ଉତ୍କଳର ଅମର ବିପ୍ଲବୀ - ସହିଦ ଲକ୍ଷ୍ମଣ ନାୟକ
ଉତ୍କଳର ଅମର ବିପ୍ଲବୀ - ସହିଦ ଲକ୍ଷ୍ମଣ ନାୟକ
ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ବିଭାଜିକା ରେଖା ଭାବେ କୋଲାବ ନଈ ବହିଯାଉଛି | ଏହି ନଈକୂଳରେ ଅବସ୍ଥିତ ଏକ ଗାଁ ହେଉଛି ତେନ୍ତୁଳିଗୁମ୍ମା | ଜିଲ୍ଲା କୋରାପୁଟ ଓ ବ୍ଲକ ବୈପାରିଗୁଡା | କୋରାପୁଟ ଜିଲ୍ଲା ମୁଖ୍ୟାଳୟ ଠାରୁ ଏହି ଗାଁର ଦୂରତା ପ୍ରାୟ ୧୧୦ କି.ମି. ଓ ବୈପାରିଗୁଡା ଠାରୁ ଦୂରତା ପ୍ରାୟ ୩୦ କି.ମି. | ପ୍ରସିଦ୍ଧ ଶୈବପୀଠ ଶ୍ରୀଗୁପ୍ତେଶ୍ବର ଏଠାରୁ ଅଳ୍ପ ବାଟ | ଶ୍ରୀଗୁପ୍ତେଶ୍ବର ଲିଂଗ ଭାବେ ଘଂଚ ଜଂଗଲ ଘେରି ରହିଥିବା ଏକ ଗୁମ୍ଫା ମଧ୍ୟରେ ପ୍ରକଟିତ | କିମ୍ବଦନ୍ତୀ ଅନୁଯାୟି ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏହି ବାଟ ଦେଇ ଦଣ୍ଡକାରଣ୍ୟ ଯାଇଥିଲେ | ଏହି ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିଲେ | ପ୍ରଥମେ ତାଙ୍କ ନାଁ ଥିଲା ଲକ୍ଷ୍ମଣ ଭୂମିଆ | ସେ ଜାତିରେ ଥିଲେ ଭୂମିଆ | କୃଷିକାର୍ଯ୍ୟହିଁ ଭୂମିଆମାନଙ୍କର ମୁଖ୍ୟ ଜୀବିକା ଥିଲା | ତାଙ୍କ ବାପାଙ୍କ ନାଁ ଥିଲା ପଦଲାମ ଭୂମିଆ | ପଦଲାମଙ୍କୁ ଜୟପୁରର ରାଜା ତୃତୀୟ ବିକ୍ରମଦେବ ତେନ୍ତୁଳିଗୁମ୍ମା, ବେଜୁଣିଗୁଡା, ଲେକିଗୁଡା ଓ ଅଁଳାଗୁଡା, ଏହିପରି ଚାରିଟି ଗାଁର ଖଜଣା ଆଦାୟ କରିବାର ଦାୟିତ୍ବ ଦେଇଥିଲେ | ପଦଲାମ ନିଷ୍ଠାର ସହିତ ତାଙ୍କର ଦାୟିତ୍ବ ତୁଲାଉଥିଲେ | ତେଣୁ ରାଜା ତାଙ୍କୁ ‘ନାୟକ’ ଉପାଧି ଦେଇଥିଲେ | ଏହିପରି ଭାବେ ପଦଲାମ ଭୂମିଆ ପଦଲାମ ନାୟକ ଭାବେ ପରିଚିତ ହେଲେ ଓ ତାଙ୍କ ପୁଅ ହିସାବରେ ଲକ୍ଷ୍ମଣ ଭୂମିଆ ଲକ୍ଷ୍ମଣ ନାୟକ ଭାବେ ପରିଚୟ ପାଇଲେ | ଉପରୋକ୍ତ କାରଣରୁ ଗାଁର ଅନ୍ୟ ପରିବାର ତୁଳନାରେ ତାଙ୍କ ପରିବାରର ସମ୍ପତ୍ତି ଓ ପ୍ରତିପତ୍ତି ଅଧିକ ଥିଲା |
ସେ ସମୟରେ ଓଡିଶା ଖଣ୍ଡବିଖଣ୍ଡିତ ଥିଲା | ଜୟପୁର ରାଜ୍ୟ ବିଶାଖାପାଟଣାର ଅଧୀନରେ ଥିଲା | ତେନ୍ତୁଳିଗୁମ୍ମା ଆଦିବାସୀ ବହୁଳ ଗାଁ | ସେହି ଗାଁରେ ପରଜା, ଡମ୍ବ, କୁଟିଆ, କମାର, ପାଇକ ଆଦି ବିଭିନ୍ନ ଜାତିର ଲୋକେ ରହୁଥିଲେ | ପିଲାଦିନେ ଲକ୍ଷ୍ମଣ ଉଚ୍ଚନୀଚ ଭେଦ ନ ମାନି ଗାଁର ସମସ୍ତଙ୍କ ସହିତ ମିଶୁଥିଲେ ଓ ସମସ୍ତଙ୍କ ପ୍ରିୟଭାଜନ ଥିଲେ | ଶିକ୍ଷା ଦୃଷ୍ଟିରୁ ସେ ଅଂଚଳ ସେ ସମୟରେ ଅନ୍ଧକାରାଚ୍ଛନ୍ନ ଥିଲା | ନିଜ ନାଁ କଷ୍ଟେମଷ୍ଟେ ଲେଖିଦେଇ ପାରିଲା ପରେ ଲକ୍ଷ୍ମଣ ପାଠପଢା ସହିତ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ | କୋଲାବ ନଈ କୂଳରେ ଖେଳିବୁଲି, ଜଂଗଲରେ ଶିକାର କରି, ନିଜ ଜମିରେ ହଳ କରି ତାଙ୍କର ପିଲାଦିନ ଅତିବାହିତ ହେଲା |
କିନ୍ତୁ, ହେତୁ ହେବା ସହିତ ସେ ତାଙ୍କ ଚାରିପାଖରେ ଘଟୁଥିବା ଘଟଣା-ଦୁର୍ଘଟଣା ସମ୍ପର୍କରେ ସଚେତନ ହୋଇ ଉଠିଲେ | ବଡ ହେବା ପରେ ସେ ଲକ୍ଷ୍ୟ କଲେ ଯେ ତାଙ୍କ ଗାଁକୁ ଯେତେବେଳେ ରାଜପରିବାର ଲୋକେ, ପୁଲିସ୍ ବାଲା, ଜଂଗଲ କର୍ମଚାରୀ କିମ୍ବା ରାଜସ୍ବ ବିଭାଗର କର୍ମଚାରୀ ଆସନ୍ତି, ସେତେବେଳେ ସେମାନଙ୍କ ବିଳାସବ୍ୟସନ ପାଇଁ ସାଧାରଣ ଲୋକଙ୍କ ଉପରେ ଜୁଲମ ହୁଏ | ସାଧାରଣ ଗରିବ ପ୍ରଜାଙ୍କୁ ଡରାଇ, ଧମକାଇ ତାଙ୍କଠୁ ଚାଉଳ, ଡାଲି, ପନି ପରିବା, କ୍ଷୀର, ଛେନା, ଘିଅ, ଛେଳି, କୁକୁଡା ଏମିତି କେତେ କ’ଣ ଛଡାଇ ନିଆଯାଏ | ଏଥିରେ ତାଙ୍କ ମନ ବିଦ୍ରୋହ କରି ଉଠୁଥିଲା | ସେ ଗାଁର ମୁରବୀ ଶ୍ରେଣୀର ଲୋକଙ୍କ ଠାରେ ତାଙ୍କର ମନକଥା ବ୍ୟକ୍ତ କରୁଥିଲେ | କିନ୍ତୁ, ସେମାନେ ତାଙ୍କୁ ବୁଝାଉଥିଲେ ଯେ ସେଗୁଡାକ ପରମ୍ପରା, ଯାହାକୁ ଅମାନ୍ୟ କରି ହେବ ନାହିଁ | ଲକ୍ଷ୍ମଣଙ୍କ ମନ ଏଥିରେ ଜମା ବୁଝୁ ନ ଥିଲା | ସେ ସ୍ବଭାବତଃ ଏ ସବୁ ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ଉଠୁଥିଲେ |
୧୯ ବର୍ଷ ବୟସରେ ଲକ୍ଷ୍ମଣଙ୍କ ବିଭାଘର ୧୭ ବର୍ଷ ବୟସର ମନ୍ଗୁଳୀ ସହିତ ହୋଇଗଲା | ଆଦ୍ୟ ଯୌବନରେ ଲକ୍ଷ୍ମଣ ସଶସ୍ତ୍ର ବିପ୍ଲବ ପ୍ରତି ଆକର୍ଷିତ ହୋଇଥିଲେ | ତାଙ୍କ ଆଖି ଆଗରେ ଥିଲେ କୋୟା ଆଦିବାସୀ ସମ୍ପ୍ରଦାୟର ବିପ୍ଲବୀ ଚନ୍ଦ୍ରକୁଟିଆ, ଯିଏ ପଡୋଶୀ ଆନ୍ଧ୍ରପ୍ରଦେଶରେ ବଣରେ ଆଦିବାସୀ ଯୁବକଙ୍କୁ ସଂଗଠିତ କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କରୁଥିଲେ | କିନ୍ତୁ ଚନ୍ଦ୍ରକୁଟିଆଙ୍କ ନେତା ସୀତାରାମ ରାଜୁ ଇଂରେଜମାନଙ୍କ ସହିତ ଲଢୁଥିବା ସମୟରେ ୧୯୨୪ ମସିହାରେ ଧରାପଡି ମୃତ୍ୟୁଦଣ୍ଡ ପାଇଲେ | ଧିରେ ଧିରେ ତାଙ୍କୁ ପ୍ରତୀତ ହେବାକୁ ଲାଗିଲା ଯେ ସେ ସମୟର ପରିସ୍ଥିତି ଯାହା, ସଶସ୍ତ୍ର ବିପ୍ଲବରେ ତାଙ୍କ ଉଦ୍ଦେଶ୍ୟ ସାଧିତ ହେବ ନାହିଁ |
ଏଣୁ, ବିପ୍ଲବ ଆଡୁ ଆଖି ଫେରାଇ ସେ ଲୋକଙ୍କ ପ୍ରତ୍ୟକ୍ଷ ସେବାରେ ମନୋନିବେଶ କଲେ | ପିଲାଦିନେ ବାପା ଓ ଅନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ସେ ବିଭିନ୍ନ ଔଷଧୀୟ ବୃକ୍ଷଲତା ସମ୍ପର୍କରେ ଜ୍ଞାନଲାଭ କରିଥିଲେ | ସେହି ଜ୍ଞାନକୁ ଉପଯୋଗ କରି ସେ ଗାଁରେ ଦିସାରୀ (କବିରାଜ)ର କାମ କଲେ | ଏହା ସହିତ ସେ ଗ୍ରାମ୍ୟ ମନ୍ଦିରରେ ଓ ବିଭିନ୍ନ ପୂଜାପାର୍ବଣରେ ପୂଜକର ଭୂମିକା ମଧ୍ୟ ତୁଲାଇଲେ | ବଳକା ସମୟରେ ସେ ବିଭିନ୍ନ ଗଠନମୂଳକ କାମ (ଯଥା କିପରି ଭଲ ଚାଷ କରି ଅଧିକା ଫସଲ ଅମଳ କରିହେବ)ରେ ନିଜକୁ ନିୟୋଜିତ କଲେ | ଧିରେ ଧିରେ ଲୋକମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ବାସ ବୃଦ୍ଧି ପାଇଲା ଓ ସେ ତେନ୍ତୁଳିଗୁମ୍ମାକୁ ଏକ ଆଦର୍ଶ ଗାଁ କରି ଗଢି ତୋଳିଲେ |
୧୯୩୦ ମସିହା ବେଳକୁ ଲକ୍ଷ୍ମଣଙ୍କ ବୟସ ପ୍ରାୟ ୩୧ ବର୍ଷ | ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ହେତୁ ଏହି ବର୍ଷ ପଦଲାମ ପୁଅ ଲକ୍ଷ୍ମଣକୁ ଚାରିଖଣ୍ଡ ଗାଁର ମୁସ୍ତାଦାର (ନାୟକ) କରିଦେଇ ନିଜେ ଦାୟିତ୍ବରୁ ଅବ୍ୟାହତି ନେଲେ | ଏହି ସମୟ ଭାରତର ସ୍ବାଧୀନତା ସଂଗ୍ରାମର ଘଡିସନ୍ଧି ମୁହୂର୍ତ୍ତ | ଗାନ୍ଧିମହାତ୍ମାଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ସାରା ଦେଶ ଉଠୁଥାଏ, ପଡୁଥାଏ | ତାଙ୍କ ବାଣୀ ଓ ବାର୍ତ୍ତା ଲକ୍ଷ୍ମଣଙ୍କୁ ଖୁବ୍ ପସନ୍ଦ ହେଲା | ସେ ଗାନ୍ଧିମାର୍ଗର ଅନୁଗାମୀ ହେବା ପାଇଁ ମନେ ମନେ ସଂକଳ୍ପବଦ୍ଧ ହେଲେ |
ଇତିହାସର ଏହି ସନ୍ଧିକ୍ଷଣରେ ଉତ୍କଳମାତାର ବହୁ ବରପୁତ୍ରମାନଙ୍କର ତ୍ୟାଗ, ସଂଘର୍ଷ ଓ ବଳିଦାନର ଫଳଶ୍ରୁତି ସ୍ବରୂପ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡିଶା ସ୍ବତନ୍ତ୍ର ପ୍ରଦେଶ ହେଲା | ଫଳରେ ଜୟପୁର ରାଜ୍ୟ (ତେନ୍ତୁଳିଗୁମ୍ମା ଯାହାର ଅନ୍ତର୍ଗତ ଥିଲା) ବିଶାଖାପାଟଣାଠାରୁ ଅଲଗା ହୋଇ ଓଡିଶାର ଅଂଶ ହେଲା ଓ ଏହାର ନୂତନ ପରିଚୟ ହେଲା କୋରାପୁଟ ଜିଲ୍ଲା |
ଏହାର କିଛି ଦିନ ପରେ ଆରମ୍ଭ ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ | ଭାରତୀୟମାନଙ୍କ ମତାମତ ନ ନେଇ ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ଘୋଷଣା କରିଦେଲେ ଯେ ଭାରତ ଇଂଲଣ୍ଡର ସପକ୍ଷରେ ଯୁଦ୍ଧରେ ଯୋଗଦେଲା | ଏହି ଚରମ ଅବିଚାରର ମୁକାବିଲା କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ବାନ ଦେଲେ | ୧୯୪୦ ମସିହା ନଭେମ୍ବର ମାସରେ ଏହି ସତ୍ୟାଗ୍ରହ ଆରମ୍ଭ ହେଲା | ସର୍ବପ୍ରଥମେ ଆଚାର୍ଯ୍ୟ ବିନୋବା ଓ ପଣ୍ଡିତ ଜବାହରଲାଲ୍ ନେହେରୁ ସତ୍ୟାଗ୍ରହୀ ଭାବେ କାରାବରଣ କଲେ | ଓଡିଶା କଂଗ୍ରେସ୍ ତରଫରୁ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ କରିବା ପାଇଁ ସତ୍ୟାଗ୍ରହୀଙ୍କୁ ଚୟନ କରାଗଲା | ମାଥିଲି ଅଂଚଳରେ ଲକ୍ଷ୍ମଣ ନାୟକ ସତ୍ୟାଗ୍ରହ କରିବେ ବୋଲି ସ୍ଥିର ହେଲା | ଏହି ସତ୍ୟାଗ୍ରହକୁ ସଫଳ ରୂପ ଦେବା ପାଇଁ ଲକ୍ଷ୍ମଣ ଲୋକଙ୍କ ପାଖକୁ ଗଲେ, ସଭା-ସମିତି କଲେ ଓ ଲୋକଙ୍କୁ ବୁଝେଇଲେ- ଇଂରେଜ୍ ସରକାରଙ୍କୁ ଯୁଦ୍ଧ ଚାନ୍ଦା ନ ଦେବାକୁ, ସରକାରଙ୍କ କାମରେ ସହଯୋଗ ନ କରିବାକୁ | ପୋଲିସ୍ ତାଙ୍କୁ ଗିରଫ୍ କଲା ଓ ସେ ୯ (ନଅ) ମାସ ସଶ୍ରମ କାରାଦଣ୍ଡ ପାଇ କୋରାପୁଟ ଜେଲରେ ରହିଲେ |
ଜେଲରୁ ବାହାରିଲା ବେଳକୁ ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲୁଥାଏ | ପୂର୍ବ ଆଡୁ ଅକ୍ଷଶକ୍ତି ଜାପାନ ମାଡି ମାଡି ଆସି ସିଂଗାପୁର ଅଧିକାର କରି ସାରିଥାଏ | ଜାପାନ ସହିତ ଲଢିବା ପାଇଁ ଇଂରେଜ ସରକାର ଭାରତୀୟମାନଙ୍କୁ ଶୋଷଣ କରୁଥାନ୍ତି | ଗାନ୍ଧିଜୀଙ୍କ ନେତୃତ୍ବରେ ଏହାକୁ ବିରୋଧ କରି ଅସହଯୋଗ ଆନ୍ଦୋଳନ ଚାଲୁଥାଏ | ସତ୍ୟାଗ୍ରହୀମାନଙ୍କୁ ବୁଝାଇବା ପାଇଁ ଷ୍ଟାଫୋର୍ଡ଼ କ୍ରିପ୍ସ୍-ଙ୍କର ଉଦ୍ୟମ ବିଫଳ ହୋଇଥାଏ | ସେତେବେଳକୁ ଭାରତୀୟମାନେ ବ୍ରିଟିଶ୍ ସରକାରଙ୍କ ଶୋଷଣ ନୀତିକୁ ଭଲଭାବେ ବୁଝି ସାରିଥା’ନ୍ତି | ସମୟ ୧୯୪୨ ମସିହା | ଗାନ୍ଧିଜୀଙ୍କ ନେତୃତ୍ବରେ ପୂର୍ଣ୍ଣ ସ୍ବରାଜ ପ୍ରାପ୍ତି ଉଦ୍ଦେଶ୍ୟରେ ‘ଭାରତ ଛାଡ’ ଆନ୍ଦୋଳନ ଆରମ୍ଭ ହେଲା | ଏହି ଆନ୍ଦୋଳନ ସମଗ୍ର ଭାରତବର୍ଷକୁ ଚଳଚଂଚଳ କଲା | କଂଗ୍ରେସ କର୍ମୀ ରାଧାକୃଷ୍ଣ ବିଶ୍ବାସରାୟ କୋରାପୁଟରେ ‘ଭାରତ ଛାଡ’ ଆନ୍ଦୋଳନର ନେତୃତ୍ବ ନେଇ ଗିରଫ ହେଲେ | ପୋଲିସ୍ ସତ୍ୟାଗ୍ରହୀମାନଙ୍କ ଉପରେ ଦମନଲୀଳା ଚଳାଇଲା | ଆନ୍ଦୋଳନର ବାର୍ତ୍ତା ଲକ୍ଷ୍ମଣ ନାୟକଙ୍କ କାନରେ ପଡିଲା | ସେ ଜାଣି ପାରିଲେ, ଏହା ହେଉଛି ଚରମ ସଂଗ୍ରାମର ଘଡି | ଗାନ୍ଧିଜୀଙ୍କର ‘କର ବା ମର’ ଆହ୍ବାନକୁ ସାକାର କରିବାକୁ ହେବ | ପୋଲିସ ଦମନଲୀଳାର ପ୍ରତିବାଦରେ କଂଗ୍ରେସ କମିଟି ନିଷ୍ପତ୍ତି କଲା ଯେ ମାତିଲି ଥାନାକୁ ଶାନ୍ତିପୂର୍ଣ୍ଣ ଭାବେ ଘେରାଓ କରାଯିବ | ଏହି ଦାୟିତ୍ବ ଲକ୍ଷ୍ମଣ ନାୟକ ନିଜ କାନ୍ଧକୁ ନେଲେ | ତେଣେ ସତ୍ୟାଗ୍ରହରେ ମାତିବା କାରଣରୁ ଜୟପୁର ରାଜା ଲକ୍ଷ୍ମଣଙ୍କୁ ପୂର୍ବୋକ୍ତ ଚାରିଟି ଗାଁର ମୁସ୍ତାଦାର ପଦରୁ ହଟାଇ ଦେଲେ ଓ ତାଙ୍କର ଅନେକ ଭୂସମ୍ପତ୍ତି ଛଡାଇ ନେଲେ, କାରଣ ରାଜା ଇଂରେଜ୍ ସରକାରଙ୍କର ଅତ୍ଯନ୍ତ ବଶମ୍ବଦ ଥିଲେ |
ଏଥିକୁ ଖାତିର ନ କରି ଲକ୍ଷ୍ମଣ ଗାଁ ଗାଁ ବୁଲି ଆଦିବାସୀମାନଙ୍କୁ ସତ୍ୟାଗ୍ରହ ପାଇଁ ସଂଗଠିତ କରିବାକୁ ଲାଗିଲେ | ଏହା ସହଜ ନ ଥିଲା | ଯୁଗ ଯୁଗ ଧରି ଅଜ୍ଞତା, କୁସଂସ୍କାର, ଅପପୁଷ୍ଟି, ଅନଗ୍ରସରତା ଓ ବଦଭ୍ୟାସ (ନିଶାପାଣି ଆଦି) ମଧ୍ୟରେ ଜୀବନଯାପନ କରୁଥିବା ସରଳ ନିରୀହ ଆଦିବାସୀମାନେ ଅତ୍ୟାଚାରୀ ରାଜତନ୍ତ୍ର ପ୍ରତି ବିଶ୍ବସ୍ତ ଥିଲେ | ତଥାପି ଧୈର୍ଯ୍ୟ ଧରି ଲକ୍ଷ୍ମଣ ନିଜ କାମରେ ଆଗେଇଲେ | ୨୧ ଅଗଷ୍ଟ ୧୯୪୨ ଦିନ ଲକ୍ଷ୍ମଣଙ୍କ ନେତୃତ୍ବରେ ମାତିଲି ଥାନା ଘେରାଓ ହେବା ଓ ଥାନା ଉପରେ ତ୍ରିରଂଗା ଉଡାଇବା ନିଷ୍ପତ୍ତି ହେଲା | ଏହି ନିଷ୍ପତ୍ତିରେ ଇଂରେଜ ସରକାର, ଜୟପୁରର ରାଜା ଓ ମାତିଲିର ପୁଲିସ୍ ଭୟଭୀତ ହୋଇପଡିଲେ | ମାତିଲି ଥାନା ଅଧିକାରୀ ମାଲକାନଗିରି ଓ ଭେଂକଟପଲମ ଥାନାରୁ ଅଧିକ ପୋଲିସ୍ ଫୋର୍ସ୍ ମଗାଇଲେ | ସାଥିରେ ସାକ୍ଷୀ କରିବା ଉଦ୍ଦେଶ୍ୟରେ ଅନ୍ୟ ବିଭାଗର ସରକାରୀ କର୍ମଚାରୀଙ୍କୁ (ଜଂଗଲ, ରେଭେନ୍ୟୁ ଆଦି) ଆଣି ପ୍ରସ୍ତୁତ ରଖିଲେ ଓ ଥାନା ଚାରିପଟେ ହାତୀ ଜଗାଇଲେ |
ନିର୍ଦ୍ଧାରିତ ଦିନ ସକାଳୁ ତେନ୍ତୁଳିଗୁମ୍ମା, ସାଲିମି, ଲୁଲେରୁ, ବାରା, ଉଦୟଗିରି, କୁକୁରକେଣ୍ଡା ଆଦି ସ୍ଥାନରୁ ସତ୍ୟାଗ୍ରହୀମାନେ ଆସି ଏକତ୍ରିତ ହେଲେ | ଏକ ବିଶାଳ ଜନସ୍ରୋତ ମାତିଲି ଥାନା ଅଭିମୁଖେ ଅଗ୍ରସର ହେଲା | ଥାନା ଘେରାଓ ଓ ତ୍ରିରଂଗା ଉଡାଇବାର ଉଦ୍ୟମରୁ ପୁଲିସ୍ ଓ ସତ୍ୟାଗ୍ରହୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେଲା | ପୁଲିସ ମାଡ ମାରି ମାରି ଲକ୍ଷ୍ମଣ ନାୟକଙ୍କୁ ଦରମରା କଲେ ଓ ତାଙ୍କ ନିଶରେ ନିଆଁ ଲଗାଇଦେଲେ | ପୁଲିସର ଅମାନବିକ ପ୍ରହାରରେ ଲକ୍ଷ୍ମଣ ଚେତା ହରାଇ ତଳେ ପଡିଗଲେ | ଏହି ସମୟରେ ଲିଂଗ ଭୂମିଆ ଓ ନକୁଳ ମାଡକାମି ନାମକ ଦୁଇ ଜଣ ସତ୍ୟାଗ୍ରହୀ ଥାନା ଉପରେ ତ୍ରିରଂଗା ଉଡାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ୍ ଗୁଳିରେ ଟଳି ପଡିଲେ | ପରିସ୍ଥିତି ଅତ୍ଯନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଉଠିଲା | ଏକ ବିଦେଶୀ, ଲୁଣ୍ଠନକାରୀ ଶାସକକଳର ହାତବାରିସି ସାଜିଥିବା ପୋଲିସ୍, ରାଜତନ୍ତ୍ର ବା ସରକାରୀ କର୍ମଚାରୀମାନଙ୍କ ଠାରୁ କ’ଣ ବା ସାଧୁତା ଆଶା କରାଯାଇପାରେ? ଭୟଭୀତ ପୋଲିସ୍ ନିରସ୍ତ୍ର ସତ୍ୟାଗ୍ରହୀମାନଙ୍କ ଉପରେ ଗୁଳିବର୍ଷଣ କଲା ଓ ଉପସ୍ଥିତ ମାଜିଷ୍ଟ୍ରେଟ୍ ଏଥିପାଇଁ ସମ୍ମତି ପ୍ରଦାନ କରିଥିଲେ |
ଏହି ଗୁଳିକାଣ୍ଡ ସମୟରେ ଜି. ରାମେୟା ନାମକ ଜଣେ ଫରେଷ୍ଟ୍ ଗାର୍ଡ଼ ଅଫିମ ନିଶାରେ ଟଳମଳ ହୋଇ ଏପଟ ସେପଟ ଦୌଡୁଥିଲା | ଏହି ସମୟରେ ନବରଂଗପୁର ପୋଲିସ ସବଇନିସ୍ପେକ୍ଟର୍ କଣ୍ଡଲ ରାମମୂର୍ତ୍ତି ସତ୍ୟାଗ୍ରହୀଙ୍କ ଉଦ୍ଦେଶ୍ୟରେ ଚଳାଇଥିବା ଗୁଳି ତା ଦେହରେ ବାଜିଲା ଓ ସେ ମରି ତଳେ ପଡିଗଲା | ଲକ୍ଷ୍ମଣ ନାୟକ ସେତେବେଳକୁ ମାଡଖାଇ ବେହୋସ ହୋଇ ପଡିଥାନ୍ତି | ସେ ସମୟର ସରକାରୀ ତଥ୍ୟରେ ଉଲ୍ଲେଖ ଅଛି ଯେ ଉକ୍ତ ସଂଘର୍ଷରେ ୪ (ଚାରି) ଜଣ ସତ୍ୟାଗ୍ରହୀ ଗୁଳିରେ ଓ ଆଉ ଜଣେ ସତ୍ୟାଗ୍ରହୀ ପୋଲିସର ବାୟୋନେଟ୍ ଭୁସାରେ ମୃତ୍ୟୁବରଣ କରିଥିଲେ | କିନ୍ତୁ, ପ୍ରତ୍ୟକ୍ଷଦର୍ଶୀ ସତ୍ୟାଗ୍ରହୀଙ୍କ ସୂତ୍ରରୁ ମୃତକଙ୍କ ସଂଖ୍ୟା ଢେର୍ ଅଧିକ ବୋଲି ଜଣାଯାଏ | ସତର ଜଣ ସତ୍ୟାଗ୍ରହୀ ଆହତ ହୋଇଥିଲେ | ଏହି ବର୍ବର କାଣ୍ଡ ପରେ ପୋଲିସ୍ ଅବଶିଷ୍ଟ ସତ୍ୟାଗ୍ରହୀମାନଙ୍କୁ ଘଉଡି ଦେଲା | ବେହୋସ୍ ଲକ୍ଷ୍ମଣ ନାୟକଙ୍କୁ ପୋଲିସ୍ ମୃତ ଭାବି ପାଖ ନାଳରେ ଫୋପାଡି ଦେଇଥିଲା | ରାତିରେ ଚେତା ପାଇ ଲକ୍ଷ୍ମଣ ବଣ, ଜଂଗଲ ପାରି ହୋଇ ଜୟପୁର ଯାଇ ସେଠାରେ କିଛି ଦିନ ଆତ୍ମଗୋପନ କଲେ | ଏଣେ ସକାଳୁ ଲକ୍ଷ୍ମଣଙ୍କ ମୃତଦେହ ନ ପାଇ ପୋଲିସ୍ ଅନୁମାନ କରିନେଲା ଯେ ସେ ଜୀବିତ ଅଛନ୍ତି ଓ କେଉଁଠାରେ ଲୁଚିଛନ୍ତି | ତେଣୁ ଥାନା ଘେରାଓ କରିବା, ଫରେଷ୍ଟ ଗାର୍ଡ଼ର ହତ୍ୟା, ସରକାରୀ କାର୍ଯ୍ୟରେ ବାଧା ଦେବା, ସରକାରୀ କର୍ମଚାରୀଙ୍କୁ ହତ୍ୟା ଧମକ ଦେବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଇତ୍ୟାଦି ଅଭିଯୋଗରେ ପୋଲିସ୍ ତାଙ୍କ ବିରୋଧରେ ଗିରଫ୍ ପରୱାନା ବାହାର କଲା | ମାତିଲି ଥାନା ଘେରାଓରେ ସମ୍ପୃକ୍ତ ସମସ୍ତ ସତ୍ୟାଗ୍ରହୀମାନଙ୍କୁ କଠିନ ଦଣ୍ଡ ଦେବାକୁ ପୋଲିସ୍ ମିଛ ପ୍ରମାଣ ଯୋଗାଡରେ ଲାଗିପଡିଲା | ଯେଉଁ ପ୍ରଜାମାନେ ଏଥିରେ ପୋଲିସର ମନ ମୁତାବକ ସହଯୋଗ ନ କଲେ, ତାଙ୍କ ଓ ତାଙ୍କ ପରିବାର ଉପରେ ଭୀଷଣ ଅତ୍ୟାଚାର ହେଲା |
ନିଜ ଲୋକମାନଙ୍କ ଏହି ଦୁର୍ଦ୍ଦଶା ଦେଖି ଲକ୍ଷ୍ମଣ ବେଶିଦିନ ଥୟ ଧରି ରହିପାରିଲେ ନାହିଁ | କିଛି ଦିନ ଜୟପୁର ଓ ପାଖାଆଖି ଜଂଗଲରେ ଆତ୍ମଗୋପନ କଲା ପରେ ସେ ନିଜ ଗାଁ ତେନ୍ତୁଳିଗୁମ୍ମାକୁ ଫେରିଆସିଲେ | ଖବର ପାଇ ପୋଲିସ୍ ଆସି ତାଙ୍କୁ ଗିରଫ କଲା | ତାଙ୍କ ସହିତ ଆଉ ୫୩ ଜଣ ସତ୍ୟାଗ୍ରହୀ ଗିରଫ ହୋଇଥିଲେ | ମାତିଲି ଥାନାରେ ଏହାର କେସ୍ ନଂ ଥିଲା ୫୮/ ୧୯୪୨ | ଦଫା ଲାଗିଥିଲା ଭାରତୀୟ ପିଂଗଳ କୋର୍ଡ୍-ର ୩୦୨, ୧୪୮, ୧୪୯, ୧୨୦-ଖ, ୩୨୩, ୩୨୫ ଇତ୍ୟାଦି |
ଡାକ୍ତରଖାନାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ସତ୍ୟାଗ୍ରହୀ ଅର୍ଜୁନ କୁଟିଆ ଓ ନରସିଂହ ଡମ୍ବଙ୍କ ଠାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖାଇନେଲା ଯେ ସେମାନେ ଲକ୍ଷ୍ମଣ ନାୟକଙ୍କ ପ୍ରରୋଚନାରେ ଥାନା ପୋଡିବାକୁ ଓ ଥାନା କର୍ମଚାରୀମାନଙ୍କୁ ହତ୍ୟା କରିବାକୁ ଆସିଥିଲେ; ଏହିପରି ମାମଲାକୁ ବଳିଷ୍ଠ କରିବାକୁ ଆହୁରି କେତେ କଥା |
ସେସନ୍ସ୍ ଜଜଙ୍କ ଇଜଲାସରେ ମୋକଦ୍ଦମା ଚାଲିଲା | ଅଭିଯୁକ୍ତ ସତ୍ୟାଗ୍ରହୀମାନଙ୍କ ବିପକ୍ଷରେ ସାକ୍ଷ୍ୟ ଦେଇଥିଲେ ମାତିଲି ଥାନାରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟ୍, ମାଲକାନଗିରି ସବ୍-ଡିଭିଜନାଲ୍ ଇନ୍ସପେକ୍ଟର, ମାତିଲି ଥାନାର ସବ୍-ଇନ୍ସପେକ୍ଟର, ଜଣେ ଅବକାରୀ ଇନ୍ସପେକ୍ଟର, ଜଣେ ପୂର୍ତ୍ତ ବିଭାଗ ଅଧିକାରୀ, ଜଣେ ମଦ ଦୋକାନୀ, ଜଣେ ହାଟ ଧରିଥିବା କଣ୍ଟ୍ରାକ୍ଟର୍, ଦୁଇ ଜଣ ସାହୁକାର, ମାତିଲି ଡାକ୍ତରଖାନାର ଡାକ୍ଟର, କମ୍ପାଉଣ୍ଡର୍, ପିଅନ ଓ ଅବକାରୀ ବିଭାଗର ପିଅନ | ସରକାରଙ୍କ ପକ୍ଷରୁ ସାକ୍ଷୀ ହେବା ପାଇଁ ପ୍ରାୟ ୩୩ ଜଣଙ୍କୁ ଯୋଗାଡ କରାଯାଇଥିଲା | ପରାଧୀନ ଭାରତରେ ଏ ପ୍ରକାର ନ୍ୟାୟିକ ପ୍ରକ୍ରିୟାରୁ ନ୍ୟାୟ ପାଇବା ପାଇଁ ଆଶା କରିବା ବିଡମ୍ବିତ ଥିଲା | ଲକ୍ଷ୍ମଣ ନାୟକ ଓ ଅନ୍ୟ ସତ୍ୟାଗ୍ରହୀମାନଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ପ୍ରକୃତ ସୁଯୋଗ ଦିଆଗଲା ନାହିଁ, କିମ୍ବା ସେମାନଙ୍କର ବକ୍ତବ୍ୟକୁ ବିଚାରକୁ ନିଆଗଲା ନାହିଁ | ଏହି ସମୟ ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧର ସମୟ | ବ୍ରିଟେନର ଶକ୍ତି କ୍ଷୟ ହୋଇଆସୁଥିଲା | ଭାରତରେ ସ୍ବାଧୀନତା ପ୍ରାପ୍ତି ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଥିଲା | ଭାରତ ଭଳି ଏକ ଲୋଭନୀୟ ଉପନିବେଶ ହାତରୁ ଖସିଯିବାର ଦୁଃସ୍ବପ୍ନ ଇଂରେଜ ଶାସକମାନଙ୍କୁ ଅସ୍ଥିର କରୁଥିଲା | ଏଣୁ, ସେମାନେ ସ୍ବାଧୀନତାସଂଗ୍ରାମୀଙ୍କ ପ୍ରତି ଅଧିକ ହିଂସ୍ର ହୋଇଉଠୁଥିଲେ | ସମ୍ପୂର୍ଣ୍ଣ ସାମରିକ ଆଦବକାଇଦାରେ ସେମାନେ ଦମନଲୀଳା ଚଳାଉଥିଲେ | ସରକାରଙ୍କ ଇଂଗିତରେ ବିଚାରବିଭାଗ କାର୍ଯ୍ୟ କରୁଥିଲା | ଯେତେବେଳେ ସରକାର କୌଣସି ମିଛ କହୁଥିଲେ, ସେହି ମିଛକୁ ସତ ସାବ୍ୟସ୍ତ କରିବାପାଇଁ ସମସ୍ତ ସରକାରୀକଳ ତତ୍ପର ହୋଇଉଠୁଥିଲା | ଅନେକ କ୍ଷେତ୍ରରେ ନ୍ୟାୟିକ ବିଚାର କେବଳ ପ୍ରହସନ ଥିଲା | ଏଠାରେ ମନେ ପକାଇଦେବା ଉଚିତ ହେବ ଯେ କିଛି ବର୍ଷ ତଳେ (୧୯୨୧ ମସିହାରେ) ଇଂରେଜ ସରକାର ଉତ୍କଳମଣି ଗୋପବନ୍ଧୁଙ୍କୁ ଅଦାଲତର କାଠଗଡାରେ ଠିଆ କରାଇଥିଲେ | ଅଭିଯୋଗ ଥିଲା, ଗୋପବନ୍ଧୁଙ୍କ ସମ୍ପାଦନାରେ ବାହାରୁଥିବା ସମ୍ବାଦପତ୍ର ‘ସମାଜ’ରେ ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ବିରୁଦ୍ଧରେ ଅସତ୍ୟ ଖବର ପରିବେଷଣ କରାଯାଇ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇଛି | ଏହି ମାମଲାରେ ବିଚାରକ ଥିଲେ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ବଡ ଭାଇ | ସେ ଗୋପବନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇ ନିଜେ ଚାକିରୀରୁ ଇସ୍ତଫା ଦେଇଦେଲେ, କାରଣ ସେ ଇଂରେଜ ସରକାରଙ୍କ ନାଲିଆଖି ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁନଥିଲେ |
ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦଣ୍ଡ ମିଳିଲା | ଅନ୍ୟ ୪୯ ଜଣ ସତ୍ୟାଗ୍ରହୀଙ୍କୁ ଆଜୀବନ କାରାଦଣ୍ଡ ମିଳିଲା, ଯାହା ମଧ୍ୟରୁ ପ୍ରଥମ ୯ (ନଅ) ବର୍ଷ ସଶ୍ରମ କାରାଦଣ୍ଡ ବୋଲି ରାୟରେ ଉଲ୍ଲେଖ ରହିଲା | ଲକ୍ଷ୍ମଣ ନାୟକଙ୍କ ମୃତ୍ୟୁଦଣ୍ଡ ବିରୁଦ୍ଧରେ ଆଇନଜୀବୀ ପିତାମ୍ବର ମିଶ୍ର ପାଟନା ହାଇକୋର୍ଟରେ ଅପିଲ୍ କରିଥିଲେ, କିନ୍ତୁ ଅପିଲ୍ ଖାରଜ ହୋଇଯାଇଥିଲା | ହାଇକୋର୍ଟର ରାୟ ବିରୁଦ୍ଧରେ ପ୍ରିଭି କାଉନସିଲରେ ଅପିଲ୍ କରାଯାଇ ପାରିଥା’ନ୍ତା | କିନ୍ତୁ, ସେ ସମୟର ପରିସ୍ଥିତିରେ କୌଣସି ତୁଂଗ କଂଗ୍ରେସ ନେତା ଏଥିପାଇଁ ଯଥେଷ୍ଟ ଉଦ୍ୟମ କରିପାରିଲେ ନାହିଁ | ଫାଶୀ ପାଇଁ ତା ୨୯-୦୩-୧୯୪୩ ରିଖ ଧାର୍ଯ୍ୟ ହୋଇଥିଲା | ଏହାର ପୂର୍ବ ଦିନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସଦାଶିବ ତ୍ରିପାଠୀ, ରାଧାକୃଷ୍ଣ ବିଶ୍ବାସରାୟ ଓ ରାଧାମୋହନ ସାହୁ ଆଦି ଯାଇ ଜେଲରଙ୍କ ଉପସ୍ଥିତିରେ ଲକ୍ଷ୍ମଣ ନାୟକଙ୍କୁ ଭେଟିଥିଲେ ଓ ତାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ଜେଲ ଭିତରେ ଏକ ଶୋକସଭାର ଆୟୋଜନ କରିଥିଲେ | ତା ୨୯-୦୩-୧୯୪୩ ରିଖ ଦିନ ବ୍ରହ୍ମପୁର ଜେଲ୍ ପରିସରରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା | ମାନବାଧିକାର ଦୃଷ୍ଟିରୁ ଏହା ଥିଲା ସରକାରୀକଳ ପ୍ରାୟୋଜିତ ହତ୍ୟା | ଶାସକଗୋଷ୍ଠୀର ଭୟ ଓ ବର୍ବରତା ଏତିକିରେ ପ୍ରଶମିତ ହୋଇ ନ ଥିଲା | ଲକ୍ଷ୍ମଣଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ବଜନମାନଙ୍କୁ ଏହି ମୃତ୍ୟୁର ଖବର ଦିଆଗଲା ନାହିଁ | ବ୍ରହ୍ମପୁରର ଅନେକ ସମାଜସେବୀ ତାଙ୍କ ମରଶରୀରର ଶେଷଦର୍ଶନ କରିବାକୁ ଆବେଦନ କରିଥିଲେ | ସେମାନଙ୍କୁ ଏଥିରୁ ବଂଚିତ କରାଗଲା | ତାଙ୍କ ଶବ ନେଇ ଯଥାରୀତି ସଂସ୍କାର କରିବା ପାଇଁ ଅନେକ ଲୋକ ଆବେଦନ କରିଥିଲେ | କିନ୍ତୁ, ବ୍ରିଟିଶ ସରକାରଙ୍କର ତାଙ୍କ ଶବ ପ୍ରତି ମଧ୍ୟ ଥିଲା ଭୟ ମିଶ୍ରିତ ଘୃଣା | ଶବ ବାହାରକୁ ଗଲେ ସାଧାରଣ ଜନତା ଶେଷଦର୍ଶନ କରି ବିପ୍ଲବ-ଭାବନାରେ ଅଧିକ ଉଦ୍ବୁଦ୍ଧ ହୋଇପାରନ୍ତି ଅଥବା ତାଙ୍କର ସମାଧିସ୍ଥଳ ସ୍ବତନ୍ତ୍ରତାସଂଗ୍ରାମୀଙ୍କର ତୀର୍ଥସ୍ଥାନ ପାଲଟି ଯାଇପାରେ, ଏହି ଚିନ୍ତା ଇଂରେଜ ସରକାରଙ୍କୁ ଆତଂକିତ କରୁଥିଲା | ତେଣୁ ସେମାନେ ସମସ୍ତ ମାନବିକତାକୁ ଜଳା°ଜଳି ଦେଇ ତରବରିଆ ଭାବେ ମରଶରୀରକୁ ଜେଲ୍ ପରିସରରେ ପୋତିଦେଲେ | ଏହିପରି ଭାବେ ଏକ ମହାନାୟକର ମରଲୀଳା ସମାପ୍ତ ହେଲା | କିନ୍ତୁ, ସେ ଜାଳିଦେଇ ଯାଇଥିବା ମୁକ୍ତିର ମଶାଲକୁ ଅତ୍ୟାଚାରୀ ଶାସକ ଗୋଷ୍ଠୀ ଲିଭାଇ ପାରିଲେ ନାହିଁ |
ଥମାସ୍ ଜେଫର୍ସନ୍ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଆଦ୍ୟ ବିନ୍ଧାଣୀ ଥିଲେ | ସେ କହିଥିଲେ- “The tree of liberty must be refreshed from time to time with the blood of patriots and tyrants.” | ଏହି ନ୍ୟାୟରେ ଲକ୍ଷ୍ମଣ ନାୟକ ଜାତିର ମୁକ୍ତି ଉଦ୍ଦେଶ୍ୟରେ ନିଜର ପ୍ରାଣବଳି ଦେଲେ | କିନ୍ତୁ, ଏହି ବଳିଦାନ ବ୍ୟର୍ଥ ଗଲାନାହିଁ | ଏହାର ପ୍ରାୟ ୪ (ଚାରି) ବର୍ଷ ପରେ ଦେଶ ସ୍ବାଧୀନ ହେଲା |
ଏହି ଅମର ବଳିଦାନୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଓଡିଶା ସରକାର କୋରାପୁଟ ଠାରେ ପ୍ରତିଷ୍ଠିତ ମେଡିକାଲ୍ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି | ରାଜଧାନୀ ଭୁବନେଶ୍ବରର କଳିଂଗ ହସ୍ପିଟାଲ୍ ଛକରେ ତଥା ଆଦିବାସୀ ପ୍ରଦର୍ଶନୀ ପଡିଆରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି | ପ୍ରତିବର୍ଷ ଜୟନ୍ତୀ ଦିବସରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିମୂର୍ତ୍ତିଗୁଡିକରେ ମାଲ୍ୟାର୍ପଣ କରି ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି | କିନ୍ତୁ, ସହିଦଙ୍କ ଜନ୍ମମାଟି ଆଜି ମଧ୍ୟ ଅବହେଳିତ | ବୈପାରିଗୁଡା ବ୍ଲକ ମୁଖ୍ୟାଳୟ ଠାରୁ ସହିଦଙ୍କ ଗାଁ ମାତ୍ର ୩୦ କି.ମି. ଦୂର ହୋଇଥିଲେ ସୁଦ୍ଧା ଖରାପ ରାସ୍ତା ଯୋଗୁ ଗୋବିନ୍ଦାପଲ୍ଲୀ ବାଟେ ବୁଲିକି ୭୦ କି.ମି. ବାଟ ଯିବାକୁ ପଡେ | ଏହି ଗାଁରେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପର୍ଯ୍ୟନ୍ତ (ସପ୍ତମ ଶ୍ରେଣୀ) ସ୍କୁଲ୍ ଅଛି | ଉପର ଶ୍ରେଣୀରେ ପଢିବାକୁ ହେଲେ ଗାଁ ଲୋକେ ପ୍ରାୟତଃ ମାଲକାନଗିରି ଉପରେ ନିର୍ଭର କରନ୍ତି | ଏହି ଗାଁ ପଂଚାୟତର ମୁଖ୍ୟାଳୟ ହୋଇଥିଲେ ସୁଦ୍ଧା ଏଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ନାହିଁ | ଅତି କମ୍-ରେ ୩୫ କି.ମି. ଗଲେ ମାଲକାନଗିରିର ଗୋବିନ୍ଦାପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ର ପଡିବ; ଅଥବା ୭୦ କି.ମି. ଗଲେ ବୈପାରିଗୁଡା ହସ୍ପିଟାଲରେ ପହଂଚି ହେବ | ପଂଚାୟତର କେତେକ ଗାଁରେ ବିଜୁଳି ସମସ୍ୟା ଉତ୍କଟ | ରାତି ହେଲେ ଲୋକେ ଅନ୍ଧାର ଘେରରେ ରହନ୍ତି | ମୋବାଇଲ୍ ନେଟୱାର୍କର ମାନ ଭଲ ନୁହେଁ | ଗାଁ ଲୋକେ ଟିକେ ଭଲରେ ବାହାରେ ଥିବା ଭାଇ, ବନ୍ଧୁ, କୁଟୁମ୍ବ ଅଥବା ଅନ୍ୟମାନଙ୍କ ସହିତ କଥା ହୋଇପାରନ୍ତି ନାହିଁ | ଏହିପରି ବହୁବିଧ ସମସ୍ୟା ମଧ୍ୟରେ ଗ୍ରାମବାସୀ ପେଷି ହେଉଛନ୍ତି | ସହିଦଙ୍କ ଜନ୍ମମାଟିର ଉନ୍ନତି ପାଇଁ ସରକାର ଅଧିକ ଦୃଷ୍ଟି ଦେବା ଲୋଡା |
ସହିଦ ଲକ୍ଷ୍ମଣ ନାୟକଙ୍କ ବ୍ୟତୀତ ସେ ସମୟରେ କୋରାପୁଟ ଜେଲରେ ଅନେକ ସ୍ବାଧୀନତା ସଂଗ୍ରାମୀ ନର୍କଯନ୍ତ୍ରଣା ଭୋଗୁଥିଲେ ଅଥବା ସେହି ଅସହ୍ୟ ଯନ୍ତ୍ରଣା ମଧ୍ୟରେ ମୃତ୍ୟୁବରଣ କରିଥିଲେ | ଏମାନଙ୍କର ବଳିଦାନର କାହାଣୀ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ପାରିନାହିଁ | ଏହା ଉପରେ ଆହୁରି ଆଲୋଚନା, ପର୍ଯ୍ୟାଲୋଚନା ଓ ଗବେଷଣା ଲୋଡା | ଲକ୍ଷ୍ମଣ ନାୟକଙ୍କ ପୁଣ୍ୟ ଜନ୍ମତିଥିରେ ତାଙ୍କୁ ଓ ସ୍ବତନ୍ତ୍ରତା ସଂଗ୍ରାମର ସମସ୍ତ ସେନାନୀଙ୍କୁ ଭକ୍ତିପୁତ ଶ୍ରଦ୍ଧାଂଜଳି | ସେହି ଅମର ବଳିଦାନୀମାନଙ୍କ ଉଦ୍ଦେଶ୍ୟରେ ମଥାନତ କଲାବେଳେ କବି ସଚ୍ଚି ରାଉତରାୟଙ୍କର ‘ବାଜିରାଉତ’ କବିତାର କେତୋଟି ମର୍ମସ୍ପର୍ଶୀ ପଦ ମନେପଡେ-
“ଆଜି ଏଠି ‘ସୁନ୍ଦର’ର ପଥ
ମଳିନର ହ୍ରେଷା ରବେ ହୋଇଅଛି ରୁଦ୍ଧ, ପ୍ରତିହତ |
ଶୋଷଣର ନିର୍ମମ ସ୍ୟନ୍ଦନ
ପିଷ୍ଟକରେ ଜୀବନର ଲତାୟିତ ଚାରୁ ପଦ୍ମବନ |
ଅନଶନେ, ଅନଟନେ ଶତ
ମଣିଷ ପାସୋରି ଅଛି ସତ୍ୟ ଶିବ ସୁନ୍ଦରର ପଥ |
ମ୍ଲାନ ତାର କ୍ଷୀଣ ଦୃଷ୍ଟି ପଥେ
କ୍ଷୀୟମାନ ଲାବଣ୍ୟର ଦଗ୍ଧ କ୍ଷେତେ ଖର ଘୂର୍ଣ୍ଣି ରଥେ
କେଉଁ ପ୍ରେତ ମେଲେ ଧୂମ୍ର-ପୁଚ୍ଛ ?
ଫୁଲର ଫସଲ ତାର ନଷ୍ଟ କରେ ପଂଗପାଳ ତୁଚ୍ଛ |
‘ସୁନ୍ଦର’ର ଛିନ୍ନ ଧ୍ବଜା ତଳୁ
ତେଣୁ ତୁମେ ନେଲ ଟେକି ନିଜ ହାତେ ପୀଡନ କବଳୁ ||”
ଶକ୍ତି ପ୍ରସାଦ ଦାସ
ମହାନଦୀ ବିହାର, କଟକ
ତା ୨୨-୧୧-୨୦୨୫, ଶନିବାର
[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୨୨-୧୧-୨୦୨୩, ବୁଧବାର (୨) ତା ୨୨-୧୧-୨୦୨୨, ମଂଗଳବାର (୩) ତା ୨୨-୧୧-୨୦୨୧, ସୋମବାର (୪) ତା ୨୨-୧୧-୨୦୨୦ ରିଖ (୫) ୨୦୧୯ ମସିହା, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com; https://blog.storymirror.com; shaktiprasaddas.blogspot.com -ରେ ପ୍ରକାଶିତ |]
