ତଳବରଡା
ତଳବରଡା


ଶିଶୁ ଉଦ୍ଯାନର ବେଞ୍ଚ ଉପରେ ମୁହଁ ପୋତିି ବସିଥାନ୍ତି ଗଗନ। ଆଖିରୁ ଅବାରିତ ଅଶ୍ରୁ ବୋହି ଚାଲିଥାଏ ଓ ତାଙ୍କୁ ଚାରିପାର୍ଶ୍ବରେ କେବଳ ଘନ ଅନ୍ଧକାର ହିଁ ଦିଶୁଥାଏ। ତାଙ୍କ ମନ ଭିତରେ ଅତୀତର ଭାବନା ଗୁଡିକ ମହାବାତ୍ଯାର ଝଡ ପରି ବୋହି ଚାଲିଥାଏ। ସେ ଏମିତି ଏକ ଦିନ ଦେଖିବେ, ତାଙ୍କ କଳ୍ପନା ବାହାରେ ଥିଲା। ଜୀବନକାଳରେ କେତେ ଗଳ୍ପ, ଉପନ୍ଯାସରେ ସେ ପଢିଥିଲେ ବୟସ ହୋଇଯିବା ପରେ
ଲୋକମାନଙ୍କର ଅବସ୍ଥା ସମ୍ପର୍କରେ। ପଢିଲାବେଳେ ମନରେ ଭାବନା ଆସୁଥିଲା- - କେମିତି ହୋଇପାରନ୍ତି ଲୋକ ମାନେ ଏତେ ନିଷ୍ଠୁର!! କିନ୍ତୁ ଆଜି ଜୀବନ ଗଳ୍ପରେ ନାୟକ ସେ ନିଜେ। ଘଟଣାଗୁଡିକର ପ୍ରବାହ ତାଙ୍କ ଜୀବନରେ ଠିକ ସେହିପରି ହେଉଛି ଯେମିତି ଗଳ୍ପରେ ବର୍ଣ୍ଣିତ। ତେବେ କଣ ସବୁ କାହାଣୀରେ ବୃଦ୍ଧ ନାୟକର ଶେଷ ଅବସ୍ଥା ଏହିପରି। ଆଖିରୁ ଲୁହ ପୋଛି ସେହି ସ୍ଥାନରେ ସ୍ଥାଣୁ ହୋଇ ବସି ରହିଲେ।
ଜଣେ କର୍ତ୍ତବ୍ଯ ପରାୟଣ,ସଚ୍ଚୋଟ ଓ ଦକ୍ଷ କର୍ମଚାରୀ ଭାବରେ ଚାକିରି ଜୀବନ ଅତିବାହିତ କରି, କିଛି ଦିନ ତଳେ ସେ ଚାକିରି ରୁ ଅବସର ନେଇଥିଲେ। ଅବସର ପରେ ଆରାମ ରେ ଜୀବନ ବଞ୍ଚିବାର ଆଶା ରଖିଥିବା ଦରଦୀ ମଣିଷ ଟି ଆଜି ଏତେ ନିଃସହାୟ ଅବସ୍ଥାରେ ନିୟତିର କ୍ରୂର ଖେଳକୁ ପ୍ରତ୍ଯକ୍ଷ କରୁଛି; ତାହା ହିଁ ଭାଗ୍ଯର ବିଡମ୍ବନା।
ଏକମାତ୍ର ପୁତ୍ର ଅମିତ୍ କୁ ଜନ୍ମ ଦେଇ ଶାନ୍ତି ଆରପାରି କୁ ଚାଲିଗଲେ। ଚାଲିଗଲେନି ଯେ, ଗଗନ ଙ୍କ ଜୀବନରେ ଦାୟିତ୍ବର ଶିକୁଳି ବାନ୍ଧି ଦେଇଗଲେ। ମାଆ ଛେଉଣ୍ଡ ପିଲାଟାକୁ ଭଲ ମଣିଷ କରି ଗଢି ତୋଳିବା ପାଇଁ ଗଗନ ସ୍ବେଦ ରକ୍ତ ଢାଳି ତପସ୍ଯା କରିଥିଲେ। ନାନା ଅଭାବ ଅସୁବିଧାରେ ସନ୍ତୁଳି ହେଲେ ମଧ୍ଯ ପୁଅର ଲାଳନପାଳନ ରେ କେବେ ଅବହେଳା କରି ନ ଥିଲେ। ଶେଷରେ ପୁଅକୁ ନିଜ ଗୋଡରେ ଛିଡା କରାଇବାରେ ସେ ସଫଳ ମଧ୍ଯ ହୋଇଥିଲେ। ଏବେ ଭଲ ଦରମା ପାଇ ପୁଅ ଏକ କମ୍ପାନୀରେ କାମ କରୁଛି। ସମସ୍ତ ସମ୍ବଳ ପୁଅର ପାଠପଢା, ବିଭାଘର ଓ ଘର ତିଆରିରେ ପାଣି ପରି ଖର୍ଚ୍ଚ ହୋଇ ସାରିଥିଲା। ସେ ଆଶା କରିଥିଲେ ଚାକିରି ରୁ ଅବସର ନେବା ପରେ ସେହି ଘରେ ପୁଅ ବୋହୁଙ୍କ ବେଶ୍ ସୁଖ ସ୍ବାଚ୍ଛନ୍ଦ୍ଯରେ ଚଳିବେ। କିନ୍ତୁ....ଆଜି ସେହି ଘର ତାଙ୍କ ପାଇଁ ନିଷିଦ୍ଧ ଅଞ୍ଚଳ ରୂପେ ଘୋଷିତ ହୋଇଗଲା !!!!!
କିଛି ଦିନ ହେଲାଣି ସେ ପୁଅ ବୋହୂଙ୍କର ବ୍ଯବହାରରେ ଅସାମଞ୍ଜସ୍ଯତା ଲକ୍ଷ କରି ଆସୁଥିଲେ। ପ୍ରତି କଥାରେ ବୋହୁ ଘର ଚଳାଇବା ପାଇଁ କେମିତି ଟଙ୍କା ପାଣି ପରି ଖର୍ଚ୍ଚ ହେଉଛି ସେ ବିଷୟ ବଖାଣିବାରେ ଅର୍ଦ୍ଧାଧିକ ସମୟ ବିତାଉଥିଲା। କିଛି ବୁଝି ପାରୁ ନ ଥିଲେ ଗଗନ। କାରଣ ଚାକିରିରେ ଥିଲା ବେଳେ ସେ ହିଁ ଘରର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ପୁଅ ପାଖରୁ କାଣିଚାଏ ପ୍ରାପ୍ତିର ଆଶା ନ ରଖି ସମସ୍ତ ଦରମା ପୁଅ ହାତ ରେ ଧରାଇ ଦେଉଥିଲେ। ଚାକିରି କାଳରେ ସଞ୍ଚିତ ସମସ୍ତ ଅର୍ଥ ଖର୍ଚ୍ଚ ହୋଇ ସାରିଥିଲା, ତେଣୁ ଅବସର ସମୟରେ ମୋଟା ଅଙ୍କର ଅର୍ଥ ପାଇବାର ସମ୍ଭାବନା ନ ଥିଲା। ତାଙ୍କ ପାଇଁ ପେନସନ୍ ହିଁ ଏକମାତ୍ର ବିକଳ୍ପ ଥିଲା। କିନ୍ତୁ ସାଙ୍ଗେସାଙ୍ଗେ ପେନସନ ପାଇବା, ନିହାତି ଅସମ୍ଭବ ବ୍ଯାପାର ଥିଲା। କାଗଜପତ୍ର କାମ ପାଇଁ ହାତଗୁଞ୍ଜା ଦେଲେ ମଧ୍ଯ, ଏତେ ଚଞ୍ଚଳ ପେନସନ ପାଇଯିବା କଣ ସହଜ ହୋଇଛି? ସେଥିପାଇଁ ତ ବର୍ଷାଧିକ କାଳ ଲାଗିଯିବାର ନଜିର ଯାହାକୁ ଯେତେ। କେବେକେବେ ଭାବୁଥିଲେ ପୁଅ ବୋହୂ ତାଙ୍କୁ ବୋଝ ବୋଲି ଭାବୁ ନାହାଁନ୍ତି ତ !!!
ତାଙ୍କ ଖାଦ୍ଯ ପାନୀୟ ପ୍ରତି ସର୍ବଦା ସଚେତନ ଥିବା ଅମିତ୍, ଏବେ ଆଶ୍ଚର୍ଯ୍ଯଜନକ ଭାବରେ ବୀତସ୍ପୃହ ହୋଇ ଯାଇଛି। ସକାଳର ବହଳିଆ ଖିର ରେ ମୋଟା ସର ପଡିଥିବା ଚାହା, ଅଚାନକ ପାଣିଚିଆ ଓ ଶର୍କରାବିହୀନ ହୋଇଯାଇଛି। ଜଳଖିଆର ସଂଜ୍ଞା ବଦଳି ମୁଢି ଚୂଡା ରେ ସୀମିତ ହୋଇଯାଇଛି। ଶସ୍ତା ଚାଉଳର ଭାତ ଓ ପାଣିଆ ଡାଲି ସହ ଦରପୋଡା ପରିବା ର ବ୍ଯଞ୍ଜନ ହିଁ ତାଙ୍କର ସବୁଦିନିଆ ଆହାର ପାଲଟି ଯାଇଛି। ଖଟରେ ପଡଥିବା ଚଦର ସାତଦିନରେ ଥରେ ମଧ୍ଯ ବଦଳା ଯାଉନି ବା ସଫା ହେଉନି। ଟେଲିଭିଜନ୍ ର ରିମୋଟ୍ ଏବେ ତାଙ୍କ ହାତ କୁ ଆସିବା ସ୍ବପ୍ନ ହୋଇଗଲାଣି। କଦବା କ୍ବଚିତ୍ କୌଣସି ବନ୍ଧୁ ତାଙ୍କ ପାଖକୁ ଆସିଲେ, ଚାହା ଜଳଖିଆ ତ ଦୂରର କଥା ପାଣି ଗିଲାସେ ବି ମିଳୁନି। ରୁମର ଚାରି କାନ୍ଥ ଭିତରେ ତାଙ୍କର ଦୁନିଆ ସୀମିତ ହୋଇ ଯାଇଛି।
ଥରେ ମୁହଁ ଖୋଲି ବୋହୂକୁ ପଚାରିବାରୁ ସେ କହିଲା-- ବାପା, ଜିନିଷର ଦରଦାମ୍ ଯାହା ହେଲାଣି, ଏମିତି ନ ଚଳିଲେ ଅଳ୍ପଦିନ ପରେ ଭିକ ମାଗିବାକୁ ପଡିବ। ପିଲାର ପାଠପଢା ଓ ଘରର ଯାବତୀୟ ଖର୍ଚ୍ଚ ଜଣେ ଲୋକ ମୁଣ୍ଡାଇବା କଣ ସହଜ କଥା ହୋଇଛି। ଆପଣ ସିନା ଚାକିରିରେ ଥିଲା ବେଳେ ଛଅ ତିଅଣ ନଅଭଜା ତେଣ୍ଡୁଥିଲେ। ଏବେ ପରା ଆପଣଙ୍କର ଫଟା ଆହୁଲାଏ ଦେବାର ସାମର୍ଥ୍ୟ ନାହିଁ। ରିଟାୟାର କଲା ବେଳେ ସରକାର ଲକ୍ଷଲକ୍ଷ ଟଙ୍କା କର୍ମଚାରୀଙ୍କୁ ଦେଉଥିଲା ବେଳେ, ଆପଣଙ୍କ ବେଳକୁ ଟଙ୍କା ସରିଗଲା ନା କଣ? ନା ଟଙ୍କା ପାଇ ଲୁଚାଇ ରଖିଛନ୍ତି, ସେ କଥା ଭଗବାନଙ୍କୁ ଜଣା।......
ଆହୁରି କେତେ କଥା ବୋହୂ କହି ଚାଲିଥିଲା। ମାତ୍ର ଶୁଣିବାକୁ ଧୈର୍ଯ୍ଯ ନ ଥିଲା ତାଙ୍କର। ତାଙ୍କ ପ୍ରତି ହେୟଭାବର ଅସଲ କାରଣଟା ଜାଣି ଯିବାରୁ ସେ କିଛି ମାତ୍ରାରେ ଆଶ୍ବସ୍ତ ମଧ୍ଯ ହୋଇଥିଲେ। ସେଦିନ ଅମିତ୍ କୁ ବୋହୂର ଔୌଦ୍ଧତ୍ଯ ଓ ଅଭଦ୍ରୋଚିତ କଥାବାର୍ତ୍ତା ବିଷୟରେ ଜଣାଇବାରୁ, ଘଟଣା ଟା ଅଧିକ ଗମ୍ଭୀର ହୋଇଗଲା। ସେ ବଡ ପାଟି ରେ କହିଲା-- ବାପା, ଆପଣଙ୍କୁ ଏତେ ବୟସ ହେଲାଣି ତଥାପି ଖଚଚୁଗୁଲି କରିବାର ପ୍ରକୃତ୍ତି ଯାଇନି? ସେ ବିଚାରି ଦିନରାତି ଖଟି ଆପଣଙ୍କର ଏତେ ସେବା କରିବା ପରେ ମଧ୍ଯ ଆପଣ ଏପରି କଥା କହି ପାରୁଛନ୍ତି କିପରି। ମୋତେ ଲାଗୁଛି ଚାକିରି ସରିବା ସହ ଆପଣଙ୍କର ମୁଣ୍ଡ ଦୋଷ ବାହାରିଲାଣି। ନିଜର ପ୍ରାଣପ୍ରିୟ ପୁଅ ପାଖରୁ ଏପରି କଥା ଶୁଣି ପାଦତଳୁ ମାଟି ଖସିଯିବା ପରି ଲାଗୁଥିଲା। ମନରୁ କୋହ
ଉଠି ଆସୁଥିଲେ ମଧ୍ଯ କମ୍ପିତ ଓଷ୍ଠ ଯୁଗଳ ତାକୁ ଦମନ କରିବାର ଚେଷ୍ଟା ରେ ଲାଗିଥିଲେ। ନୀରବ ରେ ସେହି ଜାଗାରୁ ଉଠିଯାଇ ସେ ଶାନ୍ତିଙ୍କ ଫଟୋ ଆଗରେ ଛିଡା ହୋଇ ରହିଲେ। ଆଖିରୁ ଲୁହ ବୋହୁ ନ ଥିଲା ସତ, କିନ୍ତୁ ହୃଦୟଟି ଛିନ୍ନ ବିଚ୍ଛିନ୍ନ ହୋଇ ସାରିଥିଲା। ଆଜୀବନ ତପସ୍ୟାର ଏପରି ଫଳ ମିଳିବ ବୋଲି କଣ କେହି କଳ୍ପନା ମଧ୍ଯ କରିପାରେ!!??
ସେଦିନ ରାତିରେ କିଛି ନ ଖାଇଶୋଇ ପଡିଥିଲେ ଗଗନ। ସେ ଦେଖିଲେ ଏକ ଛାୟାମୂର୍ତ୍ତି ତାଙ୍କ ପାଖରେ ବସି ମୁଣ୍ଡ ଆଉଁସି କହୁଛି " ଏତିକିରେ ଭାଙ୍ଗି ପଡିଲ? ଜୀବନର ପ୍ରତିଟି ଯୁଦ୍ଧରେ ତୁମେ ଜିତି ଜିତି ଆସିଛ। ଏବେ ମଧ୍ଯ ଜିତିବ, ମୁଁ ତୁମର ପ୍ରତି ନିଶ୍ବାସ ରେ ଅଛି।" ଶାନ୍ତି........ବୋଲି ଚିତ୍କାର କରି ଉଠି ପଡିଲେ ସେ। କିନ୍ତୁ ସେହି ବଖରାରେ ନିଜ ସହ ଅଖଣ୍ଡ ନୀରବତାକୁ ଆବିଷ୍କାର କରି ପୁଣି ଆଖି ବୁଜି ପଡି ରହିଲେ। ସକାଳେ ନିତ୍ଯକର୍ମ ସାରି ଚାହା ପାଇଁ ଅପେକ୍ଷା କରିବା ସମୟରେ ଅମିତ୍ ଆସି ପାଖରେ ବସିଲା। ସେ ଗଗନଙ୍କୁ ତାଗିଦ୍ କରିବା ପରି କହିଲା-- ସଦା ବେଳେ କାହିଁକି ଘର ଭିତରେ ପଡି ରହିଛ। ଟିକେ ବାହାରେ ବୁଲାଚଲା ନ କଲେ, ଅଳ୍ପ ଦିନରେ ରୋଗୀଣା ହୋଇଯିବ। ତୁମ ପଛରେ ତ ଯାହା ଖର୍ଚ୍ଚ ହେଉଛି, ପୁଣି ତୁମ ଦେହ ପାଇଁ ଟଙ୍କା ପାଣି ପରି ବୁହାଇବାକୁ ପଡିବ। ମୋ ପାଖରେ ଏତେ ଟଙ୍କା ନାହିଁ। ମୁହଁ ପୋତି ବସି ରହିଥିଲେ ଗଗନ। ବୋହୂ ଚାହା କପ୍ ସହ ଜଳଖିଆ ଆଣି ଅମିତ୍ ଆଗରେ ଥୋଇଲା। ଗଗନଙ୍କ ଆଡକୁ ନ ଦେଖି ସେ ଚାହା ଜଳଖିଆ ଖାଇ ସମ୍ବାଦପତ୍ର ଉପରେ ଆଖି ବୁଲାଇବାକୁ ଲାଗିଲା। ରାତିରେ କିଛି ଖାଇ ନ ଥିବାରୁ ଗଗନଙ୍କୁ ଭୀଷଣ ଭୋକ ଲାଗୁଥିଲା। ସେ ଧିର ସ୍ବରରେ କହିଲେ-- ବୋହୂ କଣ ଟିକେ ଖାଇବାକୁ ଦେଲୁ। ମୋତେ ଭୀଷଣ ଭୋକ । ବୋହୂ ସେ କଥା ଶୁଣିପାରିଲା କି ନାହିଁ କେଜାଣି, କିନ୍ତୁ ଏକ ଷ୍ଟିଲ୍ ଗିଲାସରେ ପାଣିଚିଆ ଚାହା ସାଙ୍ଗକୁ ଗୋଟେ ପୋଡି ଯାଇଥିବା ବାସି ରୁଟି ତାଙ୍କ ହାତରେ ଧରାଇଦେଲା। ବୋହୂର ଏମିତି ବ୍ଯବହାରରେ ବିରକ୍ତ ହୋଇ ଗଗନ ଚିତ୍କାର କରି କହିଲେ-- କଣ ମୋତେ କୁକୁର ବୋଲି ଭାବିଲୁ ନା କଣ? ମୁଁ ଯଦି ତୋ ବାପା ହୋଇ ଥାଆନ୍ତି , ମୋତେ କଣ ଏମିତି ବ୍ଯବହାର ଦେଖାଇଥାନ୍ତୁ?
ବୋହୂ ବଡପାଟି କରି କାନ୍ଦିକାନ୍ଦି ଗଗନକୁ ଡାକି କହିଲା ତୁମ ବାପାଙ୍କୁ ନିଜେ ସମ୍ଭାଳ। ତାଙ୍କ ମୁଣ୍ଡ ଦୋଷ ବାହାରିଲାଣି ବୋଧେ। କୌଣସି କାରଣ ନ ଥାଇ , ମୋ ବାପାଙ୍କ ନାମରେ କେତେ କଣ ବକି ଯାଉଛନ୍ତି। ମୁଁ ଅଲାଜୁକୀ ତାଙ୍କର ସେବା କରୁଛି- - ଦିନରେ ଦଶଥର ଖାଦ୍ଯ ଭୁଞ୍ଜାଉଛି। କିନ୍ତୁ ସେ ସଦାବେଳେ ମୋତେ ଯାହା ମନ ତାହା ଗାଳିଗୁଲଜ କରି ବେଜ୍ଜିତ୍ କରୁଛନ୍ତି। ମୋ ବାପା ତାଙ୍କର କି ଦୋଷ କଲେ ଯେ ତାଙ୍କୁ ସେ ଗାଳି ଦେଉଛନ୍ତି। ତୁମେ ନିଜେ ପଚାରିଦେଖ।
ଅମିତ୍ ଝଡ ବେଗରେ ଆସି ଗଗନଙ୍କ ହାତରୁ ଚାହା ଗିଲାସ୍ କୁ ଟାଣି ନେଲା ଓ ତାଙ୍କ ମୁହଁରେ ଫୋପାଡି ଦେଇ କହିଲା- - ଏ ଲୋକଟାକୁ ଆଉ ପାରି ହେବନି। ବେକରେ ଏମିତି ନାଗ ସାପ ପରି ଝୁଲିଛି ଯେ ଜୀବନ ବରବାଦ୍ ହୋଇଗଲାଣି। କୋଢିଆଟାର ମୁହଁ ଦେଖିଲେ ବିରକ୍ତ ଲାଗୁଛି। ୟା ପାଇଁ ଘରେ ସଦା ବେଳେ ଅଶାନ୍ତି। ଗରମ ଚାହା ସବୁ ଗଗନଙ୍କ ମୁହଁ ରେ ବିଞ୍ଚାଡି ହୋଇ ପଡିଲା। ସେ ବିକଳ ରେ ଓଃ . . . . କହି ସେ ସ୍ଥାନରୁ ଉଠି ପଡିଲେ। ଅମିତ୍ ତାଙ୍କ ହାତ ଧରି ବାହାରକୁ ଘୋଷାଡି ନେଲା ଓ ଘରୁ ଧକ୍କା ମାରି ବାହାର କରିଦେଲା। ଗୋଟିଏ ଝଟକାରେ ଗଗନ ରାସ୍ତା ରେ ଛିଡା ହୋଇଥିଲେ। ନିଜ ପୁଅବୋହୂ ଓ ଘର ସହିତ ସହିତ ଥିବା ସ୍ନେହ,ପ୍ରେମ ଓ ସମ୍ମାନର ରଜ୍ଜୁ ଅମିତ୍ ର ଧକ୍କାରେ ଛିଣ୍ଡି ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା। ବୋହୂ ମୁହଁରେ ବିଜୟସୂଚକ ହସ ଝଟକି ଚାଲିଥିଲା ଓ ସେ ମୁହଁ ମୋଡି ଅମିତ୍ କୁ ଘର ଭିତରକୁ ନେଇ କବାଟ ବନ୍ଦ କରିଦେଲା।
ଶିଶୁ ଉଦ୍ଯାନରେ କାହିଁ କେତେ ଦିନରୁ ସଗର୍ବେ ଛିଡା ହୋଇଥିବା ତାଳ ଗଛକୁ ସେ ଏକ ଲୟରେ ଚାହିଁ ରହିଥିଲେ। ସେହି ସମୟରେ ଏକ ଶୁଖିଲା ବରଡା ପତ୍ର ଖସି ତଳେ ପଡିଲା। ମନେମନେ ସେ କହି ଉଠିଲେ
"ତଳ ବରଡା ଖସୁଛି, ଉପର ବରଡା ହସୁଛି- - ମଝି ବରଡା କହୁଛି ମୋ ଦିନ କାଳ ଆସୁଛି ”
ସେହି ତଳ ବରଡା ରୂପରେ ନିଜକୁ ଆବିଷ୍କାର କରି ସେ ନିଶ୍ଚଳ ହୋଇ ବସି ରହିଲେ। ସେ ସମୟରେ ଜଣେ ଲୋକ ଆସି ସେହି ବରଡାକୁ ଘୋଷାରି ନିଜ ସାଙ୍ଗରେ ନେଇଗଲା। ତଳ ବରଡାର ପରବର୍ତ୍ତୀ ଅବସ୍ଥା ଦେଖିବାକୁ ଗଗନ ସେହି ଲୋକ ପଛରେ ଅନୁସରଣ କରିବାକୁ ଲାଗିଲେ। ଉଦ୍ଯାନର ଅନତିଦୂରରେ ସେହି ଲୋକଟି ନିଜ ଝୁମ୍ପୁଡି ଘର ପାଖରେ ଅଟକି ଗଲା। ଭାଙ୍ଗି ଆସୁଥିବା ଚାଳ ଉପରେ ସେହି ବରଡାକୁ ରଖି ପଥର ଲଦିଦେବା ପରେ ତା ମୁହଁରେ ହସ ଉକୁଟି ଉଠିଲା। ଏ ସମସ୍ତ ଘଟଣା ଦେଖି ତାଙ୍କ ମନ ଭିତରେ ନିର୍ବାପିତ ହୋଇ ଆସୁଥିବା ଆତ୍ମବିଶ୍ବାସର ଶିଖା, ସତେକି ଭରପୁର ଅମ୍ଳଜାନ ପାଇ ପୁନର୍ଜୀବିତ ହୋଇ ଉଠିଲା। ବୋଧେ ସେ କୌଣସି ସେ କୌଣସି ଗୁଢ ତତ୍ତ୍ବର ସନ୍ଧାନ ପାଇ ଯାଇଥିଲେ। ହୋଃ ହୋଃ କରି ହସି ଉଠି ସେ ଘୋଷଣା କରି ଉଠିଲେ- - - ଗଛରୁ ବିଚ୍ଯୁତ ହୋଇ ମାଟିରେ ମିଶିଯିବା ସବୁ ତଳ ବରଡାମାନଙ୍କର ଭାଗ୍ଯ କଦାପି ହୋଇ ନ ପାରେ । ସମସ୍ତ ବନ୍ଧନ ରୁ ମୁକ୍ତ ହୋଇଯିବା ପରେ, ସେମାନଙ୍କ ପାଇଁ ଅସରନ୍ତି ସମ୍ଭାବନା ପ୍ରତୀକ୍ଷାରତ।
ଗଗନଙ୍କ ଅଟ୍ଟହାସ୍ଯ ଶୁଣି ସେ ଲୋକଟି ଭୟ ପାଇ ଘର ଭିତରେ ପଶିଗଲା। ତାଙ୍କ ଅନ୍ତରାତ୍ମାକୁ ଜାଳିପୋଡି ନିଶ୍ଚିହ୍ନ କରି ଦେବାକୁ ବସିଥିବା ଲଜ୍ଜା,ଅପମାନର ଜ୍ବାଳାମୁଖୀର ତେଜ ସେତେବେଳକୁ ମଳିନ ପଡି ସାରିଥିଲା। ଲମ୍ବା ପାହୁଣ୍ଡ ପକାଇ ସେ ସହର ଅଭିମୁଖେ ଚାଲିଲେ। ବୃକ୍ଷଚ୍ଯୁତ ତଳବରଡା ପରି, ଜନସମାଜର ସେବାରେ ନିଜକୁ ନିୟୋଜିତ କରି ଅବଶିଷ୍ଟ ଜୀବନ ବିତାଇବା ପାଇଁ ସେ ନିଷ୍ପତ୍ତି ନେଇ ସାରିଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପଦଦଳିତ କରି ସଗର୍ବେ ଦଣ୍ଡାୟମାନ ହୋଇ ପାରିଥିବା,ଗଗନଙ୍କ ପରି ଯୋଦ୍ଧାଙ୍କୁ ଏ ଲେଖକର ଶତପ୍ରଣାମ।