Tankadhar Majhi

Tragedy Inspirational

5.0  

Tankadhar Majhi

Tragedy Inspirational

ତୃପ୍ତି

ତୃପ୍ତି

6 mins
372



ଲୋହିତ ବଲୟ ଭିତରେ ଛନ୍ଦି ହୋଇ ଦିବସର ଅସ୍ତଗାମି ସୂର୍ଯ୍ୟ, ପଶ୍ଚିମ ପାହାଡ଼ ଉପରେ ଠିଆ ହୋଇ ଶେଷ ଦର୍ଶନ ଦେଉଥାଏ । ଚଢ଼େଇମାନେ କାଁଭାଁ ଶବ୍ଦରେ ନିଜନିଜ ବସାକୁ ଫେରିଯିବାକୁ ବ୍ୟଘ୍ର ହେଉଥିବା ବେଳେ ଶାନ୍ତ ହେବାକୁ ଯାଉଥାଏ ପୃଥିବୀର ଗୁଞ୍ଜରଣ । ଯୁଦ୍ଧକାଳୀନ ଭିତ୍ତିରେ ଦିବସକୁ ପରାସ୍ତ କରୁଥାଏ ଅନ୍ଧାରର ଶତବାହୁ ପରାକ୍ରମୀ । 


ସେହି ବେଳାରେ ଗାଁର ନଈ ବାଲି ଗରଡା ଉପରେ ଶାନ୍ତ ଚିତ୍ତରେ ବସିଥାଏ ଝିଅଟିଏ । ଅପଳକ ନୟନରେ ଦେଖୁଥାଏ ଭଗବାନଙ୍କର ହାତ ତିଆରି ପୃଥିବୀକୁ । ସେଇ ଭଗବାନ ଯାହାର ଅଦେଖା ହାତରେ ଶିଳ୍ପୀଟିଏ ପରି ତା ଅବୟବକୁ ମଧ୍ୟ ଯେମିତି ନିଖୁଣ ଭାବରେ ତିଆରି କରିଛନ୍ତି । ତାକୁ ଏ ବିଚିତ୍ର ରଙ୍ଗବେରଙ୍ଗର ଧରାଧାମକୁ ଆଣିଥିବାରୁ ଇଶ୍ବରଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ ଜଣାଉଥାଏ । 


ଅନ୍ଧାରର କୃରତା ଦେଖି ତରତର ହୋଇ ବାଲି ଗରଡାରୁ ଘରକୁ ଫେରି ଆସି ଆଇନାରେ ନିଜ ମୁହଁକୁ ଅନେକ ଥର ଦେଖିଲା ।

ତା ମୁହଁ,ଦେହ କେଜାଣି କେତେଦିନରୁ କୋମଳ ଓ ସୁନ୍ଦର ଦେଖା ଗଲାଣି ସେ ବି ବୁଝି ପାରିଲା ନାହିଁ । ନିଜକୁ ବଗିଚାରେ ଫୁଟିଥିବା ଫୁଲ ସହ ତୁଳନା କଲା ଓ ସେ ସୁନ୍ଦର ଫୁଲ ମଧ୍ୟରୁ ସେ ମଧ୍ୟ ଜଣେ କୋମଳିନୀ । 


-ବୋଉ...ବୋଉ.....ପାଟି କରି ଡାକିଲା ।


-କ..ଣ ହେଲା..କେଉଁଠି ଥିଲୁ..ଏତେ ସମୟ ? 

            ରୋଷେଇ ଘରୁ ଗେହ୍ଲା ବସତଃ କହିଲା ବୋଉ ।


-"ଏଇ ଘର ପଛପଟ ନଇ କୂଳକୁ ଯାଇଥିଲି ବୋଉ ।" 

          ରୋଷେଇ ଘର ଭିତରକୁ ଆସୁ ଆସୁ କହିଲା ଝିଅ ।


-ଏ କ'ଣ ତୃପ୍ତି ? ସବୁଦିନ ସନ୍ଧ୍ୟାରେ ସେଇ ନଇ କୂଳକୁ !!


- "ଜାଣିଛ ବୋଉ..., ସେଇ ନଈ କୂଳ ଆମ ଜୀବନର ଗୋଟିଏ ଅଂଶ ପରି । ନଈ ଓ ନାରୀ ଭିତରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳେ ବୋଉ । ଦେଖୁନ ତୁମ ଜନ୍ମଭୂମୀ କେଉଁଠି ପୁଣି ରହୁଚ କେଉଁଠି ? ନଈ ପାଣି ସଦୃଶ ! ନଈ ପାଣି ମଧ୍ୟ ଗୋଟିଏ ଜାଗାରେ ସୃଷ୍ଟିହୁଏ ଓ ସମୂଦ୍ରକୁ ଯାଇ ବିଲୀନ ହୁଏ ।" 


- "ହଉ..ହେଲା..ଯିବୁ.. .

ତାହେଲେ ତୋ ଭଉଣୀ ନହେଲେ ସାନ ଭାଇକୁ ନେଇକି ଯିବୁ । ନଚେତ୍ ଆଉ ଏକା ଏକା ଯିବୁନି !! ଆଉ ସନ୍ଧ୍ୟା ନ ହେଉଣୁ ସଅଳ ଫେରି ଆସିବୁ ଘରକୁ।" ତାଗିଦ୍ କରି କହିଲା ମାଆ ।


-ମୁଣ୍ଡ ହଲାଇ ହଁ.. ହୁଁ...ରେ ଜବାବ ଦେଲା ଝିଅ । 


ବୋଉର ଆକଟ ସେ ବୁଝିପାରେ ପାରିଲା ନାହିଁ । ପ୍ରକୃତିର ସବୁଠାରୁ ସୁନ୍ଦରତମ ଦୃଶ୍ୟ ଗୋଧୂଳି, ଯେଉଁ ସମୟକୁ ସେ ମନ ଭରି ଉପଭୋଗ କରିଥାଏ । ଗ୍ରାମ୍ୟ ଦୃଶ୍ୟରାଜି ଦେଖି ମନକୁ ଆପ୍ୟାୟିତ କରିଥାଏ । ହେଲେ ବୋଉ ଏକଥା ସବୁ ବୁଝିପାରେ କି ନା ସେ ଜାଣେ ନାହିଁ । ବୋଉ କାହିଁକି ଆକଟ କରନ୍ତି, ବହୁତ ଥର ବୁଝିବାକୁ ଚାହିଁଛି ହେଲେ ବୁଝି ପାରେ ନାହିଁ । 


ବୋଉ କାଟୁଥିବା ପିଆଜର ରାଗରେ ତା ନୟନରୁ ଝରିଗଲା ଦୁଇ ବୁନ୍ଦା ଲୁହ । ବାହାରି ପଡ଼ିଲା ରୋଷେଇ ଘରୁ ବାପା ପାଖକୁ...ବାପା ତାଙ୍କ କୋଠରୀରେ ଥିବା ଟେବୁଲକୁ ଲାଗିଥିବା ଚୌକି ଉପରେ ବସି କ'ଣ ଗୋଟିଏ ପଢୁଥିଲେ...ତୃପ୍ତିର ଶବ୍ଦ ଶୁଣି କହିଲେ-


-ତୃପ୍ତି...ଆଜି ପାଠ ପଢିବୁନି ? 


-"ପଢିବାକୁ ଯାଉଛି ବାପା...।" ଡରି କି କହିଲା ତୃପ୍ତି । 


ବାପା ସ୍ନେହରେ ଅଧିକ ଡର ଥିଲା । ଚୁପଚାପ ବହି ଖୋଲି ବସି ପଡ଼ିଲା ଷ୍ଟଡି଼ ରୁମରେ । ଭାଇ,ଭଉଣୀ ଦୁହେଁ ଅନ୍ୟ କୋଠରୀରେ ବସି ପଢୁଛନ୍ତି କିନ୍ତୁ ଆଜି ତାର ପାଠ ପଢିବାରେ ମୋଟେ ଇଚ୍ଛା ନାହିଁ । ସେ ଚୁପଚାପ ବସିରହିଲା ।


ରୋଷେଇ ଘରୁ ବୋଉ ଖାଇବାକୁ ଡାକିଲେ । ବୋଉ ହାତ ରନ୍ଧାରେ କି ଯାଦୁ ଅଛି କେଜାଣି କାହା ପାଟିରୁ ଆଜି ଯାଏଁ କୌଣସି ଅଭିଯୋଗ ଆସିନାହିଁ । ସମସ୍ତେ ଏକା ସାଙ୍ଗରେ ବସି ଖାଇବା ସମୟରେ ଆଜି ପ୍ରଥମ ଥର ପାଇଁ ତୃପ୍ତି ବୋଉକୁ କହିଲା ।


-"ବୋଉ ମତେ ବି ରୋଷେଇ ଶିଖାଇ ଦଉନୁ, ବାପା ପରି ମୁଁ ବି ତମକୁ ସାହାର୍ଯ୍ୟ କରିପାରିବି ।"


-"ନା ଏବେ ନୁହେଁ ତୃପ୍ତି...ତୁ ଆଉ ଟିକେ ବଡ଼ ହୋଇ ଯା । ସବୁ ଜାଣିଯିବୁ ।"


-ଛୋଟ ଭଉଣୀ ଥଟାରେ କହିଲା- "ନା..ନୀ...ଭେଣେଇ ଘରକୁ ଗଲେ ସବୁ ଜାଣିଯିବ ଯେ ।"

ଟିକିଏ ଲାଜେଇ ଗଲା ତୃପ୍ତି । ସମସ୍ତେ ହସିଲେ...କିଛି ସମୟ କଥା ବାର୍ତ୍ତାରେ ସମୟ ଅତିବାହିତ ହେଲା ପରେ ନିଜନିଜ କୋଠରୀକୁ ଚାଲି ଗଲେ । ବାପା ସହ ସାନ ଭାଇ ଓ ବୋଉ ସାଥିରେ ଦୁଇ ଭଉଣୀ । ତୃପ୍ତି କ'ଣ ଗୋଟେ ଭାବୁ ଭାବୁ କେତେବେଳେ ଶୋଇପଡିଲା ଜାଣି ପାରିଲା ନାହିଁ । 


ସକାଳର ସୁର୍ଯ୍ୟ କିରଣ ଚାରିଆଡକୁ ବିଚ୍ଛୁରିତ ହେଲା । ପୁଣି ନୂତନ ଦିନଟିଏ ଆରମ୍ଭ ହେଲା କିଛି ନୁଆ ଓ ପୁରୁଣା ସ୍ବପ୍ନକୁ ନେଇ । ତୃପ୍ତି ସବୁଦିନ ପରି ଶିଘ୍ର ଉଠିପଡି ପାହାଚରେ ଘର ଉପରକୁ ଦମଦମ ଚଢିଗଲା । 

ପଶ୍ଚିମ ଦିଗକୁ ଥିବା ସବୁଜ ବନରେ ଭର୍ତ୍ତି ପାହାଡ଼କୁ କିଛି ସମୟ ଦେଖିଲା । ପରେ ଘର ଅଗଣାରେ ଥିବା ବଡ଼ ବଡ଼ ବୃକ୍ଷରେ ବସା କରିଥିବା ଛୋଟ ଛୋଟ ଚଢେଇମାନଙ୍କର କିଚିରିମିଚିରି ଶବ୍ଦକୁ ସବୁଦିନ ପରି ଶୁଣିଲା । ଚଢେଇ ଛୁଆ ସବୁକୁ ଦୂରରୁ ସ୍ନେହ କଲା । 


 ଚଢେଇମାନଙ୍କ ସହ ସ୍ନେହ,ଶ୍ରଦ୍ଧା,ପ୍ରେମ ଓ ଘନିଷ୍ଠତା ଆଗ ଅପେକ୍ଷା ତା ପାଇଁ ଅଧିକ ବଢିଛି । ଚଢେଇମାନେ ମଧ୍ୟ ହୋଇସାରିଥିଲେ ଘରର ଗୋଟିଏ ଗୋଟିଏ ସଦସ୍ୟ ସଦସ୍ୟା । ବେଳେବେଳେ ଭାବେ, ସେ ଯଦି ଉଡ଼ି ପାରୁଥାନ୍ତା ତେବେ ଡେଣାମେଲି ସ୍ବାଧୀନରେ ଘୁରିବୁଲୁଥାନ୍ତା ପରୀ ରାଇଜର ଛୋଟ ଛୋଟ ରାଜକୁମାରୀ ଚଢେଇ ପରୀ । 


ଏଥର ବୋଉ ଡାକ ଶୁଣି ଓହ୍ଲାଇ ଆସିଲା ତଲକୁ । ନିତ୍ୟକର୍ମ ସାରି, ଶିଘ୍ର କିଛି ଖାଇ ଦେଇ ତରତର ହୋଇ ବାପାର ସ୍କୁଟିରେ କଲେଜକୁ ବାହାରିପଡିଲା । ସେଦିନରୁ ଆଉ ବାପା ସହ ନଯାଇ ସବୁଦିନ ସାଙ୍ଗମେଳରେ ଗଲା । 


କଲେଜ ଯିବା ଆସିବା ସମୟରେ କେତେ ଯେ ଲୋଲୁପ ଦୃଷ୍ଟି ତା ଶରୀର ଉପରେ ପଡିଛି ସେ କେବେ ହିସାବ କରିଛି ନା କେବେ ହିସାବ କରିବ । କେତେ ଝଡ,ଝଞ୍ଜା, ଜଞ୍ଜାଳ ଓ ଅସହ୍ୟ ପରିସ୍ଥିତି ଭିତରୁ ମୁକୁଳି ସେ ଗ୍ରାଜୁଏଟ୍ ହୋଇସାରିଥିଲା । ସରକାରୀ ଚାକିରୀ ଖଣ୍ଡେ ପାଇବା ପାଇଁ କେତେ ଅଫିସ୍ ଧାଇଁଲା । କେତେ ପରୀକ୍ଷାରେ ଭାଗ ନେଲା, ପାଇଲା ନାହିଁ । ଶେଷରେ ଚିନ୍ତାକଲା ସହରକୁ ଯାଇ କମ୍ପାନୀ ଚାକିରୀ ଖଣ୍ଡେ କରିବ ସେଇଠି ମଧ୍ୟ ଦେଖିଲା ନାରୀ ଲୋଭୀ ରାକ୍ଷସମାନେ ତା ଉପରକୁ ନଜର ନିକ୍ଷେପ କରୁଥିଲେ ।


ତୃପ୍ତିକୁ ଲଜ୍ଜାହୀନ ଦୃଷ୍ଟିରେ ଦେଖିଥିବା ମୁଖ୍ୟ କର୍ମଚାରୀ ଜଣେ ତଳ କର୍ମଚାରୀକୁ ଖବର ଦେଲା । ତଳ ଶ୍ରେଣୀର କର୍ମଚାରୀ ତୃପ୍ତି ନିକଟକୁ ଆସି ଧିରେ ଧିରେ କହିଲା- "ଚାକିରି ସୁନିଶ୍ଚିତ, ଯଦି ଗୋଟିଏ ରାତି ସାରଙ୍କ ସହ ବିତାଇବ ।"


ଅଦିନିଆ ଲୁହ ହଠାତ୍ ତା ଆଖିରୁ ନଈ ବଢ଼ି ପରି ଆଖିପତା ହିଡ଼ ଭାଙ୍ଗି ବହିଗଲା । ସେଠାରୁ ସିଧା ଚାଲି ଯାଇଥିଲା ବସଷ୍ଟାଣ୍ଡକୁ । ବସଷ୍ଟାଣ୍ଡରେ ଏକା ବସି ସବୁ ସହରୀ ଘଟଣାକୁ ମନେ ପକାଉଥିଲା । 

ଏମାନଙ୍କ ଠାରୁ ଅନେକାଂଶରେ ରାବଣ ହିଁ ଠିକ୍ ଥିଲା । ଯିଏ ସୀତା ମାତାର ବିନା ଇଚ୍ଛାରେ ସ୍ପର୍ଶ ମଧ୍ୟ କରିନଥିଲା ।


ଏହିପରି ଅନେକ ଅସହିଷ୍ଣୁ କର୍ମଚାରୀର ହାବୁଡରୁ ମୁକୁଳି ଗାଁକୁ ଫେରି ଆସିଥିଲା । ଚାକିରୀ ପଛରେ ଦୌଡ଼ି ଦୌଡ଼ି ତା ବୟସ ବି ତାକୁ ନିସ୍ତେଜଭରା କରି ଦେଇଥିଲା । 


ସନ୍ଧ୍ୟାରେ ଘରକୁ ପହଞ୍ଚିଲା । ରାତିରେ ନିଦ ନାହିଁ । ଦୁଃଖ ବେଳର ସାଥୀ ଜହ୍ନ ସହ ଟିକିଏ ଦୁଃଖସୁଖ ହେବ ବୋଲି ନିଚ୍ଛଟ ରଜନୀରେ ଏକା ଛାତ ଉପରକୁ ଚଢିଗଲା । ହେଲେ ସେଦିନ ଅହଂକାରୀ ମେଘ ବି ଜହ୍ନକୁ ଲୁଚେଇଦେଲା । ଚଢେଇମାନେ ବି ନିଜ ବସାରେ ଶୋଇ ପଡିଥିଲେ । କାହାକୁ କହି ପାରିଲାନି ବୋଲି, ତା ସବୁ ଦୁଃଖ ଛାତି ଭିତରେ ସିଝି ତରଳି ଗଲା । 

 

ସମୟ କହା ସହିତ ବେଶି ସମୟ ବିତାଇବାକୁ ପସନ୍ଦ କରେ ନାହିଁ । 

ଠିକ୍ ଯେମିତି ତୃପ୍ତି କ୍ଷେତ୍ରରେ ଘଟୁଛି । ଏମିତି ଆଉ କେତେ ବର୍ଷ ବିତାଇବ । ସେ କେତେ ଥର ଆଉ ଘର ଲୋକଙ୍କୁ ମନା କରିବ ।  

ଜୀବନର ସବୁଠାରୁ ବଡ଼ ନିଷ୍ପତି ନେଲା । ସେ ଘର ଲୋକଙ୍କ ଇଚ୍ଛାରେ ବିବାହ କରିବ ! 


ବିଧାତାର ବିଧାନ ବଡ଼ ବିଚିତ୍ର । ତୃପ୍ତିର ବିବାହ ଲଗ୍ନ ସ୍ଥିର ହେଲା ଜଣେ ଅପରିଚିତ ଯୁବକ ସହିତ । ଯାହାର ହାତଧରି ସେ ବାକି ଶେଷ ଜୀବନ ଗୋଟିଏ ଛାତ ତଳେ ବିତାଇବ । 


ବିବାହ ସ୍ଥିର ହେବା ଦିନରୁ ସେ ଆଉ ନଈକୁ ଗଲାନାହିଁ । କେବେ କେବେ ବାପା ବୋଉର କୋଳରେ ଶୋଇ ଛୋଟ ଶିଶୁଟିଏ ପରି କାନ୍ଦିଲା । ସେମାନଙ୍କର ଋଣ ଶୁଝି ନ ପାରି ନଈ ପାଣି ପରି ସବୁ ଦିନ ପାଇଁ ଋଣୀ ହୋଇ ଚାଲିଯିବ ବୋଲି ଦୁଃଖ ଜଣାଇଲା ।


- ହଳଦୀ ଲାଗିଥିବା ନିମନ୍ତ୍ରଣପତ୍ର ବଣ୍ଟାଗଲା । 


ବିବାହ ଦିନରେ ଉପସ୍ଥିତ ହେଲେ ବନ୍ଧୁପରିଜନ ଓ ସାଙ୍ଗ ସାଥି । ତୃପ୍ତିକୁ ରାଣୀ ବେଶରେ ସଜାଗଲା । ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ଚାଲିଲା । ସମସ୍ତଙ୍କୁ ତୃପ୍ତି ତୃପ୍ତ ତ କରିପାରିବ ନାହିଁ, ତଥାପି ଓଠର ପରିସୀମା ବ୍ୟାପ୍ତ କରି ଛୋଟିଆ ସହଟେ ମାରି ତୃପ୍ତି କରିବାକୁ ଚେଷ୍ଟା କଲା । ସେ କେବଳ ଲୁହ ଓ କୋହକୁ ଲୁଚାଇ ପାରିବ ନିଜ ଭିତରେ । ଝରକା ଆଡରୁ ଅନେକ ଲୋକଙ୍କୁ ଦେଖିଲା, ବାପା ଓ ବୋଉକୁ ଛାଡି ସମସ୍ତେ ଖୁସିରେ ଥିଲେ । 


ବର ପହଞ୍ଚିଲା । ସେପଟେ ବାଦ୍ୟ ଘୁମୁରି ଯାଉଥିବା ବେଳେ ଏପଟେ ହୃଦୟ ଗହ୍ବରରେ ପରିବାର ବିଚ୍ଛେଦରେ ତୃପ୍ତି ଘୁମୁରି କାନ୍ଦିଲା । ଯେଉଁ ବାଦଳ ଆଖିରୁ ଦୁଃଖରେ ବର୍ଷା ଝରି ନଈ ସୃଷ୍ଟି ହୋଇଥିଲା, ତାହା ଆଜି ଶୁଖି ଶୁଖି ଯିବାର ଅନୁଭବ କଲା ତୃପ୍ତି ।


ତା ପଦ୍ମ ପାଖୁଡ଼ା ପରି ମୁଖମଣ୍ଡଳ, ନିମ୍ବଫୁଲ ପରି ନାକ ସତେ ଯେମିତି ଝାଉଁଳି ଯାଉଥିଲା ବିବାହ ହୋମ ଶିଖାର ଝାସରେ । ତୃପ୍ତି ବୁଝିବାକୁ ଚେଷ୍ଟା କରୁଥିଲା ବ୍ରାହ୍ମଣର ମନ୍ତ୍ର ଓ ସାଂସାରିକ ମୟାକୁ, ଯାହା ତାରି ମନରେ ସମାନ ମନେ ହେଉଥିଲା । ନଈ ପାଣି ସମୁଦ୍ରରେ ମିଶିବାକୁ ଆଉ ବେଶି ଦୂର ନଥିଲା । ସେ ଯୁବକର ପାଞ୍ଚ ଅଙ୍ଗୁଳି ଭିତରେ ନିଜ ଜୀବନ ଓ ହାତ ରଖି ଚାଲିଯାଉଥିଲା ଅନ୍ଧାର ରାସ୍ତାରେ ଦୂରଦୂରାନ୍ତରକୁ...ଶେଷରେ ବରଯାତ୍ରୀ ଗାଡ଼ିର ପଛ ଲାଲ ଲାଇଟ୍ ସବୁ ଦିପ୍ ଦିପ୍ ଦେଖା ଯାଉଥିଲା....।


- "ଅଧୁରା ଅତୃପ୍ତି ସ୍ବପ୍ନ ନେଇ ତୃପ୍ତି ଚାଲାଗଲା..."

ବାପାର କାନ୍ଧରେ ବୋଉ ମୁଣ୍ଡ ଥୋଇ କାନ୍ଦ କାନ୍ଦ ହୋଇ କହୁଥିଲେ । 


-ଦେଇଥିବା ପରିକ୍ଷାର ଫଳାଫଳ ପାଞ୍ଚ ମାସ ପରେ ବାହାରିଲା । ତୃପ୍ତି ହୋଇ ସାରିଥିଲା ଜଣେ ଦକ୍ଷ ଓ ନିର୍ଭୀକ ଲେଡି ଅଫିସର୍ । 



Rate this content
Log in

Similar oriya story from Tragedy