STORYMIRROR

Shakti Prasad Das

Inspirational

3  

Shakti Prasad Das

Inspirational

ନବ-ଉତ୍କଳର ଜନକ: କୃଷ୍ଣଚନ୍ଦ୍ର ଗଜପତି

ନବ-ଉତ୍କଳର ଜନକ: କୃଷ୍ଣଚନ୍ଦ୍ର ଗଜପତି

9 mins
33



ଇଂରେଜ ଶାସନ ସମୟରେ ବିଖଣ୍ଡିତ ଓଡିଶାର ଅଂଶ-ରାଜ୍ୟମାନଙ୍କରେ ଯେଉଁ ଅଳ୍ପ କେତେଜଣ ଆଦର୍ଶ ରାଜାଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ | ସେ ୧୮୯୨ ମସିହା ଏପ୍ରିଲ୍ ମାସ ୨୬ ତାରିଖରେ ପାରଳା ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ୧୯୭୪ ମସିହା ମେ ମାସ ୨୫ ତାରିଖ ଦିନ ୮୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ | ଏକ ବିଖଣ୍ଡିତ ଉତ୍କଳରେ ଜନ୍ମଗ୍ରହଣ କରି ସେ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ ଓ ଇହଧାମ ତ୍ୟାଗ କରିବାର ଯଥେଷ୍ଟ ପୂର୍ବରୁ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠିତ ହେବା ଦେଖି ପାରିଥିଲେ | ନିଜ ଜୀବନକାଳ ମଧ୍ୟରେ ସେ ଉତ୍କଳଗୌରବ ମଧୁସୂଦନ ଦାସ (୨୮-୦୪-୧୮୪୮ ରୁ ୦୪-୦୨-୧୯୩୪), ବ୍ୟାସକବି ଫକୀରମୋହନ ସେନାପତି (୧୮୪୩ ମସିହା ମକରସଂକ୍ରାନ୍ତି ରୁ ୧୪-୦୬-୧୯୧୮), ଓଡିଆଭାଷାର ମହାଭାଷ୍ୟକାର ଗୋପାଳଚନ୍ଦ୍ର ପ୍ରହରାଜ (୨୭-୦୯-୧୮୭୪ ରୁ ୧୬-୦୫-୧୯୪୫), ପଣ୍ଡିତ ଗୋପବନ୍ଧୁ ଦାସ (୦୯-୧୦-୧୮୭୭ ରୁ ୧୭-୦୬-୧୯୨୮) ଓ ଉତ୍କଳପ୍ରେମୀ, ଭଂଜଭୂମିର ଜନନାୟକ ଶଶିଭୂଷଣ ରଥ (୦୧-୦୧-୧୮୮୫ ରୁ ୧୯-୦୩-୧୯୪୩)-ଙ୍କ ଭଳି ବରପୁତ୍ରମାନଙ୍କର ସଂସ୍ପର୍ଶରେ ଆସିଥିଲେ ଓ ସେମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ଓଡିଆଜାତି ଓ ଓଡିଆଭାଷାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ | 


କୃଷ୍ଣଚନ୍ଦ୍ର ଗଜପତିଙ୍କର ଜନ୍ମସ୍ଥାନ ଥିଲା ପାରଳାଖେମୁଣ୍ଡି ସହରର ରାଜପ୍ରାସାଦ | ଆଧୁନିକ ଓଡିଶାର ମାନଚିତ୍ରକୁ ଲକ୍ଷ୍ୟ କଲେ ଦେଖିବାକୁ ମିଳେ ଯେ ପାରଳାଖେମୁଣ୍ଡି ଗଜପତି ଜିଲ୍ଲାର ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ସୀମାର ଅତି ନିକଟରେ ଅବସ୍ଥିତ | କିନ୍ତୁ, କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ପାରଳା ରାଜ୍ୟର ବ୍ୟାପ୍ତି ଆହୁରି ଦକ୍ଷିଣକୁ ଥିଲା | ସେ ସମୟରେ ପାରଳା ରାଜ୍ୟର କ୍ଷେତ୍ରଫଳ ଥିଲା ପ୍ରାୟ ୬୩୯ ବର୍ଗ ମାଇଲ ଓ ୫୦୩ଟି ଗ୍ରାମ ଏହାର ଅନ୍ତର୍ଗତ ଥିଲେ | ସେ ସମୟରେ କୁଜଂଗ, କନିକା, ଖଲିକୋଟ, ଡମପଡା ଆଦି ରାଜ୍ୟ ପରି ପାରଳାଖେମୁଣ୍ଡି ଏକ ଚିରସ୍ଥାୟୀ ବନ୍ଦୋବସ୍ତ ଜମିଦାରି ବ୍ୟବସ୍ଥା ପ୍ରଚଳିତ ଥିଲା | ଅର୍ଥାତ୍, ଏହାର ବହୁବିଧ ପ୍ରଶାସନିକ ଖର୍ଚ୍ଚର ସିଂହଭାଗ ବ୍ରିଟିଶ୍ ସରକାର ବହନ କରୁଥିଲେ | ଏହାଫଳରେ କରଦ ରାଜ୍ୟଗୁଡିକ (ଯଥା, ଢେଂକାନାଳ, ତିଗିରିଆ, ବଡମ୍ବା, ଆଠଗଡ, ପାଲଲହଡା ଆଦି) ତୁଳନାରେ ପାରଳାଖେମୁଣ୍ଡିର ଆର୍ଥିକ ଅବସ୍ଥା ଯଥେଷ୍ଟ ସ୍ବଚ୍ଛଳ ଥିଲା | ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ସମୟରେ ପାରଳାଖେମୁଣ୍ଡିର ପୂର୍ବୋକ୍ତ ବିସ୍ତୀର୍ଣ୍ଣ ଅଂଚଳ ମଧ୍ୟରୁ ପ୍ରାୟ ୧୯୧ ବର୍ଗ ମାଇଲ ଉପରେ ଅବସ୍ଥିତ ୧୯୧ଟି ଗାଁ ଓଡିଶାରେ ମିଶିଥିଲେ ଓ ଅବଶିଷ୍ଟ ଆନ୍ଧ୍ରରେ ରହି ଯାଇଥିଲେ |


ବାଲ୍ୟକାଳରେ ୧୯୦୫ ମସିହାରେ ତାଙ୍କର ପିତୄବିୟୋଗ ଘଟିଥିଲା | ସେତେବେଳକୁ ସେ ହୋଇଥିଲେ ମାତ୍ର ତେର ବର୍ଷ ବୟସର, ଅର୍ଥାତ୍ ନାବାଳକ | ଏଣୁ, କୋର୍ଟ୍ ଅଫ୍ ୱାର୍ଡସ୍ ବ୍ୟବସ୍ଥା ଅନୁଯାୟି ଇଂରେଜ ସରକାର ରାଜ୍ୟର ଶାସନ ବ୍ୟବସ୍ଥା ସାମୟିକ ଭାବେ ନିଜ ହାତରେ ରଖିଲେ ଓ ଯୁବରାଜ କୃଷ୍ଣଚନ୍ଦ୍ରଙ୍କୁ ଶିକ୍ଷାଲାଭ ନିମନ୍ତେ ତତ୍କାଳୀନ ମାନ୍ଦ୍ରାଜର ନିଉୱିଂଟନ୍ ସ୍ଥିତ କୋର୍ଟ୍ ଅଫ୍ ୱାର୍ଡସ୍ ଇଂଷ୍ଟିଚ୍ୟୁସନରେ ଭର୍ତ୍ତି କଲେ | ପିଲାଦିନୁ କୃଷ୍ଣଚନ୍ଦ୍ର ପ୍ରଚଣ୍ଡ ଓଡିଆଜାତ୍ୟାଭିମାନୀ ଥିଲେ | ନିଉୱିଂଟନ୍ ଆବାସିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସେଠାକାର ଓଡିଆ ପିଲାଙ୍କୁ ସଂଗଠିତ କରି ଓଡିଆ ନାଟକ ‘ସତ୍ୟ ହରିଶ୍ଚନ୍ଦ୍ର’ ମଂଚସ୍ଥ କରାଇଥିଲେ | ସେତେବେଳେ ଓଡିଶାର ପୂର୍ବୋକ୍ତ ବରପୁତ୍ରମାନେ ବିଖଣ୍ଡିତ ଓଡିଆ ଭାଷାବାସୀ ଅଂଚଳଗୁଡିକର ଏକତ୍ରୀକରଣ ଏବଂ ଓଡିଆଜାତି ଓ ଓଡିଆଭାଷାର ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିଲେ | ଦୂରରେ ରହି ପଢୁଥିଲେ ହେଁ କୃଷ୍ଣଚନ୍ଦ୍ର ଓଡିଶାରେ ସଂଘଟିତ ହେଉଥିବା ଜନଅସନ୍ତୋଷ ଓ ଜନଜାଗରଣ ସମ୍ବନ୍ଧରେ ସବିଶେଷ ବିବରଣୀ ରଖୁଥିଲେ |


୧୯୧୨ ମସିହାରେ ଶିକ୍ଷା ସମାପ୍ତ କରି ସେ ମାନ୍ଦ୍ରାଜରୁ ଘରକୁ ଫେରି ଆସିଲେ | ସେତେବେଳକୁ ପାରଳାଖେମୁଣ୍ଡି ରାଜ୍ୟର ଶାସନ ଇଂରେଜ ସରକାରଙ୍କ ଦ୍ବାରା କୋର୍ଟ୍ ଅଫ୍ ୱାର୍ଡସ୍ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଥିଲା | ଘରକୁ ଫେରି କୃଷ୍ଣଚନ୍ଦ୍ର ପ୍ରଥମେ ରାଜ୍ୟଶାସନ ସମ୍ବନ୍ଧୀୟ ସମସ୍ତ ନଥିପତ୍ରକୁ ପୁଂଖାନୁପୁଂଖ ଅନୁଧ୍ୟାନ କରିଥିଲେ | ୧୯୧୩ ମସିହା ଏପ୍ରିଲ୍ ମାସ ୨୬ ତାରିଖରେ ତାଙ୍କୁ ୨୧ ବର୍ଷ ପୂରଣ ହୋଇଥିଲା | ଜଗତର ନାଥ ଓ ଓଡିଆଜାତିର ସର୍ବୋଚ୍ଚକର୍ତ୍ତା ଶ୍ରୀଜଗନ୍ନାଥଙ୍କ ଠାରୁ କରୁଣାଭିକ୍ଷା କରିସାରିବା ପରେ ସେହିଦିନ ସେ ସିଂହାସନ ଆରୋହଣ କରିଥିଲେ ଓ ଇଂରେଜ ସରକାରଙ୍କ ପ୍ରତିନିଧି ମି. ଏନ୍. କେ. ମାଇକେଲ(ଆଇ.ସି.ଏସ୍)ଙ୍କ ଠାରୁ ରାଜ୍ୟଭାର ଗ୍ରହଣ କରିଥିଲେ | ପରମ୍ପରା ଅନୁଯାୟି ସେ “ବୀରଶ୍ରୀ ବୀରାଧିବର ଶ୍ରୀଶ୍ରୀଶ୍ରୀ ଗଜପତି ଶ୍ରୀଶ୍ରୀଶ୍ରୀ କ୍ଷେତ୍ରପତି କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ମେହେରବାନି-ଇ-ଦୋସ୍ତାନ” ଉପାଧି ଗ୍ରହଣ କରିଥିଲେ; ହେଲେ ଏହି ଉପାଧିଟିକୁ ନିର୍ଦ୍ଦିଷ୍ଟ କିଛି ରାଜକାର୍ଯ୍ୟ ବ୍ୟତୀତ ସେ ଅନ୍ୟ କେଉଁ ସମୟରେ ବ୍ୟବହାର କରୁନଥିଲେ |


ରାଜ୍ୟଶାସନ ସମୟରେ ସେ କଟକରେ ଥିବା ଉତ୍କଳ ସାହିତ୍ୟ ସମାଜ ଓ ସତ୍ୟବାଦୀର ବନବିଦ୍ୟାଳୟକୁ ମୁକ୍ତହସ୍ତରେ ଦାନ କରିଥିଲେ | ଏଥିପାଇଁ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସ ଓ ସତ୍ୟବାଦୀ ବନବିଦ୍ୟାଳୟ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସ ସାଧୁବାଦ ଦେଇଥିଲେ | ରାଜ୍ୟରେ ଶିକ୍ଷାର ଉନ୍ନତି ତାଙ୍କ ପାଇଁ ପ୍ରାଥମିକତା ରଖୁଥିଲା | ମହାରାଜା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ବିରାଟ ଦୁଇମହଲା କୋଠା ତିଆରି କରାଇ ସେ ଏଠାରେ ପାରଳା କଲେଜର ସମ୍ପ୍ରସାରଣ ଶାଖା (ଏକ୍ସ୍-ଟେନସନ୍) ସ୍ଥାପନ କରିଥିଲେ | ସଂସ୍କୃତଶିକ୍ଷାର ବିକାଶ ପାଇଁ ସେ ପାରଳା ସଂସ୍କୃତ କଲେଜ ସ୍ଥାପନ କରିଥିଲେ | ସମୟକ୍ରମେ ଏହି କଲେଜରୁ ଡଃ. ସତ୍ୟନାରାୟଣ ରାଜଗୁରୁ, ଡଃ. ବେଣୀମାଧବ ପାଢୀ ଓ ଅଧ୍ୟାପକ ଗୌରୀକୁମାର ବ୍ରହ୍ମାଙ୍କ ଭଳି ଓଡିଶାର ବହୁ ଲବ୍ଧପ୍ରତିଷ୍ଠ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ | ଝିଅପିଲାଙ୍କୁ ଶିକ୍ଷାର ସ୍ରୋତରେ ସାମିଲ୍ କରିବା ପାଇଁ ସେ ଅନ୍ୟାନ୍ୟ ଆନୁଷଂଗିକ ବ୍ୟବସ୍ଥା କରିବା ସହ ଏକ ବିରାଟ ଦୁଇମହଲା କୋଠା ଗଢି ତାକୁ ସ୍କୁଲଗୃହରେ ପରିଣତ କରିଥିଲେ | ବର୍ତ୍ତମାନ ତାହା ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଭାବେ ପରିଚିତ | ସେହି ଉଦ୍ଦେଶ୍ୟରେ ସେ ଯୋଗାଇ ଦେଇଥିବା ଅନ୍ୟ ଏକ କୋଠାଘର ଆଜି ପୌର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଛି | ଶିକ୍ଷା ପ୍ରତି ମହାରାଜାଙ୍କ ଏତାଦୃଶ ଆଗ୍ରହ ଓ ପାରଳାଖେମୁଣ୍ଡିରେ ଶିକ୍ଷାର ଗୁଣାତ୍ମକ ମାନ ଦେଖି ଓଡିଶାର ଅନେକ ପ୍ରାନ୍ତରୁ ଶିକ୍ଷାର୍ଥୀମାନେ ସେଠାକୁ ଛୁଟିଆସୁଥିଲେ | ସେମାନଙ୍କ ରହିବା ପାଇଁ ମହାରାଜା ଛାତ୍ରାବାସ ନିର୍ମାଣ କରିବା ସହିତ ସୁଲଭ-ମେସ୍ ଭଳି ଅନେକ ଆନୁଷଂଗିକ ସୁବିଧା ଯୋଗାଇ ଦେଇଥିଲେ | ଅନେକ ସମୟରେ ମହାରାଜା ରାଜଉଆସରୁ ବିବିଧ ଖାଦ୍ୟଦ୍ରବ୍ୟ, ଦହି, ଚହ୍ଲା ଆଦି ଛାତ୍ରମାନଙ୍କ ପାଇଁ ପଠାଉଥିଲେ |


ମହାରାଜା ନିଜେ ଜଣେ କୁଶଳୀ ଓ ଉତ୍ସାହୀ କୃଷକ ଥିଲେ | ସର୍ବଦା ନୂତନ ଓ ଉନ୍ନତ କୃଷିପ୍ରଣାଳୀ ଶିଖିବାରେ ତାଙ୍କର ପ୍ରଗାଢ଼ ଆଗ୍ରହ ଥିଲା | କୌଣସି ନୂତନ ପ୍ରଣାଳୀ ଶିଖିଲେ ସେ ପ୍ରଥମେ ତାକୁ ନିଜ ହୋମ୍-ଫାର୍ମ୍-ରେ ପ୍ରୟୋଗ କରୁଥିଲେ ଓ ପ୍ରୟୋଗ ସଫଳ ହେଲେ ରାଜ୍ୟର କୃଷକମାନଙ୍କୁ ଆଣି ତାହା ଦେଖାଉଥିଲେ | ପୂର୍ବଜମାନଙ୍କ ଭଳି ସେ ରାଜ୍ୟବାସୀ, ବିଶେଷକରି କୃଷକମାନଙ୍କୁ ଜଳକଷ୍ଟରୁ ମୁକ୍ତିଦେବା ପାଇଁ ସଂକଳ୍ପବଦ୍ଧ ଥିଲେ | ସେଥିପାଇଁ ସେ ପୂର୍ବରୁ ନିର୍ମିତ ଜଳସେଚନ ଯୋଜନାଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରୁଥିଲେ ଓ କିଛି ନୂଆ ପ୍ରକଳ୍ପ ନିର୍ମାଣ କରିଥିଲେ | ତାଙ୍କ ସମୟରେ ପ୍ରାୟ ୩୬ଟି ବୃହତ୍ ଓ ୪୭୯ଟି କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟ କରୁଥିଲା | [ବି.ଦ୍ର. ସେ ସମୟରେ ପ୍ରାୟ ଦୁଇଶହ ଏକର ଚାଷଜମିରେ ଜଳସେଚନ କରିପାରୁଥିବା ପ୍ରକଳ୍ପକୁ ବୃହତ୍ ପ୍ରକଳ୍ପ କୁହା ଯାଉଥିଲା |] ଏହି ପ୍ରକଳ୍ପଗୁଡିକ ଯୋଗୁ ରାଜ୍ୟର ପ୍ରାୟ ୨୭୪୩୮ ଏକର ଜମି ଜଳସେଚିତ ହୋଇ ସାରା ବର୍ଷ କୃଷି-ଉପଯୋଗୀ ହୋଇପାରିଥିଲା | ଗାଈଗୋରୁମାନଙ୍କର ସ୍ବାସ୍ଥ୍ୟର ଯତ୍ନନେବା ପାଇଁ ମହାରାଜା ଏକ ପଶୁ ଡାକ୍ତରଖାନା ସ୍ଥାପନ କରି ଉଚ୍ଚଶିକ୍ଷିତ ପଶୁଡାକ୍ତର ମଧ୍ୟ ନିଯୁକ୍ତ କରିଥିଲେ | ମହାରାଜାଙ୍କର ଏହିସବୁ ନିଷ୍ଠାପର ଉଦ୍ୟମ ଇଂରେଜ ଶାସକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା | ଭାରତରେ ଲଗାତର ଲାଗି ରହୁଥିବା ଖାଦ୍ୟାଭାବ ଓ ତଜ୍ଜନିତ ଜନଅସନ୍ତୋଷର ପ୍ରତିକାର କରିବା ପାଇଁ ଇଂରେଜ ସରକାର ୧୯୨୭ ମସିହାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଶନ୍ ଗଠନ କଲେ | ଏଥିରେ ସାରା ଭାରତରୁ ଏକମାତ୍ର ଭାରତୀୟ ପ୍ରତିନିଧି ଭାବେ କୃଷ୍ଣଚନ୍ଦ୍ର ମନୋନୀତ ହୋଇଥିଲେ | ଏହି କମିଶନ୍-ର ଅଧ୍ୟକ୍ଷ ଥିଲେ ଲର୍ଡ୍ ଲିନ୍ ଲିଥ୍-ଗୋ | କମିଶନ୍-ର କାର୍ଯ୍ୟ କରିବା ସମୟରେ କୃଷ୍ଣଚନ୍ଦ୍ର ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ | ପରବର୍ତ୍ତୀ କାଳରେ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ କରିବା ପାଇଁ ସେ ମହାରାଜାଙ୍କୁ ଅନେକ ପ୍ରକାରେ ସାହାଯ୍ୟ କରିଥିଲେ |  


ରାଜ୍ୟବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମହାରାଜା ପାରଳାଖେମୁଣ୍ଡି ସହରରେ ଏକ ଲୁହା କାରଖାନା ବସାଇଥିଲେ, ଯେଉଁଠାରେ ବାଲଟି, ଟିଣବାକ୍ସ, କବଜା, କଣ୍ଟା ଆଦି ତିଆରି ହେଉଥିଲା | ଏହା ବ୍ୟତୀତ ସେ ପାରଳାଖେମୁଣ୍ଡିରେ ଏକ ଚାଉଳକଳ ଓ ଏକ ତେଲକଳ ମଧ୍ୟ ନିର୍ମାଣ କରିଥିଲେ | ପଲାସା ନିକଟସ୍ଥ ପୁଣ୍ଡି ଗ୍ରାମରେ ମହାରାଜା ଏକ ଲୁଣ ତିଆରି ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିଥିଲେ [ବି.ଦ୍ର. ସେ ସମୟରେ ପଲାସା ପାରଳାଖେମୁଣ୍ଡି ରାଜ୍ୟର ଅନ୍ତର୍ଗତ ଥିଲା] | ରାଜ୍ୟର ଯୁବକମାନଙ୍କୁ କୁଶଳୀ, ଉପାର୍ଜନକ୍ଷମ ତଥା ଆତ୍ମନିର୍ଭରଶୀଳ କରିବାପାଇଁ ସେ ପାରଳାଖେମୁଣ୍ଡି ସହରରେ ଏକ ଶିଳ୍ପ ବିଦ୍ୟାଳୟ ସ୍ଥାପନ କରିଥିଲେ | ରାଜ୍ୟର ସର୍ବବିଧ ବିକାଶ ପାଇଁ ଏକ ଉନ୍ନତ ଗମନାଗମନ ବ୍ୟବସ୍ଥାକୁ ସେ ସର୍ବଦା ଗୁରୁତ୍ବ ଦେଉଥିଲେ | ଏହି ଉଦ୍ଦେଶ୍ୟରେ ସେ ରାଜକୋଷରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚକରି ପୂର୍ବରୁ ଥିବା ନଉପଡା-ପାରଳାଖେମୁଣ୍ଡି ରେଳଲାଇନ

କୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ | ଏହା ସେ ସମୟରେ ଏକ ବଡ ଧରଣର ବ୍ୟୟ ଥିଲା; କିନ୍ତୁ ଦୂରଦୃଷ୍ଟିସମ୍ପନ୍ନ ରାଜା ଏହାକୁ ରାଜ୍ୟର ଭବିଷ୍ୟତ ଉଦ୍ଦେଶ୍ୟରେ ଏକ ପୁଂଜିନିବେଶ ବୋଲି ହୃଦୟଂଗମ କରିଥିଲେ |


ନିଜ ଜୀବନକାଳ ମଧ୍ୟରେ ସେ ଦାଦାଙ୍କ ନାମରେ ନାମିତ ପୁରୁଣା ପଦ୍ମନାଭ ଥିଏଟରର ବ୍ୟାପକ ପୁନର୍ବିନ୍ୟାସ କରି ତାକୁ ଓଡିଶାର ପ୍ରଥମ ଆଧୁନିକ ନାଟକ ଥିଏଟର ଭାବେ ଗଢି ତୋଳିଥିଲେ | ସେଠି ଭକ୍ତକବି ଗୋପାଳକୃଷ୍ଣଙ୍କର ପଣନାତି ଚକ୍ରପାଣି ପଟ୍ଟନାୟକ ମୁଖ୍ୟ ହାସ୍ୟ-ଅଭିନେତା ଭାବେ କାର୍ଯ୍ୟ କରୁଥିଲେ | ନିଜ ଖର୍ଚ୍ଚରେ ମହାରାଜା ରାଜ୍ୟର ଲବ୍ଧପ୍ରତିଷ୍ଠ ସାହିତ୍ୟିକମାନଙ୍କର ରଚନା/ କବିତା ଆଦିକୁ ପ୍ରକାଶ କରିବା ସହ ବିଭିନ୍ନ ଉପାୟରେ ପ୍ରୋତ୍ସାହନ ଦେଉଥିଲେ | ମହାରାଜାଙ୍କ ଉଦ୍ୟମରେ ୧୯୧୪ ମସିହାରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀରେ ସମସ୍ତ ଓଡିଆ ଭାଷାବାସୀ ଅଂଚଳଗୁଡିକୁ ଏକାଠି କରି ଏକଶାସନାଧୀନ କରିବା ପାଇଁ ଉତ୍କଳଗୌରବ ମଧୁସୂଦନ ପ୍ରସ୍ତାବ ରଖିଥିଲେ | କିନ୍ତୁ, ଯୁବକ ମହାରାଜା ଏହି ମତକୁ ବିନମ୍ରତାର ସହ ଖଣ୍ଡନ କରି ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ପାଇଁ ପ୍ରସ୍ତାବ ରଖିଲେ | ଉତ୍କଳମଣି ଗୋପବନ୍ଧୁ, ଭଂଜଭୂମିର ଜନନାୟକ ଶଶିଭୂଷଣ ରଥ, ବ୍ୟାସକବି ଫକୀରମୋହନ ସେନାପତି, ଜଗବନ୍ଦୁ ସିଂହ, ବ୍ରଜସୁନ୍ଦର ଦାସଙ୍କ ଭଳି ତୁଂଗ ନେତାମାନଙ୍କ ମନକୁ ଏହା ପାଇଲା ଓ ସେମାନେ ଏହାକୁ ସମର୍ଥନ କଲେ | କିନ୍ତୁ, ଉତ୍କଳଗୌରବ ମଧୁସୂଦନ ଦାସ ଏହି ପ୍ରସ୍ତାବଟିକୁ ବାସ୍ତବରେ ରୂପ ଦେଇହେବ କି ନାହିଁ ସେ ବିଷୟରେ ଘୋର ସନ୍ଦିହାନ ଥିଲେ | ଏକ ଅବାସ୍ତବ ପ୍ରସ୍ତାବକୁ କେବଳ ଅତିଶୟ-ଉତ୍ସାହ-ଭିତ୍ତିରେ ଗୃହୀତ କରାଇବାର ସେ ଘୋର ବିରୋଧୀ ଥିଲେ | କିନ୍ତୁ, ଅବଶେଷରେ ମହାରାଜାଙ୍କର ବଳିଷ୍ଠ ଯୁକ୍ତି ଓ ଉତ୍ସାହରେ ପ୍ରଭାବିତ ହୋଇ ମଧୁବାବୁ ଏଥିରେ ସମ୍ମତି ପ୍ରଦାନ କଲେ | ଏହାପରେ ଏକ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ସମ୍ମିଳନୀର ଆନୁଷ୍ଠାନିକ ଲକ୍ଷ୍ୟ ପାଲଟିଗଲା |  


ପରେ ମଧୁବାବୁଙ୍କ ସହ ଯୋଗସୂତ୍ର ରକ୍ଷାକରି ସାଇମନ କମିସନଙ୍କ ପାଟନା ଆଗମନ କାଳରେ ମହାରାଜା ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ପାଇଁ ଦାବୀ ଜଣାଇଥିଲେ | ଦାବୀ ଉପସ୍ଥାପନ କରିବାର ଶୈଳୀରେ ପ୍ରଭାବିତ ହୋଇ ଏହି ଦିଗରେ ଅଧିକ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସାଇମନ ଆଉ ଏକ ଉପକମିଟି ଗଠନ କରିଥିଲେ | ଏହାର ଅଧ୍ୟକ୍ଷ ଥିଲେ ମେଜର ଅଟଲି | ଉପକମିଟିର ତଦନ୍ତ ସମୟରେ ମହାରାଜାଙ୍କ ଅକ୍ଲାନ୍ତ ଉଦ୍ୟମରୁ ଓଡିଶାର ଅନେକ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ନାଗରିକ କମିଟି ଆଗରେ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ପାଇଁ ଦାବୀ ଉପସ୍ଥାପିତ କଲେ | ତେଣୁ, ଏହି ଉପକମିଟିର ମତାମତ ମଧ୍ୟ ‘ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ’ ଆନ୍ଦୋଳନ ସପକ୍ଷରେ ଗଲା | ଏହି ମତାମତ ଅବଶେଷରେ ସାଇମନ କମିସନ୍ ମାଧ୍ୟମରେ ବ୍ରିଟିଶ୍ ସରକାରଙ୍କ ନିକଟକୁ ଗଲା | ୧୯୩୦ ମସିହାରେ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ପ୍ରଥମ ଗୋଲ୍ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ମହାରାଜା ଯୋଗଦେଇ ଅତ୍ଯନ୍ତ ପ୍ରଭାବଶାଳୀ ଢଂଗରେ ଭାଷାଭିତ୍ତିରେ ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ସମ୍ପର୍କରେ ଦାବୀ ଉପସ୍ଥାପନ କରିଥିଲେ | ଏଥିରେ ପ୍ରଭାବିତ ହୋଇ ବ୍ରିଟିଶ୍ ସରକାର ଘୋଷଣା କରିଥିଲେ ଯେ ସରକାର ନୀତିଗତ ଭାବେ ଏହି ଦାବୀକୁ ସ୍ବୀକୃତି ଦେଉଛନ୍ତି |


ଏହାକୁ ରୂପ ଦେବା ପାଇଁ ୧୯୩୧ ମସିହାରେ ବ୍ରିଟିଶ୍ ସରକାର ଏକ ତିନି ଜଣିଆ ସୀମା-ନିର୍ଦ୍ଧାରଣ କମିଟି ଗଠନ କରିଥିଲେ | ଏଥିରେ ବିହାର, ଓଡିଶା ଓ ଆନ୍ଧ୍ରରୁ ଜଣେ ଜଣେ ସଭ୍ୟ ରହିଲେ | ଓଡିଶା ପକ୍ଷରୁ ରହିଲେ ମହାରାଜା | ସୀମା-ନିର୍ଦ୍ଧାରଣ ସମୟରେ ଅନେକ ଗଣ୍ଡଗୋଳ ହେଲା | କିଛି ଲୋକ (ବିଶେଷ କରି ଓଡିଶାର ଉତ୍ତର ସୀମାନ୍ତରୁ) ମହାରାଜାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଲେ | ୧୯୩୧ ମସିହାରେ ସେହି କମିଟି ତା’ର ସୁପାରିସ ସରକାରଙ୍କୁ ପ୍ରଦାନ କଲା | ଅନ୍ୟ ସଦସ୍ୟଙ୍କ ବିରୋଧ ଓ ପୂର୍ବୋକ୍ତ ଗଣ୍ଡଗୋଳ ଯୋଗୁ ଅନେକ ଓଡିଆ ଭାଷାବାସୀ ଅଂଚଳ ସୁପାରିସରୁ ବାଦ ପଡିଥିଲା, ଯାହା ମଧ୍ୟରେ ମହାରାଜାଙ୍କର ପାରଳା ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା | ତେଲୁଗୁ ଭାଷାବାସୀମାନଙ୍କର ବିଭିନ୍ନ ଅନୁଷ୍ଠାନ ସମ୍ପୂର୍ଣ୍ଣ ପାରଳା ରାଜ୍ୟଟିକୁ ଆନ୍ଧ୍ର ସହ ମିଶାଇ ରଖିବାକୁ ଉଦ୍ୟମ କରୁଥିଲେ | ଏଥିରେ ଭୀଷଣ ବ୍ୟଥିତ ହୋଇ ମହାରାଜା ନିଜ ଖର୍ଚ୍ଚରେ ଇଂଲାଣ୍ଡ ଯାତ୍ରାକଲେ ଓ ସେଠାରେ ବ୍ରିଟିଶ୍ ଶାସକଙ୍କୁ ଓଡିଆମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ସମ୍ବନ୍ଧରେ ପୁଣି ବୁଝାଇଲେ | ସବୁ ପ୍ରଚେଷ୍ଟା ସତ୍ତ୍ବେ ବିରୋଧୀଗୋଷ୍ଠୀର ଷଡଯନ୍ତ୍ର ହେତୁ ସମ୍ପୂର୍ଣ୍ଣ ପାରଳା ଓଡିଶା ସହିତ ମିଶିବାର ବାଟଫିଟିଲା ନାହିଁ | ଏ ସବୁ ଝଡଝଂଜା ମଧ୍ୟରେ ହତାଶ ହୋଇ ମହାରଜା ଥରେ ଆତ୍ମହତ୍ୟା କରିବା ପାଇଁ ମନସ୍ଥ କରି ଦେଇଥିଲେ | ସେ ସମୟରେ ତାଙ୍କର ଦେୱାନ ଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ | ସେ ମହାରାଜାଙ୍କୁ ଧୈର୍ଯ୍ୟ ଓ ପ୍ରବୋଧନା ଦେଇ ଏହି ସଂକଟକୁ ଟାଳି ଦେଇଥିଲେ | ଅବଶେଷରେ ବିଷର୍ଣ୍ଣ ମନରେ ମହାରାଜା ରାଜ୍ୟର ବିଭାଜନ ପାଇଁ ସମ୍ମତି ଦେଇଥିଲେ | ପାରଳା ରାଜ୍ୟର ଏକ-ତୃତୀୟାଂଶରୁ କିଛି କମ୍ ଅଂଚଳ ଓଡିଶା ଭାଗରେ ପଡିଲା ଯେଉଁଥିରେ ପାରଳାଖେମୁଣ୍ଡି ସହର ରହିଥିଲା; ଅବଶିଷ୍ଟ ଆନ୍ଧ୍ରରେ ରହିଗଲା |


ଅବଶେଷରେ ୧୯୩୬ ମସିହା ଏପ୍ରିଲ୍ ମାସ ପହିଲାରେ ଓଡିଶା ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବେ ଆତ୍ମପ୍ରକାଶ କଲା | ଏହା ପୂର୍ବରୁ ଭାରତରେ ୧୦ଟି ପ୍ରଦେଶ ଥିଲା | ନବଗଠିତ ଓଡିଶା ଏକାଦଶ ପ୍ରଦେଶ ହେଲା | ନବଗଠିତ ଓଡିଶାରେ ପ୍ରଥମ ବର୍ଷ ଗଭର୍ଣ୍ଣର୍ ଶାସନ ଚାଲିଲା | ତହିଁ ପର ବର୍ଷ (୧୯୩୭) ବିଧାନସଭା ନିର୍ବାଚନ ହେଲା ଓ କଂଗ୍ରେସ୍ ପାର୍ଟି ସଂଖ୍ୟାଗରିଷ୍ଠତା ଲାଭ କଲା | କିନ୍ତୁ, ୧୯୩୫ ମସିହାରେ ଗୃହୀତ ହୋଇଥିବା ଭାରତ ଶାସନ ଆଇନ ଅନୁଯାୟି ପ୍ରାଦେଶିକ ଗଭର୍ଣ୍ଣରମାନଙ୍କୁ ଅନେକ ସ୍ବତନ୍ତ୍ର କ୍ଷମତା ଦିଆଯାଇଥିଲା | ଏମାନେ ବ୍ରିଟିଶ୍ ସରକାରଙ୍କ ସିଧାସଳଖ ପ୍ରତିନିଧି ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ | ଏ ପରିସ୍ଥିତିରେ ନିର୍ବାଚିତ ସରକାର ଠିକ୍ ଭାବେ କାମ କରିପାରିବ ନାହିଁ ବୋଲି ଉପଲବ୍ଧି କରି କଂଗ୍ରେସ୍ ଦଳ ସରକାର ଗଠନ କରିବାରୁ ଓହରିଗଲା | ଏହି ଅଚଳାବସ୍ଥାକୁ ସମାଧାନ କରିବାକୁ ତତ୍କାଳୀନ ଗଭର୍ଣ୍ଣର ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ | ଏହାକୁ ସ୍ବୀକାର କରି ମହାରାଜା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ | ତାଙ୍କର ଏହି ପ୍ରଥମ ଦଫା ମନ୍ତ୍ରୀମଣ୍ଡଳ ପ୍ରାୟ ସାଢ଼େ ତିନି ମାସ କାର୍ଯ୍ୟ କଲା | ଏହା ପରେ ପୂର୍ବୋକ୍ତ ଅଚଳାବସ୍ଥା କେତେକାଂଶରେ ଦୂର ହେବାରୁ ଭାରତୀୟ ଜାତୀୟ କଂଗ୍ରେସ୍ ତରଫରୁ ବିଶ୍ବନାଥ ଦାସ କିଛି ସମୟ ପାଇଁ ଓଡିଶାର ପ୍ରଧାନମନ୍ତ୍ରୀ ରହିଲେ | ପରେ ୧୯୪୧ ମସିହା ନଭେମ୍ବରରୁ ୧୯୪୪ ମସିହା ଜୁନ ପର୍ଯ୍ୟନ୍ତ ମହାରାଜା ପୁନର୍ବାର ଓଡିଶାର ପ୍ରଧାନମନ୍ତ୍ରୀ ହେଲେ | ତାଙ୍କ ଶାସନ ସମୟରେ ଓଡିଶା ହାଇକୋର୍ଟ୍, କଟକରେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜ, ଉତ୍କଳ ବିଶ୍ବବିଦ୍ୟାଳୟ, କଟକର ବିଦ୍ୟାଧରପୁର ଠାରେ ଅବସ୍ଥିତ କେନ୍ଦ୍ରୀୟ-ଧାନ-ଗବେଷଣା-କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା | ୧୯୪୪ ମସିହାରେ ଓଡିଶାର ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେବା ପରେ ମହାରାଜା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ |


ମହାରାଜାଙ୍କର ସୁଶାସନ, ପାଣ୍ଡିତ୍ୟ ଓ ଆଚରଣରେ ପ୍ରୀତ ହୋଇ ବ୍ରିଟିଶ୍ ସରକାର ୧୯୧୬ ମସିହାରେ ତାଙ୍କୁ ‘ସେକେଣ୍ଡ୍ ଲେଫଟ୍-ନାଣ୍ଟ୍’ ପଦବୀରେ ଭୂଷିତ କରିଥିଲେ | ପରେ ବ୍ରିଟିଶ୍ ସରକାର ତାଙ୍କୁ K.CI.E (Knight Commander of Indian Empire) ପଦବୀରେ ମଧ୍ୟ ମଣ୍ଡିତ କରିଥିଲେ | ୧୯୧୮ ମସିହାରେ ଇଂରେଜ ସରକାର ତାଙ୍କୁ ‘ରାଜା ସାହେବ୍’ ଭାବେ ସ୍ବୀକୃତି ଦେଇଥିଲେ | ୧୯୩୬ ମସିହାରେ ସେ ଇଂରେଜ ସରକାରଙ୍କ ଠାରୁ ‘ମହାରାଜା’ ଭାବେ ସ୍ବୀକୃତି ଲାଭ କରିଥିଲେ | ଏହା ପରେ ସମସ୍ତଙ୍କ ଶ୍ରଦ୍ଧାମାନସରେ ମହାରାଜା ଭାବେ ତାଙ୍କ ପରିଚୟ ସ୍ବତଃ ସୁଦୃଢ ହୋଇଗଲା |

  

ଓଡିଆଜାତି ଓ ଓଡିଆଭାଷା ନିମନ୍ତେ କରିଥିବା ଅତୁଳନୀୟ ଅବଦାନକୁ ସ୍ବୀକୃତି ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମହାରାଜାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା | ତାଙ୍କରି ନାମ ଅନୁଯାୟି ଓଡିଶାର ଗୋଟିଏ ଜିଲ୍ଲାର ନାମ ରଖାଗଲା ‘ଗଜପତି’ | ବର୍ତ୍ତମାନ ପାରଳାଖେମୁଣ୍ଡି ସହର ଏହି ଜିଲ୍ଲାର ଅନ୍ତର୍ଗତ | ବ୍ରହ୍ମପୁର ଠାରେ ସ୍ଥାପିତ ହୋଇଥିବା ମେଡିକାଲ କଲେଜଟିର ନାମ ମଧ୍ୟ ଓଡିଶାବାସୀ ଶ୍ରଦ୍ଧାରେ ରଖିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ (MKCG Medical College) | ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ମହାରାଜାଙ୍କ ସମ୍ମାନାର୍ଥେ ତାଙ୍କର ପ୍ରତିଛବି ବହନ କରୁଥିବା ଟଙ୍କିକିଆ ଡାକଟିକେଟ୍ ପ୍ରଚଳନ କରାଗଲା | ୧୯୭୦ ମସିହାରେ ଏକ ନାଗରିକ ସମ୍ବର୍ଦ୍ଧନା ସଭାରେ ମହାରାଜାଙ୍କୁ ‘ନବ-ଉତ୍କଳର ଜନକ’ ଉପାଧିରେ ଭୂଷିତ କରାଗଲା | ଭୁବନେଶ୍ବରର ଗଜପତି ନଗର, ଏ.ଜି. (Accountant General) ଛକ ଠାରେ ଓ ଓଡିଶା ବିଧାନସଭା ପରିସର ମଧ୍ୟରେ ଥିବା ପ୍ରତିମୂର୍ତ୍ତି, ଓ କଟକର ଓ.ଏମ୍.ପି. ଛକ ଠାରେ ଥିବା ଶିଶୁ ଉଦ୍ୟାନ ମହାରାଜାଙ୍କ ପ୍ରତି ଓଡିଶାର ଜନସାଧାରଣଙ୍କ ଶ୍ରଦ୍ଧାର ପ୍ରତୀକ | ଏହି ମହାନ ବ୍ୟକ୍ତିଙ୍କ ସ୍ମୃତିରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ ନିକଟ ଅତୀତରେ ବ୍ରହ୍ମପୁର ସହରରେ ଖୋଲା ଯାଇଥିବା ସରକାରୀ ଇଂଜିନିୟରିଂ କଲେଜର ନାମ ‘ପାରଳା ମହାରାଜା ଇଂଜିନିୟରିଂ କଲେଜ’ ରଖାଯାଇଛି | ମୋର ଗୋଚରରେ ନ ଥିବା ଓଡିଶାର ଆହୁରି କେତେକେତେ ଅଂଚଳ ଅଥବା ଅନୁଷ୍ଠାନ ନିଶ୍ଚୟ ମହାରାଜାଙ୍କ ନାମରେ ନାମିତ ହୋଇଥିବେ |


୧୯୭୪ ମସିହା ମେ ମାସ ୨୫ ତାରିଖ ଦିନ ମହାରାଜାଙ୍କର କର୍ମମୟ ଜୀବନର ଅବସାନ ଘଟିଲା | ଆଜି ଶୁଭ ଜୟନ୍ତୀ ଦିବସ ଅବସରରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଂଜଳି |



Rate this content
Log in

Similar oriya story from Inspirational