Parameswar Ojha

Tragedy

3  

Parameswar Ojha

Tragedy

ତମେ ଅଛ

ତମେ ଅଛ

4 mins
269



ପ୍ରଣାମ ନେବ ଶୁବୁ ପାପା ,

ବହୁତ ମନେ ପଡୁଛ ସତରେ, ରାତି ସାରା ସ୍ବପ୍ନରେ ଆସି ପ୍ରୀତି କରୁଛ ଭଲ ମନ୍ଦ କଥା ପଚାରି ବୁଝୁଛ । ଘରଠୁ ବାଡି ଅଗଣା ବାପାଙ୍କ ଦେହ ପା , ଶୁବୁର ପଢ଼ାପଢ଼ି । ମୋର ମୁଣ୍ଡ ବିନ୍ଧା ଆଉ ଜମା ଛାଡୁନଥିବା ଥଣ୍ଡା କଥା । ଭାଗ ଚାଷର ଲାଭ କ୍ଷତି ଆଉ ସବୁ କୋଳାହଳ ଭିତରେ ବି ମୋ ଏକଲାପଣ କଥା ।

ସବୁଥର ମୁଣ୍ଡ ପାଖରେ ବସି ମଥା ଚିପି ଦେଉଥାଅ ପୁଣି ଦେହ ହାତ ଚିପି ଦେଉ ଦେଉ ପଚାର , " ଦିନ ମାନର କାମ କରି ଥକି ପଡୁଛ ନାଁ ସରିତା ? ସେଥିପାଇଁ ତମ ଦେହ ହାତ ମୋଡି ଘସି ଦେଉଛି । ତମେ କଣ ଜାଣିନ ମୁଁ ତମର କେତେ ଯତ୍ନ ନିଏ ? ମୁଁ ତମକୁ କେତେ ଭଲପାଏ ? ତୁମେ ଭଲକି ଜାଣ ସବୁଠୁ ଅଧିକା ମୋ ଗୋଡ଼ ଦୁଇଟା ବିନ୍ଧେ । ସେଥିପାଇଁ ବାହାନାରେ ପ୍ରତିଥର ମୋ ପାଦ ଚିପିବାକୁ ହାତ ବଢାଅ । ମୁଁ ତମ ହାତକୁ ରୋକି ଦେଇ ଯେତେବେଳେ କୁହେ , ନାଇଁ ଥାଉ ପାପ ଲାଗିବ ।

ତମେ ତାପରେ ଟିକେ ରୋକି ଯାଇ କୁହ - " ଆଛା କୁହତ ବାପା ମୋଡିଲେ ପାପ ଲାଗିବ , ବୋଉ ମୋଡିଲେ ବି ପାପ ଲାଗିବ , ମୁଁ ମୋଡିଲେ ପାପ ଲାଗିବ , ତମ ପାଦ ତେବେ କିଏ ଘସି ଦେବ ? କ'ଣ ଶୁବୁ ?

କିଛି ପାପ ଲାଗିବନି ବୁଝିଲ ସରିତା , ପରସ୍ପର ସ୍ନେହ ନିଚ୍ଛକ ଭଲପାଇବା ଥିଲେ ନାଁ ପାପ ସେଠି ବିଲକୁଲ ବସା ବାନ୍ଧି ପାରେନି ।

ଭୋର ପାଞ୍ଚ ରୁ ଉଠି ରାତି ଏଗାର ଯାଏଁ ଘରଠୁ ବାହାର ଯାଏଁ ଖାଲି ଯାବତୀୟ କାମ । ଶାନ୍ତି ରେ କେଇ ଘଡ଼ି ପଲକ ପକେଇ ନିଃଶ୍ବାସ ନେବାକୁ ବି ବେଳ ନଥାଏ ତମକୁ । ଆମ ପରି ତମର ସେଇ ରକ୍ତ ମାଂସ ର ଶରୀର ନାଁ ଅନ୍ୟ କିଛି ? "


 ମନେ ପଡୁଛି ନାଁ ?


ସତ କ‌ହୁଛି ଶୁବୁ ପାପା , ତମର ଏଇ କେଇ ପଦ କଥାରେ ନାଁ ମୋ ଦିନ ଯାକର ସବୁ ସରିପିଡା ମେଣ୍ଟିଯାଏ । ଆଉ ତମେ ସବୁଦିନ ଅଧ ରାତିରେ ଆସି ମୋତେ ଏମିତି ଯୋଉ ଶାନ୍ତ୍ବନା ଆଉ ସ୍ନେହ ଦିଅନା ? ସେଇ ପୁଲକ ରେ ହିଁ ବାକି ଦିନ ମାନ ଖୁସି ରେ କଟିଯାଏ ପୁଣି ରାତିରେ ତୁମେ ଆସିବା ଅପେକ୍ଷା ରେ ।

ସତ କହୁଛି ଶୁବୁ ପାପା ତମେ ଯୋଉ ଦିନ ରାତିରେ ମୋ ମଥା ଚିପି ଦେବାକୁ ମୋ ସହ ଦୁଃଖ ସୁଖ ହେବାକୁ ନ ଆସ ନାଁ , ତା ପର ଦିନ ବିତିବାକୁ ବହୁତ ଅସହ୍ୟ ଲାଗେ । ସବୁ କାମ ଦାମ କରୁଥାଏ ସିନା , ହେଲେ ଭିତରେ ଭିତରେ ମୁଁ ଛାଟିପିଟି ହେଉଥାଏ । ରାତି ନହେବା ଯାଏ ମୋତେ ଶାନ୍ତି ଲାଗେନି ଗତ ରାତିରେ ଆସି ନଥିଲ ଆଜି ରାତିରେ ଆସିପାର ସେଇ ଅପେକ୍ଷା ଟା କେତେ ଯେ ମଧୁର କେତେ ଯେ କଷ୍ଟ ତୁମେ କେମିତି ବୁଝିବ ଶୁବୁ ପାପା ?


ମନରେ ଆଉ କିଛି ପୁଲକ ନାଇଁ ଶୁବୁ ପାପା ତୁମେ ଗଲା ପରଠାରୁ । ବହୁତ କିଛି ଆଶାଥିଲା ତୁମ ଠାରୁ ଆମ ଦୁହିଁଙ୍କୁ ନେଇ । ବହୁତ ଆଶା ଆଶା ରେ ହିଁ ରହିଗଲା । ତୁମେ ଥିଲା ବେଳେ ଲାଗୁଥିଲା ମୁକ୍ତ ଆକାଶରେ ଉଡି ବୁଲୁଥିବା ଚଢ଼େଇ ଟେ ପରି ହେଲେ ଏବେ ଲାଗୁଛି ଯେମିତି ସମୁଦ୍ର ଭିତରେ କୋଉ ଏକ ଅଜଣା ଦ୍ଵିପରେ ଆତ୍ମୀୟଙ୍କ ବିହୁନେ ହଟହଟା ହେଉଥିବା ଜୀବ ଟିଏ । ଯେତେ ଆପଣାର ଆଖ ପାଖରେ ଥିଲେ ବି ତମ ପରି ଆତ୍ମୀୟଙ୍କ ଅଭାବ କ'ଣ ପୁରଣ ହେଇ ପାରିବ ଶୁବୁ ପାପା ?

ମୋତେ କାଇଁ ଲାଗେନି ।

ମୁଁ ଜାଣେ ଶୁବୁ ପାପା , ତମେ ଯୋଉଠି ବି ଥାଅ ତମ ସରିତା ବିନା ବହୁତ ମନ କଷ୍ଟରେ ଥିବ ବାପା ଆଉ ଶୁବୁ କଥା ବହୁତ ମନେ ପକାଉଥିବ ।

ଏଇ ଶୁଣ , ମନ କଷ୍ଟ କରିବନି କୋଉ ଦିନ । ମୁହଁ ଉପରେ ଟାଣ କଥା କହି ପରେ ଯେମିତି ଗୁମୁରି ଗୁମୁରି କାନ୍ଦି ତକିଆ ଭିଜାଅ ସେମିତି କରିବନି ଯମା ଶୁବୁ ପାପା , ପୁରା ସୁଖରେ ନହେଲେ ପଛେ ପୁରା ଦୁଃଖରେ ବି ଆମେ ମୋଟେ ନାହୁଁ ଜାଣିବ ।

ଶୁବୁର ଏବେ ପଞ୍ଚମ ଶ୍ରେଣୀ ହେଲା , ତମେ ତ ଜାଣିଛ ଛୋଟବେଳୁ ଯେମିତି ଏବେବି ଗଣୀତ ଆଉ ଇଂରାଜୀରେ ସେମିତି ଦୁର୍ବଳ । ସେଥିପାଇଁ ଟିକିନା ପାଖରେ ଟିୟୁସନ କରୁଛି । ସେ ମାସକୁ ପାଞ୍ଚ ଶହ ନେଉଛି । ବାପା ଆଗ ଠାରୁ ଏବେ ଟିକେ ଦୁର୍ବଳ ହୋଇଗଲେଣି ବିଲ ବାଡିକୁ ଆଉ ଏତେ ଟା ଯାଉ ନାହାଁନ୍ତି । ଚାଷ ବାସ କାମ ଦିବା ବୁଝୁଛନ୍ତି । ଲାଭ କ୍ଷତି ମିଶାମିଶା କରି ଯାହା ଯେତିକି ଅମଳ ହେଉଛି ବର୍ଷକ ପାଇଁ ଧାନ ମୁଗ ରଖିବା ପରେ ଆଉ ସବୁ ମଣ୍ଡି ରେ ଦିଆ ଯାଉଛି ।


ଆଉ ହଁ ଦିବାର ଏଇ ବର୍ଷ ଝିଅ ଦେଖା ଚାଲିଛି , ବଡ ମାମୁଁ ସବୁ ଦାୟିତ୍ଵ ନେଇଛନ୍ତି । ସିମନ୍ତପୁର ର ଝିଅ ପସନ୍ଦ ହୋଇଛି ସମସ୍ତ ଙ୍କ ର ମୋର ବି । ବେଶ୍ ସୁନ୍ଦରୀ ଝିଅ ଟେ ଗଢ଼ଣ ଭଲ ଅଛି ଆମ ଦିବା ସାଙ୍ଗ କୁ ଭଲ ମାନିବ । ଝିଅ ମେଟ୍ରିକ୍ ପାସ୍ ପରେ ଘରେ ଅଛି , ଟ୍ରେଲରିଙ୍ଗ୍ ଶିଖିଛି ।

ଦି ଭଉଣୀ ଗୋଟେ ଭାଇ , ସବା ସାନ ଝିଅ ଏ , ବଡ ଝିଅ ର ବାହାଘର ସରିଛି ତା ତଳ ଭାଇଟି ଗାଡ଼ି ଗ୍ୟାରେଜ କରିଛି । ଆଉ ଗୋଟେ ଖୁସି ର କଥା ଶୁଣିବ ସେ ଝିଅ ନାଁ ବି ସରିତା ।

 ଏଇ ଜାଣିଛ ବାପା ନାଁ ତମ କଥା ମନେ ପକାଇ ବେଳେ ବେଳେ ଛୋଟ ଛୁଆ ପରି କାନ୍ଦୁଛନ୍ତି । ଯେତେ ବୁଝାବୁଝି କରି ମନେଇଲେ ବି ଜମା ବୁଝୁ ନାହାନ୍ତି ଅଖିଆ ଅପିଆ ସେମିତି ଶୋଇ ଯାଉଛନ୍ତି ରାତି ରାତି । ଦିବା ଆଗରୁ ଯେମିତି ମୋ ସହ ଥଟ୍ଟା ମଜା କରୁଥିଲେ ଏବେ ଆଉ କରୁନାହାନ୍ତି ମୋଟେ । ମୋତେ ଆଗ କୁହନ୍ତି , ଭାଉଜ ତମେ ସିନ୍ଦୂର ଲଗେଇଲେ ଏତେ ସୁନ୍ଦରୀ କାଇଁ ଦେଖା ଯାଅ ? ହେଲେ ଏବେ ମୋ ଖାଲି ସିନ୍ଥିରେ ନଜର ପଡିଗଲେ ଖାଇବା ଅଧାରୁ ବି ଉଠି ଯାଆନ୍ତି ମୋତେ ଲୁଚେଇ ତାଙ୍କ ଆଖି ଲୁହ ପୋଛିବା ପାଇଁ ।


ଶୁବୁ ଏବେ ବି ରାତି ଅଧରେ ନିଦରେ ବାଉଳି ହେଉଛି ପାପା ପାପା ଚହଳେଇ କାନ୍ଦିକି ଉଠି ବସୁଛି । ଆଉ ମୋ କଥା କ'ଣ କହିବି ତମେ ମୋ ଆଖିରେ ଲୁହ ଦେଖିଲେ ସହି ପାରନି ବୋଲି ମୁଁ ମୋଟେ ଆଉ କାନ୍ଦୁନି ସତ କହୁଛି ଜମା ନୁହେଁ । ଖାଲି ଯାହା ଟିକେ ଭିତରେ ଭିତରେ ସରି ସରି ଯାଉଛି ତମେ ରାତିରେ ମୋ ପାଖକୁ ନ ଆସିଲେ । ଶୁଣ ଶୁବୁ ପାପା ତମେ ଯୋଉଠି ବି ଥାଅ ସବୁ ରାତିରେ ମୋ ସହ ଭଲ ମନ୍ଦ କଥା ହେବାକୁ ମୋ ମଥା ଥାପି ଦେଇ ମୋତେ ସ୍ନେହ କରିବାକୁ ନିଶ୍ଚୟ ଆସିବ । ଗୋଟେ ବି ରାତି ତୁମ ଅପେକ୍ଷାରେ ବ୍ୟତିବ୍ୟସ୍ତ କରାଇ ମୋତେ ଘାଣ୍ଟି ଚକଟି ବନି । ନିଶ୍ଚୟ ଆସିବ ।

    ରହୁଛି ଶୁବୁ ପାପା

           ତମ ସ୍ନେହ ରକୁଣୀ ସରିତା ।


Rate this content
Log in

Similar oriya story from Tragedy