sushama Parija

Inspirational


3  

sushama Parija

Inspirational


ତେଜସ୍ଵିନୀ

ତେଜସ୍ଵିନୀ

5 mins 144 5 mins 144


ଅଫିସରୁ ନାଇଟ୍ ସିଫ୍ଟ ସାରି ଘରକୁ ଫେରୁଥିଲା ତେଜସ୍ବିନୀ । ହାତଘଣ୍ଟା କୁ ଚାହିଁଲା, ରାତି ଗୋଟାଏ ବାଜିବା କୁ ଆଉ ପନ୍ଦର ମିନିଟ୍ ବାକି । ନିଜ ସ୍କୁଟିର ସ୍ପିଡ୍ ବଢାଇ ଦେଲା ସେ । ଘର ଆଉ ମାତ୍ର ତିନି କିଲୋମିଟର ଦୂର । କେତୋଟି ମିନିଟ୍ ରେ ପାର୍ ହୋଇଯିବ ସେତକ ରାସ୍ତା । ରାସ୍ତାରେ ଲୋକ ମାନଙ୍କ ଭିଡ,ଗାଡି ମଟର ପେଁ ପାଁ କରି ଉଡି ଯାଉଛନ୍ତି । ବିଶାଖାପାଟଣାରେ ଏଇଟା ଅତି ସାଧାରଣ କଥା । ଯିଏ ଯାହା କମରେ ଲାଗିଥାନ୍ତି , କେହି କାହାରିକୁ ଅନେଇବାକୁ ବେଳ ନଥାଏ। ଜୀବନ ଯେମିତି ଧାଉଁଥାଏ ଏଠି । ଘରେ ତେଣେ ବାପା ଅନେଇ ବସିଥିବେ ତା'ର ଫେରିବା ବାଟକୁ । ସାନ ଭାଇ ଭଉଣୀ ଦି'ଟା ଖାଇପିଇ ଶୋଇ ପଡିଥିବେ। ବାପା କିନ୍ତୁ ସେ ନ ଫେରିବା ଯାଏ ସେମିତି ବସିଥିବେ ଅଖିଆ ଅପିଆ। ସେ ଘରେ ପହଞ୍ଚିଲା ପରେ ହାତ ଗୋଡ ଧୋଇବ , ଖାଇବା ଜିନିଷ ଗରମ କରିବ ,ତା ପରେ ବାପ ଝିଅ ଦିହେଁ ଖାଇବା ଟେବୁଲ ରେ ବସିବେ। ଖାଉ ଖାଉ ଦୁନିଆଁ ଯାକର ଗପସପ ହେବେ। ଏଇ ଅଭ୍ୟାସଟା ମା' ଗଲା ପରଠାରୁ ଆପଣାଇଛନ୍ତି ବାପା । 


ବିଚରା ବାପାଙ୍କ କଥା ଭାବିଦେଲେ ଆଖିରେ ଲୁହ ଜକେଇ ଆସେ ତେଜସ୍ବିନୀ ର। ମା'ର ଅକାଳ ବିୟୋଗ ପରେ ଘର ସଂଭାଳିବାକୁ କେହି ନଥିବାରୁ ବାପାଙ୍କୁ ସ୍କୁଲର କିରାଣୀ ଚାକିରି ଟି ମଧ୍ୟ ଛାଡିବାକୁ ପଡିଲା। ସେତେବେଳକୁ ତେଜସ୍ବିନୀ ର ଇଂଜିନିୟରିଂ ର ଶେଷ ବର୍ଷ । ସାନ ଭଉଣୀ ମନସ୍ୱିନୀ ର ପ୍ଲସ୍ ଟୁ ସେକେଣ୍ଡ୍ ଇଅର ଆଉ ସାନଭାଇ ଅରୁଣ ଟେନଥ୍ କ୍ଲାସ ରେ । ସ୍ତ୍ରୀ କୁ ହରାଇବାର ଦୁଃଖ କୁ ପଛରେ ପକାଇ ବାପା ସଂଭାଳି ନେଲେ ତିନି ପିଲାଙ୍କୁ। ମା'ର ଅଭାବ ଜାଣିବାକୁ ଦେଲେନି ସେମାନଙ୍କୁ । ଟିଉସନ କରି ଘର ଚଳେଇଲେ, ମା'ର ଗହଣା ବିକ୍ରି କରି ପିଲାମାନଙ୍କୁ ଆଗକୁ ପଢେଇଲେ। ଇଂଜିନିୟରିଂ ସରୁ ସରୁ କ୍ୟାମ୍ପସର ସିଲେକ୍ସନ ରେ ଚାକିରି ପାଇଗଲା ତେଜସ୍ବିନୀ ।


ପୋଷ୍ଟିଂ ହେଲା ତା' ନିଜ ସହର ବିଶାଖାପାଟଣା ରେ। ଏଥର ଘରର ଦାୟିତ୍ବ ନିଜ ମୁଣ୍ଡକୁ ନେଇଗଲା ସେ । ବାପା ଙ୍କ ଟିଉସନ ବନ୍ଦ କରି ତାଙ୍କୁ ଘରେ ବିଶ୍ରାମ ନେବାକୁ କହିଲା, ସାନ ଭାଇ ଓ ଭଉଣୀ ର ଉଚ୍ଚଶିକ୍ଷାର ସମସ୍ତ ପ୍ରକାର ପଦକ୍ଷେପ ନେଲା, ରାମନାଥ ବାବୁ ଭାବିଲେ ତାଙ୍କ ଭାଗ୍ୟ ବଦଳିଗଲା ଏଥର। ତେଜସ୍ବିନୀ ଥିଲା ସର୍ବଗୁଣ ସଂପର୍ଣ୍ଣା। ସେ ପାଠ ରେ ଥଲା ଯେମିତି ଆଗୁଆ ସେବା ମନୋବୃତ୍ତି ରେ ମଧ୍ୟ ସେତିକି ଆଗୁଆ। ସ୍କୁଲ କଲେଜରେ ସୋସିଆଲ୍ ସର୍ଭିସ୍ କ୍ୟାମ୍ପେନ ରେ ତା'କୁ ଆଗ ଖୋଜା ପଡୁଥିଲା । ଚାକିରି କରିବା ପରେ ମଧ୍ୟ ସେ ଅଭ୍ୟାସ ଜାରି ରଖିଲା ସେ। ବିଶାଖାପାଟଣାରେ ଅଙ୍ଗଦାନ କାର୍ଯ୍ୟକ୍ରମ ର କ୍ୟାମ୍ପେନ ରେ ସେ ସାଜିଲା ପ୍ରମୁଖ ପ୍ରଚାରକ। ଛୁଟିଦିନ ଆଉ ଅବସର ସମୟରେ ସେ ଘର ଘର ବୁଲି ଲୋକମାନଙ୍କୁ ବୁଝାଉଥିଲା ଅଙ୍ଗଦାନ ର ମହତ୍ତ୍ବ । କେଉଁଠି କେହି ଅଙ୍ଗଦାନ କରିବାକୁ ଚାହିଁଲେ ଖରା ବର୍ଷା ଶୀତ କାକର କିଛି ନମାନି ଛୁଟି ଯାଉଥିଲା ସେଠିକି । ସେଥିରେ ଗଭୀର ଆତ୍ମସନ୍ତୋଷ ପାଉଥିଲା ସିଏ। ସହରର ଅନେକ ଅନାଥାଶ୍ରମ, କନ୍ୟାଶ୍ରମ,ବୃଦ୍ଧାଶ୍ରମ ର ପୃଷ୍ଠପୋଷକ ଥିଲା ତେଜସ୍ବିନୀ । ନିଜ ର ଦରମାରୁ, ସାଙ୍ଗ ସାଥୀ, ଅଫିସ୍ ର ସହକର୍ମୀ ମାନଙ୍କ ଠାରୁ ମାଗି ଆଣି ରୀତିମତ ଡୋନେସନ୍ ଦେଉଥିଲା ସେଇ ସଂସ୍ଥା ମାନଙ୍କୁ । ଅବସର ସମୟରେ ସେଇ କାମରେ ଲାଗି ରହୁଥିଲା ସେ। ଦୀନଦୁଃଖି ମାନଙ୍କ ସେବା ଯେମିତି ତା'ର ଜୀବନର ବ୍ରତ ଥିଲା । ଆଜି ମଧ୍ୟ ସେମିତି ଗୋଟିଏ ବାଳାଶ୍ରମ କୁ ସକାଳେ ଯାଇଥିଲା ତେଜସ୍ବିନୀ । ସେଠାର ପିଲାମାନଙ୍କ ସହିତ ଦୁଃଖ ସୁଖ ହୋଇ ଫେରିଥିଲା । ସେସବୁ ଯାଗାରୁ ଫେରିଲା ପରେ ମନଟା କୋହରେ ଭରିଯାଏ ତା 'ର।

 

ଗାଡି ଚଲାଉ ଚଲାଉ ହଠାତ୍ ଗୋଟାଏ ଝଟକା ଲାଗିଲା ତେଜସ୍ବିନୀ କୁ। ତାକୁ ଲାଗିଲା ସାମନା ପଟୁ କଣ ଗୋଟାଏ ଆସି ପିଟି ହୋଇଗଲା ତା' ଗାଡି ରେ। ଅତର୍କିତ ଭାବେ ଝଟକା ଖାଇ ନିଜର ଭାରସାମ୍ୟ ହରାଇ ରୋଡ୍ ଡିଭାଇଡର୍ ରେ ମାଡ ହୋଇ ଛିଟିକି ପଡିଲା ସେ। ହେଲ୍ ମେଟ୍ ଟି ଖସିଗଲା ମୁଣ୍ଡ ରୁ। ଗାଡି ସହିତ କିଛି ବାଟ ଘୋଷାରି ହୋଇ ଗଲା ପରେ ଚେତା ହଜିଗଲା ତା'ର । ଝିଅ କୁ ଅପେକ୍ଷା କରି କରି ଡ୍ରଇଂ ରୁମ୍ ର ସୋଫା ଉପରେ ଢୁଳେଇ ପଡିଥିବା ରାମନାଥ ବାବୁ ଙ୍କ ନିଦ ଭାଙ୍ଗିଲା ଲ୍ୟାଣ୍ଡ ଫୋନ୍ ର କର୍କଶ ଶବ୍ଦରେ। କେତେବେଳ ଠାରୁ ବାଜି ଚାଲିଛି କେଜାଣି । ଏତେ ରାତିରେ ଟେଲିଫୋନ୍ ର ଆବାଜ ଶୁଣି ଛାତି ଟା ଧଡ୍ ଧଡ୍ ହୋଇ ଗଲା ତାଙ୍କର। ଧାଇଁ ଯାଇ ରିସିଭର୍ ଟାକୁ ଉଠାଇ ଆଣି କାନରେ ଲଗେଇଲେ ସେ। ସେପଟରୁ ଭାସି ଆସୁଥିଲା ପୋଲିସ୍ ଇନିସପେକ୍ଟର ଙ୍କ ଭାରି କଣ୍ଠସ୍ଵର ' ଶିଘ୍ର ଆସି ସିଟି ହସ୍ପିଟାଲରେ ପହଞ୍ଚାନ୍ତୁ, ଆପଣଙ୍କ ଝିଅ ର ଆକ୍ସିଡେଣ୍ଟ ହୋଇଛି '।


ଧଡ୍ କିନା ଫୋନ୍ ଟା କଟିଗଲା ସେପଟରୁ। ଗୋଡତଳୁ ଭୂଇଁ ଖସିଗଲା ରାମନାଥ ବାବୁଙ୍କର। କାନମୁଣ୍ଡା ଝାଇଁ ଝାଇଁ ହୋଇ ଯାଉଥିଲା, ମୁଣ୍ଡରେ କିଛି ପଶୁ ନଥିଲା ,କଅଣ କରିବେ କୁଆଡେ ଯିବେ, ପିଲାମାନଙ୍କୁ ନିଦରୁ ଉଠେଇବେ ନା ଘର ଖୋଲା ରଖି ସେମିତି ହସ୍ପିଟାଲ୍ ଦୌଡି ଯିବେ,କିଛି ବୁଝି ପାରୁନଥିଲେ ସେ। ଶେଷରେ ପଡୋଶୀଙ୍କ କବାଟ ବାଡେଇ ଉଠେଇଲେ । ତାଙ୍କୁ ସବୁକଥା କହି ଅନୁରୋଧ କଲେ ସାଙ୍ଗରେ ହସ୍ପିଟାଲ ଯିବାକୁ । ନିଦରୁ ଉଠେଇ ପିଲାମାନଙ୍କୁ କହିଗଲେ ଟେଲିଫୋନ୍ ପାଖରେ ବସି ରହିବା ଲାଗି । ଦରକାର ପଡିଲେ ଫୋନ୍ କଲେ ଦୂରରେ ଥିବା ବଂଧୁ ବାଂଧବ ମାନଙ୍କୁ ଖବର ଦେବା ପାଇଁ। 


ହସ୍ପିଟାଲ ରେ ପହଞ୍ଚିବା ବେଳକୁ ସେଠି ଅସମ୍ଭବ ଭିଡ। ଲୋକ ମାନଙ୍କ ଭିଡ ଠେଲି ପଇଁତରା ମାରୁଥିବା ପୋଲିସ ଅଫିସର ଙ୍କ ପାଖରେ ପହଞ୍ଚିଲେ ରାମନାଥ ବାବୁ । ସେ ତାଙ୍କ ବାହୁ ଧରି ନେଇ ଗଲେ ଇମର୍ଜେନ୍ସି ଓାର୍ଡ ର ଅପରେସନ ଥିଏଟର ର ଦୁଆର ମୁହଁକୁ। ଅପରେସନ ଥିଏଟର ବାହାରେ ନାଲିବତୀ ଜଳୁଥିଲା । ରାମନାଥ ବାବୁ ବୁଝି ଗଲେ ଅପରେସନ ଚାଲିଛି । ଈଶ୍ବରଙ୍କୁ ପ୍ରାର୍ଥନା କରି ବାହାରେ ଅପେକ୍ଷା କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ତାଙ୍କ ପାଖରେ। କିଛି ସମୟ ପରେ ରୁମାଲରେ ହାତ ପୋଛି ପୋଛି ବାହାରକୁ ବାହାରିଲେ ଡାକ୍ତର ବାବୁ । ରାମନାଥ ବାବୁ ଦୌଡି ଗଲେ ତାଙ୍କ ପାଖକୁ । କାନ୍ଦିକାନ୍ଦି ଧରି ପକେଇଲେ ଡାକ୍ତର ବାବୁ ଙ୍କ ହାତ ଦୁଇଟିକୁ । ସେ କିଛି କହିବା ପୂର୍ବରୁ ଡାକ୍ତର ବାବୁ କହିଲେ ' ଦି କେଶ୍ ଇଜ ଭେରି ଭେରି ସିରିୟସ୍ ମିଷ୍ଟର୍ । ଉଇ ହାଭ୍ ଡନ୍ ଆୱାର୍ ବେଷ୍ଟ୍। ରେଷ୍ଟ ଡିପେଣ୍ଡସ୍ ଅପନ୍ ଗଡ୍ '।


ରାମନାଥ ବାବୁ ବୁଝି ଗଲେ , କଥା ଆଉ ଆୟତ୍ତରେ ନାହିଁ। ବଡ ଡାକ୍ତର ଙ୍କ ପଛରେ ଆସିଥିବା ହାଉସ୍ ସର୍ଜନ୍ ଜଣକ ବୁଝାଇ ଦେଲେ ଭୟଙ୍କର ଭାବେ ମୁଣ୍ଡରେ ମାଡ ହୋଇ ଥିବାରୁ ମସ୍ତିଷ୍କ ରେ ରକ୍ତ ଜମାଟ ବାନ୍ଧି ଯାଇଛି, ଅପରେସନ କରି ଗୁଡାଏ ମୁଣ୍ଡା ରକ୍ତ କୁ ବାହାର କରିଦେଇଛନ୍ତି ବଡ ଡାକ୍ତର ହେଲେ ବର୍ତ୍ତମାନ କିଛି କହିବା ସମ୍ଭବ ନୁହେଁ। ଏବେ ରୋଗୀ କୁ ଆଇ ସି ୟୁ ରେ ରଖାଯିବ।     ଅଠଚାଳିଶ ଘଣ୍ଟା ପରେ ଯାଇ ଯାହା ଜଣା ପଡିବ। ମୁଣ୍ଡରେ ହାତ ଦେଇ ଲଥ୍ କିନା ବସିପଡିଲେ ରାମନାଥ ବାବୁ । ଅଖିଆ ଅପିଆ ବସି ରହିଲେ ସେଇ ଡାକ୍ତରଖାନା ବାରଣ୍ଡା ରେ। ଆଖିରେ ଆଖିରେ ରାତି କଟିଲା । ସକାଳ ହେଲାରୁ ଭିଡ ଜମିଲା ତେଜସ୍ବିନୀ ଜଡିତ ଥିବା ଏନ୍ ଜି ଓ ର ସଭ୍ୟମାନଙ୍କ ର। ଦୁର୍ଘଟଣାର ଖବର ଟି ମଧ୍ୟ ସମସ୍ତ ଖବରକାଗଜ ଆଉ ଇଲେକ୍ଟ୍ରୋନିକ୍ ମିଡ଼ିଆ ରେ ପ୍ରକାଶିତ ହୋଇ ଚହଳ ପକାଇ ସାରିଥିଲା ।


 ତହିଁଆର ଦିନ ସଂଧ୍ୟା ବେଳକୁ ଡାକ୍ତରମାନେ ଘୋଷଣା କରିଦେଲେ ଯେ ତେଜସ୍ବିନୀ ଗଭୀର କୋମା କୁ ଚାଲି ଯାଉଛି, ଯେଉଁଟାରୁ ସେ ଆଉ କେବେ ବି ବାହାରି ପାରିବ ନାହିଁ । ନିଶ୍ବାସ ପ୍ରଶ୍ବାସ ନେଇ ତାର ଶରୀର ଜୀବିତ ରହିବ ସିନା ତା' ର ମସ୍ତିଷ୍କ ଆଉ ମୋଟେ କାମ କରିବ ନାହିଁ । ଜିଅନ୍ତା ଶବ ଟିଏ ପରି ପଡି ରହିବ ଶଯ୍ୟା ଉପରେ । ଅକାଳରେ ସତେକ ବଜ୍ରପାତ ହେଇଗଲା ରାମନାଥ ବାବୁଙ୍କର ମୁଣ୍ଡରେ । ଏତେ ସୁନ୍ଦର ଏତେ ଗୁଣର ଝିଅ ତାଙ୍କର ଏମିତି ଶବ ପରିକା ପଡି ରହିବ ତାଙ୍କରି ଆଖି ଆଗରେ ,ଏକଥା କେମିତି ସହି ପାରିବେ ରାମନାଥ । ପ୍ରଭୁଙ୍କର କଣ ଟିକିଏ ଦୟା ହେଲାନି ଏ ମାଆ ଛେଉଣ୍ଡ ଝିଅ ଟି ଉପରେ । ଏତେ ବଡ ଦଣ୍ଡ ଦେଇ ଦେଲେ ତାକୁ। କାହାର ବା କ'ଣ କ୍ଷତି କରିଥିଲା ସିଏ ଯେ ଗୋଟାଏ ମଦୁଆ କନେଷ୍ଟବଳ ର ବାଇକ୍ ଧକ୍କାରେ ସେ ଜିଅନ୍ତା ଶବ ପାଲଟି ଗଲା । ଢୋ ଢୋ ମୁଣ୍ଡ ପିଟି କାନ୍ଦି କାନ୍ଦି ଗଡି ଯାଉଥାନ୍ତି ରାମନାଥ ବାବୁ । ନିଜ କାନ୍ଧରେ କାହାର ସ୍ପର୍ଶ ପାଇ ମୁହଁ ଉଠାଇ ଚାହିଁଲେ ସେ।


ଦେଖିଲେ ପଛରେ ଠିଆ ହେଇଛନ୍ତି ଫାଦର୍ ଯୋଶେଫ୍ , ତାଙ୍କର ଘର ପାଖରେ ଥିବା ଚର୍ଚ୍ଚ ର ମୁଖ୍ୟ। ତେଜସ୍ବିନୀ ପ୍ରାୟତଃ ସେଠିକି ଯାଇଥାଏ ପ୍ରାର୍ଥନା କରିବା ଲାଗି । ରାମନାଥ ଙ୍କ ହାତ ଧରି ଉଠେଇ ଆଣି ନିଜ ପାଖରେ ବସେଇ ମୁଣ୍ଡ କୁ ଆଉଁସି ଦେଇ ଫାଦର ଆଶ୍ୱାସନା ଦେଲେ ତାଙ୍କୁ। କହିଲେ ଯାହା ପ୍ରଭୁ ଙ୍କ ଇଛା ଥିଲା ତା ହା ହେଲା । ତୁମ ଝିଅ ଜଣେ ଦେବୀ ଥିଲା । ଦୀନଦୁଃଖି ମାନଙ୍କ ସେବା ରେ ସେ ତା'ର ଜୀବନ ଉତ୍ସର୍ଗ କରିଥିଲା।ତମେ ଏମିତି କିଛି କାମ କର ଯେଉଁଥିରେ ସେ ଶାନ୍ତି ପାଇବ । ସବୁଦିନ ପାଇଁ ଲୋକମାନଙ୍କ ହୃଦୟରେ ନିଜର ସ୍ଥାନ ବଜାୟ ରଖିବ। ତାଙ୍କ ପଛକୁ ଠିଆ ହୋଇଥିବା ଅଙ୍ଗଦାନ କାର୍ଯ୍ୟକ୍ରମ ର ମୁଖ୍ୟ ଆଗେଇ ଆସିଲେ । ସେ କହିଲେ ଆମ ଅଙ୍ଗଦାନ କାର୍ଯ୍ୟକ୍ରମ ର ମୁଖ୍ୟ ପୁରୋଧା ଥିଲେ ତେଜସ୍ବିନୀ । ଯଦି ଆପଣ ଅନୁମତି ଦେବେ, ତେବେ ଆମେ ତେଜସ୍ବିନୀ ଙ୍କର ଅଙ୍ଗଦାନ ପାଇଁ ବ୍ୟବସ୍ଥା କରିବୁ ମେଡିକାଲ କର୍ତୃପକ୍ଷ ଙ୍କ ସହିତ ଆଲୋଚନା କରି ।


ବହୁ ଆଗରୁ ତେଜସ୍ବିନୀ ତାଙ୍କର ଅଙ୍ଗଦାନ କରିବାକୁ ଇଛା ପତ୍ର ଦାଖଲ କରିଛନ୍ତି ଆମ ସଂସ୍ଥାରେ। ହତବାକ୍ ହୋଇ ବସିଥାନ୍ତି ରାମନାଥ ବାବୁ । ସେ ଭାବୁଥାନ୍ତି ,କାଲି ସକାଳ ର ପିଲା ଝିଅ ଟା ତାଙ୍କର କେତେବେଳେ ଏତେ ବଡ ହୋଇ ଏତେ ଆଗକୁ ଚିନ୍ତା କରିପାରିଲା ? ତାକୁ କ'ଣ ଭବିତବ୍ୟ ଜଣାଥିଲା କି ? ନା ସବୁ ବିଧି ନିର୍ଦ୍ଦିଷ୍ଟ ? ସମସ୍ତ କଥା ମନରେ ବିଚାର କରି ଛାତି କୁ ପଥର କରି ତେଜସ୍ବିନୀ ର ଅଙ୍ଗଦାନ କରିବାକୁ ସମ୍ମତି ଦେଲେ ରାମନାଥ ବାବୁ । 


ପ୍ରଧାନ ଡାକ୍ତର ଧାଇଁ ଆସି କୁଣ୍ଢାଇ ପକାଇଲେ ରାମନାଥ ବାବୁଙ୍କୁ। କହିଲେ ଆପଣ ଜାଣି ନାହାଁନ୍ତି ଆପଣ କେତେ ବଡ କାମ କରିଛନ୍ତି । ଆପଣଙ୍କର ଗୋଟିଏ ଝିଅ ର ଅଙ୍ଗଦାନ କରି ଆପଣ ପାଞ୍ଚଟି ଜୀବନ ଦାନ କରିଛନ୍ତି । ଏଇ ମହତ୍ ଦାନ କରି ଆପଣଙ୍କ ଝିଅ ସବୁଦିନ ଲାଗି ଅମର ହୋଇ ରହିବ ଚାରି ଜଣଙ୍କ ଶରୀରରେ । ଧନ୍ୟ ଆପଣ , ଧନ୍ୟ ଆପଣଙ୍କ ଝିଅ । ସରକାର ଙ୍କ ସହାୟତାରେ ସବୁ ବ୍ୟବସ୍ଥା ହୋଇଗଲା ବାର ଘଣ୍ଟା ମଧ୍ୟରେ । ତେଜସ୍ବିନୀ ର ହୃତପିଣ୍ଡ ଗଲା ଗ୍ଲୋବାଲ ହସ୍ପିଟାଲ ଚେନ୍ନାଇ, ଲିଭର୍ ଗଲା ଆପୋଲୋ ହସ୍ପିଟାଲ ବିଶାଖାପାଟଣା, ଗୋଟିଏ କିଡ଼ନୀ ଗଲା ବିଜୟା ହସ୍ପିଟାଲ ବିଜୟୱାଡା,ଅନ୍ୟ କିଡ଼ନୀ ଟି ଗଲା ନାରାୟଣା ହସ୍ପିଟାଲ ନେଲୋର୍, ଆଖି ର କର୍ଣ୍ଣିଆ ଦୁଇଟି ଗଲା ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ବିଜୟୱାଡାକୁ। ପାଞ୍ଚଟି ଶରୀର ରେ ଚିରକାଳ ଲାଗି ଅମର ହୋଇ ଗଭା ତେଜସ୍ବିନୀ । ଖବର କାଗଜ ଆଉ ସୋସିଆଲ ମିଡିଆ ରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିଗଲା ତେଜସ୍ବିନୀ ର ମହତ୍ ଦାନ ର କାହାଣୀ । ଗର୍ବ ରେ ଫୁଲି ଉଠୁଥିଲା ରାମନାଥ ବାବୁଙ୍କର ଛାତି।


Rate this content
Log in

More oriya story from sushama Parija

Similar oriya story from Inspirational