ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ତାଲାବନ୍ଦର ଅନ୍ଧାରୀ ପୀଡା !

ତାଲାବନ୍ଦର ଅନ୍ଧାରୀ ପୀଡା !

5 mins
250



--ନୂଆପଡାରେ ଏପ୍ରିଲ୍ ମାସରେ ଏବର୍ଷ ଲୋକେ କହୁଛନ୍ତି କାଳେ ଖରାଟା ସେତେ ହେବନି କି ବାଧିବନି ! ସେହିପରି ପ୍ରାୟ ପାଗ ଅବସ୍ଥା। ବିଗତ ବର୍ଷ ମାନଙ୍କ ଠାରୁ କମ ଗରମ ବି ସେମିତି ଅନୁଭବ ହେଉଛି।  

--ଗରମ କମ୍ ସତ୍ତ୍ବେ ସିନୁର ଝାଳ କିନ୍ତୁ ସୁଖିବାର ନାଁ ଧରୁନି । ଘଡ଼ିକି ଘଡ଼ି ଓଢଣି ଆଉ ନାଇଟି ଭିଜି ଭିଜି ଯାଉଛି । ତା’ ଉପରେ ଏ ସହରର ଯୋଉ ବିଦ୍ୟୁତ ବିଭାଗର ଅବସ୍ଥା ,ଚାରିଟା ବେଳୁ ଯାଇଛି ଯେ ଆସି ରାତି ୧୦ଟା ହେଲାଣି ।

--ସିନୁ ଛାତ ଉପରେ ସପଟେ ପାରି ବାହାର ପଟୁ ଆସୁଥିବା ଥିରି ଥିରି ପବନରେ ନିଜକୁ ଆଶ୍ୱସ୍ତ କରିବାକୁ ଚେଷ୍ଟା କରୁଥିଲା । ଚାର୍ଜର ଲାଇଟ୍‌ଟା ଦୁଆର ବନ୍ଧକୁ ଲାଗି ବାରଣ୍ଡାଟକୁ ଆଲୋକିତ କରୁଥିଲା ।

--ଆଜି ଲକ୍‌ଡାଉନର ଦିନ, ବାହାରେ ଲକ୍‌ଡାଉନ୍‌ ହେଲେ ଘରେ କଣ ସଟ୍–ଡାଉନ୍ କି ଲକ ଡାଉନ ଥାଏ ? ଘରର ସବୁ କାମ କରିବାକୁ ପଡିବ। ଛୋଟ ଝିଅର ଦାୟିତ୍ୱ ସହ ସ୍ବାମୀଙ୍କ କାମ ତା ଉପରେ ନିଜର କାମ ! ସବୁ ଭିତରେ ସିନୁ ଥକି ପଡୁଛି। ନିଜର ଚାକିରିକୁ ସିନା ଯିବାକୁ ପଡୁନି କିନ୍ତୁ ଅଫିସ ର ସବୁ କାମ ଅନଲାଇନ୍ ରେ କରିବାକୁ ହେବ।

--ଏ ସବୁ ଭିତରେ ରାୟପୁର ଫେରନ୍ତା ଜଣେ ବ୍ୟକ୍ତି ପାଖ ସିରତୋଲ ବସ୍ତିରେ କରୋନାର ଶିକାର ହେଇଛନ୍ତି ଆଉ ସେ ଭାରି ଅମାନିଆ ହୋଇ ଏଣେ ତେଣେ ବୁଲୁଛନ୍ତି। ତେଣୁ ସମସ୍ତେ ଡରି ମରି ଛାନିଆ। ସିନୁ ବି ଏ ସବୁ ଜାଣି ଭୟଭୀତ।

--ଗର୍ଭାବସ୍ଥାରେ ଶେଷ ପର୍ଯ୍ୟାୟରେ ଏପରି ଗୋଟେ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସିନୁ କେବେ ଭାବି ନ ଥିଲା । ସ୍ୱାମୀ ତାର ନୂଆପଡାରର ଏକ ଅଫିସରେ କାର୍ଯରତ। ତେଣୁ ପାଖରେ ରହନ୍ତି। ସେ ରହିଲେ ବା କଣ ହେବ। ଅଣ୍ଡିରା ଚଣ୍ଡିରା ଲୋକ। ସ୍ତ୍ରୀ ଲୋକଙ୍କ ଏ ସମୟର ଅବସ୍ଥା ସେ ବା କେମିତି ବୁଝିବେ।କିନ୍ତୁ ତାଙ୍କ ସ୍ବାମୀ କୁନା ବାବୁ ସବୁ ହାନି ଲାଭ ବୁଝିବାର ଲୋକ। ତଥାପି ସିନୁ ମନରେ ଏକ ଅଜଣା ଭୟ ଏ ଅବସ୍ଥାରେ ନିଜର ଗର୍ଭସ୍ଥ ସନ୍ତାନକୁ ନେଇ।

--କେତେଥର କହିଛି ବୋଉକୁ ଘରକୁ ଆସିବାକୁ । ଘରେ କେହି ନାହାନ୍ତି । ଏକାକୀ ସ୍ତ୍ରୀ ଲୋକ। ମାଉସୀ ଝିଅ ସାଙ୍ଗରେ ରହୁଥିଲେ ଯେ ତାର ବାହାଘର ହେଇଯିବା ପରଠାରୁ ସିନୁ ସମ୍ପୂର୍ଣ୍ଣ ଏକୁଟିଆ। ଏପଟେ କରୋନାର ତାଣ୍ଡବଲୀଳା ଭିତରେ କିଏ ବା ବାହାର ଲୋକ ଏ ସମୟରେ ଆସିବେ। ଆସିବେ ବୋଲି ଯିଏ ରାଜି ହେଲେ ବି ଏଇ ଲକ୍‌ଡାଉନ୍ ଯୋଗୁଁ ଆସି ପାରୁନାହାନ୍ତି । ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ସାଙ୍ଗରେ ଜଣେ ହେଲେ ମଣିଷଟେ ନିଶ୍ଚେ ଦରକାର । କିନ୍ତୁ କଣ କରିବ ସିଏ । ସମସ୍ତ ଲକ୍ଡାଉନ୍‌ରେ ବନ୍ଧା ।

--ସିନୁର ସ୍ବାମୀ ବାରମ୍ବାର ଆଶ୍ବାସନା ଦେଇ କହୁଥିଲେ ‘ତୁମେ ବ୍ୟସ୍ତ ହୁଅନା ,ପ୍ରସବର ମାସେ, ଦେଢ ମାସ ଆଗରୁ ଆମେ ଭୁବନେଶ୍ବର ତୁମ ଘରକୁ ପଳେଇବା । ଆଗରୁ କେମିତି ଯିବା ? ଆଉ ପୁଣି ପଇସା ଦରକାର । ଚାରିମାସ ଆଗରୁ ଛୁଟି ନେଇ ଯାଇ ଘରେ ବସିଲେ ଘର କେମିତି ଚଳିବ ? ତା’ ସହ ଡେଲେଭରି ଟାଇମ୍‌ରେ ଗୁଡାଏ ଖର୍ଚ୍ଚ ଟଙ୍କା କୋଉଠୁ ଆସିବ?'

-- ଏ ଭିତରେ ତା ସ୍ବାମୀର ଅନ୍ୟତ୍ର ବଦଳି ହୋଇଗଲା। ପରିସ୍ଥିତି ଆହୁରି ବିଗିଡି ଗଲା। ଘରେ ସ୍ତ୍ରୀକୁ ଏପରି ଅବସ୍ଥାରେ ଛାଡି ଯିବାକୁ ଇଚ୍ଛା ନଥିଲେ ବି ଚାକିରୀର ବାଧ୍ୟବାଧକତା ତଥା ପରିବାରର ଆର୍ଥିକ ବୋଝ ପାଇଁ ଶେଷରେ ଯିବାକୁ ବାଧ୍ୟ ହେଲା। ଭାବିଥିଲା ପିତୃତ୍ବ ଛୁଟି ନେଇ ଜୁଲାଇ ୨୦-୨୫ ଆଡକୁ ଆସିଲେ ଚଳିବ । କିନ୍ତୁ କରୋନା ଯେ ଠିକ୍ ସେହି ସମୟରେ କାୟା ବିସ୍ତାର କରିବ କିଏ ଜାଣିଥିଲା । ଜୁନ୍ ୨୨ରୁ ଆସି ଜୁଲାଇ ୨୪ ହେଲାଣି। ଗାଡିି ମଟର ସବୁ ବନ୍ଦ । ସହରରେ ସଟ୍‌ଡାଉନ୍ ଯୋଗୁଁ ପୁଣି ଗାଆଁ ରୁ କି ବାପଘରୁ ମଧ୍ୟ କେହି ଆସି ପାରୁନାହାନ୍ତି ।

--ବୋଉ ତା’ର ଆଗକୁ କହୁଥିଲେ ‘ସବୁ କ’ଣ ବନ୍ଦ୍ ବାନ୍ଦ ହବାର ଅଛି ତୁ ଚାଲିଆସ ’

--ସିନୁ କହିଥିଲା ନାଇଁ ମ ବୋଉ ଏଇତ ସପ୍ତାହେଟାର କଥା । ଆରାମ୍‌ରେ କଟିଯିବ ତମେ ଜମାରୁ ବ୍ୟସ୍ତ ହୁଅନି । ସାତଦିନ ପରେ ଲକ୍‌ଡାଉନ୍ କ‘ଣ ଖୋଲିଯିବନି ?

--ମାଆଙ ଘର ଏଠୁ ୪୬୦ କଲୋମିଟର ଦୂର । ଏ ଅବସ୍ଥାରେ ଏତେ ଦୂର ଯିବାଟା କ’ଣ ସହଜ କଥା । ଆଉ ପୁଣି ଦିନ କେଇଟାରେ ତା ସ୍ବାମୀ ତ ଆସିଯିବେ। ପଇସା ପତ୍ର କଥା। ସେଠି ଯାଇ ବାପା ବୋଉଙ୍କୁ ଏ ବୟସରେ କଷ୍ଟ ଦବାକୁ ସ୍ବାଭିମାନୀ ସିନୁ ଚାହୁଁ ନଥିଲା ।

--ସିନୁ ମନରେ ବାର କଥା ଘୁରି ବୁଲୁଥିଲା । ରାତି ବଢିବା ସହ ଅନ୍ଧକାର ତା’ର ଡେଣା ପ୍ରସାରିବାକୁ ଲାଗିଥିଲା । ନିର୍ଜନତା ଭିତରେ ପଡିଶା ଘର କୁକୁରଟାର ଯାହା ରଡ଼ି ଶୁଣୁଥିଲା । ୟା ଭିତରେ ଧିରେଧିରେ ସେ ପ୍ରସବର ପିଡାକୁ ଅନୁଭବ କରିବାକୁ ଲାଗିଥିଲା । ଅଣ୍ଟା ପିଠି ତାର ବ୍ୟଥାରେ ଫାଟି ପଡୁଥିଲା । ଝାଳରେ ନାଇଟିଟା ପୁରାପୁରି ତିନ୍ତି ଯାଇଥିଲା ସତେ ଯେପରି ସେ ସଙ୍ଗେ ସଙ୍ଗେ ଗାଧେଇକି ଆସିଛି ।

--ହଠାତ୍ ଫୋନ୍‌ଟା ବାଜି ଇଠିଲା । କଷ୍ଟେମଷ୍ଟେ ସେ ଫୋନ୍‌ଟା ରିସିଭ କଲା ସେ ପଟୁ ତା ସ୍ବାମୀର ସ୍ୱର ଭାସିଉଠିଲା । “କ’ଣ ଏ ଯାଏଁ ଶୋଇନ ? ଖାଇଲଣି ? ଲାଇନ୍ ଆସିଲାଣି ? ”

--ସିନୁର କଣ୍ଠସ୍ୱର ଯେପରି ଥରି ଉଠୁଥିଲା। ତା’ ଓଠରୁ ଶବ୍ଦ ବାହାରୁନଥିଲା । ବାସ୍ ଆଖିରୁ ଲୁହର ଧାର ବହି ଚାଲିଥିଲା ।

-- ତା ସ୍ବାମୀ ପୁଣି ପଚାରିଲା “କ’ଣ କିଛି କହୁନ ? କ’ଣ ହେଇଛି ? ଦେହ ଭଲ ଲାଗୁଛି ଟି ? ଯଦି ଭଲ ନ ଲାଗୁଛି କୁହ ପଡିସା ଘର ଭାଉଜଙ୍କୁ ଫୋନ୍ କରିଦେବି ସେ ତୁମକୁ ମେଡିକାଲ ନେଇଯିବେ । ”

--କ୍ଷୀଣ ସ୍ୱରରେ ସିନୁ ଏତିକି କହିପାରିଲା “ ନା ଭଲ ଲାଗୁନି, ଭାଉଜଙ୍କୁ ଟିକେ ଡାକିଦିଅ ।”

--ତା ସ୍ବାମୀ ଏଥର ସବୁକିଛି ବୁଝି ପାରୁଥିଲା । ନଜରଠୁ ଦୂରେ ଥିଲେ କ’ଣ ହେଲା। ମନଟା ତାର ସିନୁ ପାଖରେ । ସେ ଆଶ୍ୱସ୍ତି ଦେଇ କହିଲା “ମୁଁ ଏଇ ସଙ୍ଗେ ସଙ୍ଗେ ସେ ଭାଉଜ ଆଉ ସେ ଭାଇଙ୍କୁ ଫୋନ୍‌ କରୁଛି ତୁମେ ଜମାରୁ ବ୍ୟସ୍ତ ହୁଅନା, ସାହସ ରଖ । ତୁମେ ଖାଲି ଈଶ୍ବରଙ୍କୁ ଡାକ। ତୁମର କିଛି ହବିନି । ଫୋନ୍‌ଟା କଟିଗଲା ।

--ଅଳ୍ପ ସମୟ ଭିତରେ ପଡିଶା ଘର ଭାଇ ଭାଉଜ ଆସି ପହଞ୍ଚି ଗଲେ। ସେ ଭାଇ କହିଲେ “ମୁଁ ୧୦୪ କୁ ଫୋନ୍ କରୁଛି । ମେଡିକାଲ୍ ନେଇ ଯିବା ।”

--କିଛି ସମୟ ଫୋନ୍‌ରେ ଚେଷ୍ଟା କରିବା ପରେ ଭାଇ ଆସି କହିଲେ “ଆଖ ପାଖ ଅଞ୍ଚଳରେ କୈାଣସି ଆମ୍ବୁଲାନସ୍” ଉପଲବ୍ଧ ନାହିଁ । ସବୁ ବ୍ୟସ୍ତ । ୧୦୮ କୁ ମଧ୍ୟ ଖବର କରିସାରିଲିଣି । କିନ୍ତୁ କେହି ଆସିବାକୁ ରାଜି ନୁହନ୍ତି । କହୁଛନ୍ତି ବାହାରେ ଅଛନ୍ତି ।”

--ସିନୁ କହିଲା “ଆଶା ଦିଦିଙ୍କୁ ଟିକେ ଫୋନ୍ କଲେ ହୁଅନ୍ତାନି ?”

--ସେ ଭାଇ ନମ୍ବର ନେଇ ସଙ୍ଗେ ସଙ୍ଗେ ଦିଦିଙ୍କୁ ଫୋନ୍ ଲଗାଇଲା । କିନ୍ତୁ ଫୋନ୍‌ ସ୍ଵିଚଡ଼୍‌ ଅଫ୍ ।

--ଶେଷରେ ସେ ଭାଇ ତାଙ୍କ ସ୍ତ୍ରୀକୁ କହିଲା “ତୁମେ ଏଇଠି ବୋହୁ ପାଖାରେ ଥା। ମୁଁ ଛକ ମୁଣ୍ଡରେ ଯେଉଁ ପୋଲିସ୍ ଜଗିଛନ୍ତି ତାଙ୍କ ପାଖକୁ ଯାଇ ଦେଖେ କିଛି ବାଟ ବାହାରିଯାଇ ପାରେ । ସାଇକେଲ୍‌ଟି ନେଇ ସେ ସେଠୁ ବାହାରିଗଲା ।”

--କିଛି ସମୟ ପରେ ସେ ନିରାଶ୍ ହେଇ ଫେରିଲେ। ସଟ୍‌ଡାଉନ୍ ଏରିଆ କେହି ଆସିବାକୁ ରାଜି ନୁହନ୍ତି । ପୋଲିସ୍‌ବାଲା ଦି’ଟା ଫୋନ୍ କରି ନୟାନ୍ତ ହେଲେ ସବୁ ନିସ୍ଫଳ। ସମସ୍ତଙ୍କର ସେହି ଏକା ଉତ୍ତର “ଆମେ ବାହାରେ ଅଛୁ ।” ଏବେ ଭଗବାନ ହିଁ ସାହାରା ” ।

--ସିନୁର କଷ୍ଟ ବଢି ବଢି ଚାଲିଥିଲା । ଦାନ୍ତ ଚିପି କଷ୍ଟଟାକୁ ଯେତେ ପିଇଯିବାକୁ ଚେଷ୍ଟା କଲେବି ମଝିରେ ମଝିରେ ଏତିକି ବାହାରି ଯାଉଥିଲା “ହେ ପ୍ରଭୁ…….” ।

-- ସିନୁର ବ୍ୟସ୍ତତା ବଢି ଚାଲିଥାଏ । ଭାଉଜଙ୍କ ମୁଣ୍ଡକୁ ବୁଦ୍ଧି ଦିଶୁ ନଥିଲା ରାତି ଆସି ସାଢେ ଦୁଇଟା । ହଠାତ୍ ତା’କୁ ମନେ ପଡିଲା ଗୁରେଇ ଦାଦିଙ୍କ କଥା। ବୟସ୍କା ବୃଦ୍ଧ । ଆଗରୁ ଗାଁ ଗଣ୍ଡାରେ ସ୍ତ୍ରୀ ଲୋକମାନଙ୍କୁ ପ୍ରସବ କରାଉଥିଲେ । ଏବେ ବୟସ ହେଇଗଲାଣି। ତା' ସହ ସରକାରୀ ମେଡିକାଲରେ ଅନେକ୍ ସୁବଧା । ସେ ଆଉ ଏସବୁ କରୁନାହାନ୍ତି । ହେଲେ ଏ ବେଳାରେ ସେ ହିଁ କିଛି କରିପାରିବେ । ଭାଉଜ ସଙ୍ଗେ ସଙ୍ଗେ ସେ ଭାଇକୁ କହି ଦାଦିଙ୍କୁ ଡକେଇ ପଠେଇଲ ।

--କିଛି ସମୟ ପରେ ଗୁରେଇ ଦାଦି ତାଙ୍କ ବୋହୁ ସହ ସ୍କୁଟିରେ ଆସି ପହଞ୍ଚିଗଲେ । କିନ୍ତୁ ତାଙ୍କୁ ଆଉ ଆଗ ଭଳି ଦିଶୁ ନ ଥିଲା । ପୁଣି ରାତି ସମୟ ଲାଇନ୍‌ଟା କଟିଛି ଯେ ଏ ଯାଏଁ ଆସିବାକୁ ନାହିଁ ।

--ଗୁରେଇ ଦାଦିଙ୍କ ହାତଧରି ବୋହୁଟା ତାଙ୍କର ଘର ଭିତରେକୁ ନେଇ ଗୋଟେ ଚେୟାର୍‌ରେ ବସେଇ ଦେଲା ।

ଦାଦି କହିଲେ “ଆଉ ମୋ ଆଖିକୁ ଭଲରେ ଦିଶୁନି ଲୋ ବୋହୁ, ମୁଁ ଯେମିତି କହୁଛି ତୁମେ ସେମିତି ସେମିତ ସବୁ କର । ନିଜ ବୋହୁକୁ ବି ଇସାରା ଦେଇ କହିଲେ ତୁ ଟିକେ ତାକୁ ସାହାଯ୍ୟ କର।”

--ଭୋର୍ ଚାରିଟା ବାଜି ୧୫ ମିନିଟ୍ ପାଖାପାଖି। ସୁକ୍ଷ୍ମ କ୍ରନ୍ଦନ ସ୍ୱରଟେ ଅନ୍ଧକାରକୁ ଚିରି ଚଉଦିଗେ ଖେଳିଗଲା । ଗୁରେଇ ଦାଦି ଦୀର୍ଘ୍ୟ ଶ୍ୱାସଟେ ଛାଡ଼ି କହିଲେ । ସବୁ ଈଶ୍ବରଙ୍କ କୃପା । ଯାହା ହଉ ମା ପୁଅ ପାରି ହେଇଗଲେ । ଆଉ ଡର ନାହିଁ ।

--ତାଲାବନ୍ଦ କରୋନାର ଚେନ ଭାଙ୍ଗିବାକୁ ଏକ ସମୁଚିତ ପଦକ୍ଷେପ ହୋଇପାରେ କିନ୍ତୁ ସିନୁ ସହ ଯାହା ହେଲା ଆଉ ଟିକେ ଅସାବଧାନ ହୋଇଥିଲେ ଉଭୟ ମାଆ ଛୁଆ ବିପଦରେ ପାଇଥାଆନ୍ତେ । ଏ ସମୟରେ ସମସ୍ତେ ସହଯୋଗୀ ମନୋଭାବ ପୋଷଣ କରିବା ଉଚିତ। କରୋନା କାଳରେ ଯେମିତି ସହଯୋଗ ସେ ଭାଇ ଭାଉଜ ତଥା ଗୁରେଇ ଦାଦୀ କଲେ ସେମିତି ସମସ୍ତେ ସହଯୋଗ ମନୋଭାବ କରିବା ଉଚିତ୍ । ତାଲାବନ୍ଦର ଅନ୍ଧାରୀ ପୀଡା ଆଉ କାହା ଭାଗ୍ୟରେ ନ ଆସୁ।


Rate this content
Log in

Similar oriya story from Tragedy