ଉଜୁଡି ଗଲା
ଉଜୁଡି ଗଲା
ଅତ୍ୟନ୍ତ ସ୍ଵଛଳ ନ ହେଲେ ବି ଖାଇ ପିଇ ପିଲା ଛୁଆଙ୍କ ସହ ହସଖୁସିରେ ଘର ଚଳି ଯାଉଥିଲା ମାଧିଆର। ଭାଗ ବଖରା କରେ,ନିଜର ବି ବାର ଗୁଣ୍ଠ ଧାନ ଜମି । ଦୁଇ ବଖରା ମାଟି ଘର। ଯେନତେନ ପ୍ରକାରେଣ ଚଳିଯାଏ ସଂସାର। ନା କାହା ପାଖରୁ କେବେ ଉଧାର କରେ ନା ସୁଧରେ ଟଙ୍କା ଆଣେ। ଝିଅ ଚଉଦ ବର୍ଷର, ପୁଅ ସାତ ବର୍ଷର। ସ୍ତ୍ରୀ ସୁଶୀଳା ପରିବାର କୁ ଖୁବ ସୁରୁଖୁରୁରେ ଚଳାଇ ନିଏ। ସ୍ଵାମୀଙ୍କ ଅଭାବୀ ପଣିଆ ଉପରେ କେବେବି କୁଠାରଘାତ କରେ ନାହିଁ। ପିଲାମାନଙ୍କୁ ପାଠ ଶାଠ ପଢାଇ ଭଲ ମଣିଷ କରାଇବା ଲକ୍ଷ୍ୟ ଥାଏ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କର।
ହେଲେ ହଠାତ ମହାବାତ୍ୟାର ମହାବିପତ୍ତିରେ ଭାଙ୍ଗି ପଡ଼ିଲା ମାଧିଆ।
ଅକ୍ଟୋବର୨୯ତାରିଖରୁ ସବୁ କିଛି ଏପଟ ସେପଟ ହୋଇଗଲା ମାଧିଆ ପାଇଁ। ମୁଣ୍ଡ ଗୁଞ୍ଜୁଥିବା ଦୁଇ ବଖରା ଘର ମାଟିରେ ମିଶିଗଲା। ସଞ୍ଚିତ ଧାନ ଖାଦ୍ୟ ସାମଗ୍ରୀ, ଲୁଗାପଟା ଇତ୍ୟାଦି ଘର ସାଙ୍ଗରେ ନଷ୍ଟ ହୋଇଗଲା। ଜୀବନ ବିକଳରେ ମାଆ ଛୁଆ ଗାଁ ମୁଖିଆ କୋଠାଘରେ ଆଶ୍ରୟ ନେଲେ। ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ।
ମହାବାତ୍ୟା ପରେ ଚାଷ ଜମିରେ ବାଲିଚର ମାଡିଗଲା। କଣ କରିବେ କିଛି ବୁଦ୍ଧି ବାଟ ନ ପାଇ ଗାଆଁର କେତେଜଣ ମିଶି ପଳେଇ ଗଲେ ସୁରଟ। କାମ କରି କିଛି କିଛି ଟଙ୍କା ପଠାଇଲା ଘରକୁ। ଦୁଃଖେକଷ୍ଟେ ପରିବାର ମୁହଁରେ ମୁଠେ ଦାନା ଦେବାକୁ ଯାଇ ବାର ଓଳି ସୁଣ୍ଢି ପିଣ୍ଢା ନ୍ୟାୟରେ ମାଧିଆ ପଡିଲା ବିଦେଶରେ। ଏଣେ ପିଲା ସ୍ତ୍ରୀ ଗାଆଁ ସରପଞ୍ଚ ଙ୍କୁ ନେହୁରା ହୋଇ ଇନ୍ଦିରା ଆବାସ ଯୋଜନାରେ ଘର ଦୁଇ ବଖରା କଲେ ଯେ,ଛାତ ପଡି ପାରିନାହିଁ ଏଯାବତ।
ଟଙ୍କା ଅଣ୍ଟିଲା ନାହିଁ କାଳେ। ଘର ଉପରେ ପଲିଥିନ ଟାଣି ରହିଛନ୍ତି । ମେଘ ବର୍ଷା ହେଲେ ଘରସାରା ପାଣି ହୋଇ ଯାଏ। ଓଦା ହୋଇ ସବୁବେଳେ ପୁଅ ଆଉ ସ୍ତ୍ରୀ ଦୁହିଁଙ୍କର ଦେହ ଅସୁସ୍ଥ। ସ୍ତ୍ରୀ ସୁଶୀଳା ଙ୍କର ଯକ୍ଷ୍ମାରୋଗ ହୋଇଗଲା। ଏଣେ ଖାଇବାକୁ ନାହିଁ ତେଣେ ସ୍ତ୍ରୀ ପୁଅର ବେମାର। ଝିଅ ଟି ବଡ଼ ଦୁଃଖେକଷ୍ଟେ ପାଠପଢେ। କେତେବେଳେ ସ୍କୁଲ ଯାଏ ତ ଯାଏନାହିଁ। ଘରେ ଦୁଇ ଦୁଇ ଜଣ ବେମାର ଲୋକ। କଣ କରିବ କିଛି ବୁଦ୍ଧି ବାଟ ଦିଶେ ନାହିଁ ଚଉଦ ବର୍ଷର ଝିଅ ସୁପ୍ରିୟାକୁ। ଯାହା ଯେମିତି ହେଲେ ଚଳୁଥାନ୍ତି।
ଏଇ କେତେଦିନ ହେଲା ସାରା ଭାରତ ବନ୍ଦ।ଭାରତର ସବୁ ରାଜ୍ୟ ବି।
ଦୋକାନ ବଜାର,ସ୍କୁଲ, କଲେଜ ଯାଏ। ବଜାରରେ କୌଣସି ଦୋକାନ ବି ଠିକରେ ଖୋଲୁନାହିଁ। ପନିପରିବା ସାତସପନ ହୋଇଗଲାଣି ପରିବାର ପାଇଁ। ଘରୁ ବାହାରକୁ ବାହାରିଲେ ପୋଲିସ ବାବୁଙ୍କର ଲାଠି ପ୍ରହାର।
ଏଣେ କାଲିଠାରୁ ଯେ ମେଘ ହେଉଛି, ନା ଘରୁ କୁଆଡ଼େ ବାହାରି ହେଉଛି ଯେ କଣ କରିବ। ଘରେ ଡାଲି ଚାଉଳ କିଛି ନାହିଁ। ସତର ଦିନ ହେଲା ଭାରତ ବନ୍ଦ ପାଇଁ କେଉଁଠି କୁ ଯାଇ କାମ ଧନ୍ଦା କରି ପାରୁନାହାନ୍ତି ବାପା ବୋଲି ରାଧୁକାକା କହୁଥିଲେ। ସେମାନେ ବି ସୁରଟରେ ବଡ଼ ଦୁଃଖେକଷ୍ଟେ ଅଛନ୍ତି। ଏଣେ ବୋଉର କାଶଟା ଦୁଇଦିନ ହେବ ବହୁତ ବଢିଯାଇଛି। ସାତ ଆଠଦିନ ହେଲା ତାର ଔଷଧ ବି ସରିଯାଇଛି। ଡାକ୍ତରଖାନା ଗଲେ ସିନା ବୋଉ ଔଷଧ ଆଣନ୍ତି।
ଥାଲାସେମିଆ ରୋଗୀ ଭାଇଟାକୁ ରକ୍ତ ଦେବାକୁ ଡାକ୍ତରଖାନା ନେଇ ହେଉ ନାହିଁ।
ଆଜି ସକାଳୁ ସକାଳୁ ବୋଉ ର କାଶ ବଢିବଢି ଚାଲିଛି। ଦିନ ଆସି ଚାରିଟା ବାଜିଲାଣି। ମେଘ ଘଡଘଡି ସହ ବିଜୁଳି ମାରୁଛି। ବୋଉର କାଶ ଶବ୍ଦରେ ଘଡ଼ଘଡି ଶବ୍ଦ ଶୁଣାଯାଉ ନଥାଏ ଝିଅକୁ। ବୋଉର ଚିଠା ଧରି ବାହାରିଲା ଡାକ୍ତରଖାନା।
ଛତାଟିଏ ଧରି ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅନେକ ଲୋକ ଲାଇନରେ ଠିଆ ହୋଇ ଥାନ୍ତି। ସେ ବି ଲାଇନରେ ଠିଆ ହୋଇଥିଲା ତା ନମ୍ବର ଆସିବା ଯାଏ। ପାଳି ପଡିଲା ଯେମିତି ଚିଠା ଦେଖେଇ ଔଷଧ ଧରି ଆସିଲା ଝିଅଟି। ମୁହଁକୁ ମୁହଁ ଦେଖା ହେଉ ନ ଥାଏ। ତରତର ହୋଇ ଘରମୁହାଁ ହେଲା। ବର୍ଷା ର ପ୍ରକୋପ ବି ବଢି ଚାଲିଥାଏ।
କାଶି କାଶି ନୟାନ୍ତ ହୋଇ ଗଲେଣି ସୁଶୀଳା ଦେବୀ। ଏଣେ ପିଲାଟା ଭୋକ ଭୋକ ହେବା ସହ ଖାଲି ଛାଟିପିଟି ହେଉଥାଏ। ନିଜ କାଶକୁ ସମ୍ଭାଳିବେ ନା ପୁଅକୁ। ପୁଅ ଦେହରେ ଟିକେ ହାତ ପକେଇବା ବେଳକୁ ସେ ନିଆଁଲଗା କାଶ ପାଇଁ ଛାତି ପିଠି କଣ କଣ ହୋଇ ଯାଉଥାଏ।
କୁଆଡ଼େ ଗଲା ଯେ ମୋ ଝିଅଟା। ମନା କରୁଛି ଔଷଧ ପାଇଁ ଯାଆ ନା ବୋଲି। ଜିଦ କରି ଗଲା ଯେ ଏଯାବତ ଆସୁନାହିଁ। ତେଣେ ଏ ପୁଅଟା ଶୋଇ ପଡିଲା କି କଣ, ଉଁ କି ଚୁଁ ଶୁଭୁନାହିଁ। ସେ ସିଆଡେ କେମିତି ଅଛନ୍ତି କେଉ
ଁଠି ଅଛନ୍ତି, କଣ ଖିଆପିଆ କରୁଛନ୍ତି ,ମୁଁ କଣ କରିବି। ଆଜିକୁ ତିନି ଚାରି ଦିନ ହେଲା ଘରେ ଗୋଟିଏ ବି ଚାଉଳ,ପନିପରିବା କିଛି ନାହିଁ। ସାଇପଡିଶାରୁ ମାଗିଯାଚି କାଲି ଯାଏ ଗଲା। ସକାଳୁ ଏଯାଏଁ କେହି କିଛି ଖାଇନାହାଁନ୍ତି ମୋ ପିଲାମାନେ। କେଉଁଠୁ କଣ ଆଣି ଦେବି ଯେ। ଯାଏ ଦେଖିବା, ସାଆନ୍ତେ ଘରକୁ, କଣ ଗଣ୍ଡେ ମାଗିକରି ଆଣେ।
ଧିକ ମୋ ମାଆ ପଣିଆକୁ। ମୋ ଛୁଆଙ୍କ ପେଟରେ ଦାନା ଗଣ୍ଡେ ଦେଇ ପାରୁ ନାହିଁ। ଭୋକ ଭୋକ ହୋଇ ଛୁଆଟା ଶୋଇ ପଡିଛି। ଘରୁ ନ ବାହାରିଲେ ନ ହୁଏ। ଏଣେ ମେଘ ଯେ କାହିଁ ରେ କଣ। କୁଲା କି ପଖିଆ ମୁଣ୍ଡରେ ଦେଇ ଯାଏ, ତେଣେ ଝିଅ ଆସୁଥିବ। ସାଙ୍ଗ ହୋଇ ଫେରିଆସି ରୋଷେଇ କରି ଖାଇବୁ।
ଅନେକ ଆଡୁ ଅନେକ କିଛି ଚିନ୍ତା କରି ବାହାରିଲେ ସୁଶୀଳା ଦେବୀ।
ଚାରିଆଡ଼େ ତ ନୀରବତା ର ରାଜୁତି। ଏପାଖେ କରୋନା ପାଇଁ ସଟ୍ ଡାଉନ,ସେପାଖେ ଦଇବର ଦାଉ ମେଘ ଅନ୍ଧାର। କୁଆଡ଼େ ଯେ ଝିଅ ଟାକୁ ଖୋଜିବି। ବଡ଼ କଷ୍ଟେମଷ୍ଟେ ଘରଠାରୁ ଅନେକ ବାଟ ଆସୀ ଯାଇଥିଲେ। ତେଣେ ଝିଅକୁ ବି ଡାକ ପକେଇ ଚାଲିଛନ୍ତି। କୁଆଡ଼େ ଗଲୁରେ ମାଆ ମୋର। ଦଲକାଏ ଦଲକାଏ ପବନରେ ଦେହ ହାତ କାଠ ହୋଇଯାଉଥାଏ। ଶାରୀରିକ ଯନ୍ତ୍ରଣା ସାଙ୍ଗକୁ ଉପବାସ। ଗୋଡ଼ ଏଠି ବୋଲି ସେଠି ପଡୁଛି। ଯେ କେହି ଦେଖିଲେ ...
ଢୋ କରି ଗୋଟିଏ ଶକ୍ତ ପାହାର ବସିଲା, ମାଆଲୋ ହୋଇ ପଡି ଯାଉ ଯାଉ ବସିଗଲେ ସୁଶୀଳା ଦେବୀ।
ଓହୋଃ, ବାପଲୋ,ମରି ଗଲିଲୋ।(କାଶି କାଶି)
କିଏ ରେ ତୁମେ ମାନେ।
ମୁଁ ତୁମର କଣ କଲି ଯେ,ମୋତେ ବାଡୋଉଛ ତୁମେମାନେ।(କାଶି କାଶି)
ହେ ବୁଢ଼ୀ, ବର୍ତ୍ତମାନ ସବୁଆଡେ ତ ସଟ୍ ଡାଉନ,ତୁ ଏ ମେଘ ଅନ୍ଧାର ରାତିରେ କୁଆଡ଼େ ଧାଇଁଛୁ। ଦେଖି ତୋ ପାଖରେ କଣ ଅଛି।
ମୋ ପାଖରେ କିଛି ନାହିଁ ରେ ବାପ,ମାଆ ପୁଅ ଝିଅ ସବୁ ଓପାସ ଭୋକରେ ପଡିଛୁ। ତେଣେ ପିଲାଟା ଦେହ ବହୁତ ଖରାପ। ମୋତେ ତ ଯକ୍ଷ୍ମାରୋଗ। ତେଣେ ଝିଅଟା ମୋ ପାଇଁ ଔଷଧ ଆଣିବାକୁ ଯାଇଛି ଯେ ଏଯାଏଁ ଆସିନାହିଁ। ତାକୁ ଖୋଜିବାକୁ ଯାଉଛି, (କାଶି କାଶି)ଓହୋଃ ଏ ନିଆଁଲଗା କାଶଟା ମୋ ପ୍ରାଣ ନେଇଯିବ।
ଏ ବୁଢୀ, ତୋର କାଶ ହେଉଛି ନା କରୋନା ହୋଇ ଯାଇଛି ଲୋ।ହା ହା ହା।
ଏ ବୁଢ଼ୀ ତା ଝିଅକୁ ଖୋଜି ବାହାରିଛି। ସେ ଜାଣେ ନାହିଁ, ତା ଝିଅ ଆମ ଜଳଖିଆ ହୋଇ ଯାଇଛି ବୋଲି ।
କଣ କଣ କଣ କହିଲ ପିଲାମାନେ। ମୁଁ ତୁମ ମାଆ ବୟସର। ମୋତେ ବୁଢ଼ୀ କହି ଉପହାସ କରୁଛ।
କଣ କହିଲ,ମୋ ଝିଅ ଜଳଖିଆ ଖାଉଛି।
ଆଲୋ ହେ ବୁଢ଼ୀ, ତୋ ଝିଅ ଆମ ଜଳଖିଆ ହୋଇ ଗଲା, ଓ ଓ ସେଇଠି ଶାନ୍ତିରେ ପଡି ଛଟପଟ ହେଉଛି।
କାହିଁ, କାହିଁ ମୋ ମା,ତୁମେ ତାକୁ ଜଳଖିଆ କରିଦେଲ। ତାକୁ ତ କରୋନା ହୋଇ ଯାଇଥିଲା, ସେ ତ ମରିବ।
ତା ସହ ତୁମେମାନେ ବି ମରିବ।
କାହିଁ କାହିଁ ମୋ ଝିଅ।
ଏ ମାଉସୀ, କଣ କହିଲ ,ତୁମ ଝିଅକୁ କରୋନା ହୋଇଥିଲା। ନା ତୁମେ ମିଛ କହୁଛ।
ମୁଁ କାହିଁକି ମିଛ କହିବି ରେ। ସେ ପରା କରୋନା ରୋଗୀ। ତାର ସ୍ଵାବ ଟେଷ୍ଟ ହୋଇଛି, ଏବେ ପରା ପୋଲିସ, ଡାକ୍ତର ସବୁ ମୋ ଘରକୁ ଆସିଥିଲେ। ରିପୋର୍ଟ ଦେବାକୁ। ଆଉ ଝିଅକୁ ଖୋଜିଲେ। ସେ ମୋ ପାଇଁ ଔଷଧ ଆଣିବାକୁ ଯାଇଛି କହିଲି। ସେମାନେ ତାକୁ ସାଙ୍ଗରେ ନେଇଯିବାକୁ ବସିଛନ୍ତି, ମୁଁ ଖୋଜିବାକୁ ଆସିଛି।
ପିଲାମାନେ, ତୁମ ମାନଙ୍କୁ ନିଶ୍ଚୟ କରୋନା ହୋଇଯିବ। ଚାଲ ଡାକ୍ତର ପାଖକୁ, ଟେଷ୍ଟ କରି ଔଷଧ ଖାଇବ ତ ଭଲ ହୋଇଯିବ।
ହେଲେ ଡାକ୍ତର କଣ ଆମ କଥା ବିଶ୍ୱାସ କରିବେ।
ମୁଁ ତୁମ ସହ ଡାକ୍ତର ପାଖକୁ ଯିବି ଚାଲ।
ମୁଁ ଟିକେ ମୋ ଝିଅ ପାଖରୁ ଆସେ,ଶେଷ ଥର ପାଇଁ ଦୂରରୁ ଦେଖିଦିଏ।
ସୁଶୀଳା ଦେବୀ ଝିଅ ପାଖକୁ ଗଲେ, ଝିଅ ସେତେବେଳକୁ ଆରପାରିକୁ ଚାଲିଯାଇଥିଲା।
ଦୂରରୁ ଦେଖି ପଳେଇ ଆସିଲେ।
ପିଲାମାନଙ୍କ ଗାଡ଼ିରେ ବସି ଡାକ୍ତର ପାଖକୁ ଗଲେ। ଡାକ୍ତର ସେମାନଙ୍କ ଟେଷ୍ଟ କରୁଥାନ୍ତି। ଏପଟେ ସୁଶୀଳା ଦେବୀ ଜଣେ ପୋଲିସ ବାବୁଙ୍କୁ ସବୁ ସତକଥା କହିଦେଲେ।
ସଙ୍ଗେ ସଙ୍ଗେ ସେ ପିଲା ତିନି ଜଣ କୁ ପୋଲିସ ଆରେଷ୍ଟ କଲେ ଓ କିଛି ପୋଲିସ ଝିଅଟିକୁ ଆଣିବା ପାଇଁ ଗଲେ। ଜଣେ କନେଷ୍ଟବଳ ସୁଶୀଳା ଦେବୀଙ୍କୁ ଘରକୁ ଆଣି ଛାଡିଲେ, ସେ ଘରକୁ ଫେରି ଯାହା ଦେଖିଲେ ବାକଶୂନ୍ୟ ହୋଇଗଲେ,ଘରେ ଥିବା ପୁଅ ମରି ଶୋଇଥିଲା।
ଏମିତି କରୋନା ଆସିଲା ଯେ ବିଦେଶରେ ବାପା ଚାଲିଗଲା,
ଏଠାରେ ଝିଅ, ଘରେ ପୁଅ।
କରୋନା ଉଜାଡି ଦେଲା ଘର ପରିବାର।