୃପବର

ବିଦ୍ବାନ-ମରାଳ-କୁଳ-ପଦ୍ମାକର,


ନରେଶ ମହେନ୍ଦ୍ର, ସ୍ବଦେଶଗୌରବ,

ଗୁଣୀବୃନ୍ଦ-ଅନିବନ୍ଧନ-ବାନ୍ଧବ,


ତୁମ୍ଭ ପରି ଜ୍ଞାନତରୁ ମଉଳିଲା,

ଏହା ଦେଖିବାକୁ ବିହି ଲେଖିଥିଲା !


ଶୁଷ୍କ ବନ୍ଧ୍ୟ ଯଶ ସଂଗେ ଅର୍ଦ୍ଧାଶନ

ପ୍ରତିଭାର ପରା ଲଲାଟ-ଲେଖନ ||


ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା,

ଦାରିଦ୍ର୍ୟ ତୁମ୍ଭର ସଂଗୀ ହେଲା ସଦା ||


ସଦା, ଆହା, ରୋଗ ଯନ୍ତ୍ରଣାରେ କ୍ଷୀଣ,

ୠଣର ଦାରୁଣ-ଚିନ୍ତାରେ ମଳିନ ||


ନିରତେ ତୁମ୍ଭଙ୍କୁ ସେହି ଚିନ୍ତା ଝିଙ୍କି,

ଜ୍ୟୋତିଶ୍ଚକ୍ରୁଁ ଆଣେ ଏ କ୍ଷୁଦ୍ର ମହୀକି ||


ଆହା ଶୀର୍ଣ୍ଣ ଅଂଗ ଦିଶେ କେତେ ମ୍ଲାନ,

ପ୍ରାତେ ଦୀପ ଯଥା ଆସନ୍ନ-ନିର୍ବାଣ ||


ସବୁବେଳେ ଜଳୁଅଛ ଚିନ୍ତାନଳେ,

ଏହା ପରେ ପୁଣି କ୍ରୂର ଭାଗ୍ୟଫଳେ,


ପ୍ରାକୃତ ପାଶବ-ଶକ୍ତି-ଅଧିକାରୀ

ତୁମ୍ଭ ପରେ କରେ ପ୍ରଭୁପଣ ଜାରି |


ଅନ୍ୟ କୁଳେ ଜନ୍ମିଥିଲେ ଯେଉଁ ଜନ

ତୁମ୍ଭର ଆପଟ ହେବାକୁ ଭାଜନ


ନୁହନ୍ତା, ଆଜ ସେ ପାପ-ଧନ-ଶୋଥୀ

ଲିଭାଇ ଦେବାକୁ ଲୋଡେ ତୁମ ଜ୍ୟୋତି ||


ଯା’ର ଈର୍ଷା ଯୋଗୁଁ ତୁମ୍ଭର ଏ ଦଶା,

ଦେହେ ରାଜା ହେଲେ ମନେ ସେହି ଚଷା,


ରତନ କାହିଁ ସେ ଖୋଷିବ କିରୀଟେ,

ଅନାଦରେ ତାହା ଦଳେ ପାଦପୀଠେ ||


ମୋତି ମୂଲ୍ୟ କାହୁଁ ଜାଣିବ ଶବର,

ମୋତି ଫିଂଗି କରେ ଗୁଂଜାରେ ଆଦର ||


ଧୀର-ମଣି, ଏଥି ଲାଗି ବିଚଳିତ

ହେବାର ତୁମ୍ଭର ନୁହଇ ଉଚିତ ||


ମଳିନ କରଇ ସିନା ମୁହୂର୍ତ୍ତକ

ଧ୍ରୁବତାରା ଜ୍ୟୋତି ଉଲ୍କାର ଝଟକ ||

 

ଭୋଗ ବିଳାସର କୀଟ ଦୁନିଆର

ଅସାର, ତପସ୍ବୀ, ତୁମେ ବଜ୍ରସାର ||


ଭୋଗବିଳାସୀଙ୍କ ଜୀବନ ସଂଚିତ

କୋଟି କୋଟି-ମୁଦ୍ରା-ବ୍ୟୟେ ସୁଗଠିତ


ପ୍ରାସାଦ, ସଜ୍ଜିତ ସୁପରିପାଟିରେ,

ମାଟିଦ୍ରବ୍ୟ ମିଶିଯିବ ସେ ମାଟିରେ ||


ମାତ୍ର ଉତ୍କଳର ଦର୍ପ, ଚିତ୍-ପ୍ରସୂତି,

ଜ୍ୟୋତିଷ୍କ ଦର୍ପଣ, ଦରିଦ୍ରର କୃତି,


‘ସିଦ୍ଧାନ୍ତ ଦର୍ପଣ’ ହେବ ନାହିଁ ଲୟ,

ନରଦେହେ ଥିବ ଯାବତ ହୃଦୟ ||” 


ଦରବାର କାବ୍ୟର ଏହି ଶେଷ ପଦଟି ଉତ୍କଳର ପୁରପଲ୍ଲୀରେ ପ୍ରସିଦ୍ଧ | ଏହା ମାଧ୍ୟମରେ କବିବର, ସାମନ୍ତ ମହାଶୟଙ୍କ ଉଦ୍ଦେଶ୍ୟରେ ଶ୍ରେଷ୍ଠ ଶ୍ରଦ୍ଧା-ସୁମନ ଅର୍ପଣ କରିଛନ୍ତି | କବିବର ରାଧାନାଥ, ସାମନ୍ତ ମହାଶୟଙ୍କର ସମସାମୟିକ ଥିଲେ | [ରାଧାନାଥଙ୍କର ଜୀବନକାଳ ୧୮୪୮ - ୧୯୦୮ ମସିହା | ସାମନ୍ତ ମହୋଦୟଙ୍କ ଜୀବନକାଳ ୧୮୩୫ - ୧୯୦୪ ମସିହା] | ଏଣୁ ଏହା ସ୍ବାଭାବିକ କଥା ଯେ ରାଧାନାଥ, ସାମନ୍ତ ମହୋଦୟଙ୍କ ବ୍ୟକ୍ତିଗତ ଜୀବନରେ ଥିବା ଅନେକ ଦୁଃଖକଷ୍ଟ ଓ ସେସବୁର କାରଣ ବିଷୟରେ ସମ୍ୟକ୍ ରୂପେ ଅବଗତ ଥିବେ | ଏସବୁକୁ ସେ ଇଂଗିତରେ ଉପରୋକ୍ତ ପଂକ୍ତିଗୁଡିକରେ ଉଲ୍ଲେଖ କରିଛନ୍ତି ଓ ସାମନ୍ତ ମହାଶୟଙ୍କୁ ଏକ ଉଚ୍ଚ-ତପସ୍ବୀର ସମ୍ମାନ ପ୍ରଦାନ କରିଛନ୍ତି | ’ଦରବାର’ ଏକ ନାୟକ/ ନାୟିକା-ବିହୀନ କାବ୍ୟ ହୋଇଥିଲେ ହେଁ, ରାଧାନାଥ ଏହାର ପ୍ରକୃତ ନାୟକର ଆସନ ସାମନ୍ତ ମହୋଦୟଙ୍କୁ ପ୍ରଦାନ କରିଥିବା ଭଳି ମନେହୁଏ | 


ଉତ୍କଳମଣି ଗୋପବନ୍ଧୁ ମଧ୍ୟ ସାମନ୍ତ ମହୋଦୟଙ୍କ ଜୀବନକାଳ ମଧ୍ୟରେ ତାଙ୍କ ପ୍ରତିଭାର ଭୂୟସୀ ପ୍ରଶଂସା କରି ଏହିପରି ଲେଖିଥିଲେ-


ଉତ୍କଳ-ଭାସ୍କର       ହେ ଚନ୍ଦ୍ରଶେଖର      ୠଷିପ୍ରଭ ମହାମତି,

‘ସିଦ୍ଧାନ୍ତ-ଦର୍ପଣେ’     ଦେଖି ଦେଖାଇଲ     ଚନ୍ଦ୍ର ତାରା ଗ୍ରହ ଗତି ||


ପାର୍ଥିବ ଶରୀରେ      ରହିଛ ମହୀରେ      କିନ୍ତୁ ଏଥି ନାହିଁ ଦୃଷ୍ଟି,

ଦିବ୍ୟସୁଖେ ନିତି      ନିରେଖ ବିଧାତା      ବିଚିତ୍ର ସ୍ବରଗ ସୃଷ୍ଟି ||


ଯଶଃ ପ୍ରତି ଆଶା      ଆହେ ମହାଯଶା      ନ ପୋଷ ହୃଦୟେ କ୍ଷଣେ,

ସତ୍ୟ ଲାଗି ସତ୍ୟ     ନିଃସ୍ବାର୍ଥେ ଖୋଜିଲ    ଆଜୀବନ ତ୍ରିଭୁବନେ ||


ପଡା ଖଣ୍ଡ ମଧ୍ୟେ      ଅଲକ୍ଷିତେ ଦିନ       ଯାପିଲ ଧରଣୀ ହିତେ,

ପଡା ଖଣ୍ଡେ ସୁଦ୍ଧା     ଉପହାର ଦେବା      କେହି ନ ବିଚାରେ ଚିତ୍ତେ !


ଶୁକ୍ତିକା ଅନ୍ତରେ      ମୌକ୍ତିକ ପରାଏ      ଉତ୍କଳେ ତୁମ୍ଭ ସମ୍ଭବ,

ଅଜ୍ଞାନ ଉତ୍କଳ       ନ ଜାଣିଲା ଲବେ     ତୁମ୍ଭ ପ୍ରତିଭା-ବିଭବ ||


ସ୍ବଦେଶର ଘୋର-     ଜଡତା-ଅନ୍ଧାର       ରୋଧିଲା ପ୍ରଭା-ବିକାଶ,

ତଥାପି ବିଦେଶେ      ଚିହ୍ନରା ଗ୍ରାହକେ      ଲଭିଲେ କ୍ଷୀଣ ଆଭାସ ||


ନିଜ ବୁଦ୍ଧିବଳେ       ବିଜ୍ଞାନ ଆଲୋଡି     ପାଇଲ ସୁଦିବ୍ୟ ତତ୍ତ୍ବ,

ଧନ୍ୟ ଯୋଗେଶ* !    ରହୁ ତାଙ୍କ ଯଶଃ      ବୁଝିଲେ ତୁମ୍ଭ ମହତ୍ତ୍ବ ||


ଅରଣ୍ୟ-ନିବାସୀ      ଜ୍ଞାନ ଅଭିଳାଷୀ      ମୁନି ସମାନ ସରଳ,

କେଉଁ ମନ୍ଦ ଗ୍ରହ      ଆବୋରିଛି କହ      ଉତ୍କଳର କର୍ମସ୍ଥଳ ?


‘ସିଦ୍ଧାନ୍ତ-ଦର୍ପଣେ’     ସ୍ବଦେଶର କୋଷ୍ଠୀ     ଦେଖି କରି ଏକ ଲୟ,

କହ କହ କେବେ     ଦୁର୍ଦ୍ଦଶା ଏହାର       ପାଇବ କି ସତେ କ୍ଷୟ ?


[*ଯୋଗେଶ- ଶ୍ରୀ ଯୋଗେଶ ଚନ୍ଦ୍ର ରାୟ]


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍କଳମଣିଙ୍କ ଜୀବନକାଳ ଥିଲା ୧୮୭୭ – ୧୯୨୮ ମସିହା | ଅର୍ଥାତ୍, ସାମନ୍ତ ମହୋଦୟଙ୍କ ବିୟୋଗ ବେଳକୁ ଗୋପବନ୍ଧୁଙ୍କୁ ପ୍ରାୟ ୨୭ ବର୍ଷ ବୟସ ହୋଇଥିବ | ତରୁଣ ଅବସ୍ଥାରେ ଗୋପବନ୍ଧୁ ସାମନ୍ତ ମହୋଦୟଙ୍କ ଯେଉଁ ଜୀବନ-ସଂଗ୍ରାମ ଦେଖିଥିବେ, ତାହା ଏହି କବିତାରେ ପ୍ରତିଫଳିତ |


ଜ୍ୟୋତିଷଶାସ୍ତ୍ରକୁ ସାମନ୍ତ ମହାଶୟଙ୍କ ଅବଦାନ ବିଷୟରେ ଆଲୋଚନା କରିବା ସମୟରେ ପରମହଂସ ଯୋଗନନ୍ଦଙ୍କୁ ତାଙ୍କ ଗୁରୁଦେବ ଶ୍ରୀ ଯୁକ୍ତେଶ୍ବର ଗିରି ଦେଇଥିବା ମନ୍ତବ୍ୟ ମନକୁ ଆସେ-


“Charlatans have brought the ancient stellar science to its present disrepute. Astrology is too vast, both mathematically and philosophically, to be rightly grasped except by men of profound understanding. If ignoramuses misread the heavens, and see there a scrawl instead of a script, that is to be expected in this imperfect world. One should not dismiss the wisdom with the ‘wise’.


All parts of the creation are linked together and interchange their influences. The balanced rhythm of the universe is rooted in reciprocity. Man, in his human aspect, has to combat two sets of forces- first, the tumults within his being, caused by the admixture of earth, water, fire, air and ethereal elements; second, the outer disintegrating powers of nature. So long as man struggles with his mortality, he is affected by the myriad mutations of heaven and earth.”


ସାମନ୍ତ ଚନ୍ଦ୍ରଶେଖର ଏହିଭଳି ଜଣେ ‘man of profound understanding’ ଥିଲେ | ଜ୍ୟୋତିର୍ବିଜ୍ଞାନ ସହିତ ଜ୍ୟୋତିଷଶାସ୍ତ୍ରକୁ ସେ ଏକ ଉଚ୍ଚତର ସୋପାନକୁ ନେଇ ଯାଇଥିଲେ | କୁହାଯାଏ ସେ ଗଣନା କରି ନିଜ ମୃତ୍ୟୁଦିବସ ବିଷୟରେ ପୂର୍ବରୁ ସୂଚନା ଦେଇଥିଲେ | ସେ ମଧ୍ୟ ଦୃଢତାର ସହ କହୁଥିଲେ ଯେ ତାଙ୍କ ଗଣନା ପ୍ରାୟ ୧୦,୦୦୦ (ଦଶ ହଜାର) ବର୍ଷ ପର୍ଯ୍ୟନ୍ତ ସଠିକ ମାର୍ଗଦର୍ଶନ କରିପାରିବ |


ଶ୍ରୀପୁରୁଷୋତ୍ତମ ଧାମରେ ଦେହତ୍ୟାଗ କରିବା ସାମନ୍ତ ମହାଶୟଙ୍କର ଏକାନ୍ତ ଇଚ୍ଛା ଥିଲା | ଦୈବ ସଂଯୋଗକ୍ରମେ ତାଙ୍କର ସେହି ଇଚ୍ଛା ପୂରଣ ହେଲା ଓ ସେ ୧୯୦୪ ମସିହା ଜୁନ ମାସ ୧୧ ତାରିଖ (ଶନିବାର) ଦିନ ପୂର୍ବାହ୍ନରେ ୬୯ ବର୍ଷ ବୟସରେ ଶ୍ରୀଜଗନ୍ନାଥଙ୍କ ଠାରେ ବ୍ରହ୍ମଲୀନ ହେଲେ |


ସାମନ୍ତ ମହାଶୟ ଉତ୍କଳ ଭାଗ୍ୟାକାଶର ଏକ ଉଜ୍ଜ୍ବଳ ଜ୍ୟୋତିଷ୍କ ଥିଲେ | କିନ୍ତୁ, ଭାଗ୍ୟର ବିଡମ୍ବନା- ଏହି ଉଜ୍ଜ୍ବଳ ଜ୍ୟୋତିଷ୍କଙ୍କୁ ସାରା ଜୀବନ ଦୁର୍ଭାଗ୍ୟର କଳା ବାଦଲ ଆଚ୍ଛାଦିତ କରି ରଖିଲା | ସମ୍ପର୍କୀୟମାନଙ୍କର ଅସୂୟା, ଷଡଯନ୍ତ୍ର ଓ ଲାଂଛନାପୂର୍ଣ୍ଣ ବ୍ୟବହାର, ଦାରିଦ୍ର୍ୟ ଓ ତଦ୍-ଜନିତ ୠଣଗ୍ରସ୍ତ ଅବସ୍ଥା, ରୁଗ୍ଣ ଶରୀର ଓ ସର୍ବୋପରି ସମାଜର ବଡପଣ୍ଡାମାନଙ୍କର ତାଙ୍କ ଗବେଷଣା ପ୍ରତି ହତାଦର, ସାମନ୍ତ ମହୋଦୟଙ୍କ ଜୀବନକୁ କରୁଣ-ରସସିକ୍ତ କରି ରଖିଥିଲା | ତାଙ୍କ ଜୀବନ ବିଷୟରେ ଚିନ୍ତା କରିବା ସମୟରେ ଶ୍ବେତାଶ୍ବତର ଉପନିଷଦର ଏହି ମନୋମୁଗ୍ଧକର, ତେଜୋମୟ ଶ୍ଲୋକଟିର ପ୍ରଭା ଆଖି ଆଗରେ ଝଲସି ଉଠେ-


“ବେଦାହମେତଂ ପୁରୁଷଂ ମହାନ୍ତ-

ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ |

ତମେବ ବିଦିତ୍ବାତି ମୃତ୍ୟୁମେତି

ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ ||” 


ଏହି ସଂସାରରେ ଅନେକ ମିଥ୍ୟାଚାର, ପାପାଚାର, ଅନାଚାର ବା ଅତ୍ୟାଚାର ଭରି ରହି ଥାଇପାରେ | ସେସବୁର ଘନୀଭୂତ ତମ ବା ଅନ୍ଧକାର ଯେତେ ଗଭୀର ହେଲେ ବି ପ୍ରାଜ୍ଞମାନେ ଏହା ସମ୍ମୁଖରେ ମଥାନତ କରିନ୍ତି ନାହିଁ କିମ୍ବା ଏହାକୁ ସର୍ବଶେଷ ସତ୍ୟ ବୋଲି ସ୍ବୀକାର କରନ୍ତି ନାହିଁ | ଏହି ଅନ୍ଧକାରର ପୃଷ୍ଠଦେଶରେ ଏକ ସୂର୍ଯ୍ୟ-ସମ ତେଜୋମୟ ସତ୍ତା ସବୁ ସମୟରେ ରହିଛି, ଯାହା ଆମକୁ ଅନ୍ଧକାରରୁ ଆଲୋକକୁ, ଅସତ୍-ରୁ ସତ୍ ଆଡକୁ, ଓ ମୃତ୍ୟୁରୁ ଅମୃତ ଆଡକୁ ସର୍ବଦା ବାଟ କଢାଇ ନେଉଛି | ଏହା ନ ହୋଇ ଥିଲେ ପଠାଣି ସାମନ୍ତଙ୍କ ଭଳି ଜଣେ ସଦା-ନିୟତି-ପ୍ରପୀଡିତ ବ୍ୟକ୍ତି ଜାତିର ହୃଦୟରେ ଏତେ ଉଚ୍ଚସ୍ଥାନରେ ଅଧିଷ୍ଠିତ ହୋଇପାରି ନ ଥାନ୍ତେ |


ତାଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଓଡିଶା ସରକାର ଭୁବନେଶ୍ବର ଠାରେ ଗଢିଥିବା ଜ୍ୟୋତିର୍ବିଜ୍ଞାନ ଗବେଷଣା ଓ ନିରୀକ୍ଷଣ କେନ୍ଦ୍ରକୁ ‘ପଠାଣି ସାମନ୍ତ ପ୍ଲାନେଟାରିଅମ୍’ ଏବଂ ସମୀପବର୍ତ୍ତୀ ଏକ ବିରାଟ ଅଂଚଳକୁ ଚନ୍ଦ୍ରଶେଖରପୁର ନାମ ଦେଇଛନ୍ତି | ବର୍ତ୍ତମାନ ଏହି ଅଂଚଳ ଆଧୁନିକ ଭୁବନେଶ୍ବରର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ | ଆଜି ପବିତ୍ର ଜୟନ୍ତୀ ଦିବସ ଅବସରରେ ତାଙ୍କର ଅକ୍ଷୟ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧା-ସୁମନ ଅର୍ପଣ କରୁଛି |



Rate this content
Log in

Similar oriya story from Inspirational