ତେଜ୍ୟ
ତେଜ୍ୟ
ଆଜିର ପୃଥିବୀରେ ବ୍ୟକ୍ତିସତ୍ତାର ସ୍ୱରୁପ ପ୍ରତିବଦ୍ଧତାଠୁ ଢେର ଅଧିକ ମୂଲ୍ୟବାନ ହେଇପାରେ ଠିକ ଏମିତି !..
★★★★★★
ସିଲୁ ଅପା ଫୋନ୍ ରେ କହୁକହୁ କାନ୍ଦି ପକେଇଲା । ତା'ର ଆଉ ଶୁଣିବାକୁ ଧର୍ଯ୍ୟ ନଥିଲା । ସେ ଫୋନ୍ ରଖିଦେଇ ଢେର୍ ବେଳଯାଏଁ କାନ୍ଦିଲା ବୁକୁ ଫଟେଇ । ତା' କୋହତକ ଶୁନ୍ୟ ଘରର ନିଶବ୍ଦତାକୁ ପ୍ରତିହତ କରୁଥିଲା ଅସହ୍ୟ ଭାବରେ । ହେ ପ୍ରଭୁ ! ଝିଅଟେ ଏମିତି ମୁହୂର୍ତ୍ତର ସାମ୍ନା ନକରୁ କେବେ ଜୀବନରେ ।
************************
'' ଅଦ୍ବିତୀୟା ସବୁଠାରୁ ନିଆରା ହେବ
ସେଥିପାଇଁ ଏଇ ନାଁ ବାଛିଲି ଆଜି । ତା' ଭଳି ଦ୍ଵିତୀୟ ମଣିଷଟେ ରହିବେ ନାହିଁ ଧରା ବୁକୁରେ । "
ଏମିତି ଘୋଷଣା କରିଥିଲେ ସାହିତ୍ୟ ଶିକ୍ଷକ ନିରଞ୍ଜନ ମିଶ୍ର । ବୟସର ସାୟାହ୍ନରେ ଝିଅଟି ଜନ୍ମିଥିଲା । ପୁଅଦୁଇଟି ସେବେଳକୁ କଲେଜ ପଢିଲେଣି । ବୋଉ ଲାଜ କରିଥିଲା ଭାରି କୁଆଡେ । ଏଇ ବୟସରେ ବଡ଼ ଅଡୁଆ ଲାଗୁଥିଲା । କିନ୍ତୁ ନନା ଜାତକ ଗଣନା କରି ଅଭୟ
ଦେଇଥିଲେ , '' ସରସ୍ୱତୀ ଏଇ କନ୍ୟା ରତ୍ନ ଆମ ଘରକୁ ସୌଭାଗ୍ୟ ଆଣିବ ।"
ସତ ହେଇଥିଲା ଅଦ୍ୱିତୀୟା ପାଦ ଦେଉ ଦେଉ ନନା ପ୍ରଧାନଶିକ୍ଷକ ପଦକୁ ଉତ୍ତୀର୍ଣ୍ଣ ହେଲେ ଆଉ ବଡ଼ ଭାଇନା ମେଡ଼ିକାଲ ପାଇଲା । ଘର ସୁଖ ସମୃଦ୍ଧିରେ ଭରି ଗଲା ।
ଝିଅ ପାଇଁ ନନା କେତେଯେ ଯତ୍ନ କରିଥିଲେ ନଦେଖିଲା ଲୋକେ ବୁଝିବେ ନାହିଁ । ପାଠ ପଢା ପାଇଁ ଖୋଦ ନିଜ ସାଇକେଲରେ ବସେଇ ସ୍କୁଲକୁ ନେଉଥିଲେ ଯଦିଓ ଭାଇନା ସହ ଆରାମରେ ଯାଇ ହେଇଥାନ୍ତା । ରାତି ଚାରିିରୁ ଉଠି ସମସ୍ତ କାମ ସାରି ପାଞ୍ଚଟା ବେଳକୁ ଝିଅକୁ ଉଠେଇ ପାଠ ପଢଉଥିଲେ ନନା । କଲେଜ ବେଳକୁ ତ ଆହୁରି ଯତ୍ନ କଲେ । ଚାକିରୀରୁ ଅବସର ନେଇସାରିଥିଲେ । ତେଣୁ ରୋଜ ଝିଅକୁ କଲେଜ ଛାଡିବା ଆଉ ଆଣିବା କାମ ବି ତାଙ୍କର ଥିଲା । ଅବଶ୍ୟ ବଡ଼ ଭାଇନା କାର ଆଉ ଡ୍ରାଇଭର ବନ୍ଦୋବସ୍ତ କରିଦେଇଥିଲା ।
ପରୀକ୍ଷା ଦିନଗୁଡିକରେ ତ ନନା ଜଗି ରହୁଥିଲେ । ପରୀକ୍ଷା ସାରି ସାଥିରେ ଧରି ଘରକୁ ଫେରୁଥିଲେ । ଅଦ୍ୱିତୀୟା ଏତେ ଗେଲବସରରେ ବଢିଥିଲା ଯେ ଇନ୍ଦ୍ରଚନ୍ଦ୍ର ମାନୁ ନଥିଲା । ନନା ତା' ସବୁ ଇଚ୍ଛା ପୁରଣ କରୁଥିଲେ । ସତେ ଯେମିତି ସରଗର ଚାନ୍ଦ ବି ତୋଳି ଆଣିବେ ସେ ଝିଅ ପାଇଁ ।
ବୋଉ ତ ଭୁଲ ରେ ବି କେବେ କାମ କରିବାକୁ କହୁ ନଥିଲା । ନନାଙ୍କ କଡା ତାଗିଦ ଥିଲା , '' ଝିଅ ତ କୁଣିଆ ତାକୁ ପୁଣି କାମ ଦେବୁ । ହବନି ଜମା ; ଏଠି ସୁଖ କରୁ ପରଘର କଥା ଠାକୁର ବୁଝିବେ ।''
ନନାଙ୍କ ଓଠରେ ସବୁବେଳେ ରହୁଥିଲା ମା' ଡାକ । ଅଦ୍ୱିତୀୟା ବୋଲି କେବେ କହୁନଥିଲେ ସେ । ସବୁବେଳେ ସରାଗରେ କହୁଥିଲେ , '' ମୋ ମା' ପରା ତୁ ଫେରିଛୁ ପୁଣି ଥରେ ମୋ ପାଖକୁ ।''
ବୋଉବି କହୁଥିଲା ସେ କୁଆଡେ ବିଲକୁଲ ଜେଜି ମା' ଭଳି ଦେଖିବାକୁ ।
ସବୁବେଳେ ଗେହ୍ଲା ହେଉଥିବା ଝିଅ କିନ୍ତୁ ବୟସର ଅଭିପ୍ସାରେ ଯେବେ ସତରେ ଶୁଭ୍ରଜିତଙ୍କୁ ମାଗିଲା । ନନା କୃପଣ ହେଇଗଲେ । ତାଙ୍କ ଅୟୁତ ଯୁଗର ସ୍ୱପ୍ନ , କୁଳୀନ ବ୍ରାହ୍ମଣ ପରିବାରରେ ଝିଅର ଲଗ୍ନ ଭାଙ୍ଗି ଚୁରମାର ହେଇଗଲା । ଯଦିଓ ଆଧୁନିକ ସମୟ ରୂଢ଼ିବାଦୀ ଚେତନାର ବହୁ ଉର୍ଦ୍ଧ୍ବରେ ତଥାପି ନନା ରହିଥିଲେ ଜୀବନ୍ତ ଜୀବାଷ୍ମ ହେଇ ।
ବୋଉ ବି ନେହୁରା ହେଇଥିଲା ନନାଙ୍କ ପାଖରେ । ଝିଅର ସୁଖଠୁ ବଳି କିଛି ନାହିଁ ଏ ଦୁନିଆରେ । କିନ୍ତୁ ନନା ବୁଝି ଅବୁଝା
ହେଲେ । ଜାତି ଭାଇଙ୍କ ଭିତରେ ମୁଣ୍ଡ ନୁଆଁଣିଆ କରି ଜୀଇଁବାର ଲଜ୍ଜ୍ୟାତକ ଢ଼ୋକି ନେଲେନି ।
କେମିତି କରିଥାନ୍ତେ ଭଲା ସେ ନିଜେ ଶିକ୍ଷକ । ସେ ନିଜେ ଗାଁ ପଞ୍ଚାୟତରେ ଜଣେ ମୁଖ୍ୟ ବୟୋଜ୍ୟେଷ୍ଠ । ସେ ନିଜେ ଧର୍ମଚ୍ୟୁତ
ହେଇଗଲେ ଅନ୍ୟ ମାନଙ୍କୁ କି ଉପଦେଶ ଦେବେ ??..........
ବର୍ଣ୍ଣଶଙ୍କର ଟିଏ ତାଙ୍କ ବଂଶରେ କେମିତି ସହିବେ । ଶୁଭ୍ରଜିତ ଯେ ନିଚ୍ଚକୁଳ । ହୁଅନ୍ତା ଭଲା ଦୂରର କେହି ଅଜଣା । ସତ ମିଛ କହି ଚଳେଇ ହୁଅନ୍ତା ହେଲେ ପିଲାଟା ତାଙ୍କରି
ଗାଁର। ନିତି ରାତି ପାହିଲେ ମୁହଁ ଦେଖା । ଇଚ୍ଛା କରି ମଧ୍ୟ ଯନ୍ତ୍ରଣା ତକ ଭୁଲେଇ ହେବନି ।
ଝିଅ କିନ୍ତୁ ନିଜ ଜିଦରେ ରହିଲା ଠିକ ନନାଙ୍କ ଭଳି । ଆଉ ନିଷ୍ପତ୍ତି ନେଇଗଲା ନିଜେ । ଲୋକଲଜ୍ୟାରୁ ବଞ୍ଚିବା ପାଇଁ ପିଣ୍ଡ ଦେବା ବ୍ୟତୀତ ଆଉ ଉପାୟ ନଥିଲା ସତରେ ।
ନନା ନିଜେ ଶ୍ରୀମନ୍ଦିର ପାହାଚରେ ବସି ପଣ୍ଡିତ ଡକେଇ ପିଣ୍ଡ ଦେଇଦେଲେ ?...
ପଣ୍ଡିତଙ୍କୁ କେମିତି କହିପାରିଲେ ନନା , ମୋ କନ୍ୟା ଅଦ୍ୱିତୀୟାର ଆତ୍ମାର ମୋକ୍ଷ ପାଇଁ ଏଇ ଶ୍ରାଦ୍ଧକର୍ମ କରିବାକୁ ସିଦ୍ଧାନ୍ତ ନେଇଛି ବୋଲି । କେମିତି ମନ୍ତ୍ର ଉଚ୍ଚାରଣରେ 'ଅଦ୍ୱିତୀୟା ପ୍ରେତାୟ ' ଶବ୍ଦ ନିଜ କାନରେ ଶୁଣିଲେ । କେମିତି ବଞ୍ଚି ଥାଉଁ ଥାଉଁ ଝିଅଟି ଓଃ ...........
ଚର୍ଚ୍ଚା ହେଇଥିଲା ସାରା ଗାଁରେ , ନିରଞ୍ଜନ ସାରଙ୍କ ନିଷ୍ପତ୍ତି ସାଜିଥିଲା ଉଦାହରଣ । ଲୋକାଚାର ଆଗରେ ବ୍ୟକ୍ତିସତ୍ତା ଯେ କେତେ ନଗଣ୍ୟ ବୁଝିଥିଲେ ଲୋକେ । ଯେଉଁ ହାତରେ ମନ୍ଦିର ଗଢ଼ିଥିଲେ ନିରଞ୍ଜନ ସାର୍ ସେଇ ହାତରେ ଉଜାଡି ମଧ୍ୟ ଦେଲେ ।ଅଦ୍ବିତୀୟା ଓଃ ! ..........
***********************
ସଭିଙ୍କୁ ଖବର ଦିଆଗଲା ନନାଙ୍କ ଚାଲିଯିବାର ; କେବଳ ଅଦ୍ୱିତୀୟା ବ୍ୟତୀତ । ଖବର କିନ୍ତୁ ଲୁଚି ରହିବ କି ଆଉ ? ସେ ତ ଦାବାନଳ । ମାଡିଗଲା ତୀବ୍ର ଭାବରେ । ଯେତେହେଲେ ଗାଆଁର ବଡ଼ ମୁଣ୍ଡ ।ତିନି ପିଢ଼ି ପିଲାଙ୍କ ଶିକ୍ଷକ । ଟେକାଟେ ମାରିଲେ ଯାହା ମୁଣ୍ଡରେ ପଡିବ ସେ ଗୋଟିଏ ଛାତ୍ର କି ଛାତ୍ରୀ ।
ଖୋଦ ଏଇ ଖବର ସିଲୁ ଅପା ଦେଲା ଆଜି । ଆଉ କାନରେ ବୁଝେଇ କହିଲା ମଧ୍ୟ ,'' ତୁ କିନ୍ତୁ ଦ୍ରୋହୀ ହେବୁନୁ ପାଳିବୁ, ସେଇତକ ତ ପ୍ରାପ୍ୟ ।''
ସତରେ କ'ଣ ପଞ୍ଚମହାଭୂତର ପିଣ୍ଡ ତ୍ୟାଗ କରିଦେଲା ପରେ ଆଉ କିଛି ପ୍ରାପ୍ୟ ଥାଏ ଦିବଂଗତ ବିଦେହୀର ? ଥାଏ ବାକି କ୍ଷୁଧା , ତୃଷ୍ଣା ଆଉ ମୋହର ସୁକ୍ଷ୍ମ ଆକର୍ଷଣ ? କିନ୍ତୁ ଆତ୍ମୀୟତକ ମାନି ନିଅନ୍ତି ଏଇ ବିଧି ।
ତିକ୍ତ ଖିଆଠୁ ବାରପତ୍ର ଯାଏଁ ପାଳି ବସନ୍ତି ଗୋଟେ ଲୁହସିକ୍ତ ଆବେଗ । ନନାଙ୍କ ଅନ୍ତିମ ମୁହୂର୍ତ୍ତରେ ଅଦ୍ଵିତୀୟା ନିଜକୁ ଦୂରେଇ ପାରିଲା ନାହିଁ । ରକ୍ତର ଆକର୍ଷଣ ଏମିତି ଶକ୍ତ ।
*******************
ବିଷର୍ଣ୍ଣ ଦିଶୁଛନ୍ତି ସଭିଏଁ ।...........
ପଞ୍ଚ ପରମେଶ୍ବରଙ୍କ ଦ୍ୱାରସ୍ଥ ହେଇଛି ଆଜି ମିଶ୍ର ଘର ଝିଅ ଆଉ ଘଡେଇ ଘର ବୋହୁ । ନିବେଦନ ମଧ୍ୟ ବଡ଼ ବିଚିତ୍ର । ଝିଅଟେ ନିଜ ଦିବଂଗତ ପିତାଙ୍କ ନବମୀ ପଣା ଦେବାର ସ୍ୱୀକୃତି ମାଗୁଛି । ବ୍ରାହ୍ମଣ ଭୋଜନ କରେଇ ନନାଙ୍କ ଆତ୍ମାର ସଦ୍ଗତି ପାଇଁ ଅଧିକାର ମାଗୁଛି ।
ଅଦ୍ବିତୀୟାକୁ ଘର ଏରୁଣ୍ଡି ବନ୍ଧରୁ ଫେରେଇ ଦେଇଛି ବୋଉ । ଏ ଅଧିକାର ତା'ର ନାହିଁ ସେ ତେଜ୍ୟ । ନହେଲେ ନନାଙ୍କ ଆତ୍ମା କଷ୍ଟ ପାଇବ ।
ସୌମ୍ୟା ଶୁଭଦର୍ଶିନୀ
