ତାଲାବନ୍ଦ ଫୋନ୍ କଲ୍
ତାଲାବନ୍ଦ ଫୋନ୍ କଲ୍
ତାରିଖ ୨୪ ମାର୍ଚ୍ଚ ମଙ୍ଗଳବାର ଭୋରୁ ଉଠିପଡି ଧଡପଡ ହୋଇ କାମକୁ ବାହାରିପଡେ ରହିମ୍ । ସେତେବେଳେ ସେ ହାଇଦ୍ରାବାଦର ଏକ ଛୋଟ ହୋଟେଲରେ ମାସକୁ ୭୦୦୦ ଦରମାରେ କାମ କରୁଥାଏ । କରୋନା ଭାଇରସ୍ କି ରୋଗ ଚାଇନାରେ ହେଉଛି ବୋଲି କିଛି କିଛି ଶୁଣିବାକୁ ସେ ପାଏ ।
ହଠାତ୍ ହୋଟେଲରେ ଥିବା ଟିଭି ସମାଚାରରେ ମୋଦିଙ୍କ ଲକ୍ ଡାଉନ୍ ଘୋଷଣା ଖବର ପାଏ । 'ଲକ୍ ଡାଉନ୍' ଇଏ କ'ଣ ଯେ ?_ ଭାବୁଥିଲା ରହିମ୍... । ତା' ପରଦିନ ହୋଟେଲରେ ଝୁଲୁଥିଲା ତାଲା !! ଏହା ଦେଖି ରହିମ୍ ଫୋନ ଲଗାଏ ଅବଦୁଲଙ୍କ ପାଖକୁ ।
ରହିମ୍--"ହଇଓ ଚାଚା ସକାଳ ଆସି ୭ଟା ହେଲାଣି ଆଜି ହୋଟେଲ ଖୋଲିବାର ନାହିଁକି ?"
ଅବଦୁଲ--"ଆରେ ତୁ ଜାଣିନୁ କି ଲକଡାଉନ୍ ପରା ହେଇଛି..ସବୁ ବନ୍ଦ! ତେଣୁ ଲକଡାଉନ୍ ପରେ ମୁଁ ତୋତେ ଯେବେ ଫୋନ୍ କରିବି ସେବେ କାମକୁ ଆସିବୁ" ।
ଏହା ଶୁଣି ଫେରିଯାଏ ରହିମ୍ ତା ବସାକୁ ।
୫ଦିନ ଗଲା... ୧୦ଦିନ ଗଲା... ୧୫ଦିନ... ମଧ୍ୟ ବିତିଗଲା । କିନ୍ତୁ ଅବଦୁଲଙ୍କ ଫୋନ୍ ଆସିଲାନି । ଏପଟେ ପକେଟ୍ ଖାଲି ହବାକୁ ବସିଲାଣି । ଆଉ ରାସନ୍ ସାମଗ୍ରୀ ମଧ୍ୟ କିଛି ନାହିଁ । ବାଧ୍ୟ ହୋଇ ଅବଦୁଲଙ୍କୁ ଫୋନ୍ କରି କିଛି ନହେଲେ ନାହିଁ ବାପାଙ୍କ ଔଷଧ ଓ ଚିକିତ୍ସା ପାଇଁ କିଛି ଟଙ୍କା ମାଗିବାରୁ ତମତମ କିଛି କହିଦେଇ ଫୋନ କାଟିଦେଲେ, କିଛି ସମୟ ପରେ ଶୁଖିଲା ଖାଦ୍ୟ ଆଉ କିଛି ରାସନ୍ ସାମଗ୍ରୀ ତାଙ୍କ ପୁଅ ସହିତ ପଠାଇଲେ । ତାହା ଅବଶ୍ୟ ଆଉ ୧୦/୧୫ ଦିନ ଚଳିଗଲା । ଠିକ୍ ତାଲାବନ୍ଦର ୩୦ ଦିନ ପରେ ଘରୁ ଫୋନ୍ ଆସେ ବାପାଙ୍କ ଔଷଧ ସରିଲାଣି ପଇସା ପଠା,ଘର ମାଲିକ କହିଲେଣି ବାକି ୨ମାସ ଆଉ ଏ ମାସର ମିଶାଇ ୩ମାସର ୧୫୦୦ ଟଙ୍କା ଘରଭଡ଼ା ଦେବାପାଇଁ କିନ୍ତୁ ରହିମ୍ ପାଖରେ ଥାଏ ଦୁଇଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଆଉ ଟିଣ ଡବାଟିରେ କେଇ ମୁଠା ଚାଉଳ । ଲକ୍ ଡାଉନରେ ହୋଟେଲ ତ ବନ୍ଦ୍ ଟଙ୍କାଏ ବା ଆସିବ କେଉଁଠୁ! ପରେ ସେଠିକାର ଜଣେ ପଡୋଶୀ ଚାଷୀଙ୍କର ଫସଲ ଅମଳ କରିବାରେ ସାହାଯ୍ୟ କରିବାରୁ ସେ ୫୦୦ ଟଙ୍କା ଦେଇଥିଲେ ।
ଘର ମାଲିକଙ୍କୁ ବହୁ କଷ୍ଟରେ ୧୨୦୦ ଟଙ୍କା ଦେଇ ରାଜି କରି ବାକି ଟଙ୍କା ସୁବିଧା ଅସୁବିଧା ପାଇଁ ରଖିଥାଏ ।
ରହିମ୍--"ଗଲା ମାସର ମିଳିଥିବା ଦରମା ବାପାଙ୍କ ଔଷଧ ଆଉ ଘର ଖର୍ଚ୍ଚ ପାଇଁ ପଠାଇଦେଇଥିଲି, ଏ ମାସ ତ ପୁରିନି ଚାଚା ଆଉ କ'ଣ ଦରମା ଦେବେ? ଛାଡ ଦେଖିବା କ'ଣ ହଉଛି...ବହୁ କଷ୍ଟରେ କେବଳ ଚାଉଳ ଗଣ୍ଡାକ ଫୁଟାଇ ଖାଏ, ଶେଷରେ ସେତକ ବି ସରିଲା ଆଉ ଭୋକ ଉପାସରେ ରହିହେବନି ଗାଁକୁ ଚାଲିଯିବାକୁ ପଡିବ" ।
ଏପ୍ରିଲ୍ ପହିଲା ସକାଳୁ ବାହାରି ପଡେ ରାଜରାସ୍ତାକୁ ଘରକୁ ଫେରିବାପାଇଁ ।
ରହିମ୍--"ପାଖରେ ତ ଟଙ୍କା ୩୦୦ ଟା ପଡ଼ିଛି । ଟ୍ରେନ୍/ବସ୍ କିଛି ତ ଚାଲୁନି, କାଇଁ ଗୋଟାଏ ତ ଗାଡ଼ିମୋଟର ବି ଦିଶୁନି, କି ଲକ୍ ଡାଉନ୍ ହେଲା କେଜାଣି ଅଖ ଚକ ସବୁ ବନ୍ଦ!"
ଏହା କହୁକହୁ ଦୂରରୁ ଏକ ମାଲବାହୀ ଟ୍ରକ୍ ଆସୁଥିବା ଦେଖି ଅଟକାଇ ସେଥିରେ ଚାଲିଆସେ ପ୍ରାୟ ୧୦୦ କିଲୋମିଟର ବାଟ କିନ୍ତୁ ଟ୍ରକ୍ ବାଲା ଟି ୫୦୦ ଟଙ୍କା ଦାବି କରେ। ଶେଷରେ ସେ ଦୁଃଖ ବୁଝିପାରି ୩୦୦ ଟଙ୍କା ରଖେ । ପୁଣି ରହିମ୍ ଛିଡ଼ା ହୁଏ ଆଉ ଏକ ଗାଡ଼ି ଅପେକ୍ଷାରେ । କୌଣସି ଗାଡ଼ି ନ ମିଳିବାରୁ ଚାଲିବାକୁ ଲାଗେ ।
ଶୁନଶାନ୍ ରାଜରାସ୍ତାରେ ଏକାକୀ ଚାଲୁଥାଏ । ବାଟରେ କିଛି ବୁଦ୍ଧିଜୀବି ଚର୍ଚ୍ଚା କରନ୍ତି ..
--"ତାଲାବନ୍ଦ ପାଇଁ ଦେଶରେ ନବେ ସହରର ପ୍ରଦୂଷଣ କମିଛି, ଦୁର୍ଘଟଣା କମିଛି, ଅପରାଧ କମିଛି । ଆକାଶ ନୀଳ ଏହା ଚିତ୍ରରେ ନୁହେଁ ଆଜି ବାସ୍ତବରେ ଦିଶୁଛି । ନଦୀ, ନାଳ, ଝରଣା ସବୁ ନିର୍ମଳ । କଂକ୍ରିଟ ସହରର ଫାନ୍ଦରୁ ଦୂର ଦିଗବଳୟରେ ଥିବା ପାହାଡ ହାତ ପାହାନ୍ତାରେ ଥିବା ଭଳି ଲାଗୁଛି । ଇଟାଲୀରେ ଯେଉଁଠି କୁଢ କୁଢ଼ ଶବ ସେଠି ସର୍ଜନୀୟା ଦ୍ୱିପ୍ରହର ସମୁଦ୍ର ଉପକୂଳରେ ଡଲଫିନଙ୍କ ମେଳି । ପକ୍ଷୀଙ୍କ କିଚିରି ମିଚିରି ଶଦ୍ଦ ସକାଳ ହେବାର ଢ଼େର ସମୟ ପର୍ଯ୍ୟନ୍ତ ଶୁଭୁଚି । ଆଜି ଲାଗୁଛି ସତେ ଯେମିତି ପ୍ରକୃତିକୁ ସୁଯୋଗ ମିଳିଛି ତା'ର ଅନିନ୍ଦ୍ୟ ରୂପ ଲାବଣ୍ୟର ଅସଲ ଚେହେରା ଦେଖେଇବାକୁ, ତେବେ ଏହାର ଅର୍ଥ କ'ଣ ପ୍ରତିବର୍ଷ କିଛି କିଛି ସମୟ ମଣିଷକୁ ତାଲାବନ୍ଦ ଆବଶ୍ୟକ.. ହଁ ! କାରଣ ମଣିଷର ବନ୍ଧନ ଖୋଲିଲେ ସେ ହିତାହିତ ଜ୍ଞାନ ହରାଏ, ନିଜ ଛଡ଼ା ଆଉ କିଛି ବୁଝେନାହିଁ କି ଦେଖେନାହିଁ, ସେଥିପାଇଁ ତ ଆଜି ସମସ୍ତଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି । ମଣିଷ ସମାଜ ଏହାରି ଭିତରେ ଚନ୍ଦ୍ର, ମଙ୍ଗଳର ବିଜ୍ଞାନକୁ ବୁଝିବାକୁ ଚେଷ୍ଟା କରି ସଫଳ ହେଲାଣି, କିନ୍ତୁ ପ୍ରକୃତି ବିଜ୍ଞାନକୁ ନୁହେଁ ।"
ରହିମ୍-- "ସେ ଯାହାବି ହେଉ ମୋତେ ଗାଁକୁ ଫେରିବାର ଅଛି । ମୁଁ ତ ସେ ମଣିଷମାନଙ୍କ ଭିତରୁ ନୁହେଁ, ମୋତେ ସେଥିରୁ ମିଳିବ ବା କ'ଣ?"
ଏମିତି ସବୁ ଭାବି ଭାବି ଭୀଷଣ ରୌଦ୍ରତାପରେ ଆଗକୁ ବଢୁଥାଏ । କ୍ଷୁଧାର ଜ୍ଵାଳାରେ ଅସହ୍ୟ ହେଲାଣି ପେଟର ଯନ୍ତ୍ରଣା, ତଣ୍ଟି ମଧ୍ୟ ଶୁଖିଯାଉଥାଏ । ରାସ୍ତା କଡ଼ରେ ଥିବା ନଳକୂପ ପାଖକୁ ଯିବାରୁ ସେଠିକାର ଲୋକ ଚିଡ଼ିଆଖାନାର ଅଜବ ଜୀବ ଦେଖିଲା ଭଳି ଚାହିଁ ରହନ୍ତି । ନଳକୂପକୁ ଛୁଉଁ ଛୁଉଁ ସବୁ ଲୋକ ଧାଇଁ ଆସି "ତୁ କୋଉଠୁ ଆସିଛୁରେ?", "ଆମ ନଳକୂପ ଛୁଇଁ ଦେଲୁ!", "ତୋ ପାଖେ କରୋନା ନାହିଁ ତ!", "ତୁ ପୁଣି ମୁସଲମାନ!", "ତୁମମାନଙ୍କ ପାଇଁ ଆମ ଦେଶରେ ରୋଗ ବ୍ୟାପୁଛି", "ଦୂରେଇ ରହ ଆମଠୁ", "ତୁରନ୍ତ ଚାଲିଯା ଏଠୁ" ଏମିତି ସବୁ କହି ଅନେକ ଗାଳି ଦିଅନ୍ତି । ରହିମ୍ ଗୋଟିଏ କଥାକୁ କେନ୍ଦ୍ର କରି କହେ "କାଇଁ ମୁସଲମାନଙ୍କ ଦେହରେ କ'ଣ ରୋଗ ବ୍ୟାପିବାର ଅନୁକୂଳ ବାତାବରଣ ରହିଛି କି?, ଆଉ ହିନ୍ଦୁମାନଙ୍କ ପାଖେ ପ୍ରତିକୂଳ! ଏହା ଶୁଣି ଜଣେ ଲୋକ ରାଗରେ ଧାଇଁ ଆସି ସର୍ବ ସାଧାରଣରେ ଏକ ଶକ୍ତ ଚାପୁଡ଼ା ପକାଏ । ରୋଗର ସଂକ୍ରମଣ ଭୟରେ ନଳକୂପ ଛୁଇଁବାରୁ ଏଭଳି ନିର୍ଯ୍ୟାତନା କିନ୍ତୁ ଶକ୍ତ ଚାପୁଡ଼ା ପକାଇ ଦଣ୍ଡ ଦେବାବେଳେ ସଂକ୍ରମଣର ଭୟ ନଥାଏ, ଏ ହୀନ ମାନସିକତା ଦେଖି ପାଣି ନ ପିଇ ଚାଲିଯାଏ ତା ଗନ୍ତବ୍ୟ ସ୍ଥଳେ ।
ଚାଲୁ ଚାଲୁ ସୂର୍ଯ୍ୟ ବୁଡିଯାଆନ୍ତି ସ୍ଵଳ୍ପ କାଳ ସ୍ଥାୟୀ କଳା ସମୁଦ୍ରକୁ । ହୁଏତ ସେହି କଳା ସମୁଦ୍ର ଆଣିଦିଏ ବଞ୍ଚିବାର ରାହା । ଏକ ଦୋକାନ ପିଣ୍ଡାରେ ବିଶ୍ରାମ ନେବାକୁ ମନସ୍ଥ । ଟିଣ ଛାତରୁ ଝରୁଥିବା ଅଦିନିଆ ବର୍ଷାରୁ ଦୁଇ ମୁନ୍ଦା ପିଇ ଗଡିପଡେ ପିଣ୍ଡାରେ । ମଶା, ମାଛି ଗୁଡାକ ସତେ ଯେମିତି ପିଣ୍ଡରୁ ପ୍ରାଣ ନେବା ଯାଏଁ ଲାଗିଛନ୍ତି । "ହାଏ ଆଲ୍ଲା ଏ ଦୁଃଖ କାହିଁ ଦଉଛୁ" କହୁ କହୁ ଧୋବ ଫରଫର ପୋଷାକ ପରିଧାନ କରିଥିବା କିଛି ଲୋକ ଆସି ତିନି ଖଣ୍ଡ ରୁଟି, ଡାଲମା ଧରେଇ ଫଟୋ ଉଠାଇଲେ, ସେଥିରେ ପୁଣି କହୁଥାନ୍ତି କେଶ ଗୁଡା ସବୁ ଅଡ଼ୁଆ କର, ମୁହଁରେ ଭୋକିଲାର ଭାବ ଆଣ, ଜାମା ପଟାରେ ମାଟି ଟିକେ ବୋଳିହୁଅ ହୁଅ, ତାହେଲେ ଯାଇଁ ଭଲ ଫଟୋ ଆସିବ । ରହିମ୍ ସେଠି ଠିକ୍ ବୁଝିପାରିଥିଲା, ଆମେ ସଂସ୍କୃତି ସମ୍ପର୍ଣ୍ଣ ଦେଶର ଲୋକ ଓ ସମ୍ପ୍ରଦାୟ ସେବୀ ନାଗରା ପିଟୁଥିବା ମଣିଷ କେବଳ ନିଜର ପରିଚୟ ଲୁଚାଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରନ୍ତି
ଆଉ ଅନ୍ୟମାନଙ୍କୁ ଦିଅନ୍ତି ନୂଆ ପରିଚୟ । ଏମିତିରେ ବର୍ତ୍ତମାନ ପରିଚୟ ଲୁଚାଇବାରେ କୈାଣସି ସମସ୍ୟା ନାହିଁ, ମାସ୍କ୍ କାମ ଦେଉଛି । ସେ ଯାହାବି ହେଉ ପେଟର କ୍ଷୁଧା ମେଣ୍ଟିବାର ଅଛି । ସେଥିରୁ କିଛି ଭୋକିଲା କୁକୁର, ଗାଈଗୋରୁ ଓ ଷଣ୍ଢଙ୍କୁ ଦେଇ ବାକିତକ ଖାଇ ଶୋଇଥାଏ ।
ରାତି ଅଧରେ ଦୂରରୁ ବଡ଼ ଚିତ୍କାର ଆସିବାରୁ ରହିମର ନିଦ ଭାଙ୍ଗିଗଲା । ଯାଇଁ ଦେଖିଲା ୧୬ ଜଣ ଶ୍ରମିକଙ୍କ ରକ୍ତରେ ଜୁଡୁ ବୁଡୁ ରେଳ ଧାରଣା!!! "ଯେଉଁ ରାଜ୍ୟକୁ ନିଜ ଶ୍ରମ ଦେଇ ତିଆରି କଲେ, ସେ ରାଜ୍ୟ ଆଜି ପଚାରୁନି। ୩୬ କିଲୋମିଟର ରେଳ ଧାରଣାର କଠିନ ରାସ୍ତାରେ ଚାଲି ଚାଲି ଥକି ପଡ଼ିଥିବା ଭୋକିଲା ମଣିଷ ରେଳ ଧାରଣାରେ ଶୋଇପଡିଥିବାର ବିଭୀଷତାକୁ ବୁଝିବା ପାଇଁ ହୁଏତ ସମସ୍ତେ ଅସମର୍ଥ । ମହାମାରୀର ଖବର ଓ ତା'ର ଚାପରେ ସ୍ବଚ୍ଛଳ ବର୍ଗ ଯେଉଁଠି ତୂଳିତଳ୍ପ ଶେଯରେ ବି ନିଦ ହେଉନାହିଁ ବୋଲି କହୁଛନ୍ତି ସେଠି ରେଳ ଧାରଣାରେ ଶ୍ରମିକ ଏମିତି କାଳ ନିଦ୍ରାରେ ଶୋଇଥିଲା ଯେ, ତାକୁ ରେଳର ଗର୍ଜନ ବି ଶୁଭିଲାନି । ସେମାନେ ସପ୍ତାହକ ପୂର୍ବେ ଇ-ଟ୍ରାଜିଣ୍ଟ ପାସ୍ ପାଇଁ ଆବେଦନ କରିଥିଲେ, ସରକାରଙ୍କ ଠାରୁ କୌଣସି ଜବାବ ମିଳିନଥିଲା, କିନ୍ତୁ ତାଙ୍କ ପରିବାରକୁ ମିଳିଗଲା ଜବାବ 'ଗରିବ ଏମିତି ମରେ' ।" ଏହା କ୍ଷୋଭର ସହ କହି ନିଜ ସଂଘର୍ଷ ପୂର୍ଣ୍ଣ ସମୟକୁ ଧରି ଚାଲିବାକୁ ଲାଗେ ।
ଚାଲି ଚାଲି ପାଦରୁ ରକ୍ତସ୍ରାବ ହେଲାଣି କିନ୍ତୁ ହାଇଦ୍ରାବାଦରୁ ଏପର୍ଯ୍ୟନ୍ତ ମାତ୍ର ୧୫୦ କିଲୋମିଟର ଅତିକ୍ରମ କରିଛି । କିଛି ଗଣମାଧ୍ୟମ ବାଲା କେଉଁଠୁ ଆସି ଅନେକ ପ୍ରଶ୍ନ ପଚାରନ୍ତି, ବାଧ୍ୟ କରି ଫୋଟକା ହୋଇଯାଇଥିବା ପାଦକୁ ବାରମ୍ବାର କଷ୍ଟ ଦେଇ ଝରୁଥିବା ରକ୍ତକୁ କ୍ୟାମେରାରେ କଏଦ କରନ୍ତି ହେଲେ କେହି ଜଣେ ବି ରକ୍ତସ୍ରାବ ବନ୍ଦ କଥାକୁ ଦୃଷ୍ଟି ଦିଅନ୍ତି ନାହିଁ । ଥକାମାରି ବସିଯାଏ ରାସ୍ତା କଡର ଗଛମୂଳେ । ସେ ଦେଖୁଛି ଯେଉଁଠି ମଣିଷଙ୍କ ଗତିବିଧି କମିଯାଇଛି ସେଠି ପଶୁପକ୍ଷୀଙ୍କୁ ନିର୍ଭୟରେ ବିଚରଣ କରିବାକୁ ସୁଯୋଗ ମିଳିଛି । ବାତାବରଣକୁ ସତେ ଯେମିତି କେହି ସଯତ୍ନେ ଧୋଇ ଚକ୍ ଚକ୍ କରିଦେଇଛି । ସେହି ସମୟରେ ଏକ ବସ୍ ଆଗରେ ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡ଼ିଆ ଭାଷାର ଲେଖା ଦେଖି ଓଡ଼ିଶା ବସ୍ ଜାଣି ପାରି ହାତ ଦେଖାଏ । ରହିମ୍ ମୁସଲମାନ ହେଲେ ମଧ୍ୟ ତା'ର ଓଡ଼ିଆ ଭାଷା କହିବା ଶୈଳୀରୁ ଓଡ଼ିଶାର ଲୋକ ଜାଣି ପାରି ନିଜ ସାଙ୍ଗରେ ନେଇ ଆସନ୍ତି ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀ ଧରି ଫେରୁଥିବା ବସରେ । ମନରେ ଘରକୁ ଫେରିବାର ଉତ୍କଣ୍ଠାରେ ଭୋକ ଶୋଷ ସବୁ ଭୁଲିଯାଏ, କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ସିଧାସଳଖ ତାକୁ ନେଇଯାନ୍ତି ସଙ୍ଗରୋଧ କେନ୍ଦ୍ରକୁ ।
ରହିମର ମା' ଏକଥା କେଉଁଠୁ ଜାଣିପାରି ପାଦ ତା'ର ଆଉ ଭୂଇଁରେ ଲାଗୁନଥାଏ । ସଅଳ ଯାଇ ବାରିରୁ ରହିମର ଭାରି ପ୍ରିୟ ଦି ମୁଠା ବାଲି ଛତୁ ଆଣି କଡ଼େଇରେ ପକଉ ପକଉ ଆଖିରୁ ଝରିଆସେ ଦୁଇ ବୁନ୍ଦା ଲୁହ । "ମେଟ୍ରିକରେ ଫେଲ୍ ହେବାରୁ ବାପା କ'ଣ ଯେ ଟିକେ ରାଗିକି କହିଦେଲେ ତାକୁ ନେଇ ଘର ଛାଡ଼ି ସିଧା ଚାଲିଗଲା ହାଇଦ୍ରାବାଦ । ପିଲାଟାକୁ ଦେଖିବା ପାଇଁ ଆମେ ବୁଢ଼ା ବୁଢ଼ି ସେଇ ଦିନଠୁ ଆଜି ଯାଏଁ ଚାତକ ପରି ଚାହିଁ ରହିଛୁ । ଏତେ ଦିନ ପରେ ପିଲାଟା ମୋର ଘରକୁ ଫେରିଲା, କିନ୍ତୁ କି ରୋଗ ଆସିଛି ଯେ ତାକୁ ବନ୍ଦୀ କରି ରଖିଛି ଆମ ଠାରୁ ଦୂରରେ । "ବାଡି ଖାଇବ ଏ ବାଡିକୁ!!!" କାନ୍ଦି କାନ୍ଦି କହୁଥାଏ ରହିମ୍ ମା' । ଆଉ ରହିମ୍ ବାପା ରୋଗାକ୍ରାନ୍ତ ଅବସ୍ଥାରେ ଖଟିଆଟିରେ ପଡି ରହି ପୁଅକୁ ଟିକେ ଦେଖିବା ଲାଳସାରେ ଆଖିରୁ ନିଦ ହଜିଯାଇଥାଏ ।
ରହିମ୍ ସଙ୍ଗରୋଧ କେନ୍ଦ୍ରରେ ମନ ଦୁଃଖରେ ବସିଥିବା ସମୟରେ ଖବର ଆସି ପହଞ୍ଚେ, ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ବାପା, ଏ ମାସରେ ପଇସାଟିଏ ନପାଇ ଔଷଧ ନ ଆଣିବା ଆଉ ଠିକ୍ ସମୟରେ ଚିକିତ୍ସିତ ନ ହେବାରୁ ଦେହ ଭୀଷଣ ଅସୁସ୍ଥ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ବହୁତ ଯନ୍ତ୍ରଣା ମଧ୍ୟ ଭୋଗୁଛନ୍ତି । ଡାକ୍ତର କହିଲେଣି ଆଉ ବଞ୍ଚିବା ସମ୍ଭବ ପର ନୁହେଁ । ସେପଟେ ଶେଷ ଶଯ୍ୟାରେ ପଡିଥିବା ବାପା ଦୀର୍ଘ ଦିନ ଧରି ନ ଦେଖିଥିବା ପୁଅଟିକୁ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ । ବାରମ୍ବାର ଖନି ମାରି ଯାଉଥିବା ପାଟିରେ ରହିମ୍ ରହିମ୍.. ବ୍ୟାକୁଳତାର ସହ ଡାକୁଥିଲେ । ଏହା ଶୁଣି ରହିମର ପାଦ ତଳୁ ମାଟି ଖସିଯାଏ । ଏ ଶେଷ ସମୟରେ ବାପାଙ୍କୁ ଟିକେ ଦେଖିବାକୁ ପ୍ରାଣ ଛଟପଟ ହେଉଥିଲା, କିନ୍ତୁ ୧୪ ଦିନ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରର ଦ୍ୱାର ସେପଟକୁ ବି ଯିବାକୁ ଅନୁମତିନଥିଲା । ସବୁ ପ୍ରକାର ଅନୁନୟ ବିନୟ ପରେ ମଧ୍ୟ ମିଳୁନଥିଲା ଅନୁମତି । ବାରମ୍ବାର ପ୍ରଶାସନକୁ ଫୋନ୍ କରି ଗୁହାରି କରି କହୁଥିଲେ " ମୋ ବାପାଙ୍କୁ ଟିକେ ଦେଖିବାକୁ ଦିଅନ୍ତୁ ।" ବିଡମ୍ବନାର କଥା ସଙ୍ଗରୋଧରୁ ଡାକ୍ତରଖାନାର ଦୂରତା ଥିଲା ମାତ୍ର ଦେଢ଼ କିଲୋମିଟର!!!
ଶେଷରେ ଖବର ଆସି ପହଞ୍ଚେ ରହିମ୍ ବାପା ଆଉ ନାହାନ୍ତି! ଏହି କଥା ପଦିକ ଶୁଣି ରହିମ୍ କ୍ଷୋଭରେ ଧରାଶାୟୀ ହୋଇପଡ଼ିଥିଲା । ସାଧାରଣ ସର୍ଦ୍ଦି କାଶକୁ ଦେଖି ମହାମାରୀର ସଂକ୍ରମଣ ଭୟରେ ବାପାଙ୍କ ଶବ ସତ୍କାର କରିବାକୁ ମଧ୍ୟ ଅନୁମତି ମିଳୁନଥିଲା । ବାରମ୍ବାର ଝରକା ଫାଙ୍କରେ ଅନାଉଥାଏ କାରଣ ସେ ଜାଣିଥିଲା ବାପାଙ୍କ ଶେଷ କୃତ୍ୟ ପାଇଁ ସେହି ବାଟ ଦେଇ ଯିବାକୁ ପଡିବ ଆଉ ସେ ସମୟରେ ବାପାଙ୍କ ଶେଷ ଦର୍ଶନର ସୁଯୋଗ ପାଇବ, ତା' ମଧ୍ୟ ହେଲା । ଝରକା ଫାଙ୍କରେ ବାପାଙ୍କ ମର ଶରୀରକୁ ଦେଖି ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲା । "ଓଃ ହୋ! ବୋଧହୁଏ ମୁଁ ଘରଛାଡ଼ି ଯିବାକୁ ନେଇ ଏବେ ବି ରାଗିଛ । କେତେ ଦିନ ହେଲା ତୁମେ ମୋତେ ଦେଖିନଥିଲ କି ମୁଁ ତୁମକୁ । କେବଳ ଫୋନରେ କଥାହେଲେ ମନ କ'ଣ ବୁଝେ.. ତୁମେ ନିଜେ କହୁଥିଲନା ରହିମ୍ ଗାଁକୁ ଫେରିଆ ଦୁହେଁ ମିଶି ଗାଁରେ ବଣିଜ କରିବା, ଆଜି ମୁଁ ଫେରିଆସିଛି ଆଉ କେବେ ଘରୁ ଗୋଡ଼ କାଢିବିନି । ମୋତେ କିଛି ଉତ୍ତର ଦିଅ.. ନହେଲେ, ସତ କହୁଛି ମୁଁ ପୁଣି ଚାଲିଯିବି ହାଇଦ୍ରାବାଦ ।" ଏମିତି ସବୁ କୋହଭରା କଣ୍ଠରେ କାନ୍ଦି କାନ୍ଦି କହି ଭୂଇଁରେ ଲୋଟି ଯାଉଥାଏ । ଆଖିର ଲୁହକୁ ପାଟିରେ ପିଇ ପିଇ ୧୪ ଦିନର କଣ୍ଟ ସମାପ୍ତି ହୁଏ ।
ପରଦିନ ସକାଳୁ ସଙ୍ଗୋରଧ କେନ୍ଦ୍ରରୁ ଘରକୁ ବାହାରିବା ବେଳେ ଅବଦୁଲଙ୍କ ଫୋନ୍ କଲ୍ ଆସେ
--"ରହିମ୍ ଏବେ ତ ଲକଡାଉନ୍ କୋହଳ ହେଲାଣି ଏବେ କାମ କରିବାକୁ ଆସିପାରୁ ।" ଏହା ଶୁଣି ରହିମ୍ ନିରୁତ୍ତର ରହେ ଆଉ ତା'ର ଶୋକାବହ ମୁଖମଣ୍ଡଳରୁ ଝରିଆସେ ବିଷାଦ ଭରା ମୃଦୁ ମୃଦୁ ହସ... ।
*ସମାପ୍ତ*
✒️ Written by Sunil Bastia©
Disclaimer: This is a work of fiction. Unless otherwise indicated, all the names, characters, businesses, places, events and incidents in this book are either the product of the author's imagination or used in a fictitious manner. Any resemblance to actual persons, living or dead, or actual events is purely coincidental.