Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Arabinda Rath

Horror

2.5  

Arabinda Rath

Horror

ତିନିଟା ପନ୍ଦର

ତିନିଟା ପନ୍ଦର

7 mins
367



ପିକନିକରୁ ଫେରିବା ପରେ ବହୁତ ଥକି ଯାଇଥିଲା ବିଜୟ। ଅସଜଡା ଶେଯରେ ଅବଶ ଦେହକୁ ଲମ୍ବାଇ ଦେବାର କିଛି ସମୟ ଯାଇଛି କି ନାହିଁ; ସେ ଗଭୀର ନିଦ୍ରାରେ ଶୋଇପଡିଲା। ଏକ ଅବିବାହିତ ଯୁବକର ଘର ଯେମିତି ରହିବା କଥା ସେମିତି ହିଁ ଥିଲା ବିଜୟର। ଘରର ଚାରିଆଡେ ମଇଳା ପ୍ଯାଣ୍ଟସାର୍ଟର ପ୍ରଦର୍ଶନୀ ସହିତ ବେଶ୍ ମେଳ ଖାଉଥିଲା ଖାଲି ମଦବୋତଲ,ସିଗାରେଟ୍ ଟୁକୁଡା ଓ ପଲିଥିନ୍ ବ୍ଯାଗ୍ ର ସମ୍ଭାର। ଖଟର ଅବସ୍ଥା ନ କହିବା ଭଲ; ଲାପଟପ୍,ମୋବାଇଲ ଚାର୍ଜର,ପେନ୍ ଡ୍ରାଇଭ୍ ଆଦି ଉପକରଣ ମାନ ଇତଃସ୍ତତଃ ଭାବରେ ଖଟରେ ନିଜର ସ୍ଥାନ ସୁଦୃଢ କରି ରହିଥିଲେ। ଜଣେ ଲୋକ ଶୋଇବା ପାଇଁ ଯେତିକି ସ୍ଥାନ ଆବଶ୍ଯକ କେବଳ ସେତିକି ହିଁ ଖାଲି ଥିଲା ଓ ବିଜୟ ଶୋଇଯିବା ପରେ ସେ ଖାଲି ସ୍ଥାନ ମଧ୍ଯ ପୂର୍ଣ୍ଣ ହୋଇ ଯାଇଥିଲା।

ସହରସାରା ବହୁତ ଖୋଜିବାପରେ ତାକୁ ମିଳିଥିଲା ନିକାଞ୍ଚନ ସ୍ଥାନରେ ଏହି ଘର। ଭଡା ବହୁତ କମ୍ ଥିଲା ଓ ମାଲିକ ରହୁଥିଲା ଅନ୍ଯ ଏକ ସହରରେ। ତେଣୁ ଘରମାଲିକର ଅତ୍ଯାଚାରରୁ ମୁକ୍ତି ପାଇବା ସହିତ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାର ସୁଯୋଗ ପାଇଥିଲା ବିଜୟ। କିନ୍ତୁ ସେ ସ୍ଥାନରେ ଘରଭଡା ନେବାପରେ ବିଜୟକୁ ଆଖପାଖର ଲୋକେ ନାନାକଥା କହି ସେ ଘର ଛାଡି ଚାଲିଯିବାକୁ ଉପଦେଶ ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ବହୁ ବର୍ଷଧରି ସେ ଘର ଖାଲି ଥିଲା ଓ କୌଣସି ଲୋକ ସେ ଘରେ ରହିବାର ସାହାସ କରି ପାରୁ ନ ଥିଲେ। ସହର ଉପକଣ୍ଠରେ ଘର ଟି ଥିଲେ ମଧ୍ଯ ଭଡା ଲାଗି ପାରୁ ନ ଥିଲା। ଘରମାଲିକ ଭଡା କମାଇବା ପରେ ମଧ୍ଯ କୌଣସି ଲୋକ ସେ ଘରକୁ ଆସୁ ନ ଥିଲେ। ଗୁଜବ ଅନୁସାରେ, ସେ ଘରକୁ ଏକ ପ୍ରେତାତ୍ମା ଅକ୍ତିଆର କରି ରଖିଥିଲା। ଅଗଣିତ ପୂଜାପାଠ ଓ ମନ୍ତ୍ରତନ୍ତ୍ର କରିବା ପରେ ମଧ୍ଯ ସେ ଘରକୁ ଆତ୍ମା କବଳରୁ ମୁକ୍ତ କରାଯାଇ ପାରି ନଥିଲା। ଏସବୁ କଥା ବିଜୟ ଉପରେ କୌଣସି ପ୍ରଭାବ ପକାଇ ପାରୁ ନଥିଲା। ସେ ଥିଲା ଘୋର ନାସ୍ତିକ। ଭଗବାନଙ୍କ ସତ୍ତାକୁ ଅସ୍ବୀକାର କରୁଥିବା ଲୋକ, ଭୂତପ୍ରେତଙ୍କ ଉପରେ ଯାହା ବିଶ୍ବାସ କରୁଥିବ ସେକଥା ସହଜରେ ଅନୁମେୟ। ଘରକୁ ଆସିବାର ଦୁଇମାସ ବିତି ସାରିଥିଲା, କିନ୍ତୁ ସେପରି କିଛିି ଅସ୍ବାଭାବିକତା ଲକ୍ଷ୍ଯ କରିପାରୁ ନଥିଲା ବିଜୟ । ସେ ନିଶ୍ଚିତ ଥିଲା ଯେ ଲୋକଙ୍କ ମନଗଢା କାହାଣୀର ପ୍ରକୋପରେ ବିଚରା ଘରଟି ଅଭିଶପ୍ତ ହୋଇ ଯାଇଥିଲା ଯାହା; ନହେଲେ କୌଣସି ପ୍ରେତାତ୍ମା ବା ଦୁଷ୍ଟଶକ୍ତିର ଲେଶ ମାତ୍ର ଚିହ୍ନ ନ ଥିଲା।

ହଠାତ୍ କବାଟରେ କେହି ଜଣେ ଭୀଷଣ ଜୋରରେ ଆଘାତ ଦେଲା ଠକ୍ ଠକ୍ ଠକ୍। ବିଜୟର ନିଦ ଭାଙ୍ଗିଗଲା। ହାତଘଣ୍ଟାକୁ ନିରେଖି ଦେଖିଲା, ସମୟ ଠିକ୍ ରାତି ତିନି ପନ୍ଦର । ବାହାରେ କୁକୁର ମାନଙ୍କର ବିକଟାଳ ଚିତ୍କାର ଅନବରତ ଶୁଭୁଥିଲା, ଲାଗୁଥିଲା ସେମାନେ କାହାର ପିଛା ଭୁକି ଚାଲିଥିଲେ। ଡିସେମ୍ବର ମାସ ଶୀତୁଆ ରାତିର ହାଡଭଙ୍ଗା ଶୀତକୁ ଭ୍ରୁକ୍ଷେପ ନ କରି, ବାହାରେ କେହି ଯେ ଚଲାବୁଲା କରୁଥିବ, ସେକଥା ବିଶ୍ବାସ କରିବା ନିହାତି କଷ୍ଟକର ଥିଲା। ବିଜୟ ଘର ପାଖରେ କୌଣସି ଘର ନ ଥିଲା ଓ ନିକଟସ୍ଥ ଘର ଥିଲା ପାଖାପାଖି ଦୁଇ କିଲୋମିଟର ଦୂରରେ। ଏପରି ପରିସ୍ଥିତିରେ କୌଣସି ଲୋକ ଆସି ତାକୁ ଡାକୁଥିବ ବୋଲି ଭାବିବା ଅସମ୍ଭବ ଥିଲା। ବିଜୟ ମନ ଭିତରେ ପରସ୍ପର ବିରୋଧୀ ଚିନ୍ତାଧାରାର ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇ ସାରିଥିଲା। ସେ ଖଟ ଉପରେ ବସି ରହି କବାଟ ଆଡକୁ କାନ ଡେରି ରହିଲା। ପ୍ରକୃତରେ ମୃଦୁ ଆଘାତ କରି କିଏ ଡାକିଲା ବା ପବନରେ ସେପରି ଶବ୍ଦ ସୃଷ୍ଟି ହେଲା, ସେକଥା ଭାବି ଚାଲିଥିଲା ବିଜୟ। ବେଶ୍ କିଛି ସମୟର ଅଖଣ୍ଡ ନୀରବତା-କେବଳ ବିଜୟର ନିଶ୍ବାସ ପ୍ରଶ୍ବାସ ଓ କାନ୍ଥଘଣ୍ଟାର ଟିକଟିକ୍ ଶବ୍ଦ । ବିଜୟ ମନେମନେ କହିଲା- ଚୋର ଆସିଲା କି ଆଉ? ତା କଥା ସରିଛି କି ନାହିଁ ମିଞ୍ଜିମିଞ୍ଜି ଜଳୁଥିବା ଲାଇଟ୍ ତଳୁ ଶୁଭିଲା ସତ୍ ସତ୍ । ଚମକି ପଡିଲା ବିଜୟ- କିଏ ପାଟି କରୁଛ? କହି ଚିତ୍କାର କରି ଉଠିଲା। ତା ହୃଦୟର କମ୍ପନ ଭୀଷଣ ଭାବରେ ବଢିଗଲା ଓ କାନ ପାଖରେ ଗୁଞ୍ଜରିତ ହେଲା ଧକ୍ ଧକ୍ ଧକ୍।

ହଠାତ୍ ଏକ ମୋଟା ଝିଟିପିଟି କାନ୍ଥର ଏମୁଣ୍ଡ ରୁ ସେ ମୁଣ୍ଡ ଦୌଡି ଚାଲିଗଲା। ବିଜୟକୁ ଲାଗିଲା ସେ ଝିଟିପିଟି ତା ଆଡକୁ କଟମଟ କରି ଚାହିଁ ରହିଛି।

ଧେତ୍- ଗୋଟେ ଛାର ଝିଟିପିଟି ମୋତେ ଡରେଇ ଦେଲା। ବୋଧେ ମୋ ମୁଣ୍ଡରୁ ମଦନିଶା ଏତେବେଳ ଯାଏ ଉତୁରିନି, ସେଥିପାଇଁ ଏସବୁ ପାଲା ଚାଲିଛି। ଗୋଟେ ସିଗାରେଟ୍ ନ ଟାଣିଲେ ନିସ୍ତାର ନାହିଁ। ବିଜୟ ପାଟିରୁ ସିଗାରେଟ୍ ର ଧୂମ୍ରକୁଣ୍ଡଳୀ ମାନ ଉର୍ଦ୍ଧ୍ବଗାମୀ ହେବାରେ ଲାଗିଲେ। ସେ ପୁଣି ହାତଘଣ୍ଟାକୁ ଦେଖିଲା- ସମୟ ତିନି ଟା ପନ୍ଦର। ଟିକେ ଆଶ୍ଚର୍ଯ୍ଯ ଲାଗିଲା ତାକୁ। ସେତେବେଳକୁ ରାସ୍ତାରେ କୁକୁରମାନଙ୍କର କର୍କଶ କ୍ରନ୍ଦନରେ ବିରାମ ଲାଗି ସାରିଥିଲା ଓ ପ୍ରଚଣ୍ଡ ଶୀତର ମୋଟା ଚାଦର ତଳେ ପରିବେଶର କୋଳାହଳ ଯେମିତି ନୀରବି ଯାଇଥିଲା। ସିଗାରେଟ ଟାଣିସାରି ସେ ପୁଣି ଶୋଇବାର ପ୍ରୟାସ କଲା। କଡମାଡି ଶୋଇବା ସମୟରେ ତାକୁ କଷ୍ଟ ହେବାରୁ ବାମ ହାତକୁ ଭଲରେ ଦେଖିବାକୁ ଲାଗିଲା। ହାତରେ କ୍ଷତ ଦେଖି ସେ ଚମକି ପଡି କହିଲା- - ଓଃ, କେତେବେଳେ ଏ ଖଣ୍ଡିଆଟା ହେଲା ମୁଁ ଜାଣି ପାରିଲିନି। ଏତେ ସାବଧାନ ହେବା ପରେ ମଧ୍ଯ ମୋତେ କ୍ଷତାକ୍ତ କରିଦେଲା? କିନ୍ତୁ ମୁଁ ବି ତାକୁ ଛାଡିନି, ତା ଅବସ୍ଥା ଯାହା କରିଛି ସେ ସାରା ଜୀବନ ମନେ ରଖିଥିବ।

ଅନିଚ୍ଛା ସତ୍ତ୍ବେ ସେ ପୁଣି ଉଠି ଗାଧୁଆଘରକୁ ଗଲା ଓ କ୍ଷତସ୍ଥାନ ଧୋଇ ଏକ ରୁମାଲ ଗୁଡାଇଦେଲା। ନିଦଭାଙ୍ଗି ଯାଇଥିବାରୁ ତା ମନରେ ମନରେ ବିରକ୍ତିର ମାତ୍ରା ବଢି ସାରିଥିଲା। ଏକ ବୋତଲରୁ ବାକିଥିବା ମଦ ଗୋଟେ ଢୋକରେ ପିଇ ଦେଇ ପୁଣି ଖଟ ଉପରେ ଗଡି ପଡିଲା।

କିଛି ସମୟ ଯାଇଛି କି ନାହିଁ, ପୁଣି କବାଟ ପାଖରେ ଶୁଭିଲା ଠକ୍ ଠକ୍ ଶବ୍ଦ। ଏଥର ଆଘାତର ମାତ୍ରା ଅଧିକ ତୀବ୍ର ଥିଲା। ତା ସାଙ୍ଗକୁ ଶୁଭିଲା କାହାର କାନ୍ଦିବାର ଶବ୍ଦ ଓ ପାଉଁଜିର ରୁଣୁଝୁଣୁ। ମଦନିଶାରେ ଆଚ୍ଛନ୍ନ ବିଜୟକୁ ଘଟଣାର ଗମ୍ଭୀରତା ସେତେଟା ପ୍ରଭାବିତ କରି ପାରିଲାନି ବୋଧେ; ସେ ଖଟରେ ସେମିତି ପଡି ରହିଲା। କିନ୍ତୁ ବେଳକୁ ବେଳ କବାଟରେ ପଡୁଥିବା ଆଘାତ ଝରକାକୁ ସ୍ଥାନାନ୍ତରିତ ହେଲା। ଏକା ସାଙ୍ଗରେ କବାଟ ଓ ଝରକା ଧଡ୍ ଧଡ୍ ଶବ୍ଦରେ କମ୍ପିବାକୁ ଲାଗିଲେ। ପାଉଁଜି ର ମୃଦୁଶବ୍ଦ ପ୍ରଖରତର ହୋଇ ଝଣଝଣ ହେବାକୁ ଲାଗିଲା ଓ ଧିର କ୍ରନ୍ଦନ ପରିବର୍ତ୍ତିତ ହୋଇ ସାରିଥିଲା ବୁକୁଫଟା ଚିତ୍କାରରେ। ବିଜୟ, କାନରେ ତକିଆ ମାଡିଦେଇ ସେହି ବିକଟ ଶବ୍ଦରୁ ନିଜକୁ ବଞ୍ଚାଇବାର ପ୍ରୟାସ କଲା। ମାତ୍ର ତାକୁ ଲାଗିଲା ସେହି ତକିଆ ଭିତରୁ କେହି ଜଣେ କହୁଛି

ବାବୁ- କବାଟ ଖୋଲ, କୋଳି ନେବ ବୋଲି କହୁଥିଲ ପରା।

ବିଜୟ ଦେହରେ ବିଦ୍ଯୁତ୍ ଆଘାତ ଲାଗିବା ପରି ଅନୁଭବ କଲା ଓ ତକିଆକୁ ଫିଙ୍ଗିଦେଇ ଖଟ ଉପରେ ବସିଗଲା। ତା ଆଖି ସାମନାରେ କବାଟ ଓ ଝରକା ଦୋହଲିବାରେ ଲାଗିଥିଲା। ଛାତ ଉପରେ କେହିଜଣେ ଦୌଡି ଚାଲିଥିଲା ଓ ଘରର ଚାରିପଟରୁ ବିକଟାଳ କ୍ରନ୍ଦନ ଶୁଭି ଚାଲିଥିଲା। ସେହି ପରିସ୍ଥିତିରେ କଣ କରା ଯାଇପାରେ ବୋଲି ଭାବି ପାରୁ ନ ଥିଲା ବିଜୟ। ମୋବାଇଲକୁ ଥରଥର ହାତରେ ଧରି ସେ ସାଙ୍ଗ ପାଖକୁ ଫୋନ କରିବାକୁ ଚେଷ୍ଟା କଲା। ମାତ୍ର ମୋବାଇଲ ପରଦାରେ କି ଦୃଶ୍ଯ ଦେଖିଲା କେଜାଣି, ତାକୁ ଧରି ତଳେ କଚାଡି ଦେଲା ଓ ଖଣ୍ଡଖଣ୍ଡ ହୋଇ ମୋବାଇଲଟି ଭାଙ୍ଗିଗଲା। ଖଟରୁ ତଳକୁ ଓହ୍ଲାଇବାକୁ ସେ ଆପ୍ରାଣ ଚେଷ୍ଟା କଲା, କିନ୍ତୁ ବିଫଳ ହେଲା। ତାକୁ ଲାଗିଲା ଦୁଇ ଗୋଡକୁ କେହି ଜଣେ ଭିଡି ଧରିଛି। ମନରେ କେବଳ ଗୋଟିଏ କଥା ଆସୁଥିଲା ବିଜୟର, ଯଦି କୌଣସି ମତେ ସେ ଘରୁ ବାହାରି ପାରନ୍ତା,ତେବେ ଏ ଭୟଙ୍କର ବିପଦରୁ ବଞ୍ଚି ପାରନ୍ତା। ପୁଣି ଥରେ ସେ ହାତ ଘଣ୍ଟାକୁ ଦେଖିଲା। କିନ୍ତୁ ଏ କଣ !! ସମୟ ତିନି ଟା ପନ୍ଦର। ସେ ଚିତ୍କାର କଲା- ଏମିତି ହୋଇ ନ ପାରେ, କିଛି ସମୟ ତଳେ ତ ସମୟ ତିନି ଟା ପନ୍ଦର ହୋଇଥିଲା। ତେବେ ଏବେ ପୁଣି କେମତି ସେତିକି ସମୟ ହୋଇଛି। କାଳେ ହାତଘଣ୍ଟା ବନ୍ଦ ହୋଇ ଯାଇଥିବ ବୋଲି କାନ୍ଥଘଣ୍ଟାକୁ ଦେଖିଲା। କାନ୍ଥଘଣ୍ଟା ରେ ମଧ୍ଯ ବାଜିଥିଲା ତିନିଟା ପନ୍ଦର। ତା ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା। ସେ ସ୍ବପ୍ନ ଦେଖୁଛି ନା ବାସ୍ତବତାକୁ ପ୍ରତ୍ଯକ୍ଷ କରୁଛି ଜାଣି ପାରୁ ନ ଥିଲା। ଖାଲି ମଦ ବୋତଲ, ସିଗାରେଟ୍ ପାଉଁଶ ଓ ତା ହାତରେ ବନ୍ଧା ଯାଇଥିବା ରୁମାଲ୍ ପ୍ରମାଣିତ କରୁଥିଲେ ପୂର୍ବରୁ ତିନିଟା ପନ୍ଦର ବାଜି ସାରିଥିଲା , ତେବେ ପୁଣି....

ହଠାତ୍ ରୁମ୍ ରେ ମିଞ୍ଜିମିଞ୍ଜି ଜଳୁଥିବା ଲାଇଟ୍ ଦପ୍ ଦପ୍ କରିବାକୁ ଆରମ୍ଭ କଲା। ବିଜୟ ମନେମନେ ଭାବିଲା ଯଦି ଏ ଲାଇଟ୍ ବନ୍ଦ ହୋଇଯିବ ଘରଟା ପୁରା ଅନ୍ଧାର ହୋଇଯିବ। କାରଣ ବାଥରୁମ୍ ର ଲାଇଟ୍ ଦୁଇଦିନ ତଳୁ ଜଳୁ ନ ଥିଲା ଓ ରୋଷେଇଘରର ଟା ଶୋଇବାଘରଠାରୁ ଢେର୍ ଦୂରରେ ଥିଲା। ସେ ଘରେ ଲାଇଟ୍ ଅଛି କି ନାହିଁ ଜାଣିବାର ଅବକାଶ ତା ପାଖରେ ନ ଥିଲା। କାରଣ ସେ ଘରେ ରୋଷେଇ ନ କରି ହୋଟେଲ ରେ ଖାଉଥିଲା। ତାକୁ ଲାଗିଲା କେହିଜଣେ ଖଟ ଚାରିପଟରେ ଦୌଡିବା ଆରମ୍ଭ କରିଦେଇଛି। ଭୟରେ ବିଜୟର ରକ୍ତ ଜମାଟ ବାନ୍ଧିଯିବା ପରି ଲାଗୁଥିଲା। ପାଦର ଥପ୍ ଥପ୍ ଶବ୍ଦ ସହ ତାଳ ଦେଇ ବଢି ଚାଲିଥିଲା ପାଉଁଜିର ରୁଣୁଝୁଣୁ ଝଙ୍କାର। ତା ସହିତ ବିଜୟ ହାତରେ ହୋଇଥିବା କ୍ଷତରୁ ରକ୍ତ ଝରିବା ଆରମ୍ଭ ହୋଇଗଲା ଓ ଭୀଷଣ ଯନ୍ତ୍ରଣାରେ ସେ ଅସ୍ତବ୍ଯସ୍ତ ହୋଇ ଉଠିଲା। ମୁହଁରେ ପାପୁଲି ଢାଙ୍କିଦେଇ ସେ ତା ଚାରିପଟରେ ଘଟି ଚାଲିଥିବା ଘଟଣାବଳୀରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟାକଲା। କିନ୍ତୁ ମୁହଁ ପାଖରେ କାହାର ପ୍ରଖର ନିଶ୍ବାସ ଅନୁଭବ କରି ସେ ଭୟରେ ଥରିବାକୁ ଲାଗିଲା।

କାନ ପାଖରେ ପୁଣି କେହି କହିଲା- ବାବୁ, ମୁହଁ କାହିଁକି ଲୁଚାଉଛ? କୋଳି ନେବ ପରା !!! ପାପୁଲି ତଳୁ ବିଜୟ ଚିତ୍କାର କଲା- -ତୁ କିଏ? ଚାଲିଯାଆ ମୋ ଘରୁ। ମୋର କୋଳି ରଖିବାର ନାହିଁ।

ଭୟଙ୍କର ଅଟ୍ଟହାସ୍ଯରେ ଘର ଭିତରଟା କମ୍ପମାନ ହେବାକୁ ଲାଗିଲା। ସେ ଅଟ୍ଟହାସ୍ଯର ତୀବ୍ରତା ଏତେ ଅଧିକା ଥିଲା ଯେ ଲାଗୁଥିଲା ଘରଟି ନିମିଷକରେ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯିବ। ବିଜୟ ଅନୁଭବ କଲା ତା କ୍ଷତ ସ୍ଥାନକୁ କେହି ଜଣେ ରାମ୍ପି ପକାଉଛି। କଷ୍ଟରେ ଚିତ୍କାର କରି ସେ ମୁହଁରୁ ପାପୁଲି ହଟାଇ କ୍ଷତ ସ୍ଥାନ କୁ ଧରିବାକୁ ପ୍ରୟାସ କରିବା ସମୟରେ ଯାହା ଦେଖିଲା, ତା ପାଦ ତଳୁ ମାଟି ଖସିଯିବା ପରି ଅନୁଭବ ହେଲା। ତା ସାମ୍ନାରେ ଏକ ରକ୍ତସ୍ନାତା ଯୁବତୀର କ୍ଷତବିକ୍ଷତ ଶରୀର ଥିଲା। ମୁଣ୍ଡର ଖପୁରୀ ଫାଟି ଆଁ ହୋଇ ଯାଇଥିଲା ଓ ଗାଲ ହାଡ ଫାଟି ବାହାରକୁ ବାହାରି ଆସିଥିଲା। ଦେହରୁ ଖଣ୍ଡଖଣ୍ଡ ମାଂସର ଟୁକୁରା ଖଟ ଉପରେ ବିଛାଡି ହୋଇ ପଡିଥିଲା ଓ ସେ ଗୋଡ ଲମ୍ବାଇ ବିଜୟ ସାମନାରେ ବସି ରହିଥିଲା। ସେ ଯୁବତୀର ତଣ୍ଟିଟି କଟି ମେଲା ହୋଇ ଯାଇଥିଲା ଓ ସେଥିରୁ ରକ୍ତଧାର ଛୁଟି ଚାଲିଥିଲା। ବିଜୟ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ଛିଟିକି ପଡି କାନ୍ଥରେ ବାଜିଲା ଓ ତଳେ ପଡିଗଲା। ଶୁଭିଲା ଯୁବତୀର କର୍କଶ ଚିତ୍କାର-- ସେ ଚିତ୍କାରରେ ମିଶି ରହିଥିଲା କ୍ରୋଧ, ଘୃଣା ଓ ପ୍ରତିଶୋଧର ବହ୍ନି।

- ଯଦି କୋଳି ନେବାର ନ ଥିଲା , ମୋତେ କାହିଁକି ପାହାଡ ଉପରକୁ ଡାକିନେଇଥିଲୁ ବାବୁ? ମୁଁ ତୋର କି ଦୋଷ କରିଥିଲି ଯେ ମୋ ଜୀବନ ବରବାଦ୍ କରିବା ପରେ ମୋତେ କଲବଲ କରି ମାରିଦେଲୁ? ପୁଣି ତୋ ମୋବାଇଲରେ ସେ ଜିନିଷ ରେକର୍ଡ କଲୁ ତୋ ପୁରୁଷତ୍ବ ପ୍ରମାଣ କରାଇବାକୁ? ତୋତେ ଆଜି ମୁଁ ଛାଡିବିନି...

ବିଜୟ କେବଳ ହାତଯୋଡି ପଡି ରହିଥିଲା। କିଛି କହିବା ପାଇଁ ତା ଜିଭ ଲେଉଟିବା ଅବସ୍ଥାରେ ନ ଥିଲା। ତା ଛାତି ଉପରେ ସେ ଅନୁଭବ କଲା ଭୀଷଣ ଚାପ, ସତେକି ଏକ ବିରାଟ ପଥର ତା ଛାତି ଉପରେ କେହି ଚାପି ଦେଉଛି। ସେ ବିକଳ ରେ ଗଁ ଗଁ ହୋଇ ଜୀବନ ବଞ୍ଚାଇବାକୁ ପ୍ରାର୍ଥନା କରିବାକୁ ଲାଗିଲା। କେଇକ୍ଷଣ ଭିତରେ ବିଜୟ, ତା ଶରୀରର ପ୍ରତ୍ଯକ ଅଙ୍ଗରେ ଅନୁଭବ କଲା ଭୀଷଣ ଯନ୍ତ୍ରଣା। ତା ଶରୀରର ଅଙ୍ଗମାନ ଖଣ୍ଡ ବିଖଣ୍ଡିତ ହୋଇ ବିଛାଡି ହୋଇ ପଡୁଥିଲା ଘର ଭିତରେ। କାନ ପାଖରେ ଶେଷଥର ପାଇଁ ଗୁଞ୍ଜରିତ ହେଲା- - ତୋତେ ଏତେ ସହଜରେ ମୁଁ ଛାଡିବିନି। ତୁ ମରିବା ପରେ ମଧ୍ଯ ମୋ ପାଖରୁ ବଞ୍ଚି ପାରିବୁନି ବାବୁ।

ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ବିଜୟ ଦେଖିଲା କାନ୍ଥଘଣ୍ଟା ଆଡକୁ-- ସମୟ ବାଜିଥିଲା ତିନି ଟା ପନ୍ଦର।




Rate this content
Log in

More oriya story from Arabinda Rath

Similar oriya story from Horror