ତ୍ରିଶଙ୍କୁ
ତ୍ରିଶଙ୍କୁ
ମୋର ଆଜ୍ଞା ଘଣ୍ଟା ଦୋକାନଟିଏ । ଏକ ସ୍ୱତନ୍ତ୍ର ପ୍ରକାର ଗୋଲାକାର ଆଖିଲଖା ଯବକାଚଟିଏ ଭିତରେ ମୋ ଜୀବନ ସରୁଥାଏ ଟିକ୍ ଟିକ୍ ଟିକ୍ । ତାରି ଭିତର ଦେଇ ମୁଁ ଘଣ୍ଟାମାନଙ୍କ ପେଟକୁ ଖୋଲି ଦେଖେ । ଏତେ ସରୁସୂକ୍ଷ୍ମ କାରସାଦିଆ ଯନ୍ତ୍ର ସବୁ ଥାଆନ୍ତି ଯେ ତିଳେ ହଚ୍ କି ମଚ୍ ହେଲ, ତ ଯତ୍ନରେ ସଜିଲ କରିଥିବା ଏ ଯନ୍ତ୍ର ତକ ଏମିତି ବାଗରେ କୁଆଡିକି ଗଡିଯିବେ ଯେ ବ୍ରହ୍ମା ବି କାଇଁ ପାଇବେ ଭଲା ! ତମେ, ଆଉ ତମ ଚାରିପୁରୁଷ ତ ଜାଣି ଛାର ମଣିଷ ।
ପିଲାଦିନେ ମୁଁ ସମସ୍ତଙ୍କ ହାତ ଘଣ୍ଟା ଖୋଲିଦଉଥିଲି । ମୋର ହେତୁ ପାଇବା ପରେ ବି ଏଇ ବିଲକ୍ଷଣ କୌତୁହଳଟି ମୋର କୌଣସି ପ୍ରକାରେ ଦମନ ହେଲାନି । କେମିତି ଆଉ କାହିଁକି ଖୋଲା ଯୋଡା ଯାଏ ସେକଥା ବିଚାରିବା ପରି ବୁଦ୍ଧି ତ ନଥିଲା, ଖାଲି ଶୁଦ୍ଧ ଆଗ୍ରହ ।
ବହେ ବହେ ଛେଚା ଖାଇଲା ପରେ ବି ଯୋଉ କଥାକୁ ସେଇ କଥା । ନିମଗ୍ନ ତପସ୍ବୀ ପରି ମୁଁ ଟିକିନିଖି କରି ଘଣ୍ଟା ଖୋଲୁଥିଲି ଆଉ ବନ୍ଦ କରିବା ଚେଷ୍ଟାରେ ପ୍ରତିଥର ହାରୁଥଲେ ବି ଚେଷ୍ଟା ଛାଡୁନଥିଲି । ଅଗତ୍ଯା ପୁଣି କୁଟା ଖାଉଥିଲି । ବାପା, ଦାଦା, ମାମୁଁ, ଜେଜଙ୍କ ହାତ ଘଣ୍ଟା ପରେ ଘରକୁ ଆସୁଥିବା କୁଣିଆ ମାଉସା ପିଉସାଙ୍କ ଘଣ୍ଟା ବି କୋଉ ବାଦ୍ ପଡୁଥିଲେ କି ! ସେତେବେଳେ ଘଣ୍ଟା ପୁଣି ଯୋଉ ମହରଗ, ଯୌତୁକେ ପ୍ରାପ୍ତ ସମ୍ପତ୍ତି, ଗୋଲଡେନ୍ ବ୍ୟାଣ୍ଡ ।
ପିଲେ ଯେତେବେଳେ ଦାଣ୍ଡ ଧୂଳି ଉଡେଇ ଡେଣା ମାଖିଲା ପରି ଉଡି ଯାଉଥିଲେ ମୁଁ ସେତେବେଳେ ଚେର ଲାଗିଗଲା ଧାନବସ୍ତା ପରି ଲାଥୁକି ଗୋଟିଏ ଯାଗାରେ ବସି ମୋ ସଂଗ୍ରହ ମୁଣିରୁ ଜାଦୁ କଲାପରି ଜିନିଷ ସବୁ କାଢେ ଆଉ ମରାମତି କରେ । ବୋଉର ମୁଣ୍ଡ କଣ୍ଟାଠୁ ଯେ କାନ୍ଥର ପିରିଗକଣ୍ଟା ଯାଏ ଯୋଉଠି ଯାହା ମେକାନିକିଚିଜ ଦିଶିଲା ଗୋଟେଇଲି । ଶ୍ରେଣୀରେ ଗୁରୁଜୀ ପଚାରିଲାବେଳେ, " ବଡ ହେଲେ କିଏ କଣ ହବରେ ? କହିବଟି ... ଜଣ ଜଣ କି ଠିଆ ହେଇକିରି କୁହ ।"
ସମସ୍ତେ କେତେ କଣ ବଡ ବଡ କଥା କୁହନ୍ତି । ମୁଁ ସେମିତି ଥଅ ହେଇ ଠିଆ ହୋଇଥାଏ ପାଟିରେ ଜାବ ପକେଇ, କାହିଁକି ନା କହିବି ଯଦି ଏଇ ସମସ୍ତେ ଏଇଲେ ଘୋଡା ପରି ହେଁ ହିଁ କରି ହସି ଫଟେଇବେ । ମାଷ୍ଟ୍ରେ ବାଡି ଉଞ୍ଚେଇଲେ ଡରକି ଡଗ୍ କରି କହିଦିଏ " ମିସ୍ତ୍ରୀ " । ରାଗରେ ମାଷ୍ଟ୍ରେ ପାଞ୍ଚଣଟା ପିଟି ଦିଅନ୍ତି ଜକା ପାପୁଲିକୁ ଭିଡି ଧରି । ଅସ୍ପଷ୍ଟ ଧ୍ୱନୀଟେ ଶୁଭେ, " ଅଲଜ୍ଜା କୋଉଠିକାର୍ " ।
ମୁଁ ଆହୁରି ଆସ୍ତେ କାହାକୁ ବି ନ ଶୁଭିଲା ପରି ଢୋକି ଦେଇ ପେଟ ଭିତରେ କହେ, "ଘଣ୍ଟା ମିସ୍ତ୍ରୀ" ।
ଯୋଉମାନେ ଯାହା ଯାହା କହିଥିଲେ ସମୟ ଅନୁସାରେ କାହାର ବଦଳିଗଲା ତ କିଏ ବଦଳେଇଦେଲା, ମୁଁ ଖବର ରଖିନି । ମୁଁ କିନ୍ତୁ ସ୍ଥିର ଥିଲି ମୋ ଲକ୍ଷ୍ୟରେ ।
ଘରେ ଆବଶ୍ୟ ଆବଶ୍ୟକତାଠୁ ଅଧିକ ଚେଷ୍ଟା କରୁଥିଲେ ମତେ ଇଞ୍ଜିନିୟରଟେ କରିବାକୁ । "ଏତେ ତ ଭଲ ଯନ୍ତ୍ର କାମ ଜାଣିଛୁ ଖାଲି ସାର୍ଟିଫିକେଟଟେ, ବାସ୍ । ତା ପରେ ଉଡିଯିବୁରେ । ଗାଡି,ବଙ୍ଗଳା, କୋଠା । ଆଲାଦୀନିର ଜାଦୁଇ ଚିରାଗି ଜିନି ତୋ ହାତରେ । ଦୌଡିବା ଶିଖିଯିବୁ ସମୟ ସହ । "
ହେଲେ ଦୌଡିବାକୁ କିଏ ଚାହୁଁଥିଲା ଯେ ମୁଁ ତ ଥିରିକି ବସି ଯନ୍ତ୍ର ସଜାଡୁଥିବା ସ୍ୱପ୍ନ ପାଳୁଥିଲି ଆଖିରେ ।
କଣ ? ଠିକ୍ ତ ?...... ପଚାରୁଥିଲି ନିଜକୁ ।
ଏବେ ମୋ ଚାରିପଟେ ବିଭିନ୍ନ ଆକାର, ଆକୃତିର ସମୟ ଗଣଉଥିବା ଯନ୍ତ୍ର । ଟିକ ଟିକ ଠିକ ଠିକ । କେତୋଟିର ହାତ ଅଚଳ, କେତେକ ସୀମା ଡେଇଁ ସେପାରେ ତ କିଏ ପଛୁଆ ଚାଲୁଛି ଆଣ୍ଠେଇ ପେଟେଇ ମୁହୂର୍ତ୍ତ ସବୁକୁ ଗୋଟେଇ । ମୋର କାମ ସମସ୍ତଙ୍କୁ ଗୋଟିଏ ସରଳରେଖାରେ କଥା କୁହେଇବା । ପାଞ୍ଚକ ଯାଏ ପଣିକିଆ ଘୋଷେଇବା, ବାର ପଞ୍ଚା ଷାଠିଏ ଠି ଥ' ପୁଣି ପାଞ୍ଚ କେ ' ।
ବିଜ୍ଞାନ ଠୁ ପୋଥି ଯାଏ କାହିଁ କେତେ କଥା ଏଇ ଘଣ୍ଟା ଙ୍କୁ ନେଇ ଇଏ କଣ କମ ବର୍ଣ୍ଣାଢ୍ୟ କି ! କଣ ସହଜ ପାଠ !
ମୁଁ ସ୍ଥିର ଚିତ୍ତରେ ସ୍ଥିତିପ୍ରଜ୍ଞଟିଏ ପରି ଏଇଠି ବେକ ତଳୁକୁ କରି ବସିଥାଏ । ବଣିବେକା .....ମାନେ ଯାହାର ବଣି ପରି ବେକ ମ, ଆଗରେ ଝିଣ୍ଟିକାଟେ ଦିଶିଗଲା ତ ବେକ ନା ଟସ୍ ନା ମସ୍ । ଗିଳିଲେ ଯାଇ ଶାନ୍ତି । ଦିନ ଦଶରୁ ରାତି ଦଶ । କିଏ ଯଦି କହନ୍ତା, " ରାତି ଯାକ ଏଇଠି ରହ " ତାହେଲେ ବି ପେଟେ ଖୁସି ହନ୍ତି ।
ଏବେ ମୋର ମାଆଟିଏକୁ ଛାଡିଦେଲେ ଆଉ କେହି କୁଆଡେ ନାହାନ୍ତି । ତେଣୁ ଘରକୁ ବାହୁଡିବାକୁ ପଡେ । ଗୋସେଇଁ ଜେଜଙ୍କର ଖପରାଲି ଚାଳ ଛପର ଘରକୁ ବାପା ତାଙ୍କ ସମୟରେ ଦୋ _ ତାଲା ଇଟା ପଲସ୍ତରା ଠିଆ କରେଇଥିଲେ । ସେଇ ଚଳେ । ବେଶୀ ବି କଣ ହବ ! ଆମ ମାଆ ପୁଅଙ୍କର ବଖରକେରେ ବି ବଳେ । ମୋର ଯାହା ଯେତିକି ରୋଜଗାର ସେଇଥିରେ ଘରକରଣାଠୁ ପଥି ପାଞ୍ଚଣ ଉଠିଯାଏ । ନା ବହକେ ନା ଉତ୍ତୁରେ ।
" ବୋହୁ ଗୋଟା ଆଣେ ଆଣେ କହି ନାକଦଣ୍ଡି ଛିଣ୍ଡିଲାଣି " ନିତି ଭାତ ବାଢିଲା ବେଳେ ମାଆ କହେ । ସିଏ କୋଉ ଜାଣିଛି ମୋର ବୟସ ବାହା ସମୟଠୁ ଢଳି ଗଲାଣି ବୋଲି । ମନ ହେଇନି ବୋଲି ଯେତେ ନୁହଁ ମନ ଦେଇନି କହିଲେ ବେଶୀ ଠିକ ଶୁଭିବ । ଆଉ ଏ କାଳେ ସେ କଥା କି ପାଏ ! ହ ହଉ, ନ ମହୁରୀ ବାଜିଲେ କଣ ହବ, ସାହି ଯାକ ପରା ମୁଁ ଘଣ୍ଟାକକା, ଘଣ୍ଟାମାମୁଁ, ଘଣ୍ଟାଦେଠେଇ, ଘଣ୍ଟାକକେଇ ହରେକ ନାଁରେ ଜଣା । ଯାହାର ଯାହା ଖୋଜା ଲୋଡା ମୋ ଠି ହାଜର । ମେଘ ହଉ କି ତାପ ମୁଁ କଣ କାହାକୁ ମନା କରି ଦେଇଛି ନା ଫେରେଇଛି, ସେଇଥିରେ ମୋର ଆନନ୍ଦ । ମୋର ଅନୁଗତ୍ୟ ପାଳିବା ନ ହେଉ, ସ୍ନେହ ତ କାହିଁରୁ କାହିଁ ଯାଏ । ଶାନ୍ତ, ସ୍ଥିର, ଧିର କଥାବାର୍ତ୍ତା, ବ୍ୟବହାର ହି ମୋର ପୁଞ୍ଜି ପରିଚୟ ।
ମୁଁ ଖୁସି ଥିଲି ।
ମୋର ଧାରଣା ଥିଲା ମୁଁ ଘଣ୍ଟାର ବିଶ୍ୱାମିତ୍ର, ଖୋଦ୍ ସମୟର ଦମ୍ଭ ନାହିଁ ମତେ ହଲେଇଦବ ଏଣିକି ସେଣିକି ।
ମାଆ କିନ୍ତୁ ଭିନ୍ନ କଥା କହୁଥିଲା, "ଯେ ଇଏ ସବୁ କାମ ବରାଦି କରିବାକୁ ଦାଦି_କାକା କରି ଡାକୁଛନ୍ତି ରେ,ତତେ ଖଟଉଛନ୍ତି ଖାଲିଟାରେ । ତୁ ତୋର ସଂସାର କଲୁନୁ ଯେ ଜାଣି ମତେ ଦହଗଞ୍ଜ କରି ପୋଡିମାଇଲୁ । ମୋ ବାଦେ ତୋ ପିଠିରେ କିଏ ସେ ପଡିବ କିରେ ! ଏ ସଂସାରେ ପରା ଆଉ ଦିଆକୁ ଦିଆ ନୀତି ବି ଚଳୁନି । ମୁହଁ ପୋଛ କରି ଚାଲିଯାଉଥାନ୍ତି ଏମିତି ଯେମିତି ଚିହ୍ନନ୍ତିନି । କଣ ହବରେ ତୋର ? "
ସଂସାରି ଲୋକ ସିଏ, ସଂସାର କଥା ହି ଭାବିବ । ତାର ଶାନ୍ତି ସେଇଥିରେ ।
_______
ଆମ ଦୋତାଲା ଘରେ ମୁଁ ଦୋକାନ ଗଲା ପରେ ବୁଢୀଟି ଏକୁଟିଆ । ଗେଜେରେ ଗେଜେରେ ଏଇ ନିମତରେ ଶହେ ଘେରା । ଶେଷକୁ ସ୍ଥିର କଲି ତଳଟାରେ ଆମେ ଚଳୁଛୁ ତ ଚଳିବୁ, ଉପର ଦି ବଖରା ଭଡାରେ ଲାଗୁ । ହେଲା, ଲାଗୁ ଯେ ରହିବ କିଏ ସେ । ଆମେ ଦାଣ୍ଡ ପଟ କବାଟରେ " ଟୁ ଲେଟ୍ " କାଗଜ ପଟଲିରେ ଧଳା କାଗଜ ଚିପିକା ଉପରେ ରଙ୍ଗ ସ୍କେଚ୍ କଲମରେ ଗାଢାକି ଲେଖି ଟାଙ୍ଗିଲୁ । ଏ ଇଂରାଜୀ ଭାଷା ଯିଏ ବାହାର କରିଛି ତା ଚାରି ଖୁରାକୁ ଜୁହାର ସିନା । ଏଇ ଦେଖୁନ " "ଲେଟ୍ "ମାନେ ମଲା, ଗଲା, ଛାଡ, ବିଳମ୍ବ ପୁଣି ଭଡା ନବ । ସବୁ ଶବ୍ଦର ସେମିତି ଗଣ୍ଡେକି ଛ'ଟା ନା ।
ଭଡାଟା ତ ଲାଗିଗଲା ଘରେ ବି ଆଧିପତ୍ଯ ଜମିଲା । ମୋର ଉପର ଘରେ ଥିବା ଘଣ୍ଟା ବଖରାଟି ବଦଳରେ ମୁଁ ତଳେ ଗୋଟେ ବଖରା ତାଙ୍କୁ ଦେଇଥିଲି । କାରଣ ମୋର ଏତେ ଟିଖି ନିଖି ଜିନିଷ ଧରି ଓହ୍ଲାଇ ଆସିବା ସମ୍ଭବ ନଥିଲା । ମୂଳରୁ କହିଦେଇଥିଲି ଯେ ମୋତେ ବହୁତ ରାତିଯାଏ କାମ କରିବା ଅଭ୍ୟାସ ଯୋଗୁଁ ଉପର ବଖରାଟିରେ ମୁଁ ଲାଇଟ୍ ଦେଇ ରହିବି ଓ ଦ୍ୱିତୀୟ କଥା ମୋ ଜିନିଷ ପତ୍ର ଥିବା ସେ ବଖରାଟିକୁ କାହାରି ମଧ୍ୟ ପ୍ରବେଶ ନିଷେଧ, ଯେହେତୁ ମୋର ଛୋଟିଆ କଣ୍ଟା ପିନଟିଏ ବି ଏକର ସେକର ହେଲେ ମୋ ହୃତସ୍ପନ୍ଦନ ବିକଳ । ଘଣ୍ଟା ଆଉ ତା ପେଟର କଣ୍ଟା ସବୁ ମୋ ବଡ ଆପଣାର । କହିଥିଲି ତ ।
ଯିଏ ରହୁଥିଲେ ଭଡା, ତାଙ୍କର ଗୋଟିଏ ଛୋଟିଏ ଝିଅ ଥାଏ । ଚାରି ଛ ମାସ ରହିବା ଭିତରେ ସିଏ ଏବେ ଟିକି ହରିଣୀଟେ ପରି ଆମ ଅଗଣା ଯାକ ଘୁରିବୁଲୁଥାଏ । ତାର ଗୋଟେ ଭାଇ ଥାଏ । ସେଇଟି ବି ବଟକରା ଟିଏ ମ, ଅର୍ଥ ଛୋଟିଆ ଟିଏ ବେଶୀ ବଡ ନୁହେଁ । ତାର ଭାରି ମନ ଯେ ସିଏ ମୋ ଯନ୍ତ୍ର ଘରେ ଥରେ ପଶନ୍ତା ଆଉ ଦେଖନ୍ତା । ତାର ଆଖିରେ ସେଇ ସ୍ୱପ୍ନ ଗୋଟେ ଜିଦ୍ ହେଇ ଉଭୁରୀ ଆସୁଥାଏ । ଏବେ ପ୍ରାୟ ମୁଁ ମୋ ବଖରାର ତାଲା ଖୋଲିବାକୁ ଗଲା ବେଳେ କାନ୍ଥ ସେପଟୁ କୁନି ଗୋଲାପି ହଳୁଟେ ଆଖି, ପାଦ, କାନ ଦିଶେ । ମୋର ସ୍ଥିର ପାଣିରେ କିଏ ଗୋଡି ମାରିଦେଲା ପରି କାମରେ ମନ କମ ଆଖି ତାକୁଇ ନିରେଖି ଖୋଜେ କି କିଛି ଉପାୟ ପାଞ୍ଚୁନି ତ ସିଏ ମଉନିଆ । ଧିରେ ଧିରେ ମୋର ତାକୁ ଦେଖିବା ଆଉ ତାର ମୁଁ କାମରେ ବୁଡି ଯାଇଥିବା ବେଳେ ଗଳିଆସି ଉଣ୍ଡିବା ଆମର ମିଳିତ ଅଭ୍ୟାସରେ ପରିଣତ ହେଇଥିଲା । ହାତ ମିଳେଇଥିଲୁ ଆମେ ସାଙ୍ଗ ପରି । ସିଏ ବି ମୋ ପରି ଥଳିଟିଏ ରଖୁଥିଲା ଯୋଉଥିରେ ବିଭିନ୍ନ ପ୍ରକାର କଣ ସବୁ ପୁରେଇ ଥିଲା । ତାକୁ ବି ବଡ ହେଲେ କଣ ହବୁ ପଚାରିଲେ ତା ' ଆଖି ଉଜ୍ଜ୍ୱଳି ଉଠି ପୁଣି କାହା ଡରରେ ମଉଳି ଯାଉଥିଲା । ମୁଁ ବୁଝୁଥିଲି ଡରଟା କୋଉଠି ।
ମତେ ଲାଗୁଥିଲା ସିଏ ଯେମିତି ମୋର ଛୋଟ ଅବତାର । ତା' ଠି ଗୋଟେ ମାୟା ଲାଗିଲା । ମୁଁ କବାଟରେ ପହଞ୍ଚିବି କି ନାହିଁ ତାକୁ ବାସ୍ନା ହେଲା ପରି ସିଏ ଉଡି ଆସିବ, ଆଉ କହିବ, " ଯିବା? "
ସେଇ ଉପର ମହଲା ଘଣ୍ଟା କାରଖାନାକୁ କୋମଳ ଆଙ୍ଗୁଳିଟି ବଢେଇ ଆଖିରେ ଠାରିବ, " ସେଇଠିକି ଯିବା ? " ।
ମୁଁ ଯଦି ତାକୁ ପଚାରିବି, " ଘଣ୍ଟା ସଜାଡିବୁ? "
କୋଳି ପରି ପାଣି ଢଳଢଳ ଆଖିରେ କହିବ,"ନା " ଆଉ ଆସ୍ତେ କି ମୋ ପାଖରେ ଆସି କହିବ, " ମୁଁ ସମୟକୁ ଜିତିଯିବି । ଘଣ୍ଟା ମତେ ଧରିପାରିବନି । " ଆଉ ତୋର ସେ ମୁଣିରେ କଣ ? ପଚାରିଲେ ଫିକ କରି ହସିଦବ । କହିବ, " ଦିନେ ଦେଖେଇବି । ମୁଁ ଜାଣେ ତମେ ଦେଖିବାକୁ ଜଗିଛ । ଆଚ୍ଛା ଘଣ୍ଟା ପରି ତୁମକୁ ସମୟ ବି ସଜାଡି ଆସେ କି ? " ତା ହସ ଅମ୍ଲାନ ଅମୃତ ପରି ଲାଗେ ।
ମୁଁ କହେ, " ସମୟ ପରା ଘଣ୍ଟା ଭିତରେ କଏଦ । ମତେ ଆସେ ସମୟକୁ ସଜାଡି " ।
ଏମିତି ଆମ ସଙ୍ଗାତପଣ ଗାଢ ହେଉଥିଲା ଦିନୁଦିନ ସିନା ପୋଟଳି ସିଏ ଖୋଲୁନଥିଲା କି ଦେଖଉନଥିଲା ମତେ । ଜିଜ୍ଞାସା ବଦଳରେ ସେଇ ହସଟିଏ ଦେଉଥିଲା ଯାହା ।
ମଣିଷକୁ ଯୋଉ କଥା ମନା, ଲୁଚା ମଣିଷର ସବୁତକ ଏକାଗ୍ର ଚିତ୍ତ ସେଇଠି ନିବିଷ୍ଟ । ନୁହେଁ !
ଦିନେ ସିଏ ଖେଳି ଖେଳି ମୋ ବଖରାରେ ଢେର୍ ବେଳ ଗଡିଯାଇଛି ଆଉ ସିଏ ସେଇଠି ଚଉକିଟିଏରେ ବୋହିଆସିଲା ଦେହଟେ ପରି ଅସାଡ ହେଇ ଲଟକି ଘୁମେଇପଡିଛି । ତା' ହାତରେ ତା ମୁଣିର ଗୋଟିଏ ଭାଗ ଲାଖିଛି ଓ ମେଲା ମୁହଁଟି ମତେ ଆମନ୍ତ୍ରଣ କରୁଛି, " ଏଇତ ସୁଯୋଗ । ଦେଖି ଯା ଅଦମ୍ୟ ପୋଷିତ ଇଚ୍ଛା ସବୁକୁ ତୋର ମୁଣି ଭିତରୁ ଉହୁଁଙ୍କୁ ଥିବା ବେଳେ । " ମୁଁ ମୋ ଅଜାଣତେ ମୋ ଚଉକି ନିଃଶବ୍ଦରେ ପଛକୁ ଉଠେଇ ଥୋଇଲି, କେଁ କରି କାଟକଟୁ ଶବ୍ଦଟା ନ ହେଉ ଯେମିତି ।
ମୋ ଆଖିଲଖା ଜବ କାଚ ସେମିତି ଲାଖିଥାଏ । ଦେଖା ଦେଉଥାନ୍ତି କିଛି କିଛି ସ୍ୱପ୍ନ... ଦରଭଙ୍ଗା, ଅଧାଗଢା... ଆଉ ଦିଶୁଥାଏ ବହି ପରା କିଛି । ସେତିକି ବେଳକୁ ତା ନିଦଟି ତା' ପଲକରୁ ଝଣ୍ କରି ଖସିଚାଲିଗଲା କି, ମୁଁ ଧରା ପଡିଗଲି ।
ଆଉ ଯାଏ କୁଆଡେ, ହାତ ଛନ୍ଦି କାନ ଧରି ଆଣ୍ଠେଇ ଠିଆ ହେଲି ତା' ପାଖକୁ ଅନଧିକାର ଅଧିକାର ଜାହିର କରିଥିବାରୁ ତା ମାଲିକାନା ପାଖରେ । ସେ ଉଠି ବସିଲା । ସଳଖି ତା ବ୍ୟାଗକୁ ଧରିଲା ଆଉ ଅଧାକଢା କରି ସେ ବହି ପରି ଚିଜ ଟିକୁ ମୋ ଆଖିକୁ କେମିତି ଗୋଟେ ବିଶାଳ ସମୁଦ୍ରର ବିଶ୍ୱାସ ନେଇ ଚାହିଁଲା ।
ନିଜ ପ୍ରତି ଏତେ ଗଭୀର ଭରସା ତା ଆଖି ଦର୍ପଣରେ ଦେଖି ମତେ ଟିକେ ଡର ଲାଗିଲା । ଖଟକିଲା ମନ, କଣ ହେଇପାରେ ଆଗକୁ ।
ନିଜ ପ୍ରତି ବିଶ୍ୱାସ ଆଶା କରୁଥିବା ମଣିଷର ମନଟି ଯେ ସବୁକଥାରେ ଆଗେ ଅବିଶ୍ୱାସକୁ ଖୋଜେ । ତଥାପି ବିଶ୍ୱାସ ବଞ୍ଚିଥାଏ ବୋଲି ପୃଥିବୀ ଘୁରୁଥାଏ ।
ମୁଁ ଅପେକ୍ଷା କରୁଥିଲି ଭିତରୁ । ମୋର ସଦା ସ୍ଥିର ନିଶ୍ଚଳ ଭିତରଟି ଟିକେ ଟିକେ ଦମ୍ ଦମ୍ କରୁଥିଲା କିଛି ଗୋଟେ ହଲ୍ ଚଲ୍ ହବା ଆଶଙ୍କାରେ ।
ସିଏ ପଚାରିଲା, " ଦେଖ ତୁମେ ଏଇଟିକୁ ସଜାଡି ପାରିବ ? ଏଇଟି ସଜଡା ହେଇଗଲେ ଇଏ ଫେରି ଆସିବେ ବୋଲି କହେ ମାଆ । ଏଇ ଯୋଉ କୁନି ପିଲାଟିକୁ ଦେଖୁଛ, ଇଏ ମୁଁ ......." ଆହୁରି ଅନେକ କିଛି କହୁ କହୁ ସିଏ ଧରେଇଥିଲା ମତେ ପୁରୁଣା ଟାଇଟନ ଘଣ୍ଟା ଟିଏ ଯାହାର ଉପର କାଚ ଫାଟିଯାଇଥିଲା ଆଉ ତିନୋଟି ଯାକ କଣ୍ଟା ଖସିପଡିଥିଲେ କେଉଁ ଏକ ଅଜ୍ଞାତ କାରଣେ । ମୁଁ ତାକୁ ଓଲଟେଇପାଲଟେଇ ଦେଖୁଥିଲି ।
ସିଏ ପୁରା କାଢିସାରିଥିଲା ସେଇଟିକୁ ଯୋଉଟି ବହି ନଥିଲା । ଥିଲା ଗୋଟେ ଫ୍ରେମ୍ ଯୋଉଥିରେ ଆଙ୍କି ହେଇଥିଲେ ସ୍ମୃତି ମାନେ ସାଇତା ହେଇ । ଜଣେ ଯୁବକଙ୍କ କୋଳରେ ଶିଶୁଟିଏ ଆଉ କଡକୁ .......
କବାଟ ପଛରୁ ଅପସରି ଯାଉଥିଲେ ହଳେ ଶୁଷ୍କ ପାଦ ନିଜ ଉପସ୍ଥିତିର ଆଭାସ ଜଣେଇଦେବାକୁ ନ ଚାହିଁ ନିଃଶବ୍ଦରେ.....
ହେଲେ ପବନ ତରଙ୍ଗ ଯେ ଭାରି ଅମାନିଆ ।
ମୋର ତପସ୍ୟା ଚହଲିଗଲା ।
