Lopamudra Mishra

Tragedy

3  

Lopamudra Mishra

Tragedy

ଉଙ୍କୁଣୀ

ଉଙ୍କୁଣୀ

7 mins
476


              


ମିତାଲିର ବାଳ ଖୁବ୍ ପତଳା । ଏତେ ପତଳା ଯେ ବେଳେ ବେଳେ ବାଳ ତଳୁ ଖପୁରି ଦିଶିଯାଏ । ବାହାଘର ଆଗରୁ ସେ ତା'ର ସେହି ପତଳା ବାଳରେ ଛୁଇଁନାଡି ପରି ଲମ୍ବା ବେଣୀଟେ ପକାଉଥିଲା । ବାହାଘର ପରେ ଉଦୟଙ୍କୁ ସେ ହେୟାର୍ ଷ୍ଟାଇଲ୍ ଭଲଲାଗିଲାନି । ସବୁବେଳେ କହିହେଲେ, "ଯୋଉ ତ ବାଳ, ସେଥିରେ ପୁଣି ଏ ବେଣୀ ! ଗାଉଁଲି ଭଳି ଦିଶୁଛ" । ଗାଁରେ ଜନ୍ମ ମିତାଲି । ସେ ତା' ଗାଁକୁ ଖୁବ୍ ଭଲ ପାଏ । କିନ୍ତୁ ଉଦୟଙ୍କର ତା'କୁ ଗାଉଁଲି କହି ବାରମ୍ବାର ଉପହାସ କରିବାଟା ମିତାଲିକୁ ବଡ଼ କଷ୍ଟ ଲାଗେ । ଥରେ ଗାଁକୁ ବୁଲି ଆସିଥିଲା ବେଳେ ଛକ ଉପରେ ନୂଆକରି ବିୟୁଟି ପାର୍ଲୋର୍ ଖୋଲିଥିବା ଅସୀମାଅପା ପାଖରେ ସଯତ୍ନେ ବଢ଼େଇଥିବା ସେହି ଲମ୍ବା ନାଡି ପରି ପତଳା କେଶକୁ ସେ କାଟି ଛୋଟ କରିଦେଲା । ବାଳ ଛୋଟ ହେଇଗଲା । ମୁହଁଟି ବି ଟିକେ ସହରୀ ସହରୀ ଦିଶିଲା ।


   ମିତାଲିର କେଶ ଏବେ ଛୋଟ ଛୋଟ, ବେକର ସାମାନ୍ୟ ତଳକୁ, କାନ୍ଧ ଉପରେ ଝୁଲୁଥାଏ । ସେ ଏବେ ରୀତିମତ ସହରର ବଡ଼ ଏକ ନାମକରା ବିୟୁଟି ପାର୍ଲୋର୍ କୁ ଯାଇ ହେୟାର୍ ସ୍ପା କରେ, ଆଣ୍ଟି ହେୟାର୍ ଫଲ୍ ଟ୍ରିଟମେଣ୍ଟ୍ କରାଏ ଓ ପ୍ରତିଥର ବାଳକୁ ଟିକେ ଟିକେ ଟ୍ରିମ୍ କରିଆସେ । ଯେତେ ଯାହା କଲେ ମଧ୍ୟ ମିତାଲିର କେଶର ଘନତ୍ବ କମିବାରେ ଲାଗେ । ମିତାଲି ସେହି କେଶ ଝଡ଼ା ସମସ୍ୟାରେ ଘାଣ୍ଟିହେଉଥିବା ବେଳେ ଆଉ ଏକ ସମସ୍ୟା ଆସି ଦେଖାଦିଏ । ତା ମୁଣ୍ଡରେ, ସେହି ପତଳା କେଶରେ ଉଙ୍କୁଣୀ ଭର୍ତ୍ତି ହେଇଯାଆନ୍ତି । 


   ମିତାଲି ବୁଝିପାରେନି ତା'ର ଏତେ ଛୋଟ ଓ ପତଳା କେଶରେ କେମିତି ଉଙ୍କୁଣୀ ହେଇପାରେ ! ସେ ତ ତା' ବାଳକୁ ବରାବର ସାମ୍ପୁକରି ସଫାକରେ, ପ୍ରତି ସପ୍ତାହରେ ସଫା କରେ । ସେ ବି ଘରୁ ବାହାରିକରି କୁଆଡ଼େ ଏତେ ଯାଏନି, କାହା ସହ ବେଶି ମିଶେନି । ରୋଷେଇ, ଘରକାମ, ବଗିଚାର ଯତ୍ନ ଏତିକିରେ ତ ତା'ର ପୂରା ଦିନ ବିତିଯାଏ । ସମୟ ଥିଲେ ତ ପଡୋଶୀ ମହିଳାଙ୍କ ସହ ଗପିବାକୁ ଯିବ !


    ସେଦିନ ରାତିରେ ମିତାଲି ନିଜ ମୁଣ୍ଡକୁ ଛୋଟ ପାନିଆଁରେ କୁଣ୍ଡେଇ କୁଣ୍ଡେଇ ଉଙ୍କୁଣୀ କେତେଟା ବାହାରକଲା, ଟକଟାକ୍ କରି ସେମାନଙ୍କୁ ମାରିଲା । ତାପରେ ମୁହଁ ହାତ ଧୋଇ ବିଛଣାକୁ ଗଲା । ଉଦୟ ଶୋଇନଥିଲେ । କବାଟ ବନ୍ଦ୍ କରି ମିତାଲି ବେଡ୍ ପାଖକୁ ଆସୁଥିବାର ଦେଖି ଉଦୟ ଚିଡ଼ିଉଠି କହିଲେ, "ଛିଃ.. କି ଅପରିଷ୍କାର ସ୍ତ୍ରୀଲୋକଟା ମ ତୁମେ ! ଗାଉଁଲିଙ୍କ ଭଳି ମୁଣ୍ଡରେ ଉଙ୍କୁଣୀ ଭର୍ତ୍ତି କରିଛ ! ମୋ ମୁଣ୍ଡରେ ବି ଛାଡ଼ି ସାରିଲଣି । ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ମୋ ଅବସ୍ଥା ଖରାପ ହେଇଗଲାଣି । ଆଜି ଅଫିସ୍ ରେ ବିପିନ୍ ମୋ ମୁଣ୍ଡରେ ଗୋଟେ ଉଙ୍କୁଣୀ ଚାଲୁଥିବାର ଦେଖିକରି ସମସ୍ତଙ୍କୁ କହିଲା । ଛିଃ, କି ଲଜ୍ଜ୍ୟା ! ତୁମେ ଯାଅ ଆରପଟ ରୁମ୍ ରେ ଶୁଅ । ସେ ଉଙ୍କୁଣୀ ସବୁ ଛାଡିଲେ ଏଠିକି ଆସିବ ।"


  ମିତାଲିକୁ ଟିକେ ଖରାପ ଲାଗିଲା । ତଥାପି ସେ କିଛି କହିଲାନି । ଚୁପଚାପ୍ କବାଟଟା ବାହାରପଟ ଆଡ଼କୁ ଟାଣିନେଇ ଆରରୁମ୍ କୁ ଚାଲିଗଲା ।  


      ମିତାଲିକୁ ରାତିରେ ସେଦିନ ଭଲ ନିଦ ହେଲାନି । ରାତି ବେଶି ବଢୁଥିଲା ଆଉ ତା' ମୁଣ୍ଡରେ ଉଙ୍କୁଣୀମାନଙ୍କ ଉପଦ୍ରବ ମଧ୍ୟ ସେହିପରି ବଢ଼ି ବଢ଼ି ଚାଲୁଥିଲା । 


   ମିତାଲି ସ୍ଵଭାବରେ ଖୁବ୍ ସ୍ୱାଭିମାନୀ । ଉଦୟ ନ ଡ଼ାକିଲା ଯାଏଁ ବେଡ୍ରୁମ୍ କୁ ଫେରିବନି ବୋଲି ମନେ ମନେ ସ୍ଥିର କରିନେଲା । ଏଇ କିଛିଦିନ ହେବ ମିତାଲି ଗେଷ୍ଟରୁମ୍ ରେ ଉଦୟଙ୍କ ଠାରୁ ଅଲଗା ହେଇ ଶୁଏ । ଉଦୟ ନିଜ ବାଳକୁ କାଟି ଏକଦମ ଛୋଟ କରିଦେଇଛନ୍ତି । ତାଙ୍କ ମୁଣ୍ଡରେ ଆଉ ଉଙ୍କୁଣୀ ନାହାଁନ୍ତି । ମିତାଲି ତ ଆଉ ସେମିତି କରିପାରିବନି । ତେଣୁ ତା' ଉଙ୍କୁଣୀମାନେ ଏବେ ବି ତା' ତାଳୁରୁ ରକ୍ତ ଶୋଷୁଛନ୍ତି । 


   ଏବେ ପ୍ରାୟ ରାତିରେ ମିତାଲି ଆଉ ଶୋଇପାରେନି । ରାତି ନୀରବ ହେଇ ଆସିଲେ ପାଖ ବେଡରୁମ୍ ରୁ ଉଦୟଙ୍କ ଚୁପଚାପ୍ କଥାବାର୍ତ୍ତା କାନ୍ଥ ଦେଇ ମିତାଲିର ଦୁଇ କାନକୁ ଆସି ଛୁଏଁ । ଉଦୟ ଫୋନରେ କଥା ହେଉଥାନ୍ତି,ହସୁଥାନ୍ତି, ରାଗୁଥାନ୍ତି । ମିତାଲି ଅଧା ଅଧା ଶୁଣେ, ଝାପ୍ସା ଝାପ୍ସା ବୁଝେ । 


     ରବିବାର ସକାଳ । ଉଦୟ ଜଲ୍ଦି ଉଠିଯାଇଛନ୍ତି । ମିତାଲି ଚା' ଜଳଖିଆ ପ୍ରସ୍ତୁତକରି ଉଦୟଙ୍କୁ ଡାକିବାକୁ ଗଲା । ସେ ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି କୁଆଡ଼େ ଗୋଟେ ଯିବାକୁ ବାହାରୁଥିଲେ । ମିତାଲିକୁ ଦେଖି ହସି ହସି କହିଲେ, " ଆରେ ଆରେ ମୁଁ କହିବାକୁ ଭୂଲିଯାଇଥିଲି, ଆଜି ସତ୍ୟବାବୁଙ୍କ ଘରେ ଷ୍ଟାଫମାନେ ଗୋଟେ ପାର୍ଟି କରୁଛନ୍ତି । ମୁଁ ସେଇଠିକୁ ଯାଉଛି । ଆଜି ସେଇଠି ଖାଇବି । ଡେରୀ ହେଇଗଲାଣି, ଟିଫିନ୍ କରିହବନି । ହଉ ମୁଁ ବାହାରେ ଏବେ । ହେଲା ।"


--ହଉ ଠିକ୍ ଅଛି । କେତେବେଳେ ଫେରିବ ? 


--ଯାହାହେଉ ପଚାରିଲ, ମୁଁ ତ ଭାବିଥିଲି ତୁମେ ମୋ କଥା ପୂରା ଭୂଲିଗଲଣି ।


--କାହିଁକି ଏମିତି କହୁଛ ? 


--ସେହି ଯେ ଉଙ୍କୁଣୀମୁଣ୍ଡି କହିଦେଇଥିଲି, ସେବେଠୁ ତ ରାଗିକରି ବେଡ୍ରୁମ୍ କୁ ବି ଆସୁନ !


--ଆଉ କ'ଣ କରିଥାନ୍ତି କୁହ ? 


--ଛାଡ଼ ନା ସେ କଥା, ପ୍ଲିଜ୍ । ହଉ ଶୁଣ ମୁଁ ଜଲ୍ଦି ଆସିଯିବି, ସନ୍ଧ୍ୟାରେ ଆଜି ଯିବା ତୁମ ଫେବରିଟ୍ ଜାଗାକୁ, ଚାର୍ଟ୍ ଖାଇବାକୁ । ବାୟ, ମୁଁ ଆସୁଛି ।


    ଉଦୟ ଗଲାବେଳକୁ ମିତାଲିର ବାଁ ଗାଲକୁ ନିଜ ଡାହାଣ ହାତରେ ଟିକେ ଆଉଁଶି ଦେଇଗଲେ । ମିତାଲି ଆଖିରୁ ଲୁହ ଦୁଇଟୋପା ଖସି ପଡ଼ିଲା । ଠିକ ସେହିସମୟରେ ମିତାଲିର ମୁଣ୍ଡକୁ ଉଙ୍କୁଣୀଟିଏ କାମୁଡ଼ି ଦେଲା ଯେ ସେ ରାଗିଯାଇ ନିଜ ତାଳୁକୁ ଖୁବ୍ ଜୋରରେ ରାମ୍ପିପକେଇଲା । "ଆଜି ଏବେ ଏଇ ଉଙ୍କୁଣୀମାନଙ୍କୁ ସବୁ ଶେଷ କରିବି । ବୋଉ କହୁଥିଲା ଲକ୍ଷ୍ମଣ ରେଖା ଖଡ଼ି ଘଷିଦେଲେ ସବୁ ଉଙ୍କୁଣୀ ଛଟପଟ୍ ହେଇ ମରିଯାଆନ୍ତି । ମୋ ବାଳ ବରଂ ସବୁ ଝଡିଯାଉ, ଉଙ୍କୁଣୀଙ୍କ ବଂଶ କିନ୍ତୁ ନାଶକରିବି । ଆଉ ନୁହେଁ, ବହୁତ ହେଇଗଲା ।", ମିତାଲି ମନକୁ ମନ ଏମିତି କହି ପାନିଆଁରେ ମୁଣ୍ଡକୁ ଭଲରେ କୁଣ୍ଡେଇ,ଡ୍ରେସ୍ ବଦଳେଇ ବଜାର ଆଡ଼େ ବାହାରିଲା ।


   ମିତାଲି ଘରୁ ବାହାରି ଛକ ପାଖରେ ହେଇଛି ଦେଖାହେଇଗଲା ତା' ପିଲାଦିନର ଅଣ୍ଡିରୀ ଚଣ୍ଡୀ ସାଙ୍ଗ ବନାନୀ ସହିତ, ଯିଏ ଏବେ ଏଇ ସହରରେ ଗୋଟେ ଇନ୍ଷ୍ଟିଟ୍ୟୁଟ ଖୋଲି ଝିଅମାନଙ୍କୁ କରାଟେ ଟ୍ରେନିଂ ଦେଉଛି ।


--ମିତାଲି, କୁଆଡ଼େ ଯାଉଛୁ ? 

--ମାର୍କେଟ୍ ଆଡ଼େ, କିଛି ଦର୍କାରୀ ଜିନିଷ ଆଣିବାକୁ ।

--ବସ୍ ମୋ ବାଇକରେ, ମୁଁ ବି ଯାଉଛି ସେଆଡେ଼ । ଆରେ ରହ ରହ, ଏଇ ନେ ମୋ ସ୍କାର୍ଫ୍ ଟା ମୁହଁରେ ଗୁଡେଇ ଦେ । ବହୁତ ଧୂଳି ଉଡ଼ୁଛି ଏଠି ।

   ବନାନୀ ନିଜ ବ୍ୟାଗରୁ ବାଇଗଣୀ ରଙ୍ଗର ସ୍କାର୍ଫ୍ ଟେ କାଢି ମିତାଲିକୁ ଦେଲା । ବଜାରକୁ ଲମ୍ବିଥିବା ଧୂଁଆ, ଧୂଳିର ରାସ୍ତାରେ ବାଇକରୁ ଧୂଆଁ ଉଡେଇ ଦୁହେଁ ଚାଲିଲେ ଆଗକୁ ।


"ବନ, ମୋ ମୁଣ୍ଡରୁ ଉଙ୍କୁଣୀ ଜମା ଛାଡ଼ୁନି ଲୋ । କୋଉଠୁ ପଶିଲେ କେଜାଣି,ବଡ଼ କଲବଲ କଲେଣି ମୋତେ", ମିତାଲି ଗୋଟେ ମନୋହରୀ ଦୋକାନରେ ଜିନିଷ ଦେଖୁ ଦେଖୁ ଧୀର ପାଟିରେ ସାଙ୍ଗ ବନାନୀକୁ କହୁଥିଲା ତା' ଉଙ୍କୁଣୀ କଷ୍ଟର କାହାଣୀ । ବନାନୀ ରାସ୍ତାର ଆରପଟେ କିଛି ଗୋଟେ ଦେଖିନେଇ ମିତାଲିର ବାହୁକୁ ଜୋରରେ ହଲେଇ ଦେଲା ।


--ଆଲୋ କ'ଣ ହେଲା ? 

--ଦେଖ ଦେଖ୍ ସେ ଏ.ଟି.ଏମ୍ ଆଗକୁ ।

--ହଁ ଲାଇନ୍ କୁ ତ ।

--ବୋକୀ, ଲାଇନ୍ ନୁହେଁ ଲାଇନର କଡ଼କୁ ଦେଖେ । ତୋ ବରର ବାଇକ୍ କୁ ଡେରିହେଇକି କିଏ ଗୋଟେ ଠିଆ ହେଇଛି ।

--କିଏ ଲୋ ସିଏ ? 

--ସେହିକଥା ପା ମୁଁ ପଚାରୁଛି । ରହ ସେମାନେ ଯାଆନ୍ତୁ, ଆମେ ତାଙ୍କ ପିଛା କରିବା । ତୁ ସ୍କାର୍ଫ୍ ଟା ଭଲକରି ମୁହଁରେ ବାନ୍ଧିଦେ । 

  

    ଉଦୟଙ୍କ ଗାଡି ରାସ୍ତା ଉପରକୁ ଆସିଲା । ଝିଅଟା ଦୁଇପାଖକୁ ଗୋଡ଼କରି ଉଦୟଙ୍କୁ ପଛପଟୁ ଭିଡି ଧରି ବାଇକରେ ବସିଗଲା । ମିତାଲିର ହୃଦସ୍ପନ୍ଦନ ବଢ଼ିଯାଉଥିଲା, ସେ ଦୃଶ୍ୟଦେଖି । ତା'କୁ ଲାଗୁଥିଲା ଯେମିତି ସାରା ଆକାଶଟା ତା' ମୁଣ୍ଡ ଉପରେ ଛିଡ଼ି ପଡୁଛି, ଆଖି ଆଗରେ ଅନ୍ଧକାର ଘୋଟିଯାଉଛି । ସେ ବନାନୀକୁ କିଛି କହିବାକୁ ପାଟି ଖୋଲିଲାବେଳକୁ ଶବ୍ଦଯାକ ତା'ର ବାଷ୍ପୀଭୂତ ହେଇ ପବନରେ ମିଳେଇଯାଉଥିଲେ । ବନାନୀ ବଡ଼ ପାଟିରେ କହୁଥିଲା, "ମିତା,ବସିଥା' ଭଲକି, ମୁଁ ଟିକେ ଗାଡ଼ିର ସ୍ପିଡ୍ ବଢ଼େଇବି ।"


   ଉଦୟଙ୍କ ମଟରସାଇକେଲ୍ ପଛରେ ବସିଥିବା ଝିଅଟି ଗୋଟେ କଲେଜ ପଢ଼ୁଆ ଛାତ୍ରୀ ପରି ମନେ ହେଉଥିଲା । ତା' ଆଖିରେ ଥିଲା ଚଷମା । ପିନ୍ଧିଥିଲା ବ୍ଲୁ ଜିନ୍ସ୍ ପ୍ୟାଣ୍ଟ୍ ଓ ଖଇରୀ ରଙ୍ଗର କଟନ୍ କୁର୍ତ୍ତୀ । କାନ୍ଧରେ ଧୂଷରରଙ୍ଗର ବ୍ୟାଗ୍ । ପଛ ପଟୁ ତା' ସୁନ୍ଦର ପତଳା କଟି ଖୁବ୍ ଆକର୍ଷଣୀୟ ଦିଶୁଥିଲା । ଝିଅଟିର ଶରୀରର ଗଠନ ଅତି ଚମତ୍କାର । ସବୁଠାରୁ ସୁନ୍ଦର ଥିଲା ତା' ଲମ୍ବା ଓ ଘନ କେଶ, ଯାହା ତା' ନିତମ୍ବ ତଳ ପର୍ଯ୍ୟନ୍ତ ଝୁଲି ରହିଥିଲା ଓ ପବନରେ ଦୋହଲି ଦୋହଲି ଝିଅଟିର ପୃଷ୍ଠଭାଗକୁ ଆହୁରି ମନୋରମ କରିଦେଉଥିଲା ।  


    ଉଦୟଙ୍କ ବାଇକ୍ ରହିଲା ଗୋଟେ ଜୋତା ଦୋକାନରେ । ଝିଅଟିର ହାତ ଧରି ଉଦୟ ଦୋକାନ ଭିତରକୁ ଗଲେ । ମିତାଲି ଓ ବନାନୀ ଦୋକାନଠାରୁ କିଛି ଦୂରରେ ଠିଆ ହୋଇ ସେମାନଙ୍କୁ ଲକ୍ଷ୍ୟରଖିଥିଲେ । କିଛି ସମୟ ପରେ ସେମାନେ ହାତରେ ଜରି ପ୍ୟାକେଟଟେ ଧରି ସେଠାରୁ ବାହାରି ଆସିଲେ । ଝିଅଟି ଖୁସି ଖୁସି ଦିଶୁଥିଲା । ସେଠୁ ଆଉ ଏକ ଗଳି ରାସ୍ତା ଆଡ଼କୁ ଉଦୟ ବାଇକ୍ ଛୁଟେଇଲେ । 


    ଉଦୟ 'ନୈନା ବିୟୁଟି ପାର୍ଲୋର'ରେ ଝିଅଟାକୁ ଛାଡ଼ି ଦେଇ ବାଇକ ବୁଲେଇ ସେଠୁ ଏକା ଏକା ଚାଲିଗଲେ ।


  ପାଞ୍ଚରୁ ସାତ ମିନିଟ୍ ଭିତରେ ମିତାଲି ଓ ବନାନୀ ପାର୍ଲୋର୍ ଭିତରକୁ ପଶିଲା ବେଳକୁ ଝିଅଟା ହେୟାର୍ କଟ୍ କରିବା ପାଇଁ ଚେୟାର୍ ଉପରେ ବସିଛି ଓ ପାର୍ଲୋର୍ ମାଡାମ୍ ତା' ଠୁ ବୁଝୁଛନ୍ତି ସେ ତା' ବାଳ କେତେ ଇଞ୍ଚ ଛୋଟ କରିବାକୁ ଚାହୁଁଛି ।


--ତୁମର ଏତେ ସୁନ୍ଦର ହେୟାର୍ ଅଛି, ଛୋଟ କାହିଁକି କରିଦେଉଛ ? 


--ମାମ୍ ପରୀକ୍ଷା ଅଛି, ହେୟାର୍ ୱାସ୍ କରିବାକୁ ଟାଇମ୍ ହେଉନି, ତା' ଛଡ଼ା ମୋ ରୁମ୍ ମେଟ୍ ର ମୁଣ୍ଡରେ ଏତେ ଉଙ୍କୁଣୀ ଯେ ତା' ପାଖରୁ ଉଙ୍କୁଣୀଗୁଡା ମୋ ମୁଣ୍ଡକୁ ଆସି ମୋତେ ବଡ଼ ବିରକ୍ତ କଲେଣି । ପାଠ ପଢ଼ିବି ନା ଉଙ୍କୁଣୀ କୁଣ୍ଡାଉଥିବି ବସି !


--ଏଇ ଗୋଟେ କି ପ୍ରୋବ୍ଲେମ୍ ଯେ ସେଥିପାଇଁ ତୁମେ ଏତେ ସୁନ୍ଦର ବାଳକୁ କାଟି ଛୋଟ କରିଦେବାକୁ କହୁଛ ! ମୋ ସିଜରର ଇଚ୍ଛା ହେବନି ତୁମ ବାଳ କାଟିବାକୁ । ଶୁଣ ମୋ ପାଖରେ ଗୋଟେ ସାମ୍ପୁ ଅଛି, ସେଇଟା ନିଅ ପ୍ରତି ସପ୍ତାହରେ ସେଇଟା ଲଗେଇ ହେୟାର୍ ୱାସ୍ କରିବ, ସବୁ ଉଙ୍କୁଣୀ ମରିଯିବେ । କହିବ ତ ଏଇଠି ପାର୍ଲୋର୍ ରେ ମୁଁ କରିଦେବି । କିନ୍ତୁ ଏଭ୍ରି ଉଇକ୍ ତୁମକୁ ଆସିବାକୁ ହେବ । ହେୟାର୍ କଟ୍ ର ଯେତିକି ଚାର୍ଜ ସେତିକି ହିଁ ପଡ଼ିବ । 


    ପାର୍ଲର ବାଲିର କଥାରେ ଝିଅଟି ସହମତ ହେଲାପରି ଲାଗୁଥିଲା । ବନାନୀ ଓ ମିତାଲି ପଛ ବେଞ୍ଚରେ ବସି ଶୁଣୁଥିଲେ । ମିତାଲି ସେ ଝିଅକୁ ଦେଖି,ତା' ସହ ଉଦୟଙ୍କ ସମ୍ପର୍କ କଥା ଭାବି ପ୍ରାୟ ତ ସ୍ଥାଣୁ ହେଇଯାଇଥିଲା । ତା' ତଣ୍ଟି ଶୁଖି ଅଠା ଅଠା ଲାଗୁଥିଲା । ଝିଅଟିର କଥା ବୁଝିସାରି ପାର୍ଲୋର୍ ବାଲି ମିତାଲି ଆଡ଼କୁ ଦେଖି ପଚାରିଲା , "ମାମ୍ ଆପଣ କ'ଣ କରିବେ? "


  ମିତାଲିର ପାଟିରୁ ଚଟାପଟ୍ ବାହାରି ଆସିଲା, "ଉଙ୍କୁଣୀ.. ଉଙ୍କୁଣୀ ସଫା କରିବି " ।


ବନାନୀକୁ ପାର୍ଲୋର୍ ବାଲି ଅନାଉ ଅନାଉ ବନାନୀ ଓଠରେ ଅଧା ହସ ଫୁଟେଇ ମୁଣ୍ଡରୁ ସ୍କାର୍ଫ୍ ଖୋଲି ତା' ଏକଦମ ଛୋଟ ଛୋଟ ବାଳକୁ ଦେଖେଇ କହିଲା, "ନାଁ ନାଁ ମୋର ଉଙ୍କୁଣୀ ନାହିଁ । ବାଳ ରଖିଲେ ତ ଉଙ୍କୁଣୀ ରହିବେ? " ।


  ଝିଅଟା ହେୟାର୍ ୱାସ୍ କରିବା ପାଇଁ ଉଠିଯାଇଥିଲା । ମିତାଲି ବସି ରହିଥିଲା ବନାନୀର ଦେହକୁ ଲାଗି । ବନାନୀ ତା' ଲୁହ ଟଳମଳ ଆଖିକୁ ଅନେଇ ପଚାରିଲା, "ମିତା, ଆଜି କରିବୁ ଉଙ୍କୁଣୀ ସଫା ? "


 ମିତାଲି ଦୀର୍ଘଶ୍ୱାସ ପକେଇ ଉଠିଲା ଓ ବାଇଗଣୀ ସ୍କାର୍ଫ୍ ଟା ମୁହଁରେ ଗୁଡେଇବା ପୂର୍ବରୁ ବଡ଼ ପାଟିରେ, ଅଜବ ଢଙ୍ଗରେ କହିଲା, " ବନ, ତୋତେ ଲାଗୁଛି ମୁଁ ଏଡ଼େ ବଡ଼ ଉଙ୍କୁଣୀଟାକୁ ଆଜି ଗୋଟିଏ ଦିନରେ ମୋ ମୁଣ୍ଡରୁ ସଫାକରି ବାହାର କରିପାରିବି ? ସେଥିପାଇଁ ସମୟ ଲାଗିବ ନା । ସାମ୍ପୁ ନୁହେଁ , ଲକ୍ଷ୍ମଣ ରେଖା ଖଡ଼ିଟେ କିଣିବି ଲୋ । ଚାଲ୍ ଏବେ ଏଠୁ ଯିବା" ।  



Rate this content
Log in

Similar oriya story from Tragedy