ତଳଦିଗେ ପୂର୍ବଭାଗେ ବିଜେ ଆଖଣ୍ଡଳମଣି
ତଳଦିଗେ ପୂର୍ବଭାଗେ ବିଜେ ଆଖଣ୍ଡଳମଣି
ତଳଦିଗେ ପୂର୍ବଭାଗେ
ବିଜେ ଆଖଣ୍ଡଳମଣି
==============
ପୂତନୀରା ବୈତରଣୀ ଓ ସାଳନ୍ଦୀ ନଦୀର ସଙ୍ଗମ ସ୍ଥଳ ଅନତିଦୂର ଆରଡ଼ି ଗ୍ରାମରେ ବିଜେ କରୁଛନ୍ତି ଆଶୁତୋଷ ବାବା ଆଖଣ୍ଡଳ ମଣି l ଭଦ୍ରକ ଜିଲ୍ଲାର ଆରଡ଼ି, ଏକ କ୍ଷୁଦ୍ର ଜନ ପଦ ହେଲେ ହେଁ ବାବାଙ୍କ ଉପସ୍ଥିତି ଯୋଗୁଁ ଏହା ଏକ ପ୍ରସିଦ୍ଧ ଶୈବ କ୍ଷେତ୍ରର ମାନ୍ୟତା ପାଇଛି l ମଙ୍ଗଳମୟ ଶିବଙ୍କ ଜଟାରେ ଗଙ୍ଗା ଆଶ୍ରୟ ନିଅନ୍ତି l ସେହି ଭଳି, ଉତ୍କଳ ଗଙ୍ଗା ବୈତରଣୀ ତଥା ଉପଗଙ୍ଗା ସାଳନ୍ଦୀ ନଦୀ ବାବା ଆଖଣ୍ଡଳମଣିଙ୍କ ପଦଧୌତ କରୁଛନ୍ତି l ଏଣୁ ମଣି ପୁରାଣର ଉଲ୍ଲେଖ ଅଛି :-
ବୈତରଣୀ ସ୍ରୋତ ଧାର ଶୁଭେ ଝର ଝର l
ତହିଁ ମଧ୍ୟେ ମିଶି ଅଛି ସାଳନ୍ଦୀର ଧାର ll
ପୁଣ୍ୟ ବୈତରଣୀ କୁଳେ ଆଖଣ୍ଡଳମଣି l
ଆସ୍ଥାନ ସ୍ଥାପି ଅଛନ୍ତି ଭକ୍ତ ମନ ଜାଣି ll
ଅଦ୍ୟାପି ମଣି ନାମରେ ହେଉଛନ୍ତି ପୂଜା l
ସର୍ବଦା ଦେଉଳେ ତାଙ୍କ ଉଡୁଅଛି ଧ୍ବଜା ll
କବିବର ରାଧାନାଥ ଉଷା କାବ୍ୟରେ ବାବା ମଣିଙ୍କ ଅବସ୍ଥିତିକୁ ଲକ୍ଷ୍ୟ କରି ଲେଖିଛନ୍ତି :-
ଗୋନାସିକା ଶୈଳସୂତା ପୂତ ସ୍ରୋତେ
ଢାଳେ ଯେ ଜଳ l
ପ୍ରକ୍ଷାଳି ସଙ୍ଗମେ ଆଖଣ୍ଡଳମଣି ପାଦ କମଳ ll
ବୈତରଣୀ ଏକ ପବିତ୍ର ନଦୀ l ସୁରେଶ୍ୱରୀ ମାଆ ଗଙ୍ଗାଙ୍କ ଅନ୍ୟ ଏକ ନାମ ବୈତରଣୀ l କପିଳ ସଂହିତା ଅନୁସାରେ ଗଙ୍ଗା, ସପ୍ତଧା ବିଭକ୍ତ ହୋଇ ମର୍ତ୍ତ୍ୟରେ ପ୍ରବାହିତହେଉଛନ୍ତି l ତନ୍ମଧ୍ୟରୁ ଗୋଟିଏ ଧାର ବୈତରଣୀ l ଉଦ୍ଗମ ସ୍ଥଳ ଗୋନାସିକା ଠାରୁ ସାଗର ସଙ୍ଗମ ପର୍ଯ୍ୟନ୍ତ, ଏହାର ତୀରରେ ବିରାଜ ମାନ କରନ୍ତି ବହୁ ଶମ୍ଭୁମନ୍ଦିର l ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଲେ କେନ୍ଦୁଝରର ବ୍ରହ୍ମେଶ୍ୱର, ଶ୍ରୀରାମେଶ୍ୱର, ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ କୀଚକେଶ୍ବର, ଵୀରଞ୍ଚେଶ୍ବର, ଭୀଷ୍ମେଶ୍ଵର, ତାଡ଼କେଶ, ଉତ୍ତରେଶ୍ଵର, ମୄଗେଶ୍ଵର, ଶ୍ରୀ କପିଳେଶ୍ଵର, ଶ୍ରୀଘଟକେଶ୍ୱର, ଶ୍ରୀବଟେଶ୍ୱର, ନୀଳକଣ୍ଠେଶ୍ଵର, ବାଲୁକେଶ୍ଵର ଏବଂ ଯାଜପୁରର ତ୍ରିଲୋଚନେଶ୍ୱର, ପିଣ୍ଡେଶ୍ଵର, ଶ୍ରୀଆଖଣ୍ଡଳେଶ୍ୱର, ସିଦ୍ଧେଶ୍ୱର, ଶ୍ରୀ ବରୁଣେ ଶ୍ବର ପ୍ରଭୃତି l ବୈତରଣୀ ତଟର ସର୍ବ ଶେଷରେ ବିରାଜ ମାନ କରିଛନ୍ତି ଆମ ଉତ୍କଳର ପୂର୍ବଭାଗରେ ପ୍ରଭୁ ଆଖଣ୍ଡଳମଣି l ସେଥି ପାଇଁ ଭକ୍ତମାନେ ପ୍ରଭୁଙ୍କ ନାମରେ ଭଜନ ଗାଆନ୍ତି, "ତଳଦିଗେ ପୂର୍ବ ଭାଗେ ବିଜେ ଆଖଣ୍ଡଳମଣି " ll
ଏହି ଶିବ ଲିଙ୍ଗ ସବୁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗ ବୋଲି ପୌରାଣିକ ଗାଥା ରହିଛି l ବ୍ରହ୍ମ ବୈବର୍ତ୍ତ ପୁରାଣ କହେ ସତ୍ୟ ଯୁଗରେ ବ୍ରହ୍ମା ବୈତରଣୀ ତୀର୍ଥରେ ଯଜ୍ଞପାଇଁ ତପଦ୍ୱାରା ବିଷ୍ଣୁ ପାଦରୁ ମର୍ତ୍ତ୍ୟ ଗଙ୍ଗା ବୈତରଣୀଙ୍କୁ ଆଣି ଥିଲେ l ଏହି ବୈତରଣୀ ଯଜ୍ଞରୁ ମା ବିରଜା ଆବିର୍ଭୁତା ହୋଇ ଥିଲେ l ବୈତରଣୀ ନିର୍ଗତ ହୋଇ ବାଟରେ ଗୁପ୍ତ ହୋଇ ଗଲେ l ସାବିତ୍ରୀ ଏହା ବ୍ରହ୍ମାଙ୍କୁ କହିବାରୁ ଶିବଙ୍କୁ ସନ୍ତୁଷ୍ଟ କରି ବ୍ରହ୍ମା ବୈତରଣୀକୁ ପୁନଃ ପ୍ରବାହିତ କରାଇ ଥିଲେ l ଏଥିପାଇଁ ବ୍ରହ୍ମେଶ୍ୱର ମହାଦେବଙ୍କ ଠାରୁ ଆରମ୍ଭକରି ବୈତରଣୀ କୁଳେକୁଳେ କ୍ରୋଶ ଲିଙ୍ଗ ମାନ ସ୍ଥାପନ କରିଥିଲେ l ସେଇଥିରୁ ଗଢ଼ି ଉଠିଥିଲା ବୈତରଣୀ ଅବବାହିକାର ପ୍ରାଚୀନ ଶୈବ ସଂସ୍କୃତି l ଆଖଣ୍ଡଳମଣିଙ୍କ ଇତିହାସ ବୈତରଣୀର ଇତିବୃତ୍ତ ସହିତ ଜଡ଼ିତ l କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୈତରଣୀ ଓ ବାବା ଆଖଣ୍ଡଳମଣିଙ୍କୁ ତାଙ୍କ ବୈତରଣୀ କବିତାରେ ବର୍ଣ୍ଣନା କରିଛନ୍ତି :-
ସରିତ ଈଶ୍ୱରୀ ମାତଃ ବୈତରଣୀ l
ଉତ୍କଳ ସରିତ କୁଳ ମଥାମଣି ll
ତୋର ଉପକୂଳେ ଆଖଣ୍ଡଳେଶ୍ୱର l
ଆଶ୍ରିଲେ ତ୍ୟଜିଣ କୈଳାଶ ଶିଖର ll
ତହିଁ ଗୋ ଜନନୀ ତୋ କରୁଣା ଝରି l
ପଡୁଅଛି ପାପୀ ତାପି ଶିରୋପରି ll
ସଖୀ ସାଳନ୍ଦୀକୁ କରି ଆଲିଙ୍ଗନ l
ତିନିତୀରେ କରୁ ମଧୁର ଚୁମ୍ବନ ll
ଏକୁଳ ସେକୁଳ ଯାଏ ନାହିଁ ଦେଖା l
ଲିଭି ଯାଇଅଛି ଯହିଁ ସୀମାରେଖା ll
ମଣି କୃପା ବଳେ ତୋ ପୁଣ୍ୟ ନିର୍ଝର l
ଧୋଇ ଘେନିଯାଏ କଳୁଷ ତାଙ୍କର ll
ବାବା ଆଖଣ୍ଡଳମଣି, ବୈତରଣୀ ସାଳନ୍ଦୀ ତଟର ଶୈବ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନ l ସେ ଏହି କଳି ଯୁଗରେ ପ୍ରତ୍ୟକ୍ଷ ଠାକୁର, ପାପୀ ମାନଙ୍କୁ ତାରିବା ପାଇଁ ଏ ପୀଠରେ ବିରାଜମାନ କରିଛନ୍ତି l ଏଣୁ କବିଶେଖର ଚିନ୍ତାମଣି ମହାନ୍ତି ଲେଖିଲେ :-
ଆରଡ଼ି ଗ୍ରାମରେ ବିରାଜନ୍ତି
ଯହିଁ ସ୍ବୟମ୍ଭୁ ତ୍ରିଶୂଳାୟୁଧ l
ଅପରାଧୀ ବ୍ୟକ୍ତି ଜଣା ପଡ଼େ ନାହିଁ
ଛୁଇଁଲେ ବୃଷ କୁକୁଦ ll
ଏହି ମର୍ମରେ ପୁଣି କବିରତ୍ନ ଶ୍ରୀ ଦାମୋଦର ମିଶ୍ର କହିଛନ୍ତି :-
ପୂତ ବୈତରଣୀ ସାଳନ୍ଦୀ ସଲିଳ
କ୍ଷାଳିତ ଆରଡ଼ି ଗ୍ରାମେ l
ବିଜେ ଆଶୁତୋଷ ଆଶୁ ବରପ୍ରଦ
ଆଖଣ୍ଡଳେଶ୍ୱର ନାମେ ll
ଶ୍ରୀଆଖଣ୍ଡଳମଣି ବା ଶୈବ ତୀର୍ଥ ଆରଡ଼ି ଭଦ୍ରକ ଚାନ୍ଦବାଲି ମାଟିରେ ପବିତ୍ର ବୈତରଣୀ ସାଳନ୍ଦୀ ସଙ୍ଗମ ସ୍ଥଳରେ ଅବସ୍ଥିତ ଉତ୍କଳର ପ୍ରୟାଗ କହିଲେ ଅତ୍ୟୁକ୍ତି ହେବ ନାହିଁ l ସାଳନ୍ଦୀ ମା' ଗଙ୍ଗାଙ୍କ ଉପ ଅବତାର ଓ ଏହାର ତୀରଭୂମି ବୈତରଣୀ ତୀର ସଦୃଶ ପାତକ ହାରିଣୀ l କବିଶେଖର ଚିନ୍ତାମଣି ମହାନ୍ତି ସାଳନ୍ଦୀ କାବ୍ୟରେ ବାବା ମଣିଙ୍କ ଅବସ୍ଥିତି ଓ ମହିମାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି :-
ଆନ ତୀର୍ଥ ତୋର ପ୍ରୟାଗ ଉପମ l
ପୂତ ବୈତରଣୀ ତଟିନୀ ସଙ୍ଗମ ll
ଅଧିଷ୍ଠିତ ଯହିଁ ଯୋଗେଶ୍ୱର ହର l
ଆରଡ଼ି ଗ୍ରାମର ଆରଡ଼ି ଈଶ୍ୱର ll
ଯାହାଙ୍କ ମହିମା କଳ୍ପନା ଅତୀତ l
ଦିଗ ଦିଗନ୍ତରେ ହୁଏ ବିଘୋଷିତ ll
ସଦ୍ୟ ଫଳଦାତା ପରମ କୃପାଳୁ l
ଢାଳୁଛନ୍ତି କୃପା ଅକଳିତ କାଳୁ ll
ରୋଗମୁକ୍ତି ଆଶେ ଆସି ରୋଗୀମାନେ l
ଧାରଣା ପଡ଼ନ୍ତି ତାଙ୍କ ପୀଠସ୍ଥାନେ ll
ନିତ୍ୟ କେତେ ରୋଗୀ ହୋଇ ନିରାମୟ l
ଉଚ୍ଚାରନ୍ତି ତାଙ୍କ ନାମେ ଜୟ ଜୟ ll
ଆରଡ଼ି ଧାମର ମହିମା ଅପାର l ବାବାଙ୍କ କୃପାରୁ ଏଠାରେ ଅନ୍ଧ ନୟନଲଭେ l ପଂଘୁ ବିଚରଣ କରି ପାରେ l ନିଃସନ୍ତାନ ସନ୍ତାନ ଲାଭକରେ, ଦନ୍ତାଘାତ ବିଷ ଅବିଳମ୍ବେ ଦୂରହୁଏ l କଳିର ପ୍ରତ୍ୟକ୍ଷଠାକୁର l ଭକ୍ତର ସମସ୍ତ ବାଞ୍ଛା ପୂର୍ଣ୍ଣ କରିବାକୁ ସେ ସମର୍ଥ l ଏଣୁ କୁହାଯାଇଛି:-
ଧନ୍ୟ ସେ ଆଖଣ୍ଡଳମଣି l
ମହା ମହିମା ଶୂଳପାଣି ll
କଳିରେ ପ୍ରତ୍ୟକ୍ଷ ଠାକୁର l
ଡାକିଲେ ଦିଅନ୍ତି ଉତ୍ତର ll
ଆଖଣ୍ଡଳମଣିର ଅର୍ଥ, ଆଖଣ୍ଡଳସ୍ୟ ମଣି l ଅର୍ଥାତ ଇନ୍ଦ୍ରଙ୍କର ପ୍ରଭୁ l କେହି କେହି କହନ୍ତି ସେ ଅଖଣ୍ଡ ମଣ୍ଡଳ ବ୍ରହ୍ମାଣ୍ଡର ଠାକୁର, ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ନାମରେ ବିଦିତ l ସେ ହେଉଛନ୍ତି 'ଅଖଣ୍ଡ ମଣ୍ଡଳାଳାରଂ ବ୍ୟାପ୍ତ ଯେନ ଚରାଚରମ୍ l' ସର୍ବ ଦେବତା ତାଙ୍କର ପୂଜା କରୁ ଥିବାରୁ ସେ ରାମେଶ୍ୱର, ବ୍ରହ୍ମେଶ୍ୱର,ଇନ୍ଦ୍ରେଶ୍ୱର, ବରୁଣେଶ୍ବର, ଭାସ୍କରେଶ୍ୱର, ଯମେଶ୍ୱର ଆଦି ଶିବ ଲିଙ୍ଗ ଭାବେ ପ୍ରକଟ ହୋଇଛନ୍ତି l
ପ୍ରାଚୀନ ଉତ୍କଳରେ ବାର ଶହ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଭଞ୍ଜବଂଶ, ମାଠର ଵଂଶ, ଗଙ୍ଗବଂଶ, ଶୈଳୋଦ୍ଭବବଂଶ,ଭୌମକର ବଂଶ, କେଶରୀ ବଂଶ ରାଜୁତି କରିଥିଲେ l ଏହି ରାଜ ବଂଶ ପ୍ରାୟ ସମସ୍ତେ ଶୈବ ଉପାସକ ଥିଲେ l ଆଖଣ୍ଡଳ ମଣି ପୀଠକୁ କେନ୍ଦ୍ର କରି କନିକାରେ ଭଞ୍ଜବଂଶ, ଭଦ୍ରକରେ ଭୌମକର ବଂଶ ଏବଂ ଯାଜପୁରରେ କେଶରୀ ବଂଶ ରାଜୁତି କରୁଥିଲେ l ଏହି ସମସ୍ତ ରାଜା ଆଖଣ୍ଡଳମଣି ପୀଠର ପୃଷ୍ଠ ପୋଷକତା କରୁଥିଲେ l କିନ୍ତୁ କନିକା ଭଞ୍ଜବଂଶର ଅମରକୀର୍ତ୍ତି ଆଖଣ୍ଡଳମଣି ବୋଲି ପରିଗଣିତ ହୁଏ l କନିକା ରାଜା ହରିହର ଭଞ୍ଜଙ୍କ ରାଣୀ ସତ୍ୟଭାମା ପାଟମହାଦେଈ ଆଖଣ୍ଡଳମଣି ମନ୍ଦିରର ନିର୍ମାତା ବୋଲି ପ୍ରମାଣ ମିଳେ l କନିକା ରାଜ ପଣ୍ଡିତ କବିରତ୍ନ ଦାମୋଦର ମିଶ୍ର ଲେଖିଛନ୍ରି :-
ଇଷ୍ଟଲାଭେ ତୁଷ୍ଟ କନିକାର ରାଜା
ହରିହର ଭଞ୍ଜ ବାମା l
ପୁଣ୍ୟରାଶି ତୁଳ ଯାହାଙ୍କ ଦେଉଳ
ରହିଛନ୍ତି ସତ୍ୟଭାମା ll
କିମ୍ବଦନ୍ତୀ ଅନୁସାରେ ଜଣେ କୃଷକ ହଳ କରୁକରୁ ଆଖଣ୍ଡଳମଣି ଲିଙ୍ଗଙ୍କୁ ପାଇଥିଲା l ଲିଙ୍ଗଙ୍କ ସେହି ଆବିର୍ଭାବ ସ୍ଥଳୀରୁ ଆ ରଡ଼ି ରଟିତ ହେଲା, ଏଣୁ ସ୍ଥାନର ନାମ ହେଲା ଆରଡ଼ି l ଏହି ମର୍ମରେ ଗୋଟିଏ ଭଜନ ଶୁଣିବାକୁ ମିଳେ :-
ଜୟ ଆଖଣ୍ଡଳମଣି ହେ ଜୟ ଆରଡ଼ି ନାଥ l
ଦୁଃଖୀ ଦୁଃଖ ଖଣ୍ଡିବାକୁ ହେ ପ୍ରଭୁ ହେଲ ଉଦିତ ll
ହରଡ଼ ବୁଣିବ ହଳୁଆ କରୁଥିଲା ଯେ ହଳ l
ଫାଳମୁନ ବାଜି ଖଣ୍ଡନହେଲା ତୁମ୍ଭ କପାଳ ll
ବାବାଙ୍କ ମହିମା କ୍ରମେ ପ୍ରକଟିତ ହେବାରୁ ବାବାଙ୍କର ଆବିର୍ଭାବ ସ୍ଥଳୀରେ ତତ୍କାଳୀନ ଜମିଦାର ନୀଳାଦ୍ରି ସମର ସିଂହ ମହାପାତ୍ର ଏକ କାଷ୍ଠ ମନ୍ଦିର ନିର୍ମାଣ କରିଥିଲେ l ତାଙ୍କର ଜନୈକ ଉତ୍ତର ପୁରୁଷ ସନ୍ଥ ଚରଣ ସମର ସିଂହ ମହାପାତ୍ର ବାବା ମଣିଙ୍କର ଏକ ଭଜନରେ ଲେଖିଛନ୍ତି :-
ପୁଣ୍ୟ ବୈତରଣୀ କୂଳରେ ଗ୍ରାମ ଆରଡ଼ି ଖ୍ୟାତ l
ନୀଳାଦ୍ରୀ ସମର ସିଂହଙ୍କ ଥିଲା ପୂର୍ବେ ରାଜତ୍ୱ ll
******
କିଛି ଦିନ ପରେ ନୀଳାଦ୍ରୀ ବିନ୍ଧାଣିଙ୍କୁ ଡକାଇ l
କାଠର ମନ୍ଦିର ଗୋଟିଏ ଶୀଘ୍ର ଦେଲେ ତୋଳାଇ ll
******
କନିକାର ପାଟରାଣୀଙ୍କୁ ଯହୁଁ ହେଲା ସପନ l
ପଥରର ଏକ ଦେଉଳ ରାଣୀ କଲେ ନିର୍ମାଣ ll
କନିକାର ରାଜା ଶ୍ରୀହରିହର ଭଞ୍ଜଙ୍କ ପାଟରାଣୀ ସତ୍ୟଭାମା ଜଣେ ଧର୍ମପ୍ରାଣା ରମଣୀ ଥିଲେ l କନିକା ରାଜଧାନୀ ରିଗାଗଡ଼ଠାରୁ ଆରଡ଼ି ଦୁର୍ଗମ ଜଳ ପଥରେ ପ୍ରାୟ ଆଠ / ଦଶ ମାଇଲ ଦୂର l ତଥାପି ରାଜା ପ୍ରତ୍ୟହ ଆସି ଆଖଣ୍ଡଳମଣିଙ୍କୁ ଦର୍ଶନ କରୁଥିଲେ l ସେ ନ ଫେରିବା ପର୍ଯ୍ୟନ୍ତ ରାଣୀ ଜଳ ସୁଦ୍ଧା ସ୍ପର୍ଶ କରୁ ନ ଥିଲେ l କୌଣସି କାରଣରୁ ବାବାଙ୍କ ଦର୍ଶନ ନହୋଇ ପାରିଲେ ସେଦିନ ସମ୍ପୂର୍ଣ୍ଣ ଉପବାସ ରୁହନ୍ତି ରାଜ ଦମ୍ପତ୍ତି l ତାଙ୍କର ଏତାଦୃଶ କ୍ଳେଶ ଦେଖି ଦିନେ ବାବାମଣି ସ୍ୱପ୍ନାଦେଶ ଦେଲେ ରିଗା ଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ l ସ୍ୱପ୍ନାଦେଶ ଅନୁସାରେ ସେଠାରେ ଆଖଣ୍ଡଳେଶ୍ୱର ଶିବଲିଙ୍ଗ ସ୍ଥାପନହେଲା l ରାଣୀ ସତ୍ୟଭାମା ପରେ ରତ୍ନଗିରି ଓ ଲଳିତ ଗିରିରୁ ପଥର ଅଣାଇ ଆରଡ଼ି ଠାରେ ବାବାଙ୍କ ଭବ୍ୟ ମନ୍ଦିର ନିର୍ମାଣ କଲେ l କବିରତ୍ନ ଦାମୋଦର ମିଶ୍ର ବାବାଙ୍କ ଦେଉଳ ତୋଳାକୁ ବର୍ଣ୍ଣନା କରି ଲେଖିଛନ୍ତି :-
ବଇତରଣୀରୁ ପ୍ରଣାଳୀ ଖୋଳି କୋଶରୁ ଦୂର l
ଆରଡ଼ି ଗ୍ରାମକୁ ଏ ପଥେ ନେଇ ଶିଳା ପ୍ରଚୁର ll
ସେହି ଆଖଣ୍ଡଳେଶ୍ୱରଙ୍କୁ ବିତରିଲେ ପ୍ରସାଦ l
ସ୍ବାମୀ ଲଭିଥିଲେ ଦର୍ଶନେ ଯେଉଁ ଶିବପ୍ରସାଦ ll
ଓଡ଼ିଶାରେ ଶିବ ଉପାସନା ବହୁ ପୁରାତନ ହେଲେ ମଧ୍ୟ ବାବା ଆଖଣ୍ଡଳମଣିଙ୍କ ପ୍ରତିଷ୍ଠାର କାଳ ସଠିକ ଭାବେ ନିରୂପଣ ହୋଇ ପାରି ନାହିଁ l ଐତିହାସିକ ଡ଼.ଜଗନ୍ନାଥ ପଟ୍ଟନାୟକଙ୍କ ମତ, ବାବା ଏଠାରେ ସୋମବଂଶୀ କେଶରୀ ରାଜତ୍ୱ କାଳରେ ଖ୍ରୀଷ୍ଟିୟ ନବମ କିମ୍ବା ଦଶମ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପାରିଥାନ୍ତି l ବାବାମଣି 1404 ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଛନ୍ତି ବୋଲି, ତ୍ର୍ୟମ୍ବକ ଅଗ୍ନିଉତ୍ରି ପୁସ୍ତକରେ ଲିପିବଦ୍ଧ ଅଛି l ଆଉ କୌଣସି ପ୍ରାଚୀନ ପୁରାଣ କିମ୍ବା ଧର୍ମ ଗ୍ରନ୍ଥରେ ବାବାଙ୍କ ବିଷୟରେ କିଛି ତଥ୍ୟ ନ ଥିଲେହେଁ ଏହା ଏକ ପ୍ରାଚୀନ ଶୈବ କ୍ଷେତ୍ର ଭାବେ ସର୍ବ ଜନ ବିଦିତ l
ବାବା ମଣିଙ୍କ ଆରାଧନା କରି ବହୁ ଦୁରାରୋଗ୍ୟ ରୋଗରୁ ରୋଗୀମାନେ ଆରୋଗ୍ୟଲାଭ କରିଥିବା ପ୍ରବାଦ ଅଛି l ଆରଡିରେ ଗାରେଡ଼ି ନାହିଁ ବୋଲି ଜନଶ୍ରୁତି ପ୍ରଚଳିତ ଅଛି l ତାଙ୍କ ଆଜ୍ଞାରେ କାଳକୂଟ ବିଷ ହରଣ ହୋଇଯାଏ l ମଙ୍ଗଳମୟ ସଦାଶିବ ସାଗର ମନ୍ଥନ କାଳରେ ହଳାହଳ ବିଷ ପାନକରି ସୃଷ୍ଟି ରକ୍ଷା କରିଥିଲେ l ସେ ଫଣୀର ମଣି ହରଣ କରି ବିଷ ଦୂର କରୁଥିବାରୁ ତାଙ୍କ ନାମ ସହ ନାଥ ବା ଈଶ୍ୱର ପରିବର୍ତ୍ତେ ମଣି ଯୋଡା ଯାଇଛି l ପଞ୍ଚାନନ ମେଳା ପୁସ୍ତକରେ କବି ଦାମୋଦର ମିଶ୍ର ଲେଖିଛନ୍ତି :-
ଆଖଣ୍ଡଳେଶ୍ୱର ମଣି ଦରିଦ୍ର ବସୁ l
ମା ଚଣ୍ଡ ବିପଦ ଖଣ୍ଡ ଖଣ୍ଡପରଶୁ ll
ବିଜେ କରିଛୁ ଆରଡ଼ି,
ନାମ ତୋହର ଗାରଡ଼ି,
ମୃତ ମାନବକୁ ଦାନ କରୁ ତୁ ଆଶୁ ll
ଏପରି ଆହୁରି ବହୁତ କବି ବାବା ଆଖଣ୍ଡଳମଣିଙ୍କ ମହିମା କୀର୍ତ୍ତନ କରିଛନ୍ତି l ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଲେଖିଛନ୍ତି :-
ମଣିମା ଡାକ ଶୁଣିମା ଦାସୀ ଯାର ଶିବା ଉମା
ତଳ ଦିଗେ ପୂର୍ବ ଭାଗେ ବଡ଼ ଗୋସାଇଁ l
ନେତ ଉଡ଼େ ଫର ଫର ଦେଉଳ ଚୁଳେ
ପାପୀ ତାପୀ ସାଧୁ ସନ୍ଥ ଏକାଠି କରେ
ମେଘାସନ ସୂତା ନିତି ପାଦ ଧୁଅଇ ll
ପଲ୍ଲୀ କବି କୃଷ୍ଣ ପ୍ରସାଦ ବେହେରା ଲେଖିଛନ୍ତି :-
ଆଖଣ୍ଡଳମଣି ! ତୁମ ଗୁଣ ଗୁଣି,
ଗଲା ମନ ଜାଣି,
କେବେ ଦେଖାହେବ ତୁମ ସ୍କନ୍ଧ ଫଣୀ ll
ନାଟ୍ୟକାର ନବ କୁମାର ସାହୁ ବାବାଙ୍କ ପୀଠରେ ଜାଗର ଯାତ୍ରାକୁ ଲକ୍ଷ୍ୟ କରି ଲେଖିଛନ୍ତି :-
ଯୋଗନିଦ ଭାଙ୍ଗ ଶିବ ବାବା ଆଖଣ୍ଡଳମଣି
ଆଜି ପରାରେ ତୋ ଜାଗର ଯାତରା
ତମସା ନିଶି ପାହିଲାଣି l
ଲୋକ ବିଶ୍ଵାସରେ ବାବା ଆଖଣ୍ଡଳମଣି "କଳିର ପ୍ରତ୍ୟକ୍ଷଠାକୁର, ଡାକିଲେ ଦିଅନ୍ତି ଉତ୍ତର"l ପ୍ରସିଦ୍ଧ ଏହି ଶୈବ ପୀଠର କୌଣସି ଦୀର୍ଘ ଇତିହାସ ନ ଥିଲେ ହେଁ ଏହାର ଏକ ସମୃଦ୍ଧ ପରମ୍ପରା ରହିଛି l ଆଖଣ୍ଡଳମଣିଙ୍କ ପବିତ୍ର କୁଣ୍ଡଜଳ ସର୍ବ ରୋଗର ମହୌଷଧି ରୂପେ ସର୍ଵଜନାଦୃତ l କଦଳୀ, ନଡ଼ିଆ, ଛେନା, କ୍ଷୀର, ଦହି, ଲହୁଣୀ, ଶର୍କରା, ମଧୁ ଓ ଘୃତରେ ପ୍ରସ୍ତୁତ ବାବାମଣିଙ୍କ ଘର୍ଷଣ ଅମୃତ l ଏହି ଅମୃତକୁ ପାଇବା ପାଇଁ ଭକ୍ତ ସର୍ବଦା ଲାଳାୟିତ ହୋଇଥାନ୍ତି l
ବାବା ଆଖଣ୍ଡଳମଣି ମଙ୍ଗଳମୟ ସଦାଶିବ l ସେ ଅକର୍ମ କର୍ମ ଦାୟକ l ସେ ସଂସାରର ପାପ ତାପ ରୂପୀ ସମସ୍ତ ବିଷକୁ ହରଣ କରି ପାରନ୍ତି l ଏଣୁ ଶ୍ରୀମଦ୍ ଭାଗବତ କୁହନ୍ତି :-
ଜଳଧି ମନ୍ଥନର ବିଷ l
ରୁଦ୍ରହୁଁ ଆନେ ନାହିଁ ଗ୍ରାସ ll
ଓଁ ନମଃ ଶିବାୟଃ
🙏🙏🙏
ଅର୍ଜୁନୀ
-----------------
ଅର୍ଜୁନୀ ଚରଣ ବେହେରା
ମୋ -7693091871
