ତଳ ପାହାଚର ମଣିଷ
ତଳ ପାହାଚର ମଣିଷ
ରାଜେନ୍ଦ୍ର ଓ ତା ପତ୍ନୀ ସବିତା ସହରର ସେଇ ବସ୍ତି ଅଞ୍ଚଳରେ ନିଜର ଏକମାତ୍ର ପୁଅ ରାଜା ସହିତ ରହନ୍ତି. ଉଭୟ ରାଜେନ୍ଦ୍ର ଓ ସବିତା ଏକା ସାଙ୍ଗରେ କାମ କରିବାକୁ ଯାଆନ୍ତି. ଏବେ ରାଜାକୁ ସାଙ୍ଗରେ ନେଇ ସବିତା ଯାଏ, କାରଣ ସେ ମାତ୍ର ବର୍ଷକର ଛୁଆ. କାହା ପାଖରେ ଛାଡି ଯିବ ସେ. ରାଜେନ୍ଦ୍ର ରାଜ ମିସ୍ତ୍ରୀ କାମ କରେ ଓ ସବିତା ସେଇ ଜାଗାରେ ମୁଲ ଲାଗେ. ଦୁଇଜଣ ଖଟି କିଛି ପଇସା ରଖୁଛନ୍ତି ପୁଅ ରାଜାକୁ ପାଠ ପଢ଼ାଇବେ. କାମ କଲା ବେଳେ ସବିତା ପୁଅ ରାଜେନ୍ଦ୍ରକୁ ଗଣ୍ଠି ପକାଇ ନିଜ ପିଠିରେ ବାନ୍ଧି ଧରିଥାଏ. ତାକୁ ନିଦ ଲାଗିଲେ, ପାଖ ଗଛ ତାଳେ ଶୁଆଇ ଦେଇ ଆସେ. କାମରୁ ଫେରି ସବିତା ରାତି ପାଇଁ ରୋଷେଇ କରେ ଓ ସକାଳ ପାଇ ଭାତ ରାନ୍ଧି ପଖାଳି ଦିଏ. ପୁଅକୁ କ୍ଷୀର ପିଆଇ ଶୁଆଇ ଦିଏ. ସେହି ସମୟ ଭିତରେ ରାଜେନ୍ଦ୍ର ପଛ ବାଡ଼ିରେ ଲାଗିଥିବା ଫୁଲ ଗଛରେ ପାଣି ଦେଇଦିଏ. ପାଣି ସେ ପାଖରେ ଥିବା ନଳ କୂପରୁ ବୋହି ଘର ପାଇଁ ଆଣେ ଓ ଫୁଲ ଗଛ ପାଇଁ ବି ଆଣେ. ସକାଳୁ ଫୁଲ ତୋଳି ରାଜେନ୍ଦ୍ର ମାଳ କରି କାମକୁ ଗଲା ବେଳେ ପାଖରେ ଥିବା ଜଗନ୍ନାଥ ମନ୍ଦିରରେ ଦେଇ, ଠାକୁରଙ୍କୁ ମୁଣ୍ଡିଆ ମାରି ଯାଏ. ଏମିତି ତାଙ୍କ ତେଲ ଲୁଣର ସଂସାର ଠିକ ଠାକ ଚଳିବାରେ ଲାଗିଲା. ରାଜା ବଡ଼ ହେଇ ପାଞ୍ଚ ବର୍ଷର ହେଲାରୁ, ତାକୁ ରାଜେନ୍ଦ୍ର ପାଖ ସରକାରୀ ବିଦ୍ୟାଳୟରେ ଭର୍ତ୍ତି କରିଦେଲା. ଗଲା ବେଳକୁ ରାଜାକୁ ଛାଡ଼ିଦେଇ ସେମାନେ କାମରେ ବାହାରି ଯାଆନ୍ତି. ଫେରିଲା ବେଳେ ରାଜକୁ ବିଦ୍ୟାଳୟରୁ ନେଇ ଘରକୁ ଫେରନ୍ତି. ରାଜା ମନ ଦେଇ ପାଠ ପଢୁଥିଲା. ତା ଶିକ୍ଷକମାନେ ରାଜେନ୍ଦ୍ରକୁ କୁହନ୍ତି ଯେ ରାଜାର ପାଠ ପଢା ଯେମିତି ବନ୍ଦ ନ ହୁଏ. ସେ ବହୁତ ଭଲ ପଢୁଛି. ରାଜେନ୍ଦ୍ର ଓ ସବିତା ବହୁତ ଖୁସି ହେଇ ଯାଆନ୍ତି. ଦେଖୁ ଦେଖୁ ରାଜା ତୃତୀୟ ଶ୍ରେଣୀରେ ପଢିବାକୁ ଲାଗିଲା. ଉଭୟ ରାଜେନ୍ଦ୍ର ଓ ସବିତା ବହୁତ ପରିଶ୍ରମ କରୁଥାନ୍ତି ତାଙ୍କ ପୁଅ ରାଜାକୁ ପାଠ ପଢ଼ାଇବାକୁ. ଏଣେ ଠାକୁର ଦୟା କଲା ପରି ରାଜେନ୍ଦ୍ର ଫୁଲ ଗଛ ଗୁଡ଼ାକରେ ବହୁତ ଫୁଲ ଫୁଟିଲା. ଏବେ ରାଜେନ୍ଦ୍ର କାମରୁ ଫେରି, ଫୁଲ ଗଛରେ ପାଣି ଦେଇ କିଛି ଫୁଲ ନେଇ ମନ୍ଦିରକୁ ଯାଏ ଓ ସେଠାରେ ପୁରା ତଳ ପାହାଚରେ ବସି ମାଳ କରି ବିକ୍ରି କରେ. ସେଥିରୁ କିଛି ପଇସା ଆମଦାନୀ ହୁଏ. ସେଇ ପଇସାରୁ ରାଜେନ୍ଦ୍ର ଆହୁରି ବେଶି ଫୁଲ ଗଛ ଆଣି ଲଗାଇବାରେ ଲାଗିଲା.
ବୋଧହୁଏ ବିଧାତାର ଅନ୍ୟ କିଛି ଖେଳ ଥିଲା. ଦିନେ କାମ କରିବା ସମୟରେ ସବିତା ବହୁତ ଉପରୁ ତଳକୁ ଖସି ପଡିଲା. ରାଜେନ୍ଦ୍ର ଦୌଡ଼ି କରି ଯାଉ ଯାଉ ତା ବାମ ଗୋଡ଼ ପାଖରେ ପଡିଥିବା ଘାଣ୍ଟିବା ଯନ୍ତ୍ରରେ ପଶି ପୁରା ଦର ଖଣ୍ଡିଆ କରିଦେଲା. ସେଠାରୁ ସବିତା ଓ ରାଜେନ୍ଦ୍ରକୁ ଡାକ୍ତରଖାନା ପଠାଇଦିଆଗଲା. ସେଠାରେ ସବିତା ସବୁଦିନ ପାଇଁ ଆଖି ବୁଜି ଦେଲା. ରାଜେନ୍ଦ୍ରକୁ ବଞ୍ଚାଇବା ପାଇଁ ତା ଗୋଡ଼କୁ କାଟିବାକୁ ପଡିଲା. ପୁଅ ରାଜାକୁ ପାଖ ପଡୋଶୀ ଆଣି ନିଜ ପାଖରେ ରଖିଥାନ୍ତି. ରାଜେନ୍ଦ୍ର ଆଖି ଖୋଲିଲା ବେଳକୁ ଜାଣିଲା ତା ସବିତା ଆଉ ଏ ଦୁନିୟାରେ ନାହିଁ. ସେ ପୁଅ ରାଜାକୁ ଖୋଜିଲା. ତା ସାଙ୍ଗରେ କାମ କରୁଥିବା ଗୋପାଳ ରାଜକୁ ନେଇ ଆସିଲା. ରାଜେନ୍ଦ୍ର ତାକୁ କୁଣ୍ଢେଇ ବହୁତ କାନ୍ଦିଲା. କହିଲା ବାପରେ ଯାଆ ତୋ ମାଆର ଶେଷ କାମ କରି ଦେ. ଗୋପାଳ ଓ ପଡୋଶୀ ମାନେ ମିଶି ସବିତାର ସଂସ୍କାର କାମ କରିଦେଲେ. ରାଜା ପୁରା ଚୁପ ହୋଇ ଗୋଟିଏ ଜାଗାରେ ବସିଥାଏ. ସେ କେବଳ ତା ବାପାଙ୍କୁ ଚାହିଁ ରହିଥାଏ. କିଛି ଦିନ ପରେ ରାଜେନ୍ଦ୍ର ଆଶାବାଡି ସାହାଯ୍ୟରେ ଘରକୁ ଫେରିଲା. ତାକୁ ଦେଖି ସେଦିନ ରାଜା ବହୁତ କାନ୍ଦିଲା ଓ କହିଲା, "ବାପା ମୋ ବୋଉ ଆଉ ଫେରିବନି. ମୁଁ କାହା ପାଖରେ ଶୋଇବି ?"ଏତକ ଶୁଣି ତାକୁ ରାଜେନ୍ଦ୍ର ବୁଝାଇ କହିଲା, "ଧନରେ ମୁଁ ପରା ଅଛି. ପ୍ରଭୁ ଅଛନ୍ତି. ସବୁ ଠିକ ହେଇଯିବ. "
ତା ପର ଦିନ ଠାରୁ ରାଜେନ୍ଦ୍ର ମନ୍ଦିରର ସେଇ ତଳ ପାହାଚରେ ବସି ଫୁଲ ଓ ଫୁଲ ମାଳ ସନ୍ଧ୍ୟା ବେଳେ ବିକ୍ରି କରେ. ସାଙ୍ଗରେ ପୁଅ ରାଜାକୁ ନେଇ ଯାଇଥାଏ. ଦିନ ବେଳେ ନିଜ ବସ୍ତିରେ ଗୋଟିଏ ଛୋଟ ଚାହା ଦୋକାନ କରି ଚାହା ବିକ୍ରି କରେ. ଖରାବେଳେ ନିଜେ ରୋଷେଇ କରିଦିଏ. ରାଜାକୁ କହିଥାଏ ସିଧା ବିଦ୍ୟାଳୟରୁ ଘରକୁ ଆସିବା ପାଇଁ. ସେ ବି ଆସି ତା ବାପାକୁ ସାହାଯ୍ୟ କରେ ଗଛରେ ପାଣି ଦେବାରେ, ଫୁଲ ତୋଳିବାରେ ଓ ମନ୍ଦିରକୁ ଯାଇ ସେଠାରେ ବସି ସେ ପାଠ ପଢେ ଓ ଫୁଲ ବିକ୍ରି କରେ.
ସେଇ ମନ୍ଦିରକୁ ବହୁତ ଲୋକ ଆସନ୍ତି. ସମସ୍ତେ ରାଜେନ୍ଦ୍ର ପାଖରୁ ଫୁଲ ନିଅନ୍ତି. ସେହି ସହରକୁ ଡାକ୍ତର ବସନ୍ତ ବଦଳି ହେଇ ଆସିଥାନ୍ତି. ତାଙ୍କ ପତ୍ନୀ ମମତା ବି ତାଙ୍କ ସାଙ୍ଗରେ ଆସିଥାନ୍ତି. ମମତା ବହୁତ ପୂଜା ପୁଜି କରନ୍ତି. ପ୍ରାୟ ସେ ସପ୍ତାହରେ ତିନି ଚାରି ଦିନ ମନ୍ଦିରକୁ ଆସନ୍ତି ଓ ରାଜେନ୍ଦ୍ର ଠାରୁ ଫୁଲମାଳ କିଣି ଠାକୁରଙ୍କୁ ଭେଟି ଦିଅନ୍ତି. ବେଳେ ବେଳେ ସେ ରାଜକୁ ଚାହିଁ ହସି ଦିଅନ୍ତି. ରାଜା ବି ଟିକେ ହସି ଦିଏ. ଏମିତି କହିବାକୁ ଗଲେ ମମତା ରାଜେନ୍ଦ୍ରର ଜଣେ ସବୁଦିନିଆ ଗ୍ରାହକ ହେଇଗଲେ.
ଏମିତି କିଛି ଦିନ ଗଲା ରାଜା ପଞ୍ଚମ ଶ୍ରେଣୀରେ ପଢୁଥାଏ. ସେ ବୃତ୍ତି ପରୀକ୍ଷା ପାଇଁ ମଧ୍ୟ ମନୋନୀତ ହେଇଗଲା. ରାଜେନ୍ଦ୍ର ବହୁତ ଖୁସି ହେଇଗଲେ. ରାଜା ବି ମନ ଦେଇ ପଢା ପଢ଼ିରେ ଲାଗିଗଲା. ହଠାତ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଆସିଲା. ଟିକେ ମନ୍ଦିରରେ ଫୁଲର ଚାହିଦା ବଢିବାକୁ ଲାଗିଲା. ଏଣେ ରାଜେନ୍ଦ୍ର ବାଡ଼ିରେ ବି ବହୁତ ଫୁଲ ଫୁଟିବାକୁ ଲାଗିଲେ. ହଠାତ ସେଇ ପକ୍ଷର ନବମୀ ଦିନ ରାଜେନ୍ଦ୍ରକୁ ଭୀଷଣ ଜ୍ୱର ହେଲା. ସେ ଆଉ ମନ୍ଦିର ଯାଇ ପାରିଲା ନାହିଁ. ଖାଲି ପୁଅ ରାଜା ଯାଇ କିଛି ଫୁଲ ବିକ୍ରି କରି ଆସିଲା ଓ ରାଜେନ୍ଦ୍ର ପାଇ ପାଖ ଔଷଧ ଦୋକାନରୁ ଔଷଧ ନେଇ ଘରକୁ ଆସିଲା. ତା ପର ଦିନ ଦଶମୀରେ ଭୀଷଣ ଝଡ଼ ଓ ବର୍ଷା ହେଲା. ଏହାର ପ୍ରଭାବ ଏକାଦଶୀ ଦିନ ଦ୍ୱିପ୍ରହର ଯାଏ ରହିଲା. ଉପର ବେଳା ଟିକେ ଶୁଖିଲା ପାଗ ହେଲାରୁ ରାଜା ବାଡିରୁ ଫୁଲ ତୋଳିବାକୁ ଗଲା. ଦେଖିଲା ପ୍ରାୟ ଫୁଲ ସବୁ ଝଡି ତଳେ ପଡିଛି. ଖୁବ କମ ଫୁଲ ମିଳିଲା ଗଛରୁ ତୋଳି ଆଣିବା ପାଇଁ. ସେଥିରୁ ରାଜା ବଡ଼ କଷ୍ଟରେ ଦୁଇଟା ମାଳ କଲା. ସେ ତା ବାପାକୁ କହିଲା, "ଆଜି ଏଇ ମାଳ ମୁଁ ବିକ୍ରି କରିବି ନାହିଁ. ଗୋଟିଏ ତୁମ ପାଇଁ ଠାକୁରଙ୍କୁ ଦେବି ଓ କହିବି ତୁମକୁ ଶୀଘ୍ର ଭଲ କରି ଦେବାକୁ. ଅନ୍ୟଟା ମୋ ବୃତ୍ତି ପରୀକ୍ଷାରେ ସଫଳ କରିବା ଲାଗି କହି ଠାକୁରଙ୍କୁ ଦେବି. "ଏତକ ଶୁଣି ରାଜେନ୍ଦ୍ର କହିଲା "ହଉ ତୋ ମନ ଯାହା କହୁଛି ସେଇଆ କର. ଠାକୁରେ ସବୁ ଜାଣୁଛନ୍ତି, ସେ ସବୁ ବୁଝିବେ. "ଏତକ କହି ରାଜା ମନ୍ଦିର ଆଡକୁ ଗଲା. ଦେଖିଲା ପ୍ରାୟ କେହି ଲୋକ ନାହାନ୍ତି. ଦୂରରୁ ଦେଖିଲା କେବଳ ତାଙ୍କର ସେଇ ନିତି ଦିନିଆ ଗ୍ରାହକ ମାଆ ଜଣକ ତାଙ୍କ ସ୍ୱାମୀଙ୍କ ସହ ଠିଆ ହେଇ କଣ କହୁଛନ୍ତି. ରାଜା ମନ୍ଦିର ଆଡ଼କୁ ଚାଲିଲା.
ମମତା ମନ୍ଦିର ପାଖରେ ଠିଆ ହୋଇ ବସନ୍ତଙ୍କୁ କହୁଥିଲେ, "ଆଜି କଣ ସେହି ତଳ ପାହାଚର ମଣିଷଟା ଦେଖା ନାହିଁ. ଠାକୁରଙ୍କୁ କେମିତି ଫୁଲ ଚଢେଇବି ?" ବସନ୍ତ କହିଲେ, "ଝଡ଼ ବର୍ଷା ପାଇଁ ଆସି ନାହାନ୍ତି. ଚାଲ ତୁମେ ଦର୍ଶନ କରିଲେ ଶୀଘ୍ର ଯିବା. ତୁମେ ଏବେ ଗର୍ଭବତୀ ତେଣୁ ଧୀରେ ଧୀରେ ମୋତେ ଧରି ସିଡ଼ି ଚଢ଼. "ସେତିକି ବେଳେ ରାଜା ପହଞ୍ଚି ସିଡ଼ି ଚଢ଼ିବାକୁ ଲାଗିଲା. ତା ହାତରେ ଫୁଲ ମାଳ ଦେଖି ମମତା କହିଲେ, "ଆରେ ବାବୁ, ତୋ ବାପା କାହିଁକି ଆସି ନାହାନ୍ତି ? ମୋତେ ଗୋଟିଏ ମାଳ ଦେଲୁ. ମୁଁ ତ ତୁମକୁ ଖୋଜୁଥିଲି. "ଏତକ ଶୁଣି ରାଜା କହିଲା, "ମାଆ ଆଜି ମୁଁ ମାଳ ବିକିବାକୁ ଆସିନି. ଏଇ ମାଳରୁ ଗୋଟିଏ ମୋ ବାପାର ଦେହ ଭଲ କରିବାକୁ ଠାକୁରଙ୍କୁ ଦେବି ଓ ଅନ୍ୟଟି ମୋ ପରୀକ୍ଷାରେ ଭଲ କରିବାକୁ ବୁଦ୍ଧି ଦେବାକୁ କହି ଦେବି. "ଏତକ କହି ରାଜା ମମତାଙ୍କୁ ଚାହିଁଲା. ଦେଖିଲା ତାଙ୍କ ମୁହଁ ଟିକେ ଦୁଃଖରେ ମଉଳି ପଡିଲା. ସେ ପାଖକୁ ଯାଇ କହିଲା, " ହଉ ମା ତୁମେ ଗୋଟିଏ ନିଅ ଓ ଅନ୍ୟ ଟା ମୁଁ ମୋ ବାପାଙ୍କ ଲାଗି ଦେବି. "ତା ଠାରୁ ମାଳ ନେଇ ମମତା ଖୁସିରେ ତା ମୁଣ୍ଡରେ ହାତ ବୁଲାଇ ନେଲେ. ରାଜକୁ ଲାଗିଲା ଯେମିତି ତା ବୋଉ ତା ମୁଣ୍ଡରେ ହାତ ବୁଲାଇ ଦେଲା. ସେ ଟିକେ କାନ୍ଦ କାନ୍ଦ ହେଇ ଆସୁଥିଲା, କିନ୍ତୁ ନିଜକୁ ସମ୍ଭାଳି ନେଲା. ସେତିକି ବେଳେ ମମତା ତାକୁ ମାଳର ପଇସା ଦେବାକୁ ଲାଗିଲେ. ରାଜା ହସି ହସି କହିଲା, "ମା ଆଜି ତ ମୁଁ ଫୁଲ ମାଳ ବିକିବାକୁ ଆଣି ନାହିଁ. ତା ପରେ ଆପଣ ମୋ ମୁଣ୍ଡରେ ହାତ ବୁଲାଇ ମୋତେ ମୋ ବୋଉର କଥା ମନେ ପକାଇ ଦେଲେ. ସେଇଥିରୁ ମୋତେ ସବୁ ମିଳିଗଲା. ହଉ ଏବେ ମୋତେ ଏପଟୁ ଧରି ସିଡ଼ି ଚଢ଼. ଆମେ ଦିଜଣ ଅଛୁ କିଛି ଅସୁବିଧା ହେବନି. "ଏତିକି କହି ରାଜା ମମତାଙ୍କୁ ଧରି ମନ୍ଦିର ଭିତରେ ପହଞ୍ଚି ଗଲା. ତାପରେ ନିଜେ ଯାଇ ତା ବାପା ନାମରେ ମାଳ ଚଢାଇବାକୁ ଦେଲା ଓ ନିଜେ ମୁଣ୍ଡିଆ ମାରିଲା ଠାକୁରଙ୍କୁ. ସେତିକି ବେଳେ ବସନ୍ତ ମମତାଙ୍କୁ କହିଲେ, " ଏବେ କୁହ ମମତା ତଳ ପାହାଚର ମଣିଷ କିଏ ?ସେଇ ପିଲାର ବାପା, ସେ ପିଲା ନା ଆଉ କିଏ ?ବିନା ଦ୍ଵିଧାରେ ସେ ଛୋଟ ପିଲାଟି ତା ପାଇଁ ଆଣିଥିବା ମାଳ ତୁମ ମନର ଖୁସି ପାଇ ତୁମକୁ ଦେଇ ଦେଲା. ଆଉ ତୁମ ଠାରୁ ଟିକିଏ ସ୍ନେହ ପାଇ କେତେ ଖୁସି ହେଇଗଲା. ସେ କି ତା ବାପା କେହି ତଳ ପାହାଚର ମଣିଷ ନୁହନ୍ତି. ଖାଲି ସେଠାରେ ସେମାନେ ବସନ୍ତି ନିଜ ପେଟ ପାଇଁ. କିନ୍ତୁ ଆମେ ସବୁ ନିଜକୁ ବହୁତ ବଡ଼ ଭାବି ଭାବୁ ଯେ ଆମେ ତାଙ୍କ ଠାରୁ ବହୁତ ଉପରେ ଅଛୁ. ପ୍ରକୃତରେ ଆମେମାନେ ହିଁ ଆମର ଭାବନା ପାଇ ତଳ ପାହାଚର ମଣିଷ, ସେମାନେ ଓ ତାଙ୍କ ଭାବନା ଆମ ଭାବନା ଠାରୁ ବହୁତ ଉପରେ. " ଏତକ ଶୁଣି ମମତା ଙ୍କ ଆଖିରୁ ଲୁହ ବୋହିଗଲା. ସେ ବସନ୍ତଙ୍କୁ କହିଲେ, "ହଁ ତୁମେ ଠିକ କଥା କହିଲ. "ସେତିକି ବେଳେ ମନ୍ଦିରରୁ ତୁଳସୀ ନେଇ ରାଜା ଯାଉଥିଲା. ତାକୁ ଦେଖି ମମତା ପାଖକୁ ଡାକିଲେ ଓ ପଚାରିଲେ, "ତୋ ନାଁ କଣରେ ବାପା ?"ରାଜା ହସି ହସି କହିଲା, "ମୋ ନାଁ ରାଜା. " ଏତକ ଶୁଣି ମମତା କହିଲେ, "ଆସେ ମୋ ସହିତ ଟିକେ. ତୋ ପାଇଁ ଠାକୁରଙ୍କୁ ମୁଁ ଏ ମାଳ ଚଢେଇବି. "ଏତକ କହି ତା ହାତ ଧରି ମମତା ଗଲେ ଓ ପୂଜାରୀଙ୍କୁ କହିଲେ ରାଜା ନାଁରେ ମାଳ ଚଢେଇବାକୁ. ରାଜା କିଛି ବୁଝି ପାରୁ ନ ଥିଲା. ସେ ଭାବୁଥିଲା ସତେ ଯେମିତି ତା ବୋଉ ଆସି ଏତକ କରୁଛି. ମନ୍ଦିରରୁ ବାହାରିଲା ବେଳକୁ ଟିକେ ବର୍ଷା ହେଲା. ମମତା ରାଜାକୁ କହିଲେ, " ଆସେ ତତେ ତୁମ ଘରେ ଛାଡି ଦେଇ ଯିବୁ ଆମେ. ଆଉ ତୋ ବାପାଙ୍କୁ ଏଇ ଡାକ୍ତର ବାବୁ ବି ଦେଖି ନେବେ. ' ଏତିକିରେ ରାଜା ମନେ ମନେ ଭାବିଲା ଯେମିତି ତା ଡ଼ାକ ଠାକୁର ଶୁଣିଛନ୍ତି. ସେ ମମତା ଓ ବସନ୍ତକୁ ନେଇ ତା ଘରକୁ ଗଲା. ବସନ୍ତ ରାଜେନ୍ଦ୍ରକୁ ଦେଖି କିଛି ଔଷଧ ନିଜ ଗାଡ଼ିରୁ ଆଣି ଦେଲେ ଓ କହିଲେ ଦୁଇ ଦିନ ପରେ ଜ୍ୱର ଛାଡି ଜିବ. ଗଲା ବେଳେ ମମତା ରାଜେନ୍ଦ୍ରକୁ କହିଲେ, " ମୁଁ ଘରେ ଏକା ରହୁଛି ଡାକ୍ତର ବାବୁ ଡାକ୍ତରଖାନା ଗଲା ପରେ. ଆମ ଡ୍ରାଇଭର କାଲିଠାରୁ ଆସି ରାଜାକୁ ସନ୍ଧ୍ୟା ବେଳେ ମୋ ପାଖକୁ ନେଇଯିବ, ମୁଁ ତାକୁ ତା ବୃତ୍ତି ପରୀକ୍ଷା ପାଇଁ ପଢାଇବି. ଥରେ ଘର ଦେଖିଲା ପରେ ରାଜା ନିଜେ ଚାଲି ଚାଲି ଯାଇ ପାରିବ. ଏଇ ପାଖରେ ଆମେ ରହୁଛୁ. "ଏତକ ଶୁଣି ରାଜେନ୍ଦ୍ର ଖୁସିରେ ଉଭୟ ବସନ୍ତ ଓ ମମତାଙ୍କୁ ହାତ ଯୋଡି କୃତଜ୍ଞତା ଜଣାଇଲା. ସେ କହିଲା ଆପଣ ଆମ ପାଇଁ ଠାକୁରଙ୍କ ଦୂତ ସାଜି ଆସିଛନ୍ତି. ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ. "ମମତା ଓ ବସନ୍ତ ବାହାରିବାକୁ ଲାଗିଲେ. ରାଜା ଦୁଇଜଣଙ୍କ ପାଦ ଛୁଇଁ ପ୍ରଣାମ କଲା. ତା ପର ଦିନ ଠାରୁ ସନ୍ଧ୍ୟାରେ ରାଜା ମମତାଙ୍କ ପାଖକୁ ପଢିବାକୁ ଗଲା. ବୃତ୍ତି ପରୀକ୍ଷାରେ ରାଜା ପୁରା ସହରରେ ପ୍ରଥମ ସ୍ଥାନ ପାଇଲା. ସେ ରାଜେନ୍ଦ୍ରକୁ କହିଲା ଓ ଖୁସିରେ ଦୌଡ଼ି ଯାଇ ମମତାଙ୍କ ପାଦ ଛୁଇଁ ତାଙ୍କୁ ଜଣାଇଲା. ମମତା ତାକୁ କୋଳେଇ ନେଲେ ଓ କହିଲେ ଏବେ ମନ ଦେଇ ପାଠ ପଢ଼ିବୁ. ମୋ ପାଖକୁ ଆସିବୁ ମୁଁ ସବୁଦିନେ ପଢାଇବି.
ଦୂରରୁ ବସନ୍ତ ଏ ସବୁ ଦେଖି ହସୁଥିଲେ. ରାଜା ଗଲା ପରେ ସେ କହିଲେ, "ଏବେ ମମତା ଆମେ କେହି ତଳ ପାହାଚର ମଣିଷ ନୁହେଁ. " ଏତକ ଶୁଣି ମମତା ବି ହସି ଉଠିଲେ....
