STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ବିପ୍ଳବର ଅନିର୍ବାଣ ବହ୍ନିଶିଖା ଜୟୀ ରାଜଗୁରୁ

ବିପ୍ଳବର ଅନିର୍ବାଣ ବହ୍ନିଶିଖା ଜୟୀ ରାଜଗୁରୁ

21 mins
8

ସମୁଦ୍ରକୁ ଆବିଷ୍କାର କରିବା ପାଇଁ, ଆହୁରି ଭଲ ଭାବେ ଚିହ୍ନିବା ପାଇଁ ନାଉରୀ ଡ°ଗା ଧରି ବାହାରିଯାଏ | କିନ୍ତୁ, ଯେତିକି ଯେତିକି ସମୁଦ୍ର ଭିତରକୁ ପଶିପଶି ଯାଏ, ସମୁଦ୍ର ସେତିକି ସେତିକି ଅଜଣା ଓ ବିଶାଳ ବୋଧହୁଏ | କିଛି ବାଟ ଗଲା ପରେ କୂଳ ଆଉ ଦିଶେ ନାହିଁ; ଚତୁର୍ଦ୍ଦିଗ ଏକାର୍ଣ୍ଣବ | ସବୁଦିଗରେ ସମୁଦ୍ରର ଅସୀମ ବ୍ୟାପ୍ତି | ମୋ ପାଇଁ ଜୟୀ ରାଜଗୁରୁଙ୍କ ବ୍ୟକ୍ତିତ୍ବ ସେହିପରି ଥିଲା | ଟିକିଏ ଅନୁସନ୍ଧାନ କରି ଦେଖିବାକୁ ପାଇଲି ଯେ ଇତିହାସ ଦ୍ବାରା ଅନେକାଂଶରେ ଉପେକ୍ଷିତ ଜୟୀ ରାଜଗୁରୁ ତୃଣଭୂମିର ଖର୍ବାକୃତି ଗୁଳ୍ମ-(ସମସାମୟିକ ବାଂଗରା ବ୍ୟକ୍ତିତ୍ବ)-ମାନଙ୍କ ମଧ୍ୟରେ ଏକ ବିଶାଳ ବଟବୃକ୍ଷ ସଦୃଶ | ଯେତେ ପରିମାଣରେ ତାଙ୍କ ବିଷୟରେ ଜାଣିଲି, ତାଙ୍କ କୃତି, ଅବଦାନ, ବ୍ୟକ୍ତିତ୍ବ ଓ ବଳିଦାନ ବିଷୟରେ ମୋର ଜ୍ଞାନ ସେତେ ପରିମାଣରେ ଅସମ୍ପୂର୍ଣ୍ଣ ମନେହେଲା | ସେ କେତେ ବଡ ଥିଲେ, ତାହା ଆଜି ଉତ୍କଳର ସାଧାରଣ ଜନତା ସହଜରେ କଳ୍ପନା କରିପାରିବେ ନାହିଁ; କାରଣ ଆଜି ଆମେ ଏଭଳି ଏକ ସମୟ ଦେଇ ଗତି କରୁଛୁ ଯେତେବେଳେ ଆଦର୍ଶ, ବଳିଦାନ ଓ ଦେଶପ୍ରେମ ଅପେକ୍ଷା ସ୍ବାର୍ଥ, ଆତ୍ମରକ୍ଷା ଓ ଦେଶଦ୍ରୋହ ଲୋଭନୀୟ ହୋଇଉଠିଛି | ଆଜି ଉତ୍କଳର ସେହି ବରପୁତ୍ରଙ୍କର ପବିତ୍ର ବଳିଦାନ ଦିବସ | ଏହି ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା°ଜଳି ଅର୍ପଣ କରିବା ଏହି ଆଲେଖ୍ୟଟିର ଉଦ୍ଦେଶ୍ୟ |    

   

ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ବ୍ରାହ୍ମଣ ଶାସନରେ ଜନ୍ମଗ୍ରହଣ କରିଥିଲେ | ଭୁବନେଶ୍ବରରୁ ୨୦୩ ନଂ ଜାତୀୟ ରାଜପଥରେ ପୁରୀ ଯିବା ସମୟରେ ପୁରୀ ପହଂଚିବାକୁ ଅଳ୍ପ ବାଟ ଥିବ, ରାସ୍ତାରେ ବୀରହରେକୃଷ୍ଣପୁର ପଡେ | ସେହିବର୍ଷ (୧୭୩୯) ଅକ୍ଟୋବର ମାସ ୨୯ ତାରିଖ ଦିନ ଅଁଳା ନବମୀ ପଡିଥିଲା | ଏଣୁ, ଅନେକ ଅନୁଷ୍ଠାନ ପକ୍ଷରୁ ଅଁଳା ନବମୀ ଦିନ ରାଜଗୁରୁଙ୍କ ଜୟନ୍ତୀ ପାଳିତ ହୁଏ | କେହି କେହି ୨୯ ଅକ୍ଟୋବର ଦିନ ଜୟନ୍ତୀ ପାଳନ କରନ୍ତି | କିନ୍ତୁ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଅଁଳା ନବମୀ ତିଥିକୁ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଇଁ ଗ୍ରହଣ କରାଯାଇଛି |


ଜୟୀ ରାଜଗୁରୁ ଏକ କୁଳୀନ ବ୍ରାହ୍ମଣଘରେ ଜନ୍ମଗ୍ରହଣ କରିଥିଲେ | ପିତାଙ୍କ ନାଁ ଥିଲା ଚାନ୍ଦ ରାଜଗୁରୁ ଓ ମାତାଙ୍କ ନାଁ ହୀରାମଣି ଦେବୀ | ତାଙ୍କ ପିତୃଦତ୍ତ ନାଁ ଥିଲା ଜୟୀକୃଷ୍ଣ ମହାପାତ୍ର | ପିଲାଦିନରୁ ତାଙ୍କ ଠାରେ ତେଜସ୍ବୀତା ଦୃଶ୍ୟ ହୋଇଥିଲା | ତାଙ୍କ ବାପା, ଜେଜେବାପା ଓ ପୂର୍ବପୁରୁଷମାନେ ଖୋର୍ଦ୍ଧାର ଗଜପତି ମହାରାଜାଙ୍କର ରାଜଗୁରୁ ଭାବେ ଦାୟିତ୍ବ ତୁଲାଇଥିଲେ | ବାପା ଚାନ୍ଦ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର କୁଳଗୁରୁ ଥିଲେ। ରାଜଗୁରୁ ପଦବୀରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥୁ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀକୃଷ୍ଣ ଗଜପତି ଦ୍ବିତୀୟ ଦିବ୍ୟସିଂହ ଦେବଙ୍କର ରାଜଗୁରୁ ଭାବେ ଦାୟିତ୍ବ ନେଲେ | ୧୭୯୦ ମସିହାରେ ଗଜପତି ଦ୍ବିତୀୟ ଦିବ୍ୟସିଂହ ଦେବଙ୍କ ଦେହାନ୍ତ ହେଲା | ସେତେବେଳକୁ ତାଙ୍କ ପୁଅ ମୁକୁନ୍ଦଦେବ (ଦ୍ବିତୀୟ) ଅଳ୍ପବୟସର (ପ୍ରାୟ ୧୮ ବର୍ଷ) ହୋଇଥିଲେ |


ସେତେବେଳକୁ ପଲାସୀ ଯୁଦ୍ଧ (୧୭୫୭) ଘଟି ସାରିଥାଏ | ଇଂରେଜମାନେ ଫରାସୀ, ଡଚ୍ ଓ ଅନ୍ୟ ୟୁରୋପୀୟ ଉପନିବେଶବାଦୀଙ୍କୁ ଘଉଡାଇ ଦେଇ ଭାରତରେ ନିଜ ଆସ୍ଥାନକୁ ମଜଭୁତ କରିସାରିଥା’ନ୍ତି | ଓଡିଶା ସେପର୍ଯ୍ୟନ୍ତ ସ୍ବାଧୀନ ଥାଏ | କିନ୍ତୁ, ଓଡିଶାର ଉତ୍ତରରେ ଥିବା ବେଂଗଲ ପ୍ରଦେଶ ଓ ଦକ୍ଷିଣରେ ଥିବା ମାନ୍ଦ୍ରାଜ ପ୍ରଦେଶ ଇଂରେଜମାନଙ୍କର କରାୟତ୍ତ ହୋଇସାରିଥାଏ | ମାନ୍ଦ୍ରାଜ ପ୍ରଦେଶରୁ ବେଂଗଲ ପର୍ଯ୍ୟନ୍ତ ସ୍ଥଳପଥରେ ସୁରୁଖୁରୁରେ ସୈନ୍ୟଚାଳନା କରିବା ପାଇଁ ଓଡିଶା ଦଖଲ କରିବା ଇଂରେଜମାନଙ୍କ ପାଇଁ ସାମରିକ ତଥା ପ୍ରଶାସନିକ ଦୃଷ୍ଟିକୋଣରୁ ଏକ ଆବଶ୍ୟକତା ପାଲଟି ଯାଇଥାଏ | ଓଡିଆ ପାଇକମାନଙ୍କ ଦୁର୍ଦ୍ଧର୍ଷତା ଯୋଗୁ ଇଂରେଜମାନେ ପ୍ରଥମେ ଯୁଦ୍ଧ ପରିବର୍ତ୍ତେ କୂଟନୀତିର ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ | ଦୂରରେ ଥାଇ ମଧ୍ୟ ସେମାନେ ନିରନ୍ତର ଓଡିଶାର ଆଭ୍ଯନ୍ତରୀଣ ରାଜନୀତି ଉପରେ ଦୃଷ୍ଟି ରଖିଲେ |


ଗଜପତି ଦିବ୍ୟସିଂହଦେବଙ୍କ ମୃତ୍ୟୁ (ଖ୍ରୀ: ୧୭୯୦) ପରେ ତାଙ୍କ ଭାଇ ଶ୍ୟାମସୁନ୍ଦର ଦେବ ରାଜଗାଦି ମାଡିବସିବାକୁ ଚାହିଁଲେ | ଇଂରେଜମାନେ ଏଥିପାଇଁ ତାଙ୍କୁ ଉସୁକେଇଲେ | ଏହି ପରମ୍ପରା ବହିର୍ଗତ କାର୍ଯ୍ୟକୁ ଯେଉଁମାନେ ଦୃଢ ବିରୋଧ କରି ନାବାଳକ ରାଜକୁମାର (ମୁକୁନ୍ଦଦେବ)-ଙ୍କ ପକ୍ଷରେ ଠିଆ ହେଲେ, ତାଙ୍କ ମଧ୍ୟରେ ଜୟୀ ରାଜଗୁରୁ ସର୍ବାଗ୍ରେ ଥିଲେ | ଏହି କୂଟନୈତିକ ସମରରେ ଜୟୀ ରାଜଗୁରୁ ବିଜୟୀ ହେଲେ ଓ ମୁକୁନ୍ଦଦେବଙ୍କ ରାଜ୍ୟାଭିଷେକ କରାଇଲେ | ଦୁରଭିଳାଷ ଚରିତାର୍ଥ ନ ହେବାରୁ ଇଁରେଜମାନେ ତଥା ଆଭ୍ୟନ୍ତରୀଣ ଶତ୍ରୁମାନେ ଉତ୍ତେଜିତ ହେଲେ ଓ ସୁଯୋଗ ଅପେକ୍ଷାରେ ରହିଲେ |


୧୮୦୩ ମସିହା ବେଳକୁ ଇଂରେଜମାନେ ଓଡିଶା ଉପରେ କବଜା କରିବା ପାଇଁ ଅଧୀର ହୋଇପଡିଥିଲେ | ଏଥିପାଇଁ ସେମାନେ ପ୍ରଥମେ ଭେଦନୀତି (Divide and Rule)ର ସାହାଯ୍ୟ ନେଲେ | ସେତେବେଳେ ବାରବାଟୀ ଦୁର୍ଗ ମରାଠାମାନଙ୍କ ଦ୍ବାରା ଅଧିକୃତ ଅବସ୍ଥାରେ ଥାଏ | ମୋଗଲ୍ ଓ ଇଂରେଜଙ୍କ ସହିତ ମରାଠାଙ୍କର ସବୁବେଳେ ଯୁଦ୍ଧ ଲାଗି ରହୁଥାଏ | ମରାଠାମାନେ ଓଡିଶାବାସୀଙ୍କ ଉପରେ ମଧ୍ୟ ଅନେକ ଅତ୍ୟାଚାର କରି ଲୋକପ୍ରିୟତା ହରାଇ ସାରିଥା’ନ୍ତି | ଏହାର ଏକ ସଂକ୍ଷିପ୍ତ ପୃଷ୍ଠଭୂମି ଏହିପରି-


ଖ୍ରୀ: ୧୭୬୦-ରେ ପାରଳାଖେମୁଣ୍ଡିର ରାଜା ନାରାୟଣଦେବ ନିଜକୁ ଗଂଗବଂଶର ପ୍ରକୃତ ଦାୟାଦ ବୋଲି ଘୋଷଣା କରି ଖୋର୍ଦ୍ଧା ରାଜସିଂହାସନ ଉପରେ ନିଜର ନିର°କୁଶ ଅଧିକାର ଥିବା ଦାବିକଲେ | ଏହି ଦାବିକୁ ବାସ୍ତବ ଅଧିକାରରେ ପରିଣତ କରିବା ପାଇଁ ସେ ଖୋର୍ଦ୍ଧା ରାଜା ବୀରକିଶୋର ଦେବ (ଦ୍ବିତୀୟ ମୁକୁନ୍ଦଦେବଙ୍କ ପିତାମହ)-ଙ୍କ ଉପରେ ଆକ୍ରମଣ କଲେ | ନିଜର ସୁରକ୍ଷା ପାଇଁ ଗଜପତି ବୀରକିଶୋର ଦେବ କଟକର ବାରବାଟୀ ଦୁର୍ଗରେ ଆସ୍ଥାନ ଜମାଇ ସାରିଥିବା ମରାଠା ସୁବାଦାର ଶିବରାମ ସାଠେଙ୍କୁ ସାହାଯ୍ୟ ମାଗିଲେ | ମରାଠାମାନେ ସାହାଯ୍ୟ ଦେଲେ ଓ ତଦ୍ଦ୍ବାରା ଖୋର୍ଦ୍ଧା ଗଜପତି ପାରଳାଖେମୁଣ୍ଡି ରାଜାଙ୍କୁ ପରାସ୍ତ କରି ଘଉଡାଇ ଦେଲେ | ଏହା ପରେ ମରାଠାମାନେ ଏହି ସାହାଯ୍ୟର ଅତ୍ୟଧିକ ମୂଲ୍ୟ ଦାବିକଲେ | ସେମାନେ ଖୋର୍ଦ୍ଧା ଗଜପତିଙ୍କ ଠାରୁ ଲେମ୍ବାଇ, ରାହାଂଗ, ସିରାଇ ଭଳି ବିତ୍ତଶାଳୀ ପ୍ରଗଣା, ପୁରୁଷୋତ୍ତମ କ୍ଷେତ୍ର ପୁରୀ ଓ ଚଉଦଟି ଗଡଜାତର ରାଜସ୍ବ ଆଦାୟ ବଳପୂର୍ବକ ଛଡାଇନେଲେ | ଏହା ଦ୍ବାରା ଖୋର୍ଦ୍ଧା ଗଜପତି ଆର୍ଥିକ ଦୃଷ୍ଟିରୁ ବେଶ୍ କ୍ଷତିଗ୍ରସ୍ତ ହେଲେ ଓ ସର୍ବୋପରି ପୁରୀ ଶ୍ରୀମନ୍ଦିର ଉପରେ କର୍ତ୍ତୃତ୍ବ ହରାଇ ଘୋର ଅପମାନିତ ହେଲେ | ମରାଠାମାନଙ୍କ ସହିତ ଗଜପତିଙ୍କ ସମ୍ପର୍କ ବେଶ୍ ତିକ୍ତ ହେଲା | ମରାଠାମାନେ ସେମାନଙ୍କ ସୈନ୍ୟବାହିନୀକୁ ଯୁଦ୍ଧପ୍ରବୀଣ କରି ଗଢି ତୋଳୁତୋଳୁ ସେମାନେ ଅନେକ ପରିମାଣରେ ଯୁଦ୍ଧପ୍ରବଣ ହୋଇଯାଇଥା’ନ୍ତି | ଏମାନେ ବର୍ଗୀ ନାମରେ ପରିଚିତ ଥା’ନ୍ତି | ନିଜର ଯୁଦ୍ଧପ୍ରବଣତା ପାଇଁ ଓ କ୍ରମାଗତ ଲାଗିଥିବ ଯୁଦ୍ଧର ଖର୍ଚ୍ଚ ଉଠାଇବା ପାଇଁ ଏମାନେ ଓଡିଶାର ସାଧାରଣ ଜନତାଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର (ଧନସମ୍ପତ୍ତି ଲୁଣ୍ଥନ, ଗୃହଦାହ ଆଦି) କରୁଥା’ନ୍ତି | ସେ ହେତୁ ଲୋକେ ଏମାନଙ୍କୁ ଭୟ-ମିଶ୍ରିତ-ଘୃଣା କରୁଥା’ନ୍ତି |


ଇଂରେଜମାନେ ଦକ୍ଷିଣ ପଟୁ ଓଡିଶାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥାନ୍ତି | ଏଥିପାଇଁ ୧୭୬୭-୬୮ ମସିହାରେ ତାଙ୍କର ପାରଳାଖେମୁଣ୍ଡି ରାଜା ନାରାୟଣଦେବଙ୍କ ସହ ସଂଘର୍ଷ ହେଲା | ନିଜନିଜ ମଧ୍ୟରେ ସଂଘର୍ଷ ଯୋଗୁ ଦେଶୀୟ ରାଜାମାନଙ୍କର ଶକ୍ତି କ୍ଷୟ ହୋଇଯାଇଥିଲା | ଇଂରେଜମାନଙ୍କର ଅସ୍ତ୍ରଶସ୍ତ୍ର ମଧ୍ୟ ଉନ୍ନତ କିସମର ଥିଲା | ନାରାୟଣଦେବ ଇଂରେଜମାନଙ୍କୁ ହଟାଇ ପାରିଲେ ନାହିଁ, ବରଂ କର୍ଣ୍ଣେଲ୍ ପିଚ୍-ଙ୍କ ହାତରେ ପରାସ୍ତ ହୋଇ କାରାବାସ ଭୋଗିଲେ | କିନ୍ତୁ, ଖୋର୍ଦ୍ଧା ପାଇକଙ୍କ ଦୁର୍ଦ୍ଧର୍ଷତା ଯୋଗୁ ଇଂରେଜମାନେ ଓଡିଶା ଦଖଲ ଦିଗରେ ଆଉ ବିଶେଷ ଅଗ୍ରଗତି କରିପାରି ନଥିଲେ | ମରାଠାମାନଙ୍କ ବିରୋଧରେ ଓଡିଶାରେ ଯେଉଁ ଜନ-ଅସନ୍ତୋଷ ଥିଲା, ଇଂରେଜମାନେ ତାହାର ସୁଯୋଗ ନେବା ପାଇଁ ଚାହିଁଲେ | ମରାଠାମାନଙ୍କୁ ତଡିବା ଉତ୍କଳୀୟମାନଙ୍କ ହିତରେ ହେବା ବୋଲି ବୁଝାଇ ସେଥିପାଇଁ ଖୋର୍ଦ୍ଧା ଗଜପତି ଦ୍ବିତୀୟ ମୁକୁନ୍ଦଦେବଙ୍କ ସହାୟତା ଲୋଡିଲେ | ସେମାନେ ମାନ୍ଦ୍ରାଜରୁ ବାଣପୁର ଓ ଖୋର୍ଦ୍ଧା ଦେଇ କଟକକୁ ସୈନ୍ୟ ଚାଳନା କରିବା ପାଇଁ ମୁକୁନ୍ଦଦେବଙ୍କୁ ଅନୁମତି ମାଗିଲେ | ଏହା ୧୮୦୩ ମସିହାର କଥା | ସେତେବେଳକୁ ମୁକୁନ୍ଦଦେବଙ୍କ ରାଜଗୁରୁ ଥା’ନ୍ତି ଜୟୀକୃଷ୍ଣ ଓ ବକ୍ସି (ସେନାପତି) ଥା’ନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର | ଉଭୟ ଇଂରେଜମାନଙ୍କ ଦୁରଭିସନ୍ଧି ବୁଝିପାରି ଏହାର ଘୋର ବିରୋଧ କଲେ | ମାତ୍ର ଅନଭିଜ୍ଞ ମୁକୁନ୍ଦଦେବ ମରାଠାମାନଙ୍କ ଦ୍ବାରା ଅପହୃତ ହୋଇଥିବା କର୍ତ୍ତୃତ୍ବ ଫେରିପାଇବା ଲାଳସା ନେଇ ଇଂରେଜମାନଙ୍କ ସହିତ ବିଚାରବିମର୍ଶ କଲେ ଓ ସେମାନଙ୍କ ଚଟୁଳ କଥାବାର୍ତ୍ତାରେ ଭଳିଯାଇ ସମର୍ଥନ ଦେବାକୁ ଅଧୀର ହୋଇଉଠିଲେ | ଜୟୀ ରାଜଗୁରୁ ନୀରବ ରହିବାକୁ ବାଧ୍ୟହେଲେ |


ଇଂରେଜ ସେନାପତି କର୍ଣ୍ଣେଲ୍ ହାରକୋର୍ଟ୍ ୧୮୦୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ମାନ୍ଦ୍ରାଜ୍ ପଟୁ ଓଡିଶା ଅଭିଯାନରେ ବାହାରିଲେ | ଉପରୋକ୍ତ ବୁଝାମଣା ଯୋଗୁ ମୁକୁନ୍ଦଦେବ ବାଧା ଦେଲେ ନାହିଁ | ସୈନ୍ୟବଳ ସହିତ କର୍ଣ୍ଣେଲ୍ ହାରକୋର୍ଟ୍ ଚିଲିକା କୂଳରେ ଥିବା ମାଣିକୀପାଟଣା ଗ୍ରାମରେ ପହଂଚିଲେ | ମରାଠାମାନେ ବଳପୂର୍ବକ ଖୋର୍ଦ୍ଧା ଗଜପତିଙ୍କୁ ଅପସାରିତ କରି ପୁରୀ ଶ୍ରୀମନ୍ଦିରର ନିୟନ୍ତ୍ରଣ ନିଜ ହାତରେ ରଖିଥିଲେ ଓ ଶ୍ରୀମନ୍ଦିରର ରାଜସ୍ବକୁ ଆତ୍ମସାତ କରୁଥିଲେ | ଏଥିରେ ଓଡିଶାର ସାଧାରଣ ଜନତା ଓ ବିଶେଷ କରି ପୁରୀର ପଣ୍ଡା ଓ ମଠ-ମହନ୍ତମାନେ ବିକ୍ଷୁବ୍ଧ ଥିଲେ | ଏମାନଙ୍କ ଏକ ପ୍ରତିନିଧି ଦଳ ତୁରନ୍ତ ମାଣିକୀପାଟଣା ଠାରେ ପହଂଚି ହାରକୋର୍ଟଙ୍କୁ ଭେଟିଲେ ଓ ପୁରୀ ସହର ଉପରେ ଚଢାଉ କରି ମରାଠାମାନଙ୍କୁ ବିତାଡିତ କରିବା ପାଇଁ ଉତ୍ସାହିତ କଲେ | ଏମାନେ ହାରକୋର୍ଟଙ୍କୁ ସାମରିକ ଦୃଷ୍ଟିକୋଣରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ (ଯେପରି, ଅଭିଯାନ ପାଇଁ ସୁବିଧାଜନକ ରାସ୍ତା, ମରାଠାମାନଙ୍କର ସାମରିକ ବଳ ଓ ସେଗୁଡିକର ଅବସ୍ଥିତି, ଇତ୍ୟାଦି) ଯୋଗାଇଦେଲେ | ଚିଲିକା କୂଳେ କୂଳେ ଗତି କରି ଓ ନରସିଂହପାଟଣା ବାଟ ଦେଇ ସେପ୍ଟେମ୍ବର ୧୮ ତାରିଖ ଦିନ ହାରକୋର୍ଟ ପୁରୀ ସହରରେ ପ୍ରବେଶ କଲେ ଓ ମରାଠାମାନଙ୍କୁ ଅକ୍ଲେଶରେ ପରାଜିତ କରି ତଡିଦେଲେ | ଶ୍ରୀମନ୍ଦିରର ଦାୟିତ୍ବ ଓଡିଆ ପଣ୍ଡାଙ୍କ ହାତରେ ଦେଇ ହାରକୋର୍ଟ ବାରବାଟୀ ଦୁର୍ଗ ଜୟ କରିବାକୁ କଟକ ବାହାରିଲେ | ପୁରୀରୁ ପଳାୟନ କରିଥିବା ମରାଠା ସୈନ୍ୟମାନେ ପିପିଲି ପାଖ ଦାଣ୍ଡମୁକୁନ୍ଦପୁର ଠାରେ ଜଗିଥିଲେ | ସେଠାରେ ହାରକୋର୍ଟଙ୍କ ସୈନ୍ୟଙ୍କ ସହ ସେମାନଙ୍କର ଯୁଦ୍ଧ ହେଲା | ପରାସ୍ତ ହୋଇ ମରାଠା ସୈନ୍ୟମାନେ ଛତ୍ରଭଂଗ ଦେଲେ | ହାରକୋର୍ଟ ପିପିଲିରୁ ବାରଂଗ ବାଟ ଦେଇ କାଠଯୋଡି ନଦୀକୁ ଅତିକ୍ରମ କରି କଟକ ସହରରେ ଅକ୍ଟୋବର ୮ ତାରିଖ ଦିନ ପ୍ରବେଶ କଲେ | ବାରବାଟୀ ଦୁର୍ଗକୁ ମରାଠାମାନଙ୍କ ଠାରୁ ଛଡାଇ ଆଣିବାକୁ ଯୁଦ୍ଧ ହେଲା | ଅଳ୍ପଦିନ ମଧ୍ୟରେ ଇଂରେଜମାନେ ବିଜୟୀ ହେଲେ | ଏ ସମସ୍ତ ପ୍ରକ୍ରିୟାରେ ଖୋର୍ଦ୍ଧା ଗଜପତି ମୁକୁନ୍ଦଦେବ ଇଂରେଜମାନଙ୍କୁ ନୈତିକ ସମର୍ଥନ ଦେଇ ତାଙ୍କ ମନୋବଳ ବଢାଇଥିଲେ ଓ ସାମରିକ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥିଲେ | ଭାରତୀୟମାନଙ୍କୁ ଭାଗଭାଗ କରିବାରେ ଇଂରେଜମାନଙ୍କ କୂଟନୀତି ସଫଳ ହେଲା |              


ଓଡିଶାରେ ମରାଠା ଆଧିପତ୍ୟର ଅନ୍ତ ଘଟିଲା | କିନ୍ତୁ, ବ୍ୟବସାୟ-ବୁଦ୍ଧିରେ ପ୍ରବୀଣ ଇଂରେଜମାନେ ସର୍ତ୍ତ ଖିଲାପ କଲେ ଓ ମୁକୁନ୍ଦଦେବଙ୍କୁ ଲେମ୍ବାଇ, ରାହାଂଗ, ସିରାଇ ଓ ଚବିଶକୁଦ ଭଳି ରାଜସ୍ବ ଦୃଷ୍ଟିରୁ ଲୋଭନୀୟ ପ୍ରଗଣାଗୁଡିକୁ ଫେରାଇଲେ ନାହିଁ | ଜୟୀ ରାଜଗୁରୁ ଜଣେ ଅତ୍ଯନ୍ତ ତେଜସ୍ବୀ ସ୍ବଭାବର ବ୍ୟକ୍ତି ଥିଲେ | ଦେଶସେବା ପାଇଁ ତାଙ୍କର ସମସ୍ତ ଜୀବନ ଉତ୍ସର୍ଗୀକୃତ ଥିଲା | ଏଥିପାଇଁ ସେ ବିବାହ ମଧ୍ୟ କରି ନଥିଲେ | ରାଜଗୁରୁ ପଦବୀରେ ଥିବାରୁ ରାଜା ତାଙ୍କୁ ଅନେକ ସମ୍ପତ୍ତି ଓ ସୁବିଧା ପ୍ରଦାନ କରିଥିଲେ | କିନ୍ତୁ, ଜୟୀକୃଷ୍ଣ ଏ ସବୁକୁ ଅଗ୍ରାହ୍ୟ କରି ଏକ ସରଳ ଓ ଆଦର୍ଶ ଜୀବନଯାପନ କରୁଥିଲେ | ପୁରାଣ ଯୁଗରେ ଆର୍ଯ୍ୟାବର୍ତ୍ତରେ ଥିବା ରାଜଗୁରୁମାନଙ୍କ (ବିଶ୍ବାମିତ୍ର, ଦ୍ରୋଣାଚାର୍ଯ୳ ଆଦି) ଚାରିତ୍ରିକ ଦୃଢତା ଜୟୀକୃଷ୍ଣଙ୍କ ଠାରେ ଝଲସି ଉଠୁଥିଲା |


ଇଂରେଜମାନଙ୍କର ଶଠତା ଓ ବିଶ୍ବାସଘାତକତାରେ ଜୟୀକୃଷ୍ଣ ଉତ୍ତେଜିତ ହୋଇଉଠିଲେ | ନିଜ ନିଃସ୍ବାର୍ଥତା ଓ କର୍ତ୍ତବ୍ୟପରାୟଣତା ହେତୁ ରାଜା ମୁକୁନ୍ଦଦେବଙ୍କ ଉପରେ ତାଙ୍କର ଅଖଣ୍ଡ କର୍ତ୍ତୃତ୍ବ ଥିଲା | ଏପରିକି ବକ୍ସି ଓ ଦେୱାନ ପଦରେ ଅଭିଜ୍ଞ ଓ ଯୋଗ୍ୟ ବ୍ୟକ୍ତି ଥିଲେ ସୁଦ୍ଧା ସେ ବହୁ ସମୟରେ ସେହି ପଦବୀଗୁଡିକର କ୍ଷମତା ଉପଭୋଗ କରୁଥିଲେ | ଏହା ଦ୍ବାରା କିଛି ସମୟରେ ରାଜ୍ୟର ଶାସନକାର୍ଯ୍ୟରେ କିଛି ମନୋମାଳିନ୍ୟ ସୃଷ୍ଟି ହେଉଥିଲା | କିନ୍ତୁ, ଜୟୀକୃଷ୍ଣଙ୍କ ବ୍ୟକ୍ତିତ୍ବର ଉତ୍ତୁଂଗତା ଏହାକୁ ସମ୍ଭାଳି ନେଉଥିଲା |  


ଇଂରେଜମାନଙ୍କୁ ପ୍ରତିବାଦ ଜଣାଇବା ପାଇଁ ଜୟୀକୃଷ୍ଣ ୧୮୦୪ ମସିହା ମାର୍ଚ୍ଚ ମାସ ୧୧ ତାରିଖ ଦିନ ଦୁଇ ହଜାର ସୈନ୍ୟଙ୍କୁ ସାଂଗରେ ନେଇ କଟକ ଗଲେ ଓ ଲାଲବାଗ କୋଠିରେ ହାରକୋର୍ଟଙ୍କୁ ଭେଟିଲେ | ସଶସ୍ତ୍ର ପାଇକଙ୍କୁ ଓ ଜୟୀକୃଷ୍ଣଙ୍କ ସାଂଗଠନିକ ଦକ୍ଷତା ଦେଖି ଇଂରେଜ ଅଫିସରମାନେ ମନେମନେ ଶଂକିତ ହେଲେ | ପ୍ରବଳ ପ୍ରତାପୀ ଇଂରେଜମାନଙ୍କ ସହିତ ଏ ପ୍ରକାରର ମୁକାବିଲାମୂଳକ ପଦକ୍ଷେପ ଜୟୀକୃଷ୍ଣଙ୍କ ଦୁର୍ଦ୍ଧର୍ଷତା ଓ ଭୟଶୂନ୍ୟତାର ପ୍ରମାଣ ଦିଏ | ପରିଣାମସ୍ବରୂପ, ତାଙ୍କୁ କିପରି ଜବତ୍ କରାଯିବ ସେ ଦିଗରେ ଇଂରେଜମାନେ ଗୁରୁତ୍ବର ସହିତ ଚିନ୍ତାକଲେ |


ଉପରୋକ୍ତ ଚାରିଗୋଟି ମୂଲ୍ୟବାନ ପ୍ରଗଣାକୁ ଫେରାଇଦେବା ପାଇଁ ଓ ଚୁକ୍ତି ଅନୁଯାୟି ପ୍ରାପ୍ୟ ଅବଶିଷ୍ଟ ନବେ ହଜାର ଟଙ୍କା (ଲକ୍ଷେ ଟଙ୍କାରୁ) ଦେବା ପାଇଁ ଜୟୀକୃଷ୍ଣ ଇଂରେଜମାନଙ୍କୁ ରୋକ୍-ଠୋକ୍ କହିଲେ | ଇଂରେଜମାନେ ନବେ ହଜାରରୁ ମାତ୍ର ଚାଳିଶି ହଜାର ଟଙ୍କା ଦେଇ ଭବିଷ୍ୟତରେ ଅବଶିଷ୍ଟ ଦେବେ ବୋଲି ଚଟୁଳ ଆଶ୍ବାସନା ଦେଲେ; କିନ୍ତୁ, ଉପରୋକ୍ତ ଚାରିଗୋଟି ପ୍ରଗଣା ଫେରାଇବାକୁ ସଫା ସଫା ମନାକରିଦେଲେ | କର୍ଣ୍ଣେଲ୍ ହାରକୋର୍ଟଙ୍କ ମତିଗତି ଆଉ ଜୟୀକୃଷ୍ଣଙ୍କୁ ଅଛପା ରହିଲା ନାହିଁ | ସେ ଜାଣି ପାରିଲେ, ଇଂରେଜମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ସମଗ୍ର ଓଡିଶାକୁ ଗ୍ରାସ କରିବା | ସେ ଖୋର୍ଦ୍ଧା ଗଜପତିଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଲେ | ହାରକୋର୍ଟଙ୍କ ପାଖରୁ (କଟକରୁ) ସେ ଖୋର୍ଦ୍ଧା ଫେରିଆସିଲେ | ତାଙ୍କ ପରାମର୍ଶକୁ ହେୟଜ୍ଞାନ କରି ରାଜା ଇଂରେଜମାନଙ୍କୁ ବିଶ୍ବାସ କରିଥିବାରୁ ସେ ମୁକୁନ୍ଦଦେବଙ୍କୁ ତିରସ୍କାର କଲେ | ସେ ରାଜାଙ୍କୁ ବୁଝାଇଦେଲେ ଯେ ଖୋର୍ଦ୍ଧା ରାଜସିଂହାସନର ସାର୍ବଭୌମତ୍ବ ବିପନ୍ନ | ଖୋର୍ଦ୍ଧା ହେଲା ଓଡିଶାର ରାଜନୈତିକ ନାଭିକେନ୍ଦ୍ର | ଖୋର୍ଦ୍ଧାର ସମ୍ମାନ ଭୂଲୁଣ୍ଠିତ ହେଲେ ଓଡିଆ ଜାତି ହାରିଯିବ | ମାତୃଭୂମିର ସମ୍ମାନ ଓ ସ୍ବାଧୀନତା ରକ୍ଷା ନିମନ୍ତେ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ ରାଜାଙ୍କୁ ବୁଝାଇଲେ ଏବଂ ନିଜେ ସେ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କଲେ |  


ଇଂରେଜମାନେ ଓଡିଶାର ଦେଶୀୟ ରାଜ୍ୟଗୁଡିକୁ ଗ୍ରାସକରିବା ଯୋଜନାରେ ଦୃତଗତିରେ ଆଗେଇଲେ | ୧୮୦୩ ମସିହା ନଭେମ୍ବର ମାସରେ ସେମାନେ ଏକ ଚୁକ୍ତିପତ୍ର ପ୍ରସ୍ତୁତ କରି ଦେଶୀୟ ରାଜାମାନଙ୍କ ପାଖକୁ ପଠାଇଲେ ଓ ଏଥିରେ ସ୍ବାକ୍ଷର କରିବାକୁ ଚାପ ପକାଇଲେ | ଚୁକ୍ତିପତ୍ରରେ ଥିଲା- ଦେଶୀୟ ରାଜାମାନେ ଇଂରେଜମାନଙ୍କର ବଶ୍ୟତା ସ୍ବୀକାର କରିବେ, ନିୟମିତ ଭାବେ ଇଂରେଜମାନଙ୍କୁ ନିର୍ଦ୍ଧାରିତ ଖଜଣା ଦେବେ ଓ ଆବଶ୍ୟକ ସ୍ଥଳେ ଇଂରେଜମାନଙ୍କୁ ସୈନ୍ୟ-ସହାୟତା ଯୋଗାଇଦେବେ | ଦେଶୀୟ ରାଜ୍ୟଗୁଡିକୁ ସମ୍ପୂର୍ଣ୍ଣ ଭାବେ ପଦାନତ ଓ ଶୋଷଣ କରିବାକୁ, ଏବଂ ପରସ୍ପର ବିରୋଧରେ ଲଢାଇ ସର୍ବସ୍ବାନ୍ତ କରିବାକୁ ଏହା ଥିଲା ଏକ ସୁଚିନ୍ତିତ ଚିଠା | ଅନେକ ଦେଶୀୟ ରାଜା ଲଢିବାକୁ ସାହସ ଜୁଟାଇ ନ ପାରି ଏଥିରେ ସ୍ବାକ୍ଷର କରିଦେଲେ | କିନ୍ତୁ, ଜୟୀ ରାଜଗୁରୁ ଏହି କଳା-ଚିଠାକୁ ମୂଳରୁ ଘୋର ବିରୋଧ କଲେ | ତାଙ୍କ ପ୍ରଭାବ ଓ ପରାମର୍ଶ ଯୋଗୁ ଖୋର୍ଦ୍ଧା ରାଜା ଏହି ଚୁକ୍ତିପତ୍ରରେ ସ୍ବାକ୍ଷର କଲେନାହିଁ | ଇଂରେଜମାନେ ଭିତିରିଆ ଖବର ନେଇ ଏ ସବୁ ଜୟୀକୃଷ୍ଣଙ୍କ ନିଷ୍ପତ୍ତି ବୋଲି ଜାଣିପାରିଲେ | ସେମାନେ ପରାମର୍ଶଦାତା ପଦରୁ ଜୟୀକୃଷ୍ଣଙ୍କୁ ହଟାଇଦେବା ପାଇଁ ଖୋର୍ଦ୍ଧା ରାଜାଙ୍କ ଉପରେ ପ୍ରବଳ ଚାପ ପକାଇଲେ; କିନ୍ତୁ, ଏହି କୂଟନୀତି ଜୟୀକୃଷ୍ଣଙ୍କ ବ୍ୟକ୍ତିତ୍ବ ଓ ପ୍ରଭାବ ଆଗରେ ହାର ମାନିଲା | ଜୟୀକୃଷ୍ଣ ପୂର୍ବବତ୍ ପରାମର୍ଶଦାତା ରହିଲେ |


ଅନ୍ୟ ଉପାୟ ନ ଦେଖି ୧୮୦୪ ମସିହା ଫେବୃୟାରୀ ୨୦ ତାରିଖ ଦିନ କର୍ଣ୍ଣେଲ୍ ହାରକୋର୍ଟ ଜୟୀକୃଷ୍ଣଙ୍କୁ ଆଲୋଚନା ପାଇଁ କଟକ ଡକାଇଲେ | କିନ୍ତୁ, ଜୟୀକୃଷ୍ଣ ଇଂରେଜମାନଙ୍କୁ ଆଉ ତିଳେମାତ୍ର ବିଶ୍ବାସ କରିବା ପାଇଁ ପ୍ରସ୍ତୁତ ନ ଥିଲେ | ତେଣୁ, ସେ ଆଲୋଚନା ପାଇଁ ଗଲେ ନାହିଁ | ଜୟୀକୃଷ୍ଣଙ୍କ ବୁଦ୍ଧି ଆଗରେ କୂଟନୀତି ବିଫଳ ହେଉଥିବା ଦେଖି ଇଂରେଜ ପ୍ରଶାସକମାନେ ଉତ୍ତେଜିତ ହେଲେ | ସେମାନେ ଖୋର୍ଦ୍ଧା ଆକ୍ରମଣ କରିବାର ଧମକ ଦେଲେ | ଯୁଦ୍ଧକୁ ସାମୟିକ ଭାବେ ଟାଳିଦେବା ପାଇଁ ଜୟୀକୃଷ୍ଣଙ୍କ ପରାମର୍ଶକ୍ରମେ ମୁକୁନ୍ଦଦେବ (ଦ୍ବିତୀୟ) ଚୁକ୍ତିନାମାରେ ସ୍ବାକ୍ଷର କଲେ; କିନ୍ତୁ, ବାର୍ଷିକ ଖଜଣା ଇଂରେଜମାନଙ୍କୁ ଦେଲେନାହିଁ | ଏ ସବୁ ଘଟଣାରେ ଇଂରେଜମାନେ ଜୟୀକୃଷ୍ଣଙ୍କୁ ନାଟର ଗୋବର୍ଦ୍ଧନ ବୋଲି ବିବେଚନା କଲେ ଓ ତାଙ୍କୁ ପରାମର୍ଶଦାତା ପଦରୁ ହଟାଇବା ପାଇଁ ଜୋରଦାର୍ ଚାପ ପକାଇଲେ | ଚାପ ନିଷ୍ଫଳ ହେଉଥିବା ଦେଖି ନିଜ ତରଫରୁ (ଖୋର୍ଦ୍ଧା ରାଜାଙ୍କ ସମ୍ମତି ନ ନେଇ) ଗୋଲାମ ଅମିନ ନାମକ ଜଣେ କର୍ମଚାରୀକୁ ରାଜାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରି ଖୋର୍ଦ୍ଧା ପଠାଇଲେ | ସ୍ବାଧୀନତାକୁ ଏହିପରି କୌଶଳରେ ଇଂରେଜମାନେ କ୍ରମେକ୍ରମେ ଗ୍ରାସ କରିବାକୁ ଉଦ୍ୟମ କରୁଥିବା ଦେଖି ଜୟୀକୃଷ୍ଣ ରାଜାଙ୍କୁ ଯୁଦ୍ଧ ପାଇଁ ମନାଇଲେ ଓ ଆନୁଷଂଗିକ ପ୍ରସ୍ତୁତିରେ ଲାଗିଗଲେ |  


ଜୟୀ ରାଜଗୁରୁ କେବଳ ସାହାସୀ ନ ଥିଲେ, ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ ଥିଲେ | ସେତେବେଳକୁ ପଲାସୀ ଯୁଦ୍ଧକୁ ପ୍ରାୟ ୫୦ (ପଚାଶ) ବର୍ଷ ବିତିସାରିଥିଲା | ଭାରତରେ ଇଂରେଜ ଶାସନର ମୂଳଦୁଆ ଅତିମାତ୍ରାରେ ସୁଦୃଢ ହୋଇସାରିଥିଲା | ଇଂରେଜମାନଙ୍କ ସହିତ ଲଢିବା ବେଶ୍ ଆୟାସସାଧ୍ୟ ହେବ ବୋଲି ଜୟୀକୃଷ୍ଣ କଳିନେଇଥିଲେ |   ତେଣୁ, ସେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆଂଚଳିକ ଶକ୍ତିଗୁଡିକୁ ଏକଜୁଟ କରିବା ପାଇଁ ଉଦ୍ୟମ କଲେ | ସେ ସମୟର କନିକା ରାଜା ଓ କୁଜଂଗଗଡର ରାଜା ବ୍ରିଟିଶମାନଙ୍କ ଅତ୍ୟାଚାର ଓ ଶୋଷଣରେ ଅସନ୍ତୁଷ୍ଟ ହୋଇ ରହିଥିଲେ | ଜୟୀକୃଷ୍ଣ ଏମାନଙ୍କ ସହ ଯୋଗାଯୋଗରେ ରହିଲେ | ଏମାନେ ପ୍ରକାଶ୍ୟରେ ଜୟୀକୃଷ୍ଣଙ୍କ ନେତୃତ୍ବରେ ଆରମ୍ଭ ହେଉଥିବା ବିଦ୍ରୋହକୁ ସମର୍ଥନ ଦେଲେ | ଜୟୀକୃଷ୍ଣ ଅନ୍ୟ ଅସନ୍ତୁଷ୍ଟ ରାଜା ଓ ଜମିଦାରଙ୍କ ସହ ମଧ୍ୟ ଯୋଗାଯୋଗ ରଖିଲେ, ଯେଉଁମାନେ ପ୍ରକାଶ୍ୟରେ ବିଦ୍ରୋହରେ ଅଂଶଗ୍ରହଣ ନ କଲେ ସୁଦ୍ଧା ପ୍ରଚ୍ଛଦପଟରେ ରହି ବିଭିନ୍ନ ଉପାୟରେ ସମର୍ଥନ ଯୋଗାଇଦେଲେ | ଏମାନଙ୍କ ମଧ୍ୟରେ ଥିଲେ ହରିଶପୁର, ମେରିଚପୁର ଓ ବିଷ୍ଣୁପୁର ଆଦି ଅଂଚଳର ଜମିଦାର | ପୂର୍ବରୁ ବର୍ଣ୍ଣନା କରାଯାଇଛି କିପରି ମରାଠାମାନଙ୍କୁ ଇଂରେଜମାନେ ଓଡିଶାରୁ ଘଉଡି ଦେଇଥିଲେ | ଭାରତର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଇଂରେଜ-ମରାଠା ସଂଘର୍ଷ ଲାଗିରହିଥିଲା | ଏହାର ସୁଯୋଗ ନେଇ ପୂର୍ବ ତିକ୍ତତା ଭୁଲି ଜୟୀକୃଷ୍ଣ ମରାଠା ଶକ୍ତିର ଯୋଗାଯୋଗରେ ରହିଲେ | ସେ ନିଜେ ନାଗପୁର ଯାଇ ମରାଠା ନେତା ରଘୁଜୀ ଭୋଁସଲାଙ୍କୁ ଭେଟିଲେ ଓ ଇଂରେଜମାନଙ୍କ ବିରୋଧରେ ସାମରିକ ତଥା ଆର୍ଥିକ ସାହାଯ୍ୟ ମାଗିଲେ | ପୂର୍ବରୁ ଜୟୀଙ୍କ ବିଷୟରେ ରଘୁଜୀ ଅନେକ କିଛି ଶୁଣିଥିଲେ | ଏଥର ବ୍ୟକ୍ତିଗତ ଆଲୋଚନା ଅବସରରେ ତାଙ୍କ ତେଜସ୍ବୀତା ଓ ସାଂଗଠନିକ ଦକ୍ଷତାର ପ୍ରତ୍ୟକ୍ଷ ପରିଚୟ ପାଇ ସେ ଏହି ପ୍ରସ୍ତାବରେ ରାଜିହୋଇଗଲେ | କିନ୍ତୁ, ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିବା ପୂର୍ବରୁ ଏକ ଅଘଟଣ ଘଟିଗଲା | ଜୟୀକୃଷ୍ଣଙ୍କ ଚିଠି ନେଇଯାଉଥିବା ସମୟରେ ମରାଠାମାନଙ୍କ ପ୍ରତିନିଧି ଆନ୍ତାଜୀ ନାୟକ ସମ୍ବଲପୁର ଠାରେ ବ୍ରିଟିଶ୍ ସୈନ୍ୟଙ୍କ ହାତରେ ଧରାପଡିଗଲେ ଓ ସମସ୍ତ ଯୋଜନା ପଦାରେ ପଡିଗଲା | ବ୍ରିଟିଶମାନେ ସତର୍କ ହୋଇଗଲେ ଓ ଜୟୀକୃଷ୍ଣ ମରାଠାମାନଙ୍କ ଠାରୁ କୌଣସି ସାହାଯ୍ୟ ପାଇପାରିଲେ ନାହିଁ | 


ଏଥିରେ ନିରାଶ ନ ହୋଇ ଜୟୀକୃଷ୍ଣ ନିଜ ଉଦ୍ୟମରେ ଲାଗିପଡିଲେ | ନବୀନ ଯୁବକମାନଙ୍କୁ ନିଯୁକ୍ତ କରି ସୈନ୍ୟବଳ ବୃଦ୍ଧି କରାଗଲା | ସେମାନଙ୍କୁ ରୀତିମତ ତାଲିମ ଦିଆଗଲା | ଆବଶ୍ୟକ ସ୍ଥଳେ ତାଲିମ ପାଇଁ ଅଭିଜ୍ଞ ମରାଠା ସର୍ଦ୍ଦାରମାନଙ୍କୁ ଦାୟିତ୍ବ ଦିଆଗଲା | ଖୋର୍ଦ୍ଧାର ଜଣେ ମରାଠା ସର୍ଦ୍ଦାରଙ୍କୁ କନିକା ସୈନ୍ୟଙ୍କ ନେତୃତ୍ବ ନେବା ପାଇଁ ଜୟୀକୃଷ୍ଣ ପଠାଇଲେ | ପଦାତିକ ବାହିନୀ, ଘୋଡସବାର, ତୋପବାହିନୀ ଆଦିଙ୍କୁ ପ୍ରସ୍ତୁତ ରଖାଗଲା | ଖୋର୍ଦ୍ଧାଗଡର ସୁରକ୍ଷାକୁ ଆହୁରି ଦୃଢୀଭୂତ କରାଗଲା | ଗଂଗପଡା, ଡେଲାଂଗ, ତରତୁଆ ଭଳି ଘାଟି ଜାଗାଗୁଡିକରେ ଅଧିକ ପାଇକମାନଙ୍କୁ ପ୍ରସ୍ତୁତ ରଖାଗଲା | ଖୋର୍ଦ୍ଧାଗଡର ଯଦି ପତନ ଘଟେ, ରାଜା କିପରି ଗୁପ୍ତରାସ୍ତାରେ ନିରାପଦ ସ୍ଥାନକୁ ଚାଲିଯାଇପାରିବେ, ତା’ର ଯୋଜନା ପ୍ରସ୍ତୁତ ହେଲା | ଏ ସବୁ ନ ସରିବା ପର୍ଯ୍ୟନ୍ତ ଜୟୀକୃଷ୍ଣ କଟକ ଠାରେ ଇଂରେଜମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିବା ପାଇଁ ରାଜାଙ୍କ ଜଣେ ପ୍ରତିନିଧିଙ୍କୁ ବସାଇ ରଖିଥିଲେ | ପ୍ରସ୍ତୁତି ସରିବାରୁ ସେହି ପ୍ରତିନିଧିକୁ କଟକରୁ ଫେରାଇ ଆଣିଲେ | ଏଥିରେ କର୍ଣ୍ଣେଲ୍ ହାରକୋର୍ଟ୍ ଅପମାନିତ ବୋଧକଲେ ଓ ଉତ୍କ୍ଷିପ୍ତ ହୋଇପଡିଲେ | ସେ ମଧ୍ୟ ଜୟୀକୃଷ୍ଣଙ୍କ ମୁକାବିଲା ମନୋଭାବକୁ ସଠିକ୍ ପଢିନେଲେ |    


ଶକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ବାରା ଜୟୀକୃଷ୍ଣଙ୍କୁ ଜବତ କରିବା ପାଇଁ ସୁପାରିଶ କରି କର୍ଣ୍ଣେଲ୍ ହାରକୋର୍ଟ୍ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ୍ ଲର୍ଡ୍ ୱେଲସଲିଙ୍କୁ ଚିଠି ଲେଖିଲେ | ଜୟୀକୃଷ୍ଣ ଭାରତରେ ବ୍ରିଟିଶ୍-ବିରୋଧୀମାନଙ୍କର ଆଦର୍ଶ ବନିଯାଇ ପାରନ୍ତି ବୋଲି ହାରକୋର୍ଟଙ୍କ ଦୃଢ ଆଶଂକା ଥିଲା | ଜଣେ ସାମାନ୍ୟ ଓଡିଆ ପ୍ରବଳପ୍ରତାପୀ ଇଂରେଜ ସରକାରଙ୍କୁ ଖୋଲା ଆହ୍ବାନ ଦେଇ ଏକ ବିପ୍ଳବର ସୂତ୍ରପାତ କରୁ ଏବଂ ନିଜେ ସେହି ବିପ୍ଳବର ନାୟକ ହୋଇଯାଉ – ଏହି ସମ୍ଭାବନାକୁ କୌଣସି ମତେ ପ୍ରତିହତ କରିବାକୁ ହାରକୋର୍ଟ ସଂକଳ୍ପବଦ୍ଧ ଥିଲେ | କିନ୍ତୁ, ଅତୀତରେ ନିଜର ଯୁଦ୍ଧଖୋର ମନୋଭାବ ଯୋଗୁ ଇଂଲଣ୍ଡରେ ଅନେକ ସମାଲୋଚିତ ହୋଇଥିବା ୱେଲସଲି ଏହି ପ୍ରସ୍ତାବକୁ ଗ୍ରହଣ କଲେନାହିଁ | ସେ ଅନ୍ୟ ଉପାୟ ଅବଲମ୍ବନ କରିବାକୁ ହାରକୋର୍ଟଙ୍କୁ ପରାମର୍ଶ ଦେଲେ | ହାରକୋର୍ଟ ରାଜାଙ୍କ ସାଂଗରେ କଥାବାର୍ତ୍ତା କରିବା ପାଇଁ କ୍ୟାପଟେନ୍ ବ୍ଲଣ୍ଟ୍ ନାମକ ଇଂରେଜ ଅଫିସରଙ୍କୁ ଖୋର୍ଦ୍ଧା ପଠାଇଲେ | କିନ୍ତୁ, ଜୟୀ ରାଜଗୁରୁ ଦେଖିଲେ ଏହି କଥାବାର୍ତ୍ତାରେ ଖୋର୍ଦ୍ଧା ରାଜସିଂହାସନର କିଛି ମଂଗଳ ହେବାର ନାହିଁ | ସ୍ବାଧୀନତାକୁ ସଂକୁଚିତ କରି କରି ଅବଶେଷରେ ସମ୍ପୂର୍ଣ୍ଣ ବିଲୋପ କରିବା ଇଂରେଜମାନଙ୍କ ପ୍ରକୃତ ଉଦ୍ଦେଶ୍ୟ | ଜୟୀକୃଷ୍ଣଙ୍କ ପରାମର୍ଶକ୍ରମେ ରାଜା ଦେଖାଦେଲେ ନାହିଁ; ଫଳରେ କ୍ୟାପଟେନ୍ ବ୍ଲଣ୍ଟ୍ କଟକ ଫେରିଯିବା ପାଇଁ ବାଧ୍ୟ ହେଲେ | ଏହାପରେ ଯୁଦ୍ଧ ବ୍ୟତୀତ ଅନ୍ୟ ବିକଳ୍ପ ରହିଲା ନାହିଁ |


ଯୁଦ୍ଧ ଅବଶ୍ୟମ୍ଭାବୀ ଜାଣି ଜୟୀକୃଷ୍ଣ ନିଜ ତରଫରୁ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କଲେ | ସେ ଇଂରେଜମାନଙ୍କ ଦ୍ବାରା ଅଧିକୃତ ବାଟଗାଁ (ପିପିଲି ନିକଟସ୍ଥ), ମାଟିଆପଡା, ବରପଦା, ଖାରଦ ଆଦି ସ୍ଥାନରୁ ପ୍ରଜାଙ୍କ ଠାରୁ ଖଜଣା ଆଦାୟ କଲେ ଓ ଏହି ଅର୍ଥରେ ସୈନ୍ୟବାହିନୀକୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟାକଲେ | ଘନେଇ ଆସୁଥିବା ଯୁଦ୍ଧ ପାଇଁ ଅର୍ଥ ସଂଗ୍ରହ କରିବାକୁ ସେ ଖଜଣା ଆଦାୟକୁ କଡାକଡି କଲେ, ଯଦ୍ଦ୍ବାରା ପ୍ରଜା ଅସନ୍ତୁଷ୍ଟ ହେଲେ | ଖୋର୍ଦ୍ଧା ରାଜା ଓ ଇଂରେଜମାନଙ୍କ ମଧ୍ୟରେ ତିକ୍ତତା ଓ ଉତ୍ତେଜନା ବଢ଼ିବାକୁ ଲାଗିଲା | ରାଜାଙ୍କୁ ଓ ରାଜଗୁରୁଙ୍କୁ ଜବତ୍ କରିବା ପାଇଁ ଇଂରେଜମାନେ ଧିରେଧିରେ ସବୁ ପ୍ରକାର ପଦକ୍ଷେପ ନେବା ଆରମ୍ଭ କଲେ | ଖୋର୍ଦ୍ଧା ଚାରିପଟେ ଅବସ୍ଥିତ ବିଭିନ୍ନ ଛୋଟ ରାଜା, ଜମିଦାର, ପ୍ରଧାନମାନଙ୍କୁ (ପଦନପୁର, ଗଡହଳଦିଆ, ବେଗୁନିଆଗଡ, ଝାରଗଡ, ଭୀମପୁର ବଡତୋଟା, ଗଡଲାଲସିଂହ, ଇତ୍ୟାଦି) ଭୟଭୀତ କରି ଇଂରେଜ ସରକାରଙ୍କ ଅନୁଗତ ହେବାକୁ ବାଧ୍ୟ କରାଗଲା | ଏହା ସତ୍ତ୍ବେ କିଛି ଦେଶପ୍ରେମୀ ଓ ସ୍ବାଧୀନଚେତା ବ୍ୟକ୍ତି ଗୁପ୍ତରେ ରାଜାଙ୍କୁ ଏବଂ ରାଜଗୁରୁଙ୍କୁ ସମର୍ଥନ ଦେଲେ | ଉଭୟପକ୍ଷ ପରସ୍ପରର ପ୍ରଭାବ କ୍ଷୁର୍ଣ୍ଣ କରିବା ପାଇଁ ପ୍ରତିସ୍ପର୍ଦ୍ଧି ହେଲେ |


୧୮୦୪ ମସିହା ଅକ୍ଟୋବର ମାସର କଥା | ଇଂରେଜ ସେନା ମହାନଦୀ ପଠାରେ ସମରକଳା ଅଭ୍ୟାସ କରୁଥିଲେ | ଜୟୀ ରାଜଗୁରୁ ନିଜ ପାଇକବାହିନୀକୁ ପଠାଇ ସେମାନଙ୍କ ଉପରେ ଅଚାନକ ଆକ୍ରମଣ କରିଦେଲେ | ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନିଆଗଲା | କର୍ଣ୍ଣେଲ୍ ହାରକୋର୍ଟ୍ ପୁରୀରୁ କଟକ ଆସିବା ସମୟରେ ଇଂରେଜ ସୈନ୍ୟମାନେ ଡେଲାଂଗ, ପିପିଲି, ଇତ୍ୟାଦି ସ୍ଥାନ ଉପରେ କବଜା କରିନେଇଥା’ନ୍ତି | ଜୟୀକୃଷ୍ଣ ରାଜାଙ୍କର ଅନୁମତି ନେଇ ଡେଲାଂଗ ଉପରେ ଆକ୍ରମଣ କଲେ ଓ ଇଂରେଜ ସୈନ୍ୟଙ୍କୁ ଘଉଡାଇ ଦେଲେ | ଡେଲାଂଗ ପୁଣି ଖୋର୍ଦ୍ଧା ଗଜପତିଙ୍କ ଅଧୀନକୁ ଆସିଲା | ଏହି ସମାଚାର ପାଇ ହାରକୋର୍ଟ୍ ସଦଳବଳ ଡେଲାଂଗ ପହଂଚିଲେ | ଜୟୀକୃଷ୍ଣ ସେତେବେଳକୁ ଡେଲାଂଗରେ ଥିଲେ | ଗୁପ୍ତଚର ଇଂରେଜମାନଙ୍କୁ ଜୟୀକୃଷ୍ଣଙ୍କର ରହିବା ସ୍ଥାନ ବତାଇଦେଇଥିଲେ ସୁଦ୍ଧା ପ୍ରତ୍ୟୁତ୍ପନ୍ନମତି ଜୟୀ ଖସିଯାଇଥିଲେ | ଉଭୟ ପକ୍ଷ ମଧ୍ୟରେ ଜୋରଦାର ଲଢାଇ ହେଲା | ଜୟୀକୃଷ୍ଣଙ୍କ ନେତୃତ୍ବରେ ପାଇକମାନେ ଇଂରେଜ ସୈନ୍ୟଙ୍କୁ ଗୋଡାଇ ଗୋଡାଇ ମାରିଲେ | ଫଳରେ କର୍ଣ୍ଣେଲ୍ ହାରକୋର୍ଟ ପିପିଲି ପର୍ଯ୍ୟନ୍ତ ପଛକୁ ହଟିଆସିଲେ ଓ ଅଧିକ ସୈନ୍ୟ ସହାୟତା ପାଇଁ ଉପରିସ୍ଥ ଅଫିସରଙ୍କୁ ନିବେଦନ କଲେ | ସହାୟତା ପାଇଁ କର୍ଣ୍ଣେଲ୍ ହଣ୍ଟର୍ ଦଳବଳ ସହିତ ପିପିଲିରେ ପହଂଚିଲେ | ଏହାପରେ କ୍ଲାନ୍ତ ହୋଇଥିବା ପାଇକସେନା ପଛଘୁଂଚା ଦେବାପାଇଁ ବାଧ୍ୟ ହେଲେ | ପୁଣି ଇଂରେଜ ଅଫିସର କ୍ୟାପଟେନ୍ ହିକଲ୍ୟାଣ୍ଡଙ୍କ ନେତୃତ୍ବରେ ଅଧିକ ସୈନ୍ୟ ନଭେମ୍ବର ୨୨ ତାରିଖରେ ପିପିଲିରେ ପହଂଚିଲେ | ଇଂରେଜ ସେନା ପାଇକବାହିନୀ ଉପରେ ଅଚାନକ ଆକ୍ରମଣ କଲେ ଯେଉଁଥିରେ ରାଜାଙ୍କର ପ୍ରାୟ ଦୁଇଶହ ପାଇକ ପ୍ରାଣ ହରାଇଲେ | ଡେଲାଂଗରୁ ରାଜାଙ୍କ ପାଇକ ସୈନ୍ୟ ହଟିଆସିବାକୁ ବାଧ୍ୟହେଲେ | କିନ୍ତୁ, କ୍ୟାପଟେନ୍ ହିକଲ୍ୟାଣ୍ଡ ପିପିଲିରୁ ଫେରିବା ସମୟରେ ତାଙ୍କ ଉପରେ ଜୋରଦାର ଗରିଲା ଆକ୍ରମଣ କରି ତାଙ୍କୁ ଅସ୍ତବ୍ୟସ୍ତ କରିଦେଲେ |   


ଶେଷକୁ ୧୮୦୪ ମସିହା ଡିସେମ୍ବର ମାସରେ ମୁକୁନ୍ଦଦେବ (ଦ୍ବିତୀୟ)-ଙ୍କୁ ଇଂରେଜମାନେ ରାଜପଦରୁ ବହିଷ୍କାର କଲେ | ଏହା ଓଡିଶାର ସାର୍ବଭୌମତା ଉପରେ ଏକ ନଗ୍ନ ଆକ୍ରମଣ ଥିଲା | ପୁନଶ୍ଚ ରାଜାଙ୍କୁ ଆର୍ଥିକ ଦୁର୍ଗତିରେ ପକାଇ ପ୍ରତିରୋଧଶକ୍ତିଶୂନ୍ୟ କରିଦେବା ପାଇଁ ଇଂରେଜ ସରକାର କଟକଣା ଜାରି କଲେ- ‘ରାଜା କାହାଠାରୁ ଲୋନ୍ ନେଇପାରିବେ ନାହିଁ’ | ପୁରୀ ଶ୍ରୀମନ୍ଦିରର ଦୈନିକ ପୂଜାର୍ଚ୍ଚନା ରାଜାଙ୍କ ନାମରେ ହୁଏ | ଇଂରେଜ ସରକାର ନିଷେଧାଜ୍ଞା ଜାରି କଲେ- ‘ଦୈନିକ ନୀତିରେ ରାଜାଙ୍କ ନାଁ ନିଆଯାଇ ପାରିବ ନାହିଁ’ | ଇଂରେଜ ସରକାର ଘୋଷଣା କଲେ- ‘ଖୋର୍ଦ୍ଧାର ରାଜା ତାଙ୍କର ପ୍ରଧାନ ଶତ୍ରୁ’ | ଏହାପରେ ଆଉ ବିଳମ୍ବ ନକରି ଖୋର୍ଦ୍ଧା ଆକ୍ରମଣ ଯୋଜନା ଚୁଡାନ୍ତ ହେଲା |


ଇଂରେଜ ଅଫିସର କ୍ୟାପଟେନ୍ ଷ୍ଟୋରେ ଗଂଗପଡା ପଟୁ ଖୋର୍ଦ୍ଧା ଦୁର୍ଗ ଉପରେ ଆକ୍ରମଣ କଲେ | କିନ୍ତୁ, ରାଜାଙ୍କ ପାଇକବାହିନୀ ମୁହଁତୋଡ଼ ଜବାବ ଦେଇ ସେମାନଙ୍କୁ ତଡିଦେଲେ | ଏହାପରେ ଇଂରେଜମାନେ ମାନ୍ଦ୍ରାଜ ଡିଭିଜନରୁ ଅଧିକ ସୈନ୍ୟ ସହାୟତା ମାଗିଲେ | ଫଳରେ ମେଜର୍ ଫ୍ଲେଚର୍ ଏକ ବିଶାଳ ସେନା ସହିତ ଦକ୍ଷିଣଦିଗରୁ ଖୋର୍ଦ୍ଧା ଆଡକୁ ଆଗେଇଲେ | ଖଣ୍ଡପଡା, ରଣପୁର, ନୟାଗଡ, ବାଂକି ଆଦି ରାଜ୍ୟର ରାଜାମାନେ ଖୋର୍ଦ୍ଧା ରାଜାଙ୍କୁ ଦେଖିସହି ପାରୁନଥିଲେ | ସେମାନେ ରାଜ୍ୟର ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଦେଶୀ ଶକ୍ତିର ସହାୟତା କଲେ | ଇଂରେଜମାନଙ୍କୁ ସେମାନେ ଗୁପ୍ତଚର ସହାୟତା, ସୈନ୍ୟ ସହାୟତା ଆଦି ଯୋଗାଇଦେଲେ | ପ୍ରଥମ ମୁକୁନ୍ଦଦେବଙ୍କ ସମୟରେ ଯେପରି ଅନ୍ତର୍ଘାତୀ କାର୍ଯ୍ୟକଳାପ ଦ୍ବାରା ଓଡିଶାର ସ୍ବାଧୀନତା ବିପନ୍ନ ହୋଇଥିଲା, ଏଥର ତାହାର ପୁନରାବୃତ୍ତି ହେଲା |


ସାଂଗରେ ମେଲଭିଲେଙ୍କୁ ନେଇ କର୍ଣ୍ଣେଲ୍ ହାରକୋର୍ଟ ଦଶ ହଜାର ସୈନ୍ୟବଳ ସହ ଖୋର୍ଦ୍ଧା ଆକ୍ରମଣ ପାଇଁ କଟକରୁ ବାହାରିଲେ | ମହାନଦୀ କୂଳେକୂଳେ ସୈନ୍ୟଚାଳନା କରି ମୁଣ୍ଡଳୀ ଓ ଚନ୍ଦକା ଜଂଗଲ ବାଟ ଦେଇ ଆଗେଇଲେ | ତାଙ୍କୁ ସାହାଯ୍ୟ କରିବା ପାଇଁ ବାଂକିର ରାଜା ନିଜ ସୈନ୍ୟ ପଠାଇଲେ | ବାଂକି ଠାରୁ ବେଗୁନିଆ/ ବାଘମାରୀ ଅଭିମୁଖେ ଦକ୍ଷିଣ ଦିଗକୁ ଗଲେ ବାଟରେ ତୁଳସୀପୁର ବୋଲି ସ୍ଥାନ ପଡେ | ବର୍ତ୍ତମାନର କଟକ, ନୟାଗଡ ଓ ଖୋର୍ଦ୍ଧା- ଏହି ତିନି ଜିଲ୍ଲାର ସୀମା ଯେଉଁଠାରେ ପରସ୍ପର ସହିତ ଲାଗିଛନ୍ତି, ଏହି ସ୍ଥାନ ତା’ର ନିକଟରେ ଅବସ୍ଥିତ | ଉଭୟ ସେନା ଏହି ସ୍ଥାନରେ ମିଶିଲେ ଓ ସେଠାରୁ ଖୋର୍ଦ୍ଧା ଆଡକୁ ମୁହାଁଇଲେ | ସେତେବେଳେ ଆଜିଭଳି ଏତେ ରାସ୍ତାଘାଟ ନଥିଲା | ଅନେକ ରାସ୍ତା ଜଂଗଲ ମଧ୍ୟ ଦେଇ ଯାଉଥିଲା | କିନ୍ତୁ, ଯେଉଁଠି ଗୃହଶତ୍ରୁଙ୍କର ଅଭାବ ନାହିଁ, ସେଠି ଜଂଗଲିଆ ରାସ୍ତା ବା କି ପ୍ରତିବନ୍ଧକ ସୃଷ୍ଟି କରିପାରିବ? ଦେଶୀୟ ରାଜାଙ୍କର ଗୁପ୍ତଚରମାନେ ବାଟ କଢାଇନେଲେ |


ଦକ୍ଷିଣରୁ ଅଗ୍ରସର ହେଉଥିବା ମେଜର ଫ୍ଲେଚରଙ୍କ ସେନାକୁ ନୟାଗଡ, ଖଣ୍ଡପଡା ଓ ରଣପୁରର ରାଜାମାନେ ସବୁ ସହାୟତା ଯୋଗାଇଦେଲେ | ଖୋର୍ଦ୍ଧା ଠାରୁ ବାଘମାରୀ (ନୟାଗଡ ରାସ୍ତା) ଆଡେ ପଶ୍ଚିମ ଦିଗକୁ କିଛି ବାଟ ଗଲେ ତରତୁଆ ବୋଲି ଏକ ସ୍ଥାନ ପଡେ | ମେଜର୍ ଫ୍ଲେଚରଙ୍କ ସେନା ସେଠାରେ ଠୁଳ ହେଲେ |  


ହାରକୋର୍ଟଙ୍କ ସୈନ୍ୟଙ୍କ ସହିତ ଡେଲାଂଗରେ ଯେଉଁ ଯୁଦ୍ଧ ଲାଗିଥିଲା (ପୂର୍ବରୁ ବର୍ଣ୍ଣିତ), ସେଥିପାଇଁ ଜୟୀ ରାଜଗୁରୁ ଡେଲାଂଗରେ ରହିଯାଇଥିଲେ | ରାଜାଙ୍କ ଠାରୁ ଖୋର୍ଦ୍ଧାର ଏପରି ପରିସ୍ଥିତି ବିଷୟରେ ଖବର ପାଇ ସେ ତୁରନ୍ତ ଖୋର୍ଦ୍ଧାଗଡକୁ ଫେରିଆସିଲେ | ଖୋର୍ଦ୍ଧାକୁ ବର୍ତ୍ତମାନ ଇଂରେଜ ସେନା ଚାରିଦିଗରୁ ଘେରିରହିଲେ | ଖୋର୍ଦ୍ଧାଗଡର ପୂର୍ବପଟେ ଗଂଗପଡା ଦ୍ବାର; ଉତ୍ତର ପଟେ ଟା°ଗିଆପଡା ଦ୍ବାର ଓ ପଶ୍ଚିମ ପଟେ ତରତୁଆ ଦ୍ବାର | ଏଗୁଡିକ ଖୋର୍ଦ୍ଧାଗଡର ବାହ୍ୟ ପରିସୀମା | ଗଡକୁ ଓ ରାଜାଙ୍କୁ ଶତ୍ରୁ ଠାରୁ ନିରାପଦ ଦୂରତାରେ ରଖିବାକୁ ହେଲେ ଶତ୍ରୁପକ୍ଷକୁ ଏହି ବାହାର ଦ୍ବାର ଠାରେ ରୋକିବା ଜରୁରୀ | କଟକ ପଟୁ ଆସିଥିବା ଇଂରେଜସେନାର ଏକ ଦଳ ଗଂଗପଡା ଦ୍ବାର ଠାରେ ଗଡକୁ ଆକ୍ରମଣ କଲେ | କର୍ଣ୍ଣେଲ୍ ହାରକୋର୍ଟ ଓ ମେଲଭିଲେଙ୍କ ନେତୃତ୍ବରେ ଆସିଥିବା ଦଳ ଟା°ଗିଆପଡା ଦ୍ବାର ପଟୁ ଯୁଦ୍ଧ ଲଗାଇଲେ | ମେଜର୍ ଫ୍ଲେଚରଙ୍କ ନେତୃତ୍ବରେ ଆସିଥିବା ଦଳ ତରତୁଆ ଦ୍ବାର ପଟୁ ଆକ୍ରମଣ କଲେ | ଖୋର୍ଦ୍ଧାର ଚତୁର୍ଦ୍ଦିଗରେ ଘେରି ରହିଥିବା ଦେଶୀୟ ରାଜ୍ୟ, ଯଥା ବାଂକି, ନୟାଗଡ, ରଣପୁର ଓ ଖଣ୍ଡପଡାର ରାଜାମାନେ ଖୋର୍ଦ୍ଧାର ସାର୍ବଭୌମତ୍ବକୁ ଖର୍ବ କରିବାକୁ ବଦ୍ଧପରିକର ହୋଇ ଇଂରେଜମାନଙ୍କ ସହାୟତା କଲେ | ଜୟୀ ରାଜଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖୋର୍ଦ୍ଧା ଗଜପତି ଯେଉଁ ସମର ପ୍ରସ୍ତୁତି କରିଥିଲେ ଏବଂ ପାଇକମାନେ ଯୁଦ୍ଧରେ ଯେଉଁ ସାହାସ ଓ ବୀରତ୍ବ ପ୍ରଦର୍ଶନ କରିଥିଲେ, ତାହା ଥିଲା ଅତ୍ଯନ୍ତ ଉଚ୍ଚକୋଟୀର | କିନ୍ତୁ, ଆଜି ପର୍ଯ୍ୟନ୍ତ ବିଶ୍ବରେ କେଉଁଠାରେ ବିଶ୍ବାସଘାତକତା ବିରୋଧରେ ଅଭେଦ୍ୟ ଦୁର୍ଗ ନିର୍ମାଣ କରିବା ସମ୍ଭବ ହୋଇନାହିଁ | ଦେଶୀୟ ରାଜାଙ୍କ ଲୋକେ ଇଂରେଜମାନଙ୍କୁ ସବୁ ଗୁପ୍ତ ରାସ୍ତା, କେଉଁଠାରେ ତୋପ ବା ସେନା ମୁତୟନ କଲେ ଅଧିକ ଲାଭ ହେବ, ଦୁର୍ଗର କେଉଁ ଅଂଶ ଅପେକ୍ଷାକୃତ ଦୁର୍ବଳ, ଇତ୍ୟାଦି ଯାବତୀୟ ତଥ୍ୟ ଯୋଗାଇବାରେ ଆଦୌ ହେଳା କଲେନାହିଁ | ଖୋର୍ଦ୍ଧାଗଡ ଉପରେ ଚତୁର୍ଦ୍ଦିଗରୁ ଆକ୍ରମଣ ଚାଲିଲା | କର୍ଣ୍ଣେଲ୍ ହାରକୋର୍ଟଙ୍କ ସେନା ସବୁଆଡୁ ସହାୟତା ପାଉଥିଲା ବେଳେ ଜୟୀ ରାଜଗୁରୁଙ୍କୁ ଏକାକୀ ପରିସ୍ଥିତିର ମୁକାବିଲା କରିବା ପାଇଁ ପଡିଲା | କନିକା, କୁଜଂଗ ଆଦି ରାଜ୍ୟର ରାଜାମାନେ ଖୋର୍ଦ୍ଧା ରାଜାଙ୍କୁ ସମର୍ଥନ କରୁଥିଲେ ମଧ୍ୟ ସେମାନଙ୍କ ଠାରୁ ସାହାଯ୍ୟ ଆସି ପହଂଚି ପାରିଲା ନାହିଁ | ସବୁ ବାଟ ଇଂରେଜ ସୈନ୍ୟଙ୍କ ଦ୍ବାରା ଅବରୁଦ୍ଧ ଥିଲା |


ଜୟୀକୃଷ୍ଣଙ୍କ ନେତୃତ୍ବରେ ପାଇକମାନେ ଅନେକ ଇଂରେଜ ସୈନ୍ୟଙ୍କର ସଂହାର କଲେ | କିନ୍ତୁ, ସବୁଦିଗରୁ ସାହାଯ୍ୟ ପାଇ ଇଂରେଜ ସେନାର ବଳ ଖୁବ୍ ବଢିଯାଇଥିଲା | ଅବଶେଷରେ ଦୁର୍ଗର ବାହାର ଦ୍ବାରମାନଙ୍କରେ (ଗଂଗପଡା, ଟା°ଗିଆପଡା, ତରତୁଆ, ଆଦି) ମୁତୟନ ଥିବା ପାଇକମାନଙ୍କର ପରାଜୟ ହେଲା | ଏହାପରେ ଇଂରେଜ ସୈନ୍ୟ ଖୋର୍ଦ୍ଧାଗଡକୁ ଘେରି ଦୂରରୁ ଥାଇ ଘନଘନ ତୋପ ମାଡ କଲେ | ପାଇକମାନେ ଗଡରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥା’ନ୍ତି | ଅନେକ ସମୟ ପରେ ଗଡର ପାଚେରୀର ଦୁର୍ବଳ ଅଂଶ ତୋପମାଡରେ ଭାଂଗିଗଲା | ଏହି ବାଟ ଦେଇ ଇଂରେଜସୈନ୍ୟ ଗଡ ଭିତରେ ଧସେଇ ପସିଲେ | ଏହା ପୂର୍ବରୁ ଜୟୀକୃଷ୍ଣ ରାଜାଙ୍କୁ ଗୁପ୍ତ ସୁଡଂଗ ରାସ୍ତା ଦେଇ କାଇପଦରଗଡର (ଖୋର୍ଦ୍ଧା ଠାରୁ କିଛି ଦୂର) ଦକ୍ଷିଣରେ ଥିବା କାଶିଆଗୋହିରି ଜଂଗଲକୁ ପଠାଇ ଦେଇଥିଲେ | ଗଡ ଭିତରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଭୀଷଣ ଯୁଦ୍ଧ ଚାଲିଲା | ଅବଶେଷରେ ଜୟୀକୃଷ୍ଣ ପଳାୟନ କରିବା ପାଇଁ ବାଧ୍ୟ ହେଲେ ଓ ରାଜାଙ୍କୁ ଜଂଗଲରେ ଭେଟିଲେ |      


ଆତ୍ମରକ୍ଷା ପାଇଁ ଜଂଗଲରେ ଘୁରି ବୁଲୁଥିବା ସମୟରେ ରାଜା ପରିସ୍ଥିତି ପାଇଁ ଜୟୀକୃଷ୍ଣଙ୍କୁ ଦୋଷାରୋପ କଲେ | ଶକ୍ତିଶାଳୀ ଇଂରେଜମାନଙ୍କ ସହିତ ଟକ୍କର ନେବା ଠିକ୍ ହେଲାନାହିଁ ବୋଲି ରାଜା ଭାବୁଥିଲେ | ସେ ଜୟୀକୃଷ୍ଣଙ୍କୁ ଅସମ୍ମାନ ନକଲେ ସୁଦ୍ଧା ତାଙ୍କ ଠାରୁ ଦୂରେଇଗଲେ | ରାଜା ଜୟୀକୃଷ୍ଣଙ୍କୁ କହିଲେ- “ଇଂରେଜମାନେ ଆପଣଙ୍କ ଉପରେ ଭୀଷଣ କ୍ରୋଧାନ୍ବିତ | ଆପଣ ଯେଉଁଠାରେ ଉଚିତ ମନେ କରୁଛନ୍ତି, ଆତ୍ମଗୋପନ କରି ନିଜ ପ୍ରାଣରକ୍ଷା କରନ୍ତୁ” |


ରାଜାଙ୍କ ଦ୍ବାରା ଏହିପରି ପ୍ରତ୍ୟାଖ୍ୟାତ ହେବା ପରେ ଜୟୀକୃଷ୍ଣ ନିଜର କିଛି ବିଶ୍ବସ୍ତଙ୍କୁ ସାଂଗରେ ନେଇ ଆତ୍ମଗୋପନ କଲେ | ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ (ଦକ୍ଷିଣକୁ) ଅଳ୍ପ ବାଟ ଗଲେ ପଲ୍ଲା ନାମକ ସ୍ଥାନ ପଡେ | ଏହାର ପଶ୍ଚିମକୁ ବେଂଗିଟା°ଗି ନାମକ ଅଂଚଳ ଲାଗିଛି, ଯେଉଁଠି ସେ ସମୟରେ ଜଂଗଲ ଥିଲା | ଏହି ଜଂଗଲରେ ଜୟୀକୃଷ୍ଣ କିଛିଦିନ ଆଶ୍ରୟ ନେଲେ | ଇଂରେଜଙ୍କ ଗୁପ୍ତଚରମାନଙ୍କୁ ଚକମା ଦେବାପାଇଁ ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ | ଖୋର୍ଦ୍ଧାଗଡର ପତନ ପରେ ଖୋର୍ଦ୍ଧାରେ ଇଂରେଜମାନଙ୍କ ଅବସ୍ଥିତି ଓ କାର୍ଯ୍ୟକଳାପ ବୃଦ୍ଧିପାଇଲା | ଇଂରେଜମାନଙ୍କ ଗୁପ୍ତଚର ଚତୁର୍ଦ୍ଦିଗରେ ଘୁରିବୁଲୁଥିଲେ | ଏଣୁ, କିଛିଦିନ ପରେ ଜୟୀକୃଷ୍ଣ ଖୋର୍ଦ୍ଧା ଠାରୁ ଆଉ ଟିକେ ଦୂରକୁ ଚାଲିଯିବା ଉଚିତ ମନେକରି ବେଂଗିଟାଂଗିର ଆହୁରି ପଶ୍ଚିମରେ ଥିବା ଗଡମାଣିତ୍ରୀ ଜଂଗଲକୁ ଚାଲିଗଲେ | ସେଠାରେ କିଛିଦିନ ରହି ବାଳଝାଡି ଗାଁକୁ ଗଲେ ଓ ସେଠାରେ ଜଣେ ନିଜର ବିଶ୍ବସ୍ତ ବ୍ୟକ୍ତିଙ୍କ ଅମାର ଘରେ ଆତ୍ମଗୋପନ କଲେ | କିଛିଦିନ ପରେ କୌଣସି ସୂତ୍ରରୁ ସୁରାକ୍ ପାଇ ପୋଲିସ୍ ଆସି ତାଙ୍କ ବିଷୟରେ ପଚରାଉଚୁରା କଲା | ଆଶ୍ରୟଦାତା ଚତୁରତା ସହିତ ପୋଲିସକୁ ଭୁଲାଇଦେଲେ | କିନ୍ତୁ, ଏହାପରେ ଜୟୀକୃଷ୍ଣ ତୁରନ୍ତ ସେ ସ୍ଥାନ ପରିତ୍ୟାଗ କରି ରଣପୁର ଅଭିମୁଖେ ବାହାରିଲେ | ଜଂଗଲ ଭିତରେ ବାଟ ଦେଖାଇବା ପାଇଁ ଆଶ୍ରୟଦାତା ଜଣେ ସ୍ଥାନୀୟ ଲୋକକୁ ସାଂଗରେ ପଠାଇଥିଲେ | କିନ୍ତୁ, ସେ ଲୋକଟି ପୂର୍ବରୁ ଇଂରେଜମାନଙ୍କ ଗୁପ୍ତଚର ଠାରୁ ଉତ୍କୋଚ ଗ୍ରହଣ କରିଥିଲା | ବାଟରେ ସେ ଜୟୀକୃଷ୍ଣଙ୍କୁ ଇଂରେଜ ସୈନ୍ୟଙ୍କ ହାତରେ ଧରାଇ ଦେଇଥିଲା | ପ୍ରତାରିତ ହୋଇଥିବା ଜାଣିବା ପରେ ଜୟୀକୃଷ୍ଣ କ୍ରୋଧରେ ଅଗ୍ନିଶର୍ମା ହୋଇ ସେହି ବିଶ୍ବାସଘାତକକୁ ଅଭିଶାପ ଦେଇଥିଲେ- “ଆରେ ପାମର! ତୁ କ’ଣ କଲୁ? ତୋର ବଂଶ ସମୂଳେ ଧ୍ବଂସ ହୋଇଯିବ | ତୋ କୁଳରେ ପାଣି ଦେବାପାଇଁ କେହି ରହିବେନାହିଁ” | ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଗବେଷଣା କରୁଥିବା ଆଲୋଚକମାନେ କୁହନ୍ତି, ଏହି ଘଟଣା ପରେ ସେହି ଲୋକର ଆଉ ଖୋଜଖବର ମିଳିଲାନାହିଁ | ହୁଏତ ସେହି ବିଶ୍ବାସଘାତକକୁ କୌଣସି ଦେଶଭକ୍ତ ପାଇକ ବା କୌଣସି ବ୍ରିଟିଶ ସୈନ୍ୟ ହତ୍ୟା କରିଥିବ, ଅଥବା କୌଣସି ଦୈବଦୁର୍ଘଟଣାରେ ସେ ପ୍ରାଣ ହରାଇଥିବ | ସତକୁ ସତ ସେହି ଲୋକର ବଂଶରେ କେହି ରହିଲେନାହିଁ | ତା’ର ଘରଡିହ ପରିତ୍ୟକ୍ତ ଅବସ୍ଥାରେ ପଡିଛି ଏବଂ ତା ଉପରେ ଏବେ ବୁଲା ଗୋରୁ ଓ କୁକୁର ଶୋଉଛନ୍ତି |   


ଜୟୀକୃଷ୍ଣଙ୍କୁ ଧରିନେବା ପରେ ଇଂରେଜମାନେ ତାଙ୍କୁ ଖୋର୍ଦ୍ଧାରାଜା-ବନାମ-ଇଂରେଜ ବିବାଦ ବିଷୟରେ ଜେରାକଲେ | ଜୟୀକୃଷ୍ଣ ଚାହୁଁଥିଲେ ରାଜା ଯେ କୌଣସି ମତେ ସୁରକ୍ଷିତ ରୁହନ୍ତୁ | କାରଣ, ରାଜା ସୁରକ୍ଷିତ ଥିଲେ ରାଜବଂଶ ରକ୍ଷାହେବ ଓ ପ୍ରଜାଙ୍କର ମନୋବଳ ଅତୁଟ ରହିବ | ଭବିଷ୍ୟତରେ ରାଜାଙ୍କୁ କେନ୍ଦ୍ର କରି ସ୍ବାଧୀନତା ଆନ୍ଦୋଳନ ପୁଣି ତେଜିଉଠିବ | ଏହି ସବୁ କଥା ମନେମନେ ବିଚାରକରି ଜୟୀକୃଷ୍ଣ ସମସ୍ତ ଦୋଷ ନିଜ ଉପରକୁ ନେଇଗଲେ | ଇଂରେଜ ଅଫିସରଙ୍କୁ ସେ ଜଣାଇଦେଲେ ଯେ ରାଜା ସମସ୍ତ ନିଷ୍ପତ୍ତି ତାଙ୍କ ପରାମର୍ଶକ୍ରମେ ନେଇଛନ୍ତି | ରାଜା ଅଳ୍ପ ବୟସର ଯୁବକ | ତାଙ୍କର କୌଣସି ଦୋଷନାହିଁ | ଜୟୀକୃଷ୍ଣ ଭଲଭାବେ ଜାଣିଥିଲେ ଇଂରେଜମାନେ ତାଙ୍କୁ ଓ ରାଜାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି | ରାଜାଙ୍କ ପ୍ରାଣରକ୍ଷା କରିବା ପାଇଁ ସେ ତ୍ୟାଗର ଏକ ଉଜ୍ଜ୍ବଳ ନିଦର୍ଶନ ରଖିଗଲେ | ତାଙ୍କର ସମସ୍ତ ଜୀବନ ତ୍ୟାଗ ଉପରେ ପ୍ରତିଷ୍ଠିତ ଥିଲା | ସେ ଦେଶସେବା ପାଇଁ ଏତେମାତ୍ରାରେ ନିଜକୁ ସମର୍ପିତ କରିଥିଲେ ଯେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚାହିଁନଥିଲେ | [ବି.ଦ୍ର. ଜନଶ୍ରୁତିରୁ ଜଣାଯାଏ ଯେ ରାମେଶ୍ବରଗଡର ଦଳବେହେରାଙ୍କ ଝିଅ ଯୁବାବସ୍ଥାରେ ଜୟୀକୃଷ୍ଣଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଯାହାକୁ ଜୟୀ ଅଗ୍ରାହ୍ୟ କରିଥିଲେ | ଇଂରେଜମାନେ ଖୋର୍ଦ୍ଧାଗଡ ଉପରେ ଚଢାଉ କରିବାବେଳେ ସେହି କନ୍ୟା ଜୟୀଙ୍କ ଉପରେ ପ୍ରତିଶୋଧ ନେବାପାଇଁ ଗଡର ଗୁପ୍ତଭେଦ ଶତ୍ରୁ ଆଗରେ କହିଦେଇଥିଲେ, ଯାହା ଗଡର ପତନରେ ସହାୟକ ହୋଇଥିଲା] | ଆଜୀବନ କୁମାର ଥିବା ଜୟୀକୃଷ୍ଣ ରାଜଦତ୍ତ ସମ୍ପତ୍ତି ଓ ସୁଖସୁବିଧା ଠାରୁ ନିଜକୁ ଦୂରେଇ ରଖି ସରଳ ଓ ନିରାଡମ୍ବର ଜୀବନଯାପନ କରୁଥିଲେ | ଦକ୍ଷତା ଓ ଚରିତ୍ରବତ୍ତାରେ ସେ ଆଚାର୍ଯ୍ୟ ଚାଣକ୍ୟଙ୍କର (କୌଟିଲ୍ୟ) ଅନୁରୂପ ଥିଲେ |      


ଜୟୀକୃଷ୍ଣଙ୍କ ବ୍ୟକ୍ତିତ୍ବ ଅନ୍ୟ ଭାରତୀୟଙ୍କ ପାଇଁ ଆଦର୍ଶ ହେଉ, ଏହି ସମ୍ଭାବନାକୁ ଇଂରେଜମାନେ ସମ୍ପୂର୍ଣ୍ଣ ମୂଳୋତ୍ପାଟିତ କରିବାକୁ ଚାହୁଁଥିଲେ | ଯେ କୌଣସି ଉପାୟରେ ସେମାନେ ନିଜର ସାମ୍ରାଜ୍ୟବାଦ ଓ ଉପନିବେଶବାଦକୁ ସୁରକ୍ଷିତ ରଖିବାକୁ ତତ୍ପର ଥିଲେ | ଏହି ଲକ୍ଷ୍ୟ ଆଗରେ ସମସ୍ତ ମାନବୀୟ ମୂଲ୍ୟବୋଧ ତୁଚ୍ଛ ଥିଲା | ଅଧିକନ୍ତୁ, ଜୟୀକୃଷ୍ଣ ଇଂରେଜମାନଙ୍କ ପାଇଁ ଏକ ଭୟଂକର ଦୁଃସ୍ବପ୍ନ ଥିଲେ | ସେ ବଂଚିରହିବା ଇଂରେଜ ସେନାଧିକାରୀଙ୍କ ପାଇଁ ଭୀତିପ୍ରଦ ଥିଲା | ଏଣୁ, ବିଚାର କରିବା (ନ୍ୟାୟିକ ପ୍ରକ୍ରିୟା ଅବଲମ୍ବନ କରିବା) ପାଇଁ ଇଂରେଜମାନଙ୍କ ତର ସହିଲାନାହିଁ | ତରବରିଆ ଭାବେ ମେଜର ଫ୍ଲେଚରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧାସହରର ମଝିଆମଝି ଥିବା ଏକ ବରଗଛରେ ଚାରିଡାଳିଆ କରି ଜୟୀକୃଷ୍ଣଙ୍କୁ (ତା ୦୬-୧୨-୧୮୦୬ ଦିନ) ଫାଶୀ ଦେଇଦିଆଗଲା | ପୂର୍ବ ବର୍ଣ୍ଣିତ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ବୁଝାପଡିବ, ଏହାଥିଲା ଏକ ବର୍ବର ହତ୍ୟାକାଣ୍ଡ | ଭାରତୀୟ ଜନମାନସକୁ ଭୀତତ୍ରସ୍ତ କରିରଖିବା ମଧ୍ୟ ଥିଲା ଏହି ବର୍ବର ହତ୍ୟାର ଅନ୍ୟତମ ଉଦ୍ଦେଶ୍ୟ | [ବି.ଦ୍ର. ତା ୦୬-୧୨-୨୦୧୯ ଦିନ ଜୟୀ ରାଜଗୁରୁଙ୍କ ୨୧୩-ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହେଲା – ଦୈନିକ ସମାଜ, କଟକ, ୦୭-୧୨-୨୦୧୯, ଶନିବାର, ପୃଷ୍ଠା ୧୪]    


ଏହି ବର୍ବର ହତ୍ୟାକାଣ୍ଡ ସମୟରେ କୌଣସି ଦିଗରୁ ପ୍ରତିବାଦର ସ୍ବର ଉଠି ନଥିଲା | ମୃତ୍ୟୁ ପରେ ମଧ୍ୟ ଅନେକ ଦିନ ଧରି ଇତିହାସ ତାଙ୍କ ବିଷୟରେ ନିରବ ଥିଲା | ଜୟୀ ରାଜଗୁରୁଙ୍କ ସମୟରେ ବୌଦ୍ଧିକ ବିକାଶ ଦୃଷ୍ଟିରୁ ଓଡିଶା ଭାରତର ଅନେକ ରାଜ୍ୟମାନଙ୍କ ଠାରୁ ଢେର୍ ପଛରେ ଥିଲା | ଏଣୁ ମୂଲ୍ୟାୟନ କଥା ଦୂରେ ଥାଉ, ଜୟୀ ରାଜଗୁରୁଙ୍କ ତ୍ୟାଗ ଓ ବଳିଦାନର ସଠିକ୍ ବିବରଣୀ ସେ ସମୟର କୌଣସି ବୁଦ୍ଧିଜୀବୀଙ୍କ ଦ୍ବାରା ଲିପିବଦ୍ଧ ହୋଇଥିବାର ଦୃଷ୍ଟିଗୋଚର ହୁଏନାହିଁ | ତାଙ୍କ ସମ୍ପର୍କିତ ବହୁ ସରକାରୀ କାଗଜ ଓ ଚିଠିପତ୍ର ପୁରୀ ଜିଲ୍ଲାକାର୍ଯ୍ୟାଳୟରେ ଅନେକ ଦିନ ଥିଲା; କିନ୍ତୁ ଦୁର୍ଭାଗ୍ୟବଶତଃ ଏଗୁଡିକ ମଧ୍ୟ ୧୯୧୬ ମସିହାରେ ଉକ୍ତ କାର୍ଯ୍ୟାଳୟରେ ଘଟିଥିବା ଅଗ୍ନିକାଣ୍ଡରେ ନଷ୍ଟ ହୋଇଗଲା ବୋଲି କୁହାଯାଏ |  


ପରବର୍ତ୍ତୀ ସମୟରେ ପଣ୍ଡିତ ଚକ୍ରଧର ମହାପାତ୍ର, ଡଃ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ଜଟାଧାରୀ ମିଶ୍ର ଆଦି ଗବେଷକ ଗଣ ଅନେକ କଷ୍ଟ ସ୍ବୀକାର କରି ଜୟୀ ରାଜଗୁରୁଙ୍କ ଜୀବନୀକୁ ଲୋକଲୋଚନକୁ ଆଣିଲେ | ପ୍ରାୟ ଅଶି ଦଶକ ବେଳକୁ ରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁର ଶାସନ ଠାରେ ‘ଜୟୀ ରାଜଗୁରୁ ସ୍ମୃତି ପରିଷଦ’ ଗଠିତ ହେଲା, ଯାହା ତାଙ୍କ ସ୍ମୃତିରକ୍ଷା ଦିଗରେ ଅନେକ କାର୍ଯ୍ୟ ହାତକୁ ନେଲା | ବର୍ତ୍ତମାନ ଏହି ପରିଷଦ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସମନ୍ବୟ ରକ୍ଷାକରି କାର୍ଯ୍ୟକରୁଛି | ସମୟ କ୍ରମେ ପୁରୀ ଜିଲ୍ଲା ସଂସ୍କୃତି ପରିଷଦ ମଧ୍ୟ ଏଥିପାଇଁ ସହଯୋଗର ହାତ ବଢାଇଲା | ଧିରେ ଧିରେ ଏହି ମହାନ୍ ବିପ୍ଲବୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ବିଶ୍ବ ଓ ବିଶେଷ କରି ଓଡିଶାର ଜନସାଧାରଣ ଅଧିକରୁ ଅଧିକ ଅବଗତ ହେଲେ |


ଜୟୀ ରାଜଗୁରୁଙ୍କର ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଲବର ସମୟ ୧୮୦୪ ମସିହା | ଇଂରେଜ ଶାସନ ଭାରତରେ ସେତେବେଳକୁ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇସାରିଥିଲା | ସୁଦୃଢ ଭାବେ ଚେର ମେଲାଇ ସାରିଥିବା ଏହି ବୃକ୍ଷକୁ ସେ ହୁଏତ ଉପାଡି ପାରିଲେ ନାହିଁ; କିନ୍ତୁ ତା ମୂଳରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଏକ ଶକ୍ତ ଚୋଟ ମାରିଥିଲେ | ଜୟୀ ରାଜଗୁରୁ ସୃଷ୍ଟି କରିଥିବା ସ୍ଫୁଲିଂଗ ଅଳ୍ପ କେଇ ବର୍ଷ ପରେ ୧୮୧୭ ମସିହାରେ ଖୋର୍ଦ୍ଧା ପାଇକବିଦ୍ରୋହର ଅଗ୍ନିଶିଖାରେ ପରିଣତ ହୋଇଥିଲା | ଅନ୍ୟ ମୋଗଲବନ୍ଦୀ ଓ ଗଡଜାତ ଅଂଚଳରେ ମଧ୍ୟ ଏହି ସଂଗ୍ରାମ ସ୍ବାଧୀନତା ପାଇଁ ଉଦ୍ଦୀପନା ସୃଷ୍ଟି କରିଥିଲା | ଓଡିଶାର ଅନେକ ବୁଦ୍ଧିଜୀବୀମାନଙ୍କ ଦୀର୍ଘକାଳବ୍ୟାପୀ ଉଦ୍ୟମର ଫଳଶ୍ରୁତି ସ୍ବରୂପ ଏହି ପାଇକବିଦ୍ରୋହ ଅଳ୍ପ କେଇବର୍ଷ ତଳେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ମାନ୍ୟତା ଲାଭକରିବା ପାଇଁ ଦାବି ଉପସ୍ଥାପନ କରିଛି | ଏହି ଦାବିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାନିନେଇ ନାହାନ୍ତି | କିନ୍ତୁ, ଏହାକୁ କିଛିଟା ସ୍ବୀକୃତି ମିଳିଛି | କେନ୍ଦ୍ରୀୟ ବୋର୍ଡର ଅଷ୍ଟମ ଶ୍ରେଣୀ ଇତିହାସ ବହିରେ ଏହାକୁ ‘କେସ୍ ଷ୍ଟଡି’ ଭାବେ ସ୍ଥାନ ଦିଆଯାଇଛି | ଇତିହାସ ଯେ ପରିବର୍ତ୍ତନଶୀଳ ଓ ଆବଶ୍ୟକସ୍ଥଳେ ଏଥିରେ ଯେ ସଂଶୋଧନ କରାଯାଇପାରେ, ଏହି ଘଟଣା ତା’ର ଏକ ପ୍ରକୃଷ୍ଟ ନିଦର୍ଶନ | ଏହି ମର୍ମରେ ଲକ୍ଷ୍ୟ କରାଯାଇପାରେ, ଜୟୀ ରାଜଗୁରୁ କରିଥିବା ସଶସ୍ତ୍ର ସଂଗ୍ରାମ ୧୮୧୭ ବିଦ୍ରୋହର ପୂର୍ବବର୍ତ୍ତୀ | ଏହି ସଂଗ୍ରାମ ବ୍ରିଟିଶ୍ ସରକାରକୁ ସମ୍ପୂର୍ଣ୍ଣ ହଲାଇ ଦେଇଥିଲା ଓ ଏହାର ପ୍ରଭାବ ସୁଦୂରପ୍ରସାରୀ ଥିଲା | ଏଣୁ, ଏହାକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ବିଷୟରେ ଇତିହାସକାରମାନେ ଯଥାଯଥ ବିଚାର କରିବା ବା°ଛନୀୟ | ଜୟୀ ରାଜଗୁରୁ ସ୍ମୃତି ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ଜଟାଧାରୀ ମିଶ୍ର ଜୟୀକୃଷ୍ଣଙ୍କୁ ଓଡିଶାର ପ୍ରଥମ ସହିଦର ଗୌରବ ପ୍ରଦାନ କରିଛନ୍ତି |


ଜୟୀକୃଷ୍ଣଙ୍କର ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ସ୍ଥାନ ଏ.ଜି. ଛକ ଠାରେ ଶୋଭାପାଉଛି | ଜୟୀ ରାଜଗୁରୁଙ୍କ ଉଦ୍ଦୀପ୍ତ ବଳିଦାନକୁ ସ୍ମରଣ କରି ଏବେବି ଲୋକେ କହନ୍ତି-


“କେତେ ଯେ କାଳ ଗଲାଣି ବହି

ରହି ଯାଇଅଛି କଥା  |

ଜଇଆ ପଛେ ଜୀବନ ଦେଲା

ନୁଆଁଇ ନାହିଁ ମଥା  ||”


ପବିତ୍ର ବଳିଦାନ ଦିବସରେ ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଂଜଳି | 


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୦୬-୧୨-୨୦୨୫, ଶନିବାର


[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୦୬-୧୨-୨୦୨୪, ଶୁକ୍ରବାର (୨) ତା ୨୧-୧୧-୨୦୨୩, ମଂଗଳବାର, ଅଁଳା ନବମୀ (୩) ତା ୨୯-୧୦-୨୦୨୨, ଶନିବାର (୪) ତା ୧୨-୧୧-୨୦୨୧, ଶୁକ୍ରବାର, ଅଁଳା ନବମୀ (୫) ତା ୨୯-୧୦-୨୦୨୦, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com; shaktiprasaddas.blogspot.com,Linked-in ଆଦିରେ ପ୍ରକାଶିତ |]


Rate this content
Log in

Similar oriya story from Inspirational