ତିରିଶ ଏପ୍ରିଲ
ତିରିଶ ଏପ୍ରିଲ
"ଦୁଃଖ ସହିଯିବି, ତାଙ୍କୁ କିନ୍ତୁ ଆଉ ଦୁଃଖ ଅନୁଭବ କରିବାକୁ ଦେବିନି, ଯା ହେଇଯାଉ ପଛକେ.."
ସେଇଥିପାଇଁ ବୋଧେ ନିଦ ଔଷଧ ଦେଇଛନ୍ତି ସୁମିତ୍ରା ଦେବୀ , ଅଂଶୁମାନ ବାବୁଙ୍କୁ।
ସାରାଦିନ ସେ ଆଜି ଶୋଇ ଥାଆନ୍ତୁ ବିଛଣାରେ !!!
ଆଜି ଅଂଶୁମାନ ବାବୁଙ୍କ ସତୁରୀତମ ଜନ୍ମଦିନ। ସୁମିତ୍ରା ଦେବୀ ଚାହାନ୍ତି ସେ ତାଙ୍କର ଜନ୍ମଦିନ କୁ ଭୁଲି ଯା'ନ୍ତୁ। ପ୍ରତିବର୍ଷ ଜନ୍ମଦିନ ଟା ତାଙ୍କୁ ବହୁତ କଷ୍ଟ ଦିଏ ବୋଲି ଏ ବର୍ଷ , ଏଇ ରାସ୍ତା ଟି ଆପଣେଇଛନ୍ତି ସୁମିତ୍ରା ଦେବୀ।
କୋଡିଏ ବର୍ଷ ତଳର କଥା। ପୁଅ ବିରଜାର ମୃତ୍ୟୁ ହୋଇଥିଲା, ଠିକ ବାପାଙ୍କ ଜନ୍ମଦିନରେ। ସେଇ ଦିନଠୁ ଜନ୍ମ ଦିନଟା କାହିଁକି କେଜାଣି କଷ୍ଟ ଦିଏ ଅଂଶୁମାନ ବାବୁଙ୍କୁ। ନିଜ ଜନ୍ମଦିନରେ ବହୁତ କାନ୍ଦନ୍ତି ସେ। ଭାବବିହ୍ୱଳ ହୋଇ ଯାଆନ୍ତି।
ଜନ୍ମମୃତ୍ୟୁ ର ଚକ୍ରବ୍ୟୁହ ଭିତରେ ଅତି ନିଜର କେହି ଜଣେ ଫେରିବାର ରାସ୍ତା ହରେଇ ବସିଲେ ସମ୍ପର୍କର ସମୀକରଣ ବିଭତ୍ସ ରୂପ ନିଏ। ଉତ୍ସବ ମୁଖରିତ ସୂର୍ଯ୍ୟୋଦୟର ସ୍ୱର୍ଗୀୟ ମୁହୂର୍ତ୍ତରେ ଜହ୍ନର ମୃତ୍ୟୁ କେତେ କଷ୍ଟ ଦାୟକ !!! କିଛି ବୁଝି ହୁଏ, ଆଉ କିଛି ବୁଝିବାକୁ ଚେଷ୍ଟା କରି ବି ବୁଝି ହୁଏନି।
ଅସହଜ ଜୀବନର ରଙ୍ଗ ବାରିବା ଏତେ ସହଜ ନୁହେଁ..
କେତେ ବେଳେ କୋଉ ରୂପ, ଆଉ କେତେବେଳେ କୋଉ ମୋଡ଼ ନିଏ ଜୀବନଟା, ଜାଣି ହୁଏନି।
ଅଂଶୁମାନ ବାବୁ ଶୋଇଛନ୍ତିି ନିଘୋଡ଼ ନିଦରେ। ସୁମିତ୍ରା ଦେବୀ ପାଖରେ ବସି ଜଗିଛନ୍ତି ଅଂଶୁମାନ ବାବୁଙ୍କୁ।
ହଠାତ, ଆଖି ଖୋଲି ସେ ଅନେଇଲେ ସୁମିତ୍ରାଙ୍କୁ। ହସିଲେ ନିରୀହ ଶିଶୁ ପରି। ମୁଣ୍ଡରେ ହାତ ବୁଲେଇଲେ ସୁମିତ୍ରା ଦେବୀ। ଜୀବନର ଏକ ଶିଥିଳ ବାସ୍ତବତା ଉପରେ ଅଭିନୟର ମାୟାଜାଲ। ଇଚ୍ଛା ନ ଥାଇ ବି ଅଭିନୟକୁ ହିଁ ଅସ୍ତ୍ର ରୂପେ ବ୍ୟବହାର କରିବାର କଳାରେ ସିଦ୍ଧହସ୍ତ ହୋଇ ପାରିଲେ ଜୀବନଟା ସହଜ ଲାଗେ। ସୁମିତ୍ରାଙ୍କ ପାଇଁ ଆଉ କିଛି ବିକଳ୍ପ ନ ଥିଲା। ଦୁଃଖରେ ତାଙ୍କୁ ଆଉ ଭାଙ୍ଗି ଯିବାକୁ ଦେବନି, ଏଇ ପରିଣତ ବୟସରେ !!!
ଆମେରିକାରୁ ପୁଅର ଶେଷ ଚିଠିଟିକୁ ବାର ବାର ପଢନ୍ତି ଅଂଶୁମାନ ବାବୁ। କାନ୍ଦନ୍ତି । ସୁମିତ୍ରାଙ୍କୁ କଷ୍ଟ ହୁଏ ତାଙ୍କ ଆଖିରେ ଲୁହ ଦେଖିଲେ। ତାଙ୍କ ଡାଇରୀ ଭିତରେ ଚିଠିକୁ ଲୁଚେଇ କି ରଖିଥା'ନ୍ତି ଅଂଶୁମାନ ବାବୁ। କୋଡିଏ ବର୍ଷ ଭିତରେ କେତେଥର ଯେ ଚିଠିଟିକୁ ପଢ଼ିଛନ୍ତି ତାର ହିସାବ ନାହିଁ। ସେଇ ଚିଠି ଭିତରେ ପୁଅ ବଞ୍ଚି ରହିଛି, ଅନୁଭବ କରନ୍ତି ସେ । ଆଗରୁ ସୁମିତ୍ରା ବି ପଢ଼ିଛନ୍ତି ଥରେ ଦୁଇଥର। ଆଉ ଥରେ କାହିଁକି କେଜାଣି, ଆଜି ଚିଠି ପଢ଼ିବା ପାଇଁ ଇଚ୍ଛା ହେଲା ସୁମିତ୍ରା ଦେବୀଙ୍କୁ।
ଛାତିକୁ ପଥର କରି ପୁଅର ସେଇ ଶେଷ ଚିଠିକୁ ପଢ଼ିଲେ ସୁମିତ୍ରା ଦେବୀ।
ବାପା ...
ଆମେରିକା କେତେ ଦୂର କହିଲ ! ଭୟ ଲାଗେ, ତୁମ ସହିତ ଆଉ ଦେଖା ହେବ ତ ! ମୁଁ କଣ ଚାହୁଁଥିଲି ଆସିବାକୁ !! ଖାଲି ତୁମ ଆଗ୍ରହ ପାଇଁ ବାସ୍ !!
ସମ୍ପର୍କର ତ୍ରିଭୁଜ, ତୁମେ ମୁଁ ଓ ବୋଉ। ମୋ ଜୀବନର ସବୁ କିଛି ଏଇ ତ୍ରିଭୁଜ ଭିତରେ। ଆଜି ତୁମେ ଦୁଇ ଜଣ ବହୁତ ମନେ ପଡୁଛ ବାପା !
ଆଖ ପାଖରେ ତୁମ ଦୁଇ ଜଣଙ୍କଠୁ ସ୍ନେହର ଉଷ୍ମତା ନ ପାଇ ବି ଭିତରେ ଭିତରେ ଜଳିଯାଉଛି ମୁଁ। ନିଶବ୍ଦ ଜଳିବା ଭିତରେ ମୁଁ ଦିବା ନିଶି ସ୍ୱପ୍ନରେ ତୁମକୁ ଖୋଜୁଛି, ସ୍ବପ୍ନ କଣ କେବେ ସତ ହୁଏ.. !!!
ଇଚ୍ଛା ତ ଥିଲା, ସମସ୍ତଙ୍କଠୁ କିଛି ଅଲଗା ହେବା ପାଇଁ, କିନ୍ତୁ ଆମେରିକାର ଏଇ ଭିଡ ଭିତରେ ମୁଁ ବେଳେ ବେଳେ ନିଜକୁ ହରେଇ ବସୁଛି।
ସବୁବେଳେ କୁହ ସମୟ ବଡ଼ ବଳବାନ, କିନ୍ତୁ କେବେ ଘଡି ପିନ୍ଧନି। ଅନୁମାନ କରି ସମୟ ସାଥିରେ ତାଳ ଦେଇ ଚାଲ। ଜାଣିଛ ବାପା ! ତମ ପାଇଁ ରୋଲେକ୍ସ୍ ଘଡିଟିଏ କିଣିଛି। ଶୁଣ ! ବୋଉ କୁ ଦେଖେଇବନି ଏଇ ଚିଠିଟି, ତା ପାଇଁ ସାଲଟିଏ କିଣିଛି ହସ୍ତଶିଳ୍ପ ମେଳାରୁ। ଆମେରିକାର ପ୍ରସିଦ୍ଧ ମେଳା। ସରପ୍ରାଇଜ୍ ଦେବି ବୋଉକୁ। .....
ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଲା। ଅଂଶୁମାନ ବାବୁଙ୍କ କଡ ଲେଉଟିବା ଦେଖି ଚିଠି କୁ ତାଙ୍କ ଡାଇରୀ ଭିତରେ ଲୁଚେଇ ଦେଲେ ସୁମିତ୍ରା ଦେବୀ।
ସେଦିନ ପଚାଶ ତମ ଜନ୍ମଦିନ ଥିଲା। ସବ କଲେକ୍ଟର ଅଂଶୁମାନ ବାବୁଙ୍କ ଜନ୍ମଦିନ ଧୁମଧାମ୍ ରେ ପାଳନ ହେଉଥିଲା ହୋଟେଲ ରକସି ରେ। ସାଙ୍ଗ ମାନଙ୍କ ସହିତ ନିଶାରେ ଚୁର ଚୁର୍ ହୋଇ ଯାଇଥିଲେ ଅଂଶୁମାନ ବାବୁ। ହଠାତ ଫୋନ ଆସିଲା, ଦୁର୍ଘଟଣାରେ ପୁଅ ବିରଜାର ମୃତ୍ୟୁ ଘଟିଛି। ଚୁପଚାପ୍ ବସି ପଡ଼ିଲେ। କିଛି ପ୍ରତିକ୍ରିୟା ନାହିଁ। ନିଶାଗ୍ରସ୍ତ ଶରୀରକୁ ଯେମିତି ଦୁଃଖ ଭେଦି ପାରୁ ନ ଥିଲା ଅତି ସହଜରେ। ଘଣ୍ଟାଏ ପରେ ଦେଖିଲା ବେଳକୁ ତାଙ୍କ ଆଖିରୁ ଅନବରତ ଅଶ୍ରୁ ବୋହି ଚାଲିଛି।
ଆଜି କୋଡିଏ ବର୍ଷ ପରେ ବି ଠିକ ସେମିତି। ଜନ୍ମଦିନ ଆସିଲେ ପୁଅର ମୃତ୍ୟୁ କଥା ମନେ ପଡେ। ବାରଣ୍ଡାରେ ଚୁପ ଚାପ ବସି କାନ୍ଦନ୍ତି। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଜନ୍ମଦିନ ପାଳିନାହାନ୍ତି ଅଂଶୁମାନ ବାବୁ। ଜନ୍ମଦିନକୁ କେହି କଣ କେବେ ଭୁଲି ପାରେ। କେହି ଜଣେ ଚାଲିଗଲେ କିଛି ବଦଳେନି । ହଁ , ଇଚ୍ଛା ହୁଏନି ଜନ୍ମଦିନ ପାଳିବାକୁ। ଆଖିର ଲୁହ ଅମାନିଆ ହୋଇ ଉଠନ୍ତି, ନିଦ ଠିକ ହୁଏନି। ଅବସାଦରେ ମନଟା ଭାରି ହୋଇ ଉଠେ। ଆଛିଣ୍ଡା ଗଣିତ ପରି ଅଡୁଆ ଲାଗେ ଜୀବନ ଟା...
ଶବ ସାଥିରେ ରୋଲେକ୍ସ୍ ଘଡି ଆଉ ବୋଉର ସାଲ ଆସିଥିଲା। ଖୋଲା ହୋଇନି, ସେମିତି ପଡ଼ିଛି। ଲମ୍ବା କୋଡିଏ ବର୍ଷ କାଟି ଯାଇଛି ସିନା, ଘଡି ଭିତରେ କିନ୍ତୁ ଆବଦ୍ଧ ସମୟ ଆଗକୁ ଯାଇ ପାରିନି। ଘଡି ବନ୍ଦ ଅନେକ ଦିନରୁ। ଘଡିର କଣ୍ଟା ସବୁ ନିଶ୍ଚଳ।
ନା ସମୟ କାଟିବା ସହଜ ନା ସମୟକୁ ରୋକି ହେଉଛି। ଅଦ୍ଭୁତ ଏଇ ପ୍ରହାର, ସମୟର !!
ହଠାତ ଆଖି ଖୋଲିବା ଦେଖି ଅସ୍ତବ୍ୟସ୍ତ ହୋଇ ଉଠିଲେ ସୁମିତ୍ରା ଦେବୀ, ତାଙ୍କୁ ଅନ୍ୟ ମନସ୍କ କରିବା ପାଇଁ ବହୁତ କଥା କହିଲେ ସେ। ପିଇବାକୁ ଦେଲେ ଗରମ କ୍ଷୀର ଅଂଶୁମାନ ବାବୁଙ୍କୁ।
ଜାଣିଛ ! ସକାଳଠୁ କାମ ପରେ କାମ। ଇଲକଟ୍ରିକ୍ ବିଲ ତମେ ଜମା କରି ନ ଥିଲ। ଜମା କଲି। ଫୋନ ବିଲ ବହୁତ ଖୋଜିଲି। ପାଇଲିନି। କାଲି ଶେଷ ତାରିଖ, ଜମା କରିବାକୁ ହିଁ ପଡ଼ିବ।
କାମବାଲୀ ଶୈଳକୁ ଗତ ମାସର ପଇସା ଦେଇନ। କେତେ ଝଗଡା କଲା ଜାଣିଛ !!! ତମ ବେଗ ଭିତରୁ ପାଞ୍ଚ ଶହ କାଢି ତାକୁ ଦେଲି, ତା ପରେ ଯାଇ ସେ ଚୁପ ହେଲା। ଏ ମାସ ପେନସନ ପଇସା ଉଠେଇନ। କାଲି ଏ ଟି ଏମ୍ ରୁ ପାଞ୍ଚ ହଜାର ଡ୍ର କରି ଆଣିବ। ମାସକ ପାଇଁ ଗ୍ରସରି ନେଇ ଆସିବା। ଜିଲ୍ଲାପାଳ ମିଶ୍ର ବାବୁ ସତ୍ୟନାରାୟଣ ପୂଜାକୁ ଯିବା ପାଇଁ ଡାକିଛନ୍ତି, ମୁଁ କଣ ଏକା ଯିବି। ନା..ତୁମ କୁ ବି ସାଥିରେ ଯିବାକୁ ହେବ !!! ବହୁତ ଚେଷ୍ଟା କଲି, ତୁମ କୁର୍ତ୍ତା ରୁ ଚା ଦାଗ ଯାଇନି। ପାଇଜାମା ନାଡାରେ ଗଣ୍ଠି ପକେଇ ଥିଲ, ଅଧା ଘଣ୍ଟା ଲାଗିଲା ଖୋଲିବାକୁ....
ଅଂଶୁମାନ ବାବୁ ପୁଣି ଥରେ ଶୋଇ ଯିବାର ଦେଖି ଜିଭ କାମୁଡି ହେଲେ ସୁମିତ୍ରା ଦେବୀ। ତାହା ହିଁ ସେ ଚାହୁଁ ଥିଲେ, ଅଂଶୁମାନ ବାବୁ ଶୋଇ ଯାଆନ୍ତୁ। କେତେ ଆଉ ମନଗଢା ଗପ ଗପିବେ !!!
ଗୋଟାଏ ଲକ୍ଷ୍ୟ, ଏଇ ଜନ୍ମଦିନରେ ଅଂଶୁମାନ ବାବୁଙ୍କୁ କାନ୍ଦିବା ପାଇଁ ଦେବେନି। ଦୁଃଖ ଭିତରେ ଦୁଃଖକୁ ଭୁଲିବାର ଏଇ ବିଚିତ୍ର କୌଶଳ। କିଛି ଫଟା ମୁହୂର୍ତ୍ତକୁ ରଫୁ କରି ନୂଆ ଭାବେ ଜୀଇଁ ହୁଏ ଜୀବନକୁ, ଅନ୍ଧାର ଭିତରେ ଆଲୁଅ କୁ ଖୋଜି ହୁଏ।
ନିଦ ବଟିକା ର ଅଜସ୍ର ପ୍ରଭାବ। ଶୋଇଛନ୍ତି ଅଂଶୁମାନ ବାବୁ ନିଘୋଡ଼ ନିଦରେ।
ରାତି ଦଶଟା। ସୁମିତ୍ରା ଦେବୀ ବାରଣ୍ଡାରେ ଯାଇ ବସିଲେ ନିର୍ଭୟରେ । ଅଂଶୁମାନ ବାବୁ କାନ୍ଦିଲେ ତାଙ୍କୁ ଭାରି କଷ୍ଟ ହୁଏ ବୋଲି ଆଜି ତାଙ୍କୁ କିଛି ମନେ ପକେଇବାକୁ ଦେଉନାହାନ୍ତି। ଯୋଜନା ଟି ସଫଳତାତାର ସହ ଆଗେଇ ଚାଲିଥିଲା ବୋଲି ସେ ନିଶ୍ଚିନ୍ତ ହୋଇଗଲେ। କାନ୍ଥଟଙ୍ଗା କେଲେଣ୍ଡରରେ ପୃଷ୍ଠା ଓଲଟାଇ ଦେଲେ ସୁମିତ୍ରା ଦେବୀ। କାଲି ମେ ପହିଲା ତାରିଖ। ଏପ୍ରିଲ ୩୦ ତାରିଖ କଥା ସେ ଆଉ ମନେ ପକେଇ ପାରିବେନି। ବୟସ ହେଲାଣି, ସବୁ ଭୁଲି ଯାଆନ୍ତି। ସେଥିପାଇଁ ବୋଧେ କେଲେଣ୍ଡର ଉପରେ ଆଗରୁ ଗୋଲ ବୁଲେଇ ରଖିଥିଲେ, ବୋଧେ ଜନ୍ମଦିନ ପାଇଁ ନୁହେଁ, ପୁଅ କଥା ମନେ ପକେଇ ବହେ କାନ୍ଦିବେ !!!!
ଅଧା ଘଣ୍ଟା ପରେ ପଶିଗଲେ କୋଠରୀ ଭିତରକୁ ସୁମିତ୍ରା ଦେବୀ। ଅଂଶୁମାନ ବାବୁ ଉଠିପଡ଼ି ବସିଛନ୍ତି ଖଟ ଉପରେ।
ଆରେ ସୁମିତ୍ରା ! ତମେ କିଛି ଗୋଟାଏ ଭୁଲି ଯାଇଛ.. ଆଜି ପରା..
ତାଙ୍କ ମୁହଁରେ ହାତ ପାପୁଲି ଚାପି ରଖିଲେ ସୁମିତ୍ରା ଦେବୀ। ଆଉ ଅଧିକ କିଛି କହିବାକୁ ଦେଲେନି ସେ।
ସବୁ ନିୟନ୍ତ୍ରଣ ହରେଇ ବସିଲେ ସୁମିତ୍ରା ଦେବୀ। ସେ ବି ଜଣେ ମାଆ, କେମିତି ଭୁଲି ପାରିବେ ପୁଅକୁ। ସାଧା କାଗଜକୁ ସିନା ପଢ଼ି ହୁଏନି, କିନ୍ତୁ ଶବ୍ଦ ହୀନ କୋଳାହଳ କାନ ପାଖରେ ଗୁଞ୍ଜି ଉଠେ। ଅନୁଭବ ପାଇଁ ଅନେକ ବାର୍ତ୍ତା ଥାଏ ତା ଭିତରେ। କୋଳେଇ ନେଲେ ଅଂଶୁମାନ ବାବୁଙ୍କୁ। ଦୁଇ ଜଣ ମିଶି ଭୋ ଭୋ ହୋଇ କାନ୍ଦି ଉଠିଲେ.... ମନେ ପଡିଗଲା ଆଜି ତିରିଶ ଏପ୍ରିଲ, ତାଙ୍କର ଜନ୍ମଦିନ ଏବଂ ଆଜି ହିଁ ପୁଅ ବିରଜା ର ମୃତ୍ୟୁ ହୋଇଥିଲା ଆମେରିକାରେ...।
