Satyabati Swain

Tragedy

4  

Satyabati Swain

Tragedy

ତୁମେ ଏତେ ଦୁଷ୍ଟ

ତୁମେ ଏତେ ଦୁଷ୍ଟ

6 mins
9



ମୋ ମାଆ ତୁମକୁ ଏତେ ଭଲ ପାଏ ଅଥଚ ତୁମେ ତାକୁ ସବୁବେଳେ କନ୍ଦାଉଛ ! 


ବଡ଼ମାନେ ବି ଦୁଷ୍ଟ ହୁଅନ୍ତି କି ! 


  ମୋ ଜନ୍ମ ହେବା ପୂର୍ବରୁ ତୁମେ କୁଆଡେ ଯାଇଛ ଯେ ଯାଇଛ ! ତୁମର କଣ କେବେ ଇଛା ହୁଏ ନାହିଁ ମୋତେ ଦେଖିବାକୁ ? ମୋର କିନ୍ତୁ ଭାରି ଇଛା ହୁଏ ତୁମକୁ ଦେଖିବାକୁ। ତୁମ ସହ ହାଟ,ବଜାର, ପାର୍କ , ବିବାହ ବ୍ରତ ଓ ବନ୍ଧୁ ଘରକୁ ଯିବାକୁ। ଶିବା ଯେମିତି ତା ବାପା ବାଇକି ଆଗରେ ବସିକି ଯାଏ ସେମିତି ମୋର ବି ଇଛା ହୁଏ ତୁମ ବାଇକି ଆଗରେ ଟାଙ୍କି ଉପରେ ବସି ବୁଲିବାକୁ।


    ଇଲି,ସୋନା, ରକି, ଟାଟାଙ୍କର ବାପା ସେମାନଙ୍କ ସହ ଅଛନ୍ତି।ତୁମେ କାହିଁକି ଆମ ପାଖରେ ନାହଁ ,?ମାଆ କୁହେ ହେଇଟି ସେଇ ଯେଉଁ ବଡ଼ ତାରାଟି ତୋ ବାପା। ତାରା କଣ ଠାକୁରଙ୍କ ଘର ? ଆକାଶରେ କେତେ ତାରା । ମୋର ଭୁଲ୍ ଭାଲ୍ ହୋଇଯାଏ କେଉଁ ତାରା ତୁମେ ଚିହ୍ନିବାକୁ। ତୁମେ କୁଆଡେ ଠାକୁରଙ୍କ ପାଖକୁ ଯାଇଛ ? ଲୋକେ ତ ତାଙ୍କ ପରିବାର ସହ ଠାକୁରଙ୍କ ପାଖକୁ ଯାଆନ୍ତି।ତୁମେ କେମିତି ଏକା ଚାଲିଗଲ ? ବଡ଼ଲୋକ ମାନେ ଏମିତି କରନ୍ତି ? ଗଲ ଯଦି ଆମ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଇ ଥିଲେ କେତେ ଭଲ ହୋଇଥାନ୍ତା କୁହତ ? 


   ମୁଁ ତୁମକୁ କେତେ ଖୋଜେ ଜାଣିଛ ? ଠାକୁରଙ୍କ ଘର କେଉଁଠି ବାପା ? ଜଗନ୍ନାଥ ତ ଠାକୁର।ତାଙ୍କ ଘର ପୁରୀ।କାଇଁ ଜେଜେ ଓ ଜେଜିମାଆ ପୁରୀ ଯାଇଥିଲେ ତୁମକୁ ସାଙ୍ଗରେ ଆଣିଲେନି ତ ? ଯେତେବେଳେ ଜେଜେଙ୍କୁ ପଚାରିଲି 'ପୁରୀରେ ମୋ ବାପା ଥିବେ ତାଙ୍କୁ ଆଣିଲନି ? " ଜେଜେ ସହ ସମସ୍ତେ କାନ୍ଦିଲେ। କହିଲେ ତୁମକୁ କୁଆଡେ ପୁରୀରେ ସେମାନେ ପାଇଲେ ନାହିଁ। ତୁମେ ଠାକୁରଙ୍କ ପାଖରେ ନ ରହି ଏଣେ ତେଣେ ବୁଲୁଛ ନା କଣ ? ପିଲାଧରା ଅଛନ୍ତି ବାପା... ତୁମକୁ ଧରିନେବେ। ମୁଁ ଖରାବେଳେ ନ ଶୋଇ କୁଆଡେ ବୁଲିବାକୁ ଗଲେ ଜେଜେ କୁହନ୍ତି, " ଯାଆନାରେ ' ଆଶୁ ' ପିଲାଧରା ମାତି ଛନ୍ତି ତୋତେ ନେଇଯିବେ।" ବାପା ତୁମେ କଣ ମୋ ପରି ଦୁଷ୍ଟ ପିଲା କି ଏଣେ ତେଣେ ବୁଲ ?


   ମୋ ସାଙ୍ଗ ଟାଟାର ଜନ୍ମ ଦିନରେ ତା ବାପା ତା ପାଇଁ ନୂଆ ସାର୍ଟ ପ୍ୟାଣ୍ଟ, ସହ ସାଇକେଲଟିଏ ଆଣନ୍ତି। ତାକୁ ସକାଳୁ ସକାଳୁ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧାଇ ମନ୍ଦିର ନେଇ ପୂଜା କରନ୍ତି। ଘର ବେଲୁନ୍ ରେ ସଜାନ୍ତି।ଗାଁ ର ସବୁ ପିଲା ଓ ସ୍କୁଲର ତା ବନ୍ଧୁମାନଙ୍କୁ ଡାକି ପୁରୀ ,ଡାଲମା, କ୍ଷୀରି ଓ ମିଠା ଭୋଜି କରି ଖାଇବାକୁ ଦିଅନ୍ତି। କେକ୍ କଟା ହୁଏ।ସତ୍ୟ ନାରାୟଣ ପାଲା ବି ହୁଏ। ଏସବୁ ଦେଖି ମୋର କଣ ଇଛା ହୁଏ ଜାଣିଛ ବାପା ? ତୁମେ ଥିଲେ ମୋ ଜନ୍ମ ଦିନ ଏହାଠାରୁ ଆହୁରି ଭଲ କରି ପାଳିଥାନ୍ତ।


   ଜେଜେମାଆ ସେଇ ଯେଉଁ ଚେଣ୍ଟେଇ ବୁଢୀଟା ତୁମ ବୋଉ ବା ମୋତେ ସବୁବେଳେ ଚିଡ଼େ। ମୋ ନାଁ ଧରି ନ ଡାକି ଡାକେ ହତଭାଗା। ତାର ମୋର ଟିକେ ବି ପଡେନି। ମୁଁ କୁଆଡେ ତୁମକୁ ଖାଇଛି ! ମାଆ ପେଟରେ ଥିଲା ବେଳେ ତୁମେ ତ ଠାକୁରଙ୍କ ପାଖକୁ ଚାଲିଗଲ। ତୁମେ କଣ ଖାଇବା ଜିନିଷ ହୋଇଛ ମୁଁ ତୁମକୁ ଖାଇବି ? ଏ ଜେଜେ ମାଆଟା କେମିତି ଏ କଥା ମୋତେ କୁହେ କହିଲ ? କେବେ ଥରେ ଆସି ତାକୁ ବୁଝେଇ ଦେଇ ଯାଅ ।


   ଚିଡିଲେ ବି ଜେଜିମାଆ ବେଳେବେଳେ ମୋତେ ଧରି "ହତଭାଗାଟା ଏକାବେଳେକେ ବୋପା ଦିହ, ମୁହଁ ,ରଙ୍ଗ ଓ ଗୁଣ ଛଡେଇ ଆଣିଛି" କହି ଗେଲ କରି କାନ୍ଦେ।" ଅମୁଟା ମୋର ପିଲା ବେଳେ ଠିକ୍ ତୋରି ପରି ଦିଶୁଥିଲା ରେ ହତଭାଗା।" ବାପା କହିଲ ତୁମ ବୋଉର ଏ କି ଭଲ ପାଇବା ; ରାଗିବ,ଚିଡିବ ପୁଣି ଗେଲ କରିବ ! ଜେଜେ କିନ୍ତୁ ମୋତେ ଭାରି ଭଲ ପାଆନ୍ତି। କୁହନ୍ତି, ମୋ ଅମୁ ପୁଣି ଥରେ ମୋ କୋଳରେ ଆଶୁ ହୋଇ ଜନ୍ମ ହୋଇଛି।ସତରେ କଣ ମୁଁ ତୁମ ପରି କି ବାପା ? ହଉ ବଡ଼ ହୋଇଯାଏ ଗୋଟେ ଫୋଟୋ ଉଠେଇ ତୁମ ଫୋଟୋ ସହ ମିଳେଇ ଦେଖିବି ମୁଁ ତୁମ ପରି କି ନୁହେଁ।


  ଗୋଟେ କଥା ବାପା ମୁଁ ତୁମ ପରି ସବୁଥିରେ ଦିଶି ପାରେ କି ଗୁଣ ଆଣି ପାରେ ମାତ୍ର ତୁମ ପରି ଜମା ଗଂଜେଇ କି ନିଶା ପାଣି ଖାଇବି ନାହିଁ କିମ୍ବା ସମସ୍ତଙ୍କୁ ଦୁଃଖ ଦେଇ ଠାକୁରଙ୍କ ପାଖରେ ନିଶ୍ଚିତ ହୋଇ ରହିବି ନାହିଁ।


   ପ୍ରତିବର୍ଷ ଆମ ଗାଁ ରେ ମହାଦେବଙ୍କ ପାଖରେ ଜାଗରରେ ସାତ ଦିନ ଧରି ଯାତ ହୁଏ।ଗୁଡାଏ ଦୋକାନ ବଜାର ବସେ। ସାତ ଦିନ ଯାକ ଟିକେଟ ସେଲ ଯାତ୍ରା ହୁଏ। ପାଲା ବି ସନ୍ଧ୍ୟାବେଳେ ହୁଏ।ସେ ସମୟରେ ଆମ ଗାଁର ସବୁ ବନ୍ଧୁବାନ୍ଧବ ତାଙ୍କ ବନ୍ଧୁମାନଙ୍କ ଘରକୁ ଆସନ୍ତି ଯାତ୍ରା ଦେଖିବା ପାଇଁ। ବିଦେଶରେ ଚାକିରି କରିଥିବା ଲୋକେ ବି ଏଇ ଜାଗର ଯାତକୁ ଆସନ୍ତି। ଆମ ଗାଁ ଲୋକବାକରେ ଭର୍ତ୍ତି ହୋଇଯାଏ । ସବୁ ବର୍ଷ ଜାଗରକୁ ମୁଁ ଅନେଇଁ ବସିଥାଏ କାଳେ ତୁମେ ଆସିବ ବୋଲି। ତୁମେ କିନ୍ତୁ ଆସ ନାହିଁ। ଏ କଣ ଠିକ୍ କଥା ଠାକୁରଙ୍କ ପାଖେ ରହିବ ବୋଲି ନିଜ ଗାଁ ଯାତ୍ରା କଥା ଭୁଲିଯିବ ?


   ମୋ ମନ ଭାରି ଦୁଃଖ ହୁଏ। ସବୁ ସାଙ୍ଗମାନେ ଲୋକ ଗହଳି ଭିତରେ ଚାଲି ନ ପାରି ତାଙ୍କ ବାପାଙ୍କ କାନ୍ଧରେ ବସି ଯାତରେ ବୁଲନ୍ତି। ମୁଁ କିନ୍ତୁ ଜେଜେଙ୍କ ହାତ ଧରି ସେ ଭିଡରେ ଯାଏ। ମୋ ଜେଜେ ସହ ମୋତେ ଲୋକମାନେ ଠେଲି ପେଲି ପକାନ୍ତି । ତୁମେ ଥିଲେ ତୁମ କାନ୍ଧରେ ରାଜାଙ୍କ ପରି ବସି ଯାତ ଦେଖିବା ମଜା ନେଇଥାନ୍ତି । ମୁଁ ଯାହା କହିଥାନ୍ତି ତୁମେ କିଣି ଦେଇଥାନ୍ତ। ତୁମ ବାପା ଏ ନିଗିଧା ବୁଢା ଗୋଟିଏ ବି ଖେଳନା ଦିଅନ୍ତି ନାହିଁ। ବନ୍ଧୁକଟିଏ କିଣିବାକୁ ଭାରି ମନ। ମୋ ପସନ୍ଦ ବନ୍ଧୁକ ଗୁଡାଏ ଟଙ୍କା ପଡିବ ବୋଲି ଜେଜେ ମୋତେ ହାକ୍ ବାକ୍ ତୋରା କାଢ଼ନ୍ତି। ତୁମେ ଥିଲେ ସେ ବନ୍ଧୁକଟି ଅନ୍ତତଃ ଦେଇଥାନ୍ତ। 


   ବନ୍ଧୁକ ନେଇ ଠାଏ ଠାଏ ଫୁଟାଇବା ଶିଖି ଥାଆନ୍ତି।କାହିଁକି କୁହ ତ ? ଜାଣିନ ? ତୁମେ କେମିତି ଜାଣିବ ? ତୁମେ ସିନା ମୋ ସାଙ୍ଗ ହେଉଥିଲେ ଜାଣିଥାନ୍ତ। ଟାଟା ମୋ ସାଙ୍ଗ ଜାଣିଛି। ହେଇଟି କାନ ଦେଖାଅ ଚୁପ୍ କି କହିବି ; "ମୁଁ ସୈନିକ ହେବି ପା। " ମାଆ ସୈନିକ ହେବି କହିଲେ ଡରେ । ମୋ ସୈନିକ ହେବା କଥା ମାଆକୁ କହିବ ନାହିଁ।


    ଏବର୍ଷ ମୁଁ ସ୍କୁଲ ଯାଇଛି।ସ୍କୁଲରେ ସବୁ ପ୍ୟାରେଣ୍ଟସ ମିଟିଂରେ ସମସ୍ତଙ୍କ ବାପା ଆସିଲା ବେଳେ ମୋ ଜେଜେ ଆସନ୍ତି। ସାର୍ କହିବାରୁ ଏବେ ଜେଜେ ନ ଆସି ମାଆ ଆସୁଛି। ବୁଟୁ କହିଲା ତୁମେ କୁଆଡେ ମରି ଯାଇଛ ବୋଲି ସ୍କୁଲକୁ ଆସୁନ ? ମରିବା କଣ ଡନ୍ ? ତୁମକୁ କେଉଁଠି ଲୁଚେଇକି ବାନ୍ଧି ରଖିଛି ? ଜେଜେ ଥାନାରେ କହି ତୁମକୁ ଖୋଜି ଆଣୁ ନାହାଁନ୍ତି କାହିଁକି ?


    ଗାଁ କୁ ଆଇସିକ୍ରିମ ଵାଲା ଆସିଲେ ସମସ୍ତେ ଦାମିକା ଆଇସିକ୍ରିମ ଖାଇଲା ବେଳେ ମୁଁ ଦୁଇ ଟଙ୍କାର ଆଇସିକ୍ରିମ ଖାଏ। ସେ ପୁଣି ମାସକରେ ଥରେ ଅଧେ। ତୁମେ ଆସିଲେ ମୋ ପାଇଁ ଭଙ୍ଗା ପାନ ପରି କଣ ତା ନାଁ ତ ... ହଁ କୋନ୍ ଭଳି ଚାରିଟା ଦାମିକା ଆଇସିକ୍ରିମ ଆଣିବ ଯେ ଆମେ ସମସ୍ତେ ଗୋଟିଏ ଗୋଟିଏ ବହୁ ସମୟ ଧରି ଚାଟିଚାଟି ଖାଇବୁ।


   ମୋ କଥା ଛାଡ।ମୁଁ ତ ପ୍ରତି ମୁହୂର୍ତ୍ତରେ ତୁମକୁ ଖୋଜେ।ତୁମ କାନ୍ଧ ଖୋଜେ ଯାତରା କି ଭିଡରେ ବୁଲିବା ପାଇଁ ;ପିଠି ଖୋଜେ ଘୋଡା କରିବା ପାଇଁ ; ଆଙ୍ଗୁଳି ଲୋଡ଼େ ଧରି ଚାଲିବି ବୋଲି। ତୁମ ସ୍ନେହ ପ୍ରେମ ଖୋଜେ ଗେଲ ହେବା ପାଇଁ। ଘର ପାଠ ପଢେଇ ଦେବା ପାଇଁ ହେଉ କି ସାଇକେଲ ଧରି ଶିଖାଇବା ସବୁ କଥାରେ ତୁମକୁ ଖୋଜେ ବାପା। ଜଣେ ପୁଅ ପାଇଁ ବାପା କଣ ମୋତେ ପଚାରିଲେ ବୋଧେ ଠିକ୍ ଉତ୍ତର ଦେଇ ପାରିବି।


  ସବୁଠାରୁ ବେଶୀ କଷ୍ଟ ଲାଗେ ଆମ ପଡିଶା ଘର ବଡ଼ ବୋଉ ସାବିତ୍ରୀ ଓଷା କରେ; ନୂଆ ଶାଢ଼ୀ ଚୁଡ଼ି ଓ ସିନ୍ଦୁର ପିନ୍ଧେ କିନ୍ତୁ ମୋ ମାଆ ଏ ଓଷା କରେ ନାହିଁ !!ବଡ଼ ବୋଉ ପରି ସେ ସିନ୍ଦୁର ଲଗାଏ ନାହିଁ କି ନାଲି ନାଲି ଚୁଡ଼ି ପିନ୍ଧେ ନାହିଁ। ତା ଗୋଡ଼ରେ ପାଉଁଜି ବି ନାହିଁ ।ସେ କେବେ ଅନ୍ୟ ମାନଙ୍କ ପରି ସଜବାଜ ହୁଏ ନାହିଁ ! ମୋ ମାଆ ଚୁଡ଼ି ସିନ୍ଦୁର ଲଗାଇବ ଜିଦ୍ ଧରିଲେ ମୋତେ ସମସ୍ତେ ମାରନ୍ତି ଓ କାନ୍ଦନ୍ତି। କୁହନ୍ତି ତୋ ବାପା ପରା ନାହିଁ ମାଆ କେମିତି ଚୁଡ଼ି ସିନ୍ଦୁର ଲଗାଇବ !


   ଇଏ କେମିତି କଥା ବାପା ? ତୁମେ ଯଦି ଗଲ ସାଙ୍ଗରେ ମୋ ମାଆ ସିନ୍ଦୁର ଚୁଡ଼ି କାହିଁକି ନେଇଗଲ ? ମୋତେ ମୋ ମାଆ ଖାଲି ମଥା କି ଖାଲି ହାତ ଜମାରୁ ଭଲ ଲାଗେନାହିଁ । ପାରିବ ଯଦି ଏସବୁ ମୋ ମାଆକୁ ଫେରେଇ ଦେଇ ଯିବ। ମୋ ପାଇଁ ବନ୍ଧୁକ ,ସାଇକେଲ,କେକ୍ କି ଭଲ ମନ୍ଦ ଜିନିଷ ବରଂ ନ ଦିଅ ; ଦେବ କିନ୍ତୁ ମାଆ ପାଇଁ ଚୁଡ଼ି ଓ ସିନ୍ଦୁର। 


   ହଁ ଆଉ ଗୋଟେ କଥା। ମାଆ ରାତି ଅଧରେ ତୁମ ଫଟୋ ଧରି ବହୁତ କାନ୍ଦେ । କେହି ଦେଖି ନାହାଁନ୍ତି।ମୁଁ ଏକା ଦେଖିଛି। ଗୋଟେ ଗୋଟେ ରାତି ମାଆ କାନ୍ଥକୁ ଆଉଜି ତୁମ ଫଟୋ ଧରି ରାତି ପୁହାଇ ଦିଏ। ପଚାରିଲେ କୁହେ,ନିଦ ଲାଗୁନାହିଁ।ତୋ ବାପା ମନେ ପଡୁଛନ୍ତି। ମାଆ ତୁମକୁ ଏତେ ମନେ ପକାଏ ଅଥଚ ତୁମର କଣ ମାଆ ଆଦୋୖ ମନେ ପଡେନି ? 


   ମୋତେ ସମସ୍ତେ ବାପଛେଉଣ୍ଡ ଛୁଆ କୁହନ୍ତି। କେଉଁଠି ଟିକେ ଭୁଲ୍ କଲେ କୁହନ୍ତି ବାପା ନଥିବା ଛୁଆ ଶିଖିବ କେଉଁଠୁ ? ତୁମ ବିନା ଜେଜେ,ଜେଜିମାଆ ଓ ମାଆ

 ଭାରି ଦୁଃଖ ପାଉଛନ୍ତି । ରୋଜଗାର ନାହିଁ ବୋଲି ଆମେ ଭଲ ଖାଇବା କି ପିନ୍ଧିବା ପାଉ ନାହୁଁ। ଜେଜେ ବୁଢା ଲୋକ କେତେ ଖଟିବେ ? ତୁମେ ଯାଇ ଆମ ସମସ୍ତଙ୍କୁ ଦୁଃଖ ହିଁ ଦେଇଗଲ।


  ବାପା ତୁମେ ଯଦି ଗଞ୍ଜେଇ ଖାଇ ନଥାନ୍ତ ମୋତେ ଜେଜେମା ହତଭାଗା ନ ଡାକି ଆଶୁ ଡାକୁଥାନ୍ତା। ଏ ବାପା ମାନେ ଗଞ୍ଜେଇ ଖାଆନ୍ତି କାହିଁକି ଯେ !


    ଏଥରକ ସ୍କୁଲ ବାର୍ଷିକ ଉତ୍ସବକୁ ଆସିବ ନା ? ମୁଁ ଗୀତ, ଗୋଲ ଅକ୍ଷର, ମ୍ୟାଥ ରେସ୍ ଆଉ ପାଠରେ ପ୍ରଥମ ହୋଇ ଚାରିଟା ପୁରସ୍କାର ପାଇବି । ତୁମେ ଆସିବ ନା ବାପା ? ବା ..ପା ଉଁ ଉଁ ଉଁ।


    ଆଶୁ ! ଧନ କଣ ହେଲା ? କି ସ୍ୱପ ଦେଖି କାନ୍ଦୁଛୁ ?


ବାପା ....କହି ମାଆକୁ ମାଡି ବସିଲି। ମାଆ ମୋତେ କୋଳରେ ଜାବୁଡି ଧରି ଭୋ ଭୋ ହେଲା। ମାଆର ଏତେ ଜୋରେ କାନ୍ଦିବା ଦେଖି ମୁଁ ତୁନି ପଡ଼ିଗଲି। ବାପା ତୁମେ ଏତେ ଦୁଷ୍ଟ ! କୁଆଡେ ଯାଇ ରହିଛ ଆଉ ମୋ ମାଆକୁ ସବୁବେଳେ କନ୍ଦାଉଛ ! ତୁମେ ଆଦୋୖ ଭଲ ପିଲା ନୁହଁ ବାପା।




Rate this content
Log in

Similar oriya story from Tragedy