STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

ଉପହାର

ଉପହାର

7 mins
336

ପିଲାଦିନେ ମୋ'ର ସବୁଠୁ ପ୍ରିୟପର୍ବ ଥିଲା ଦଶହରା । କାରଣ ଦଶହରା ଆଉ ମୋ ଜନ୍ମଦିନ ଏକା ସାଙ୍ଗରେ ପାଳନ ହୁଏ । ତେଣୁ ତା'ର ରୋମାଞ୍ଚ କେତେ, ତାହା କହିବା ବାହୁଲ୍ୟ ମାତ୍ର । ଆଉ ସବୁଠୁ ବଡ଼ କଥା ହେଲା କଟକର ଦଶହରା ପୁରା ନିଆରା । ମନେ ହୁଏ ସେତେବେଳେ କଟକ ସହରର ଯେମିତି ବାହାଘର ହୁଏ । ଚାରିଆଡ଼େ ଜକମକ୍ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ଥିବା ପେଣ୍ଡାଲ । ଲାଉଡ଼୍ ସ୍ପିକରରେ ଢାଉଁ ଢାଉଁ ବାଜୁଥିବା ଗୀତ ଆଉ ବାଜା । ଲୋକଙ୍କ ଗହଳି ଚହଳି । ଦୋକାନ ବଜାର ସବୁ ଚଳଚଞ୍ଚଳ । କଟକର ମାହୋଲରେ ଦଶହରାର ବାସ୍ନା ଖେଳିଯାଏ । ଧୂପ ଝୁଣା କର୍ପୁରର ଏକ ଅପୂର୍ବ ସୁଗନ୍ଧ । ମତେତ ସବୁ ଯେମିତି ଲାଗେ ଏକ କୁହୁକ କାହାଣୀର ପରୀ ରାଇଜ ଭଳି । ସେବେ ହିଁ ମୋର ଜନ୍ମଦିନ ବି ଖୁବ୍ ଧୁମଧାମରେ ପାଳିନ କରାଯାଏ । ସେଥିପାଇଁ ଡାହୁକ ଭଳି ମୁଁ ଫି ବରଷ ଅପେକ୍ଷା କରିଥାଏ ଦଶହରାକୁ । ଏବେ ତ ଚାକିରିବାକିରି କରି ଆଉ ବାହାସାହା ହେଇ କଟକଠୁ ବହୁତ ଦୂରରେ ରହୁଚି । ହେଲେ ଏବେବି କଟକ ଆଉ ତା'ର ଦଶହରା ମିସ୍ କରେ । ଖୁବ୍ ମନେପଡେ ପିଲାଦିନ..... ।


       ଏକ ସୁନ୍ଦର ଅଭୁଲା ସ୍ମୃତି ରହି ଯାଇଛି ଏଇ ଦଶହରାକୁ ନେଇ । ସେତେବେଳେ ମୁଁ ଥିଲି ୭/୮ ବର୍ଷର ପିଲା । ବାପା ମାଆଙ୍କ ଗୋଟିଏ ସନ୍ତାନ ବୋଲି ଖୁବ୍ ଅଲିଅଳିରେ ବଢିଥିଲି । ଘରେ ଲୋକ କହିଲେ ବାପା ମାଆ ମୁଁ ଆଉ ଜେଜେମାଆ । ଆମ ଘର କଟକ ତୁଳସୀପୁରରେ । ସବୁ ବର୍ଷ ପରି ସେ ବର୍ଷ ବି ଅଷ୍ଟମୀ ଦିନ ସକାଳେ ଆମେ ସମସ୍ତେ ମେଢ଼ ପାଖକୁ ଯାଇଥିଲୁ ପୂଜା ପାଇଁ । ମାଆ ବାପା ଓ ଜେଜେମାଆ ଅଷ୍ଟମୀ ଓପାସ କରନ୍ତି । ସେଠି ବହୁତ ଭିଡ଼ ହୁଏ ଅଷ୍ଟମୀ ଦିନ । ଆମେ ଆମ ପୁରୁଣା ଫିଏଟ୍ ଗାଡ଼ିରେ ବସି ଯାଇ ପହଞ୍ଚିଲୁ ମଣ୍ଡପକୁ । ମାଆ ଓ ଜେଜେମାଆ ଓହ୍ଲେଇ ଗଲେ ପୂଜା ଥାଳି ଧରି । ମୁଁ ରହିଲି ବାପାଙ୍କ ସାଙ୍ଗରେ । ଗାଡ଼ି ଟିକେ ଦୂରରେ ରଖି । ବାପା ମୋ ହାତ ଧରି ନେଇକି ଯାଉଥାନ୍ତି ଦେବୀଙ୍କ ପାଖକୁ । ହଠାତ୍ ମୋ ଆଖି ପଡ଼ିଲା ରାସ୍ତା କଡରେ ରଙ୍ଗବେରଙ୍ଗ ବେଲୁନ୍ ଧରି ବିକୁଥିବା ଗୋଟେ ପିଲା ଉପରେ । ପିଲାବେଳେ ବେଲୁନ୍ ପାଇଁ ମୋର ବହୁତ ଦୁର୍ବଳତା ଥିଲା । 

        

ବାପା ବେଲୁନ୍ ନେବି କହି, ତାଙ୍କ ହାତକୁ ଟାଣିଲି ସେଇ ଆଡେ ।

ଆରେ !! ରହ, ଭିଡ଼କୁ ବେଲୁନ୍ ନେଇକି ଗଲେ ଫାଟିଯିବ । ଫେରିବା ବେଳକୁ ନେବା ।


     ହଠାତ୍ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା । ଆମେ ପୂଜା ସାରି ଆସିଲା ବେଳକୁ ଯଦି ସେ ବେଲୁନବାଲା ପଳେଇବ ତେବେ ତ ଗଲା । ଆଉ କିଣି ହେବନି । ମୁଁ ମେଢ଼ ଦେଖିବି କ'ଣ ?? ମୋ ମୁଣ୍ଡରେ ବେଲୁନ୍ ଚକ୍କର ଖାଇଲା । ସମସ୍ତେ ଭିତରେ ପୂଜାରେ ବ୍ୟସ୍ତ ଥିବାବେଳେ ମୁଁ ଚୁପକିନା ବାପାଙ୍କ ହାତରୁ ମୋ ହାତକୁ ଖସେଇ ଆଣି ଭିଡ଼ ଭିତରେ ଗଳିଗଳି ଆସି ସେଇ ବେଲୁନବାଲା ପାଖରେ ହାଜର ।

        

      

ସେ ବେଲୁନବାଲା ୧୨/୧୩ ବର୍ଷର ପିଲାଟେ ଥିଲା । ଖୁବ୍ ପତଳା ଆଉ ବଡ଼ ବଡ଼ ସୁନ୍ଦର ଆଖି ତା'ର । ମାଟିଆ ରଙ୍ଗର ହାଫ୍ ପ୍ୟାଣ୍ଟ୍ ଆଉ ନୀଳ ରଙ୍ଗର ସାର୍ଟ ପିନ୍ଧିଥିଲା । ମୋତେ ଦେଖି ପଚାରିଲା ବେଲୁନ୍ ନେବ ?? ମୁଁ ହଁରେ ମୁଣ୍ଡ ଟୁଙ୍ଗାରିଲି । ସେ ଅଳ୍ପ ହସି ପଚାରିଲା କୋଉ ରଙ୍ଗର ନେବ ??? ମୋତେ ତ ସବୁ ରଙ୍ଗ ସୁନ୍ଦର ଦିଶୁଥିଲା । କୋଉ ରଙ୍ଗର ନେବି ଜାଣି ପାରୁନଥାଏ । କହିଲି, ସେ ନାଲି ରଙ୍ଗର ଦିଅ । ସେ ନାଲି ରଙ୍ଗର କାଢ଼ିବାକୁ ଗଲା ବେଳେ ମୁଁ କହିଲି, ନାଇଁ ନାଇଁ ସେ ନାରଙ୍ଗୀଟା ଦିଅ, ପୁଣି ନାଇଁ ନାଇଁ ସେ ହଳଦିଆଟା, ନାଇଁ ସେ ଗୋଲାପୀଟା । ମୋ କଥା ଶୁଣି ସେ ଜୋରରେ ହସିବାକୁ ଲାଗିଲା । କାହିଁକି କେଜାଣି ତା ହସ ମୋତେ ଖୁବ୍ ଭଲ ଲାଗିଲା । ସେ କହିଲା, ଗୋଟେ କାମ କର ତମେ ସବୁଗୁଡ଼ାକ କିଣି ନେଇ ଯାଅ ଭଲ ହେବ । ଏତିକି ଶୁଣିଲା ପରେ ତ, ମୋତେ ସେ ପରୀ ରାଇଜର ରାଜକୁମାର ଭଳି ଲାଗିଲା । ଜେଜେମାଆ କାହାଣୀରେ ଯେମିତି ରାଜକୁମାର ରାଜକୁମାରୀର ସବୁ ଇଚ୍ଛା ପୂରଣ କରେ । 

         

     ମୁଁ କହିଲି, ହଁ ହଁ ଠିକ୍ ଠିକ୍ । ପହର ଦିନ ମୋ ଜନ୍ମଦିନ ଅଛି । ଏଇ ସବୁ ବେଲୁନରେ ଘର ସଜେଇ ଦେଲେ ଖୁବ୍ ସୁନ୍ଦର ଦିଶିବ । ମୋ ପାଗଳାମି ଦେଖି, ସେ ପୁଣି ହସିଲା ।

ଏଇ ଝିଅ ତମ ପାଖରେ ପଇସା ଆଛି ତ... ??

 ମୁଁ ଟିକେ ରାଗି କି ପଚାରିଲି, ଝିଅ କାହାକୁ କହୁଚ ??? ମୋ ନାଁ ଲିଜା । ପଇସା ବାପାଙ୍କ ପାଖରେ ଅଛି । ମୋ ପାଖରେ କେମିତି ଆସିବ ??? ମୁଁ ତ ଛୋଟ ପିଲା ।

ଏବେ ବୁଝିଲ ତ, ଛୋଟ ପିଲା ହେଇ ବାପାଙ୍କୁ ସାଙ୍ଗରେ ନ ଆଣି କେମିତି ଏକୁଟିଆ ଚାଲି ଆସିଲ ?? ଏଇ ଭିଡ଼ରେ ବାପାଙ୍କୁ ପାଇବ ତ ????


ତା କଥା ଶୁଣି ବାପାଙ୍କ କଥା ମନେ ପଡ଼ିଲା । ଚାରିଆଡକୁ ଚାହିଁଲି । ଭିଡ଼ ଦେଖି ହାଲୁକ ଶୁଖିଗଲା । ଏବେ କେମିତି ପାଇବି ସେମାନଙ୍କୁ ??? ଭିଡ଼ ଆହୁରି ବଢି ଯାଇଥାଏ । ମାଇକରେ ଜୋର୍ ଜୋର୍ ମନ୍ତ୍ର ପଢା ହେବା ଶୁଣା ଯାଉଥାଏ । ଭୟରେ ପାଟିକରି କାନ୍ଦିବାକୁ ଲାଗିଲି । 

          

    ସେ ପିଲା ଡରିକି ଛାନିଆ । ଆରେ କ'ଣ ହେଲା ?? କାହିଁକି କାନ୍ଦୁଛ ?? ଏମିତି ଏଠି ଠିଆ ହେଇ କାନ୍ଦିଲେ ଲୋକ ଆସି ମୋତେ ବାଡେଇବେ । ଚୁପ୍ ହେଇଯାଅ ।


  କାନ୍ଦି କାନ୍ଦି କହିଲି, ମୁଁ ଏବେ ଭିଡ଼ରେ ସେମାନଙ୍କୁ କୋଉଠି ଖୋଜି ପାଇବି ??? ସେମାନେ ଭିତରେ ଥିଲେ । ମୁଁ ତ ହଜିଗଲି କହି ଆହୁରି ଜୋରରେ କାନ୍ଦିଲି ।


ସେ କହିଲା ଆରେ ଆରେ ମୁଁ ତମକୁ ନେଇଯିବି ତମ ବାପା ମାଆଙ୍କ ପାଖକୁ । ଚାଲ ଚାଲ ଆଉ କାନ୍ଦନି । ସେ ମୋ ହାତ ଧରି ଭିଡ଼ ଭିତରେ ଯେଉଁଠି ମାଇକ୍ ବାଜୁଥିଲା ସେଠିକି ନେଇଗଲା । ସେଠି ବସିଥିବା ଗୋଟେ ଲୋକକୁ କ'ଣ ସବୁ କହିଲା କେଜାଣି, ସେ ଲୋକ ମୋତେ ଡାକି ମୋ ନାଁ ଆଉ ଘର କେଉଁଠି ପଚାରିଲା । ବାପାଙ୍କ ନାଁ ବି । ମୁଁ ଫ୍ରକରେ ଲୁ଼ହ ଆଉ ସିଙ୍ଗାଣୀ ପୋଛି ବିକଳରେ ଚାହିଁଲି ।

         

ସେ ପିଲା କହିଲା ଡରନି, ବାବୁ ଯାହା ପଚାରୁଛନ୍ତି କହିଦିଅ । ତମ ବାପା ମାଆ ଜଲଦି ମିଳିଯିବେ । ମୋ ମନରେ ଟିକେ ସାହାସ ଆସିଲା ।


ମୁଁ ଗୋଟି ଗୋଟି କରି ସବୁ ଉତ୍ତର ଦେଲି । ମୋ ନାଁ ଲିଜା । ଘର ତୁଳସୀପୁର କାଳୀ ମନ୍ଦିର ପାଖରେ । ବାପାଙ୍କ ନାଆଁ ଦେବାଶିଷ କର ।

          

ସଙ୍ଗେ ସଙ୍ଗେ ସେ ଲୋକ ଗୀତ ବନ୍ଦ କରି ମାଇକରେ ଡାକ ପକେଇଲେ ବାପାଙ୍କ ନାଆଁ ନେଇ । ଆପଣଙ୍କ ଝିଅ ଆମ ପାଖରେ ଅଛି, ଅଫିସକୁ ଆସି ତାକୁ ନେଇ ଯାଆନ୍ତୁ । ଏମିତି ଦୁଇ ଚାରି ଥର ଡାକ ପକେଇଲେ । କିଛି ସମୟ ପରେ ବାପା ମାଆ ଜେଜେମାଆ ସବୁ ଆସି ସେଠି ପହଞ୍ଚିଲେ । ବାପାଙ୍କୁ ଦେଖି ଗାଳି ଖାଇବା ଡରରେ ମୁଁ ସେଇ ବେଲୁନବାଲା ପିଲାର ଆଉ ଟିକେ ପାଖକୁ ଯାକି ହେଇଗଲି ।

ସେ କହିଲା ଆରେ ତମ ବାପା ଆସିଲେଣି ପରା ଯାଉନ ତାଙ୍କ ପାଖକୁ । ବାପା ଆସି ମୋତେ କାଖେଇ ନେଲେ । କୁଆଡେ ପଳେଇ ଥିଲୁ । ଆମେ ଭିଡ଼ ଭିତରେ ଖୋଜୁଚୁ । ତୋ ମାଆ କେତେ ବ୍ୟସ୍ତ ହେଇଗଲାଣି ଜାଣିଚୁ ??? ଭିଡ଼ରେ ଏମିତି ହାତ ଛାଡନ୍ତି । ଡରରେ ମୋ ପାଟି ଖୋଲୁ ନଥାଏ ।

ମାଇକରେ ଯିଏ ଡାକିଥିଲେ ସେ ବାପାଙ୍କ କାନ ପାଖରେ ଫୁସଫୁସ କରି କ'ଣ କହିଲେ କେଜାଣି ??? ବାପା ମୋତେ ତଳେ ଓହ୍ଲାଇ ସେ ବେଲୁନବାଲା ପିଲାକୁ ଡାକି ପକେଟରୁ ପାଞ୍ଚଶହ ଟଙ୍କା କାଢି ତା ହାତକୁ ବଢ଼େଇ ଦେଲେ ।

ସେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ କହିଲା ଏତେ ଟଙ୍କା ମୋତେ କାହିଁକି ଦେଉଛନ୍ତି ??? ନାଇଁ ନାଇଁ ବାବୁ ଏ ଟଙ୍କା ମୁଁ ନେଇ ପାରିବିନି । ମୋ ମାଆ ମୋତେ ମାରିବ । ଚୋରି କରିଚି ଭାବିବ । ଥାଉ ଥାଉ ....

         

    ଆରେ ରଖ ରଖ କହିବୁ ବାବୁ ଦେଇଛନ୍ତି । ସବୁ ଘଟଣା ସତ ସତ କହିଦେବୁ ତୋ ମାଆକୁ । ତୁ ଜାଣିନୁ କେତେ ବଡ଼ ଉପକାର କରିଛୁ ଆମର । ଏତିକି କହି ଟଙ୍କା ତକ ତା ପକେଟରେ ଗୁଞ୍ଜି ଦେଲେ । ହେଲେ ତା ମୁହଁରୁ ଜଣା ପଡୁଥାଏ ସେ ଜମ୍ମା ଖୁସି ନଥିଲା ସେ ଟଙ୍କା ପାଇ । 


କହିଲା, ବାବୁ, ଏଇ ବେଲୁନ୍ ସବୁ ନେଇ ଯାଆନ୍ତୁ । ଏଇ ବେଲୁନ୍ ପାଇଁ ତ ଝିଅ ହଜି ଥିଲେ ।

          

       ନାଇଁ ନାଇଁ ଏତେ ଗୁଡେ ବେଲୁନ୍ ନେଇ କ'ଣ କରିବୁ ??? ଥାଉ ଥାଉ ତୁ ବିକ୍ରୀ କଲେ କିଛି ପଇସା ପାଇ ଯିବୁ ବରଂ ।

       ବାପା ମୋ ହାତ ଧରି ଆଗକୁ ବଢ଼ିଲେ । ହେଲେ ମୋ ମନ ସେଇ ବେଲୁନ୍ ପାଖରେ ଥିଲା । ମୁଁ ବୁଲି ବୁଲି ସେଇ ବେଲୁନକୁ ଚାହୁଁ ଥାଏ । ହେଲେ ଡରରେ କିଛି କହି ପାରୁନଥାଏ । ଦୋଷ ତ କରିଛି, ବାପା ବି ରାଗିଚନ୍ତି । କିଛି କହିଲେନି ସିନା ସେଠି । 

ସେ ପିଲାଟି ଦୌଡ଼ି ଆସି ମୋ ହାତରେ ନାଲି ରଙ୍ଗର ବେଲୁନଟେ ଧରେଇ ଦେଲା । ମୋର ଖୁସି କହିଲେ ନ ସରେ ।

ଆମେ ସବୁ ଗାଡ଼ିରେ ବସି ଆସି ଘରେ ପହଞ୍ଚିଲୁ । ଘରେ ପହଞ୍ଚୁ ପହଞ୍ଚୁ ମାଆ ଆସି ମୋ ଗାଲରେ ଗୋଟେ ଚାପୁଡ଼ା କଷି ଦେଲେ । ଆଜିକାଲି ଯୁଗ କ'ଣ ହେଲାଣି ଜାଣିଚୁ ?? ପୁଣି ତୁ ଝିଅପିଲା ..... ଉଚ୍ଚନୀଚ କିଛି ହେଇଗଲେ ???? ସବୁ ଗେହ୍ଲା କରିବାରୁ ତୋ ମୁଣ୍ଡ ବେଶୀ ଖରାପ ହେଉଚି । ମୋ ଗାଲରେ ପାଞ୍ଚ ଆଙ୍ଗୁଳି ବସି ଯାଇଥିଲା । ବୋଧହୁଏ ସେଇ ଦିନ ମାଆ ମୋ ପାଇଁ ଟାଣି ଦେଇଥିଲେ ଲକ୍ଷ୍ମଣ ରେଖା । ମୁଁ କିଛି ବୁଝିପାରି ନଥିଲି ସତ ହେଲେ ସେବେଠୁ ବେଶ୍ ସତର୍କ ହେଇ ଯାଇଥିଲି । ଯେହେତୁ ଝିଅ ପିଲା ଏକ ସୀମା ଭିତରେ ରହି ଚଳପ୍ରଚଳ ହେବାକୁ ହେବ ସେବେଠୁ ଜାଣି ଯାଇଥିଲି ।


       ତା ପର ଦିନ ମୋ ଜନ୍ମଦିନ ପାଇଁ ଆୟୋଜନ ଆରମ୍ଭ ହେଇ ଯାଇଥିଲା । ପିଠାପଣା କ'ଣ ହେବ ??? କାହାକୁ କାହାକୁ ଡକା ହେବ । ଘର ସଜାସଜି ଏମିତିରେ ପୂରା ଦିନଟା କଟି ଗଲା । ମୁଁ ଦିନ ସାରା ବେଲୁନରେ ଖେଳିଲି । ମନେ ମନେ ଭାବୁଥାଏ ବାପା ସବୁ ବେଲୁନ୍ ଗୁଡା ନେଇ ଆସିଥିଲେ ଭଲ ହେଇ ଥାଆନ୍ତା । କ'ଣ ପାଇଁ ଆଣିଲେନି ଯେ, ସେ ପିଲା ତ ଯାଚୁ ଥିଲା । ବେଲୁନରେ ଘର ସଜେଇ ଥିଲେ କେତେ ସୁନ୍ଦର ଦିଶି ଥାଆନ୍ତା । ମୋ ସାଙ୍ଗମାନେ ଦେଖି କେତେ ଖୁସି ହେଇ ଥାଆନ୍ତେ ।  


ରାତି ହେଇଗଲା । ମୁଁ ଜେଜେମାଆ ପାଖରେ ଶୋଇବାକୁ ଗଲି । ସବୁଦିନ ପରି ଜେଜେମାଆକୁ କହିଲି ଗପ ଶୁଣେଇବାକୁ । ସେ ପରୀ ରାଇଜର କାହାଣୀ ଶୁଣେଇଲା । ଗପ ଶୁଣି ସାରି ପଚାରିଲି ଜେଜେମାଆ, ରାଜକୁମାରୀର ସବୁ ଇଚ୍ଛା ଯେମିତି ଜାଣିପାରି ରାଜକୁମାର ପୂରା କରିଦେଉଚି ସେମିତି ମୋ ଇଚ୍ଛା ସବୁ ପୂରା ହେଇ ଯାଆନ୍ତାନି । ଜେଜେମାଆ ଶୁଣି ପାକୁଆ ପାଟିରେ ହସିଲା । କହିଲା, ହେବ ସବୁ ହେବ ଯେତେବେଳେ ତୋ ରାଜକୁମାର ଆସିବ । ଶୁଣି ବହୁତ ଖୁସି ଲାଗିଲା ଆଉ ମୁଁ ଶୋଇଗଲି ।

ପୂରା ସକାଳୁ ଜେଜେମାଆ ମୋତେ ଉଠେଇ ଦେଇଥିଲେ । ସୂର୍ଯ୍ୟ ଉଦୟ ପୂର୍ବରୁ । ଆମ ଘରେ ଗୋଟେ ପରମ୍ପରା ଅଛି । ଯାହାର ଜନ୍ମଦିନ ଥିବ ସେ ସକାଳୁ ଉଠି ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପ୍ରଣାମ କରିବ । ଆଉ ମାଆ ଫୁଲଫଳ ଦେଇ ସୂର୍ଯ୍ୟଙ୍କୁ ପୂଜା କରନ୍ତି । 

ସକାଳୁ ମାଆ ଦୂଆର ଖୋଲି ଦେଇ ଦେଖିଲେ । ପିଣ୍ଡା ଉପରେ ଅନେକ ରଙ୍ଗବେରଙ୍ଗ ବେଲୁନର ଗୋଚ୍ଛାଟିଏ ଥୁଆ ହେଇଚି । ମାଆ ଡାକ ପକେଇଲେ ବାପାଙ୍କୁ । ହେଲେ ମୋର ଖୁସି କହିଲେ ନ ସରେ । ମୁଁ ଦୌଡ଼ି ଯାଇ ସେଇ ଗୋଚ୍ଛାକୁ ଧରି ନାଚିବାକୁ ଲାଗିଲି । ବାପା ଆସି ଦେଖି ଦୀର୍ଘନିଃଶ୍ଵାସଟେ ମାରିଲେ । କହିଲେ ପିଲାଟା ଖୁବ୍ ସ୍ୱାଭିମାନୀ ଆଉ ସଚ୍ଚୋଟ । ଭଗବାନ ତା'ର ମଙ୍ଗଳ କରନ୍ତୁ .....।


କିଛି ବର୍ଷ ପର୍ଯ୍ୟନ୍ତ ପ୍ରତି ଜନ୍ମଦିନରେ ଏଇ ସିଲସିଲା ଜାରି ରହିଥିଲା । ବୋଧହୁଏ ତା'ର ପାଞ୍ଚଶହ ଟଙ୍କା ନ ହେବା ଯାଏଁ ସେ ଦେଇ ଚାଲିଥିଲା ବେଲୁନ୍ ......ଆଉ ସେଇଟା ହିଁ ରହୁଥିଲା ମୋର ବହୁ ପ୍ରତୀକ୍ଷିତ ଉପହାର ଜନ୍ମଦିନର ........।।

           



Rate this content
Log in

Similar oriya story from Inspirational