STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ମହିୟସୀ ରମାଦେବୀ

ମହିୟସୀ ରମାଦେବୀ

9 mins
351



ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ହେଲେ ଶ୍ରୀଯୁକ୍ତ ଗୋପାଳବଲ୍ଲଭ ଦାସ | ଗୋପାଳବଲ୍ଲଭ ଜଣେ ଲବ୍ଧପ୍ରତିଷ୍ଠ ଔପନ୍ୟାସିକ, କବି ଓ ସମାଲୋଚକ ଥିଲେ | ଘର କଟକ ଜିଲ୍ଲାର ସତ୍ୟଭାମାପୁର ଗାଁ | ରମାଦେବୀ ହେଲେ ଗୋପାଳବଲ୍ଲଭଙ୍କ ଝିଅ | ରମାଦେବୀଙ୍କ ଡାକ ନାଁ ବେଲୁ | ସେ ସମୟର ଡେପୁଟି କଲେକ୍ଟର ରାଜକିଶୋର ଦାସ ରମାଦେବୀଙ୍କର ବଡ ମାମୁଁ | କଟକ ସହରରେ ୧୮୯୯ ମସିହା ଡିସେମ୍ବର ମାସ ୩ ତାରିଖ ଦିନ ରମାଦେବୀଙ୍କର ଜନ୍ମ |


୧୯୧୪ ମସିହା ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ (ପ୍ରଥମାଷ୍ଟମୀ) ଦିନ ପ୍ରାୟ ପନ୍ଦର ବର୍ଷ ବୟସରେ ରମାଦେବୀ ଗୋପବନ୍ଧୁ ଚୌଧୁରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ | ଗୋପବନ୍ଧୁଙ୍କ ବାପା ଗୋକୁଳାନନ୍ଦ ଚୌଧୁରୀ ରମାଦେବୀଙ୍କ ବାପା ଗୋପାଳବଲ୍ଲଭଙ୍କର ଛାତ୍ରବେଳର ବନ୍ଧୁ ଥିଲେ | କଟକ ସହରର ବାଖରାବାଦ ଅଂଚଳରେ କାଠଯୋଡି ନଈକୂଳରେ ଗୋକୁଳାନନ୍ଦଙ୍କର ଆଭିଜାତ୍ୟ ସମ୍ପନ୍ନ ଘର | ରମାଦେବୀ ସେଠାକୁ ବୋହୁ ହେଇ ଆସିଲେ | ବିବାହର ପ୍ରାୟ ମାସେ ମଧ୍ୟରେ ରମାଦେବୀଙ୍କର ବାପା ଗୋପାଳବଲ୍ଲଭଙ୍କର ଦେହାନ୍ତ ହେଲା | ତାହାର ପ୍ରାୟ ଦୁଇ ମାସ ମଧ୍ୟରେ ଶଶୁର ଗୋକୁଳାନନ୍ଦ ଆରପାରିକୁ ଚାଲିଗଲେ | ଏହି ସବୁ ଧକ୍କା ରମାଦେବୀଙ୍କୁ ଦୋହଲାଇ ଦେଲା | କିନ୍ତୁ, କିଛିଦିନ ପରେ ୧୧ ଅକ୍ଟୋବର ୧୯୧୫ ଦିନ ରମାଦେବୀଙ୍କ କୋଳ ମଣ୍ଡନ କରି ପୁଅ ମନମୋହନ ଜନ୍ମ ହେଲେ | ଏହା ତାଙ୍କ ବ୍ୟଥିତ ମନକୁ ଅନେକ ପରିମାଣରେ ସାନ୍ତ୍ବନା ଦେଲା | ପରେ ୧୯୧୭ ମସିହାରେ ଝିଅ ଅନ୍ନପୂର୍ଣ୍ଣା ଜନ୍ମ ହେଲେ | ୧୯୧୯ ମସିହାରେ ତାଙ୍କର ବିଜୟ ନାମକ ପୁତ୍ର ସନ୍ତାନର ଜନ୍ମ ହୋଇଥିଲା | କିନ୍ତୁ, ୧୯୨୧ ମସିହାରେ ପ୍ରାୟ ଦୁଇ ବର୍ଷ ବୟସରେ ବିଜୟର ମୃତ୍ୟୁ ହୋଇଥିଲା |


ଗୋପବନ୍ଧୁଙ୍କ ସାନ ଭାଇ ଥିଲେ ନବକୃଷ୍ଣ ଚୌଧୁରୀ | ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇ ସେ କଲେଜ ପଢା ଛାଡି ଦେଇଥିଲେ | ପରବର୍ତ୍ତୀ କାଳରେ ନବକୃଷ୍ଣ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ | ପାଠପଢା ସରିବା ପରେ ଗୋପବନ୍ଧୁ ଚୌଧୁରୀ ପଦସ୍ଥ ପ୍ରଶାସନିକ ଅଧିକାରୀ ଭାବେ ଚାକିରି କଲେ | ଯାଜପୁରରେ ସେ ଥିଲେ ସେକେଣ୍ଡ୍ ଅଫିସର | ସ୍ବାଧୀନଚେତା ଓ କର୍ତ୍ତବ୍ୟନିଷ୍ଠ ହୋଇଥିବାରୁ ଉପରିସ୍ଥ ଅଧିକାରୀମାନଙ୍କ ସହିତ ତାଙ୍କର ଅନେକ ସମୟରେ ମତାନ୍ତର ହେଉଥିଲା | ଥରେ ଯାଜପୁରର ବରୀ ଅଂଚଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବିଷୟରେ ସେ ଅବିକଳ ଯାହା ଦେଖିଥିଲେ, ତାହା ଲେଖି ସରକାରଙ୍କୁ ରିପୋର୍ଟ୍ ଦେଇଦେଲେ; କାରଣ ତାଙ୍କର ବିଚାର ଥିଲା- ଲୋକେ ବହୁତ ଅସୁବିଧାରେ ଅଛନ୍ତି | ପ୍ରକୃତ ତଥ୍ୟ ରିପୋର୍ଟରେ ପ୍ରତିଫଳିତ ହେଲେ ଲୋକମାନଙ୍କର ଦୁର୍ଦ୍ଦଶା ମୋଚନ ପାଇଁ ସରକାରୀ କଳ ତତ୍ପର ହେବ | ରିପୋର୍ଟକୁ କିପରି ପ୍ରଶାସନକୁ ସୁହାଇଲା ଭଳି ତିଆରି କରାଯିବ, ସେ ବିଷୟରେ ଉପରିସ୍ଥ ହାକିମଙ୍କ ସହିତ ଗୋପବନ୍ଧୁ ପରାମର୍ଶ କରି ନ ଥିଲେ | ଉପରିସ୍ଥ ହାକିମ (ଏସ୍.ଡି.ଓ. ବାବୁ) ଅତ୍ଯନ୍ତ କ୍ଷୁବ୍ଧ ହେଲେ; କହିଲେ ସରକାରଙ୍କୁ ନ ପଚାରି ମନଇଚ୍ଛା ରିପୋର୍ଟ୍ ଦେଇଦେଉଛ; ଚାକିରି ଗୋଲ୍ ହୋଇଯିବ | ସତକୁ ସତ, କିଛି ଦିନ ପରେ ଗୋପବନ୍ଧୁଙ୍କର ଚାକିରି ଗୋଲ୍ ହୋଇଗଲା | ଗୋପବନ୍ଧୁ ଧିରେ ଧିରେ ଅନୁଭବ କଲେ, ସରକାରୀ ଚାକିରିରେ କଲମ ସବୁବେଳେ ସିଧା ଚଳାଇଲେ ହେବ ନାହିଁ; ଅନେକ ସମୟରେ ବଙ୍କାଟଙ୍କା କରି ଚଲାଇବାକୁ ପଡିବ; ନହେଲେ ତିଷ୍ଠି ହେବ ନାହିଁ | କିନ୍ତୁ, ବିବେକ ତାଙ୍କୁ କହିଲା- “ତୁ ଜନସାଧାରଣଙ୍କ ଟିକସ ପଇସାରେ ବେତନ ପାଉଛୁ | ସରକାରୀ କଳରେ କିଛି ଉଚ୍ଚ ପଦପଦବୀରେ ଥିବା ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ତୁ ଜନସାଧାରଣଙ୍କୁ ଧୋକା ଦେଇପାରିବୁ ନାହିଁ |” ଏହି ବିରୋଧାଭାସ ଓ ଅନ୍ତର୍ଦ୍ବନ୍ଦ୍ବ ମଧ୍ୟରେ ଗୋପବନ୍ଧୁ ନିତିଦିନ ହନ୍ତସନ୍ତ ହେବାକୁ ଲାଗିଲେ |


ଏହି ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଡାକରା ତାଙ୍କ କାନରେ ପଡିଲା | ଉତ୍କଳମଣି ପାଂଚଟି କଥା ଉପରେ ଗୁରୁତ୍ବ-ଆରୋପ କରି ଜନସାଧାରଣଙ୍କ ଠାରୁ ସହଯୋଗ ମାଗିଲେ | ସେଗୁଡିକ ହେଲା- ସରକାରୀ ଚାକିରି ଓ ସରକାରୀ ଓକିଲାତି ଛାଡିବା, ସରକାର-ପ୍ରଦତ୍ତ ଉପାଧି ବର୍ଜନ କରିବା, ସରକାରୀ ସ୍କୁଲ୍-କଲେଜ ପରିତ୍ୟାଗ କରିବା, ପ୍ରାଦେଶିକ କାଉନସିଲ୍ ଓ କେନ୍ଦ୍ର-ଆସେମ୍ବ୍ଲି ଛାଡିବା ଓ ବିଦେଶୀ ବସ୍ତ୍ର ବର୍ଜନ କରିବା | ଗୋପବନ୍ଧୁ ଚୌଧୁରୀଙ୍କ ସଂଶୟର ସମାଧାନ ବିଧାତା ସତେ ଯେମିତି ଏହି ଆହ୍ବାନରେ ସନ୍ନିବେଶିତ କରି ରଖିଥିଲେ | ସେ ଆଉ ଘାଣ୍ଟି ନ ହୋଇ ୧୯୨୧ ମସିହା ଆରମ୍ଭରେ ସରକାରୀ ଚାକିରି ପରିତ୍ୟାଗ କଲେ | ସେ ସମୟରେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟିକାରୀ ପଦକ୍ଷେପ ଥିଲା | ଆର୍ଥିକ ସ୍ବଚ୍ଛଳତା ପୂର୍ଣ୍ଣ ମାର୍ଗକୁ ପରିତ୍ୟାଗ କରି ବିପଦକୁ ମୁଣ୍ଡାଉଛନ୍ତି ଜାଣି ମଧ୍ୟ ସେ ଦେଶସେବା ପଥରେ ଅଗ୍ରସର ହେଲେ | ଚାକିରି ଛାଡିବା ପରେ ଗୋପବନ୍ଧୁ କଂଗ୍ରେସ୍ ଆନ୍ଦୋଳନରେ ନିଜକୁ ସାମିଲ୍ କଲେ | ସେ ସମୟରେ ସମଗ୍ର ଭାରତବର୍ଷରେ ଗାନ୍ଧିଜୀଙ୍କ ନେତୃତ୍ବରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ | ଏହି ପରିସ୍ଥିତିରେ ଦିଅର ନବକୃଷ୍ଣ ମଧ୍ୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ କଲେଜ ପଢା ଛାଡିଦେଲେ |


୧୯୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ; ଗାନ୍ଧିଜୀ କଟକ ଆସିଥାନ୍ତି | ସେତେବେଳକୁ ତାଙ୍କର ଖୁବ୍ ନାଁ ଡାକ | ଅସହଯୋଗ ସତ୍ୟାଗ୍ରହର ଅଭୂତପୂର୍ଣ୍ଣ ପ୍ରୟୋଗକରି ସେ ଦେଶବାସୀ ତଥା ଇଂରେଜ ସରକାରଙ୍କୁ ଚକିତ କରିଦେଇଥା’ନ୍ତି | ଏଣୁ, ସରକାର ତାଙ୍କର ପ୍ରତ୍ୟେକ ପଦକ୍ଷେପକୁ ସତର୍କତାର ସହ ଜଗୁଥା’ନ୍ତି | କଟକ ସହରରେ ଗାନ୍ଧିଜୀ ଯେପରି ସଭା କରି ନ ପାରିବେ, ସେଥିପାଇଁ ପ୍ରଶାସନ ନିଷେଧାଦେଶ ଜାରି କରିଥା’ନ୍ତି | କିନ୍ତୁ, ଉତ୍କଳମଣି ଗୋପବନ୍ଧୁ ପ୍ରତ୍ୟୁତ୍ପନ୍ନମତିତା ଦେଖାଇ କାଠଯୋଡି ନଦୀ ବାଲି ଉପରେ ଗାନ୍ଧିଜୀଙ୍କ ପାଇଁ ଏକ ବିରାଟ ସାଧାରଣ ସଭା ଆୟୋଜିତ କଲେ | ବର୍ତ୍ତମାନ ଜୁଡିସିଆଲ୍ ଆକାଡେମୀ ଯେଉଁ ସ୍ଥାନରେ ଅବସ୍ଥିତ, ତା ନିକଟସ୍ଥ କାଠଯୋଡି ନଦୀ ବାଲିରେ ଏହି ସଭା ହେଉଥିଲା | ଏହି ସ୍ଥାନ ରମାଦେବୀଙ୍କ ବାଖରାବାଦ ଘର ଠାରୁ ବେଶୀ ବାଟ ନୁହେଁ | ଏହି ଅବସରରେ ରମାଦେବୀ ସ୍ବାମୀଙ୍କ ସାଂଗରେ ଯାଇ ମହାତ୍ମାଙ୍କୁ ଦର୍ଶନ କଲେ ଏବଂ ନିଜେ ଅରଟରେ କାଟି ନେଇଥିବା ସୂତାବଣ୍ଡଲଟିକୁ ତାଙ୍କୁ ଅର୍ପଣ କଲେ | ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ ରମାଦେବୀଙ୍କୁ ସମ୍ମୋହିତ କଲା | ପରବର୍ତ୍ତୀ କାଳରେ ରମାଦେବୀ ନିଜର ପାଖାପାଖି ଶହେ ଭରି ସୁନା ଗହଣାକୁ ଜାତୀୟ କଂଗ୍ରେସକୁ ଦାନ କରିଦେଇଥିଲେ | ସମ୍ଭ୍ରାନ୍ତ ଘରର ଝିଅ ତଥା ବୋହୁ ହୋଇଥିବାରୁ ପାଟମଠା ତାଙ୍କର ଅତ୍ଯନ୍ତ ପ୍ରିୟ ଥିଲା | କିନ୍ତୁ, ମହାତ୍ମାଙ୍କ ସଂସ୍ପର୍ଶରେ ଆସିବା ପରେ ପାଟମଠା ଛାଡି ସେ ଖଦଡ ଲୁଗା ପିନ୍ଧିଲେ |


ଏହି ସମୟରେ ଜଗତସିଂଗପୁର ଅଂଚଳର ଦୁଇ ଉଚ୍ଚମନା ଜମିଦାର ଶ୍ରୀଯୁକ୍ତ ଦୁର୍ଗାଚରଣ ମହାପାତ୍ର ଓ ଶ୍ରୀଯୁକ୍ତ ବଂଶୀଧର ପଟ୍ଟନାୟକ ଗୋପବନ୍ଧୁ ଚୌଧୁରୀଙ୍କୁ ସହଯୋଗର ହାତ ବଢାଇଲେ | ସେମାନେ ଗୋପବନ୍ଧୁଙ୍କୁ ଜଗତସିଂଗପୁର ଟାଉନ ଅଂଚଳରେ ଅଳକା ନଦୀ କୂଳରେ ୫୫ ଏକର ଜାଗା ଯୋଗାଇଦେଲେ | ଏହାର ଅଧିକାଂଶ ଅଂଚଳ ଗଛବୃଛ ଭରା ଏକ ତୋଟା ଥିଲା | ଏହି ସବୁଜିମାମୟ ପରିବେଶରେ ଗୋପବନ୍ଧୁ ୧୯୨୨ ମସିହାରେ ଅଳକା ଆଶ୍ରମ ପ୍ରତିଷ୍ଠା କଲେ | ଏହି ଆଶ୍ରମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ବିବିଧ ଉପାୟରେ ବଳ ଯୋଗାଇ ସଂଗ୍ରାମକୁ ଗତିଶୀଳ ରଖିବାରେ ପ୍ରମୁଖ ଭୂମିକା ତୁଲାଇଥିଲା | ଗୋପବନ୍ଧୁ ଚୌଧୁରୀଙ୍କର ଏକନିଷ୍ଠ ସାଧନାର ଫଳଶ୍ରୁତି ସ୍ବରୂପ ଏହା ଗାନ୍ଧିଜୀଙ୍କର ସ୍ବାବଲମ୍ବିତା ଓ ସତ୍ୟାଗ୍ରହର ଏକ ଉତ୍କୃଷ୍ଟ ପ୍ରୟୋଗଶାଳାରେ ପରିଣତ ହେଲା | ପିଲାମାନଙ୍କ ଲାଳନପାଳନର ଦାୟିତ୍ବ ଥିବାରୁ ରମାଦେବୀ ପ୍ରଥମେ ପ୍ରଥମେ ମଝିରେ ମଝିରେ ଯାଇ ଅଳକାଶ୍ରମରେ ରହୁଥିଲେ | ପରେ ପୂରା ସମୟ ଆଶ୍ରମରେ ରହି ଆଶ୍ରମର ଦାୟିତ୍ବ ସମ୍ଭାଳିଲେ | ଶାଶୁ ଜିଦ୍ ଧରିବାରୁ ତାଙ୍କୁ ମଧ୍ୟ ନେଇ ଆଶ୍ରମରେ ନିଜ ପାଖରେ ରଖିଲେ | ରମାଦେବୀ ଓ ଗୋପବନ୍ଧୁ ଏହି ଆଶ୍ରମରେ ରହି ଖଦୀର ପ୍ରସାର କରିବା, ଗ୍ରାମ୍ୟ ଅର୍ଥନୀତିକୁ ସ୍ବାବଲମ୍ବୀ କରିବା, କଂଗ୍ରେସ ପାଇଁ ସଭ୍ୟ ସଂଗ୍ରହ କରିବା ଆଦି ଦିଗରେ କର୍ମରତ ରହୁଥିଲେ |


ଯେଉଁ ଅଂଚଳର ବନ୍ୟା-ଦୁର୍ଦ୍ଦଶାର ସଠିକ୍ ଚିତ୍ର ଦେବାକୁ ଯାଇ ଗୋପବନ୍ଧୁ ଚୌଧୁରୀ ଛାଡିଥିଲେ, ସେହି ଅଂଚଳର ସେବା କରିବା ଲକ୍ଷ୍ୟରେ ୧୯୩୪ ମସିହା ବେଳକୁ ରମାଦେବୀ ସ୍ବାମୀଙ୍କ ସହଯୋଗରେ ପ୍ରତିଷ୍ଠା କଲେ ଦୁଧେଇ ଆଶ୍ରମ | ବରୀର ଦୁଧେଇ ନାଳ କଡରେ ପ୍ରାୟ ୫ (ପାଂଚ) ଏକର ଜମି ଉପରେ ରମାଦେବୀ ଏହି ଆଶ୍ରମ ଠିଆକଲେ | ଆଜି ଏହା ଗୋପବନ୍ଧୁ-ରମାଦେବୀ ଆଶ୍ରମ ନାମରେ ମଧ୍ୟ ପରିଚିତ | ସ୍ବରାଜ ପ୍ରାପ୍ତି ପାଇଁ ଗାନ୍ଧିଜୀ ଯେଉଁ ସବୁ ମାର୍ଗ ଅବଲମ୍ବନ କରିବା ଉପରେ ଗୁରୁତ୍ବ ଆରୋପ କରୁଥିଲେ, ସେହି ସବୁ ଉପାୟର ଏହି ଆଶ୍ରମ ଥିଲା ଏକ ସମର୍ପିତ ପ୍ରୟୋଗଶାଳା | କୃଷି ଓ କୃଷକକୁ ସ୍ବାବଲମ୍ବୀ କରିବା ପାଇଁ ଏବଂ ଉନ୍ନତମାନର ଫସଲ ଉତ୍ପାଦନ ନିମନ୍ତେ ରାସାୟନିକ ପଦ୍ଧତି ପରିହାର କରି ଜୈବିକ କୃଷିକୁ ଗ୍ରହଣ କରିବାର ପରୀକ୍ଷା ଏଠାରେ ଚାଲୁଥିଲା | ଦେଖାଗଲା ଯେ ଗୋବର, ବୃକ୍ଷଲତାର ପତ୍ର ଆଦିରୁ ପ୍ରସ୍ତୁତ ଜୈବିକ ଖତ ଓ ଗୋମୂତ୍ରରୁ ପ୍ରସ୍ତୁତ କୀଟନାଶକ ଫସଲର ଗୁଣବତ୍ତା ବର୍ଦ୍ଧିତ କରୁଥିବା ସହିତ ମାଟିର ଉତ୍ପାଦିକା ଶକ୍ତିକୁ ଅକ୍ଷୁଣ୍ଣ ରଖୁଛନ୍ତି ଏବଂ କୃଷକକୁ ଆର୍ଥିକ ଦୃଷ୍ଟିରୁ ଅନେକ ଲାଭବାନ କରୁଛନ୍ତି | ଗୋବର ସହିତ ଗୁଡ ବା ପାଚିଲା ତାଳକୁ ମିଶାଇ ଉନ୍ନତମାନର ଜୈବିକ ସାର ପ୍ରସ୍ତୁତ କରାଯାଇ ପାରିଲା | ଅଂଚଳର ଚାଷୀଭାଇମାନଙ୍କୁ ଏହି ପ୍ରୟୋଗର ପ୍ରତ୍ୟକ୍ଷଦର୍ଶୀ ହେବାପାଇଁ ଓ ଏହାକୁ ଆପଣାଇବା ପାଇଁ ରମାଦେବୀ-ଗୋପବନ୍ଧୁ ଆହ୍ବାନ ଦେଲେ | ଆଶ୍ରମ ପରିସରରେ ଆମ୍ବ, ପଣସ, ଅମୃତଭଣ୍ଡା, ପିଜୁଳି ଭଳ

ି ଅନେକ କିସମର ଫଳଗଛ ଓ ବାଉଁଶବୁଦା ଥିଲା | ଗହମ, ଆଳୁ, ମାଣ୍ଡିଆ, ବିଲାତି ବାଇଗଣ, ଚିନାବାଦମ ଆଦି ଚାଷ ହେଉଥିଲା | ଆଶ୍ରମର ମଧ୍ୟଭାଗରେ ଏକ ବିରାଟ ପୋଖରୀ ଥିଲା | ପୁଲି ବ୍ୟବହାର କରି ବଳଦ ସାହାଯ୍ୟରେ ପୋଖରୀରୁ ପାଣି ଉଠାଯାଇ ଚାଷଜମିରେ ମଡାଯାଉଥିଲା | ଆଶ୍ରମକୁ ଯେଉଁ ଚାଷୀଭାଇମାନେ କି ସ୍କୁଲପିଲାମାନେ ବୁଲି ଆସୁଥିଲେ, ସେମାନଙ୍କୁ ନିଜେ ମା ରମାଦେବୀ ଆଶ୍ରମ ପରିସରରୁ ତୋଳା ହୋଇଥିବା ପିଜୁଳି, ବିଲାତି ବା ପାଚିଲା ଅମୁତଭଣ୍ଡା କାଟି ଆଦରରେ ଖୁଆଉଥିଲେ | ପ୍ରସୂତିମାନଙ୍କର ସେବା, ନିରାପଦ ପ୍ରସବ ଓ ନବଜାତ ଶିଶୁର ଯତ୍ନ ପାଇଁ ରମାଦେବୀ-ଗୋପବନ୍ଧୁ ବରୀର ଅରଂଗାବାଦ ମୌଜାରେ ‘ସେବାଘର’ ନାମରେ ଏକ ପ୍ରସୂତିକେନ୍ଦ୍ର ଖୋଲିଥିଲେ |   


୧୯୨୮ ମସିହାରେ କଲିକତା ଠାରେ କଂଗ୍ରେସର ଅଧିବେଶନ ହେଲା | ଏଥିରେ ରମାଦେବୀ ଯୋଗ ଦେଲେ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷ୍, ଜାନକୀ ଦେବୀ, କୋକିଳା ଦେବୀ, ସରୋଜିନୀ ଦେବୀ ଆଦିଙ୍କୁ ନିକଟରୁ ଦେଖିବାର ସୁଯୋଗ ପାଇଲେ | ପରବର୍ତ୍ତୀ କାଳରେ ଗୟାରେ ହୋଇଥିବା କଂଗ୍ରେସ ଅଧିବେଶନରେ ମଧ୍ୟ ରମାଦେବୀ ଯୋଗ ଦେଇଥିଲେ ଓ କଂଗ୍ରେସର ଅନେକ ତୁଂଗ ନେତାଙ୍କ ସହ ମିଶିବାର ସୁଯୋଗ ପାଇଥିଲେ |


୧୯୩୦ ମସିହାରେ ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା | ଏ ସମ୍ପର୍କରେ ଓଡିଶାର ଲୋକଙ୍କୁ ସଂଗଠିତ କରିବା ପାଇଁ ତା ୩୦ ଜାନୁୟାରୀ ୧୯୩୦ ଦିନ କଟକର ଟାଉନ ହଲରେ ଏକ ସଭା କରିବା ପାଇଁ ଓଡିଶା କଂଗ୍ରେସର ନେତାମାନେ ସ୍ଥିର କଲେ | ସଭାର ଉଦ୍ଦେଶ୍ୟ ପ୍ରକାଶ୍ୟ ଭାବେ ସ୍ପଷ୍ଟ କୁହାଯାଇ ନଥିଲେ ହେଁ ଗୁଇନ୍ଦା ସୂତ୍ରରୁ ଜାଣିପାରି ପୋଲିସ ଏଥିପାଇଁ ଅନୁମତି ଦେଲାନାହିଁ | ବଡ ଅଡୁଆ ପରିସ୍ଥିତି ସୃଷ୍ଟି ହେଲା | ଅଡୁଆର ସମାଧାନ କରି ସମସ୍ତ ବିପଦକୁ ନିଜ ମୁଣ୍ଡ ଉପରକୁ ନେଇ ରମାଦେବୀ କହିଲେ, ତାଙ୍କ କଟକ ଘର ହତା ମଧ୍ୟରେ ସଭା ହେବ | ୧୯୩୦ ମସିହା ଏପ୍ରିଲ୍ ମାସରେ ରମାଦେବୀ ବାଲେଶ୍ବରର ଇନ୍ଚୁଡି ଠାରେ ଲୁଣ ମାରିଲେ | ସେଠାରୁ ଅଳକାଶ୍ରମ ଫେରିଲେ | ସେଠାରୁ ପୁଣି ପାରାଦୀପ ନିକଟସ୍ଥ କାଳିଆପାଟ ଯାଇ ଲୁଣ ମାରିଲେ | ସାଂଗରେ କୁଜଂଗର ରାଣୀଙ୍କୁ ନେଇଥିଲେ ଓ ବାଟରେ ଘାଟ ଜଗିଥିବା ମାଜିଷ୍ଟ୍ରେଟ ଓ ପୋଲିସଙ୍କୁ ଚକମା ଦେଇ ନଈ ପାରି ହୋଇଯାଇଥିଲେ | ଆନ୍ଦୋଳନ ସମୟରେ କେଉଁଠି ପୋଲିସ ବସରେ ଯିବାପାଇଁ ବାଧା ଦେଲେ ମାଇଲ୍ ମାଇଲ୍ ବାଟ ପାଦରେ ଚାଲୁଥିଲେ; ପୋଲିସ୍ ଭୟରେ ଲୋକେ ନିଜ ଘରେ ଆଶ୍ରୟ ନ ଦେଲେ, ପରିତ୍ୟକ୍ତ ଘରେ ବରଂ ରହୁଥିଲେ, କିନ୍ତୁ ଆନ୍ଦୋଳନକୁ ହୁଗୁଳା ହେବାପାଇଁ ଦେଉ ନଥିଲେ | ୧୯୩୦ ମସିହାରେ ରମାଦେବୀ ଜଗତସିଂହପୁର ବାଲିକୁଦାରେ କଂଗ୍ରେସ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପଦଯାତ୍ରା କଲେ | ତାଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ଲୋକେ ଏତେ ପରିମାଣରେ ସୁନା ଅଳଙ୍କାର ଦାନ ଦେଲେ ଯେ ସେଗୁଡିକୁ ବୋହିବା ପାଇଁ ଟୋକେଇର ଆବଶ୍ୟକତା ପଡିଲା |


୧୯୩୦ ମସିହା ନଭେମ୍ବର ମାସ- ପୋଲିସ ରମାଦେବୀଙ୍କୁ କଟକର ସ୍ବରାଜ ଆଶ୍ରମରୁ ଗିରଫ କଲା | ସେ ଜଣେ ରାଜନୈତିକ ବନ୍ଦୀ ହୋଇଥିଲେ ହେଁ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କରି ତାଙ୍କୁ ଚୋରି ଅଭିଯୁକ୍ତ ମହିଳା କଏଦୀମାନଙ୍କ ସହିତ କଟକ ଜେଲରେ ରଖାଗଲା | କିଛି ଦିନ ପରେ ଗାନ୍ଧି-ଇରଉଇନ ଚୁକ୍ତି ବଳରେ ଅନ୍ୟ ରାଜନୈତିକ ବନ୍ଦୀଙ୍କ ସହ ରମାଦେବୀ ଜେଲରୁ ଖଲାସ ହେଲେ | ଏହାପରେ କରାଚୀ ଠାରେ କଂଗ୍ରେସର ଯେଉଁ ଅଧିବେଶନ ହୋଇଥିଲା, ରମାଦେବୀ ସେଥିରେ ଯୋଗ ଦେଇଥିଲେ |


୧୯୩୨ ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଜାତୀୟ କଂଗ୍ରେସ ତରଫରୁ ଦେଶବ୍ୟାପି ସ୍ବରାଜ ସଂକଳ୍ପ ଚିଠା ଦେଶବାସୀଙ୍କୁ ପାଠ କରାଯାଉଥାଏ | ଏଥିରେ ସ୍ବରାଜ ସମ୍ପର୍କିତ ଦାବିମାନ ଥାଏ | ସର୍ବସାଧାରଣରେ ଏହି ଚିଠା ପଢିବାକୁ ଇଂରେଜ ସରକାର ବେଆଇନ ଘୋଷଣା କରିଥାନ୍ତି | ରମାଦେବୀ ଏକ ସାଧାରଣସଭାରେ ଏହି ଚିଠା ପଢି ଗିରଫ ହେଲେ | ଅଦାଲତରେ ତାଙ୍କ ବିରୋଧରେ ମୋକଦ୍ଦମା ହେଲା | ରାୟ ତାଙ୍କ ବିପକ୍ଷରେ ଗଲା | ସେ ସଜା ପାଇଲେ | ତାଙ୍କୁ ବିହାରର ହଜାରିବାଗ ଜେଲରେ ରଖାଗଲା | 


୧୯୩୨ ମସିହା ଅକ୍ଟୋବର ମାସରେ ହଜାରିବାଗ ଜେଲରୁ ରମାଦେବୀ ମୁକ୍ତ ହେଲେ | ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ରମାଦେବୀ କଟକରେ ଗଢିଲେ ‘ହରିଜନ ସେବା ସଂଘ’ | ରମାଦେବୀଙ୍କ ନେତୃତ୍ବରେ ଏହି ଅନୁଷ୍ଠାନ ଅସ୍ପୃଶ୍ୟତା ଓ ନିଶା ନିବାରଣ ଦିଗରେ ଅନେକ କାର୍ଯ୍ୟ କଲା | ୧୯୩୪ ମସିହାରେ ଗାନ୍ଧିଜୀ ହରିଜନ ପଦଯାତ୍ରାରେ ଓଡିଶା ଆସିଲେ | ରମାଦେବୀ ଏହି ପଦଯାତ୍ରାରେ ସାମିଲ୍ ହେଲେ | ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ରମାଦେବୀ ଯାଜପୁର ଜିଲ୍ଲାର ବରୀ ଅଂଚଳରେ ଖଦୀ ବୁଣା, ହରିଜନ ସେବା, ନାରୀ ଶିକ୍ଷା, ମୌଳିକ ଶିକ୍ଷା, ପ୍ରୌଢ଼ ଶିକ୍ଷା, ନିଶା ନିବାରଣ, ଗୋ-ପାଳନ, ମହୁଚାଷ, ଖଜୁରୀ ଗୁଡ ତିଆରି, ଚମଡା କଷ କରିବା ଓ ରୋଗୀ ସେବା ଆଦି କାର୍ଯ୍ୟକୁ ବ୍ୟାପକ କଲେ | ୧୯୩୮ ମସିହାରେ ପୁରୀ ଜିଲ୍ଲାର ଡେଲାଂଗ ନିକଟବର୍ତ୍ତୀ ବେରବୋଇ ଗ୍ରାମରେ ଗାନ୍ଧୀ ସେବାସଂଘ ସମ୍ମିଳନୀ ଅନୁଷ୍ଠିତ ହେଲା | ଏହି ସମ୍ମିଳନୀରେ ଗାନ୍ଧିଜୀ, କସ୍ତୁରବା, ଡଃ ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ମୌଲାନା ଆବୁଲ କାଲାମ ଆଜାଦଙ୍କ ଭଳି ତୁଂଗ ନେତାମାନେ ଯୋଗ ଦେଇଥିଲେ | ରମାଦେବୀ ଏହି ସମ୍ମିଳନୀ ପାଇଁ ସ୍ବେଚ୍ଛାସେବୀ ସାଜି ଗାଁ ଗାଁ ଘର ଘର ବୁଲି ଆର୍ଥିକ ସାହାଯ୍ୟ ଭିକ୍ଷା କରିଥିଲେ |


ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ ଡକ୍ଟରେଟ୍ ଉପାଧିରେ ଭୂଷିତ କରି ନିଜକୁ ଗୌରବାନ୍ବିତ ମନେ କରିଥିଲା | କୁଳପତି ବିଶ୍ବବିଦ୍ୟାଳୟର ବିବରଣୀରେ ଉଲ୍ଲେଖ କରିଥିଲେ- “ଏହି ସମାବର୍ତ୍ତନ ଉପଲକ୍ଷେ ଉତ୍କଳ ଜନନୀର ଏହି ଶତାବ୍ଦୀର ସର୍ବଯୋଗ୍ୟା ଦୁହିତା ଏବଂ ସର୍ବଜନପୂଜ୍ୟା ବରେଣ୍ୟା ଶ୍ରୀମତୀ ରମାଦେବୀଙ୍କୁ ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ସମ୍ମାନସୂଚକ ‘ବିଧି ପରମ ଭୂଷଣ’ ଉପାଧିରେ ଭୂଷିତ କରିବାକୁ ଯାଇ ଆମେ ଅପାର ଆନନ୍ଦ ଓ ପ୍ରଭୂତ ଗର୍ବ ଉପଲବ୍ଧି କରିବାର ସୁଯୋଗ ପାଇଛୁ | ଶ୍ରୀମତୀ ରମାଦେବୀଙ୍କୁ ସମ୍ମାନିତ କରିବା ଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମାନିତ ହୋଇଛି |” ଏହି ବିବରଣୀରୁ ପାଠକେ ରମାଦେବୀଙ୍କ ବିଶାଳ ବ୍ୟକ୍ତିତ୍ବର କିଂଚିତ୍ ଝଲକ ପାଉଥିବେ | ଯମୁନାଲାଲ୍ ବଜାଜ ଫାଉଣ୍ଡେସନ୍ ମଧ୍ୟ ମା ରମାଦେବୀଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରିଥିଲା | ୧୯୮୫ ମସିହା ଜୁଲାଇ ମାସ ୨୧ ତାରିଖ ରାତି ଦୁଇଟା ସମୟରେ ୮୬ ବର୍ଷ ବୟସରେ ଏହି ଯଶସ୍ବିନୀ ନାରୀ କଟକର ବାଖରାବାଦ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ | [ଏଣୁ ତିରୋଧାନ ଦିବସକୁ କେହି ଲେଖକ ୨୧ ଜୁଲାଇ ଧରୁଥିବା ବେଳେ କେହି ୨୨ ଜୁଲାଇ ବୋଲି ଲେଖିଛନ୍ତି] |


ରମାଦେବୀ ଜୀବିତ ଥିବା ସମୟରେ ସରଳାଦେବୀ ତାଙ୍କୁ ନିଜର ଆତ୍ମଜୀବନୀ ଲେଖିବା ପାଇଁ ଅନୁରୋଧ କରିଥିଲେ | ଏହି ଅନୁରୋଧ ଏଡାଇ ନ ପାରି ରମାଦେବୀ ନିଜର ଆତ୍ମଜୀବନୀ ‘ଜୀବନପଥେ’ ଲେଖିଲେ | ଡିମାଇ ସାଇଜର ୨୨୦ ପୃଷ୍ଠାରେ ରମାଦେବୀ ନିଜ ଘଟଣାବହୁଳ ଜୀବନକୁ ଲିପିବଦ୍ଧ କରିଥିଲେ | ଏହା ପ୍ରଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କ ମନକୁ ଏତେ ଛୁଇଁଥିଲା ଯେ ସେ ଲେଖିଥିଲେ- “ନାନା ଦିଗରୁ ଏ ଆତ୍ମଜୀବନୀ ଗୋଟିଏ ଅତି ଉପାଦେୟ ବହୁମୂଲ୍ୟ ଗ୍ରନ୍ଥ | କି ପରିବେଶ ଭିତରେ ଓ କାହା ଚରିତ୍ରର ଦୃଷ୍ଟାନ୍ତର କିପରି ପ୍ରଭାବ ପଡି ଓ କି ପ୍ରକାର ଶିକ୍ଷା ତାଲିମ୍ ପାଇ ଶ୍ରୀମତୀ ରମାଦେବୀଙ୍କର ଆଦର୍ଶ ଚରିତ୍ର ଓ ବ୍ୟକ୍ତିତ୍ବର ଗଠନ ଓ ବିକାଶ ସମ୍ଭବ ହୋଇପାରିଲା, ତାହାର କିଛି ପରିଚୟ ତାଙ୍କର ନିଜସ୍ବ ଅନୁଭୂତି ଉପରେ ଆଧାରିତ | ଏ ଆତ୍ମଜୀବନୀରୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ଚରିତ୍ରର ନାନା ଆକର୍ଷଣୀୟ ଦିଗ ବିଷୟରେ ଧାରଣା ମିଳିବ ଓ ଅତୀତର ଐତିହାସିକ ସମୟର ଜୀବନ୍ତ ସୁଖ ମିଳିବ |”


ରମାଦେବୀଙ୍କ ଜୀବନକାଳ ମଧ୍ୟରେ ୧୯୬୫ ମସିହାରେ କବି ରାଧାମୋହନ ଗଡନାୟକ ତାଙ୍କ ସମ୍ମାନରେ ଏକ କବିତା ଲେଖି ‘ଯୁଗନାରୀ’ ପତ୍ରିକାରେ ଛାପିଥିଲେ | ଏହି କବିତାର ଶୀର୍ଷକ ଥିଲା ‘ରମାଦେବୀ’ | ଏହାର ପ୍ରଥମ କେଇ ଧାଡି ଏହିପରି ମନମୁଗ୍ଧକର-


“ବହୁ କ୍ଷେତ୍ରେ, ବହୁ ପଥେ

ଦେଖିଅଛି

ମୁହିଁ ଏକ ମୁକ୍ତିପଥଚାରୀ

ବହୁ ବିପ୍ଲବିନୀ ନେତ୍ରୀ

ବହୁ ଯୁଗନାରୀ

ଯଶୋବନ୍ତୀ ଦେଶ-ଜନ ସେବି,

ମାତ୍ର ଜଣକର ଲାଗି

ଅନ୍ତରେ ମୋ ବିନମ୍ର ପ୍ରଣାମ,

କିଏ ସେ ଜାଣିବ ବନ୍ଧୁ ?

ଜାଣ ତା’ର ନାମ ?

ରମାଦେବୀ

ମାତୃସମା ସିଏ ରମାଦେବୀ ||”


ଓଡିଶାର ଜନସାଧାରଣ ତାଙ୍କ ପବିତ୍ର ସ୍ମୃତିରେ ଭୁବନେଶ୍ବରର କେନ୍ଦ୍ରାଂଚଳ ବାଣୀବିହାର ଠାରେ ଅବସ୍ଥିତ ଏକ ପ୍ରମୁଖ ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିଥିଲେ | ବର୍ତ୍ତମାନ ଏହା ସଫଳତାର ସୋପାନରେ ଆଉ ପାଦେ ଆଗକୁ ଯାଇ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି | ପବିତ୍ର ଜୟନ୍ତୀଦିବସରେ ମା ରମାଦେବୀଙ୍କ ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଂଜଳି | 


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୦୩-୧୨-୨୦୨୪, ମଂଗଳବାର


[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୦୩-୧୨-୨୦୨୩, ରବିବାର (୨) ତା ୦୩-୧୨-୨୦୨୨, ଶନିବାର (୩) ତା ୦୩-୧୨-୨୦୨୧, ଶୁକ୍ରବାର (୪) ତା ୦୩-୧୨-୨୦୨୦ ରିଖ (୫) ତା ୨୨-୦୭-୨୦୨୦ ରିଖ, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ |


Rate this content
Log in

Similar oriya story from Inspirational