ତନ୍ତୀ ଘାଇ - ଏକ କାହାଣୀ ଭୟର
ତନ୍ତୀ ଘାଇ - ଏକ କାହାଣୀ ଭୟର
ସେଦିନ ୨୦୨୦ ମସିହା ଜୁନ ମାସ ୧୨ ତାରିଖ ଥିଲା ସକାଳୁ ଉଠୁ ଉଠୁ ମୁଁ ବହୁତ ଖୁସି ଥିଲି କାରଣ ମୋତେ ଗାଁକୁ ଛୁଟିରେ ଆସିବାର ମାସଟେ ହେଇଥିଲା କିନ୍ତୁ ଆଜି ଯାଏ କୌଣସି ବୁଲିବା ଜାଗାକୁ ଯାଇ ପାରିନଥିଲି, ତେଣୁ ଗାଁରେ ଥିବା ପୁରୁଣା ବନ୍ଧୁ ମାନଙ୍କଠୁ ବୁଝା ବୁଝି କରି ରାତିରେ ଠିକ କରିଥିଲି କି କାଲି ଯେମିତି ହେଲେ ତନ୍ତୀ ଘାଇକୁ ବୁଲିବାକୁ ଯିବି l କିନ୍ତୁ ମୁଁ ଆଗକୁ ଆସୁଥିବା ମୋ ଜୀବନର ସବୁଠୁ ଭୟାନକ ମୁହୂର୍ତ୍ତରୁ ଅଜାଣତ ଥିଲି l ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି, ମା ହାତର ଉପମା ଖାଇ ଦିନ ୧୧ ଟା ସୁଦ୍ଧା ଜେଜେଙ୍କ ପୁରୁଣା ହରକୁଲେସ ସାଇକଲଟି କୁ ଧରି ବାହାରିପଡିଲି ତନ୍ତୀ ଘାଇ ଅଭିମୁଖେ l
କହିବାକୁ ଗଲେ ତନ୍ତୀ ଘାଇ ଆମ ଘର ପାଖରୁ ଆନୁମାନିକ ୩ କିଲୋମିଟର ହେବ l ତେଣୁ ମୋତେ ସେଠି ପହଂଚିବାକୁ ପନ୍ଦର ମିନିଟରୁ କମ ସମୟ ଲାଗିଲା l ପହଁଚିଲା ପରେ ସେଠାରେ ଥିବା ଶିବ ମନ୍ଦିରରେ ମୁଣ୍ଡିଆଟେ ମାରି ମୋବାଇଲରେ ଆଗ ୪,୫ ଟି ସେଲ୍ଫି ନେଇ ଗଲି ତା' ପରେ କଲେଜର କେତେକ ବନ୍ଧୁ ମାନଙ୍କୁ ଭିଡିଓ କଲ ମାଧ୍ୟମରେ ସେ ବହିଯାଉଥିବା ପ୍ରାକୃତିକ ଦୃଶ୍ୟକୁ ଦେଖାଇଲି l ଦିନବେଳେ ମଧ୍ୟ ସେଠାକାର ସୁଲୁ ସୁଲିଆ ପବନ ମୋ ମନକୁ ଶାନ୍ତ କରି ଦେଉଥିଲା ପକେଟରୁ ଇଅର କର୍ଡ କାଢି କିଛିଟା ରୋମାଣ୍ଟିକ ଗୀତ ଲଗେଇ ଦେଇ ଶୁଣିବାକୁ ଲାଗିଲି l ମନଟା ଭାରି କୁଣ୍ଢେ ମୋଟ ହେଉ ଯାଉଥିଲା ମୋର l
ଏହି ମଧ୍ୟରେ ଦେଢ଼ ଘଣ୍ଟା ବିତି ଯାଇଥିଲା l ମା'ର ମିଠା ଗାଳି ଖାଇବା କଥା ମନେ ପଡିବାରୁ ସାଙ୍ଗେ ସାଙ୍ଗେ ସାଇକଲ ନିକଟକୁ ଯାଇ ବସିଲା ବେଳେ ଜଣେ ବୃଦ୍ଧ ମହିଳା ହଠାତ କେଉଁ ଆଡୁ ଆସି ମୋତେ କହିଲେ - "ବାପରେ କଉଠୁ ଆସିଛୁ"
ଚମକି ପଡି ହସି ଦେଇ ମୁଁ କହିଲି -"ମାଉସୀ ମୁଁ କୁଜହାଲରୁ ଆସିଛି l"
ବୃଦ୍ଧା ଜଣଙ୍କ ସେ ଘାଇରେ ଗାଧେଇବାକୁ ଆସିଥିଲେ ବୋଲି କହିଲେ ଓ ମୋ ସହ ଧୀରେ ଧୀରେ କଥା ହେବାକୁ ଲାଗିଲେ ମୋ ଜେଜେଙ୍କ ନାଁ ପଚାରିଲେ ଓ ମୁଁ ବୁଢା ସାର କହିବାରୁ ତାଙ୍କ ପୁଅ ମୋ ଜେଜେଙ୍କ ପାଖେ ପଢିବାର କଥା କହିଲେ ଏବଂ କାନ୍ଦି କାନ୍ଦି କହିଲେ ଜାଣିଛୁ ବାପା ମୋ ତିନି ପୁଅ ଏଇ ଘାଇରେ ଆକସ୍ମିକ ଭାବେ ପଡି ମରି ଯାଇଛନ୍ତି l ମୁଁ ବି ଟିକେ ଦୁଃଖିତ ହୋଇଗଲି ଓ ତା' ପରେ ମାଉସୀ କେବଳ ତାଙ୍କ ସମ୍ପର୍କୀୟ ମାନେ ଏବଂ ମୋ ଗାଁର କିଛି ଲୋକ ଯେଉଁମାନେ କିଛି ଦିନ ତଳେ ପ୍ରାଣ ତ୍ୟାଗ କରିଛନ୍ତି ତାଙ୍କ ବିଷୟରେ କହିବା ଆରମ୍ଭ କଲେ l ସେମାନେ ସବୁ କିପରି ମୃତ୍ୟବରଣ କଲେ ଏହି ବିଷୟରେ କହି ଚାଲିଲେ ଆଉ ମଝିରେ ମଝିରେ ମୋତେ ଘାଇ ନିକଟକୁ ଡାକିବା ସହ କହୁଥିଲେ ଆସୁନୁ ପୁଅ ଫୋଟୋ ଉଠେଇବୁ ଏଇଠି ଭଲ ଫୋଟୋ ଆସିବ ମୁଁ ଅଛି କିଛି ହବନି ପାଣିକୁ ଡରେନି l
ସେ ସେହି ବ୍ୟକ୍ତି ମାନଙ୍କ ବିଷୟରେ କହି ଚାଲୁଥିଲେ ଓ ଧୀରେ ଧୀରେ ମୋ ହାତ ଗୋଡ଼ ଶୂନ ହେଇ ଯାଉଥିଲା, ମୋ ଦେହବି ଅଚାନକ ଥରିବା ଆରମ୍ଭ କଲା l ଦେଖୁ ଦେଖୁ ମୁଁ ଆଉ ମୋ ଗୋଡ଼ ହାତକୁ ଅନୁଭବ କରି ପାରିଲିନି ଓ ମନରେ ଏକ ଭୟର ଛନକା ପଶି ଯାଇଥିଲା,ରୁମ ମୋର ଟାଙ୍କୁରୀ ଉଠିଥିଲା l
ସେ ବୃଦ୍ଧା ଜଣକ ସେହି ମୃତ ବ୍ୟକ୍ତି ମାନଙ୍କ କଥା କହିବା ଭିତରେ ମୋ ହାତ ଧରି ମୋତେ ଘାଇ ନିକଟକୁ ନେବା ପାଇଁ ଚେଷ୍ଟା କଲେ ଓ ମଝିରେ ମଝିରେ କହୁଥିଲେ ଆସୁନୁ ପୁଅ ଫୋଟୋ ଉଠେଇବୁ l
ଠିକ ସେତିକିବେଳେ ମୋ ମୋବଇଲଟି ବାଜି ଉଠିଲା ହଠାତ ମୋ ଦେହରେ ଯେପରି ଜୀବନ ପଶିଲା ଭଳି ଅନୁଭବ ହେଲା ପକେଟରୁ କାଢି ମୋବଇଲ ଦେଖିବାରୁ ପାଇଲିକି ମା କଲ କରୁଛି,ଉଠେଇବାରୁ ଗାଳିର ବର୍ଷଣ ହେଲା ଓ ମା କହିଲା- "ଆସୁନୁ କଉଠି ଅଛୁ ୧ ଟେ ବାଜିଲାଣି", ମୁଁ ଆଶ୍ଚର୍ଯ୍ୟ ହେଇ ମୋବାଇଲରେ ଦେଖିବାରୁ ଠିକ ୧ ଟେ ବାଜିଥିଲା l
ଏତେ ସମୟ ବୃଦ୍ଧା ଜଣଙ୍କ ସହ କଥା ହେଇଥିବାରୁ ତାଙ୍କୁ ଘରକୁ ଯାଉଛି ବୋଲି କହିଲା ବେଳକୁ ସେ ସେଠାରେ ନଥିଲେ ହଠାତ ଡରିଗଲି ଏଇଠି ତ ଥିଲେ ଗଲେ କୁଆଡେ ହଉ ମୁଁ ଯାଉଛି ମାଉସୀ କହି ସାଇକଲ ପେଡଲ ମାରିବା ବେଳେ ପଛରୁ ଏକ ଶବ୍ଦ ଶୁଣିଲି ଯେ - "ତୋ ବୋଉ ଦୂତିଆ ବ୍ରତ କରିଛି ବୋଲି ବଂଚିଗଲୁରେ ପୁଅ" ଏତିକି ଶୁଣି ଏକ ଲୟରେ ଘରକୁ ଆସି ମା କୁ ଘଟିଥିବା ସବୁ କଥା କହିଲି l
ମା ବି କାନ୍ଦୁଣୁ କାନ୍ଦୁଣୁ ହେଇ ଶୁଖିଲା ଲଙ୍କା ପୋଡିକି ମୋ ଚାରି ପଟେ ବୁଲେଇଲା ଆଉ କହିଲା ତୁ ସେ ଲୁହା ସାଇକେଲ ଉପରେ ବସିଥିଲୁ ସେଥିପାଇଁ ସେ ଆତ୍ମା ତୋତେ କିଛି କରିପାରିଲାନି କାରଣ ଆତ୍ମା ମାନେ ଲୁହା ଜିନଷକୁ ଡରନ୍ତି ଓ ପାଣିରେ ବୁଡେଇ ମାରିବା ପାଇଁ ଘାଇ ପାଖକୁ ଡାକୁଥିଲା l
ଆଉ ସେ ଆତ୍ମାଟି ସେଇ ଘାଇରେ ଅକାଳରେ ମରିଛି ଏଥିପାଇଁ ସେ ସମସ୍ତଙ୍କ ଜୀବନ ସେମିତି ନିଏ, ସେ ତା' ଶିକାର ମାନଙ୍କୁ ଏମିତି ମରିଯାଇଥିବା କଥା କହି କାବୁ କରେ ଓ ତା ପରେ ତାଙ୍କୁ ପାଣିରେ ବୁଡେଇ ଛଟ ପଟ କରି ମାରିଦିଏ l
ଏତିକି ଶୁଣି ଭୟରେ ମୋ ଗୋଡ଼ ହାତ ଥରିବାକୁ ଲାଗିଲା ଆଉ ଭଗବାନଙ୍କୁ ହାତ ଯୋଡି ଧନ୍ୟବାଦ ଦେଲି ମା ହାତରେ ମୋତେ ଆଉଥରେ ଜୀବନ ଦେଇଥିବାରୁ l ତା ପରଠୁ ଆଜି ଯାଏ ମୁଁ ତନ୍ତୀ ଘାଇ ନିକଟକୁ ଯାଇନି l