Biswanath Nayak

Tragedy

4  

Biswanath Nayak

Tragedy

ତଳ ବରଡା

ତଳ ବରଡା

10 mins
576



ପୂର୍ବାକାଶରେ ସିନ୍ଦୁରା ଫାଟିଲାଣି। ନଡା ଛପର ଚାଳ ଉପରେ ବସି କାଉଟା କା' କା' କଲାଣି। ତରତରରେ ଗୋବରପାଣି ଟିକେ ସିଞ୍ଚିଦେଇ ଦାଣ୍ଡ ଦୁଆର ଖରକିଦେଲା ପାର। ଘର ସାମନାରେ ଥିବା ପୋଖରୀରେ ବୁଡଟାଏ ମାରି ଲୁଗାଟା ପାଲଟି ଦେଇ ତୁଳସୀ ମୂଳରେ ଜଳଦେଇ ମୁଣ୍ଡିଆମାରି କହିଲା, ମୋତେ କ୍ଷମାକର ମା! ନିଦରୁ ଉଠିବା ଟିକେ ଡେରି ହୋଇଗଲା। କକେଇଙ୍କ ନିଦ କେତେବେଳୁ ଭାଙ୍ଗି ଯିବଣି। ସେ ପାଇଖାନା ଯିବାକୁ ଅପେକ୍ଷା କରିଥିବେ। ପାଖକୁ ପାଣି ନଦେଲେ ସେ ପାଇଖାନା ଯିବେ କେମିତି?କବାଟ ବାଡେଇ ଡାକିଲେ ଆଗରୁ ଯାହା ଶୀଘ୍ର କବାଟ ଖୋଲୁଥିଲେଏବେ ଆଣ୍ଠୁ ଦି'ଟା ଏମିତି ଧରିଛି ଯେ ଶେଯରୁ ଉଠି ଆସି କବାଟ ଖୋଲିବାକୁ ତାଙ୍କୁ ବହୁତ ସମୟ ଲାଗୁଛି। ହାତରେ ଧରିଥିବା ପାଣି ଢାଳଟାକୁ କକେଇଙ୍କ ପିଣ୍ଢା ଉପରେ ରଖି କବାଟ ବାଡେଇ ଡାକିଲା, କକେଇ! କକେଇ!


     କକେଇ କହିଲେ ମଧୁସୂଦନ ମିଶ୍ର। ଆଖପାଖ ଦୁଇ ତିନି ଖଣ୍ଡ ଗାଁରେ ଲୋକେ ତାଙ୍କୁ ମଧୁ କକେଇ ବୋଲି ଜାଣନ୍ତି। ଗୋରା ତକତକ ଚେହେରା। କାନ୍ଧରେ ପଇତା, ମୁଣ୍ଡରେ ଚନ୍ଦନ ଟୋପା। ଅଚଳାଚଳ ସମ୍ପତ୍ତିର ମାଲିକ। କିନ୍ତୁ ଭାରି କୃପଣ। କାହାକୁ ପଇସାଟିଏ ଦେବାକୁ ଭଲ ପାଆନ୍ତିନି। ଗାଁ ଲୋକେ ତାଙ୍କୁ ଯେତେବେଳେ ମଜାରେ କହନ୍ତି, କକେଇ! କାଇଁ ଏତେ ଲୋଭ କରୁଛ। କଣ ଏ ଧନସମ୍ଫତ୍ତି ସବୁ ମଲାବେଳେ ସ୍ଵର୍ଗକୁ ନେଇକରିଯିବ? କକେଇ କହନ୍ତି, ଆରେ ସବୁତ ଏଇ ପିଲାମାନଙ୍କ ପାଇଁ। ଏଇମାନେତ ମଲାବେଳେ ପାଟିରେ ଟିକେ ନିର୍ମାଲ୍ୟ ପାଣି ଦେଇଦେଲେ ମଣିଷ ସ୍ଵର୍ଗକୁ ଯିବ। ଆରେ ଅଜାମିଳ ଭଳି ପାପୀତ ପୁଣି ପୁଅର ନାଆଁ ଧରି ତରିଗଲା। ସେଇଥିପାଇଁ ବଡପୁଅ ନାଆଁ ରାମ ଓ ସାନପୁଅ ନାଆଁ କୃଷ୍ଣ ଦେଇଛି। ଜୀବ ଗଲାବେଳେ ଯାହା ନାଆଁ ପାଟିରେ ପସିଲେବି ମୁକ୍ତି ପାଇଯିବି।  


    କକେଇଙ୍କ ବଡପୁଅ ରାମଚନ୍ଦ୍ର ମିଶ୍ର ଓ ସାନପୁଅ 

କୃଷ୍ଣଚନ୍ଦ୍ର ମିଶ୍ର। ବଡପୁଅ ଭାରି ସାଧାରଣ। ମାଛିକୁ ମ' କହେ ନାହିଁ। ତାର ପଢାବହି ଭଲତ ସେ ଭଲ। ଗାଁରେ ସମସ୍ତେ କହନ୍ତି, ପୁଅ ହେବତ ଏମିତି। ଇଏ ନିଶ୍ଚୟ ବାପର ନାଆଁ ରଖିବ। ସାନଟାର ଏତେ ଭଲ ପାଠ ହୁଏନାହିଁ । କକେଇ କହନ୍ତି ଯେତିକି ପଢୁଛି ପଢୁ। ଦି'ଜଣ ଯାକ ଯଦି ପାଠପଢି ଚାକିରୀ କରିବେ ଏ ଜମିବାଡ଼ି ଖବର ବୁଝାବୁଝି କରିବ କିଏ?ତାପରେ ସମସ୍ତେ ଚାକିରୀ କରି ବାହାରେ ରହିଲେ ଆମ ବୁଢାବୁଢୀଙ୍କ ଖବର ବୁଝିବ କିଏ?


    ସତକୁ ସତ ସମସ୍ତଙ୍କ ତୁଣ୍ଡ ସୁତୁଣ୍ଡ କରି କକେଇଙ୍କ 

ବଡପୁଅ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ଏମ.ଏ. ପାଶ୍ କରି ଆୟକର ବିଭାଗରେ ଚାକିରୀ ପାଇଲା। କକେଇଙ୍କ ଖୁସି କହିଲେ ନସରେ। ସାନଟା କୌଣସିମତେ ମାଟ୍ରିକ ଖଣ୍ଡକ ବଡ କଷ୍ଟରେ ପାସ୍ କଲା। କିନ୍ତୁ କକେଇଙ୍କର ସେଥିପାଇଁ ଆଦୌ ମନଦୁଃଖ ନଥିଲା।  


   ବାହାରେ ଯେତେ କାମ ଥାଉ ଫୁଲ ଖୁଡିଙ୍କ ହାତଭଙ୍ଗା ପାନଖଣ୍ଡେ ନଖାଇଲେ କକେଇ ମୋଟେ ବାହାରକୁ ବାହାରିବେନି। ସେଦିନପାନଖଣ୍ଡେ ଭାଙ୍ଗି କକେଇଙ୍କ ହାତକୁ ବଢେଇଲାବେଳେ ଖୁଡିକହିଲେ,ପୁଅର ତ ପଢା ସରିଲା। ଚାକିରୀ ହେଲା। ଆଉ ଡେରି କାହିଁକି। ଭଲ ଝିଅଟିଏ ଦେଖି ତାକୁ ହାତକୁ ଦିହାତ କରିଦେଲେ ହୁଅନ୍ତାନି। କକେଇ କହିଲେ ତମେ କଣ ଭାବୁଛ ସେକଥା ମୁଁ ଚିନ୍ତା କରିନି। କିନ୍ତୁ ମନଲାଖି ଝିଅଟିଏ ମିଳିବା କଣ ଏତେ ସହଜ କଥା। ଖାଲି ରୂପ ଥିଲେତ ହବନି ଗୁଣବି ଥିବା ଦରକାର। ଯିଏ ଏ ଘରର ବଡବୋହୂ ହେବ ତା ହାତରେ ଆମ ପିତୃପୁରୁଷ ପାଣି ପାଇବେ। ସେ ସମସ୍ତଙ୍କ ମନକୁ ନେଇ ଚଳି ପାରୁଥିବ। ତମେ ନିଜ କଥା ଟିକେ ଭାବିଲ। ପିଲାମାନଙ୍କ ଅଳିଅର୍ଦ୍ଦଳି ସହି ଶାଶୁ ଶ୍ଵଶୁରଙ୍କ ସେବା କରି କେବେ କଣ ତମେ ଥକି ପଡିଛ? ଯିଏ ତୁମ ବୋହୂ ହେବ ସେ ପୁଣି ତମରି ପରି ହେବା ଦରକାର ନା ନାହିଁ?


    ଯାହାହେଉ, ଅନେକ ଝିଅ ଦେଖିବା ପରେ ପାଖ ଗାଁ ର 

ଯଦୁମଣି ମହାପାତ୍ରଙ୍କ ଝିଅ ସୁଜାତାକୁ ବୋହୂ କରିବାକୁ କକେଇ ପସନ୍ଦ କଲେ। ଖୁବ୍ ଧୂମଧାମରେ ବାହାଘର ହୋଇଗଲା। ସାହିସାରା ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା।  କକେଇ ଭାରିକପାଳିଆ। ବୋହୂ ନୁହେଁ ତ ହୀରାମୁଣ୍ଡାଟାଏ ପାଇଛନ୍ତି। ନିକଟସ୍ଥ ଗାଁର ସରକାରୀ ହାଇସ୍କୁଲରେ ଶିକ୍ଷୟତ୍ରୀ। ରୂପ ଗୁଣ କେଉଁଥିରେ ବାରିବାକୁ ନାହିଁ। କକେଇ ଓ ଖୁଡି ଦି'ଜଣଙ୍କ ଖୁସି କହିଲେ ନସରେ। ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି। ଚାକିରୀଆ ବୋହୂ ପୁଣି ପାଖରେ ରହି ଶାଶୁ ଶଶୁରଙ୍କ ଦେଖାଶୁଣା କରିବ। ଏମିତି ମଉକା କେତେଜଣଙ୍କ ଭାଗ୍ୟରେ ଜୁଟେ!


    ବାହାଘର ପରେ କକେଇ ବଡପୁଅକୁ ପାଖକୁ ଡାକି କହିଲେ, କଟକରୁ ଆମଘର ବା କେତେବାଟ। ବର୍ତ୍ତମାନ ଅଫିସରୁ ଘରକୁ ଯେମିତି ଯିବା ଆସିବା କରୁଛୁ ସେମିତି ଯିବା ଆସିବା କରିବୁ। ଆମ ଗାଁର ଯେତେଲୋକ କଟକରେ ଚାକିରୀ କରୁଛନ୍ତି ସମସ୍ତେ ତ ପ୍ରାୟ ଯିବା ଆସିବା କରୁଛନ୍ତି। ତାପରେ ରାସ୍ତାଘାଟର ଯେମିତି ସୁବିଧା ହେଲାଣି କଟକରେ ରହି ଘରଭଡା ଗଣିବାର କିଛି ଯଥାର୍ଥତା ନାହିଁ। ଆଉ ସ୍କୁଟିଟିଏ କିଣିଦେଲେ ବୋହୂ ତାର ସ୍କୁଲକୁ ଯିବା ଆସିବା କରିବ। 'ମୌନେ ସମତ୍ତି ଲକ୍ଷଣ' ନ୍ୟାୟରେ ବଡପୁଅ କିଛି ନକହି ଚୁପ୍ ରହିଲା।


    ସୁଜାତା ଖୁବ୍ ବୁଦ୍ଧିମତୀ ଝିଅ। ସ୍କୁଲ କାମ ସହିତ ଶାଶୁ ଶଶୁରଙ୍କ ସେବା ଓ ଘରର ଅନ୍ୟାନ୍ୟ କାମ ସବୁଥିରେ 

ପାରଙ୍ଗମ। ଦିଅର କୃଷ୍ଣ ମଧ୍ୟ ଭାଉଜଙ୍କ ବ୍ୟବହାର ଓ ଘରକରଣା ଦେଖି ଭାରି ଖୁସି। କଥାରେ କଥାରେ ତା ସାଙ୍ଗ ମାନଙ୍କୁ ସେ କହେ, ବୁଝିଲ, ଭାଗ୍ୟରେ ଥିଲେ ଏମିତିକା ଭାଉଜ ମିଳେ। ମା' ଭଳି ସବୁବେଳେ ଖାଇବା ଖବର ବୁଝୁଥିବେ। କକେଇ ଓ ଖୁଡି ମଧ୍ୟ ସୁଜାତାକୁ ନିଜ ଝିଅ ଭଳି ସ୍ନେହ କରନ୍ତି। ଗାଁ ମୁଣ୍ଡ ଚା'ଦୋକାନ ପାଖରେ ପଡିଥିବା ବେଞ୍ଚ୍ ଉପରେ ବସି ଚା' ପିଉ ପିଉ କକେଇ ଗାଁ ଲୋକଙ୍କୁ କୁହନ୍ତି,ବୋହୂ ହେଉଛି ଘରର ଲକ୍ଷ୍ମୀ। ସେ ଚାହିଁଲେ ଘରଟା ବୈକୁଣ୍ଠ ପାଲଟିଯିବ।


    ସୁଖର ଦିନ ଗୁଡିକ କେତେ ଶୀଘ୍ର ଯେ ବିତିଯାଏ ତାହା 

ମଣିଷକୁ ଆଦୌ ଜଣାପଡେନାହିଁ। ୟା ଭିତରେ ବଡପୁଅର ବାହାଘର ହେବା ଏକବର୍ଷ ହୋଇଗଲାଣି। ସେଦିନ ସ୍କୁଲରୁ ଫେରି ସୁଜାତା ମନଦୁଃଖରେ ଖୁଡିଙ୍କୁ କହିଲେ ବୋଉ! ମୋର କଟକ ବଦଳି ହୋଇଯାଇଛି। ମୋତେ ଆସନ୍ତା ସପ୍ତାହରେ ସେ ସ୍କୁଲରେ ଜଏନ୍ କରିବାକୁ ପଡିବ। ଖବରଟା ଶୁଣି ଘରେ ସମସ୍ତଙ୍କ ମନ ଦୁଖ। ତାଙ୍କର ସୁଖର ଦିନ ଗୁଡିକ ଏତେ ଶୀଘ୍ର ଶେଷ ହୋଇଯିବ ବୋଲି କକେଇ କେବେବି ଭାବିନଥିଲେ। କାରଣଏହି ବର୍ଷକ ଭିତରେ ସୁଜାତା ପରିବାରର ସମସ୍ତଙ୍କ ମନକୁ ସ୍ନେହରେ ଏମିତି ବାନ୍ଧି ଦେଇଥିଲେ ଯେ ତାଙ୍କ ବଦଳି କଥାଟା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା।  


    ବଡପୁଅ କହିଲା, ନନା, ଚାକିରୀ କଲେ ବଦଳି ହୁଏ।

ଏଥିରେ ଏତେ ବ୍ୟସ୍ତ ହେବାର କିଛି ନାହିଁ। ଆମେ ତ କଟକରେ ରହିବୁ। ଯେତେବେଳେ ଦରକାର ଘଣ୍ଟାଏ ଭିତରେ ଆସି ପହଞ୍ଚିଯିବୁ। ତାପରେ ଏଇ ବର୍ଷ ଆମେ କୃଷ୍ଣର ବିଭାଘର କାମଟା ସାରିଦେବା। ସେ ଦୁଇଜଣ ତୁମ ପାଖରେ ରହି ଘରର ସବୁ ଦାୟିତ୍ୱ ବୁଝିବେ। ତେଣୁ ସୁଜାତାର ଏ ବଦଳି ପାଇଁ ତୁମେ ଆଦୌ ମନଦୁଃଖ କରନାହିଁ।  


   ସୁଜାତା କିନ୍ତୁ ଏ ବଦଳିରେ ଆଦୌ ଖୁସି ନଥିଲେ। ତାଙ୍କର କେବଳ ଚିନ୍ତା ଶାଶୁ ଓ ଶଶୁରଙ୍କ ପାଇଁ। ସେ କଟକରେ ରହିବା ପରେ ସେମାନେ ଯେ ନିଶ୍ଚୟ ଅସୁବିଧାରେ ରହିବେ ଏକଥା ସେ ମର୍ମେ ମର୍ମେ ଅନୁଭବ କରି ସାରିଥିଲେ। ଶାଶୁ,ଶଶୁର ଓ ଦିଅର ସମସ୍ତଙ୍କ ସହିତ ହସଖୁସିରେ ରହିଲେ ଯେ କି ଆତ୍ମସନ୍ତୋଷ ମିଳେ ସେକଥା ସେ ଭଲ ଭାବରେ ହୃଦୟଙ୍ଗମ କରିସାରିଥିଲେ। ସେଥିପାଇଁ ଚେଷ୍ଟା କରି କୌଣସି ଉପାୟରେ ଏ ବଦଳିକୁ ରୋକିବାପାଇଁ ସେ ସ୍ଵାମୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। କିନ୍ତୁ ସ୍ଵାମୀଙ୍କର ସେହି ଗୋଟିଏ ଉତ୍ତର,ସରକାରୀ ଚାକିରୀ କରିଛ ମାନେ ଯେଉଁଠିକି ବଦଳି ହେବ ସେଠିକି ଯାଇ ନିଜର ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ। ତାପରେ ଏହି ସାଧାରଣ ବଦଳି ରୋକିବା ପାଇଁ କାହାକୁ ଅନୁରୋଧ କରିବା ତାଙ୍କର ନୀତି ବହିର୍ଭୁତ କାର୍ଯ୍ୟ।


   କିନ୍ତୁ ଏ ବଦଳି ସୁଜାତାଙ୍କ ପାଇଁ ଏକ ସାଧାରଣ ବଦଳି 

ନଥିଲା। ଏହା ତାଙ୍କର ଅନେକ ସୁନ୍ଦର ଭାବନାର ସୌଧକୁ ମାଟିରେ ମିଶାଇ ଦେଇଥିଲା। ଅନେକ ଆଶଙ୍କା ଭିତରେ ସେ ଭାବୁଥିଲେ କଟକର କେଉଁ ଏକ ଭଡାଘରେ ଏକାକୀ ସ୍ଵାମୀଙ୍କ ସହ ଜୀବନ କାଟିବା କଥା। ଯେଉଁଠାରେ ନଥିବ ଶାଶୁଙ୍କ ସ୍ନେହ ଓ ଶଶୁରଙ୍କ ଆକଟ,ସେମାନଙ୍କ ଅଭିଜ୍ଞତାରୁ ଜୀବନ ଯୁଦ୍ଧକୁ ଜିତିବାର ଶିକ୍ଷା। ମୂରବୀବିହୀନ ପରିବାର ତାଙ୍କର କେବେବି ଅଭିଳାଷା ନଥିଲା। ଶୃଙ୍ଖଳା ବିନା ସ୍ଵାଧୀନତାର ଅର୍ଥ। କିଛି ନଥାଏ। ପାଖରେ କେହି ଗୁରୁଜନ ନଥିଲେ ମୁଣ୍ଡ ଉପରେ ଆକାଶ ନଥିଲା ପରି ଲାଗେ। ତେଣୁ ଏ ବଦଳି ତାଙ୍କୁ କୋଳାହଳମୟ ପରିବେଶ ଭିତରୁ ଏକ ଅଜଣା ନିର୍ଜନତା ଆଡକୁ ଟାଣିନେଲା ଭଳି ସେ ଅନୁଭବ କରୁଥିଲେ। କିନ୍ତୁ, କଣ କରିବେ?ଚାକିରୀ କରିଛନ୍ତି ମାନେ ସରକାରୀ ନିର୍ଦ୍ଦେଶକୁ ତ ମାନିବାକୁ ହେବ।


    ଏଣେ ରାମବାବୁ କଟକରେ ଗୋଟିଏ ଭଲ ଭଡାଘର 

ଅନ୍ଵେଷଣରେ ଲାଗି ପଡିଥିଲେ। କାରଣ କଟକରେ ଏକ ମନମୁତାବକ ଘର ପାଇବା ଏତେ ସହଜ କାମ ନୁହେଁ।

ଶେଷରେ ସୁଜାତାଙ୍କ ନୂଆ ସ୍କୁଲ ପାଖାପାଖି ଏକ ଘର ଠିକ୍ ହେଲା। କକେଇ ବି ନିଜ ମନକୁ ନିଜେ ବୁଝାଇବାକୁ ଚେଷ୍ଟା କରୁଥିଲେ। ଖୁଡି ମନଦୁଃଖ କରିବାରୁ କକେଇ କହିଲେ ,ଦେଖ।  ଏକେତ ବୋହୂର ମନ ଭଲନାହିଁ। ତମେ ତାକୁ ନ ବୁଝେଇ ଓଲଟା ଯଦି ମନ ଖରାପ କରିବ ତାହେଲେ କେମିତି ଚଳିବ କହିଲ?ସେମାନେ ତ ଏଇ କଟକରେ ରହିବେ। ଫୋନ କଲେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚି ଯିବେନି?


    ସମୟ ତ କାହାକୁ ଅପେକ୍ଷା କରେନି। ନିର୍ଦ୍ଧାରିତ ସମୟରେ ସୁଜାତା ଯାଇ ନୂଆ ସ୍କୁଲରେ ଯୋଗ ଦେଇ ସାରିଥିଲେ। କିନ୍ତୁ ଗୋଟିଏ ଦିନ ଛୁଟି ପାଇଲେ ସ୍ଵାମୀଙ୍କୁ ବାଧ୍ୟ କରନ୍ତି ଗାଁ କୁ ଆସିବା ପାଇଁ। ଯଦି ତାଙ୍କର କିଛି କାମ ଥାଏ ଏକା ଏକା ମଧ୍ୟ ବସରେ ବସି ଘରକୁ ଚାଲି ଆସନ୍ତି। ଦିନଟିଏ ପାଇଁ ହେଉପଛେ ଘର କାମ ଓ ଶାଶୁ ଶଶୁରଙ୍କ ସେବାରେ ନିଜକୁ ହଜେଇ ଦିଅନ୍ତି। ତାପରେ ପୁଣି ନିଜର କର୍ମକ୍ଷେତ୍ରକୁ ଫେରି ଯାଆନ୍ତି।


    ଥରେ ପାନଖଣ୍ଡେ ଭାଙ୍ଗି କକେଇଙ୍କ ହାତକୁ ଧରାଉ ଧରାଉ ଖୁଡି କହିଲେ, ଏ କିଛି ଦିନ ହେଲା ମୋତେ କାହିଁକି କିଛି ଭଲ ଲାଗୁନାହିଁ। ରାତିରେ ପିତୃପୁରୁଷଙ୍କୁ ସ୍ଵପ୍ନରେ ଦେଖୁଛି। ମୋତେ ଲାଗୁଛି ସେମାନେଯେମିତି ମୋତେ ତାଙ୍କ ପାଖକୁ ଡାକୁଛନ୍ତି। କେତେବେଳେ କେଉଁ କଥା। ତୁମେ ସାନପୁଅର ବାହାଘର କାମଟା ସାରିଦିଅ। କକେଇ କହିଲେ,ଯେତେ ଜମିବାଡ଼ି ଥିଲେବି ଚାକିରୀ ଖଣ୍ଡେ ନଥିଲେ ଆଜିକାଲି କେହିଝିଅ ଦେବାପାଇଁ ରାଜି ହେଉନାହାନ୍ତି। ତାପରେ ପୁଅର ବି ଏକା ଜିଦ୍ କିଛି ପଇସା ରୋଜଗାର ନକଲେ ସେ ବାହା ହେବନି। ଆମ ଗାଁର ରାଧୁ ଦାସ ପୁଅ ମଧ୍ୟପ୍ରଦେଶରେ ଏକ କମ୍ପାନୀରେ କାମ କରୁଛି। ଏଇଥର ରଜକୁ ଆସିଲେ କୃଷ୍ଣକୁ ସାଥିରେ ନେଇଯିବ ବୋଲି କହିଛି। ପାଠଶାଠ ତ ପଢିଲା ନାହିଁ ଆଉ ଭଲ ଚାକିରୀ ଜୁଟିବ କେଉଁଠୁ?ତାପରେ ତମେ ସ୍ଵପ୍ନ ଟିକେ ଦେଖି ଏତେ ଡରୁଛ କଣ? ସ୍ଵପ୍ନଟା ସବୁବେଳେ ସ୍ଵପ୍ନ।


   ସେଦିନ ଥାଏ ରବିବାର। ସୁଜାତାଙ୍କ ସ୍କୁଲ ଛୁଟି। ସେ ଘରକୁ ଆସି ଥାଆନ୍ତି। ସ୍ଵାମୀଙ୍କୁ କହିଲେ ଦେଖ,ବୋଉ କହୁଥିଲେ ତାଙ୍କ ଛାତିରେ ବେଳେବେଳେ ଯନ୍ତ୍ରଣା ହେଉଛି ବୋଲି। କାଲି କଟକ ଗଲାବେଳେ ତାଙ୍କୁ ସାଥିରେ ନେଇ ଡାକ୍ତରଙ୍କୁ ଦେଖେଇଦେବା। ରାମ ବାବୁ କହିଲେ, ହଉ। ସେଦିନ ରାତିରେ ଶାଶୁଙ୍କ ଆଣ୍ଠୁରେ ତେଲ ଘସି ଦେଉ ଦେଉ ସୁଜାତାକହିଲେ, ବୋଉ!ତିନି ଚାରି ମାସ ପର୍ଯ୍ୟନ୍ତ ମୁଁ ଆଉ ଘରକୁ ଯିବାଆସିବା କରି ପାରିବିନି। ଡାକ୍ତର ମନା କରିଛନ୍ତି। ଆପଣ ମନଦୁଃଖ କରିବେନି। ବୋହୂର ଇଙ୍ଗିତ ବୁଝି ଖୁଡି କହିଲେ, ଏ ତ ଖୁସିର କଥା। ମୁଁ ଦୁଖଃ କରିବି କାହିଁକି ମୁଁ ତ ଠାକୁରଙ୍କୁ ଡାକୁଛି ଯେତେଶୀଘ୍ର ଏ ଘରେ କୁଆଁ କୁଆଁ ଡାକ ଶୁଭୁ।


   ସେଦିନ ରାତି ଦୁଇଟା ହେବ। ଦିଅରଙ୍କ ପାଟି ଶୁଣି ସୁଜାତାଙ୍କ ନିଦ ଭାଙ୍ଗିଗଲା। ସେ କବାଟ ଖୋଲି ସ୍ଵାମୀଙ୍କ ସହ ବାହାରକୁ ଆସିଲେ। କୃଷ୍ଣ କହିଲେ, ଭାଉଜ! ବୋଉ ଛାତିରେ ଭୀଷଣ ଯନ୍ତ୍ରଣା ହେଉଛି। ସୁଜାତା କହିଲେ, ଆମେ ବୋଉଙ୍କ ପାଖରେ ଅଛୁ। ତମେ ଯାଇ ଅଟୋ ଡାକ। ବୋଉଙ୍କୁ ଡାକ୍ତରଖାନା ନେଇଯିବା। ସେ ଦୌଡ଼ି ଯାଇ ଶାଶୁଙ୍କ ପିଠି ଆଉଁସିବାରେ ଲାଗିଲେ। ରାମବାବୁ ବସି ତାଙ୍କ ପାଦ ଆଉଁସୁ ଥାଆନ୍ତି। କକେଇ ପିଣ୍ଢାରେ ପଡିଥିବା ଚେୟାର ଉପରେ ଗାଲରେ ହାତ ଦେଇ ବସିଥିଲେ। ଖୁଡି ଖନେଇ ଖନେଇ ବୋହୂକୁ କହୁଥିଲେ,ମା,ତୋତେ ଏ ଘରଦ୍ଵାର ଲାଗିଲା। ଏକଥା ଶୁଣି ସୁଜାତାଙ୍କୁ ସବୁଆଡେ ଅନ୍ଧାର ଦେଖା ଯାଉଥିଲା। ସେ ନିଜ କୋହ ସମ୍ଭାଳି ନପାରି କଇଁ କଇଁ ହୋଇ କାନ୍ଦି ଉଠିଥିଲେ। ତାଙ୍କ କାନ୍ଦ ଶୁଣି କକେଇ ଘର ଭିତରକୁ ଦୌଡ଼ି ଆସିଥିଲେ। ସେତେବେଳକୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ବୋହୂ କୋଳରେ ମୁଣ୍ଡ ରଖି ଖୁଡି ସବୁଦିନ ପାଇଁ ଶୋଇ ଯାଇଥିଲେ।


  ଅହ୍ୟ ଡେଙ୍ଗୁରା ବଜେଇ ଖଇ କଉଡ଼ି ବିଞ୍ଚି କକେଇଙ୍କୁ 

ଏକୁଟିଆ କରିଦେଇ ଖୁଡି ସେପାରିକୁ ଚାଲିଯାଇଥିଲେ। ବଡବୋହୂ ହିସାବରେ ସୁଜାତାଙ୍କ ମୁଣ୍ଡ ଉପରକୁ ଘରର ଗୁରୁ ଦାୟିତ୍ୱ ଆସି ଯାଇଥିଲା। ସେ କିପରି ଭାବରେ ଏ ସମସ୍ୟାକୁ ସମାଧାନ କରିବେ କିଛି ବୁଝିପାରୁନଥିଲେ। ଡାକ୍ତରଙ୍କ ବାରଣ ଯୋଗୁ ସେ ଘରକୁ ଯିବା ଆସିବା କରି ପାରିବେ ନାହିଁ। ଏପଟେ ଚାକିରୀ କରିବା ପାଇଁ ଦିଅରଙ୍କର ମଧ୍ୟପ୍ରଦେଶ ଯିବା ଏକ ପ୍ରକାର ଠିକ୍ ହୋଇଯାଇଥିଲା। ଶ୍ଵଶୁର ଏକା ଚଳିବେ କେମିତି?ଏହି ଚିନ୍ତା ତାଙ୍କୁ ବାରମ୍ବାର ଘାରୁଥିଲା।


  ଶାଶୁଙ୍କର ଶୁଦ୍ଧିକ୍ରିୟା ସରିଯିବା ପରେ ସେ ସ୍ଵାମୀଙ୍କୁ କହିଲେ, ଶୁଣ,ନନାଙ୍କୁ ଆମେ କଟକ ନେଇଯିବା। ସେ ଏକୁଟିଆ ଏଠାରେ ରହିବେ କେମିତି? ସେ କହିଲେ,ମୁଁ ତ ସେକଥା ନନାଙ୍କୁ କହି ସାରିଛି। ସେ ରାଜି ହେଉନାହାନ୍ତି। ତମେ ଚେଷ୍ଟା କରି ଦେଖ। ସେଦିନ ରାତିରେ ଶଶୁରଙ୍କୁ ଖାଇବାକୁ ବାଢିଦେଲାବେଳେ ସୁଜାତା କହିଲେ, ଆପଣ ଆମ ସହିତ କଟକ ଚାଲନ୍ତୁ।  ଆପଣଙ୍କୁ ଏଠାରେ ଏକୁଟିଆ ଛାଡି ମୁଁ ଯିବି କେମିତି?ଆପଣଙ୍କ ଦେହପା' କିଏ ଦେଖିବ?ଆପଣଙ୍କ ଖାଇବା ଖବର କିଏ ବୁଝିବ?


    କକେଇ କହିଲେ, ତମେ ସେଥିପାଇଁ ଆଦୌ ବ୍ୟସ୍ତ ହୁଅନାହିଁ ମା,ଯେଉଁ ଖୁସି ଖବରଟା ତୁମେ ତୁମ ଶାଶୁଙ୍କୁ ଦେଇଥିଲ ସେକଥା ସେଦିନ ସେ ମୋତେ କହିସାରିଥିଲେ। ଦୁର୍ଭାଗ୍ୟକୁ ସେ ତ ରହିଲେ ନାହିଁ। ତୁମ ଖବର ଆଉ କିଏ ବୁଝିବ? ତେଣୁ ନିଜେ ନିଜର ଯତ୍ନ ନିଅ। ତାପରେ କୃଷ୍ଣ ତ ମଧ୍ୟପ୍ରଦେଶ ଚାଲିଯିବ। ଆମେ ସମସ୍ତେ ଯଦି କଟକରେ ରହିବା ଏଠି ଏ ଘରଦ୍ଵାର ର ଦାୟିତ୍ୱ ବୁଝିବ କିଏ? ତାପରେ ରହିଲା ମୋ କଥା,ମୁଁ ମନେ ମନେ ଠିକ କରିଛି, ପାର ମୋ ଖାଇବା ଖବରଟା ବୁଝିଦେବ।


   ପାର,ଭଲ ନାଆଁ ପାର୍ବତୀ। ହିସାବରେ କକେଇଙ୍କର ଝିଆରୀ ହେବ। ସ୍ଵାମୀର ଅକାଳ ମୃତ୍ୟୁ ପରେ ଶାଶୁଘର ପଚାରିଲେ ନାହିଁ। ବାପଘରେ କେହି ନାହାନ୍ତି। ସେଇଠି ଆସି ରହିଛି। କକେଇଙ୍କ ଘରକୁ ତାଙ୍କ ଘର ଲାଗିଛି। ଦୁଖଃଧନ୍ଦା କରି ଚଳେ। ଆଗକୁ କି ପଛକୁ କେହି ନାହାନ୍ତି। ଗାଆଁ ସାରା ସମସ୍ତେ ତାଙ୍କୁ ପାର ନାନୀ ବୋଲି ଡାକନ୍ତି।  ଦିଅରଙ୍କ ହାତରେ ପାର ନାନୀଙ୍କୁ ଡକାଇଲେ ସୁଜାତା। କହିଲେ, ଦେଖ ନାନୀ!ବୋଉ ଚାଲିଗଲା ପରେ ଆମେ ଯେଉଁ ଅସୁବିଧାରେ ପଡିଛୁ ତୁମେ କେବଳ ଆମକୁ ସାହାଯ୍ୟ କରି ପାରିବ। ତୁମେ ତ ଜାଣ ଆମେ କଟକରେ ରହୁଛୁ। ରାମ ମଧ୍ୟ ଚାକିରୀ ପାଇଁ ବାହାରକୁ ଚାଲିଯିବେ। ଘରଦ୍ୱାର ଛାଡି ନନା ଆମ ସହିତ ଯିବାପାଇଁ ରାଜି ହେଉନାହାନ୍ତି। ତୁମେ ଯଦି ତାଙ୍କ ଖାଇବା ଖବରଟା ବୁଝି ଦିଅନ୍ତ ଅନେକ ଉପକାର ହୁଅନ୍ତା। ପରୋପକାରୀ ମଣିଷଟିଏ ପାରନାନୀ। କାହାରି ଦୁଖଃ ସହିପାରେ ନାହିଁ। ଖୁସିରେ ରାଜି ହୋଇଗଲା। ତାଙ୍କ ହାତରେ କକେଇଙ୍କ ଦାୟିତ୍ୱ ଦେଇ ସୁଜାତା ସ୍ଵାମୀଙ୍କ ସହ କଟକ ଗଲେ ମଧ୍ୟ ଚିନ୍ତାମୁକ୍ତ ହୋଇ ପାରିନଥିଲେ। କେଉଁଠି ନା କେଉଁଠି ତାଙ୍କ ମନ ଭିତରେ ଏକ ଅପରାଧବୋଧ ତାଙ୍କୁ ବାରମ୍ବାର କ୍ଷତବିକ୍ଷତ କରୁଥିଲା। ବଦଳିଟା ହୋଇ ନ ଥିଲେ ତାଙ୍କୁ ହୁଏତ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା। ଶଶୁରଙ୍କର ସେବା କରି ସେ ଆଜି ବୋହୂର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରିପାରିଥାନ୍ତେ। ଚାକିରୀ କରିବାକୁ ହେଲେ ବ୍ୟକ୍ତିଗତ ସ୍ଵାର୍ଥକୁ ଯେ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେବାକୁ ହୁଏ ଏକଥା ସେ ଆଜି ମର୍ମେ ମର୍ମେ ଅନୁଭବ କରୁଥିଲେ।


   ୟା ଭିତରେ କକେଇଙ୍କ ସାନପୁଅ ଚାକିରୀ ଉଦ୍ଦେଶ୍ୟରେ

ମଧ୍ୟପ୍ରଦେଶ ଚାଲି ଯାଇଥିଲା। ପାଖରେ ଦୁଇ ପୁଅ ଓ ବୋହୂ କେହି ନଥିଲେ ବି ପାର କକେଇଙ୍କୁ ସେମାନଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇ ନଥିଲା। ସକାଳୁ ଶେଯରୁ ଉଠିବା ଠାରୁ ରାତିରେ ପୁଣି ଶେଯକୁ ଯିବା ପର୍ଯ୍ୟନ୍ତ ସେ ନିଜ ଝିଅ ଭଳି କକେଇଙ୍କର ସବୁକାମ ଆନନ୍ଦରେ କରୁଥିଲା। ରୋଷେଇବାସ ଠାରୁ ଆରମ୍ଭ କରି ଘରର ସବୁ ପାଇଟି ସାରି କକେଇ ଖାଇସାରିଲା ପରେ ତାଙ୍କରି ଥାଳିରେ ଦି'ଗୁଣ୍ଡା ଖାଇଦେଇ ସେ ତା ଘରକୁ ଯାଏ। ଏସବୁ ଜାଣିଲା ପରେ ସୁଜାତା କିଛି

ପରିମାଣରେ ଆଶ୍ଵସ୍ତି ଅନୁଭବ କରିଥିଲେ।  


  ଦିନେ ଖରାବେଳେ ଖାଇବାକୁ ଦେଲାବେଳେ ପାର କହିଲା, କକେଇ!ତୁମ ଆଣ୍ଠୁ ଦି'ଟା ଏତେ ଜୋର ଫୁଲି ଯାଇଛି ଯେ ଯେତେ ମାଲିସ କଲେବି କମୁନି। ମୋ ସାନକୁହା ମାନ। ତୁମେ ବଡପୁଅ ପାଖକୁ କଟକ ଚାଲିଯାଅ। ସେଠାରେ ଡାକ୍ତର ଦେଖେଇବ। ତୁମକୁ ଦେଖି ବୋହୂ ବି ଭାରି ଖୁସି ହେବ। ଘର କଥା ଆଦୌ ଚିନ୍ତା କରନି। ମୁଁ ଅଛି ସବୁ ସମ୍ଭାଳି ନେବି। କକେଇ କହିଲେ,ବୋହୂର ବର୍ତ୍ତମାନ ଯେଉଁ ଅବସ୍ଥା ମୁଁ କଟକ ଯାଇ ତାକୁ ଆହୁରି ଅସୁବିଧାରେ ପକାଇବାକୁ ଚାହୁଁନି। ତୁ ଦେଖିବୁ ପାର,ତାର ଏଥର ପୁଅଟିଏ ହେବ। ମୋ କୁଳ ଉଜ୍ଵଳ କରିବା ସାଙ୍ଗେ ସାଙ୍ଗେ ସେ ତା ବାପର ନାଆଁ ରଖିବ। ତାପରେ ତୁ ତ ଏଠି ଅଛୁ। ମୋର ପୁଣି ଅସୁବିଧା କଣ?


   ମୁହଁ ସଞ୍ଜବେଳ। ଚଉରାମୂଳେ ସଞ୍ଜବତୀ ଦେଇସାରି 

ସୁଜାତା ଦେଖିଲେ ଗେଟ୍ ଖୋଲି ପ୍ରକାଶ ବାବୁ ଭିତରକୁ ଆସୁଛନ୍ତି। ସେ ତାଙ୍କ ସ୍ଵାମୀଙ୍କ ସାଙ୍ଗ। ଶିକ୍ଷା ବିଭାଗରେ ଚାକିରୀ କରନ୍ତି। ସେ ଶାଶୁଘରେ ଥିବା ସମୟରେ ଦୁଇଥର ସ୍ଵାମୀଙ୍କ ସହ ତାଙ୍କ ଘରକୁ ଆସିଛନ୍ତି। ନମସ୍କାର କଲେ ସୁଜାତା। ପ୍ରତିନମସ୍କାର ଜଣାଇ ପ୍ରକାଶ ବାବୁ କହିଲେ,କଣ ଭଲ ଅଛନ୍ତି ଭାଉଜ। ରାମ ପାଖରେ ଟିକେ କାମ ଥିଲା। ସେ ଘରେ ନାହିଁ କି?ସୁଜାତା କହିଲେ,ସେ ମାର୍କେଟ ଯାଇଛନ୍ତି। ଏବେ ଆସିଯିବେ। ଆପଣ ଭିତରକୁ ଆସନ୍ତୁ। ସେ କହିଲେ,ଠିକ୍ ଅଛି। ମୁଁ କାଲି ଆସିବି। କାଲି ତ ଅଫିସ ଛୁଟି। ତାକୁ କହିବେ, ସେ ସକାଳ ବେଳା ଘରେ ଥିବ। କିନ୍ତୁ କାଲି ଆସିଲେ ଆପଣଙ୍କ ହାତରୁ ମିଠା 

ନଖାଇ ମୁଁ ଯିବିନାହିଁ। ସୁଜାତା ଭାବିଲେ ସେ ମା' ହେବାକୁ ଯାଉଛନ୍ତି ବୋଲି ପ୍ରକାଶ ବାବୁ ତାଙ୍କୁ ଖୁସିରେ ମିଠା କଥା 

କହୁଛନ୍ତି। ପ୍ରକାଶ ବାବୁ କହିଲେ, ବୁଝିଲେ ଭାଉଜ!ଆପଣଙ୍କୁ କଟକ ବଦଳି କରି ଆଣିବା ପାଇଁ ରାମ ମୋତେ ବସେଇ ଉଠେଇ ଦେଲାନାହିଁ। ଏଠିକି ଆପଣଙ୍କୁ ବଦଳି କରିବା ପାଇଁ ମୋତେ ଅନେକ ଚେଷ୍ଟା କରିବାକୁ ପଡିଛି। ଯାହାହେଉ ଆପଣଙ୍କ କାମଟା ହୋଇଗଲା। ମୁଁ ଭାରି ଖୁସି। ସେଇ ମିଠାଟା ମୋର ଆପଣଙ୍କ ଉପରେ ବାକି ଅଛି। 'ହଉ, କାଲି ଦେଖାହେବ' କହି ସେ ଗେଟ୍ ଆଡକୁ ଯାଉଥିଲେ। ସୁଜାତାଙ୍କ ପାଦତଳୁ ମାଟିଟା ଖସିଗଲା ପରି ଲାଗୁଥିଲା। ଜୀବନ ରାସ୍ତାର ଏ ଅସମାହିତ ମୋଡରେ ତାଙ୍କୁ ଠିଆ କରାଇଥିବା ଲୋକ ଯେ ଅନ୍ୟ କେହି ନୁହନ୍ତି, ତାଙ୍କ ସ୍ୱାମୀ ,ଏକଥା ସେ ବିଶ୍ୱାସ କରି ପାରୁ ନଥିଲେ। ଶଶୁରଙ୍କର ସରଳ ଓ ନିରୀହ ମୁହଁଟି ତାଙ୍କ ଆଖି ଆଗରେ ଭାସି ଉଠୁଥିଲା। ତାଙ୍କ ମନ ଭିତରେ ଶୋଇଯାଇଥିବା ଅପରାଧବୋଧଟା ପୁଣି ମୁଣ୍ଡ ଟେକି ଚେଇଁ ଉଠିଥିଲା। ସାଙ୍ଗେ ସାଙ୍ଗେ ଯାଇ ତାଙ୍କ ପାଦଧରି ସ୍ଵାମୀଙ୍କ କୃତକର୍ମ ପାଇଁ କ୍ଷମା ମାଗି ନେବାକୁ ଇଚ୍ଛା ହେଉଥିଲା। ନିଜ ବାପ ମା'ଙ୍କ ସହିତ ଏତେବଡ ଛଳନା! ସେ ଏଥିପାଇଁ କେବେହେଲେ ସ୍ଵାମୀଙ୍କୁ କ୍ଷମା ଦେବେନାହିଁ।  


    ମନକଥା ମନରେ ରଖି ରାତିରେ ସ୍ଵାମୀଙ୍କୁ କହିଲେ, ଦେଖ, ତୁମେ କହୁଥିଲ ନନାଙ୍କ ଆଣ୍ଠୁ ଭଲ ନଥିଲା। କାଲି ରବିବାର। ଛୁଟି ଅଛି। ଡାକ୍ତର ଦେଖାଇବା ପାଇଁ ଅନ୍ତତଃ ତାଙ୍କୁ କିଛି ଦିନ ସକାଶେ ଏଠାକୁ ନେଇ ଆସ। ରାମ ବାବୁ କହିଲେ ,'ହଉ'।  ରବିବାର ସକାଳୁ ସକାଳୁ ପାର କବାଟ ବାଡେଇ ଡାକିଲା, କକେଇ!କକେଇ!ଡାକି ଡାକି ନ ଶୁଣିବାରୁ କବାଟଟା ପେଲିଦେଲା। ଆଉଜା ହୋଇଥିବା କବାଟଟା ଖୋଲିଯିବାପରେ ପାର ଯାହା ଦେଖିଲା, ସେ ନିଜକୁ ନିଜେ ବିଶ୍ଵାସ କରି ପାରିଲା ନାହିଁ। ଦୁଆରେ ଥିବା ପାଇପ ପାଖରେ କକେଇ ପଡି ଯାଇଥିଲେ। ମୁଣ୍ଡ ଫାଟି ଝରି ଆସୁଥିବା ରକ୍ତ ଆସ୍ତେ ଆସ୍ତେ ଶୁଖି ଆସୁଥିଲା। ପାର ଦୌଡ଼ି ଯାଇ କକେଇଙ୍କୁ ହଲେଇ ଦେଇ ଜୋରରେ ଚିତ୍କାର କରି ଉଠିଥିଲା,କକେଇ, କକେଇ। ସେ ଡାକର ଉତ୍ତର ଦେବାକୁ କକେଇ ଆଉ ନଥିଲେ। ଅଦୂରରେ ଥିବା ତାଳ ଗଛର ଶୁଖିଲା ତଳ ବରଡାଟା ପବନରେ ଖଡଖଡ ଶବ୍ଦ କରି ତଳକୁ ଖସି ପଡୁଥିଲା।  



Rate this content
Log in

Similar oriya story from Tragedy