Padmalaya Padhy

Abstract

4.0  

Padmalaya Padhy

Abstract

ଟେଡି

ଟେଡି

7 mins
511



ଲୁସି...ଲୁସି ! ଗୋଟିଏ ମଣିଷକୁ ଏତେ ଲୋକ ଡାକିଲେ ସେ କଣ କରିବ କେମିତି କରିବ କୁହ l ମମି କହନ୍ତି ମୋତେ ପୁଣି ଜମା ବାର ବର୍ଷ ହେଇଛି ତେଣୁ ବଡ଼ ମାନଙ୍କ କଥାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ l କିନ୍ତୁ ବଡ଼ ମାନେ ଯଦି ବାର ବର୍ଷର ପିଲାଙ୍କ ପରି ବ୍ୟବହାର କରନ୍ତି ତେବେ ସେମାନଙ୍କୁ କିଏ ବୁଝାଇବ ?


ଆଜି ଜାଣିଛୁ ନା କଣ ହେଲା ? ଆଜି ଆମ ମିସ ମମି ଡାଡିଙ୍କୁ ଏକାଠି ଖୋଜିଲେ l ଡିଭୋର୍ସ ହେଲା ପରେ ପ୍ରଥମ ଥର ଆଜି ମମି ଡାଡି ଏକାଠି ଆସିଥିଲେ ଲୋ l ହେଲେ କେହି କାହା ସାଙ୍ଗରେ ପଦେ ବି କଥା ହେଲେନି ଜାଣିଛୁ ନା l ମୋତେ ବହୁତ ବିକଳ ଲାଗିଲା ସେମାନଙ୍କୁ ଦେଖି l ଆମ ହଷ୍ଟେଲ ରେ ମୁଁ କାହାକୁବି କହିନି ଯେ ମୋ ମମି ଡାଡିଙ୍କ ଭିତରେ ଡିଭୋର୍ସ ହୋଇ ଯାଇଛି l ମୋର ଏଠି ତୋ ଛଡା କେହି ସାଙ୍ଗ ନାହାନ୍ତି l ବାଥରୁମ ରେ ବହୁତ କାନ୍ଦିଛି ଆଜି l ଦେଖ ମୋ ଆଖି ନାଲି ହେଇ ଯାଇଛି ନା l


ମୋ ଡାଡି ମମି କାହିଁକି ଅଲଗା ହେଲେ ? ମୋ କଥା ଥରେ ବି ଭାବିଲେନି ? ଝଗଡା କାହା ଘରେ ଅବା ନ ହେଉଛି କହ l ହେଲେ ଏମିତି ଅଲଗା ଅଲଗା କେହି ତ ରହୁ ନାହାନ୍ତି l ସୀମା କହୁଥିଲା ତାଙ୍କ ଘରେ ପୁଣି ନିତି ତାର ବାପା ବୋଉ ଙ୍କ ଭିତରେ ଝଗଡା l କିନ୍ତୁ ସେମାନେ ତ ଅଲଗା ରହୁ ନାହାନ୍ତି l


ସେଦିନ ମମି ଡାଡିଙ୍କୁ ଆଉ ଗୋଟିଏ ଝିଅ ସହିତ ମଲରେ ଦେଖିଲେ l ମମି ମୋତେ ଫୋନ କରନ୍ତି କିନ୍ତୁ ଏକଥା କହି ନାହାନ୍ତି ତ ? ଅବନ୍ତୀ ଆଣ୍ଟି ଙ୍କୁ କହିଲେ ଓ ସେ ହିଁ ମୋତେ କହୁଥିଲେ l ତୁ ହିଁ କହ କିଟି… ଆରେ ତୁ ତ ଗୋଟିଏ ଟେଡି ତୁ କେମିତି କଥା କହିବୁ l ହଉ ନ କହି ପାରିଲେ ବି ଶୁଣ ମୁଁ କଣ କହୁଛି l ଡାଡି କଣ ସତରେ ଆଉ କାହାକୁ…? ହେଲେ ମୋତେ ୱାଚମ୍ୟାନ ଅଙ୍କଲ ଯେଉଁ ମନ୍ତୁରା ପାଣି ଦେଇଥିଲେ ଡାଡି ଙ୍କ ଉପରେ ଛିଞ୍ଚିବା ପାଇଁ ଓ ସେ ପାଣି ପଡିଲେ ମମି ଡାଡି ସବୁଦିନ ପାଇଁ ମିଶି ଯାଇଥାନ୍ତେ ? ସେଇଟା କାଇଁ କାମ କଲା ନାହିଁ ତ ?


ଆଗରୁ ଆମର କେତେ ମଜା ହେଉଥିଲା ଜାଣିଛୁ ? ମମି ଡାଡି ଙ୍କ ସାଙ୍ଗେ ମୁଁ କୋଉ ଯାଗା ଆଉ ନ ବୁଲିଛି କହ l ସେତେବେଳେ ମମି ଡାଡି ଙ୍କୁ ମୋ ଛଡା ଆଉ କୋଉଥିରେ ଆଗ୍ରହ ନଥିଲା ରେ l ଯେତେବେଳେ ଦେଖିଲେ ଖାଲି ଲୁସି ଲୁସି ହେଉଥିଲେ l ମୁଁ ବି ବହୁତ ଫୁଲେଇ ହେଉଥିଲି l ଡାକିଲେ ଶୁଣୁ ନଥିଲି, ଲୁଚି ଯାଉଥିଲି, ଚେଇଁ କି ଶୋଇବାର ଅଭିନୟ କରୁଥିଲି l ଆଉ… ଏବେ… ତ.. ଡାକିବାକୁ ବି କେହି ନାହାନ୍ତି l ବେଲ ବାଜିଲେ ଉଠୁଛି ବେଲ ବାଜିଲେ ଖାଉଛି ଓ ବେଲ ବାଜିଲେ ଶୋଉଛି l


କିଟି ତୋର ମମି ଡାଡି କେହି ନାହାନ୍ତି ଭଲ ହେଇଛି l ନହେଲେ ତୁ ବି ମୋ ଭଳିଆ ଛଟପଟ ହୋଇଥାନ୍ତୁ l ମମି ବି ପୁଣି ଅବନୀ ଅଙ୍କଲ ଙ୍କ ସହିତ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ବିବାହ କରିବେ ବୋଲି ମୋତେ କହୁଥିଲେ l ହଁ ତାଙ୍କୁ ତ ପୁଣି ନିଜର ଖୁସି ଦରକାର ନା ନାହିଁ କହିଲୁ l କେତେ ଦିନ ସେ ଆଉ ଡାଡିଙ୍କୁ ଝୁରିବେ ? ମୋତେ କିନ୍ତୁ ମମି ଙ୍କ ସହ ଅବନୀ ଅଙ୍କଲ ଙ୍କୁ ଦେଖିଲେ ଜମା ଭଲ ଲାଗେନାହିଁ l ସେ ଯୋଉ ଲୋକଟା ଖାଇ ଦେଲା ଭଳିଆ ମୋତେ ଦେଖେ l ମମି ତ କହନ୍ତି ଯେ ଅଙ୍କଲ ପୁଣି ଅତି ସରଳିଆ ଲୋକ l


ହୁଁ ! ସରଳ ନା ଚୋପା l ଲଭ ଇଜ ବ୍ଲାଇଣ୍ଡ l ମମି ଭଲ ପାଇବାରେ ପାଗଳ ହୋଇ ଗଲେଣି l କିଛି ଜାଣି ପାରୁନାହାନ୍ତି l


xxxxxxxxxxxxxxxxxxxxxx


କିଟି ! ଆଜି ମୋତେ ତେଇଶି ପୁରି ଚବିଶ ଚାଲିଲା l ଆଜି ମୋର ଅଫିସ ରେ ସାଙ୍ଗ ମାନଙ୍କ ସହିତ ଗୋଟିଏ ପାର୍ଟି ଥିଲା l ପ୍ରଥମ ଥର ପାଇଁ ଜୀବନରେ ଖୁବ ଉପଭୋଗ କରିଛି ମୁଁ l ଡାଡି ମମିଙ୍କ ପାଖରୁ ଗିଫ୍ଟ ଆସିଥିଲା ମୁଁ ଫେରେଇ ଦେଇଛି l ଆଜି ମୋତେ କେହି ବି ଦରକାର ନାହିଁ l ନା ଡାଡି ନା ମମି ନା ତୁ l ତୁ ବି ଚାହିଁଲେ ଚାଲି ଯାଇ ପାରୁ l ମୋ କଥା କେହି ଭାବିଲେ ନାହିଁ ମୋର କଣ ପଡିଛି କାହା କଥା ବୁଝିବାକୁ l


ତୁ ଦେଖିଛୁ ସେ ପାର୍ଟିରେ ସମ୍ବିତ କେମିତି ମୋତେ ଘୁରି ଘୁରି ଦେଖୁଥିଲା ? ସେ କଣ ତୋତେ ଭଲ ଲାଗେ ? ନା ତୁ ତ କିଛି କହି ପାରିବୁନି l ହେଲେ ସେ ପୁଣି ମୋତେ ଭଲ ପାଉଛି ବୋଲି ରୁପାଲୀ କହୁଥିଲା l ମୁଁ ବି ସମ୍ବିତ କୁ ଦେଖିଲେ କେମିତି ଅନ୍ୟମନସ୍କ ହୋଇଯାଏ l କିନ୍ତୁ ସମ୍ବିତ ଗୋଟେ କେମିତି ପିଲା ନା l ସବୁ ବେଳେ ସମାଲୋଚନା କରେ ମୋତେ l ମୁଁ ପୁଣି ସବୁବେଳେ ଛୋଟ ପିଲା ହୋଇ ରହିବାକୁ ଚାହୁଁଛି ବୋଲି କହେ l ସେଥିପାଇଁ କାଳେ ଟେଡି ଧରି ଶୋଉଛି l


କିଟି ! ତୁ ଯଦି ନଥାନ୍ତୁ ନା ସତରେ ମୁଁ ପାଗଳ ହୋଇ ଯାଇଥାନ୍ତି l ତୋତେ କେମିତି ଛାଡ଼ିବି ପୁଣି l ମୋର ଆଉ କିଏ ଥିଲା ଦୁଃଖ ବୁଝିବାକୁ ? ସମ୍ବିତ ମୋ ଭଳି ଆଜନ୍ମ ଦୁଃଖୀ ନୁହେଁ l ସେ କଣ ଜାଣିବ ମୋର ପୀଡା l ସେ ତ ମଜା ଉଡ଼ାଇବ l

ସେ କହେ ମନକୁ ମନ ଯେଉଁମାନେ କଥା ହୁଅନ୍ତି ସେମାନେ ପୁଣି ପାଗଳ l ମୁଁ କଣ ମନକୁ ମନ କଥା ହେଉଛି କି ? ମୁଁ ପରା ତୋ ସାଙ୍ଗେ କଥା ହେଉଛି l ତୁ ଯଦି କଥା କହି ପାରୁଥାନ୍ତୁ ତେବେ ସମ୍ବିତ କୁ କୁହନ୍ତୁ ଯାଇ ଯେ ଲୁସି ପାଗଳୀ ନୁହେଁ l ଏତେ ଦୁଃଖ ସହି ସହି ପଥର ହୋଇଯାଇଛି l କିଏ ଅଛି ଲୁସିର ? ନା ବାପା ମା ଅଛନ୍ତି ନା ଭାଇ ଭଉଣୀ ଅଛନ୍ତି ନା ସାଙ୍ଗ ସାଥି ଅଛନ୍ତି l


ଜାଣିଛୁ କିଟି ମୁଁ ଯାହାକୁ ଭଲ ପାଉଛି ସେ ମୋତେ ଛାଡି ଚାଲି ଯାଉଛି ବହୁତ ଦୂରକୁ l ଡାଡି ମମି ଚାଲିଗଲେ l ତେଣୁ ସମ୍ବିତ କୁ ମୁଁ ଭଲ ପାଇବି ନାହିଁ l ସେ ବି ଛାଡି ଚାଲିଯିବ l କିନ୍ତୁ କିଟି ତୋତେ ବି ତ ମୁଁ ବହୁତ ଭଲ ପାଏ l କାହିଁ ତୁ ତ ମୋତେ ଛାଡି ଚାଲି ଯାଇନାହୁଁ l କେବେ ବି ମୋତେ ଛାଡି ଯିବୁ ନାହିଁ ହେଲା ? ମୁଁ ମରିଯିବି ଯଦି ତୁ ଚାଲିଯିବୁ l


ବିବାହ ପରେ ତୋତେ ପାଖରେ ରଖିବା ପାଇଁ ସମ୍ବିତ ନିଶ୍ଚୟ ରାଜି ହେବ l ବିବାହ କାହାକୁ କୁହାଯାଏ ଘର କରଣା କେମିତି କରନ୍ତି ମୋତେ କିଏ ଶିଖାଇବ ଭଲା ? ମୋର ତ କେହି ନାହାନ୍ତି ପୁଣି ତୁ ତ ବିବାହ କରିନାହୁଁ l କଲେ ବି କଣ କରି ପାରିଥାନ୍ତୁଯେ ? ତୁ ତ କଥା କହି ପାରୁନୁ l


ମମି ଙ୍କ ଗୋଟିଏ ପୁଅ ଓ ଡାଡିଙ୍କ ଦୁଇଟି ଝିଅ ହେଲେଣି l ଉଭୟେ ସୁଖରେ ଅଛନ୍ତି ତାଙ୍କ ପିଲା ମାନଙ୍କ ସହ l ମୁଁ ତ କାହାର ନୁହଁ ତେଣୁ ମୋତେ ସମସ୍ତେ ଭୁଲି ଗଲେଣି ସିନା ମୁଁ କିନ୍ତୁ ଶେଷ ନିଶ୍ୱାସ ଥିବା ଯାଏଁ ସେମାନଙ୍କୁ ଭୁଲି ପାରିବି ନାହିଁ l ଚାକିରୀ ପାଇବା ଆଗରୁ ଡାଡି ମମି ପ୍ରତି ମାସରେ ଟଙ୍କା ପଠାଉଥିଲେ l ସେଇ ବାହାନା ରେ ମୋ ସହ କିଛିଟା ସମ୍ପର୍କ ବାକି ଥିଲା l ଏବେ ମୁଁ ଚାକିରୀ ପାଇଲା ପରେ ସେତକ ବି ବନ୍ଦ ହୋଇଗଲା l ମୋର ପଇସା କଣ ହେବ ? ମୋ ଲୋକ ମାନେ ତ ପାଖରେ ନାହାନ୍ତି l ତାଙ୍କ ମୁହଁ ଦେଖି ପାରୁନି l ବହୁତ ଛଟପଟ ଲାଗୁଛି l


କିଟି ! ଆଜି କାଲି ମୋର କାମ ସବୁ ଭୁଲଭାଲ କାହିଁକି ହେଉଛି l ମ୍ୟାନେଜର ବହୁତ ବିରକ୍ତ ହେଉଛନ୍ତି l ଦୁଇ ଦୁଇଟା ପ୍ରୋଜେକ୍ଟ ମୋ ହାତରୁ ଚାଲିଗଲା ଲୋ l ମୋର କଣ ହେଉଛି ମୁଁ ଜାଣି ପାରୁନି l ସମସ୍ତେ ସୁଖରେ ଅଛନ୍ତି l ଭଗବାନ ସବୁ ଦୁଃଖ ମୋରି ପାଇଁ ହିଁ ଲେଖିଛନ୍ତି l ସମ୍ବିତ କହୁଥିଲା ଯେ ଟେଡି ସହିତ ଘଣ୍ଟା ଘଣ୍ଟା ଧରି କଥା ହେବା ଓ ଟେଡି ସହିତ ଶୋଇବା ଝିଅକୁ ତାଙ୍କ ଘରେ କୁଆଡେ ବୋହୂର ପଦବୀ ମିଳିବନି l ହଁ ! ନ ମିଳୁ l ମୋତେ ଆଜି ଯାଏଁ କଣ ମିଳିଛି ଯେ ଏଇଟା ମିଳିଲାନି ବୋଲି ଦୁଃଖ କରିବି l


କଣ ହୋଇଛି ମୋତେ ଜାଣିନି ? ସେଦିନ ଭାତ ହାଣ୍ଡି ନେଇ ନଳା ରେ ଫୋପାଡ଼ି ଦେଲା ପରେ ଜାଣିଲି ଯେ ମୋ ପାଇଁ ରୋଷେଇ କରିଥିଲି l ସୁତରାଂ ଭୋକ ରେ ରହିଲି l ପୁଣି ଠାକୁରଙ୍କୁ ଦୀପ ଦେଇସାରି ଦୀପଟିକୁ ନେଇ ଆଲମାରୀ ରେ ରଖି ତାଲା ପକାଇଦେଲି l ସବୁ ଜଳିଗଲା l କିଛି ଭଲ ଲାଗୁନି l ଗୁଡ଼ାଏ ମାନସିକ ଧକ୍କା ସହି ନପାରିଲେ ପାଗଳ ହୋଇଯାନ୍ତି ବୋଲି ଶୁଣିଥିଲି ଏବେ ମୋତେ ଲାଗୁଛି ମୁଁ ବି….l ନ ସହିଲେ ଯିବି କୁଆଡେ ମୋ ପାଇଁ ଅନ୍ୟ ରାସ୍ତା ବି ତ ନାହିଁ l


xxxxxxxxxxxxxxxxxxxxxxx


କିଟି….. କିଟି… କୁଆଡେ ଗଲୁ ଲୋ ମୋତେ ଛାଡି ? ଶେଷରେ ତୁ ବି...? ଦେଖ କେମିତି ଏମାନେ ମୋତେ ଆଣି ପାଗଳଖାନା ରେ ଭର୍ତ୍ତି କରିଛନ୍ତି l ସକ ଦେଲେ ମୁଁ ଭଲ ହୋଇଯିବି ନା ? ସତରେ ମୁଁ ଭଲ ହୋଇଯିବି ? ଯଦି ସତରେ ଭଲ ହୋଇଯିବି ସମ୍ବିତ ମୋତେ ବାହା ହେବ ତ ? ସେ ନିଶ୍ଚୟ ତାଙ୍କ ଘରେ ଯାଇ ମୋ କଥା କହି ପ୍ରସ୍ତାବ ପକାଇବ l ଭଲ ପାଉଛି ସେ ମୋତେ !!


ତୁ କୋଉ କଥା କହିପାରୁଛୁ ଯେ କହିବୁ l କୁଆଡେ ଗଲୁ ଲୋ ମୋ ଧନ ? ମୋତେ ଏଠିକି ଆଣିଲା ବେଳେ ସେମାନେ ତୋତେ କୋଉଠି ଛାଡି ଦେଲେ ନା ଫୋପାଡ଼ି ଦେଲେ ଲୋ ତୋତେ ? ଏଇ ଜାଗାଟା ଆମ ଘର ଠୁ କେତେ ବାଟ ହେବ ଜାଣିନି l ଦିନକୁ ଛଅ ଥର ସକ ଦିଆ ହେଉଛି l ମୁଁ ଭଲ ହେବି କଣ ଦିନକୁ ଦିନ ଖରାପ ଲାଗୁଛି l ପୁରୁଣା କଥା କିଛି ମନେ ନାହିଁ ଆଉ l ମୋତେ ଏଠିକି କିଏ ଆଣିଲା ? ତୁ ଆଣିନାହୁଁ ତ ? ହେଲେ କଣ ସମ୍ବିତ….?


ସମସ୍ତେ ଏଇଠି କଥା ହେଉଛନ୍ତି ଯେ ମୁଁ ଆଉ ଭଲ ହେବିନାହିଁ l ମିଛ କଥା l ଆଗରୁ ତ ଥରେ ସକ ଦିଆ ହେଉଥିଲା ଏବେ ଛଅ ଥର କାହିଁକି ଦିଆ ହେଉଛି ? ମୋତେ ଶୀଘ୍ର ଭଲ କରିବା ପାଇଁ ସମ୍ବିତ ହିଁ ଡାକ୍ତର ମାନଙ୍କୁ ଏମିତି କରିବାକୁ କହିଥିବ l ଡିସେମ୍ବର ରେ ବିବାହ ଯୋଗ ଅଛି l ମୁଁ ଏଠୁ ଶୀଘ୍ର ଭଲ ହୋଇଗଲେ ସମ୍ବିତ କୁ ବିବାହ କରିସାରି ତୋତେ ନେଇ ଶାଶୁ ଘରକୁ ଯିବି l ମୁଁ ଯିବା ଯାଏଁ ତୁ ଘରେ ରହିଥିବୁ l ଘର ଛାଡି କୁଆଡେ ଯିବୁନି ହେଲା l ମୋ ଘର ଲୋକଙ୍କୁ ନିମନ୍ତ୍ରଣ ତୁ ହିଁ କରିବୁ ଯେ l ମୁଁ ନିଜ ମୁହଁରେ ମୋ ବାହାଘର କଥା କେମିତି କହିବି l

ମୁଁ ଜୀବନ ସହିତ ସବୁ ପ୍ରକାର ସାଲିସ କରିବି କିନ୍ତୁ ଡିଭୋର୍ସ ହେବାକୁ ଦେବିନାହିଁ l ଛୋଟ ପରିବାରଟିଏ ହେବ ମୋର l ମୋ ଘରେ ଭରି ହୋଇ ରହିଥିବ ଆଞ୍ଜୁଳା ଆଞ୍ଜୁଳା ଭଲ ପାଇବା ଓ ତ୍ୟାଗ l ହେଲେ କେବେ ଯିବି ଏଠୁ ? କାଲି ସ୍ୱପ୍ନରେ ଦେଖିଲି ଯେ ସମ୍ବିତ ତାର ବିବାହ କାର୍ଡ ଛପାଇ ଆଣି ମୋତେ ଦେଖାଉଛି l ହେଲେ ତା ନାଁ ସହିତ ସ୍ୱରୂପା ବୋଲି ଲେଖା ଯାଇଛି l ଏ ସ୍ୱରୂପା ଟି କିଏ ? ମୁଁ ନୁହେଁ ତ ? ମୋ ନାଁ କଣ ଲୋ ? ସମ୍ବିତ ର ନାଁ ମନେ ଅଛି ଅଥଚ ମୋ ନାଁ ମନେ ପଡୁନି l କିଏ କହିବ ମୋତେ l କାହାକୁ ପଚାରିବି l ସକାଳୁ ସକାଳୁ ଦେଖିଛି ତେଣୁ ସ୍ବପ୍ନ ଟି ସତ ହେବ l ମୁଁ ଯିବା ପର୍ଯ୍ୟନ୍ତ ତୁ ଘରେ ଥିବୁ ହେଲା ?



Rate this content
Log in

Similar oriya story from Abstract