ଉତ୍କଳର ବରପୁତ୍ର ବାସୁଦେବ ସୁଢଳଦେବ
ଉତ୍କଳର ବରପୁତ୍ର ବାସୁଦେବ ସୁଢଳଦେବ


ଇଂରେଜ ଶାସନ ସମୟରେ ଓଡିଶାର ଗଡଜାତ ରାଜ୍ୟମାନଙ୍କରେ ଯେଉଁ ଅଳ୍ପ କେତେଜଣ ଆଦର୍ଶ ରାଜାଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ମଧ୍ୟରୁ ଶ୍ରୀ ବାସୁଦେବ ସୁଢଳଦେବ ଅନ୍ୟତମ | ସେ ୧୮୫୦ ମସିହା ମେ ମାସ ୧୬ ତାରିଖରେ ବାମଣ୍ଡା ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ | ଏଣୁ ବୟସ ଦୃଷ୍ଟିରୁ ସେ ଉତ୍କଳଗୌରବ ମଧୁସୂଦନ ଦାସ [୨୮.୦୪.୧୮୪୮ – ୦୪.୦୨.୧୯୩୪], କବିବର ରାଧାନାଥ ରାୟ [୨୮.୦୯.୧୮୪୮ – ୧୮.୦୪.୧୯୦୮] ଓ ବ୍ୟାସକବି ଫକୀରମୋହନ ସେନାପତି [୧୮୪୩ ମସିହା ମକରସଂକ୍ରାନ୍ତି – ୧୪.୦୬.୧୯୧୮], ଭକ୍ତକବି ମଧୁସୂଦନ ରାଓ [୨୯.୦୧.୧୮୫୩ – ୨୮.୧୨.୧୯୧୨]-ଙ୍କର ସମସାମୟିକ ଥିଲେ | ଏଣୁ ଉପଯୁକ୍ତ ସମୟରେ ଜନ୍ମଲାଭ କରି ଓ ଉପରୋକ୍ତ ବରପୁତ୍ରମାନଙ୍କ ସହିତ ସହଯୋଗ କରି ସେ ଉତ୍କଳଜନନୀଙ୍କର ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ |
ବାମଣ୍ଡା ରାଜ୍ୟଟି ଆଧୁନିକ ଦେବଗଡ ଜିଲ୍ଲା ଓ ତତ୍-ସଂଲଗ୍ନ ଅଂଚଳ (ଯଥା କୁଚିଣ୍ଡା, ବାରାକୋଟ ଆଦି)-କୁ ନେଇ ଗଠିତ ଥିଲା | ବର୍ତ୍ତମାନ କୁଚିଣ୍ଡା ସମ୍ବଲପୁର ଜିଲ୍ଲାରେ ଓ ବାରାକୋଟ ଦେବଗଡ ଜିଲ୍ଲାରେ ଅବସ୍ଥିତ | ଅଧୁନା ବାମଣ୍ଡା ରାଜ୍ୟ ନ ଥିଲେହେଁ ଓଡିଆ ସାହିତ୍ୟର ଅନେକ ପୃଷ୍ଠାରେ ଏହାର ସଶ୍ରଦ୍ଧ ଉଲ୍ଲେଖ ରହିଛି | [ଉଦାହରଣ ସ୍ବରୂପ କବିବର ରାଧାନାଥ ରାୟଙ୍କର ୧୮୯୬ ମସିହାରେ ‘ଓଡିଆ ଓ ନବସମ୍ବାଦ’ରେ ପ୍ରକାଶିତ ‘ବାମଣ୍ଡା’କୁ ନିଆ ଯାଇପାରେ] | ପ୍ରାକୃତିକ ଶୋଭାରାଜିରେ ପୂର୍ଣ୍ଣ ଏହି ରାଜ୍ୟ ସୌନ୍ଦର୍ଯ୍ୟପିପାସୁ କବିପ୍ରାଣ ବ୍ୟକ୍ତିମାନଙ୍କୁ ସର୍ବଦା ଆକର୍ଷିତ କରିଥିଲା | ଆଧୁନିକ ଦେବଗଡ ଜିଲ୍ଲା ତାହାର ନାମ ବାମଣ୍ଡା ରାଜବଂଶର ‘ଦେବ’ ଉପାଧିରୁ ସଂଗ୍ରହ କରିଥାଇପାରେ ବୋଲି ମୋର ଅନୁମାନ |
୧୮୬୯ ମସିହାରେ ବାମଣ୍ଡାର ରାଜା ବ୍ରଜସୁନ୍ଦରଦେବଙ୍କର ଦେହାନ୍ତ ହେଲା | ଉତ୍ତରାଧିକାରୀ ଭାବେ ପୁତ୍ର ବାସୁଦେବ ସୁଢଳଦେବ ୧୯ ବର୍ଷ ବୟସରେ ସିଂହାସନ ଆରୋହଣ କଲେ | ୧୮୭୧ ମସିହାରେ ତାଙ୍କର ବିବାହ କଳାହାଣ୍ଡି ରାଜପରିବାରରେ ହେଲା | ପର ବର୍ଷ (୧୮୭୨) ପୁତ୍ର ସନ୍ତାନଟିଏ ଜନ୍ମ ନେଲା | କିନ୍ତୁ, ଏହାର ଅଳ୍ପ କେଇ ମାସ ପରେ ପତ୍ନୀ ଗିରିରାଜ କୁମାରୀ ଇହଧାମ ତ୍ୟାଗ କଲେ | ବିଷର୍ଣ୍ଣ ସୁଢଳଦେବ ପୁତ୍ରକୁ ରାଜମାତାଙ୍କ ଦାୟିତ୍ବରେ ଛାଡି ନୌକା ଦ୍ବାରା ମହାନଦୀରେ କଟକ ଯାତ୍ରା କଲେ | ଯାତ୍ରା ସମୟରେ ମହାନଦୀ ଓ ତା’ର ତଟବର୍ତ୍ତୀ ପ୍ରଦେଶର ଅପରୂପ ସୌନ୍ଦର୍ଯ୍ୟ ତାଙ୍କର ଉଦାସ ଚିତ୍ତକୁ ଅନେକ ସାନ୍ତ୍ବନା ଦେଇଥିଲା | ଏହି ଅନୁଭୂତିକୁ ପାଥେୟ କରି ସେ ପରବର୍ତ୍ତୀ ସମୟରେ ‘ଚିତ୍ରୋତ୍ପଳା’ ନାମକ କାବ୍ୟ ରଚନା କରିଥିଲେ | [ବି.ଦ୍ର. ମହାନଦୀର ଏକ ପୌରାଣିକ ନାମ ହେଉଛି ‘ଚିତ୍ରୋତ୍ପଳା’] | ସୁଢଳଦେବଙ୍କ ବ୍ୟକ୍ତିତ୍ବ ଓ କବିତ୍ବ, ଉଭୟରେ ମୁଗ୍ଧ ହୋଇ ଭକ୍ତକବି ମଧୁସୂଦନ ରାଓ ଲେଖିଥିଲେ-
“କନକ କିରୀଟ ଯଥା ଶୋଭେ ତବ ଶିରେ
ହେ ସୁଢଳଦେବ, ରାଜଲକ୍ଷ୍ମୀ ପ୍ରସାଦରେ,
ତତୋଽଧିକ ଶୋଭେ ବାଣୀ-ବୀଣା ତବ କରେ,
ହେ ବୁଧେନ୍ଦ୍ର, ଲଭିଛ ଯା ସେବି ଭାରତୀରେ ||
ଧନ୍ୟ ରାଜକବି ବାସୁଦେବ ଦେବ-ମନା,
ସୁରସଜ୍ଞ, ଧନ୍ୟ ତବ ଅମୃତ ରସନା ||”
କଟକରେ ସେ କର୍ମବୀର ଗୌରୀଶଙ୍କରଙ୍କୁ ସାକ୍ଷାତ କରିବା ସହ କମିସନର ଅଫିସ, ଜଜ୍-କୋର୍ଟ୍, କଟକ ପ୍ରିଣ୍ଟିଂ କମ୍ପାନୀ, ମିସନ୍ ପ୍ରେସ୍ ଆଦି ବୁଲି ଦେଖିଲେ | କଟକରୁ କଲିକତା ଯାଇ ସେଠାରେ ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କୁ ଭେଟିବା ସହ ପ୍ରେସିଡେନ୍ସି କଲେଜ, ବଟାନିକାଲ ଗାର୍ଡେନ, ଯାଦୁଘର, ଝୋଟକଳ, କାଗଜକଳ, ଲୁଗାକଳ ଆଦି ବୁଲି ଦେଖିଲେ | କଲିକତାର ଫୋର୍ଟ୍ ଉଇଲିଅମ୍ କଲେଜ ପରିଦର୍ଶନ କରି ସେ ସେଠାକାର ଶିକ୍ଷାର ଭିତ୍ତିଭୂମି ପରଖିଥିଲେ ଓ ଅତ୍ଯନ୍ତ ପ୍ରଭାବିତ ହୋଇଥିଲେ | ସେତେବେଳେ ବାମଣ୍ଡାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟିଏ ମଧ୍ୟ ନ ଥିଲା | ନିଜ ରାଜ୍ୟରେ ଶିକ୍ଷାର ଏତାଦୃଶ ବିପର୍ଯ୍ୟସ୍ତ ପରିସ୍ଥିତି ଉପଲବ୍ଧି କରି ସୁଢଳଦେବ ବିଷାଦ ଅନୁଭବ କଲେ ଓ ତୁରନ୍ତ ଏକ ବିଦ୍ୟାଳୟ ନିର୍ମାଣ କଲେ | କଲିକତା ଗସ୍ତ ସମୟରେ ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ସହିତ ଯେଉଁ ସମ୍ପର୍କ ସ୍ଥାପନ ହୋଇଥିଲା, ତାହା କାମରେ ଆସିଲା | ନିଜ ବିଦ୍ୟାଳୟ ପାଇଁ ସୁଢଳଦେବ ବିଦ୍ୟାସାଗର ମହାଶୟଙ୍କୁ ଜଣେ ଉତ୍ତମ ଶିକ୍ଷକ ଯୋଗାଇଦେବାକୁ ଅନୁରୋଧ କରିଥିଲେ ଏବଂ ବିଦ୍ୟାସାଗର ମଧ୍ୟ ଏହି ଅନୁରୋଧ ରକ୍ଷା କରି ବିଜୟଚନ୍ଦ୍ର ମଜୁମଦାର ନାମକ ଶିକ୍ଷକଙ୍କୁ ବାମଣ୍ଡା ପଠାଇଥିଲେ | ଉକ୍ତ ଶିକ୍ଷକଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାରେ ସୁଢଳଦେବ ବ୍ୟକ୍ତିଗତ ସ୍ତରରେ ଯତ୍ନଶୀଳ ଥିଲେ | ଦୈନନ୍ଦିନ ଜୀବନରେ ତାଙ୍କ ସୁବିଧା-ଅସୁବିଧା ସେ ନିଜେ ପଚାରି ବୁଝୁଥିଲେ | ଏଥିରୁ ସୁଢଳଦେବଙ୍କର ପ୍ରଜାମାନଙ୍କୁ ସୁଶାସନ ପ୍ରଦାନ କରିବାର ନିଷ୍ଠା ସ୍ପଷ୍ଟ ବାରିହୁଏ |
କଲିକତା ବୁଲିସାରିବା ପରେ ସୁଢଳଦେବ କାଶୀ, ଅଯୋଧ୍ୟା, ଲକ୍ଷ୍ନୌ, ଦିଲ୍ଲୀ, ଆଗ୍ରା, ମଥୁରା, ବୃନ୍ଦାବନ, ଗୟା ଆଦି ଭ୍ରମଣ କରିଥିଲେ ଓ ତଦୁପରାନ୍ତେ ସ୍ବରାଜ୍ୟ ପ୍ରତ୍ୟାବର୍ତ୍ତନ କଲେ | ଯେଉଁଠାରେ ଯାହାକିଛି ଉତ୍କୃଷ୍ଟ ଜିନିଷ ବା ଅନୁଷ୍ଠାନ ଦେଖିଲେ, ସେ ସବୁ ନିଜ ରାଜ୍ୟରେ ଗଢିବା ପାଇଁ ଉଦ୍ୟମ କଲେ | ସେତେବେଳେ ଓଡିଆ ଭାଷାକୁ ବଂଚାଇ ରଖିବା ପାଇଁ କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି ଆଦି କଲମମୁନରେ ଦୁର୍ବାର ସଂଗ୍ରାମ ଚଲାଇଥା’ନ୍ତି | ଏହି ସଂଗ୍ରାମକୁ ରାଜ୍ୟର ପଶ୍ଚିମ ପ୍ରାନ୍ତରୁ ବଳ ଯୋଗାଇବା ପାଇଁ ସୁଢଳଦେବ ୧୮୮୬ ମସିହାରେ ଦେବଗଡରେ ନିଜ ରାଜପ୍ରାସାଦରୁ ଅଳ୍ପ ଦୂରରେ ପ୍ରତିଷ୍ଠା କରିଥିଲେ ଜଗନ୍ନାଥ ବଲ୍ଲଭ ପ୍ରେସ୍ | କବିବର ରାଧାନାଥ ରାୟଙ୍କ ପ୍ରେରଣାରେ ସେ ୧୮୮୭ ମସିହାରେ ଏହି ଛାପାଖାନାରୁ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଛାପିବା କାମ ଆରମ୍ଭ କରିଦେଲେ | ଏହି ପତ୍ରିକା ସେ ସମୟରେ ଓଡିଆମାନଙ୍କର ଆଶା-ଭରଷାର ଏକ ପ୍ରମୁଖ ଉତ୍ସ ଥିଲା | ସେ ସମୟର ବିଖଣ୍ଡିତ ଓଡିଶାର ଲବ୍ଧ-ପ୍ରତିଷ୍ଠ ଜନନେତା ଓ ସାହିତ୍ୟିକମାନଙ୍କର ଲେଖାମାନ ଏଥିରେ ପ୍ରକାଶିତ ହୋଇ ଓଡିଆପ୍ରାଣକୁ ଚଳଚଂଚଳ କରି ରଖିବା ପାଇଁ ଶକ୍ତି ଯୋଗାଉଥିଲା | ପ୍ରଥମେ ରାଜକୁମାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ୍ବର ପଟ୍ଟନାୟକ ଓ ପରେ ନୀଳମଣି ବିଦ୍ୟାରତ୍ନଙ୍କ ପରି ଜ୍ଞାନୀଗୁଣୀ ବ୍ୟକ୍ତିମାନେ ଏହି ପତ୍ରିକାର ସମ୍ପାଦନା କରିଥିଲେ | ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ସାହିତ୍ୟିକ ବିଶ୍ବନାଥ କରଙ୍କ ଭଳି ଅଗ୍ରଣୀ ଜନନାୟକ ଓ ବୁଦ୍ଧିଜୀବୀମାନେ ନିୟମିତ ଭାବେ ଏହି ପତ୍ରିକା ପାଇଁ ନିଜ ଲେଖା ଦେଉଥିଲେ | ଦୀର୍ଘ ୩୫ ବର୍ଷ ଧରି ଏହି ପତ୍ରିକା ଓଡିଆ ଜନ-ଜୀବନକୁ ଅନେକମତେ ସମୃଦ୍ଧ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ କ୍ଷେତ୍ର ପ୍ରଶସ୍ତ କରିଥିଲା | ସୁଢଳଦେବଙ୍କ ନିଷ୍ଠା ଓ ନେତୃତ୍ବ ଯୋଗୁ ଏ ସମସ୍ତ ସମ୍ଭବ ହୋଇଥିଲା |
ସୁଢଳଦେବଙ୍କର ଏତାଦୃଶ ଅନନ୍ୟ ପ୍ରୟାସ ଓ ନିଷ୍ଠା ଦେଖି କବିବର ରାଧାନାଥ ରାୟ ‘ଚିଲିକା’ କାବ୍ୟରେ ତାଙ୍କୁ ନବ-ଉତ୍କଳର ଅଗ୍ରଦୂତ ଭାବେ ଚିତ୍ରଣ କରି ଲେଖିଛନ୍ତି-
“ଉଦିଲେ ପ୍ରଥମେ ବାମଣ୍ଡା ରାଜନ
ବାସୁଦେବ ବିଶ୍ବ-କଲ୍ୟାଣ-ଭାଜନ |
ରଖିଲେ ସୁନାମ ଯେହୁ କାଳେ କାଳେ
ଗୁଣ ଯନ୍ତ୍ରେ ଖୋଳି ଯଶୋଗିରିଭାଲେ |
ତମଃ ପଳାଉଛି ହୋଇ ତରତର
ପ୍ରାଚୀନଭଃ ନବ ବିଭାରେ ଭାସ୍ବର |”
ପ୍ରଜାମାନଙ୍କୁ ଉତ୍ତମ ଶାସନ ଦେବା ସୁଢଳଦେବଙ୍କ ରକ୍ତରେ ଥିଲା | ପୂର୍ବରୁ ରାଜସଭାକୁ ଦରବାର ବୋଲି କୁହାଯାଉଥିଲା | ଶାସନକୁ ପ୍ରଜାଙ୍କର ନିକଟବର୍ତ୍ତୀ କରିବା ଉଦ୍ଦେଶ୍ୟରେ ୧୮୮୦ ମସିହାରେ ସୁଢଳଦେବ ‘ଦରବାର’ ଶବ୍ଦ ଉଚ୍ଛେଦ କରି ତା ବଦଳରେ ‘କାଉନସିଲ୍’ ଶବ୍ଦର ପ୍ରଚଳନ କଲେ | ଶାସନକୁ ସୁବ୍ୟବସ୍ଥିତ କରିବା ପାଇଁ ସୁଢଳଦେବ ରାଜ୍ୟକୁ ଦେବଗଡ, କୁଚିଣ୍ଡା ଓ ବାରାକୋଟ ଭଳି ତିନୋଟି ତହସିଲରେ ବିଭକ୍ତ କଲେ ଓ ଆଧୁନିକ ଶାସନ ବ୍ୟବସ୍ଥା ସହିତ ଉତ୍ତମ ବିଚାର ବ୍ୟବସ୍ଥା, ପୋଲିସ୍ ବ୍ୟବସ୍ଥା, କାରଗାର ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା, କୃଷି ବ୍ୟବସ୍ଥା ଆଦି ପ୍ରଚଳନ କଲେ | ସୁଶାସନର ଫଳ ଅଳ୍ପ ଦିନରେ ପ
ରିଲକ୍ଷିତ ହେଲା | ପ୍ରଜାଙ୍କ ଉପରେ କରଭାର ବୃଦ୍ଧି ନ ହୋଇ ସୁଦ୍ଧା ରାଜସ୍ବ ଆଦାୟ ଆଶାତୀତ ଭାବେ ବୃଦ୍ଧି ପାଇଲା |
କିନ୍ତୁ, ରାଜସ୍ବବୃଦ୍ଧି ପାଇଁ ସୁଢଳଦେବ ମାଦକଦ୍ରବ୍ୟରୁ ଟିକସ ସଂଗ୍ରହ କରିବାକୁ ପନ୍ଥା ଭାବେ ଗ୍ରହଣ କରିନଥିଲେ | ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସେ ସମୟରେ ଅନେକ ଅଗ୍ରଣୀ ପଦକ୍ଷେପ ନେଇଥିଲେ, ଯାହାକୁ ନେତା ଓ ପ୍ରଶାସକମାନେ ଆଜି ପର୍ଯ୍ୟନ୍ତ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିପାରନ୍ତି | ବାମଣ୍ଡାର ତତ୍କାଳୀନ ରାଜଧାନୀ ଦେବଗଡର ୧୦ ମାଇଲ ବ୍ୟାସାର୍ଦ୍ଧ ମଧ୍ୟରେ ମଦ୍ୟପାନ ନିଷିଦ୍ଧ କରାଯାଇଥିଲା | ଅର୍ଥନୈତିକ ତଥା ସାମାଜିକ ଦୃଷ୍ଟିକୋଣରୁ ସମାଜର ତଳସ୍ତରରେ ଯେଉଁ ଅଭ୍ୟାସଗତ ମଦ୍ୟପ ଥିଲେ, ତାଙ୍କୁ ରାତାରାତି ସୁଧାରିବା ସମ୍ଭବ ନ ଥିଲା | ଏଣେ, ତାଙ୍କ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ମଧ୍ୟ ଫଳପ୍ରଦ ହେଉ ନ ଥିଲା; କାରଣ ତଦ୍ଦ୍ବାରା ସେମାନେ ଚୋରାରେ ପ୍ରସ୍ତୁତ ମଦ୍ୟପାନ କରି ଆଇନଭଂଗ କରୁଥିଲେ, ରୋଗଗ୍ରସ୍ତ ହେଉଥିଲେ ତଥା ଅନେକ ସମୟରେ ମୃତ୍ୟୁମୁଖରେ ପଡୁଥିଲେ | ଏଣୁ, ସେପରି ଅଭ୍ୟାସଗତ ନିଶାଡିଙ୍କୁ ରାଜା ଅନୁମତି ଦେଇଥିଲେ ଯେ ସେମାନେ ନିଜ ନିଜ ଘରେ ବର୍ଷକୁ ଅଳ୍ପ କେତେ ଥର ପର୍ବପର୍ବାଣି ଅବସରରେ ସ୍ବଗୃହ ପ୍ରସ୍ତୁତ ମଦ୍ୟପାନ କରିପାରିବେ | ଅନ୍ୟ ସମୟରେ ତଲାସି ନିଆଯାଉଥିଲା ଓ ଘରେ ମଦ ମିଳିଲେ ରାଜା କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ ଓ ଦଣ୍ଡ ଦେଉଥିଲେ | ସେହିପରି ଅଫିମ ନିଶାରେ ଯେଉଁମାନେ ଅତ୍ଯନ୍ତ ଆସକ୍ତ ହୋଇଯାଇଥିଲେ ଓ ଅଫିମ ସେବନ ବିନା ଥୟ ଧରି ରହିପାରୁ ନ ଥିଲେ, ସେମାନଙ୍କ ପାଇଁ ରାଜା ଥାନା ମାଧ୍ୟମରେ ଅତି ଅଳ୍ପ ପରିମାଣର ଅଫିମ ବିକ୍ରି କରିବାର ବ୍ୟବସ୍ଥା କରିଥିଲେ | ଥାନାଗୁଡିକରେ ସେପରି ଅଫିମ ଆସକ୍ତ ବ୍ୟକ୍ତିମାନଙ୍କର ତାଲିକା ରଖାଯାଇଥିଲା | ସେମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଅଫିମ ବିକାଯାଉ ନ ଥିଲା | ଅଫିମ ଆସକ୍ତ ବ୍ୟକ୍ତିମାନଙ୍କୁ ସରକାରୀ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ କରାଯାଉ ନ ଥିଲା | ରାଜା ଚିନ୍ତା କରୁଥିଲେ ଯେ ସମୟକ୍ରମେ ଅଫିମ ସେବନ କରୁଥିବା ବ୍ୟକ୍ତିମାନେ ପରଲୋକ ଗମନ କରିବେ | ପ୍ରଚଳିତ ନିଶା-ନିବାରଣ ନିୟମ ଯୋଗୁ ନୂଆ ଅଫିମ ସେବନକାରୀ ସୃଷ୍ଟି ହୋଇପାରିବେ ନାହିଁ | ଏଣୁ, ସମୟକ୍ରମେ ରାଜ୍ୟ ଅଫିମ ନିଶାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବ | ଏହା ରାଜାଙ୍କର ଦୂରଦୃଷ୍ଟିର ସୂଚକ ଥିଲା | ରାଜା ଏକଦା ଜାଣିବାକୁ ପାଇଲେ ଯେ ରାଜ୍ୟରେ କାମ କରୁଥିବା ଜଣେ ଇଂରେଜ କର୍ମଚାରୀ ଡାକ ପାର୍ସଲ୍ ଜରିଆରେ କଲିକତାରୁ ମଗାଇ ଅଫିମ ସେବନ କରୁଛନ୍ତି | ସେ ତୁରନ୍ତ ବିହିତ ତଦନ୍ତ କରି ଉକ୍ତ କର୍ମଚାରୀକୁ ବାମଣ୍ଡା ରାଜ୍ୟର ରାଜକାର୍ଯ୍ୟରୁ ଅନ୍ତର କରିଥିଲେ | ସେ ସମୟରେ କାହିଁକି, ବର୍ତ୍ତମାନ ସମୟକୁ ଲକ୍ଷ୍ୟ କଲେ ମଧ୍ୟ ତାଙ୍କ ପରି ଶାସକ ଦୃଷ୍ଟିଗୋଚର ହୁଅନ୍ତି ନାହିଁ | ତାଙ୍କର ଜୀବନୀ ଲେଖିଥିବା ଶ୍ରୀଯୁକ୍ତ ଚଣ୍ଡିଚରଣ ଚଟ୍ଟୋପାଧ୍ୟାୟଙ୍କ ମତରେ- “ଭାରତରେ ମାଦକଦ୍ରବ୍ୟ ସେବନ ନିବାରଣ ବିଷୟରେ ବାମଣ୍ଡାର ସାର୍ ସୁଢଳଦେବଙ୍କ ଭଳି ଆଦର୍ଶ ନରପତି ଆଉ ଦ୍ବିତୀୟ ଅଛନ୍ତି କି ନାହିଁ, ଜାଣିନାହିଁ, ବୋଧହୁଏ ନାହାନ୍ତି |”
ମୋଟାମୋଟି କହିଲେ ଅତି ସୀମିତ ସମୟ ମଧ୍ୟରେ ବାମଣ୍ଡା ରାଜ୍ୟର ଅଭୂତପୂର୍ବ ବିକାଶ ହେଲା ଓ ଏହି ରାଜ୍ୟ ଭାରତର ଅନ୍ୟ ଗଡଜାତ ରାଜ୍ୟମାନଙ୍କ ପାଇଁ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ପାଲଟି ଗଲା | ଏହାକୁ ଲକ୍ଷ୍ୟ କରି ଇଂରେଜମାନଙ୍କର ସେତେବେଳର ପଲିଟିକାଲ ଏଜେଣ୍ଟ ଏଚ୍.ଏଚ୍. ପ୍ରିଷ୍ଟି କହିଥିଲେ- “ସୁଢଳଦେବଙ୍କ ଶାସନକାଳରେ ବାମଣ୍ଡା ରାଜ୍ୟର ଯେଉଁ ସର୍ବବିଧ ଉନ୍ନତି ସାଧିତ ହୋଇଅଛି, ତା’ର ଶ୍ରେୟ ନିମନ୍ତେ ସେ ସମ୍ପୂର୍ଣ ହକଦାର | କେବଳ ଓଡିଶା କାହିଁକି, ସମଗ୍ର ଭାରତରେ କୌଣସି ରାଜା ପ୍ରଜାଙ୍କ ଉପରେ ଏତେ କମ କରଭାର ଦେଇ ଏତେ ବ୍ୟାପକ ବିକାଶ ଘଟାଇଥିବାର ଦୃଷ୍ଟାନ୍ତ ବିରଳ |” ମଧ୍ୟପ୍ରଦେଶ କମିଶନରଙ୍କର ଚିଫ୍ ସେକ୍ରେଟେରୀ ଏଫ୍.ସି. ଆଣ୍ଡରସନ୍ ମଧ୍ୟ ସୁଢଳଦେବଙ୍କ ପାରଦର୍ଶିତାର ଭୂୟସୀ ପ୍ରଶଂସା କରି କହିଥିଲେ- “ବାମଣ୍ଡାର ରାଜ ସୁଢଳଦେବ ଶାସନ ବ୍ୟବସ୍ଥା ସହିତ ନିଜେ ପ୍ରତ୍ୟକ୍ଷ ଜଡିତ ହୋଇ ପ୍ରଜାଙ୍କୁ ସୁଶାସନ ପ୍ରଦାନ ନିଶ୍ଚିତ କରି ସମସ୍ତ ପ୍ରତିବେଶୀ ରାଜ୍ୟମାନଙ୍କର ନରପତିମାନଙ୍କ ପାଇଁ ଆଦର୍ଶ ପ୍ରତିଷ୍ଠା କରିଛନ୍ତି |” ସୁଢଳଦେବଙ୍କ ଦ୍ବାରା ପ୍ରବର୍ତ୍ତିତ ଉତ୍ତମ ଶାସନ ବ୍ୟବସ୍ଥା ତଥା ତାଙ୍କ ବ୍ୟତିତ୍ବ ଓ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବ୍ରିଟିଶ୍ ସରକାର ତାଙ୍କୁ ୧୮୮୯ ମସିହାରେ C.I.E. (Commander of Indian Empire) ଓ ୧୮୯୫ ମସିହାରେ K.C.I.E. (Knight Commander of Indian Empire) ଉପାଧିରେ ଭୂଷିତ କରିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡିଶା ବା ଭାରତର ଜନତାଙ୍କ ସହ ବିଶ୍ବାସଘାତ କରି ଓ ତାଙ୍କ ବିରୋଧରେ ଇଂରେଜ ସରକାରଙ୍କ ସହ ହାତ ମିଳାଇ ସୁଢଳଦେବ ଏହି ପଦପଦବୀ ହାସଲ କରି ନ ଥିଲେ | ଏହାର ଏକ ପ୍ରମାଣ ସ୍ବରୂପ ସୁଢଳଦେବଙ୍କ ରଚିତ ‘ବୀରବାମା’ କାବ୍ୟକୁ ନିଆ ଯାଇପାରେ | ଝାଂସୀର ରାଣୀ ଲକ୍ଷ୍ମୀବାଈ ସୁଢଳଦେବଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲେ | ତାଙ୍କ ବୀରତ୍ବ ଓ ବଳିଦାନରେ ମୁଗ୍ଧ ହୋଇ ସୁଢଳଦେବ ’ବୀରବାମା’ ନାମକ କାବ୍ୟ ରଚନା କରିଥିଲେ ଯେଉଁଥିରେ ଏକଦା ଲକ୍ଷ୍ମୀବାଈଙ୍କ ହାତରେ ଇଂରେଜ ସେନାପତିଙ୍କ ଶୋଚନୀୟ ପରାଜୟର ଗାଥା ବର୍ଣ୍ଣିତ ହୋଇଛି | ଏହି କାବ୍ୟ ସୁଢଳଦେବଙ୍କ ଦେଶପ୍ରେମର ଏକ ଜ୍ବଳନ୍ତ ନିଦର୍ଶନ | ଇଂରେଜ ସରକାର ଏ ବିଷୟରେ ଉତ୍ତମ ରୂପେ ଅବଗତ ଥାଇ ମଧ୍ୟ ତାଙ୍କୁ ଜଣେ ସୁଶାସକ ଭାବେ ବରାବର ପ୍ରଶଂସା କରୁଥିଲେ | ଦେଶସେବା ପାଇଁ ସୁଢଳଦେବଙ୍କ ଦ୍ବାରା ନିର୍ବାଚିତ ପନ୍ଥା ହୁଏତ ସତ୍ୟଗ୍ରାହୀ ଓ ବିପ୍ଲବୀଙ୍କ ଠାରୁ ଭିନ୍ନ ଥିଲା; କିନ୍ତୁ, ଲକ୍ଷ୍ୟ ସମାନ ଥିଲା | ଦେଶସେବା ପାଇଁ ସେ ବାଛିଥିବା ମାର୍ଗକୁ ଅନ୍ୟ ଆଦର୍ଶ ରାଜାମାନେ ମଧ୍ୟ ବିଭିନ୍ନ ସମୟରେ ଆପଣାଇଥିଲେ | ଏ ବିଷୟରେ ମୟୁରଭଂଜର ଆଦର୍ଶ ରାଜା ଶ୍ରୀରାମଚନ୍ଦ୍ର ଭଂଜ ଓ ପାରଳାର ଆଦର୍ଶ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ | ଗଡଜାତର ଏହି ରାଜାମାନେ ଇଂରେଜମାନଙ୍କ ସହିତ ସିଧାସଳଖ ମୁକାବିଲା କରୁ ନଥିଲେ; ବରଂ ବ୍ରିଟିଶ ପ୍ରଶାସନ ସହିତ ଉଚିତ ସମନ୍ବୟ ରଖି ସେମାନେ ପ୍ରଜାମାନଙ୍କୁ ଏକ ସ୍ଥିର ଓ ଉତ୍ତମ ଶାସନବ୍ୟବସ୍ଥା ଦେବାପାଇଁ ଆପ୍ରାଣ ପ୍ରଚେଷ୍ଟା କରୁଥିଲେ |
କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ, ସ୍ବଭାବକବି ଗଂଗାଧର ମେହେର, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ, ରୋମାଣ୍ଟିସିଜିମ୍-ର କବି ମାୟାଧର ମାନସିଂହ ଆଦି ଉତ୍ତୁଂଗ ବ୍ୟକ୍ତିତ୍ବମାନେ ରାଜା ସୁଢଳଦେବଙ୍କ ପ୍ରଶଂସାରେ ସାମାନ୍ୟତମ କାର୍ପଣ୍ୟ ପ୍ରଦର୍ଶନ କରି ନାହାନ୍ତି | ଉଦାହରଣ ସ୍ବରୂପ କବି ନନ୍ଦକିଶୋରଙ୍କର ଏହି ଉକ୍ତିକୁ ନିଆ ଯାଇପାରେ-
“ଦୁର୍ଲଭ ଆସନ ଭଜି ସପତ୍ନୀ ଭାବ ବରଜି
ବିଶାଳ ବକ୍ଷେ ଲୋଟନ୍ତି କମଳା ବାଣୀ,
ବିନୀତା ଭାରତୀ ସତୀ ଅଟନ୍ତି ଶ୍ରେୟସୀ ଅତି
ସାମ୍ରାଜ୍ୟ ଲକ୍ଷ୍ମୀ ଯଦିବା ପ୍ରେୟସୀ ରାଣୀ,
ବୁଝିଛ ଏ ମର୍ମ ନରେଶ,
ଘୋଷେ ତବ ଯଶ ତେଣୁ ଉତ୍କଳଦେଶ |”
୧୯୦୩ ମସିହା ନଭେମ୍ବର ମାସ ୧୯ ତାରିଖ ଦିନ ଉତ୍କଳମାତାଙ୍କର ଏହି ସୁଯୋଗ୍ୟ ସନ୍ତାନ ଇହଧାମ ତ୍ୟାଗ କରିଥିଲେ | ମୟୁରଭଂଜର ରାଜା ଶ୍ରୀରାମଚନ୍ଦ୍ର ଭଂଜ ଓ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ସୁଢଳଦେବ ଜଣେ ଆଦର୍ଶ ରାଜା ରହିବା ସହିତ ଓଡିଆ ଜାତି ଓ ଓଡିଆ ଭାଷାର ସର୍ବବିଧ ଉନ୍ନତି ପାଇଁ ଅଜୀବନ ସାଧନା କରିଥିଲେ | ଆଧୁନିକ ଓଡିଶାର ପ୍ରାଣକେନ୍ଦ୍ର ହେଉଛନ୍ତି କଟକ-ଭୁବନେଶ୍ବର ଦ୍ବୈତନଗରୀ | ଏଠାରେ ସୁଢଳଦେବଙ୍କ ସ୍ମୃତିରକ୍ଷା ପାଇଁ କୌଣସି ଆଖିଦୃଶିଆ ଉଦ୍ୟମ ହୋଇନାହିଁ | ଏହି ଆଦର୍ଶ ବ୍ୟକ୍ତିଙ୍କର ସ୍ମୃତିରକ୍ଷା ପାଇଁ ଯଥେଷ୍ଟ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି | ଆଜି ଶୁଭ ଜୟନ୍ତୀ ଦିବସରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଂଜଳି |