STORYMIRROR

Shakti Prasad Das

Others

4  

Shakti Prasad Das

Others

ଶ୍ରମିକ ଦିବସ ଓ ସାମ୍ୟବାଦର ଉଦ୍ଗାତା କାର୍ଲ୍ ମାର୍କ୍ସ

ଶ୍ରମିକ ଦିବସ ଓ ସାମ୍ୟବାଦର ଉଦ୍ଗାତା କାର୍ଲ୍ ମାର୍କ୍ସ

10 mins
21



କରୋନାର ପ୍ରାଦୁର୍ଭାବ ଟିକିଏ ଥମିଛି କି ନାହିଁ, ପୃଥିବୀ ଏକ ଭୟଂକର ଯୁଦ୍ଧ-ସଂକଟ (ଋଷ-ୟୁକ୍ରେନ୍) ମଧ୍ୟକୁ ଠେଲି ହୋଇଗଲା | ଏବେ ମଧ୍ୟ କରୋନାର ପ୍ରାଦୁର୍ଭାବ ସମ୍ପୂର୍ଣ୍ଣ ଯାଇନାହିଁ କି ତା ଯୋଗୁ ଘଟିଥିବା କ୍ଷୟକ୍ଷତିର ଛାପ ପୂର୍ଣ୍ଣମାତ୍ରାରେ ଲିଭିନାହିଁ | ସେହି ପରିସ୍ଥିତି ମଧ୍ୟରେ ଆମେ ମଧ୍ୟପ୍ରାଚ୍ୟରେ ଆଉ ଏକ ଗୁରୁତର ଯୁଦ୍ଧର ଘନଘଟା (ଇସ୍ରାଏଲ୍-ହାମାସ୍) ଦେଖିବାକୁ ବାଧ୍ୟ ହେଲୁ | ଏହି ଯୁଦ୍ଧରେ ଅନେକ ରାଷ୍ଟ୍ର ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ସଂଶ୍ଲିଷ୍ଟ ହେବା ପାଇଁ ବାଧ୍ୟ ହେଲେ | ଜଳବାୟୁର ଅବାଂଛିତ ପରିବର୍ତ୍ତନ, ସାମରିକ ମେଣ୍ଟ ଗଠନ ପାଇଁ ବିଭିନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ଛକାପଂଝା, ଆର୍ଥିକ ମାନ୍ଦାବସ୍ଥା ଓ ଚାକିରିରୁ ଛଟେଇ ଆଦି ବହୁବିଧ ସମସ୍ୟା ସହିତ ମଣିଷ ସମାଜ ଯୁଝୁଛି | ତା’ରି ମଧ୍ୟରେ ଆଜି ଶ୍ରମିକ ପାଇଁ ଉତ୍ସବ ମନାଇବାର ଦିନ | ଆଜି କେବଳ ଓଡିଶାରେ ନୁହେଁ, ସାରା ଭାରତରେ ତଥା ବିଶ୍ବର ଅନେକ ଦେଶରେ ଏହି ଦିବସ ପାଳିତ ହେଉଛି | ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ | ଶ୍ରମ ଶବ୍ଦର ଅର୍ଥ ଅତି ବ୍ୟାପକ | କୃଷକ କୃଷିକ୍ଷେତ୍ରରେ ଶ୍ରମରତ; ଶିଳ୍ପଶ୍ରମିକ କଳକାରଖାନାରେ ଶ୍ରମଦାନ କରୁଛି; ସହରରେ ରିକ୍ସାଚାଳକଟିଏ ବା ଚାହା ଦୋକାନୀଟିଏ ଶ୍ରମ କରି ତା’ର ଜୀବିକା ନିର୍ବାହ କରିବା ସହ ସମାଜକୁ କିଛି ସେବା ଯୋଗାଇ ଦେଉଛି | ଏପରିକି ପୋଲିସ୍, ରାଜନେତା, ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ୍, ବ୍ୟାଙ୍କ କର୍ମଚାରୀ ଆଦି ମଧ୍ୟ ନିଜର ଜୀବିକା ନିର୍ବାହ କରିବା ସହିତ ସମାଜକୁ ବିଭିନ୍ନ ସେବା ଯୋଗାଇବା ପାଇଁ ଶ୍ରମଦାନ କରୁଛନ୍ତି | ପରିଶ୍ରମ କରି ସତ୍-ଉପାୟରେ ନିଜର ଜୀବିକା ନିର୍ବାହ କରୁଥିବା ପ୍ରତ୍ୟେକ ଚରିତ୍ର ଜଣେ ଶ୍ରମଜୀବୀ | ଗୀତାରେ ଭଗବାନ କହିଛନ୍ତି-


ନ ହି କଶ୍ଚିତ୍ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ୍ |

କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ||      


କୌଣସି ମନୁଷ୍ୟ କୌଣସି ସମୟରେ କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରିବ ନାହିଁ | କାରଣ ସମସ୍ତ ପ୍ରାଣୀ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କ ଦ୍ବାରା ପରବଶ ହୋଇ କର୍ମ କରିବାକୁ ବାଧ୍ୟ | କିନ୍ତୁ, ଏହି ଶ୍ରମ ଦ୍ବାରା ସମାଜର କୌଣସି ଆବଶ୍ୟକତା ପୂରଣ ହେଉଥିଲେ ଅଥବା ମଂଗଳ ସାଧିତ ହେଉଥିଲେ ହିଁ ଶ୍ରମ କରୁଥିବା ବ୍ୟକ୍ତି ଶ୍ରମିକ ପଦବାଚ୍ୟ | ଏହି ପଦବୀ କେବଳ ପରିଶ୍ରମ ଦ୍ବାରା ଲାଭ କରାଯାଇପାରେ | 


ଶ୍ରମଜୀବୀ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଶ୍ରମିକଦିବସ ପାଳନ କରାଯାଏ | ଯଦିଓ ସମାଜର ହିତ ପାଇଁ ଉପରୋକ୍ତ ବିଭିନ୍ନ କିସମର ଶ୍ରମଦାନ କରୁଥିବା ବ୍ୟକ୍ତି ଜଣେ ଜଣେ ଶ୍ରମିକ, ତେବେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ବଂଚିତ ଶ୍ରମଜୀବୀଟିର ଜୟଗାନ କରିବା ଓ ତା ପ୍ରତି କୃତଜ୍ଞତା ଜ୍ଞାପନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ | ଏ ପ୍ରକାରର ଶ୍ରମଜୀବୀମାନଙ୍କ ମଧ୍ୟରେ ଏକ ପ୍ରମୁଖ ବର୍ଗ ହେଲେ କୃଷକ ଓ କଳକାରଖାନାରେ କାମ କରୁଥିବା ଶ୍ରମିକ | ତେବେ ନିଜ ଜମିରେ ନିଜେ ଚାଷ କରୁଥିବା ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ସବୁବେଳେ ସ୍ବଚ୍ଛଳ ନ ହୋଇଥିଲେ ବି ସ୍ବାଧୀନ, କାହାର ଶ୍ରମିକ ନୁହେଁ | ତେବେ ମାଲିକର ଜମିରେ ଭାଗଚାଷ କରୁଥିବା ଚାଷୀଟି ଜଣେ କୃଷି-ଶ୍ରମିକ | କୃଷି କାର୍ଯ୍ୟରେ ଶ୍ରମିକ କେତେ ସ୍ଥାନରେ ଅବହେଳିତ ବା ଶୋଷିତ ହେଉଥିଲେ | ଯୁକ୍ତରାଷ୍ଟ୍ର ଆମେରିକାର ଗୃହଯୁଦ୍ଧ ଏହି କାରଣରୁ ଉଦ୍ଭୂତ ହୋଇଥିଲା | ଏହାର ଦକ୍ଷିଣରେ ଅବସ୍ଥିତ ରାଜ୍ୟଗୁଡିକର ବ୍ୟାପକ କୃଷିକ୍ଷେତ୍ର ଥିଲା ଏବଂ ଏଥିରେ କୃଷି କରିବା ପାଇଁ ବହୁ ସଂଖ୍ୟାରେ କୃଷିଶ୍ରମିକଙ୍କ ଆବଶ୍ୟକତା ଦୃଷ୍ଟିରୁ ଭୂସ୍ବାମୀମାନେ କ୍ରୀତଦାସ ପ୍ରଥାର ସମର୍ଥନ କରୁଥିଲେ | ଏହି କ୍ରୀତଦାସମାନେ ବ୍ୟାପକ ନିର୍ଯ୍ୟାତନା ଓ ଶୋଷଣର ଶିକାର ହେଉଥିବାରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ଆପ୍ରାଣ ଚେଷ୍ଟା କରି ଦେଶରୁ ଦାସତ୍ବ ପ୍ରଥା ଉଚ୍ଛେଦ କଲେ | ଦାସତ୍ବ ପ୍ରଥା ଉଚ୍ଛେଦ ହେବା ପରେ ମଧ୍ୟ କୃଷିଶ୍ରମିକର ବହୁବିଧ ସମସ୍ୟା ରହିଲା | କିନ୍ତୁ, ମୁକ୍ତାକାଶ ତଳେ ସମ୍ପାଦିତ ହେଉଥିବା କୃଷିକର୍ମରେ କର୍ମକ୍ଷେତ୍ରର ଭୌଗଳିକ ବ୍ୟାପ୍ତି ଅଧିକ ଥିଲା ଓ କୃଷିଶ୍ରମିକକୁ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହେବାକୁ ପଡୁନଥିଲା | ଫଳରେ କାର୍ଯ୍ୟସ୍ଥଳ ଉପରେ ମାଲିକର ନିୟନ୍ତ୍ରଣ ଓ ତଦ୍-ଜନିତ ଶ୍ରମିକ-ଉତ୍ପୀଡନ ସୀମିତ ଥିଲା | 


କିନ୍ତୁ, ଏହାପରେ ୟୁରୋପରେ ଶିଳ୍ପବିପ୍ଲବ ଆରମ୍ଭ ହୋଇଗଲା | ଅପେକ୍ଷାକୃତ ସୀମିତ ଭୂମି ଉପରେ ଅଧିକ ପୁଂଜି ଖଟାଇ କଳକାରଖାନା ତିଆରି କରାଗଲା | ପୁଂଜିର ସୁରକ୍ଷା ଓ କାର୍ଯ୍ୟସ୍ଥଳ ଉପରେ ଅଧିକ ନିୟନ୍ତ୍ରଣ ପାଇଁ କାରଖାନା ପରିସରକୁ ସୁଦୃଢ ପ୍ରାଚୀର ଓ ପ୍ରକାଣ୍ଡକାୟ ଫାଟକ ଦ୍ବାରା ଆବଦ୍ଧ କରି ଦିଆଗଲା | ମୁକ୍ତାକାଶ ତଳେ କାମ କରୁଥିବା କୃଷିଶ୍ରମିକଟି ଅଧିକ ମଜୁରି ଅନ୍ବେଷଣରେ ଏହି ଫାଟକ ମଧ୍ୟରେ ପ୍ରବେଶ କଲା | ଖରା-ବର୍ଷା-ଶୀତର ପ୍ରକୋପ ଓ ମୁଣ୍ଡଫଟା ପରିଶ୍ରମ ସତ୍ତ୍ବେ ମାଟି, ପାଣି, କାଦୁଅ, ଗଛ, ଫସଲ, ପଶୁପକ୍ଷୀ, ନଈନାଳର ସଂସ୍ପର୍ଷରୁ ଯେଉଁ ନୈସର୍ଗିକ ଆନନ୍ଦ ତାକୁ ମିଳୁଥିଲା, ତାହା ତାକୁ ନିର୍ଜୀବ ମେସିନର ଅହର୍ନିଶ ଘର୍ଘର ଶବ୍ଦରୁ ଆଉ ମିଳିଲା ନାହିଁ | ଅଧିକନ୍ତୁ, ଅଧିକ ଲାଭର ଦୁରାଗ୍ରହରେ କାରଖାନାର ମାଲିକ ତା’ର ପ୍ରତିନିଧି (agent)-ମାନଙ୍କ ମାଧ୍ୟମରେ ଶ୍ରମିକ ଠାରୁ କମରୁ କମ ପାରିଶ୍ରମିକରେ ବେଶିରୁ ବେଶି କାମ ଆଦାୟ କରିବାରେ ତତ୍ପର ହେଲା | କାର୍ଯ୍ୟସ୍ଥଳରେ ଶ୍ରମିକର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ଅନାବଶ୍ୟକ ବ୍ୟୟ ଭାବେ ବିବେଚନା କରାଗଲା | ଶ୍ରମିକଟିକୁ ବେଶିରୁ ବେଶି ସମୟ କାରଖାନାରେ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା | ଫଳରେ ଶ୍ରମିକର ଜୀବନ ପୁଂଜିପତିର ଲୋଭ ଓ ନିର୍ଜୀବ ଯନ୍ତ୍ରର ଯାନ୍ତ୍ରିକତା ମଧ୍ୟରେ ପେଶି ହେବା ପାଇଁ ଲାଗିଲା | ଅତ୍ୟଧିକ କାର୍ଯ୍ୟସମୟ ଓ ତଦ୍-ଜନିତ ଚାପ, ଅସ୍ବାସ୍ଥ୍ୟକର କାର୍ଯ୍ୟସ୍ଥଳ, କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା (ଓ ତଦ୍-ଜନିତ କ୍ଷତି, ଅଂଗହାନି ଅଥବା ପ୍ରାଣହାନି) ଆଦି ଶ୍ରମିକର ଜୀବନକୁ ଦୁର୍ବିସହ କରିବାକୁ ଲାଗିଲା |


ୟୁରୋପ ସଂଗରେ ତାଳ ଦେଇ ଆମେରିକାରେ ମଧ୍ୟ ଶିଳ୍ପର ପ୍ରସାର ହେବାକୁ ଲାଗିଲା | ପୁଂଜିପତିର ଲୋଭ ସହିତ ତାଳ ଦେଇ ଯାନ୍ତ୍ରିକ ସଭ୍ୟତାର ପ୍ରସାର ହେଲା ଓ ଏହା ସହିତ ଶ୍ରମିକଟିର ସୁଖ-ସ୍ବାଚ୍ଛନ୍ଦ୍ୟ, ନିରାପତ୍ତା ଓ ଏକ ଅର୍ଥପୂର୍ଣ୍ଣ ଜୀବନ ବଂଚିବାର ଅଧିକାର ସାଂଘାତିକ ଭାବେ ସଂକୁଚିତ ହେବାପାଇଁ ଲାଗିଲା | ଏହା ବିରୋଧରେ ୧୮୬୬ ମସିହା ମେ ମାସ ପହିଲାରେ ଆମେରିକାର ଚିକାଗୋ ସହରରେ ଶିଳ୍ପଶ୍ରମିକମାନେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | କାରଖାନାରେ ଦୈନିକ ଶ୍ରମଦାନର ସମୟକୁ ୮ (ଆଠ) ଘଣ୍ଟାରେ ସୀମିତ ରଖିବା ଶ୍ରମିକମାନଙ୍କର ମୁଖ୍ୟ ଦାବି ଥିଲା | ଏହା ସହ ସେମାନେ ନିରାପଦ ଓ ସ୍ବାସ୍ଥ୍ୟପ୍ରଦ କାର୍ଯ୍ୟସ୍ଥଳ ପାଇଁ ମଧ୍ୟ ଦାବି ଜଣାଇଥିଲେ | ଏହି ବିକ୍ଷୋଭ ଦ୍ରୁତଗତିରେ ଆମେରିକାର ବିଭିନ୍ନ ଶିଳ୍ପସମୃଦ୍ଧ ଅଂଚଳକୁ ବ୍ୟାପିଗଲା | ଅନେକ ସ୍ଥାନରେ ପୋଲିସ ସହିତ ଶ୍ରମିକମାନଙ୍କର ଧସ୍ତାଧସ୍ତି ହେଲା | ମେ ୩ (ତିନି) ତାରିଖରେ ୬ (ଛଅ) ଜଣ ଶ୍ରମିକ ପୋଲିସ ଗୁଳିରେ ପ୍ରାଣ ହରାଇଲେ | ଆଇନଭଂଗ, ଦଂଗା ଓ ତଦ୍-ଜନିତ କ୍ଷୟକ୍ଷତି ଅଭିଯୋଗରେ ଶ୍ରମିକନେତାମାନଙ୍କୁ ଗିରଫ କରାଗଲା ଓ ତାଙ୍କ ଉପରେ ମୋକଦ୍ଦମା ଚାଲିଲା | ୧୮୬୭ ମସିହା ନଭେମ୍ବର ମାସ ଏଗାର ତାରିଖରେ ୪ (ଚାରି) ଜଣ ଶ୍ରମିକନେତାଙ୍କୁ ଫାଶୀଦଣ୍ଡ ମିଳିଲା | କିନ୍ତୁ, ଏହି ସଂଘର୍ଷ ଓ ବଳିଦାନ ବ୍ୟର୍ଥ ଗଲାନାହିଁ | ଦୈନିକ କାମ କରିବାର ସମୟକୁ ୮ (ଆଠ) ଘଣ୍ଟାରେ ସୀମିତ ରଖିବା ପାଇଁ ଆବଶ୍ୟକ ଆଇନ ୟୁରୋପ ଓ ଆମେରିକାରେ ପାରିତ ହେଲା | ଏହି ସଂଗ୍ରାମର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଓ ଶ୍ରମିକ ପ୍ରତି ସମାଜର କୃତଜ୍ଞତା ଜ୍ଞାପନ କରିବା ପାଇଁ ପୃଥିବୀର ଅନେକ ଦେଶରେ ପ୍ରତି ବର୍ଷ ମେ ମାସ ପହିଲାରେ ଶ୍ରମିକ ଦିବସ ପାଳନ କରାଗଲା (ଓ ଏଯାବତ୍ କରାଯାଉଛି) |       


ଶ୍ରମିକଦିବସ ଉପରେ କୌଣସି ଆଲେଖ୍ୟ କାର୍ଲ୍ ମାର୍କ୍ସ ଓ ତାଙ୍କର ଇତିହାସ ପ୍ରସିଦ୍ଧ ‘କ୍ୟାପିଟାଲ୍’ (ଜର୍ମାନ ଭାଷାରେ- ‘Das Kapital’) ପୁସ୍ତକ ବିଷୟରେ ଆଲୋଚନା ବିନା ଅସମ୍ପୂର୍ଣ୍ଣ ରହିଯାଇପାରେ | ଏଣୁ ଏଗୁଡିକ ଉପରେ ଏକ ବିହଂଗାବଲୋକନ କରାଯାଉ |


ମାର୍କ୍ସଙ୍କର ଦୁଇଟି ବଳିଷ୍ଠ ଦର୍ଶନ ତାଙ୍କର ଉପରୋକ୍ତ ପୁସ୍ତକରେ ସନ୍ନିବେଶିତ | ଗୋଟିଏ ହେଲା- ‘ମାନବଜାତିର ଇତିହାସ ହେଉଛି ଶ୍ରେଣୀ-ସଂଘର୍ଷର ଇତିହାସ’ (‘The history of human race is the history of class struggle’) | ଏହି କ୍ଷୁଦ୍ର ବାକ୍ୟଟିରେ ମାର୍କ୍ସ ସମଗ୍ର ମାନବଜାତିର ଇତିହାସର ସ୍ବରୂପକୁ ସନ୍ନିବେଶିତ କରିବାର ପ୍ରୟାସ କରିଛନ୍ତି, ଯାହାର ଅନ୍ତର୍ନିହିତ ଭାବ-ବ୍ୟାପ୍ତି ପାଠକକୁ ଚକିତ କରେ |


ଦ୍ବିତୀୟ ଦର୍ଶନଟି ହେଲା ‘The Theory of Surplus Value of Labour’ | ଏହାକୁ ଟିକେ ବିସ୍ତାର କରି କହିଲେ- ‘The motivating force of capitalism is in the exploitation of labour, whose unpaid work is the ultimate source of profit and surplus value. The employer can claim right to the profits (new output value), because he/ she owns the productive capital assets (means of production), which are legally protected by the State through property rights. In producing capital (money) rather than commodities (goods and services), the workers continually reproduce the economic conditions by which they labour.’ | ଅନ୍ୟଶବ୍ଦରେ କହିଲେ ପୁଂଜିବାଦୀ ବ୍ୟବସ୍ଥାରେ ଶ୍ରମିକ ଯେତିକି ମଜୁରି ପାଏ, ତା’ଠୁ ଯଥେଷ୍ଟ ଅଧିକ ଲାଭ (ମୁନାଫା) ମାଲିକକୁ ଦିଏ | ମଜୁରି ପାଇ କୌଣସି ଶ୍ରମିକ ଗୋଟିଏରୁ ଦୁଇଟି ଘର, କିମ୍ବା ଗାଡି କରିବା ଦେଖାଯାଏ ନାହିଁ | କିନ୍ତୁ ସଚରାଚର ଦେଖାଯାଏ, ମାଲିକ (ପୁଂଜିପତି) ଗୋଟିଏ କାରଖାନାରୁ ବଢି ଅନେକ ଗୁଡିଏ କାରଖାନାର ମାଲିକ ହୋଇଥାଏ | ମାଲିକର ଅନ୍ୟାନ୍ୟ ଭୌତିକ ସୁଖସମୃଦ୍ଧି, ସମ୍ପତ୍ତିବାଡି ଅନୁରୂପ ଭାବେ ବଢି ଚାଲିଥାଏ | ମାଲିକର ଏହି ଅହେତୁକ ସମ୍ପତ୍ତି ବୃଦ୍ଧିର ମୂଳ କାରଣ କ’ଣ? ଏହା ହେଉଛି ସେହି- ‘surplus value of labour’ |


ଏହି ଦୁଇଟି ଦର୍ଶନ ଏତେ

ବଳିଷ୍ଠ ଓ ଯୁଗାନ୍ତକାରୀ ଥିଲେ ଯେ ଆତଙ୍କିତ ପୁଂଜିବାଦୀଙ୍କ ଚାପରେ କାର୍ଲ୍ ମାର୍କ୍ସଙ୍କୁ ଅନେକ ଦେଶ ନିଜ ମାଟିରେ ରହିବାର ସୁଯୋଗ ଦେଲେ ନାହିଁ | ୧୮୧୮ ମସିହାରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିବା ମାର୍କ୍ସ ୧୮୪୩ ମସିହା ଶେଷଆଡକୁ Prussia-ର ସରକାରଙ୍କ ଦ୍ବାରା ବିତାଡିତ ହୋଇ ଫ୍ରାନ୍ସରେ ଆଶ୍ରୟ ନେଲେ | ଫ୍ରାନ୍ସରେ ଅବସ୍ଥାନ କାଳରେ ୧୯୪୪ ମସିହା ବେଳକୁ ସେ ‘Economic and Philosophical Manuscripts’ ନାମରେ କ୍ରମିକ ଲେଖାମାନ ପ୍ରକାଶ କଲେ | ଏଥିରେ ସେ ସାମ୍ୟବାଦ ଓ ତା’ର ମାନବୀୟ ମୂଲ୍ୟବୋଧ ଉପରେ ବିଶଦ ଚର୍ଚ୍ଚା କରିଥିଲେ | ପ୍ୟାରିସ ଠାରେ ଅବସ୍ଥାନ କରୁଥିବା ସମୟରେ ସେ ଜର୍ମାନୀରେ ଜନ୍ମଗ୍ରହଣ କରିଥିବା ସମାଜବାଦୀ ଦାର୍ଶନିକ ଫ୍ରେଡ଼ରିକ୍ ଏଂଗେଲସଙ୍କ ସଂସ୍ପର୍ଶରେ ଆସିଥିଲେ | ଏହା କ୍ରମେ ବନ୍ଧୁତା ଓ ଅଚିରେ ସହଯୋଗିତାରେ ପରିଣତ ହୋଇଥିଲା ଓ ଏହି ସହଯୋଗିତା ଆଜୀବନ ଅତୁଟ ରହିଥିଲା | ସାମ୍ୟବାଦୀ ଚିନ୍ତାଧାରା ପାଇଁ ମାର୍କ୍ସଙ୍କୁ ୧୮୪୪ ମସିହାରେ ଫ୍ରାନ୍ସରୁ ବହିଷ୍କୃତ ହେବା ପାଇଁ ପଡିଲା | ଏହାପରେ ସେ ପ୍ରାୟ ତିନି ବର୍ଷ ପାଇଁ ବେଲଜିଅମର ରାଜଧାନୀ ବ୍ରସେଲସ୍ ଠାରେ ଆଶ୍ରୟ ଗ୍ରହଣ କଲେ | ଏହି ସମୟରେ ସେ ଏକ ପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତ କଲେ ଯାହା ତାଙ୍କ ମୃତ୍ୟୁ ଉପରାନ୍ତେ ‘The German Ideology’ ନାମରେ ପ୍ରକାଶିତ ହେଲା | ଏହି ପୁସ୍ତକରେ ମାର୍କ୍ସ ଶିଳ୍ପଭିତ୍ତିକ ପୁଂଜିବାଦର ବିଲୟ ଓ ସାମ୍ୟବାଦର ଅଭ୍ୟୁତ୍ଥାନ ଉପରେ ଆଲୋକପାତ କରିଥିଲେ | ବେଲଜିଅମର ସରକାର ମଧ୍ୟ ମାର୍କ୍ସଙ୍କ କାର୍ଯ୍ୟକଳାପରେ ବିଶେଷ ଖୁସି ନ ଥିଲେ | ଫଳରେ ତିନି ବର୍ଷର ରହଣି ଶେଷରେ ମାର୍କ୍ସ ନିଜ ସହଯୋଗୀ ଏଂଗେଲସଙ୍କ ସହିତ ଇଂଲାଣ୍ଡ ଅଭିମୁଖେ ପ୍ରସ୍ଥାନ କଲେ | ୧୮୮୩ ମସିହା ପର୍ଯ୍ୟନ୍ତ ଅବଶିଷ୍ଟ ଜୀବନ ମାର୍କ୍ସ ଇଂଲାଣ୍ଡରେ କଟାଇଥିଲେ | [ମଝିରେ ଅଳ୍ପଦିନ ପାଇଁ (୧୮୪୭-୧୮୪୮) ମାର୍କ୍ସ ପ୍ୟାରିସ ଓ ଜର୍ମାନୀ ଆସି ନିଜ ପୂର୍ବ କାର୍ଯ୍ୟକ୍ରମ ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଠାକାର ସରକାରଙ୍କ କୋପ ହେତୁ ଏଥିରେ ସଫଳ ନ ହୋଇ ପୁନଃ ଇଂଲାଣ୍ଡରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ | ସେଠାରେ ଅନେକ ଝଡଝଂଜା ଓ ଅଭାବ ମଧ୍ୟରେ ବନ୍ଧୁ ଫ୍ରେଡରିକ୍ ଏଂଗେଲସଙ୍କ ସାହଚର୍ଯ୍ୟ ଓ ଆର୍ଥିକ ସାହାଯ୍ୟ ଲାଭକରି ନିଜ କାମକୁ ଜାରି ରଖିଲେ |


୧୮୪୭ ମସିହାରେ ଏଂଗେଲସଙ୍କ ସହଯୋଗିତାରେ ସେ ‘Communist Manifesto’ ରଚନା କରିଥିଲେ, ଯାହା ଅନ୍ୟ ଏକ ଇତିହାସ ପ୍ରସିଦ୍ଧ ପୁସ୍ତକ |


ତା ୧୪ ମାର୍ଚ୍ଚ ୧୮୮୩ ରିଖ ଦିନ ଏହି ମହାନ ପୁରୁଷଙ୍କର ତିରୋଧାନ ହୋଇଥିଲା | ଏହି ବିଚ୍ଛେଦରେ ମର୍ମାହତ ଏଂଗେଲସ୍ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଅର୍ପଣ ପୂର୍ବକ କହିଥିଲେ-


“On the 14th of March, at a quarter to three in the afternoon, the greatest living thinker ceased to think. He had been left alone for scarcely two minutes, and when we came back, we found him in his armchair, peacefully gone to sleep- but for ever.


An immeasurable loss has been sustained by both the militant proletariat of Europe and America, and by historical science, in the death of this man. The gap that has been left by the departure of this mighty spirit will soon enough make itself felt.” 

 

ସେ ସମୟରେ ପୁଂଜିବାଦ ଯୋଗୁ ଇଉରୋପ୍ ଓ ଇଂଲାଣ୍ଡରେ ଉପୁଜିଥିବା ଉତ୍କଟ ସ୍ଥିତି ଓ ତାହାଯୋଗୁ ଶ୍ରମିକ ସମାଜର ଦୁରବସ୍ଥାକୁ ମାର୍କ୍ସ ତାଙ୍କ ‘Das Kapital’ ପୁସ୍ତକରେ ଯେଉଁ ପ୍ରକାରେ ଚିତ୍ରଣ କରିଛନ୍ତି, ତା’ର ଏକ ଝଲକ ନିମ୍ନରେ ପ୍ରଦତ୍ତ ହେଲା- 


“In the counties of Derbyshire, Nottinghamshire, and more particularly in Lancashire, the newly invented machinery was used in large factories built on the sides of streams capable of turning the water-wheel. Thousands of hands were suddenly required in these places, remote from towns; and Lancashire, in particular, being, till then, comparatively thinly populated and barren, a population was all that she now wanted. The small and nimble fingers of little children being by very far the most in request, the custom instantly sprang up of procuring apprentices from the different parish workhouses of London, Birmingham, and elsewhere. Many, many thousands of these little, hapless creatures were sent down into the north, being from the age of 7 to the age of 13 or 14 years old. xxxxxxx


Cruelty was, of course the consequence…… In many of the manufacturing districts, xxxx cruelties the most heart-rending were practised upon the unoffending and friendless creatures, who were thus consigned to the charge of master-manufacturers; they were harassed to the brink of death by excess of labour…. were flogged, fettered and tortured in the most exquisite refinement of cruelty;….. they were in many cases starved to the bone while flogged to their work and…. even in some instances…. were driven to commit suicide…. The beautiful and romantic valleys of Derbyshire, Nottinghamshire and Lancashire, secluded from the public eye, became the dismal solitudes of torture, and of many a murder. The profits of manufacturers were enormous; but this only whetted the appetite that it should have satisfied………


With the development of capitalist production during the manufacturing period, the public opinion of Europe had lost the last remnant of shame and conscience. The nations bragged cynically of every infamy that served them as a means to capitalistic accumulation.”  


ନିଜ ଜୀବନକାଳ ମଧ୍ୟରେ ମାର୍କ୍ସ ଅଶେଷ ଦୁଃଖକଷ୍ଟ ଭୋଗିଥିଲେ | ୧୮୧୮ ମସିହାରେ ସେ ଜର୍ମାନୀର ମୋସେଲ୍ ନଦୀ କୂଳରେ ଅବସ୍ଥିତ ଟ୍ରାଇଅର୍ ସହରରେ ଜନ୍ମଗ୍ରହଣ କରିଥିଲେ | ତାଙ୍କର ପୂରା ନାଁ ଥିଲା କାର୍ଲ୍ ହେନରିଚ୍ ମାର୍କ୍ସ | ସେ ଏକ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପିତା ଜଣେ ଖ୍ୟାତନାମା ଓକିଲ ଥିଲେ | ତାଙ୍କ ପତ୍ନୀ ଜେନୀ (Jenny von Westphalen) ଏକ ଆଭିଜାତ୍ୟ ସମ୍ପନ୍ନ ସମ୍ଭ୍ରାନ୍ତ ପରିବାରରୁ ଥିଲେ | କିନ୍ତୁ, ନିଜ ଆଦର୍ଶ ପଥରେ ଅଗ୍ରସର ହେବା ପାଇଁ ମାର୍କ୍ସ ଚରମ ଦାରିଦ୍ର୍ୟ ଓ ସରକାରୀ ଉତ୍ପୀଡନର ରାସ୍ତା ଆପଣାଇ ନେଇଥିଲେ | ଦାରିଦ୍ର୍ୟ ଯୋଗୁ ତାଙ୍କର ଛଅଟି ସନ୍ତାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା | କିନ୍ତୁ, ନିଜ ମୃତ୍ୟୁ ଉପରାନ୍ତେ ମାର୍କ୍ସ ଏକ ବିଶାଳ ଅନୁଷ୍ଠାନରେ ପରିଣତ ହେଲେ | ତାଙ୍କ ଦର୍ଶନ ପୃଥିବୀର ଅନେକ ଦେଶରେ ବନାଗ୍ନି ଭଳି ବ୍ୟାପିବାକୁ ଲାଗିଲା | ବହୁ ଦେଶର ନେତୃବୃନ୍ଦ ଓ ସାଧାରଣ ଜନତାଙ୍କୁ ଏହି ଦର୍ଶନ ଉଦ୍ବୁଦ୍ଧ କଲା | ସାମ୍ୟବାଦ ପୃଥିବୀରେ ପ୍ରସାରିତ ହେବାକୁ ଲାଗିଲା | ପୂର୍ବ ୟୁରୋପର ଅଧିକାଂଶ ରାଷ୍ଟ୍ର, USSR, ଚୀନ୍, ଭିଏତନାମ୍, କ୍ୟୁବା ଆଦି ଅନେକ ଦେଶରେ ସାମ୍ୟବାଦୀ ସରକାର ଗଠନ ହେଲା | ଏପରିକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଇଂଲାଣ୍ଡ ଭଳି ଏକ ରକ୍ଷଣଶୀଳ ଦେଶର ଜନତା ଉଇନଷ୍ଟନ୍ ଚର୍ଚ୍ଚିଲଙ୍କ ଭଳି ବ୍ୟକ୍ତିତ୍ବଙ୍କୁ (ଯିଏ ବିଶ୍ବଯୁଦ୍ଧ ସମୟରେ ଇଂଲାଣ୍ଡକୁ ନେତୃତ୍ବ ଦେଇଥିଲେ) ପ୍ରତ୍ୟାଖ୍ୟାନ କରି ଲେବର୍ ପାର୍ଟି ହାତରେ କ୍ଷମତା ଅର୍ପଣ କଲେ (ଏବଂ ଏହି ପାର୍ଟି କ୍ଷମତାରେ ଥିବା ସମୟରେ ଭାରତ ସ୍ବାଧୀନତା ଲାଭ କରିଥିଲା) |


‘Das Kapital’ ପୁସ୍ତକ ବିଷୟରେ ଫ୍ରେଡ଼ରିକ୍ ଏଂଗେଲସ୍ ଯାହା କହିଛନ୍ତି, ତାହା ପ୍ରଣିଧାନ ଯୋଗ୍ୟ-


“Das Kapital is often called, on the Continent, ‘The Bible of the Working Class’. That the conclusion arrived at in this work are daily more and more becoming the fundamental principles of the great working-class movement, not only in Germany and Switzerland, but in France, in Holland and Belgium; in America, and even in Italy and Spain; that everywhere the working class more and more recognises, in these conclusions, the most adequate expression of its condition and of its aspiration, nobody acquainted with that movement shall deny.”


‘Das Kapital’ ଓ ‘Communist Manifesto’ ବ୍ୟତୀତ ମାର୍କ୍ସଙ୍କ ଦ୍ବାରା ରଚିତ ଅନ୍ୟ କେତେକ ପ୍ରସିଦ୍ଧ ପୁସ୍ତକ ହେଲା- ‘The Class Struggles in France’, “The 18th Brumaire of Louis Bonaparte’, ‘Grundrisse’, ଓ ‘Theories of Surplus Value’ |  

 

ଶ୍ରମଜୀବୀ ମଣିଷ ପାଇଁ ମାର୍କ୍ସଙ୍କର ଆଜୀବନ ତ୍ୟାଗ ଓ ସାଧନା ଫଳରେ ଶ୍ରମିକସମାଜର ଅଶେଷ ମଂଗଳ ହୋଇଛି | ଲଗାମଛଡା ପୁଂଜିବାଦର ବିଷ ପରିଣାମ ସମ୍ପର୍କରେ ବିଶ୍ବ ସଚେତନ ହୋଇଛି ଓ ସର୍ବହରା ମଣିଷଟିଏ ତାର ପରାଧୀନତା ଓ ଅସହାୟତାର ଶ୍ରୁଂଖଳ ହରାଇ ପାରିବାର ସ୍ବପ୍ନ ଦେଖୁଛି | ଆଜି ମଧ୍ୟ ବ୍ୟକ୍ତି ସ୍ବାଧୀନତା ଓ ବ୍ୟକ୍ତିଗତ ପ୍ରତିଭାର ବିକାଶ ପାଇଁ ସୁଯୋଗ ସହିତ ସାମ୍ୟବାଦର ଉପଯୁକ୍ତ ସମନ୍ବୟ ଆଦର୍ଶ ରାଷ୍ଟ୍ର ଗଠନର ପ୍ରତିଶ୍ରୁତି ବହନ କରୁଛି | ଶ୍ରମିକଦିବସ ଅବସରରେ ଏହି ଯୁଗପୁରୁଷଙ୍କୁ ଓ ଶ୍ରମଜୀବୀ ମଣିଷକୁ ଅନେକ ଅନେକ ପ୍ରଣାମ |


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୦୧-୦୫-୨୦୨୪, ବୁଧବାର



Rate this content
Log in