ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ
ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ


ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ହେଲେ ଶ୍ରୀଯୁକ୍ତ ଗୋପାଳବଲ୍ଲଭ ଦାସ | ତାଙ୍କ ଝିଅ (ଅର୍ଥାତ୍ ମଧୁବାବୁଙ୍କ ଝିଆରି) ହେଲେ ରମାଦେବୀ | ରମାଦେବୀଙ୍କ ନାଁ ସହିତ ଓଡିଶାର ପ୍ରାୟ ସମସ୍ତେ ଊଣାଅଧିକେ ପରିଚିତ | ରାଜଧାନୀ ଭୁବନେଶ୍ବର ସହରର କେନ୍ଦ୍ରସ୍ଥଳ ବାଣୀବିହାର ନିକଟରେ ରମାଦେବୀଙ୍କ ନାଁ’ରେ ବିଶ୍ବବିଦ୍ୟାଳୟ ମଧ୍ୟ ରହିଛି | ୧୯୧୪ ମସିହାରେ ପ୍ରାୟ ପନ୍ଦର ବର୍ଷ ବୟସରେ ଏହି ମହିୟସୀ ମହିଳା ରମାଦେବୀ ଯାହାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ, ସେ ହେଉଛନ୍ତି ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ | ଉତ୍କଳର ମଣି ଗୋପବନ୍ଧୁ ଦାସଙ୍କ ସହ ସମାନ ନାମ ବହନ କରୁଥିବାରୁ ଗୋପବନ୍ଧୁ ଚୌଧୁରୀଙ୍କ ନାମ ଓ କୃତି କିଛି ପରିମାଣରେ ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି | କିନ୍ତୁ, ସେ ମଧ୍ୟ ଥିଲେ ଜଣେ ମହାନ ତ୍ୟାଗୀ, ମହାନ ସ୍ବାଧୀନତା ସଂଗ୍ରାମୀ ଓ ଜଣେ ମହାନ ସଂଗଠକ | ନିଜର ସର୍ବତ୍ୟାଗୀ ଆଦର୍ଶ ଜୀବନ ଯୋଗୁଁ ସେ ଲୋକମାନଙ୍କ ପାଖରେ ପରିଚିତ ଥିଲେ ‘ଧୂଳିମାଟିର ସନ୍ଥ’ ଭାବେ; ତଥାପି ତାଙ୍କ ଅନନ୍ୟ ବ୍ୟକ୍ତିତ୍ବର ଏହି ରୋଚକ ବର୍ଣ୍ଣନାକୁ ଅଧିକ ଜନପ୍ରିୟ କରାଇଛନ୍ତି ପ୍ରଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତି |
୧୮୯୧ ମସିହା ମେ ମାସ ୮ ତାରିଖ ଥିଲା ବୈଶାଖ ପୂର୍ଣିମା | ସେହିଦିନ ଗୋପବନ୍ଧୁ ଚୌଧୁରୀ କଟକ ସହରରେ ଜନ୍ମଗ୍ରହଣ କରିଥିଲେ | ଘରେ ଅନେକ ଦିନ ଧରି ବିଦ୍ୟାଲାଭ କରିବା ପରେ ଦଶମ ଶ୍ରେଣୀରେ ସେ କଲିଜିଏଟ ସ୍କୁଲରେ ନାମ ଲେଖାଇଲେ ଓ ସେଠାରୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପରୀକ୍ଷା ପାସ କଲେ | ଏହା ପରେ ସେ ରେଭେନ୍ସା କଲେଜରେ ଏଫ୍.ଏ. (୧୯୧୦) ଓ ବି.ଏ. (୧୯୧୨) ପଢିଲେ | ତା ପରେ କଲିକତା ବିଶ୍ବ ବିଦ୍ୟାଳୟରୁ ଏମ୍.ଏ. (୧୯୧୪) ପାସ କଲେ |
ଗୋପବନ୍ଧୁଙ୍କ ବାପା ଗୋକୁଳାନନ୍ଦ ଚୌଧୁରୀ ଓ ରମାଦେବୀଙ୍କ ବାପା ଗୋପାଳବଲ୍ଲଭଙ୍କ ମଧ୍ୟରେ ଛାତ୍ରବେଳୁ ବନ୍ଧୁତା ଥିଲା | ଏହି ବନ୍ଧୁତା ଯଥା ସମୟରେ ଉଭୟ ପରିବାରକୁ ବିବାହ ବନ୍ଧନରେ ଆବଦ୍ଧ କଲା | ୧୯୧୪ ମସିହା ନଭେମ୍ବର ପହିଲା ଦିନ ଗୋପବନ୍ଧୁ ଓ ରମାଦେବୀଙ୍କର ବିଭାଘର ହେଲା | ୧୯୧୫ ମସିହାରେ ପୁଅ ମନମୋହନ ଚୌଧୁରୀ ଓ ୧୯୧୭ ମସିହାରେ ଝିଅ ଅନ୍ନପୂର୍ଣ୍ଣା ଜନ୍ମ ହେଲେ | ଗୋପବନ୍ଧୁଙ୍କ ସାନ ଭାଇ ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ କାଳରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ | ଗୋପବନ୍ଧୁ ପଦସ୍ଥ ପ୍ରଶାସନିକ ଅଧିକାରୀ ଥିଲେ | ଯାଜପୁରରେ ସେ ଥିଲେ ସେକେଣ୍ଡ୍ ଅଫିସର | ସ୍ବାଧୀନଚେତା ହୋଇଥିବାରୁ ଉପରିସ୍ଥ ଅଧିକାରୀମାନଙ୍କ ସହିତ ତାଙ୍କର ଅନେକ ସମୟରେ ମତାନ୍ତର ହେଉଥିଲା |
ଥରେ ଯାଜପୁରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବିଷୟରେ ସେ ଅବିକଳ ଯାହା ଦେଖିଥିଲେ, ତାହା ଲେଖି ସରକାରଙ୍କୁ ରିପୋର୍ଟ୍ ଦେଇଦେଲେ; କାରଣ ତାଙ୍କର ବିଚାର ଥିଲା- ‘ପ୍ରକୃତ ତଥ୍ୟ ରିପୋର୍ଟରେ ପ୍ରତିଫଳିତ ହେଲେ ଲୋକମାନଙ୍କର ଦୁର୍ଦ୍ଦଶା ମୋଚନ ପାଇଁ ସରକାରୀ କଳ ତତ୍ପର ହେବ’ | ପ୍ରଶାସନକୁ ସୁହାଇଲା ଭଳି ରିପୋର୍ଟ୍ କିପରି ତିଆରି କରାଯିବ, ସେ ବିଷୟରେ ଉପରିସ୍ଥ ହାକିମଙ୍କ ସହିତ ଗୋପବନ୍ଧୁ ପରାମର୍ଶ କରି ନ ଥିଲେ | ଏଣେ ବନ୍ୟାର ନିରାକରଣ ପାଇଁ ଅଥବା ବନ୍ୟା-ପୀଡିତ ଜନତାଙ୍କ କଷ୍ଟ ଲାଘବ କରିବା ପାଇଁ ଯାହା କରିବାର ଥିଲା, ପ୍ରଶାସନ ପକ୍ଷରୁ ଅନେକ ଦୋଷତ୍ରୁଟି ରହିଥିଲା | ରିପୋର୍ଟରେ ଏଗୁଡିକୁ ଘୋଡାଇବା ପାଇଁ ଗୋପବନ୍ଧୁ ଚେଷ୍ଟା କରି ନ ଥିଲେ | ତାଙ୍କର ଲକ୍ଷ୍ୟ ଥିଲା ଲୋକଙ୍କ ଦୁର୍ଦ୍ଦଶା ମୋଚନ |
ରିପୋର୍ଟ ଦେଖି ଉପରିସ୍ଥ ହାକିମ (ଏସ୍.ଡି.ଓ.) ଅତି କ୍ଷୁବ୍ଧ ହେଲେ | ପ୍ରଥମେ ଗୋପବନ୍ଧୁଙ୍କୁ ଡାକି ବୁଝାଇଲେ; କହିଲେ ତୁମେ ପିଲାଲୋକ | ଆଗକୁ ଅନେକ ଭବିଷ୍ୟତ ରହିଛି | ଏପରି ରିପୋର୍ଟ୍ ଦେଲେ ସରକାର କ୍ରୋଧିତ ହେବେ | ଆମେ ସରକାରଙ୍କ ଅନ୍ନରେ ପ୍ରତିପାଳିତ | ସରକାରଙ୍କ ସନ୍ତୋଷବିଧାନ ଆମର ପ୍ରମୁଖ କର୍ତ୍ତବ୍ୟ | ରିପୋର୍ଟ୍ ବଦଳାଇ ଦିଅ | ଯଦି କ’ଣ ଲେଖିବ, ଜାଣି ନ ପାରୁଛ, ମୁଁ ଡାକି ଦେଉଛି, ଲେଖ | କିନ୍ତୁ, ରିପୋର୍ଟ୍ ବଦଳାଇବାକୁ ଗୋପବନ୍ଧୁ ରାଜି ହେଲେ ନାହିଁ | କହିଲେ, ମୁଁ ନିଜ ବିବେକକୁ ପଚାରି ଲେଖିଛି | ହାକିମ ଖପ୍ପା ହେଲେ; କହିଲେ ଏହି ମନୋବୃତ୍ତି ଯୋଗୁଁ ଚାକିରିରେ ଘୋର ଅସୁବିଧା ଭୋଗ କରିବ | ସତକୁ ସତ, କିଛି ଦିନ ପରେ ଗୋପବନ୍ଧୁଙ୍କର ସମ୍ବଲପୁର ଜିଲ୍ଲାର ବରଗଡକୁ ବଦଳି ହୋଇଥିବାର ନିର୍ଦ୍ଦେଶନାମା ଆସିଲା | ଗୋପବନ୍ଧୁ ଅନୁଭବ କଲେ, ତାଙ୍କୁ ଏକ ଶାସ୍ତିଦାୟକ ଅବାଂଛିତ ଦାୟିତ୍ବ ଦିଆଯାଇଛି |
ଗୋପବନ୍ଧୁ କ୍ରମେ ଅନୁଭବ କଲେ, ସରକାରୀ ଚାକିରିରେ କଲମ ସବୁବେଳେ ସିଧା ଚଳାଇଲେ ହେବ ନାହିଁ; ଅନେକ ସମୟରେ ବଙ୍କାଟଙ୍କା କରି ଚଲାଇବାକୁ ପଡିବ; ନହେଲେ ତିଷ୍ଠି ହେବ ନାହିଁ | କିନ୍ତୁ, ବିବେକ ତାଙ୍କୁ କହିଲା- “ତୁ ଜନସାଧାରଣଙ୍କ ଟିକସ ପଇସାରେ ବେତନ ପାଉଛୁ | ସରକାରରେ କିଛି ଉଚ୍ଚ ପଦପଦବୀରେ ଥିବା ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ତୁ ଜନସାଧାରଣଙ୍କୁ ଧୋକା ଦେଇପାରିବୁ ନାହିଁ |” ଏହି ବିରୋଧାଭାସ ଓ ଅନ୍ତର୍ଦ୍ବନ୍ଦ୍ବ ମଧ୍ୟରେ ଗୋପବନ୍ଧୁ ନିତିଦିନ ହନ୍ତସନ୍ତ ହେବାକୁ ଲାଗିଲେ |
ସେତେବେଳକୁ ଭାରତରେ ଗାନ୍ଧିବାଦର ଯୁଗ | ମହାତ୍ମାଗାନ୍ଧୀ ଭାରତୀୟ ଜନମାନସର ଅଦ୍ବିତୀୟ ନେତା | ସେ ଦେଶବାସୀଙ୍କୁ ଶାନ୍ତିପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ପଥରେ ଅଗ୍ରସର କରାଉଥା’ନ୍ତି | ଉତ୍କଳମଣି ଗୋପବନ୍ଧୁ ଥିଲେ ତାଙ୍କର ଜଣେ ପଟ୍ଟଶିଷ୍ୟ | ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନକୁ ସାକାର କରିବା ପାଇଁ ସେ ଉତ୍କଳବାସୀଙ୍କୁ ବିଭିନ୍ନ ପଦକ୍ଷେପ ନେବା ନିମନ୍ତେ ଆହ୍ବାନ ଦେଉଥା’ନ୍ତି | ଉତ୍କଳମଣିଙ୍କର ଏହି ଆହ୍ବାନ ଗୋପବନ୍ଧୁ ଚୌଧୁରୀଙ୍କର କାନରେ ପଡିଲା | ଉତ୍କଳମଣି ପାଂଚଟି କଥା ଉପରେ ଗୁରୁତ୍ବ-ଆରୋପ କରି ଜନସାଧାରଣଙ୍କ ଠାରୁ ସହଯୋଗ ମାଗିଲେ | ସେଗୁଡିକ ହେଲା- ସରକାରୀ ଚାକିରି ଓ ସରକାରୀ ଓକିଲାତି ଛାଡିବା, ସରକାର-ପ୍ରଦତ୍ତ ଉପାଧି ବର୍ଜନ କରିବା, ସରକାରୀ ସ୍କୁଲ୍-କଲେଜ ପରିତ୍ୟାଗ କରିବା, ପ୍ରାଦେଶିକ କାଉନସିଲ୍ ଓ କେନ୍ଦ୍ର-ଆସେମ୍ବ୍ଲି ଛାଡିବା ଓ ବିଦେଶୀ ବସ୍ତ୍ର ବର୍ଜନ କରିବା | ଗୋପବନ୍ଧୁ ଚୌଧୁରୀଙ୍କ ସଂଶୟର ସମାଧାନ ବିଧାତା ସତେ ଯେମିତି ଏହି ଆହ୍ବାନରେ ସନ୍ନିବେଶିତ କରି ରଖିଥିଲେ |
ସେ ଆଉ ଘାଣ୍ଟି ନ ହୋଇ ୧୯୨୧ ମସିହା ଆରମ୍ଭରେ ସରକାରୀ ଚାକିରି ପରିତ୍ୟାଗ କଲେ | ଇସ୍ତଫା ପତ୍ରରେ ଲେଖିଲେ- “ଏହି ଚାକିରୀରେ ରହିଲେ ଆତ୍ମାର ବିକାଶ ହେବ ନାହିଁ | ତେଣୁ ମୁଁ ଇସ୍ତଫା ଦେଲି |” ସେ ସମୟରେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟିକାରୀ ପଦକ୍ଷେପ ଥିଲା | ଚାକିରି ଛାଡିବା ପରେ ଗୋପବନ୍ଧୁ କଂଗ୍ରେସ୍ ଆନ୍ଦୋଳନରେ ନିଜକୁ ସାମିଲ୍ କଲେ | ଗୋପବାବୁଙ୍କ ସାନଭାଇ ନବକୃଷ୍ଣ ଚୌଧୁରୀ ମଧ୍ୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ କଲେଜ ପଢା ଛାଡିଦେଲେ |
>
୧୯୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ; ଗାନ୍ଧିଜୀ ଓଡିଶା ଆସିଥାନ୍ତି | କାଠଯୋଡି ନଦୀ ପଠାରେ ଗାନ୍ଧିଜୀଙ୍କର ଏକ ବିରାଟ ସାଧାରଣ ସଭା ଆୟୋଜିତ ହେଇଥାଏ | ଏହି ଅବସରରେ ଗୋପବନ୍ଧୁଙ୍କ ପତ୍ନୀ ରମାଦେବୀ ମହାତ୍ମା ଗାନ୍ଧିଙ୍କୁ ଦର୍ଶନ କଲେ ଏବଂ ନିଜେ ଅରଟରେ କାଟି ନେଇଥିବା ସୂତାବଣ୍ଡଲଟିକୁ ଗାନ୍ଧିଜୀଙ୍କୁ ଅର୍ପଣ କଲେ | ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ ରମାଦେବୀଙ୍କୁ ସମ୍ମୋହିତ କଲା | ପରବର୍ତ୍ତୀ କାଳରେ ରମାଦେବୀ ନିଜର ଶହେ ଭରି ସୁନା ଗହଣାକୁ ଜାତୀୟ କଂଗ୍ରେସକୁ ଦାନ କରିଦେଇଥିଲେ | ପାଟମଠା ପିନ୍ଧିବା ପରିତ୍ୟାଗ କରି ସେ ଖଦଡ ଲୁଗା ପିନ୍ଧିଲେ |
ରମାଦେବୀ ଓ ସ୍ବାମୀ ଗୋପବନ୍ଧୁ ଅନେକ ସମୟରେ ଜଗତସିଂହପୁର ନିକଟସ୍ଥ ଅଳକା ଆଶ୍ରମରେ ରହି ଖଦୀର ପ୍ରସାର କରିବା, ଗ୍ରାମ୍ୟ ଅର୍ଥନୀତିକୁ ସ୍ବାବଲମ୍ବୀ କରିବା, କଂଗ୍ରେସ ପାଇଁ ସଭ୍ୟ ସଂଗ୍ରହ କରିବା ଆଦି ଦିଗରେ କର୍ମରତ ରହୁଥିଲେ | ଏହି ଆଶ୍ରମ ଥିଲା ଗାନ୍ଧିଜୀଙ୍କ ସତ୍ୟାଗ୍ରହର ଏକ ଅନନ୍ୟ ପ୍ରୟୋଗଶାଳା | ଜଗତସିଂପୁରର ସୋମନାଥ ହାଟ ନିକଟରେ ମାଛଗାଁ କେନାଲ୍ ଓ ମୃତ ଅଳକାନଦୀର ମଝିଆଁମଝି ଏକ ବିରାଟ ଆମ୍ବତୋଟା ଥିଲା | ଏହି ତୋଟାର ଜମି ମାଲିକ ଥିଲେ ଜମିଦାର ବଂଶୀଧର ପଟ୍ଟନାୟକ ଓ ଶ୍ରୀ ଦୁର୍ଗାଚରଣ ମହାପାତ୍ର (ସ୍ବାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ବାପା) | ସେମାନେ ଆଶ୍ରମ ଗଠନ ପାଇଁ ଜମି ଯୋଗାଇ ଦେଇଥିଲେ | ଉତ୍କଳମଣି ଗୋପବନ୍ଧୁ ୧୯୨୨ ମସିହା ଶ୍ରୀପଂଚମୀରେ ଏହି ଆଶ୍ରମର ଶୁଭାରମ୍ଭ କରିଥିଲେ | ଏହି ଆଶ୍ରମର ମୁଖ୍ୟ ସଂଚାଳକ ଥିଲେ ସନ୍ଥ ଗୋପବନ୍ଧୁ ଚୌଧୁରୀ ଓ ତାଙ୍କର ମୁଖ୍ୟ ସହଯୋଗୀ ଥିଲେ ଧର୍ମପତ୍ନୀ ରମାଦେବୀ | ଗାନ୍ଧିଜୀ ଯେତେବେଳେ ଲବଣ ସତ୍ୟାଗ୍ରହ ପାଇଁ ଡାକରା ଦେଲେ, ସେତେବେଳେ ଓଡିଶାର ବିଶିଷ୍ଟ ନାରୀନେତ୍ରୀ ସରଳାଦେବୀ ଲୁଣ ମାରିବା ପାଇଁ ଏହି ଆଶ୍ରମରୁ ଇଂଚୁଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ | ଆଚାର୍ଯ୍ୟ ବିନୋବା ତାଙ୍କର ଇତିହାସ ପ୍ରସିଦ୍ଧ ଭୂଦାନ ଆନ୍ଦୋଳନ ଏହି ଆଶ୍ରମରୁ ଆରମ୍ଭ କରିଥିଲେ | ୧୯୪୨ ମସିହାରେ ଯେତେବେଳେ ଗାନ୍ଧିଜୀ “ଇଂରେଜ, ଭାରତ ଛାଡ” ଡାକରା ଦେଲେ, ଜୟପ୍ରକାଶ ନାରାୟଣ ଏହି ଆଶ୍ରମରୁ ସତ୍ୟାଗ୍ରହ ଆରମ୍ଭ କରି ‘ଭାରତ ଛାଡ’ ଆନ୍ଦୋଳନକୁ ଅଧିକ ଗତିଶୀଳ କରାଇଥିଲେ | ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ଆଶ୍ରମ ଓଡିଶାର ସାବରମତୀ ଆଶ୍ରମ ଭାବେ ଖ୍ୟାତିଲାଭ କରିଥିଲା | ଏହିଠାରୁ ଗୋପବନ୍ଧୁ ଚୌଧୁରୀ, ତାଙ୍କ ସାନ ଭାଇ ନବକୃଷ୍ଣ ଚୌଧୁରୀ (ଯେ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ), ରମାଦେବୀ ଓ ମାଳତୀଦେବୀଙ୍କ (ନବକୃଷ୍ଣ ଚୌଧୁରୀଙ୍କ ପତ୍ନୀ) ରାଜନୈତିକ ଜୀବନର ମୂଳଦୁଆ ପଡିଥିଲା |
ଗୋପବନ୍ଧୁ ଚୌଧୁରୀ ତିନି ବର୍ଷ (୧୯୨୫-୧୯୨୮) ପାଇଁ କଟକ ଜିଲ୍ଲା ଡିଷ୍ଟ୍ରିକ୍ଟ ବୋର୍ଡର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ ଓ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ | ୧୯୨୯ ମସିହାରେ ସେ ପ୍ରାଦେଶିକ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୋଇଥିଲେ | ୧୯୩୦ ମସିହାରେ ସତ୍ୟାଗ୍ରହ ପରିଚାଳନା କରିବା ଓ ୧୪୪ ଧାରା ଭଂଗ କରିବା ଅପରାଧରେ ଗୋପବନ୍ଧୁଙ୍କୁ ସାତ ଦିନ ଜେଲ ଦଣ୍ଡ ହେଲା | ଜେଲ ଦଣ୍ଡ ଭୋଗି ବାହାରିବା ପରେ ପୁଣି ଗୋପବନ୍ଧୁ ବାଲେଶ୍ବର ଜିଲ୍ଲାରେ ଲବଣ ସତ୍ୟାଗ୍ରହକୁ ଜୋରଦାର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ | ଏଥର ବ୍ରିଟିଶ ସରକାର ଅଧିକ କଠୋର ହୋଇ ତାଙ୍କୁ ଦେଢ ବର୍ଷ କାରାରୁଦ୍ଧ କଲେ | ଏହି ଜେଲ ଦଣ୍ଡ ଭୋଗି ବାହାରିବା ପରେ ପୁଣି ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିବା ହେତୁ ୧୯୩୨ ମସିହା ଜାନୁୟାରୀ ମାସରେ ପୁନର୍ବାର କାରାବାସ ଲଭିଲେ | ସେହି ବର୍ଷ ସେପ୍ଟେମ୍ବର ମାସରେ ସେ ଜେଲରୁ ମୁକୁଳିଲେ | ୧୯୩୩ ମସିହା ମାର୍ଚ୍ଚ ମାସରେ କଲିକତାରେ ବସିବାକୁ ଥିବା ଜାତୀୟ କଂଗ୍ରେସର ଅଧିବେଶନରେ ଯୋଗଦେବା ପାଇଁ ଗୋପବନ୍ଧୁ ପଦଯାତ୍ରାରେ ବାହାରିଲେ | ଏଥିପାଇଁ ପୁନର୍ବାର ତାଙ୍କୁ ଗିରଫ କରାଗଲା ଓ ହଜାରିବାଗ ଜେଲକୁ ପଠାଇ ଦିଆଗଲା | ପ୍ରାୟ ବର୍ଷେ ପରେ ସେ ଅନ୍ୟାନ୍ୟ ରାଜନୈତିକ ବନ୍ଦୀମାନଙ୍କ ସହ ମୁକୁଳିଲେ | ଏହାର କିଛି କାଳ ପରେ ସେ ଯାଜପୁର ଜିଲ୍ଲାର ବରୀ ଅଂଚଳକୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରି ସେଠାରେ ଆଶ୍ରମ ସ୍ଥାପନା କରି ବସବାସ କଲେ | (ସେ ସମୟରେ ଏହା ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିଲା) | ବନ୍ୟା ସମୟରେ ଏହି ବରୀ ଅଂଚଳର ଦୁର୍ଦ୍ଦଶା ଅତୀତରେ ତାଙ୍କୁ ସରକାରୀ ଚାକିରି ପରିତ୍ୟାଗ କରି ସ୍ବାଧୀନ ଜୀବନ ଯାପନ କରିବାକୁ ପ୍ରେରଣା ଯୋଗାଇଥିଲା | ଏଣୁ ବରୀରେ ଥିବା ଦୁଧେଇ ନାଳ କଡରେ ପ୍ରରୟ ପାଂଚ ଏକର ଜମି ଉପରେ ଗୋପବନ୍ଧୁ ନିର୍ମାଣ କରିଥିଲେ “ଦୁଧେଇ ଆଶ୍ରମ” | ଏହା ସେ ଅଂଚଳରେ ଗୋପବନ୍ଧୁ-ରମାଦେବୀ ଆଶ୍ରମ ନାମରେ ମଧ୍ୟ ଜଣାଶୁଣା | ଗୋପବନ୍ଧୁ ଆଶ୍ରମ ଭିତରେ ଅନେକ ଗୁଡିଏ ପଣସ, ଆମ୍ବ, ବାହାଡା, ବାଉଁଶ ଆଦି ଗଛ ଲଗାଇଥିଲେ | ଆଳୁ, ଗହମ, ଚିନାବାଦାମ, ମାଣ୍ଡିଆ ଆଦି ଏଠାରେ ଚାଷ ହେଉଥିଲା | ପ୍ରାୟ ସବୁ କିସମର ପନିପରିବା ଉତ୍ପାଦନ ହେଉଥିଲା | ବିଶେଷ କରି ଆଶ୍ରମରେ ଫଳୁଥିବା ଅମୃତଭଣ୍ଡା ଓ ବିଲାତି ବାଇଗଣ ଦ୍ବାରା ରମାଦେବୀ ଅତିଥି ସତ୍କାର କରୁଥିଲେ | ଆଶ୍ରମ-ଜୀବନ ଉପରେ ଗୋପବନ୍ଧୁ-ରମାଦେବୀଙ୍କ ପ୍ରଭାବ ଏଯାବତ୍ ରହିଛି | ସେମାନେ ପ୍ରବର୍ତ୍ତିତ କରିଥିବା ଜୈବିକ କୃଷି ପ୍ରଣାଳୀ ଆଜି ମଧ୍ୟ ଆଶ୍ରମରେ ଅନୁସୃତ | ଗୋବର ଖତ, ଜିଆ ଖତ, ଗୋମୂତ୍ରରୁ ତିଆରି କୀଟନାଶକ ଆଦି ଆଶ୍ରମରେ ଉତ୍ପାଦିତ ହୋଇ ପାଖାପାଖି ଅଂଚଳକୁ ଅନୁପ୍ରାଣିତ କରୁଛି | ମା ଓ ନବଜାତ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ପାଇଁ ଗୋପବନ୍ଧୁ ଉକ୍ତ ଅଂଚଳର ଔରଂଗାବାଦ ମୌଜାରେ ସେବାଘର ନାମରେ ପ୍ରସୂତି କେନ୍ଦ୍ର ସ୍ଥାପନ କରିଥିଲେ | ଶିକ୍ଷାର ପ୍ରସାର ପାଇଁ ନିକଟସ୍ଥ ରାମଚନ୍ଦ୍ରପୁର ଠାରେ ଏକ ବେସିକ୍ ସ୍କୁଲ୍ ଖୋଲାଇଥିଲେ, ଏବଂ ପରବର୍ତ୍ତୀ କାଳରେ ଏହି ଅଂଚଳରେ ଗୋପବନ୍ଧୁଙ୍କ ନାମରେ ଏକ କଲେଜ ମଧ୍ୟ ଗଢି ଉଠିଥିଲା |
ଶେଷ ଜୀବନ ପର୍ଯ୍ୟନ୍ତ ଗୋପବନ୍ଧୁ ଅନେକ ଜନହିତକର କାର୍ଯ୍ୟରେ ସମ୍ପୃକ୍ତ ରହିଥିଲେ | ଅବଶେଷରେ ୧୯୫୮ ମସିହା ଏପ୍ରିଲ ମାସ ୨୯ ତାରିଖ ଦିନ ଏହି ମହାନ ଦେଶସେବକଙ୍କର କଟକ ଥୋରିଆସାହି ସ୍ଥିତ ଆଶ୍ରମରେ ପରଲୋକ ହୋଇଥିଲା | ଜୟନ୍ତୀ ଦିବସ ଅବସରରେ ବିନମ୍ର ଶ୍ରଦ୍ଧା⁰ଜଳି |
ଇଂ ଶକ୍ତି ପ୍ରସାଦ ଦାସ
ମହାନଦୀ ବିହାର, କଟକ
ତା ୦୮-୦୫-୨୦୨୪, ବୁଧବାର
[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୦୮-୦୫-୨୦୨୩ ରିଖ, ସୋମବାର (୨) ତା ୦୮-୦୫-୨୦୨୨, ରବିବାର (୩) ତା ୦୮-୦୫-୨୦୨୧ ରିଖ, ଶନିବାର, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ |