Biswanath Nayak

Tragedy

2  

Biswanath Nayak

Tragedy

ଉପହାର

ଉପହାର

14 mins
293


ଜାନୁଆରୀ ପହିଲା ଦିନ ସକାଳୁ ସକାଳୁ ଚନ୍ଦନ ବାବୁ ପତ୍ନୀ ସୁମିତ୍ରା ଓ ପୁଅ ପିଣ୍ଟୁ ସହ ପିଙ୍କିର ଘର ପାଖରେ ପହଞ୍ଚିଗଲେ। ପ୍ରଥମେ ଗାଡିରୁ ଓହ୍ଲାଇ ପିଙ୍କି ପାଇଁ ଆଣିଥିବା ନୂଆ ଡ୍ରେସ୍ ଟା ହାତରେ ଧରି ସୁମିତ୍ରା ଦେବୀ ତାଙ୍କ କବାଟ ବାଡେଇ ଡାକିଲେ ପିଙ୍କି ! ପିଙ୍କି ! ଚନ୍ଦନ ବାବୁ କାର୍ ର ଡୋର ଲକ୍ କରୁ କରୁ ପିଣ୍ଟୁ ତାଙ୍କୁ ବ୍ୟସ୍ତ କରି କହୁଥାଏ , ବାପା !ଶୀଘ୍ର ଚାଲ। ମୁଁ ପିଙ୍କି ସହିତ ଖେଳିବି। ଚନ୍ଦନ ବାବୁ କହିଲେ ଆରେ ! ଏତେ ବ୍ୟସ୍ତ କାହିଁକି ? ଆମେତ ଆଜି ଏଠାରେ ସାରାଦିନ ରହିବା । ତୁ ପିଙ୍କି ସହିତ ମନଭରି ଖେଳିପାରିବୁ। ପିଲା ଲୋକ ,ଏ କଥାରେ ତା ମନ ବୁଝୁଛି କେଉଁଠି। ସେ ସେହି ଏକା ସ୍ଵରରେ କହି ଚାଲିଥାଏ, ନାହିଁ ! ତମେ ଶୀଘ୍ର ଚାଲ। ଚନ୍ଦନ ବାବୁ ଆଶ୍ଚର୍ଯ୍ୟ ହେଉଥିଲେ। ବର୍ଷକ ତଳର ସେହି ଚିହ୍ନା ପରିଚୟ ଓ ସମ୍ପର୍କକୁ ପିଣ୍ଟୁ ଏ ପର୍ଯ୍ୟନ୍ତ ମନେ ରଖିଛି! ସତରେ ପିଲାମାନଙ୍କ ସମ୍ପର୍କରେ କୌଣସି ସ୍ଵାର୍ଥ ଓ ଆବିଳତା ନଥାଏ। ଗଲା ଏକବର୍ଷ ଧରି ପିଙ୍କି ସହ ଦେଖା ନ ହେଲେବି ପିଣ୍ଟୁର ପିଙ୍କି ପ୍ରତି ଏତେ ସ୍ନେହ ! ଏତେ ଆତ୍ମୀୟତା ! କେବଳ ସେହି ସ୍ନେହ ଓ ଆତ୍ମୀୟତା ହିଁ ତାଙ୍କୁ ଏବର୍ଷ ପୁଣିଥରେ ପ୍ରଧାନପାଟ ଆସିବା ପାଇଁ ବାଧ୍ୟ କରିଥିଲା। ପିଣ୍ଟୁର ଏକା ଜିଦ୍ ସେ ପିଙ୍କି ପାଖକୁ ଯିବ। ଚନ୍ଦନ ବାବୁ ପିଲାଟାର ମନ ଭାଙ୍ଗି ପାରିନଥିଲେ। ପ୍ରତ୍ୟେକ ବର୍ଷ ନୂଆବର୍ଷ ଦିନ ପରିବାର ସହ ନୂଆ ନୂଆ ଜାଗାକୁ ଯାଇ ସେଠାରେ ବଣଭୋଜି କରିବା ତାଙ୍କର ଅନେକ ଦିନର ଅଭ୍ୟାସ ହେଲେ ମଧ୍ୟ ଏବର୍ଷ କେବଳ ପିଣ୍ଟୁର ଖୁସି ସକାଶେ ସେ ଦ୍ଵିତୀୟ ଥର ପାଇଁ ପ୍ରଧାନପାଟ ଆସିଥିଲେ। ଠିକ୍ ଏକବର୍ଷ ତଳେ ଗଲା ନୂଆବର୍ଷ ଦିନ ସୁମିତ୍ରା ଓ ପିଣ୍ଟୁକୁ ସାଥିରେ ଧରି ବଣଭୋଜି କରିବାପାଇଁ ସେ ପ୍ରଧାନପାଟ ଆସିଥିଲେ। ପିଣ୍ଟୁ ସେତେବେଳକୁ ସାଢ଼େ ତିନି ବର୍ଷର ହୋଇଥିଲା। ନୂଆବର୍ଷ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକମାନେ ବଣଭୋଜି ପାଇଁ ଆସି ଥିବାରୁ ସେଠାରେ ସେଦିନ ପ୍ରବଳ ଭିଡ଼ ହୋଇଥିଲା। ରୋଷେଇ ପାଇଁ ଭଲ ଯାଗାଟିଏ ନପାଇବା ଭୟରେ ପ୍ରଥମେ କାର୍ ଡିକି ଭିତରୁ ଦରିଟା ବାହାର କରି ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଗୋଟିଏ ଭଲ ଯାଗାରେ ଦରିଟା ବିଛେଇ ଜାଗାଟା ରଖି ଦେଇଥିଲେ।ସେଠାରେ ପିଣ୍ଟୁକୁ ବସେଇଦେଇ ଗାଡିରୁ ରୋଷେଇ ସରଞ୍ଜାମ ଆଣି ସଜଡ଼ା ସଜଡ଼ି କରିବା କାମରେ କିଛି ସମୟ ପାଇଁ ଦୁଇ ଜଣଯାକ ଏତେ ବ୍ୟସ୍ତ ରହିଗଲେ ଯେ ପିଣ୍ଟୁ ଉପରେ ତାଙ୍କର ଆଦୈା ଧ୍ୟାନ ନଥିଲା। ଶେଷଥର ଗାଡ଼ି ଭିତରୁ ଜିନିଷ ଆଣି ଆସିଲା ବେଳେ ପିଣ୍ଟୁ ବସିବା ସ୍ଥାନରେ ସୁମିତ୍ରା ଦେବୀଙ୍କ ଆଖି ପଡ଼ିଯିବାରୁ ସେ ଦେଖିଲେ ଯେ ପିଣ୍ଟୁ ସେଠାରେ ନଥିଲା। ପିଣ୍ଟୁକୁ ସେଠାରେ ନଦେଖି ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଉଭୟ ବଡ଼ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ। ସୁମିତ୍ରା ଦେବୀ ବଡ଼ ପାଟିରେ 'ପିଣ୍ଟୁ' 'ପିଣ୍ଟୁ' ବୋଲି ଡାକି ଚାରି ଆଡକୁ ଲକ୍ଷ୍ୟ କଲେ। କିନ୍ତୁ କେଉଁଠି ପିଣ୍ଟୁକୁ ଦେଖି ପାରିଲେ ନାହିଁ। ଚାରିଆଡ଼େ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ପିକନିକ୍ କରିବା ପାଇଁ ଆସିଥିବା ଅନ୍ୟ ପିଲାମାନେ ଖେଳକୁଦରେ ମାତିଥାନ୍ତି। କିନ୍ତୁ ସେମାନଙ୍କ ଭିତରେ ପିଣ୍ଟୁ କେଉଁଠି ଦେଖା ଯାଉନଥିଲା। ଏଭଳି ଏକ ଅପରିଚିତ ସ୍ଥାନରେ ପିଲାଟାକୁ ଖୋଜି ନ ପାଇବାରୁ ପିକନିକ୍ ପାଇଁ ସେମାନଙ୍କ ମନ ଭିତରେ ଥିବା ସମସ୍ତ ଆନନ୍ଦ ଓ ଉତ୍ସାହ ନିମିଷକ ମଧ୍ୟରେ ପାଣିଫୋଟକା ପରି ମିଳେଇ ଯାଇଥିଲା। ଏଭଳି ପରିସ୍ଥିତିରେ ଚନ୍ଦନ ବାବୁ କଣ କରିବେ କିଛି ଜାଣି ପାରୁ ନଥିଲେ। କାଳେ କେଉଁଠି ଖେଳୁଥିବା ପିଲା ମାନଙ୍କ ସହ ମିଶି ପିଣ୍ଟୁ ଖେଳୁଥିବ ସେକଥା ଜାଣିବା ପାଇଁ ସେ ନୀରବରେ ଗୋଟିଏ ଜାଗାରେ ଠିଆହୋଇ ଚାରିଆଡେ ନଜର ବୁଲାଉ ଥିଲେ। ସୁମିତ୍ରା ଦେବୀ ବ୍ୟସ୍ତ ହୋଇ କହୁଥିଲେ, ଆରେ ଠିଆହୋଇ ରହିଲ କଣ ,ଦେଖ ଆମ ପିଣ୍ଟୁ କୁଆଡ଼େ ଗଲା। ନିଜର ବ୍ୟସ୍ତତାକୁ ନିଜ ଭିତରେ ଲୁଚାଇ ରଖି ଚନ୍ଦନ ବାବୁ ତାଙ୍କୁ ସାନ୍ତ୍ଵନା ଦେଇ କହୁଥିଲେ,ଏତେ ବ୍ୟସ୍ତ ହେଲେ ଚଳିବ। ପିଲାଟା ଏଇଠି କେଉଁଠି ଖେଳୁଥିବ। ମିଳିଯିବନି। ଯେତେହେଲେ ମା' ମନ। ଏକଥାରେ ବୁଝୁଛି କେଉଁଠୁ ?

 ସେ ଦୁଇଜଣଙ୍କର ବ୍ୟସ୍ତତା ଦେଖି ପାଖରେ ବଣଭୋଜି କରିବା ପାଇଁ ବ୍ୟବସ୍ଥା କରୁଥିବା ଲୋକମାନେ ତାଙ୍କ ନିକଟକୁ ଆସି ଭିଡ଼ ଜମାଇ ଦେଇଥିଲେ ଓ ଘଟଣାଟା କଣ ଜାଣିବା ପାଇଁ ଚେଷ୍ଟା କରୁଥିଲେ। ଆସ୍ତେ ଆସ୍ତେ ସେଠାରେ ଭିଡ଼ଟା ବଢ଼ି ଯାଇଥିଲା ଓ ଆଖପାଖରେ ଥିବା ସବୁ ଲୋକଙ୍କ ଦୃଷ୍ଟି ସେହିଠାରେ କେନ୍ଦ୍ରୀଭୂତ ହୋଇଥିଲା।

  ହଠାତ୍ ଚନ୍ଦନ ବାବୁ ଲକ୍ଷ୍ୟ କଲେ ମୁଣ୍ଡରେ କାଠ ବିଡ଼ାଟିଏ ମୁଣ୍ଡେଇଥିବା ଜଣେ ମହିଳା ପିଣ୍ଟୁକୁ କାଖରେ ଧରି ଭିଡ଼ ଆଡେଇ ତାଙ୍କ ଆଡ଼କୁ ଆସୁଥିଲେ। ସୁମିତ୍ରା ଦେବୀଙ୍କୁ ଦେଖି ପିଣ୍ଟୁ ମା' ମା ' ଡାକି ସେହି ମହିଳାଙ୍କ କାଖରୁ ଓହ୍ଲାଇ ତାଙ୍କ ଆଡ଼କୁ ଧାଇଁ ଆସିଥିଲା। ପିଣ୍ଟୁକୁ ପାଖରେ ପାଇ ଉଭୟ ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଖୁବ୍ ଖୁସି ହୋଇଯାଇଥିଲେ ଓ ଏଭଳି ଏକ ବିପଦରୁ ରକ୍ଷା ପାଇଥିବାରୁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲେ। ପିଣ୍ଟୁ ଫେରି ଆସିବା ଦେଖି ଲୋକମାନେସେଠାରୁ ଗହଳି ଭାଙ୍ଗି ନିଜ ନିଜ ସ୍ଥାନକୁ ଫେରି ଯାଇଥିଲେ।

  ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ସେହି ମହିଳାଙ୍କ ମୁହଁକୁ କୃତଜ୍ଞତା ପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଥିଲେ। ସୁମିତ୍ରା ଦେବୀ ନିଜ ବ୍ୟାଗ୍ ଭିତରୁ ଶହେ ଟଙ୍କିଆ ନୋଟ୍ ଖଣ୍ଡେ କାଢ଼ି ତା ହାତକୁ ବଢାଇଲା ବେଳେ ସେ କହିଲା , ଏ କଣ ଆଜ୍ଞା। ମୋତେ ଆପଣ ପଇସା କାହିଁକି ଦେଉଛନ୍ତି ! ପିଲାଟା ମୋ ଝିଅ ସହିତ ଖେଳି ଖେଳିକା ମୋ ପାଖକୁ ଚାଲି ଯାଇଥିଲା। ମୁଁ ଏହି ନିକଟରେ ଜାଳ ସଂଗ୍ରହ କରୁଥିଲି। ଆପଣଙ୍କ ପିଲାକୁ ମୋ ଝିଅ ସହିତ ଦେଖି ଭାବିଲି ଆପଣମାନେ ତାକୁ ନପାଇ ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିବେ। ତେଣୁ କାଠକଟା ବନ୍ଦକରି ତାକୁ ଧରି ଆପଣଙ୍କୁ ଖୋଜି ଖୋଜି ଏଠାକୁ ଚାଲିଆସିଲି। ଏଥିପାଇଁ କଣ ମୁଁ ଆପଣଙ୍କ ନିକଟରୁ ପଇସା ନେବି ! ମୋର କିଛି ଅସୁବିଧା ସମୟରେ ଆପଣ ଯଦି ମୋତେ ସାହାଯ୍ୟ କରିଥାନ୍ତେ ଆପଣ କଣ ମୋ'ଠାରୁ ପଇସା ନେଇଥାନ୍ତେ ? ସୁମିତ୍ରା ଦେବୀଙ୍କ ପାଖରେ ଏ ପ୍ରଶ୍ନର କିଛି ଉତ୍ତର ନଥିଲା। ସେ ବ୍ୟାଗ୍ ଭିତରୁ ବାହାର କରିଥିବା ଶହେ ଟଙ୍କିଆ ନୋଟ୍ ଟିକୁ ଚୁପ୍ ଚାପ୍ ଆପଣା ବ୍ୟାଗରେ ରଖି ଦେଇଥିଲେ।

  ଏହିସବୁ କଥାବାର୍ତ୍ତା ଭିତରେ ଚନ୍ଦନ ବାବୁ ଦେଖିଲେ ଛୋଟ ଝିଅଟିଏ ସେହି ମହିଳାଙ୍କ ପଣତ କାନିରେ ମୁହଁ ଲୁଚେଇ ଚୁପ୍ ଚାପ୍ ତାଙ୍କ ପଛରେ ଠିଆ ହୋଇଛି। ସେ ମହିଳାଙ୍କୁ ଚନ୍ଦନ ବାବୁ ପଚାରିଲେ, ସେ ପିଲାଟି କିଏ ? ସେ ମୋ ଝିଅ ପିଙ୍କି। ତାରି ସହ ଖେଳି ଖେଳିକା ଆପଣଙ୍କ ପୁଅ ମୋ ପାଖକୁ ଚାଲି ଯାଇଥିଲା। ସୁମିତ୍ରା ଦେବୀ ପିଣ୍ଟୁକୁ ସ୍ଵାମୀଙ୍କ କୋଳକୁ ଦେଇ ପିଙ୍କି ପାଖକୁ ଯାଇ ତାକୁ କୋଳେଇ ଆଣି କହିଲେ , ଆରେ ତୁ ପରା ଆମ ପିଣ୍ଟୁ ସହିତ ଖେଳୁଥିଲୁ। ଏଠି ମୁହଁ ଲୁଚେଇ ଠିଆ ହୋଇଛୁ କାହିଁକି ? ଉତ୍ତରରେ କିଛି ନକହି ସେ କେବଳ ତାଙ୍କ ମୁହଁକୁ ଧୀରସ୍ଥିର ଭାବରେ ଚାହିଁ ରହିଲା।କାହିଁକି କେଜାଣି ସେଦିନ ସେହି କୁନି ଝିଅଟିର ଶାନ୍ତ ଓ ସରଳ ମୁହଁଟା ସୁମିତ୍ରା ଦେବୀଙ୍କୁ ଖୁବ୍ ଆପଣାର ଲାଗିଥିଲା। ସେ ସ୍ନେହରେ ତା କପାଳରେ ଛୋଟ ଚୁମ୍ବନଟିଏ ଆଙ୍କି ଦେଇଥିଲେ। ପିଙ୍କିକୁ କୋଳରେ ଧରି କାଠ ବିଡ଼ାଟା ମୁଣ୍ଡକୁ ଉଠାଉ ଉଠାଉ ତା'ର ମା କହିଲା , ଡେରି ହେଲାଣି ମା ! ଜାଳ ନେଇ ଗଲେ ରୋଷେଇ କରିବି। ପିଙ୍କିର ବାପା ରାସ୍ତା କାମ କରିବା ପାଇଁ ଯାଇଛି। କାମରୁ ଫେରିଲା ବେଳକୁ ଯଦି ଖାଇବା ହୋଇନଥିବ ସବୁ ଜିନିଷ ଫିଙ୍ଗା ଫୋପଡାକରିବ। ଏଥିରେ ତା'ର କିଛି ଦୋଷ ନାହିଁ ମ ମା'! ସବୁ ସେହି ମଦପାଣିର ଦୋଷ। ଯେତେ କହିଲେ କଣ ଛାଡୁଛି ?ସୁମିତ୍ରା ଦେବୀ କହିଲେ ଆଚ୍ଛା ତୁମ ନାଁ କଣ ? ମୋ ନାଁ ଆଶା। ସେ ହସି ହସି ଉତ୍ତର ଦେଲା। କହିଲା ମା ! ଗତ ତିନି ମାସ ତଳେ ଆମ ସାହିର ସବୁ ସ୍ତ୍ରୀ ଲୋକମାନେ ମିଶି ଆମ ଗାଁ ମୁଣ୍ଡରେ ଥିବା ମଦଦୋକାନଟିକୁ ଭାଙ୍ଗି ଦେଇଥିଲୁ। କିନ୍ତୁ କିଛି ଫଳ ହେଲାନି। ଯେଉଁ କଥାକୁ ସେହିକଥା। ମାସେ ହେଲା ପୁଣି ସେଇ ଲୋକ ଆଉ ଗୋଟିଏ ଜାଗାରେ ମଦ ଦୋକାନ ଖୋଲିଛି। ଚନ୍ଦନ ବାବୁ ଖାଲି ଭାବୁଥିଲେ , କେତେ ସରଳ ଓ ନିରୀହ ଏ ଲୋକ ! ମାତ୍ର କେତେ ମିନିଟ୍ ର ସମ୍ଫର୍କ ଭିତରେ ଆପଣାର ଲୋକଟିଏ ଭଳି ଆମ ଆଗରେ ତା ଜୀବନର ସବୁକଥା କହି ସାରିଲାଣି।ସହରର କୁତ୍ରିମ ଜୀବନ ଠାରୁ ଏମାନେ ସତରେ କେତେ ଦୂରରେ ! ଭାରି ଖୁସି ଲାଗୁଥିଲା ତାଙ୍କୁ ଚନ୍ଦନ ବାବୁ କହିଲେ ଆଚ୍ଛା ଆଶା ! ଆଜି ତୁମେ ଆଉ ତୁମ ଘରେ ରୋଷେଇ କରନାହିଁ। ଆମେତ ଏଠାରେ ବଣଭୋଜି କରିବୁ। ତୁମେ ଆଉ ପିଙ୍କି ଏଇଠି ଆଜି ଆମ ସହିତ ଖାଇବ। ଆଉ ଗଲାବେଳେ ପିଙ୍କିର ବାପା ପାଇଁ ମଧ୍ୟ ଖାଇବାକୁ ନେଇଯିବ। ଏହା କହି ସୁମିତ୍ରାଙ୍କୁ ଚାହିଁ ପଚାରିଲେ , କ'ଣ ମୁଁ ଠିକ୍ କହିଲିତ ସୁମିତ୍ରା ? ସୁମିତ୍ରା କହିଲେ ,ଆରେ ତମେତ ମୋ ମୁହଁର କଥା ଛଡ଼େଇ ନେଲ। ଆଶା ! ତମେ ଆଉ ଠିଆ ହୋଇ ରହିଲ କାହିଁକି ? ଆସ ରୋଷେଇ କାମରେ ମୋତେ ଟିକେ ସାହାଯ୍ୟ କରିବ। ତାଙ୍କର ସେ ଆନ୍ତରିକ ଆମନ୍ତ୍ରଣକୁ ଆଶା ସହଜରେ ଏଡେ଼ଇ ଯାଇ ପାରି ନଥିଲା। ଆନନ୍ଦରେ ସମ୍ମତ୍ତି ଜଣାଇଥିଲା। ଅଧିକ ସମୟ ଏକାଠି ଖେଳିବା ପାଇଁ ସୁଯୋଗ ମିଳିଥିବାରୁ ଏଥିରେ ସବୁଠାରୁ ବେଶୀ ଖୁସି ହୋଇଥିଲେ ପିଙ୍କି ଓ ପିଣ୍ଟୁ। ଦୁହେଁ ହାତ ଧରାଧରି ହୋଇ ନିକଟସ୍ଥ ଏକ ଗଛ ପାଖରେ ଖେଳିବାକୁ ଚାଲି ଯାଉଥିଲେ। ପଛରୁ ଚନ୍ଦନ ବାବୁ ପିଣ୍ଟୁକୁ ଡାକି କହୁଥିଲେ , ଆରେ, ବେଶୀ ଦୂରକୁ ଯିବନି ,ଏଇ ପାଖରେ ଖେଳିବ। ପିଲାମାନେ ଖେଳିବାକୁ ଯିବାପରେ ଚନ୍ଦନ ବାବୁ କହିଲେ , ଆଚ୍ଛା ସୁମିତ୍ରା ! ଅନେକ ବେଳୁ‌ ଚା' ନପିଇ ପାଟିଟା ପାଣିଚିଆ ହୋଇଗଲାଣି। ରୋଷେଇ ଆରମ୍ଭ କରିବା ଆଗରୁ ପ୍ରଥମେ ଟିକେ ଚା' ତିଆରି କଲେ କେମିତି ହୁଅନ୍ତା? 

ସୁମିତ୍ରା କହିଲେ, ଠିକ୍ ଅଛି। ମୁଁ ଆଗ ଚା' ତିଆରି କରୁଛି। ତାପରେ ରୋଷେଇ କରିବା। ଏକଥା ଶୁଣି ଆଶା କହିଲା ମୁଁ ଥାଉ ଥାଉ ଆପଣ କାହିଁକି ଚା' କରିବେ ମା ? ଆପଣ ଏଠାରେ ବସି ପିଲାମାନଙ୍କ ଉପରେ ଲକ୍ଷ୍ୟ ରଖନ୍ତୁ। ମୁଁ ରୋଷେଇ ବାସ ସବୁ କରିଦେବି। ତା'ଠାରୁ ଏକଥା ଶୁଣି ଚନ୍ଦନ ବାବୁ ସୁମିତ୍ରାଙ୍କ ମୁହଁକୁ ଚାହିଁଲେ। ଏହା ଲକ୍ଷ୍ୟ କରି ଆଶା କହିଲା, ମୋତେ ଭଲ ରୋଷେଇ ଆସେମ ବାବୁ। ଆମର ଯେଉଁ ହୋଟେଲ ଥିଲା ସେଠାରେ ସବୁ ରୋଷେଇ ମୁଁ ପରା କରୁଥିଲି । ଥରେ ମୋ ହାତରନ୍ଧା ଖାଆନ୍ତୁ ନା, ସବୁ ଜାଣି ପାରିବେ। ଏହା କହି ସେ ଚା' କରିବା ପାଇଁ ଲାଗି ପଡ଼ିଲା। ଚା' କପ୍ ଓଠରେ ଲଗାଇ ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଉଭୟ ଉଭୟଙ୍କ ମୁହଁକୁ ଚାହିଁଲେ। ଚା'ର ସ୍ଵାଦୁ ଥିଲା ସଂମ୍ପୂର୍ଣ୍ଣ ନିଆରା। ସତେକି ସେଥିରେ ଆଶାର ଶ୍ରଦ୍ଧା ଓ ଆନ୍ତରିକତା ମିଶି ଯାଇଥିଲା। ଦୁଇଜଣଯାକ ଆଶାକୁ ପ୍ରଶଂସା ନକରି ରହି ପାରିଲେ ନାହିଁ।

ସୁମିତ୍ରା ଦେବୀ କହିଲେ , ଆରେ ଏତେ ସୁନ୍ଦର ଚା' ତିଆରି ତୁମେ କେଉଁଠୁ ଶିଖିଲ?

ଆଶା କହିଲା , ମୁଁ କହୁନଥିଲି ମା ! ଆମର ପରା ଏଇ ଦେବଗଡ଼ ଟାଉନରେ ଗୋଟିଏ ହୋଟେଲ ଥିଲା ଯେଉଁଠାରେ ଚା' ଜଳଖିଆ ଠାରୁ ଆରମ୍ଭ କରି ମିଲ୍ ପର୍ଯ୍ୟନ୍ତ ସବୁ ମିଳୁଥିଲା। ସେଠାରେ ରୋଷେଇର ସବୁ କାମ ମୁଁ ନିଜେ ଦେଖାଶୁଣା କରୁଥିଲି। ମୋତେ କାମରେ ସାହାଯ୍ୟ କରିବା ପାଇଁ ଆଉ ଗୋଟିଏ ପିଲା ଥିଲା। ପିଙ୍କିର ବାପା କେବଳ ଗରାଖ ମାନଙ୍କୁ ଖାଇବାକୁ ଦେବା ନେବା କାମ କରନ୍ତି। ହୋଟେଲ ଖୁବ୍ ଭଲ ଚାଲୁଥିଲା ଏବଂ ଭଲ ରୋଜଗାର ମଧ୍ୟ ‌ହେଉଥିଲା। 

ତାହେଲେ ଏବେ କଣ ସେ ହୋଟେଲ ନାହିଁ? ଚନ୍ଦନ ବାବୁ ପ୍ରଶ୍ନ କଲେ।  

ନା। ପାଞ୍ଚବର୍ଷ ତଳୁ ବନ୍ଦ ହୋଇ ଗଲାଣି। ଆଶା ଉତ୍ତରଦେଲା। 

ସୁମିତ୍ରା ଦେବୀ ପଚାରିଲେ, କାହିଁକି ?

ରୋଷେଇ କରିବା ଭିତରେ ଆଶା କହିଲା , କାରଣହେଲା ମଦ।  

ଚନ୍ଦନ ବାବୁ ହଠାତ୍ ବୁଝି ପାରିଲେ ନାହିଁ ଯେ ମଦ ପାଇଁ ହୋଟେଲ ବନ୍ଦ ହେଲା କାହିଁକି! 

ସେ ଆଶାକୁ ତା'ର କାରଣ ପଚାରିଲେ। 

ସେ ଦୁଃଖରେ କହିଲା, ସେକଥା କଣ କହିବି ଆଜ୍ଞା !

ଆମ ହୋଟେଲରେ ଖାଇବା ଏତେ ଭଲ ହେଉଥିଲା ଯେ ଅନ୍ୟ ସବୁ ହୋଟେଲ ବାଲା ହାତବାନ୍ଧି ବସିଥିଲେ। ତେଣୁ ସେମାନେ ସବୁ ଚକ୍ରାନ୍ତ କରି ପିଙ୍କିର ବାପାଙ୍କୁ ମଦ ଖାଇବା ଶିଖେଇଲେ। ସେକଥା ଆପଣଙ୍କୁ କଣ ବା କହିବି ! ଯେଉଁ ଲୋକ ମାଛିକୁ ମ' କହୁନଥିଲା ମଦ ପିଇ ମୋତେ ସବୁବେଳେ ମାରଧର କଲା। ସେତେବେଳକୁ ପିଙ୍କି ଜନ୍ମ ହୋଇନଥାଏ। ସତୁରୀ ହଜାର ଟଙ୍କା ବ୍ୟାଙ୍କରେ ଜମା ଥିଲା। ମୁଁ ଯେତେ ମନା କଲେବି ମୋ କଥା କିଛି ଶୁଣିଲା ନାହିଁ। ସାଙ୍ଗ ମେଳରେ ମଦ ପିଇ ସବୁ ଟଙ୍କା ଉଡ଼େଇ ଦେଲା। ପଇସା ସରି ଯିବାରୁ ଏଠୁ ସେଠୁ ଧାର ଉଧାର କରି ମଦ ଖାଇଲା। ଧାର୍ ନ ଶୁଝିବାରୁ ଲୋକମାନେ ହୋଟେଲକୁ ଆସି ଗାଳି ଗୁଲଜ କରିବାକୁ ଲାଗିଲେ। ମୁଁ ବା ଆଉ କଣ କରି ପାରିଥାନ୍ତି। ହୋଟେଲର ସବୁଜିନିଷ ପତ୍ର ବିକ୍ରି କରି ଋଣସବୁ ଶୁଝି ଦେଲି। ପାଖରେ ତ ଆଉ ମୂଳଧନ ନଥିଲା। ହୋଟେଲ ବା ଚାଲିଥାନ୍ତା କେମିତି ? ଅବସ୍ଥା ଏଭଳି ହେଲା ଯେ ଦୁଇବେଳା ଦୁଇମୁଠା ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା। ସେବେଠାରୁ ବାଧ୍ୟ ହୋଇ ଜଙ୍ଗଲରେ ଜାଳେଣି ସଂଗ୍ରହ କରି ପରିବାର ଭରଣ ପୋଷଣ କରୁଛି।ବର୍ଷର ଅଧିକାଂଶ ସମୟରେ ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି। ରୋଷେଇ କରିବା ପାଇଁ ତାଙ୍କର ଜାଳେଣି ଦରକାର ହୁଏ। ସେମାନଙ୍କୁ ଜାଳ ଓ ପାଣି ଯୋଗାଇ ଦେଇ ଯାହା କିଛି ମିଳେ ସେଇଥିରେ ଅଳ୍ପବହୁତେ ପରିବାରର ଗୁଜୁରାଣ ମେଣ୍ଟିଯାଏ। ଏହା କହି ଦୁଇ ଆଖିରୁ ଗଡ଼ି ଆସୁଥିବା ଲୁହକୁ ସେ ନିଜ ପଣତ କାନିରେ ପୋଛିଲା। 

ସୁମିତ୍ରା ଦେବୀ ପଚାରିଲେ, ଆଉ ପିଙ୍କିର ବାପା ?

ତା କଥା କୁ‌ହନି ମ ମା।ମନ ହେଲେ କେଉଁଠି ଯାଇ କାମ କରି ଦି' ପଇସା ଆଣିବ ନହେଲେ ନାହିଁ। ସେଥିପାଇଁ ମୋର ଦୁଃଖ ନାହିଁ। ଦୁଃଖ ହେଉଛି ଯେଉଁ ମଦ ପାଇଁ ଆମର ସବୁକିଛି ଚାଲିଗଲା ସେ ଆଜି ବି ତାକୁ ଛାଡ଼ି ପାରିନାହିଁ। ଯଦି କେଉଁଠି କାମକରି କିଛି ପଇସା ଆଣିଲା ସିଆଡେ ତାକୁ ମଦ ପାଣିରେ ଖର୍ଚ୍ଚ କରିଦେଇ ଖାଲି ହାତରେ ଘରକୁ ଆସିବ। କଣ ଆଉ କରିବି ମା' ? ଭାଗ୍ୟକୁ ଆଦରି ଚଳିଯିବା କଥା। ଯେତେ କହିଲି , 'ଝିଅଟିଏ ହେଲାଣି, ତା ପାଇଁ ଅନ୍ତତଃ ମଦ ଛାଡିଦେ,' ସେ କୋଉ ମୋ କଥା ଶୁଣୁଛି?

ଏଇ ସବୁ କଥାବାର୍ତ୍ତା ଭିତରେ ରୋଷେଇ ପ୍ରାୟ ସରି ଆସିଥାଏ। ପିଙ୍କି ଓ ପିଣ୍ଟୁ ଦୁହେଁ ଯାକ ହାତ ଧରାଧରି ହୋଇ ଆସି ରୋଷେଇ ପାଖରେ ପହଞ୍ଚିଗଲେ।ସୁମିତ୍ରା ଦେବୀ ପିଲା ଦୁଇଜଣଙ୍କୁ ଭୋକ ହେଲାଣି ବୋଲି ଜାଣି ତାଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କଲେ। ରୋଷେଇ କାମ ସରିଗଲା ପରେ ଆଶା କହିଲା ମା'ବସନ୍ତୁ, ମୁଁ ଖାଇବା ବାଢ଼ି ଦେଉଛି। ଶୀତଦିନ , ସାଙ୍ଗେ ସାଙ୍ଗେ ବେଳ ଗଡ଼ି ପଡ଼ିବ। ଆଉ ଡେରି କରନ୍ତୁ ନି।  ଖାଇବାକୁ ବସିବା ଭିତରେ ଚନ୍ଦନ ବାବୁ ଲକ୍ଷ୍ୟ କଲେଆଣ୍ଠୁ ଲୁଚୁ ନଥିବା ମଇଳା ଲୁଗାଟିଏ ପିନ୍ଧି ଲୋକଟିଏ ତାଙ୍କ ଆଡ଼କୁ ଆସୁଛି। ତାକୁ ଦେଖି ପିଙ୍କି ବାପା, ବାପା ଡାକି ତା ଆଡ଼କୁ ଧାଇଁଗଲା। 

ଚନ୍ଦନ ବାବୁ ଜାଣିଲେ,ଏଇ ତାହେଲେ ପିଙ୍କିର ବାପା !ସେ ତାକୁ ପାଖକୁ ଡାକିଲେ। ସେ କିନ୍ତୁ ପାଖକୁ ନଆସି ଟିକେ ଦୂରରେ ତଳକୁ ମୁହଁ ପୋତି ଠିଆହେଲା। 

ସୁମିତ୍ରା ଦେବୀ କହିଲେ, ଆରେ ବାବୁ ଡାକୁଛନ୍ତି ପରା,ପାଖକୁ ଆସୁନ। 

ଆଶା କହିଲା, ସେ ଆସିବନି ମା'। ପେଟେ ପିଇଥିବ। ପିଙ୍କିକୁ ଓ ମୋତେ ଘରେ ନପାଇ ଖୋଜି ଖୋଜି ଏଠାକୁ

ଚାଲି ଆସିଛି। ଏହା କହି କାନିରେ ବାନ୍ଧିଥିବା ଚାବିକାଠିଟା ହାତରେ ଧରି ସେ ତା ପାଖକୁ ଯିବା ପାଇଁ ବାହାରିଲା।

ଚନ୍ଦନ ବାବୁ କହିଲେ, ରୁହ ଆଶା ! ମୁଁ ତାଙ୍କୁ ଡାକି ଆଣୁଛି। ସେ ମଧ୍ୟ ଆମ ସହିତ ଖାଇବେ। ଏହା କହି ସେ ଲୋକଟିର ପାଖକୁ ଗଲେ। ତାକୁ ପଚାରିଲେ , ତୁମ ନା କଣ ?ସଉରୀ। ସେମିତି ତଳକୁ ମୁହଁ ପୋତି ଲୋକଟି ଉତ୍ତର ଦେଲା। 

ଆଚ୍ଛା ସଉରୀ ! ଏତେ ଦୂରରେ ଏମିତି ମୁହଁ ତଳକୁ ପୋତି ଠିଆ ହୋଇଛ କାହିଁକି?

ମଦ ଟିକେ ପିଇ ଦେଇଛି ତ। ସେଥିପାଇଁ ଆପଣଙ୍କ ପାଖକୁ ଯିବାକୁ ଖରାପ ଲାଗୁଛି। ତା'ର ଏହି ସରଳତା ଓ ସ୍ପଷ୍ଟବାଦିତା ଚନ୍ଦନ ବାବୁଙ୍କୁ ଖୁବ୍ ଭଲ ଲାଗିଲା। ସେ କହିଲେ ଦେଖ ! ଏ ବଣଭୋଜି ହେଉଛି ଆମ ଦୁଇ ପରିବାରର।ଆଜିର ଏଠାରେ ସମସ୍ତ ରୋଷେଇ କାମ ଆଶା ହିଁ କରିଛନ୍ତି। ତେଣୁ ତୁମର ଘରକୁ ଯିବା ଦରକାର ନାହିଁ। ଆଶା ଓ ପିଙ୍କି ସହିତ ତୁମେ ମଧ୍ୟ ଆମ ସହିତ ଖାଇବ। ଏଇ ଦି'ପଦ କଥାରେ ଏତେ ଶ୍ରଦ୍ଧା ଓ ଆନ୍ତରିକତା ଥିଲା ଯେ ସଉରୀର ମନଟା ଖୁସିରେ ପୁରି ଉଠିଥିଲା ଓ ତା'ର ଆଖି ଦି'ଟା ଆନନ୍ଦରେ ଲୁହ ଛଳଛଳ ହୋଇ ଯାଇଥିଲା। 

ଆଜି ପର୍ଯ୍ୟନ୍ତ କାହା ପାଖରୁ ସେ ଏତେ ସ୍ନେହ ଓ ଆଦର ପାଇ ନଥିଲା। ସମସ୍ତେ ତାକୁ ମଦୁଆଟାଏ କହି ଘୃଣା କରୁଥିଲେ ଓ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ। କାହା ମନରେ ତା' ପାଇଁ ଟିକିଏ ବି ସହାନୁଭୂତି ନଥିଲା। ଯେଉଁ ମାନଙ୍କୁ ସେ ଅତୀତରେ ନିଜର ଭାବି ବିଶ୍ଵାସ କରିଥିଲା ସେମାନେ ତା'ର ସରଳତାର ସୁଯୋଗ ନେଇ ତା' ସହିତ ବିଶ୍ବାସଘାତକତା କରିଥିଲେ। ତେଣୁ ଏ ଦୁନିଆ ଉପରୁ ତା'ର ଆସ୍ଥା ଓ ବିଶ୍ଵାସ ତୁଟି ଯାଇଥିଲା। ଆଶା ବାରଣ କରିବା ସତ୍ତ୍ୱେ ମଧ୍ୟ ନିଜର ଦୁଃଖ ଭୁଲିବାକୁ ସବୁଦିନେ ମଦ ପିଇ ସେ ନିଜକୁ ତା' ଭିତରେ ବୁଡାଇ ରଖୁଥିଲା। କିନ୍ତୁ ଆଜି ଚନ୍ଦନ ବାବୁଙ୍କର ଏହି ବ୍ୟବହାର ତାକୁ ଅତି ଆପଣାର ଲାଗିଥିଲା ଓ ତାଙ୍କର ସେ ମଣିଷପଣିଆ ପାଖରେ ତା ' ମୁଣ୍ଡ ଆପେ ଆପେ ନଇଁ ଯାଇଥିଲା।

  ଚନ୍ଦନ ବାବୁ କହିଲେ , ଆରେ ଆଉ ଠିଆ ହୋଇ ରହିଲ କାହିଁକି ? ଆସ। ମୋତେ ପରା ପ୍ରବଳ ଭୋକ ହେଲାଣି।ପିଙ୍କିକୁ କାଖରେ ଧରି ହସିହସି ସଉରୀ ତାଙ୍କ ପଛେ ପଛେ ବଣଭୋଜି ପାଖକୁ ଆସିଲା। ସମସ୍ତେ ଖାଇବା ପାଇଁ ବସିଲେ। ସୁମିତ୍ରା ଦେବୀ ଓ ଆଶା ଖାଇବା ବଢ଼ା ବଢ଼ି କରୁଥାନ୍ତି। ପିଙ୍କି ତା' ବାପାଙ୍କ କୋଳରେ ବସିଥାଏ। ପିଣ୍ଟୁ ଚନ୍ଦନ ବାବୁଙ୍କ ପାଖରେ ବସି ସେମାନଙ୍କ ଆଡ଼କୁ ଚାହିଁଥାଏ। ଖାଇବା ପାଇଁ ଆଗରେ ପକା ଯାଇଥିବା ପତ୍ର ଥାଳିଟାକୁ ପାଣି ପକାଇ ସଫା କରୁକରୁ ଚନ୍ଦନ ବାବୁ କହିଲେ, ଦେଖ ସଉରୀ, ତୁମେ ଜଣେ ସରଳ ଓ ନିଷ୍କପଟ ମଣିଷ।ଏହି ସରଳତାର ସୁଯୋଗ ନେଇ ଅନ୍ୟମାନେ ତୁମକୁ ନିଶା ଖାଇବା ଶିଖେଇ ଆଜି ଦାଣ୍ଡର ଭିକାରୀ ସଜେଇ ଦେଇଛନ୍ତି। ଏକଥା ଶୁଣି ସଉରୀ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲା।

ଚନ୍ଦନ ବାବୁ କହିଲେ , ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁଁ ଆଶା ଠାରୁ ସବୁ ଶୁଣି ସାରିଛି। ତାଙ୍କ ଠାରୁ ଏକଥା ଶୁଣି ସଉରୀ ଟିକେ ଆଶ୍ବସ୍ତ ହେଲା। ଖାଇସାରି ସବୁ ଜିନିଷ ସଜଡ଼ା ସଜଡ଼ି କଲା ବେଳକୁ ଚାରିଟା ବାଜି ଯାଇଥିଲା। ବର୍ତ୍ତମାନ ସବୁ ଜିନିଷ ପତ୍ର ଗାଡ଼ି ଭିତରେ ରଖି ଘରକୁ ଫେରିବାର ସମୟ। ସଉରୀ ଓ ଆଶା ଉଭୟ ସେ କାମରେ ଲାଗି ପଡ଼ିଲେ। ଜିନିଷ ପତ୍ର ଗାଡ଼ି ଭିତରକୁନେବା ପାଇଁ ସଜାଡୁ ସଜାଡୁ ସଉରୀ ଚନ୍ଦନ ବାବୁଙ୍କୁ କହିଲା,ବାବୁ ! ଯଦି କିଛି ନ ଭାବିବେ ଗୋଟିଏ କଥା କହିବି।

କଣ କହୁନ। 

ସଉରୀ କହିଲା, ଆପଣଙ୍କ ପାଦ ଟିକେ ଯଦି ଆମ ଘରେ ପଡନ୍ତା ମୁଁ ବହୁତ ଖୁସି ହୁଅନ୍ତି। ବେଶୀ ବାଟ ନୁହେଁ। ଆପଣଙ୍କ ଫେରିବା ବାଟରେ ଆମ ଘର ପଡ଼ିବ। ଚନ୍ଦନ ବାବୁ ସୁମିତ୍ରାଙ୍କ ମୁହଁକୁ ଚାହିଁଲେ। ଘରକୁ ଫେରିବା ପାଇଁ ତରତର ଥିଲେ ମଧ୍ୟ ଏଇ କିଛି ସମୟ ଭିତରେ ସେମାନଙ୍କ ସହିତ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ ସୁମିତ୍ରା ଦେବୀ ଆଦୈା ମନା କରିପାରିଲେ ନାହିଁ। କାରଣ ସମ୍ପର୍କର ନିବୀଡତା ସମୟର ଦୀର୍ଘତା ଉପରେ ନୁହେଁ ବରଂ ପାରସ୍ପରିକ ସ୍ନେହ ଓ ଆନ୍ତରିକତା ଉପରେ ନିର୍ଭର କରେ ବୋଲି ସୁମିତ୍ରା ଦେବୀ ଅନୁଭବ କରି ସାରିଥିଲେ। ସେ କହିଲେ , ହଉ ଠିକ୍ ଅଛି। 

ସୁମିତ୍ରା ଦେବୀଙ୍କ ଠାରୁ ଏକଥା ଶୁଣିଲା ପରେ ଆଶାର ମନ ଖୁସିରେ ପୁରି ଉଠିଥିଲା। ସେ ସଉରୀକୁ କହିଲା, ତୁମେ ଆଗରେ ଯାଇ ଘର ପାଖରେ ଥାଅ। ମୁଁ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଉଛି। ସଉରୀ ଜାଳ ବିଡ଼ାଟା ମୁଣ୍ଡରେ ମୁଣ୍ଡେଇ ଘର ପାଖକୁ ଆଗେ ଆଗେ ଚାଲିଲା। ସବୁ ଜିନିଷ ଗାଡ଼ିରେ ରଖି ସାରିଲା ପରେ ଚନ୍ଦନ ବାବୁ କାର୍ ଷ୍ଟାର୍ଟ କଲେ।ପଛ ସିଟ୍ ରେ ଆଶାକୁ ବସିବା ପାଇଁ କହି ଆଗ ସିଟ୍ ରେ ସୁମିତ୍ରା ଦେବୀ ବସିଲେ। ପିଣ୍ଟୁ ଓ ପିଙ୍କି ସାଥି ହୋଇ ପଛ ସିଟ୍ ରେ ଆଶା ପାଖରେ ବସିଲେ। 

  ଏଇଠି ଗାଡ଼ି ରଖନ୍ତୁ ବାବୁ। ଏଇଟା ପରା ଆମ ଘର। ରାସ୍ତା ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏକ ଖପର ଛାଉଣୀ ହୋଇଥିବା ଘର ଆଡ଼କୁ ଆଙ୍ଗୁଳି ଦେଖାଇ ଆଶା କହିଲା। ରାସ୍ତା କଡ଼ରେ ଗାଡିଟାକୁ ରଖି ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଗାଡ଼ିରୁ ଓହ୍ଲେଇଲେ। ପିଲା ମାନଙ୍କୁ ସାଥିରେ ଧରି ଆଶା ଆଗେ ଆଗେ ଚାଲିଲା। ଖପର ଛାଉଣୀ ହୋଇଥିବା ମାଟି କାନ୍ଥର ଛୋଟ ଘରଟିଏ। ଘର ଭିତରୁ ବାହାରି ଆସି ସଉରୀ କହିଲା , ଭିତରକୁ ଆସନ୍ତୁ ବାବୁ। 

ଆଶା ସୁମିତ୍ରା ଦେବୀଙ୍କୁ କହିଲା ଭିତରକୁ ଚାଲନ୍ତୁ ମା'। ବସିବା ପାଇଁ କାନ୍ଥରେ ଡେରା ହୋଇଥିବା ଦଉଡିଆ ଖଟଟାକୁ ପକାଇ ସଉରୀ କହିଲା, ବସନ୍ତୁ ବାବୁ। ଚନ୍ଦନ ବାବୁ ଖଟ ଉପରେ ବସି ଝରକା ବାଟେ ବାହାରକୁ ଚାହିଁଥିଲେ। ପାଖରେ ଆସି ସୁମିତ୍ରା ଦେବୀ ବସିଥିଲେ ଓ କାନ୍ଥରେ ଟଙ୍ଗା ହୋଇଥିବା ପିଙ୍କିର ଫଟୋ ଆଡ଼କୁ ଚାହିଁଥିଲେ। ଝରକା ବାଟ ଦେଇଆସୁଥିବା ସୁଲୁସୁଲିଆ ପବନରେ ସେମାନଙ୍କର ମନ ଖୁବ୍ ହାଲୁକା ଲାଗୁଥିଲା। ସୁମିତ୍ରାଙ୍କୁ ଚନ୍ଦନ ବାବୁ କହିଲେ, ଦେଖୁଛ? କି ସୁନ୍ଦର ପରିବେଶ। କି ଖୋଲା ପବନ। ସହରର କୃତ୍ରିମ ପରିବେଶ ଓ ବାହ୍ୟ ଚାକଚକ୍ୟ ଭିତରେ ଏ ଆନନ୍ଦ ମିଳିବ କେଉଁଠୁ ? 

ସୁମିତ୍ରା ଦେବୀ କହିଲେ , ସତରେ ଏମାନଙ୍କ ପାଖରେ ପ୍ରାଚୁର୍ଯ୍ୟ ନାହିଁ ସିନା କିନ୍ତୁ ଆନନ୍ଦ ଅଛି। ଏମାନେ ଜୀବନକୁ ଖୁବ୍ ନିକଟରୁ ଦେଖିଛନ୍ତି। ବାହାର ଅଗଣାରେ ପିଙ୍କି ଓ ପିଣ୍ଟୁ ଖେଳୁଥାନ୍ତି। ଘରେ ରଖିଥିବା କିଛି ମିଠା କୋଳି ଥାଳିରେ ଆଣି ଆଶା ଖଟ ଉପରେ ରଖି କହିଲା , ମା'! ବାବୁ! କୋଳି ଖାଆନ୍ତୁନା। ଭାରି ମିଠା। ସଉରୀ କହିଲା,ହ ମା' ଏ କୋଳି ସହର ପଟେ ମିଳେନାହିଁ। ସୁମିତ୍ରା ଦେବୀ ଗୋଟିଏ କୋଳି ଖାଇବା ପରେ ଖୁବ୍ ଖୁସି ହୋଇଗଲେ। ସତରେ ସେମିତିକା ମିଠା କୋଳି ସେ ତାଙ୍କ ଜୀବନରେ କେବେ ଖାଇ ନଥିଲେ। ଥାଳି ଭିତରୁ ପାଚିଲା କୋଳିଟିଏ ଆଣି ଚନ୍ଦନ ବାବୁଙ୍କ ହାତକୁ ବଢ଼େଇ ଦେଇ ସଉରୀ କହିଲା , ଏ କୋଳିଟା ଖାଆନ୍ତୁ ବାବୁ। ଭାରି ଭଲ ଲାଗିବ। ସେ କୋଳିଟା ଖାଇବା ପରେ ଚନ୍ଦନ ବାବୁ ମନେ ମନେ ଭାବୁଥିଲେ ସଉରୀ ଘରକୁ ନ ଆସିଥିଲେ ଆଜିର ଏ ବଣଭୋଜିଟା ସତରେ ଅଧୂରା ରହି ଯାଇଥାନ୍ତା। କାରଣ ସେମାନଙ୍କର ଆତିଥ୍ୟରେ ଏତେ ଆନ୍ତରିକତା ଓ ଶ୍ରଦ୍ଧା ଭରି ରହିଥିଲା ଯେ ସେହି କୋଳିର ସ୍ଵାଦ ତାଙ୍କୁ ଅମୃତ ତୁଲ୍ୟ ଲାଗୁଥିଲା।

 ଚନ୍ଦନ ବାବୁ କହିଲେ , ସଉରୀ ! ତୁମର ଏ ଘରଟି ବହୁତ ସୁନ୍ଦର। ଭିତରେ ବସିଲେ ଏତେ ଶାନ୍ତି ଲାଗୁଛି ଯେ ଏ ଜାଗା ଛାଡି ଯିବାକୁ ଆଦୈା ଇଚ୍ଛା ହେଉନାହିଁ। କିନ୍ତୁ ତୁମେ ଇଚ୍ଛା କଲେ ଏ ଘରକୁ ଆହୁରି ସୁନ୍ଦର କରି ପାରିବ। 

ଗରିବ ଲୋକ ଆଜ୍ଞା ! ଏ ଘରକୁ ଆଉ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପଇସା କେଉଁଠୁ ପାଇବି? ସଉରୀ କହିଲା। 

ଚନ୍ଦନ ବାବୁ କହିଲେ, ଆରେ, ନା। ନା। ମୁଁ ସେକଥା କହୁନି। ବିନା ପଇସାରେ ମଧ୍ୟ ତୁମର ଏ ଘର ଆହୁରି ସୁନ୍ଦର ହୋଇପାରିବ। ଘରେ ଶାନ୍ତି ଥିଲେ ଘର ସୁନ୍ଦର ଲାଗେ। ତୁମେ ମଦ ଖାଉଛ ବୋଲି ଆଶାର ମନ ଭିତରେ ଯେଉଁ ଅଶାନ୍ତି ଅଛି ତୁମେ ମଦ ଛାଡିଦେଲେ ତା ମନରେ ଥିବା ସେହି ଅଶାନ୍ତି‌ ଦୂର ହୋଇଯିବ ଓ ତୁମ ଘର ଆହୁରି ସୁନ୍ଦର ଲାଗିବ। ସଉରୀ କହିଲା, ସେକଥା ଜାଣିଛି ବାବୁ। ସେଇ ମଦପାଇଁ ସବୁଦିନେ ପରା ମୋର ଆଶା ସହିତ କଳି। କିନ୍ତୁ କଣ କରିବି, ଯେତେ ଚେଷ୍ଟା କଲେ ବି ମଦ ଛାଡ଼ି ପାରୁନି। 

ଚନ୍ଦନ ବାବୁ କହିଲେ, ତୁମ ଭିତରେ ଏବେବି ଭଲ ମଣିଷଟିଏ ବଞ୍ଚିଛି ସଉରୀ ଯିଏକି ମଦ ଖାଇବାକୁ ଚାହୁଁନି। ସେଥିପାଇଁ ତ ଆଜି ତୁମେ ମଦ ଖାଇଥିଲ ବୋଲି ନିଜ ଆଖିରେ ନିଜେ ଛୋଟ ହୋଇ ଯାଇଥିଲ ଯେଉଁଥିପାଇଁ ଆମ ପାଖକୁ ନ ଆସି ଦୂରରେ ଠିଆହେଲ। ତେଣୁ କେବଳ ସଙ୍ଗ ଦୋଷରେ ପଡ଼ି ଏହି ଯେଉଁ ଖରାପ ଅଭ୍ୟାସ ହୋଇ ଯାଇଛି ଚେଷ୍ଟା କଲେ ତୁମେ ତାହା ଛାଡ଼ି ଦେଇ ପାରିବ। ଏହି ସମୟରେ ପିଙ୍କି ଓ ପିଣ୍ଟୁ ଘର ଭିତରକୁ ପଶି ଆସିଲେ। ପିଙ୍କିକୁ ଲକ୍ଷ୍ୟ କରି ଚନ୍ଦନ ବାବୁ କହିଲେ ,କାଲି ଯେତେବେଳେ ପିଙ୍କି ବଡ଼ ହୋଇ ସ୍କୁଲ ଯିବ ଓ ତାର ସାଙ୍ଗ ମାନେ ତାକୁ ଯଦି ଗୋଟେ ମଦୁଆର ଝିଅ କହି ଥଟ୍ଟା କରିବେ ସେକଥା ତୁମକୁ ଭଲ ଲାଗିବତ? ତୁମେ କଣ ଚାହୁଁଛ ତୁମ ପାଇଁ ସମସ୍ତଙ୍କ ଆଗରେ ସେ ଛୋଟ ହୋଇଯାଉ ? ଏକଥା ଶୁଣି ସଉରୀର ଆଖି ଛଳଛଳ ହୋଇଗଲା ଓ ସେ ଭୋ ଭୋ ହୋଇ କାନ୍ଦି ଉଠିଲା। ଚନ୍ଦନ ବାବୁ ତା ପିଠି ଥାପୁଡ଼େଇ କହିଲେ, ପ୍ରକୃତରେ ଯଦି ତୁମେ ପିଙ୍କିକୁ ଭଲପାଅ ତାହେଲେ ମଦ ଛାଡ଼ି ଦିଅ। ସଉରୀ ଆଖିରୁ ଲୁହ ପୋଛି କହିଲା, ମୋ ଝିଅ ପାଇଁ ମୁଁ ନିଶ୍ଚୟ ମଦ ଛାଡ଼ିଦେବି ବାବୁ। ତା ଭିତରେ ଏ ଦୃଢ଼ତା ଦେଖି ଚନ୍ଦନ ବାବୁ ବହୁତ ଖୁସି ହେଲେ। ତଳେ କାନ୍ଥକୁ ଆଉଜି ବସିଥିବା ଆଶାର ମୁହଁରେ ଏକ ଆଶାର କିରଣ ଝଲସି ଉଠିଥିଲା। 

ଏତିକିବେଳେ ସୁମିତ୍ରା ଦେବୀ ଚନ୍ଦନ ବାବୁଙ୍କୁ କହିଲେ, ସନ୍ଧ୍ୟା ପାଖେଇ ଆସିଲାଣି। ଚାଲ ଯିବା।  ହଉ, ତୁମେ ପିଣ୍ଟୁକୁ ଆଣି ଆସ। ମୁଁ ଆଗରେ ଗାଡ଼ି ପାଖକୁ ଯାଉଛି।ଏହା କହି ଚନ୍ଦନ ବାବୁ ଗାଡ଼ି ନିକଟକୁ ଗଲେ। ସଉରୀ ତାଙ୍କ ପଛେ ପଛେ ଗଲା।  

ଆଶା କହିଲା, ଆଉ ଡେରି କରନ୍ତୁନି ମା'।ଘରେ ପହଞ୍ଚିଲା ବେଳକୁ ରାତି ହୋଇଯିବ। ଏହା କହି ସେ ଗୋଟିଏ ଆଚାର ଡବା ସୁମିତ୍ରା ଦେବୀଙ୍କ ହାତକୁ ବଢାଇ ଦେଇ କହିଲା, ନିଅନ୍ତୁ ମା !ଯେଉଁ କୋଳି ଆପଣ ଖାଉଥିଲେ ଏ ହେଉଛି ସେହି କୋଳିର ଆଚାର। ନିଜ ହାତରେ ତିଆରି କରିଛି। ଖୁବ୍ ଭଲ ଲାଗିବ। ତା'ର ଆନ୍ତରିକତା ଦେଖି ସୁମିତ୍ରା ଦେବୀ ମନା କରି ପାରି ନଥିଲେ। ତାଙ୍କୁ ଲାଗୁଥିଲା ସତେ ଯେମିତି ସେ ତାଙ୍କର ଜଣେ ଅତି ଆପଣାର ଲୋକ ନିକଟରୁ ବିଦାୟ ନେଉଛନ୍ତି। ଆଶା ପିଙ୍କି ଓ ପିଣ୍ଟୁ ଦୁଇ ଜଣଙ୍କୁ ସାଙ୍ଗରେ ଆଣି ସୁମିତ୍ରାଙ୍କ ପଛେ ପଛେ ଗାଡ଼ି ନିକଟକୁ ଆସିଲା। ସୁମିତ୍ରା ଓ ପିଣ୍ଟୁ ଗାଡ଼ିରେ ବସିଲା ପରେ ଚନ୍ଦନ ବାବୁ ଗାଡ଼ି ଷ୍ଟାର୍ଟ କଲେ। 

ଏସବୁ ଘଟଣା ତାଙ୍କୁ କାଲି ଭଳି ଲାଗୁଥିଲା। କିନ୍ତୁ ୟା ଭିତରେ କେତେବେଳେ ଯେ ବର୍ଷଟିଏ ବିତି ଯାଇଥିଲା ସେକଥା ଭାବି ଚନ୍ଦନ ବାବୁ ଆଶ୍ଚର୍ଯ୍ୟ ହେଉଥିଲେ। 

'ବାପା ! ବାପା ! ଶୀଘ୍ର ଚାଲ, ପିଙ୍କି ପାଖକୁ ଯିବା। 'ସେଦିନର ସେହି ଅନୁଭୂତି ଓ ସୁନ୍ଦର ଭାବନା ଭିତରେ ବୁଡିଯାଇଥିବା ଚନ୍ଦନ ବାବୁ ପିଣ୍ଟୁ ଡାକରେ ପ୍ରକୃତିସ୍ଥ ହେଲେ ଓ ତାର ହାତ ଧରି ସୁମିତ୍ରାଙ୍କ ପାଖକୁ ଗଲେ। ସୁମିତ୍ରା ଦେବୀ କବାଟ ବାଡେଇ 'ପିଙ୍କି' 'ପିଙ୍କି' ବୋଲି ଡାକୁଥିଲେ। ସଉରୀ କବାଟ ଖୋଲି ବାହାରକୁ ଆସିଲା। ତା ପଛେ ପଛେ ଆଶା। ଉଭୟ ସେମାନଙ୍କୁ ଦେଖି ନମସ୍କାର କଲେ। ଆଶା କିନ୍ତୁ ତଳକୁ ମୁହଁ ପୋତି ଛିଡ଼ା ହେଲା। ସୁମିତ୍ରା ଦେବୀ ଆଶ୍ଚର୍ଯ୍ୟ ହେଲେ। ଭାବିଲେ , ସେଦିନ ଯେଉଁମାନେ ଶ୍ରଦ୍ଧାର ସହିତ ତାଙ୍କୁ ଘରକୁ ଡାକୁଥିଲେ ଆଜି ସେମାନେ ତାଙ୍କୁ ଦେଖି କାହିଁକି ଖୁସି ହେଉ ନାହାନ୍ତି କି ଘର ଭିତରକୁ ଡାକୁ ନାହାନ୍ତି। ସଉରୀ ବୋଧହୁଏ ମଦ ଛାଡ଼ି ପାରିନାହିଁ ଯେଉଁଥିପାଇଁ ଆଶା ଲାଜରେ ତଳକୁ ମୁହଁ ପୋତି ଠିଆ ହୋଇଛି ଓ ସେମାନଙ୍କୁ ଘର ଭିତରକୁ ଡାକିବାକୁ ସାହସ କରୁନି ?

ସୁମିତ୍ରା ଦେବୀ ଆଶାକୁ କହିଲେ , ଆରେ ଛିଡା ହୋଇ ରହିଲ କଣ ?ପିଙ୍କି କୁଆଡେ ଗଲା ? ସେକଣ ଶୋଇ ପଡିଛିକି? ତାକୁ ଶୀଘ୍ର ଡାକ। ଆଜି ନୂଆବର୍ଷ। ବଣଭୋଜି କରିବା ପରା। ହଁ , ଶୁଣ। ଏ ନୂଆ ଡ୍ରେସ୍ ଟା ନିଅ। ତାକୁ ପିନ୍ଧେଇଦେବ। ଏହା କହି ହାତରେ ଧରିଥିବା ନୂଆ ଡ୍ରେସ୍ ଟା ତା ହାତକୁ ବଢ଼େଇଲା ବେଳକୁ ଆଶା ଭୋ ଭୋ ହୋଇ କାନ୍ଦି ଉଠିଥିଲା। ସୁମିତ୍ରା ଦେବୀ କିଛି ବୁଝି ପାରୁ ନଥିଲେ। 

ଚନ୍ଦନ ବାବୁ ପଚାରିଲେ ଆରେ , କଣ ହେଲା? ତୁମେ କାନ୍ଦୁଛ କାହିଁକି ?

ଆଶା ଓ ସଉରୀ କାନ୍ଥରେ ଟଙ୍ଗା ହୋଇଥିବା ପିଙ୍କିର ଫଟୋ ଆଡ଼କୁ ହାତ ଦେଖାଇ ଦେଇଥିଲେ। ସେଥିରେ ଫୁଲମାଳ ଝୁଲୁଥିଲା ଓ ସେ ଶୁଖିଲା ଫୁଲମାଳ ଭିତରେ ପିଙ୍କିର ମୁହଁଟା ଝାପ୍ସା ଦେଖା ଯାଉଥିଲା। ପିଙ୍କି ପାଇଁ ଉପହାର ସ୍ବରୂପ ଆଣିଥିବା ଡ୍ରେସ୍ ଟା ସୁମିତ୍ରା ଦେବୀଙ୍କ ହାତରୁ ତଳକୁ ଖସି ପଡିଥିଲା। 

ଚନ୍ଦନ ବାବୁ ଓ ସୁମିତ୍ରା ଦେବୀ ଲୁହ ଛଳଛଳ ଆଖିରେ ଗାଡି ନିକଟକୁ ଫେରି ଆସୁଥିଲେ। ପିଣ୍ଟୁ ପଛରୁ ବଡ ପାଟି କରି କହୁଥିଲା, 'ରୁହ ବାପା ! ପିଙ୍କି ଆସିଲେ ମୁଁ ତା ସହିତ ଖେଳିବି'। 


Rate this content
Log in

Similar oriya story from Tragedy