ଟିପି
ଟିପି


ଲଷ୍ମୀଧର ବାମହାତ ବୁଢା ଆଙ୍ଗୁଳିକୁ କାଳିରେ ମାଡି ତ୍ରିଲୋଚନ ରଗଡିଦେଲା ତାର ଖାତାରେ । କହିଲା ,ଲୋକେ ଆଉ ଟିପି ଦେଉଛନ୍ତି? ଦେଖା ବେଗ୍, ମେସିନ ପରି ଓଜନ କରି ଦଶ କିଲୋ ଚାଉଳ ଓଜାଡି ଦେଲା ତ୍ରିଲୋଚନ ବେଗରେ । ଲକ୍ଷ୍ମୀଧର ଲାଜରେ ଚାଉଳ ଧରି ଘରକୁ ଫେରିଲା । ଏମିତି କେତେଥର ଘଟିଛି । ତାର ଝିଅ ମିନକୁ ସ୍କୁଲରେ ନାମ ଲେଖେଇବା ବେଳେ ନରିମାଷ୍ଟ୍ରେ ଦସ୍ତଖତ ଦେବାକୁ କହିଲେ ,ନିଜ ଅକ୍ଷମତା ଦେଖି ସାର ଟିପି ଦେବାକୁ କହିଲେ । ଆଉରି ପୁଅ ଅଗାଧୁ ଟଙ୍କା ପୋଷ୍ଟରେ ପଠାଇଲେ ଟିପି ଦେଇନିଏ ଲକ୍ଷ୍ମୀଧର । ଠିକାଦାର ବାବୁ ଟିପ ନେଇ ଟଙ୍କା ଦିଅନ୍ତି । ହେଲେ ଏହି କଣ୍ଟ୍ରୋଲ ଦୋକାନି ତ୍ରିଲୋଚନ ପାଖରେ ଲକ୍ଷ୍ମୀଧର ଅପଦସ୍ତ ହୁଏ । ପ୍ରତି ମାସରେ ସେ ଚିନି,କିରାସିନି,ଚାଉଳ,ଗହମ ନେବାକୁ ଆସେ, । ନେଇ ଘରେ ଚୁପଚାପ ବସେ,ତ୍ରିଲୋଚନ ବ୍ୟବହାର ତାକୁ ଆଘାତ ଦିଏ । କଦବା ଏ ଗାଁରେ କୋଉଠି ତ୍ରିଲୋଚନ ସହ ଭେଟହେଲେ ମନକୁ ମନ ଝାଉଁଳି ପଡେ ।
ଲକ୍ଷ୍ମୀଧର ବୟସ ପଚାଶ ଟପିଲାଣି । ତାର ସାଙ୍ଗ ସାଥି ତାକୁ ଭଲପାନ୍ତି। ପ୍ରତିଦିନ ଛଇରେ ପଥର କାଟିବା ତାର କାମ । ତାର ସାଙ୍ଗମାନଙ୍କ ସହ ଭୋରୁ ଛଇକୁ ଯାଏ । ସାଙ୍ଗମାନଙ୍କ ଭିତରୁ ରହେମନ ତାର ଦୋସ୍ତ । ଦୁଇଜଣ ବେଳେବେଳେ ଦୁଃଖସୁଖ ହୁଅନ୍ତି । କାମ ମଝିରେ ଦୁଇ ସାଙ୍ଗ ଖୁଡୁମା ଚୋବୋଉଚୋବୋଉ,ରହିମ କହିଲା-ଶୁଣିଲୁ ଭାଇ ବିପି ଏଲ କାଡ଼ ପାଇଁ ମଳିକସାର ଆମ ବସ୍ତିକୁ ଆସିଥିଲେ । ସେଟା ପୁଣି କଣ, ଲଷ୍ମୀଧର ପ୍ରଶ୍ନ କଲା, ରହିମ କହିଲା ଜାର ମାସକୁ ରୋଜକର ଦଶ ହଜାରରୁ କମ ତାକୁ ବିପିଏଲ କାଡ଼ ମିଳିବ । ସରକାରଙ୍କ ଗରିବଲୋକମାନଙ୍କ ପାଇଁ ଯୋଜନା । ଚାଉଳ,ଇଲେକ୍ଟ୍ରି,ମାଗଣା ଚିକିତ୍ସା,କେତେକଣ ସୁବିଧା ଅଛି । ତୁମ ଗାଁ କଣ୍ଟ୍ରୋଲ ଦୋକାନୀ ପାଖୁ ଯାଇ ବୁଝିଆସିବୁ । କଣ୍ଟ୍ରୋଲ ଦୋକାନୀ ନା ଶୁଣି ଲକ୍ଷ୍ମୀଧର ମନରେ ଛନକା ପଶିଲା । କହିଲା ସେ ତ୍ରିଲୋଚନ ଟା ମୋଟେ ଭଲଲୋକ ନୁହେଁ । ଆମେତ ମୁରୁଖ ସେଇକଥା ସବୁବେଳେ କହି ,ମତେ ତାକଥା ଭାରି ବାଧୁଛି । ରହିମ କହିଲା ଦେଖ ନଖିଆ ଭାଇ,ଆମ ବସ୍ତିରେ ରାତିରେ ପାଠପଢା ହେଉଛି । ହେଇ ଦେଖ, ଏଇଟା ଅ,ଆ,ଇ ---- । ମୋ ନାମ ଲେଖୁଛି ଦେଖ । ସେମାନେ ବହି,ସିଲଟ,ଖଡି ଦେଉଛନ୍ତି । ଲକ୍ଷ୍ମୀଧର ବିକଳ ହୋଇ ଉଠିଲା, କହିଲା ଭାଇ ମତେ ଟିକେ ଶିଖେଇ ଦେତ ,ତୁ ମୋର ଦୋସ୍ତ ନୁହେଁ ଗୁରୁ ହେବୁ । ରହିମ କହିଲା ଆଜି ସାମକୋ ଆମର ବସ୍ତିକୁ ଆସେ । ଲକ୍ଷ୍ମୀଧର ଆତ୍ମସନ୍ତୋଷ ପାଇଲା ।
ଲଷ୍ମୀଧର ପାଠ ପଢିଲା । ଅଳ୍ପଦିନରେ ଅକ୍ଷର,ସଂଖ୍ୟା,ପଣିକିଆ ଶିଖି ବହି ପଢିଲା । ହିସାବ ଶିଖିଲା । ଏକକିଲୋ ହଜାରେ ଗ୍ରାମ । କିଲୋକୁ କୋଡିଏ ଟଙ୍କା ତ ଶହେ ଗ୍ରାମକୁ ୨ଟଙ୍କା । କିଲୋଚାଉଳ ଦାମ ଦୁଇ ଟଙ୍କାହେଲେ ଦଶକିଲୋ କୁ କୋଡିଏ ଟଙ୍କା । ଲକ୍ଷ୍ମୀଧର ଏବେ କଣ୍ଟ୍ରୋଲ ଦୋକାନକୁ ଆସିଲା । ତ୍ରିଲୋଚନ ଆଗରୁ କହିଲା, ନଖିଆ ବୁଢା ,ତୋର ବିପିଏଲ ତାଲିକାରେ ନାମ ଅଛି । କୋଡିଏ କିଲୋ ଚାଉଳ ପାଇବୁ । ନେ ଏ ଖାତାରେ ଟିପି ଦେ କହି ତାର ଟିପି ଧରିବାକୁ ଗଲା । ଲକ୍ଷ୍ମୀଧର ହାତ ଟାଣିନେଇ କହିଲା ଦେ କଲମ? କଲମ ଧରି ତାର ନାମଲେଖି ଦେଲା । ଲଷ୍ମଧର ମଳିକ । ତ୍ରିଲୋଚନ କୁ ଲାଗିଲା ଯେପରି ତାର ଛାତିରେ ଲେଖିଦେଉଛି । ତ୍ରିଲୋଚନ ନିରବରେ ନିକିତିରେ ଓଜନକରୁଛି ଚାଉଳ । ଲକ୍ଷ୍ମୀଧର ର ନଜର ତ୍ରିଲୋଚନ ର ଓଜନ ଵଟକରା ଉପରେ । ଗର୍ଜନ କରି କହିଲା , ସେଇଟା କେତେ କିଲୋ? ଦଶକିଲୋ,ତେବେ ମତେ ଖାତାରେ କୋଡିଏ କିଲୋ ଦେବୁବୋଲି ମୁଁ ଦସ୍ତଖତ କଲି, ଦେବୁ ନା ସରପଞ୍ଚକୁ କହିବି । ତ୍ରିଲୋଚନ ଲକ୍ଷ୍ମୀଧର ହାତଧରି ଭୁଲ ମାଗିଲା,ଲଖିଆ ଭାଇ ଭୁଲ ହୋଇଗଲା ,ଦେଉଛି ।
ଲକ୍ଷ୍ମୀଧର ମନେ ମନେ କହୁଥିଲା ଏତେ ଦିନେ ବାଘ ଫାଗକୁ ଦେଖି ଡରୁଛି । ଲକ୍ଷ୍ମୀଧର ତାର ଉଚିତ ମୂଲ୍ୟର ଜିନିଷ ଧରି ଘରକୁ ଫେରୁଛି । ଏବେ ଜାଣୁଛି,ପାଠ ପଢିବା ପାଇଁ କୌଣସି ବୟସର ବ୍ୟବଧାନ ନଥାଏ । ବଜାରରୁ ଖବରକାଗଜ କାଖରେ ଜାକି ଘରକୁ ଫେରେ ଲଷ୍ମୀଧର । ପିଣ୍ଡାରେ ବସି ଖବର ପଢେ । ସରକାରଙ୍କ ଯୋଜନା ଲୋକମାନଙ୍କୁ କୁହେ ।