STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ଉଲଗୁଲାନର ମହାନାୟକ - ସୁରେନ୍ଦ୍ର ସାଏ

ଉଲଗୁଲାନର ମହାନାୟକ - ସୁରେନ୍ଦ୍ର ସାଏ

13 mins
379



ଆଜି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କର ଶୁଭ ଜୟନ୍ତୀ ଦିବସ | ସୁରେନ୍ଦ ସାଏ ୧୮୦୯ ମସିହା ଜାନୁୟାରୀ ୨୩ ତାରିଖ ଦିନ ସମ୍ବଲପୁର ସହର ଠାରୁ ପ୍ରାୟ ୩୦ କି.ମି. ଦୂରରେ ଥିବା ଖିଣ୍ଡା ଗ୍ରାମରେ ଭୂମିଷ୍ଠ ହୋଇଥିଲେ | ସେ ଥିଲେ ସମ୍ବଲପୁରର ଚୌହାଣ ରାଜବଂଶର ଜଣେ ଦାୟାଦ | ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଚୌହାଣ ରାଜବଂଶ ଉତ୍ତର ଭାରତର ମୈନପୁର ରାଜ୍ୟରୁ ଆସି ପଶ୍ଚିମ ଓଡିଶାରେ ନିଜ ରାଜ୍ୟ ପ୍ରତିଷ୍ଠା କରି ତା’ର ନାଁ ‘ପାଟଣା’ ରଖିଥିଲେ, ଯାହାର ରାଜଧାନୀ ଥିଲା ପାଟଣାଗଡ | ଏହି ରାଜବଂଶୀମାନେ ଦିଲ୍ଲୀଶ୍ବର ପୃଥ୍ବୀରାଜ ଚୌହାନଙ୍କର ବଂଶଧର ଥିଲେ | ଷୋଡଶ ଶତାବ୍ଦୀରେ ପାଟଣା ରାଜ୍ୟର ଚୌହାଣ ରାଜା ଥିଲେ ବଳରାମ ଦେବ | ନିଜ ବୀରତ୍ବ ଓ ରାଜ୍ୟ-ସମ୍ପ୍ରସାରଣ ନୀତି ଦ୍ବାରା ସେ ସମ୍ବଲପୁର ଅଂଚଳକୁ ନିଜ ଶାସନାଧୀନ କରିଥିଲେ | କ୍ରମେ ତାଙ୍କ ବଂଶଜମାନେ ଭାଗଭାଗ ହୋଇ ମୂଳ ରାଜ୍ୟର ବିଭିନ୍ନ ଅଂଶକୁ ଶାସନ କରିବାକୁ ଲାଗିଲେ | ବଳରାମ ଦେବଙ୍କ ପୁଅ ହୃଦୟ ନାରାୟଣ ଦେବ ମା ସମଲାଇଙ୍କ ପ୍ରୀତ୍ୟର୍ଥେ ସମଲେଶ୍ବରୀ ମନ୍ଦିର ନିର୍ମାଣ କରିଥିଲେ | ମା ସମଲାଇଙ୍କ ନାଁ ଅନୁସାରେ ଅଂଚଳର ନାଁ ସମ୍ବଲପୁର ହେଲା | ଏହିପରି ଭାବେ ସମ୍ବଲପୁରରେ ଚୌହାଣ ରାଜବଂଶର ଶାସନ ଆରମ୍ଭ ହେଲା | ସେ ସମୟରେ ସମ୍ବଲପୁରର ଆଖପାଖ ଅଂଚଳରେ ମହାନଦୀ ଶଯ୍ୟାରୁ ବହୁତ ହୀରା ମିଳୁଥିଲା | ଆଜି ଯେଉଁ ସ୍ଥାନକୁ ଆମେ ହୀରାକୁଦ (ବୃହତ୍ ନଦୀବନ୍ଧ) ବୋଲି ଜାଣୁ, ତାହା ଥିଲା ସେ ସମୟରେ ପ୍ରଚୁର ହୀରା ମିଳିବାର ସ୍ଥାନ | ସମ୍ବଲପୁର ଓ ତାହାର ଆଖପାଖ ଅଂଚଳକୁ ସେ ସମୟରେ ହୀରାଖଣ୍ଡ ବୋଲି କୁହାଯାଉଥିଲା | ସେ ଅଂଚଳର ରାଜା ନିଜକୁ ହୀରାଖଣ୍ଡ ଛତ୍ରାଧିପତି ବୋଲି ସଗର୍ବେ କହୁଥିଲେ | ଯେତେବେଳେ ଇଂରେଜମାନଙ୍କ ଆସ୍ଥାନ ଭାରତରେ ଦୃଢ ହୋଇ ନ ଥିଲା, ସେତେବେଳେ ସେମାନେ ସୁବିଧାରେ ହୀରା ବ୍ୟବସାୟ କରିବା ପାଇଁ ହୀରାଖଣ୍ଡର ଏହି ଛତ୍ରାଧିପତିମାନଙ୍କୁ ତୋଷାମଦ କରୁଥିଲେ |


ସମ୍ବଲପୁରରେ ଶାସନ ପ୍ରତିଷ୍ଠା ପରେ ଏହି ବଂଶର ଚତୁର୍ଥ ପିଢିର ରାଜା ଥିଲେ ମଧୁକର ସାଏ | ସମ୍ବଲପୁରର ଚୌହାଣ ରାଜା ଇଂରେଜମାନଙ୍କର କ୍ରୀଡନକ ହୋଇ ରହିଲେ | ଅନିରୁଦ୍ଧ ସାଏ ମଧୁକର ସାଏଙ୍କର ତୃତୀୟ ପୁତ୍ର ଥିଲେ, ଯାହାଙ୍କୁ ପିତାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ରାଜପୁର-ଖିଣ୍ଡାର ଜମିଦାରୀ ମିଳିଥିଲା | ଅନିରୁଦ୍ଧ ସାଏଙ୍କ ପୁତ୍ର ଥିଲେ ଧରମ ସିଂହ | ସୁରେନ୍ଦ୍ର ସାଏ ଧରମ ସିଂହଙ୍କର ବଡ ପୁଅ ଥିଲେ | ସୁରେନ୍ଦ୍ର ସାଏଙ୍କ ତଳେ ଜନ୍ମ ହୋଇଥିବା ଅନ୍ୟ ଛଅ ଭାଇ ହେଲେ ଉଦନ୍ତ, ଧ୍ରୁବ, ଉଜ୍ଜ୍ବଳ, ଛବିଳ, ଜଜ୍ଜ୍ବଳ ଓ ମେଦିନୀ | ଅଂଜନା ନାମରେ ସୁରେନ୍ଦ୍ରଙ୍କର ଜଣେ ଭଉଣୀ ମଧ୍ୟ ଥିଲେ | ସୁରେନ୍ଦ୍ରଙ୍କ ଦାଦାଙ୍କ ନାଁ ଥିଲା ବଳରାମ ସାଏ |


୧୮୧୭ ମସିହାରେ ଇଂରେଜମାନେ ମରାଠାମାନଙ୍କୁ ପରାଜିତ କରି ତାଙ୍କ ଠାରୁ ସମ୍ବଲପୁରର ଶାସନ ଛଡାଇ ନେଇଥିଲେ | ବିଭିନ୍ନ ଫନ୍ଦିଫିକର କରି ଦେଶୀୟ ରାଜାମାନଙ୍କର ରାଜ୍ୟ ମାଡିବସିବାରେ ଇଂରେଜମାନେ ଅତ୍ଯନ୍ତ ପାରଦର୍ଶୀ ଥିଲେ | ସେମାନଙ୍କର ଏପରି ଲୋଲୁପ ଦୃଷ୍ଟି ସମ୍ବଲପୁର ଉପରେ ମଧ୍ୟ ଥିଲା | ୧୮୨୭ ମସିହାରେ ସମ୍ବଲପୁରର ଚୌହାଣ ରାଜା ମହାରାଜା ସାଏଙ୍କର ମୃତ୍ୟୁ ଘଟିଲା | ସେ ଅପୁତ୍ରିକ ଥିଲେ | ଇଂରେଜମାନେ ସବୁବେଳେ ଚାହୁଁଥିଲେ ଯେ ଦେଶୀୟ ରାଜ୍ୟମାନଙ୍କରେ ଏକ ଦୁର୍ବଳ ଶାସନ ବ୍ୟବସ୍ଥା ରହୁ, ଯାହା ବ୍ରିଟିଶ୍ ଶାସନର ଅନୁଗତ ରହିବ ଓ ବ୍ରିଟିଶ୍ ସାମ୍ରାଜ୍ୟର ସ୍ବାର୍ଥସାଧନ କରିବ | ଏଣୁ, ଏପରି ପରିସ୍ଥିତିର ସୁଯୋଗ ନେଇ ସେମାନେ ବିଧବା ରାଣୀ ମୋହନକୁମାରୀଙ୍କୁ ସମ୍ବଲପୁରର ରାଜଗାଦିରେ ବସାଇଦେଲେ | କିନ୍ତୁ, ରାଣୀ ସମ୍ପୂର୍ଣ୍ଣ ଅନଭିଜ୍ଞା ଥିଲେ | ଅଧିକନ୍ତୁ, ସମ୍ବଲପୁରର ଜନସାଧାରଣ ଏଥିରେ ଘୋର ଅସନ୍ତୋଷ ପ୍ରକାଶ କଲେ, କାରଣ ସେମାନେ ଜନ-ସମର୍ଥନ ଥିବା କୌଣସି ରାଜବଂଶୀୟ ସୁପୁରୁଷ ଗାଦିରେ ବସିବା ଚାହୁଁଥିଲେ | ସମ୍ବଲପୁର ରାଜ୍ୟରେ ଅନେକ ଆଦିବାସୀ ସମ୍ପ୍ରଦାୟ ଥିଲେ | ପରମ୍ପରାଗତ ଭାବେ ସମ୍ବଲପୁର ରାଜଗାଦିରେ କିଏ ବସିବ, ସେ ଉପରେ ତାଙ୍କର ମତାମତ ଲୋଡା ଯାଉଥିଲା | କିନ୍ତୁ ଇଂରେଜ ସରକାର ଏହି ପରମ୍ପରା ଭଂଗ କଲେ | ସେ ଆଦିବାସୀ ଜମିଦାରମାନଙ୍କ ମତ ନେଲେ ନାହିଁ | କିନ୍ତୁ, ଜନ-ଅସନ୍ତୋଷ ପ୍ରବଳ ହେବାରୁ ଇଂରେଜମାନେ ବାଧ୍ୟହୋଇ ୧୮୩୩ ମସିହାରେ ରାଣୀଙ୍କୁ ପେନସନ ଦେଇ କଟକ ପଠାଇ ଦେଲେ, ଓ ଏହାପରେ ବରପାଲିର ଜମିଦାର ନାରାୟଣ ସିଂହଙ୍କୁ ସମ୍ବଲପୁରର ରାଜଗାଦିରେ ବସାଇଦେଲେ | ବୟସ ନାରାୟଣ ସିଂହଙ୍କ ସପକ୍ଷରେ ନ ଥିଲା | ଅଧିକନ୍ତୁ ସେ ଦୁର୍ବଳମନା ଥିଲେ | ଶାସକର ଯେଉଁ ମାନସିକ ଦୃଢତା ଥିବା ଆବଶ୍ୟକ, ତାହା ତାଙ୍କର ନ ଥିଲା | ରାଣୀ ମୋହନକୁମାରୀଙ୍କର ଅନୁଗତ ତଥା ଇଂରେଜମାନଙ୍କର ବଚସ୍କର ଥିବାରୁ ତାଙ୍କୁ ରାଜଗାଦିରେ ବସାଯାଇଥିଲା |


ବଂଶରେ ମହାରାଜ ସାଏଙ୍କର ନିକଟ ଆତ୍ମୀୟ ହୋଇଥିବା ହେତୁ ସୁରେନ୍ଦ୍ର ସାଏଙ୍କର ସମ୍ବଲପୁର ରାଜଗାଦି ଉପରେ ଦାବି ନାରାୟଣ ସିଂହଙ୍କ ଅପେକ୍ଷା ଅଧିକ ଯଥାର୍ଥ ଥିଲା | ଜନ-ସାଧାରଣ ମଧ୍ୟ ସୁରେନ୍ଦ୍ରଙ୍କ ସପକ୍ଷରେ ଥିଲେ | କିନ୍ତୁ, ଶାରୀରିକ ଏବଂ ମାନସିକ ଭାବେ ବଳିଷ୍ଠ ଓ ତେଜିୟାନ ଥିବା ସୁରେନ୍ଦ୍ରଙ୍କୁ ଇଂରେଜମାନେ କ୍ଷମତା ଠାରୁ ଯଥା ସମ୍ଭବ ଦୂରେଇ ରଖିବାକୁ ସର୍ବଦା ଚେଷ୍ଟା କଲେ | କିନ୍ତୁ, ସୁରେନ୍ଦ୍ର ସମ୍ବଲପୁର ରାଜ ସିଂହାସନ ପାଇଁ ନିଜର ନ୍ୟାଯ୍ୟ ଦାବିକୁ ବାରମ୍ବାର ସାବ୍ୟସ୍ତ କରିବାକୁ ଚାହିଁଲେ ଓ ଏଥିରେ ଆତଙ୍କିତ ହୋଇ ଇଂରେଜମାନେ ତାଙ୍କୁ ବିଷଦୃଷ୍ଟିରେ ଦେଖିଲେ | ସମ୍ବଲପୁରରେ କେହି ପ୍ରକୃତ ରାଜା ନ ଥିବା ସେ ସମୟର ଲୋକଗୀତମାନଙ୍କରୁ ସ୍ପଷ୍ଟ ବାରିହୋଇପଡେ | ଏଇ ଭଳି ଗୋଟିଏ ଲୋକଗୀତ ହେଲା-


“ହଳଦୀ ହୋଇଲା ଗଜା,

ସମ୍ବଲପୁରରେ ନାଇଁଟି ରାଜା ଗୋ

ସାହେବ ମାରୁଛି ମଜା |”


ଏହି ସମୟରେ ରାମପୁର ଗ୍ରାମର ଜମିଦାର ଥିଲେ ଦୁର୍ଯ୍ୟୋଧନ ସିଂହ | ନାମକୁ ସାର୍ଥକ କରି ସେ ଜଣେ ଦୁର୍ଜନ ଥିଲେ | ପ୍ରଜାପୀଡନ ଓ ଇଂରେଜମାନଙ୍କର ଗୋଲାମି ତାଙ୍କର ସଉକ ଥିଲା | ସେ ପୂର୍ବୋକ୍ତ ନାରାୟଣ ସିଂହଙ୍କର ଜଣେ ବଡ ସମର୍ଥକ ଓ ଇଂରେଜ ସରକାରଙ୍କର ଜଣେ ବିଶ୍ବସ୍ତ ଗୁପ୍ତଚର ମଧ୍ୟ ଥିଲେ | ସୁରେନ୍ଦ୍ର ସାଏ ଧିରେ ଧିରେ ତାଙ୍କ ଉପଦ୍ରବ ଓ ଦେଶଦ୍ରୋହୀ କାର୍ଯ୍ୟକଳାପ ବିଷୟରେ ନିଶ୍ଚିତ ହେଲେ ଓ ନିଜର ଯୋଜନା ପ୍ରସ୍ତୁତ କଲେ | ୧୮୪୦ ମସିହାରେ ଦିନେ ଦାଦା ବଳରାମ ସାଏ ଓ ଭାଇ ଉଦନ୍ତ ସାଏଙ୍କୁ ନେଇ ସୁରେନ୍ଦ୍ର ରାମପୁର ଆକ୍ରମଣ କଲେ | ଘମାଘୋଟ ଲଢେଇ ମଧ୍ୟରେ ଦୁର୍ଯ୍ୟୋଧନଙ୍କର ପିତା ଓ ପୁତ୍ର ନିହତ ହେଲେ, ତାଙ୍କ ଗ୍ରାମ ଧ୍ବଂସ ହେଲା ଓ ସେ ପଳାୟନ କରି ଆତ୍ମରକ୍ଷା କଲେ | ସଂଘର୍ଷରେ ଦୁର୍ଯ୍ୟୋଧନଙ୍କର କେତେକ କର୍ମଚାରୀ ମଧ୍ୟ ପ୍ରାଣ ହରାଇଲେ | ରାମପୁର ଜମିଦାରଙ୍କ ଖମାର ଲୁଟ୍ କରି ସୁରେନ୍ଦ୍ର ଗରୀବ ପ୍ରଜାମାନଙ୍କ ମଧ୍ୟରେ ବାଣ୍ଟି ଦେଲେ |


ରାମପୁରର ଦୂରତା ସମ୍ବଲପୁରରୁ ଖୁବ୍ ବେଶି ନୁହେଁ | ଅନୁଗତଙ୍କ ଉପରେ ଆକ୍ରମଣର ସମ୍ବାଦ ଶୁଣି ଇଂରେଜ ସରକାର ଏହାକୁ ବିଦ୍ରୋହର ସ୍ପଷ୍ଟ ପଦଧ୍ବନି ଭାବେ ବିଚାର କଲେ ଓ ତୁରନ୍ତ ଫୌଜ ପଠେଇଲେ | ଗୁଳିଗୋଳାରେ ସଜ୍ଜିତ ଓ ତାଲିମପ୍ରାପ୍ତ ଇଂରେଜ ଫୌଜ ସାଂଗରେ ଲଢିବା ପାଇଁ ସୁରେନ୍ଦ୍ର ପ୍ରସ୍ତୁତି କରି ନ ଥିଲେ | କିଛି ଅନୁଗତ ଜମିଦାର ତଥା ପ୍ରଜାଙ୍କ ଠାରୁ ସାମରିକ ସହାୟତା ପାଇବା ଉଦ୍ଦେଶ୍ୟରେ ସୁରେନ୍ଦ୍ର ପାଟଣା ଅଭିମୁଖେ ବାହାରି ପଡିଲେ | ବୁଢାରାଜା ନିକଟସ୍ଥ ଦେହେରିପାଲି ଠାରେ ଇଂରେଜ ସୈନ୍ୟ ତାଙ୍କର ପଥରୋଧ କଲେ | ଲଢାଇ ହେଲା | କିଛି ସମୟ ପ୍ରତିରୋଧ କରିବା ପରେ ସୁରେନ୍ଦ୍ର ହାରିଗଲେ ଓ ଧରା ପଡିଗଲେ | ସାଂଗରେ କାକା ବଳରାମ ଓ ଭାଇ ଉଦନ୍ତ ମଧ୍ୟ ଧରା ପଡିଲେ | ନରହତ୍ୟା, ଡକାୟତି, ଗୃହଦାହ ଆଦି ସଂଗୀନ ଦଫାରେ ସେମାନଙ୍କ ଉପରେ ମୋକଦ୍ଦମା ଚାଲିଲା | ବିଚାର ଓ ଦଣ୍ଡବିଧାନ ପ୍ରକ୍ରିୟାରେ ନାରାୟଣ ସିଂହଙ୍କର ପ୍ରଚ୍ଛନ୍ନ ଭୂମିକା ଥିଲା | ସେ ନିଷ୍କଣ୍ଟକ ହେବାକୁ ଇଂରେଜ ସରକାରଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ | ପ୍ରଥମେ ସୁରେନ୍ଦ୍ରଙ୍କୁ ସାତ ବର୍ଷ ଜେଲଦଣ୍ଡ ହୋଇଥିଲା | କିନ୍ତୁ, ନାରାୟଣ ସିଂହ ଲାଗିପଡି ଏହାକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ | ଇଂରେଜ ଓ ନାରାୟଣ ସିଂହ; ଉଭୟପକ୍ଷଙ୍କର ଲକ୍ଷ୍ୟ ଥିଲା ସମାନ - ପ୍ରଜାପୀଡନ ଓ ବିଳାସମୟ ଜୀବନ | ଏହି ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସୁରେନ୍ଦ୍ରଙ୍କ ସମେତ ଉପରୋକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ସୁଦୂର ହଜାରିବାଗ ଜେଲକୁ ପଠାଇ ଦିଆଗଲା | ୧୯୪୦ ମସିହାରେ ଘଟିଥିବା ଏହି ଘଟଣା ଥିଲା ସୁରେନ୍ଦ୍ରଙ୍କର ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ପ୍ରଥମ ଲଢାଇ |


ସୁରେନ୍ଦ୍ର ସାଏ ୧୮୪୦ ମସିହା ଠାରୁ ୧୮୫୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୭ ବର୍ଷ ହଜାରିବାଗ ଜେଲରେ ପଡିରହିଲେ | ୧୮୫୭ ମସିହା ହେଉଛି ସିପାହି ବିଦ୍ରୋହର ସମୟ | ଏହି ସମୟରେ ଜେଲ୍ ମଧ୍ୟରେ ଉକ୍ତ ବିଦ୍ରୋହ ସହ ଜଡିତ ଅନେକ ମହାନ କ୍ରାନ୍ତିକାରୀ ରହୁଥିଲେ | ଇଂରେଜ ଶାସନକୁ ଶାନ୍ତିପୂର୍ଣ୍ଣ ଅଥବା ସଶସ୍ତ୍ର ସଂଗ୍ରାମ ଦ୍ବାରା ବିରୋଧ କରୁଥିବା ଅନେକ ସ୍ବାଧୀନଚେତା ଲୋକେ ଭାରତର ଅନ୍ୟ ଜେଲଗୁଡିକ ଭଳି ଉକ୍ତ ଜେଲ୍ ମଧ୍ୟରେ ବନ୍ଦୀ ଥିଲେ | ସେମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ସୁରେନ୍ଦ୍ରଙ୍କର ସଂଗ୍ରାମୀ ଚେତନା ଆହୁରି ଶାଣିତ ହେବାକୁ ଲାଗିଲା | ଏହା ମଧ୍ୟରେ ଇଂରେଜମାନେ ସମ୍ବଲପୁରରେ ନୂଆ ହାରରେ ଖଜଣା ଆଦାୟ କରିବାକୁ ଲାଗିଲେ | ଏହା ପୂର୍ବ ଅପେକ୍ଷା ଢେର୍ ଅଧିକ ଥିଲା | ପୂର୍ବରୁ ସମ୍ବଲପୁରରୁ ସରକାରଙ୍କୁ ସମୁଦାୟ ୮୮୦୦ ଟଙ୍କା ଭୂରାଜସ୍ବ ମିଳୁଥିଲା | ଖଜଣା ବଢିଯିବା ପରେ ଏହି ରାଜସ୍ବ ଆଦାୟ ପରିମାଣ ୭୪୦୦୦ ଟଙ୍କାରେ ପହଂଚିଗଲା | ଇଂରେଜ ସରକାର ଓ ତାଙ୍କ ଛତ୍ରଛାୟା ତଳେ ପ୍ରତିପାଳିତ ଦେଶୀ ପରାଂଗପୁଷ୍ଟମାନେ ଏହା ଦ୍ବାରା ଆନନ୍ଦିତ ହେଲେ, କିନ୍ତୁ ସାଧାରଣ ଜନତାର ଦୁଃଖଦୁର୍ଦ୍ଦଶା ଅତ୍ୟଧିକ ବୃଦ୍ଧି ପାଇଲା | ୧୮୪୯ ମସିହାରେ ନାରାୟଣ ସିଂହ ମୃତ୍ୟୁ ମୁଖରେ ପଡିଲେ | ତାଙ୍କର ପୁଅ ନଥିବାରୁ, ଡେଲ୍-ହାଉସୀଙ୍କ କୂଟବୁଦ୍ଧି-ପ୍ରସୂତ ରାଜସ୍ବତ୍ବଲୋପ ନୀତି ପ୍ରୟୋଗ କରି ସମ୍ବଲପୁରର ଶାସନ ଦାୟିତ୍ବ ଇଂରେଜ ସରକାର ନିଜ ହାତକୁ ନେଇଗଲେ | ସୁରେନ୍ଦ୍ର ଜେଲ୍ ଭିତରେ ରହି ଏହି ସବୁ ଖବର ଉପରେ ନିଜର ଦୃଷ୍ଟି ନିବଦ୍ଧ ରଖିଥା’ନ୍ତି | ପ୍ରତିରୋଧ ପାଇଁ କିଛି ଗୋଟେ କରିବାକୁ ସୁଯୋଗ ଖୋଜୁଥା’ନ୍ତି, କିନ୍ତୁ ବାଟ ମିଳୁ ନଥାଏ | ଏହି ଅବଧି ମଧ୍ୟରେ ଜେଲ ଭିତରେ କାକା ବଳରାମ ସାଏଙ୍କର ଦେହାନ୍ତ ହୋଇଗଲା | ତାଙ୍କ ଭଳି ମାର୍ଗଦର୍ଶକଙ୍କର ଅନୁପସ୍ଥିତିରେ ସୁରେନ୍ଦ୍ର ନିଃସଂଗ ବୋଧକଲେ, କିନ୍ତୁ ସାହସ ନ ହରାଇ ଲଢାଇକୁ ଆଗେଇ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଲେ |


୧୮୫୭ ମସିହାରେ ସେହି ସୁଯୋଗ ଆସିଲା | ସିପାହି ବିଦ୍ରୋହ ଘଟିଲା | ଦଳେ ବିଦ୍ରୋହୀ ସିପାହି ହଜାରିବାଗ ଜେଲକୁ ଭାଂଗିଦେଲେ | ଜେଲ୍ ଭାଂଗିଯିବାରୁ ଭାଇ ଉଦନ୍ତଙ୍କ ସହିତ ସୁରେନ୍ଦ୍ର ମୁକ୍ତ ହୋଇ ସମ୍ବଲପୁରରେ ପହଂଚିଲେ | ସେତେବେଳେ ସମ୍ବଲପୁରରେ ଇଂରେଜ ଅଫିସର ଥିଲେ କ୍ୟାପ୍ଟେନ୍ ଲେ | ସୁରେନ୍ଦ୍ର ସାଏଙ୍କ ଆଗମନ ସମ୍ବାଦ ପାଇ ସେ ଆତଙ୍କିତ ହେଲେ ଓ କଟକ ଏବଂ ରାୟପୁରରେ ଅବସ୍ଥିତ କମିଶନରମାନଙ୍କୁ ସମ୍ବଲପୁର ଅଭିମୁଖେ ଅଧିକ ସୈନ୍ୟ ପ୍ରେରଣ କରିବାକୁ ଅନୁରୋଧ କଲେ | ଏହି ସମୟକୁ ସୁରେନ୍ଦ୍ର ସାଏଙ୍କ ବୟସ ପ୍ରାୟ ୪୯ (ଅଣଚାଶ) ବର୍ଷ | ଅଧିକନ୍ତୁ ସେ ଦୀର୍ଘ ସତର ବର୍ଷ ଜେଲ୍ ଭିତରେ ରହିବା ପରେ ସଦ୍ୟ ମୁକୁଳିଥା’ନ୍ତି | ଏ ପରିସ୍ଥିତିରେ ଯେ କୌଣସି ସାଧାରଣ ବ୍ୟକ୍ତିର ରକ୍ତ ଶିଥିଳ ହୋଇଯିବା କଥା | କିନ୍ତୁ, ସୁରେନ୍ଦ୍ର ଥିଲେ ଆଜନ୍ମ ବିପ୍ଲବୀ | ସୁଖ, ସ୍ବାଛନ୍ଦ୍ୟ ତଥା ପ୍ରିୟ ପରିଜନଙ୍କ ମୋହ ଛାଡି ସେ ନୂତନ ଉନ୍ମାଦନାର ସହିତ ପ୍ରବଳ ପ୍ରତାପୀ ଇଂରେଜମାନଙ୍କ ସହିତ ଲଢିବା ପାଇଁ ଆଗଭର ହେଲେ | ଆଧୁନିକ ସମ୍ବଲପୁର ସହର ଠାରୁ ଉତ୍ତରଦିଗରେ କିଛି ବାଟ (ପ୍ରାୟ ୬ କିମି) ଗଲା ପରେ ପଡିବ ଶାସନ ନାମକ ସ୍ଥାନ | ଅଧୁନା ଏହା ବ୍ଲକରେ ପରିଣତ ହୋଇଛି | ସେ ସମୟରେ ଏହା ସମ୍ବଲପୁରର ଉପକଣ୍ଠ ଥିଲା (ଅଥବା ବାହାରେ ଥିଲା) | ଏଠାରେ ସୁରେନ୍ଦ୍ର ନିଜ ଶିବିର ସ୍ଥାପନ କଲେ ଓ ସଂଗ୍ରାମ ଆରମ୍ଭ କଲେ | ଅସନ୍ତୁଷ୍ଟ ଥିବା ଜମିଦାର, ଗୌନ୍ତିଆ, ଆଦିବାସୀ ଓ ସାଧାରଣ ପ୍ରଜାମାନଙ୍କୁ ସେ ସଂଗଠିତ କଲେ ଓ ସେମାନଙ୍କ ଠାରୁ ପ୍ରଚୁର ସମର୍ଥନ ଲାଭକଲେ | ୧୮୫୭ ମସିହା ଅକ୍ଟୋବର ମାସ ୭ ତାରିଖ- ପ୍ରାୟ ୧୫୦୦ ଲୋକଙ୍କୁ ସାଂଗରେ ନେଇ ପଟୁଆର କରି ସୁରେନ୍ଦ୍ର ସାଏ ସମ୍ବଲପୁର ସହରର ରାଜରାସ୍ତାରେ ଆଗେଇ ଚାଲିଲେ | ପ୍ରଥମେ ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ଓ ତା ପରେ ରାଜବାଟୀରେ ପ୍ରବେଶ କରି ଅକ୍ତିଆର କଲେ | ଏହାର ପ୍ରାୟ ସପ୍ତାହେ ପରେ ଅକ୍ଟୋବର ୧୩ ତାରିଖ ଦିନ ସୁରେନ୍ଦ୍ର ସାଏ ନିଜର କିଛି ବିଶ୍ବସ୍ତ ଜମିଦାରଙ୍କୁ ସାଥିରେ ନେଇ କ୍ୟାପ୍ଟେନ୍ ଲେ-ଙ୍କୁ ସାକ୍ଷାତ କଲେ | ତାଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନକୁ ଅନ୍ୟାୟ ଦର୍ଶାଇ ତାକୁ ଖାରଜ କରିବାକୁ ଅନୁରୋଧ କଲେ ଓ ଏହା ସହ ତାଙ୍କୁ ସମ୍ବଲପୁରର ରାଜା ଭାବେ ସ୍ବୀକୃତି ଦେବାକୁ ଅନୁରୋଧ କରିଥିଲେ |

  

ବ୍ରିଟିଶ ସରକାର ସୁରେନ୍ଦ୍ର ସାଏଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ, ବରଂ ତାଙ୍କୁ ଜଣେ ପଳାତକ ଅପରାଧୀ ଭାବେ ଚିତ୍ରଣ କଲେ, ଓ ତାଙ୍କୁ ଗିରଫ କରି ପୁନଃ କାରାଗାରରେ ନିକ୍ଷେପ କରିବାକୁ ଉଦ୍ୟମ ଚଳାଇଲେ | ଏଥିରେ ବ୍ୟଥିତ ହୋଇ ସୁରେନ୍ଦ୍ର ସାଏ ବିପ୍ଲବୀର ଜୀବନକୁ ଆଦରି ନେଇଥିଲେ | ୧୮୫୭ ମସିହାରୁ ୧୮୬୪ ମସିହା ପର୍ଯ୍ୟନ୍ତ ସୁରେନ୍ଦ୍ର ସାଏ ସମ୍ବଲପୁରର ଆଦିବାସୀ, ପାଇକ ଓ ଚୌହାଣମାନଙ୍କୁ ସଂଗଠିତ କରି ଇଂରେଜ ସରକାରଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଜାରି ରଖିଲେ | ସେତେବେଳେ ସମ୍ବଲପୁର ବାହାର ଦୁନିଆ ସହିତ ତିନିଟି ମୁଖ୍ୟ ରାସ୍ତା ଦ୍ବାରା ସଂଯୁକ୍ତ ହେଉଥାଏ | ଗୋଟିଏ ଥିଲା ରେଢାଖୋଲ-ଜୁଜୁମରା ବାଟେ କଟକ ଯିବା ରାସ୍ତା, ଆଉ ଗୋଟିଏ ଥିଲା ସିନ୍ଦୁରପଙ୍କରୁ ପରମାଣପୁର-ସମାସିଂହା ବାଟରେ ବିହାରର ରାଂଚି ଯିବା ରାସ୍ତା ଓ ତୃତୀୟଟି ଥିଲା ବରଗଡ ବାଟରେ ମଧ୍ୟପ୍ରଦେଶର ରାୟପୁର ଯିବା ରାସ୍ତା | ଏହି ସବୁ ରାସ୍ତା ଉପରେ ସୁରେନ୍ଦ୍ର ଯଥେଷ୍ଟ ଆଧିପତ୍ୟ ବିସ୍ତାର କରି ଇଂରେଜ ଶାସନର ନିଦ ହଜାଇ ଦେଇଥିଲେ | ପରିସ୍ଥିତି ଏପରି ହେଲା ଯେ କ୍ୟାପ୍ଟେନ୍ ଲେ ଶାରୀରିକ ଓ ମାନସିକ ସ୍ତରରେ ଭାଂଗି ପଡିଲେ ଓ ଦୀର୍ଘ ଦିନ ନିଜ ଦାୟିତ୍ବରୁ ଅବ୍ୟାହତି ନେଇ ଛୁଟିରେ ଯିବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କଲେ | ସେ ସମୟରେ ସେ ଲେଖିଥିବା ଛୁଟି ଦରଖାସ୍ତଟି ଏହିପରି- “ଏ ଜିଲ୍ଲାର ଶାନ୍ତିଶ୍ରୁଂଖଳା ଫେରାଇ ଆଣିବା ମୋ କ୍ଷମତାର ବହିର୍ଭୂତ | ଏଠାରେ ପ୍ରତିକୂଳ ପରିସ୍ଥିତି ବଢି ଚାଲିଛି | ବିଦ୍ରୋହୀମାନେ ଝାରଘାଟିରେ ପୁନର୍ବାର ଜମା ହୋଇଛନ୍ତି | ଏହି ଝାରଘାଟିରେ କ୍ୟାପ୍ଟେନ୍ କେର୍ ସେମାନଙ୍କୁ ଆକ୍ରମଣ କରିଥିଲେ | ମୁଁ ସମସ୍ତ ରାଜା, ଜମିଦାରମାନଙ୍କୁ ସାହାଯ୍ୟ ଘେନି ଆସିବାକୁ ଲେଖିଛି | ସେମାନେ ଆସୁଛନ୍ତି କି ନା, ଦେଖିବା ବାକି ରହି

ଲା | ଅବଶ୍ୟ ସେମାନେ ଆସିବା ସମୟ ହୋଇନାହିଁ | ମୋତେ ଏକ ଅଳ୍ପ ଦାୟିତ୍ବର କାମ ଅଳ୍ପ ଦରମାରେ ଦେଲେ ମୁଁ କେତେ ଆନନ୍ଦରେ ଏ ପଦବୀ ଛାଡି ଦିଅନ୍ତି | ମୁଁ ମୁକ୍ତ କଣ୍ଠରେ ସ୍ବୀକାର କରୁଛି ଯେ ଏ ଗୁରୁଦାୟିତ୍ବ ତୁଲାଇବାରେ ମୁଁ ଏକାନ୍ତ ଅସମର୍ଥ | ମୁଁ ଗତ କେତେ ମାସ ଧରି ଯଥାସାଧ୍ୟ ଅବସ୍ଥାର ସମ୍ମୁଖୀନ ହେଉଛି, କିନ୍ତୁ ମୁଁ ଅନୁଭବ କରୁଛି ଯେ ମୁଁ ଆଉ ପାରିବି ନାହିଁ | ଯଦି ମୋତେ ଅବ୍ୟାହତି ମିଳନ୍ତା, ମୁଁ ଦୁଇ/ ତିନି ମାସ ପାଇଁ ଛୁଟି ନିଅନ୍ତି | ଏ ମଧ୍ୟରେ ଅବସ୍ଥାର ପରିବର୍ତ୍ତନ ଘଟିପାରନ୍ତା | ମୁଁ ଅତୀବ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି ଓ ମୋ ମନ ଭାଂଗି ପଡିଛି |”


୧୮୫୭ ମସିହାରେ ଭାରତର ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ସିପାହି ବିଦ୍ରୋହର ବହ୍ନି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ବାପିତ ହୋଇଗଲା, କିନ୍ତୁ ସୁରେନ୍ଦ୍ର ସାଏ ଅପୂର୍ବ ବୀରତ୍ବର ସହ ୧୮୬୪ ମସିହା ପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରଖିଲେ | ତାଙ୍କୁ ଜବତ୍ କରିବା ପାଇଁ ଇଂରେଜମାନେ ଚତୁର୍ଦ୍ଦିଗରୁ ସୈନ୍ୟ ଓ ଅଭିଜ୍ଞ ସେନାଧ୍ୟକ୍ଷମାନଙ୍କୁ ପଠାଇଲେ | ଅଭିଜ୍ଞ ସେନାଧ୍ୟକ୍ଷମାନଙ୍କ ମଧ୍ୟରେ ଥିଲେ କ୍ୟାପଟେନ୍ ଡାୟାର୍, ଭେଲେନ୍ସ,, ୱିଣ୍ଡହାମ୍, ନିପନ୍, ନକର୍, ଏଲୱିନ୍, ସେକ୍ସପିୟର, ମୋନକ୍ରିଫ୍, ଉଡ଼ବ୍ରିଜ୍, ରବିନସନ୍, ବେଟସ୍, ଗାର୍ଡ଼ସଡେନ୍, ହୋଡୋ, ମେକରଲିନ୍, ପାଲମେର୍ ଆଦି | ସମ୍ବଲପୁରରୁ ସିନ୍ଦୁରପଂକ, ଦାଣ୍ଡେଇପାଲି ବାଟ ଦେଇ ପୂର୍ବକୁ ପ୍ରାୟ ଚାରି ମାଇଲ ବାଟ ଗଲେ ପଡିବ କୁଦୋପାଲି |


୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ | ଇଂରାଜୀ ନୂଆବର୍ଷ ଆସନ୍ନ | ପ୍ରବଳ ଶୀତ ପଡିଥାଏ | ଏହିଦିନ କୁଦୋପାଲି ଠାରେ ସୁରେନ୍ଦ୍ରଙ୍କ ସେନା ସହିତ ଇଂରେଜ ସୈନ୍ୟଙ୍କର ଘମାଘୋଟ ଲଢେଇ ହେଲା | ଏଥିରେ ସୁରେନ୍ଦ୍ରଙ୍କ ସାନଭାଇ ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ବାଧୀନତା ସଂଗ୍ରାମୀ ସହିଦ ହେଲେ | ସହିଦମାନଙ୍କ ମଧ୍ୟରେ ଥିଲେ ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଲାବିରାର କୃଷ୍ଣଚନ୍ଦ୍ର ନାୟକ, ବଳଭଦ୍ର ଦାସ, ପାତ୍ରପାଲିର ଗୌନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଳମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ, ବୁଦ୍ଧୁ ଗଣ୍ଡ ଆଦି | ଯୁଦ୍ଧରେ ଏଗାର ଜଣ ବନ୍ଦୀ ହେଲେ | ଏହା ଶୋଷକ, ଅତ୍ୟାଚାରୀ ଓ ପ୍ରତାରକ ଇଂରେଜମାନଙ୍କ ପକ୍ଷରୁ ମୁକ୍ତିକାମୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ନୂଆବର୍ଷର ଉପହାର ଥିଲା | ବନ୍ଦୀମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ପରବର୍ତ୍ତୀ ସମୟରେ ଫାଶୀଖୁଣ୍ଟରେ ଚଢାଇ ଦିଆ ଯାଇଥିଲା | ଏହି ଭୟଂକର ରକ୍ତପାତ ପଂଜାବର ଜାଲିୱାନାବାଗ୍ କିମ୍ବା ଓଡିଶାର ରକ୍ତତୀର୍ଥ ଇରମରେ ଘଟିଥିବା ବିଭୀଷିକା ଠାରୁ କୌଣସି ଗୁଣରେ କମ ନୁହେଁ | ଅଧିକନ୍ତୁ, ଏଥିରେ ସହିଦମାନେ ସମ୍ମୁଖ ଯୁଦ୍ଧରେ ଦେଶର ଅନେକ ଶତ୍ରୁଙ୍କୁ ନିପାତ କରି ଶେଷକୁ ଦେଶପ୍ରେମ ଯଜ୍ଞରେ ଆତ୍ମାହୁତି ଦେଇଥିଲେ | ଏ ଦୃଷ୍ଟିରୁ କୁଦୋପାଲିର ମହତ୍ତ୍ବ ନିଶ୍ଚୟ ଅଧିକ ହେବ | ଏହି ଭୟଂକର ମୁକ୍ତିସଂଗ୍ରାମର ସ୍ମୃତି ଆଜି ମଧ୍ୟ ଲୋକକଥା ମାଧ୍ୟମରେ ଉଜ୍ଜୀବିତ ଅଛି | ଉଦାହରଣ ସ୍ବରୂପ, ଆଜି ମଧ୍ୟ ସମ୍ବଲପୁର ଲୋକେ ଗା’ନ୍ତି-


“ଉଲି ଉଲି ଉଲି

ଛବିଲ ସାଏକେ ବାଜଲା ଗୁଲି ଗୋ

କୁଦାପାଲି ମଝା ଖୁଲି | ସଜନୀ ଗୋ –“


ଏହି ଦାରୁଣ ବିପର୍ଯ୍ୟୟରେ ମଧ୍ୟ ସୁରେନ୍ଦ୍ର ଭାଂଗିପଡିଲେ ନାହିଁ; ସଂଗ୍ରାମ ଜାରି ରଖିଲେ | ସମ୍ବଲପୁରରୁ ଅତାବିରା, ବରଗଡ, ସୋହେଲା ବାଟ ଦେଇ ପଶ୍ଚିମକୁ କେତେଗୁଡେ ବାଟ ଗଲେ ପଡିବ ସିଂଘୋଡା ନାମକ ସ୍ଥାନ | ଅଧୁନା ଏହା ଛତିଶଗଡ ରାଜ୍ୟରେ ଅବସ୍ଥିତ | ୧୮୫୮ ମସିହା ଫେବୃୟାରୀ ୧୯ ତାରିଖ ଦିନ ଏହିଠାରେ ସୁରେନ୍ଦ୍ରଙ୍କ ସେନା ସହିତ ଇଂରେଜ ସୈନ୍ୟଙ୍କ ଯୁଦ୍ଧ ହେଲା | ଏଥିରେ ୧୧ ଜଣ ସ୍ବତନ୍ତ୍ରତା ସଂଗ୍ରାମୀ ବୀରଗତି ଲଭିଲେ ଓ ଅନ୍ୟ ୧୫ ଜଣ ସଂଗ୍ରାମୀ ଆହତ ହେଲେ | ଏହି କ୍ଷତିରେ ସୁରେନ୍ଦ୍ର ଦବିଲେ ନାହିଁ; ଲଢାଇ ଜାରି ରଖିଲେ | ସମ୍ବଲପୁରରୁ ପଶ୍ଚିମକୁ ଅତାବିରା ଦେଇ ବରଗଡ ପର୍ଯ୍ୟନ୍ତ ଯାଇ ସେଠାରୁ ଦକ୍ଷିଣକୁ କେତେ ବାଟ ଗଲେ ପଡିବ ଭେଡେନ୍ ନାମକ ସ୍ଥାନ | ଏଠାକାର ଜମିଦାର ମନୋହର ସିଂହ ସୁରେନ୍ଦ୍ରଙ୍କର ଘନିଷ୍ଠ ସହଯୋଗୀ ଥିଲେ | ୧୮୫୮ ମସିହା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ଇଂରେଜମାନେ ଭେଡେନ୍ ଜମିଦାରଙ୍କ ଉପରେ ଅତର୍କିତ ଆକ୍ରମଣ କଲେ | ଏଥିରେ ମନୋହର ସିଂହଙ୍କ ସମେତ ୨୦ ଜଣ ସ୍ବାଧୀନତା ସେନାନୀ ସହିଦ ହେଲେ | କ୍ଷୟକ୍ଷତିର ଘନଘଟା ମଧ୍ୟରେ ସୁରେନ୍ଦ୍ର ବିପ୍ଳବର ବହ୍ନିଶିଖାକୁ ଜଳାଇ ରଖିଲେ | ସୁରେନ୍ଦ୍ର ସେନାର ଆକ୍ରମଣରେ ଯୁଜୁମରା ଠାରେ ଡାଃ ଥମାସ୍ ମୁର୍ ଓ ପାହାଡ ଶିରିଗିଡାରେ କ୍ୟାପଟେନ୍ ଉଡବ୍ରିଜ୍ ପ୍ରାଣ ହରାଇଲେ | ଇଂରେଜ ସୈନ୍ୟବାହିନୀର ଯଥେଷ୍ଟ କ୍ଷୟକ୍ଷତି ହେଲା | ଇଂରେଜ ଅସ୍ତବ୍ୟସ୍ତ ହୋଇପଡିଲେ | ଯେତେ ଚେଷ୍ଟା କଲେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଧରି ହେଲା ନାହିଁ | ୧୮୬୨ ମସିହା | ଏତେବେଳକୁ ସମ୍ବଲପୁରର ପ୍ରଶାସକ ଥା’ନ୍ତି ମେଜର୍ ଇମ୍ଫେ | ସେ ସୁରେନ୍ଦ୍ରଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଇଲେ | ତାଙ୍କର ଚଳିବା ପାଇଁ ପେନସନ୍ ବ୍ୟବସ୍ଥା କରାଯିବ ବୋଲି ଭରଷା ଦେଲେ | କକା, ଭାଇ ଓ ସହଯୋଗୀମାନଙ୍କ ବିୟୋଗରେ ନିଃସଂଗ ହୋଇପଡିଥିବା ସୁରେନ୍ଦ୍ର ୧୮୬୨ ମସିହା ମେ ମାସରେ ପ୍ରାଣରକ୍ଷା, କ୍ଷମାଦାନ, ସ୍ବାଧୀନତା ଓ ଭରଣପୋଷଣ ସର୍ତ୍ତରେ ଆତ୍ମସମର୍ପଣ କଲେ | କିଛି କାଳ ପରେ ମେଜର୍ ଇମ୍ଫେଙ୍କର ଅକାଳ ବିୟୋଗ ଘଟିଲା | ପରବର୍ତ୍ତୀ ପ୍ରଶାସକମାନେ ସୁରେନ୍ଦ୍ରଙ୍କ ସହ ବିଶ୍ବାସଘାତ କଲେ | ମୂଳ ସର୍ତ୍ତଗୁଡିକୁ ମାନିଲେ ନାହିଁ | ସୁରେନ୍ଦ୍ରଙ୍କୁ ଅକ୍ଷମଣୀୟ ଅପରାଧୀ ଭାବେ ଚିତ୍ରଣ କରି କଠୋର ଦଣ୍ଡ ବିଧାନ ପାଇଁ ଜିଦ୍ ଧରିଲେ | କାରଣ ସେମାନେ ତାଙ୍କୁ ପ୍ରବଳ ଭୟ ଓ ଘୃଣା କରୁଥିଲେ | ତାଙ୍କୁ ପ୍ରିୟ ଜନ୍ମମାଟି ସମ୍ବଲପୁରରୁ ଅନେକ ଦୂର ମଧ୍ୟପ୍ରଦେଶର ଆଶୀରଗଡ ଦୁର୍ଗରେ ବନ୍ଦୀ କରି ରଖାଗଲା | ଏହି ବନ୍ଦୀ ଅବସ୍ଥାରେ ୧୮୮୪ ମସିହା ଫେବୃୟାରୀ ମାସ ୨୮ ତାରିଖ ଦିନ ପ୍ରାୟ ୭୫ ବର୍ଷ ବୟସରେ ବୀର ସୁରେନ୍ଦ୍ର ସାଏ ପ୍ରାଣତ୍ୟାଗ କଲେ |


ଏହି ଅମିତ ତେଜସ୍ବୀ ସଂଗ୍ରାମୀଙ୍କ ସମ୍ମାନରେ କବି ରାଧାମୋହନ ଗଡନାୟକ ଲେଖିଲେ-


ବୀର ଦର୍ପରେ       ଜାଗିଲେ ଅଚିରେ

     ବୀର ସୁରେନ୍ଦ୍ର ସାୟ,

“ଇଂରେଜ ଛାଡ      ସମ୍ବଲପୁର

     ଆମ ଦେଶ ଛାଡି ଯାଅ |”

@ x x x x x x x x x x x x x x x @


ସାୟଙ୍କର ସାଥେ      ସହଯୋଗ ଦେଲେ

     କେତେ କେତେ ସରଦାର,

ଅତୁଳ ପ୍ରୀତିରେ      ହାତ ମିଳାଇଲେ

     କୋଲାବିରା ରାମପୁର |


ବଣିକ ଶାସନ       ପ୍ରମାଦ ଗଣିଲା

     ଭୟେ ହେଲା ଥର ହର,

ସାୟ ସମୀପକୁ       ସନ୍ଧି ଖବର

     ପଠାଇଲା ଥର ଥର |        

 @ x x x x x x x x x x x x x x @


ସାରା ଭାରତରୁ      ଫଉଜ ଆସିଲା

     ସମ୍ବଲପୁର ପରେ,

ସମର ଚାଲିଲା      ହୀରାଖଣ୍ଡର

     ବିଦ୍ରୋହୀ ସହିତରେ |

@ x x x x x x x x x x x x x x x @


“ମୁକ୍ତି ମୋହର       ଲକ୍ଷ୍ୟ ଆଜି

     ଯୁଦ୍ଧ ମୋହର ପଣ,

ଦେଶର ସକାଶେ     ଜନତାର ଲାଗି

     ବରି ନେଇଅଛି ରଣ |”

 @ x x x x x x x x x x x x x x x @


କାରା-ନିବାସର      ତିମିର-ପୁ°ଜେ

     ମରଣ ବରିଲେ ହାୟ,

ହୀରାଖଣ୍ଡର        ମଣ୍ଡନ-ହୀରା

     ବୀର ସୁରେନ୍ଦ୍ର ସାୟ |


ବ୍ରିଟିଶ ସରକାର ଏହିପରି ତାଙ୍କ ଜୀବନଦୀପକୁ ସିନା ଲିଭାଇ ଦେଲେ, କିନ୍ତୁ ତାଙ୍କ ସ୍ମୃତି ଜନମାନସରେ ସଦା ଭାସ୍ବର ରହିଲା | ଓଡିଶା ସରକାର ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ଅବସ୍ଥିତ ମେଡିକାଲ କଲେଜକୁ (VIMSAR- Veer Surendra Sai Institute of Medical Science and Research) ଓ ଇଂଜିନିଅରିଂ ବିଶ୍ବବିଦ୍ୟାଳୟକୁ (VSSUT - Veer Surendra Sai University of Technology) ତାଙ୍କ ପବିତ୍ର ସ୍ମୃତିକୁ ଉତ୍ସର୍ଗୀକୃତ କରିଛନ୍ତି | ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ଆବାସିକ ଅଂଚଳକୁ ମଧ୍ୟ ଏହି ମହାନ ସଂଗ୍ରାମୀଙ୍କ ସମ୍ମାନରେ VSS Nagar ଭାବେ ନାମିତ କରାଯାଇଛି | ନିକଟ ଅତୀତରେ ଝାରସୁଗୁଡା ଠାରେ ନିର୍ମାଣ କରାଯାଇଥିବା ବିମାନବନ୍ଦରରଟିକୁ ମଧ୍ୟ ଉତ୍କଳର ଏହି ବୀରପୁତ୍ରଙ୍କ ନାମରେ ନାମିତ କରାଯାଇଛି | ଯଥାଶୀଘ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସୁରେନ୍ଦ୍ର ସାଏଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବାକୁ ୨୦୨୧ ମସିହାରେ ନିଷ୍ପତ୍ତି ନିଆଯାଇଛି | ସୁରେନ୍ଦ୍ର ସାଏ ଓ ଅନ୍ୟ ସଂଗ୍ରାମୀମାନଙ୍କ ସ୍ମୃତିରକ୍ଷା ପାଇଁ ୨୦୨୪ ମସିହା ଜାନୁୟାରୀ ମାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି | ଆଶୀରଗଡ ଦୁର୍ଗ ମଧ୍ୟରେ ସୁରେନ୍ଦ୍ର ସାଏଙ୍କର ଏକ ବୀରତ୍ବ ବ୍ୟଂଜକ ପୂର୍ଣ୍ଣା°ଗ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଏଥିରେ ସେ ଅନୁରୋଧ କରିଛନ୍ତି | ଏହା ସହିତ ଦୁର୍ଗରେ ତାଙ୍କ ସହିତ ବନ୍ଦୀ ରହିଥିବା ଅନ୍ୟ ସହଯୋଗୀମାନଙ୍କର ଏକ ଉପଯୁକ୍ତ ସ୍ମାରକୀ ନିର୍ମାଣ କରିବା ପାଇଁ ମଧ୍ୟ ଅନୁରୋଧ ରହିଛି | 


ସୁରେନ୍ଦ୍ର ସାଏଙ୍କ ସାନ ଭାଇ ଛବିଳ ସାଏଙ୍କ ସ୍ମୃତିରେ “ବୀର ଛବିଳ ସାଏ ସ୍ମୃତି କମିଟି” ଗଠିତ ହୋଇଛି | ଏହି ସଂସଦ ତରଫରୁ ପ୍ରତିବର୍ଷ ୩୦ ଡିସେମ୍ବର ଦିନ କୁଦୋପାଲି ଠାରେ ଛବିଳ ଓ ଅନ୍ୟ ସାଥୀ ସହିଦଙ୍କର ସ୍ମୃତିଚାରଣ କରାଯାଉଛି ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଉଛି | ୨୦୨୩ ମସିହା ଡିସେମ୍ବର ୩୦ ତାରିଖରେ ଯେଉଁ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା, ସେଥିରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି, , ମନ୍ତ୍ରୀ, ଲୋକ ପ୍ରତିନିଧି ଆଦି ଯୋଗ ଦେଇଥିଲେ | ୨୦୨୪ ମସିହା ଆରମ୍ଭରୁ କୁଦୋପାଲିର ଇତିହାସ ଉପରେ ଶିକ୍ଷାବିଭାଗ ପକ୍ଷରୁ ବିଶଦ ଗବେଷଣା କରି ଅନାଲୋଚିତ ତଥ୍ୟଗୁଡିକୁ ଏକ ପୂର୍ଣ୍ଣା°ଗ ପୁସ୍ତକର ରୂପ ଦେଇ ଜାତିର ସମ୍ମୁଖରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହାର ଅଳ୍ପଦିନ ମଧ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇ.ସି.ଏଚ୍.ଆର୍), ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଓ ଓଡିଶାର ଇତିହାସ ବିଶାରଦମାନଙ୍କ ସହିତ ବିଚାରବିମର୍ଶ କରି ସରକାରଙ୍କ ପୂର୍ବୋକ୍ତ ନିଷ୍ପତ୍ତିକୁ ସାକାର କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ | ଏହି ଲୋମହର୍ଷଣକାରୀ ସ୍ବତନ୍ତ୍ରତା ସଂଗ୍ରାମରେ କୁଦୋପାଲି ବ୍ୟତୀତ ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦି ସ୍ଥାନ ସହିଦଙ୍କ ପବିତ୍ର ରକ୍ତରେ ଲାଲ୍ ହୋଇଥିଲା | ଏହି ସ୍ଥାନଗୁଡିକୁ ଓ ସେଠାରେ ସଂଗ୍ରାମ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ଇତିହାସରେ ଯଥାଯଥ ସ୍ଥାନ ଦେବା, ସେଠାରେ ଉପଯୁକ୍ତ ସ୍ମାରକୀ ନିର୍ମାଣ କରିବା ଓ ପ୍ରତିବର୍ଷ ସେଠାରେ ସ୍ମୃତିସଭା ଆୟୋଜନ କରିବା ଇତ୍ୟାଦି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା |


ଜୀବନର ପ୍ରାୟ ପଚାଶ ବର୍ଷ ଧରି ସୁରେନ୍ଦ୍ର ସାଏ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ କରିଥିଲେ, ଯାହା ବିଦେଶୀ ଶାସନ କବଳରୁ ମୁକ୍ତ ହେବାର ଏକ ଅନନ୍ୟ ଓ ଶକ୍ତିଶାଳୀ ପ୍ରୟାସ | ସେ ଥିଲେ କ୍ରାନ୍ତିପୁରୁଷ | ସମ୍ବଲପୁର ଲୋକଭାଷାରେ ସେ ଥିଲେ ଉଲଗୁଲାନର ମହାନାୟକ | ଉଲଗୁଲାନର ଅର୍ଥ କ୍ରାନ୍ତି | ତାଙ୍କ ଭଳି ସ୍ବତନ୍ତ୍ରତା-ସଂଗ୍ରାମର ଜଣେ ଉଦ୍ଦାମ ସେନାନୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିବାକୁ ମୋ ପାଖରେ ପର୍ଯ୍ୟାପ୍ତ ଭାଷା ନାହିଁ | ଏଣୁ ପ୍ରସିଦ୍ଧ ଇଂରେଜ କବି Walter Scott-ଙ୍କ ଠାରୁ କେଇ ଧାଡି ଉଧାର ଆଣିବାକୁ ବାଧ୍ୟ ହେଉଛି-


“Soldier, rest! thy warfare o'er,

Sleep the sleep that knows not breaking:

Dream of battled fields no more,

Days of danger, nights of waking.

In our isle's enchanted hall,

Hands unseen thy couch are strewing,

Fairy strains of music fall,

Every sense in slumber dewing.

Soldier, rest! thy warfare o'er,

Dream of fighting fields no more:

Sleep the sleep that knows not breaking,

Morn of toil, nor night of waking.”


ଆଜିର ଏହି ଶୁଭ ଅବସରରେ ଏହି ମହାନ ବିପ୍ଲବୀଙ୍କୁ ସଶ୍ରଦ୍ଧ ପ୍ରଣାମ |


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୨୩-୦୧-୨୦୨୫, ଗୁରୁବାର


[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୨୩-୦୧-୨୦୨୪, ମଂଗଳବାର (୨) ତା ୨୩-୦୧-୨୦୨୩, ସୋମବାର (୩) ତା ୨୩-୦୧-୨୦୨୨, ରବିବାର (୪) ତା ୨୩-୦୧-୨୦୨୧ ରିଖ (୫) ତା ୨୮-୦୨-୨୦୨୧ ରିଖ, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.comhttps://blog.storymirror.com; shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]



Rate this content
Log in

Similar oriya story from Inspirational