ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସୁସଙ୍ଗ

ସୁସଙ୍ଗ

2 mins
7.3K


ସୁଶାନ୍ତ କୁମାର ନନ୍ଦ




ଠାକୁର ଘରେ ପ୍ରାର୍ଥନା ଶେଷ କରି ଡୁଡୁଲ ଗୁଡୁଲ ପାଖରେ ଆସି ବସିଗଲେ । ଆଜି ସେମାନେ ଗପ ଶୁଣିବେ । ନାତିଟୋକା ଦିଟାଙ୍କୁ ଟିକିଏ ଗେଲ କରିଦେଇ ଅଜା କହିଲେ, “ହଉ ତେବେ, ମନ ଦେଇ ଶୁଣ । ଯାହା କହିବି ସେଥିରୁ କିଛି ଶିଖି ଜୀବନରେ କାମରେ ଲଗାଇବ ।“ ଏଥର ଅଜା ଆରମ୍ଭ କଲେ ।

କଥାରେ ଅଛି କୁସଙ୍ଗରେ ପଡ଼ି ଭଲ ଲୋକ ବି ଭୁଲ କାମ କରିଥାଏ । ସେହିପରି ବିଦ୍ଵାନ ଲୋକଙ୍କ ସହିତ ରହିଲେ, ବିବେକବାନ ଲୋକଙ୍କ ସହିତ ମିଶିଲେ ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଏମିତି ଏକ ସତ ଘଟଣାଟିଏ କହୁଛି ଶୁଣ । ତୁମେ ଦୁହେଁ ଆଲବର୍ଟ ଆଇନଷ୍ଟାଇନଙ୍କ ନାମ ଶୁଣିଥିବ । ଦୁନିଆରେ ବଡ଼ବଡ଼ ବୈଜ୍ଞାନିକଙ୍କ ମଧ୍ୟରୁ ସେ ବି ଜଣେ ଥିଲେ । ସମଗ୍ର ସଂସାର ପାଇଁ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ବହୁତ ବଡ ଥିଲା । ସେହି ମହାନ ବୈଜ୍ଞାନିକଙ୍କ ସମୟର କଥା । ସେତେବେଳେ ସେ ପଦାର୍ଥ ବିଜ୍ଞାନରେ ଗବେଷଣା କରୁଥାନ୍ତି । ସେଥିପାଇଁ ସେ ବଡ ବଡ ବିଶ୍ଵବିଦ୍ୟାଳୟରେ ପ୍ରଫେସରମାନଙ୍କୁ ଅଧ୍ୟାପନା ଦେଉଥାନ୍ତି । ସେ ସମୟରେ ତାଙ୍କର ଗାଡି ଡ୍ରାଇଭର ପ୍ରାୟତଃ ସବୁ ସମୟ ତାଙ୍କ ପାଖେ ପାଖେ ରହୁଥିଲା ।

ଦିନକର କଥା । ଆଇନଷ୍ଟାଇନ୍ ନିଜ ସେମିନାର ଶେଷ କରି ଘରକୁ ଫେରୁଥାନ୍ତି । ସେଦିନ ହଠାତ୍ ତାଙ୍କ ଗାଡି ଡ୍ରାଇଭର ତାଙ୍କୁ ପଚାରିଲା, “ସାର୍ ଆପଣ ଯେଉଁ ପଦାର୍ଥ ବିଜ୍ଞାନ ବିଷୟ ଉପରେ ଅଧ୍ୟାପନା ଦେଉଛନ୍ତି, ସେ କାମ ତ ବହୁତ ସହଜ କାମ । ମୁଁ ବି ସେ କାମ ଅତି ସହଜରେ କରିପାରିବି ସାର ।“ ଡ୍ରାଇଭର କଥାରେ ଆଇନଷ୍ଟାଇନ ହସି ହସି କହିଲେ, ଠିକ୍ ଅଛି ବାବା । ମୁଁ ତୁମକୁ ଦିନେ ସେ ସୁଯୋଗ ନିଶ୍ଚୟ ଦେବୀ ।“

ପରଦିନ ଆଇନଷ୍ଟାଇନ ଯେତେବେଳେ ଏକ ନୂଆ ବିଶ୍ଵବିଦ୍ୟାଳୟରେ ଯାଇ ପହଞ୍ଚିଲେ, ସେ ନିଜର କପଡା ତାଙ୍କ ଡ୍ରାଇଭରକୁ ପିନ୍ଧିବାକୁ ଦେଇ ସେ ନିଜେ ଡ୍ରାଇଭରର କପଡା ପିନ୍ଧିଦେଲେ । ସେଦିନ ଲେଖା ପଢା କରି ନ ଥିବା ଡ୍ରାଇଭର ଜଣକ ବିନା କୌଣସି ଅସୁବିଧାରେ ବଡ ବଡ ପ୍ରଫେସରମାନଙ୍କ ସମ୍ମୁଖରେ ଅଧ୍ୟାପନା ଦେଲା । ଆଉ ସବୁଠାରୁ ବଡ କଥା ଥିଲା ଯେ ସେଦିନ କେହି ଜଣେ ବି ଜାଣି ପାରିଲେ ନାହିଁ କି ସେ ଆଇନଷ୍ଟାଇନ ନୁହନ୍ତି ବୋଲି । ବାସ୍, ସେଦିନର ସେମିନାର ଶେଷ ହେଲା ପରେ ଜଣେ ପ୍ରଫେସର ଡ୍ରାଇଭରକୁ କିଛି ପ୍ରଶ୍ନ ପଚାରିବାରୁ ସେ କହିଥିଲା, ଏତେ ସହଜ ପ୍ରଶ୍ନର ଉତ୍ତର ତ ମୋ ଡ୍ରାଇଭର ଦେଇଦେବେ । ଡ୍ରାଇଭର ରୂପରେ ଆଇନଷ୍ଟାଇନ ଆଗକୁ ଆସି ଏହାପରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଖାଲି ସେତିକି ନୁହେଁ, ସମସ୍ତଙ୍କ ସମ୍ମୁଖରେ ସେ ଶେଷରେ ସତ କଥାଟି ପ୍ରକାଶ କରିଥିଲେ । ଅଧ୍ୟାପନା ଦେଇଥିବା ବ୍ୟକ୍ତି ଜଣକ ପ୍ରକୃତରେ ଆଇନଷ୍ଟାଇନ ନୁହନ୍ତି । ସେ ହେଉଛନ୍ତି ଗାଡି ଡ୍ରାଇଭର ଆଉ ସେ ନିଜେ ହେଉଛନ୍ତି ଆଇନଷ୍ଟାଇନ ବୋଲି ।

ଆଇନଷ୍ଟାଇନଙ୍କ ମୁଖରୁ ଏତକ ଶୁଣି ଉପସ୍ଥିତ ସମସ୍ତ ପ୍ରଫେସର ସେଦିନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେହି ଜଣେ ହେଲେ ବିଶ୍ଵାସ କରିପାରୁ ନ ଥିଲେ ଯେ ପଦାର୍ଥ ବିଜ୍ଞାନର ବିଷୟକୁ ଏତେ ସହଜରେ ସରଲ ଭାବରେ କିପରି ଆଇନଷ୍ଟାଇନଙ୍କ ଡ୍ରାଇଭର ସେମାନଙ୍କୁ ବୁଝାଇ ପାରିଲେ । ଏହାକୁ କୁହାଯାଏ ବିଦ୍ଵାନ ଲୋକମାନଙ୍କ ସମ୍ପର୍କରେ ଆସିବାର ସୁଫଳ । ଜ୍ଞାନୀ ଗୁଣୀ ଲୋକମାନଙ୍କ ସହିତ ମିଶି ରହିବାର ଶୁଭଫଳ । ଯାହା ଆଇନଷ୍ଟାଇନଙ୍କ ପାଖେ ପାଖେ ରହି ଶିଖି ତାଙ୍କ ପାଠ ପଢି ନ ଥିବା ଡ୍ରାଇଭର କରିପାରିଥିଲା ।

ଏଥର ଅଜା ଗୁଡୁଲ ଓ ଡୁଡୁଲକୁ ବୁଝାଇଦେଇ କହିଲେ, “ଶୁଣିଲ ତ ଦୁହେଁ, ଭଲ ଲୋକଙ୍କ ସହ ରହିଲେ କିପରି ଭଲ ହୋଇଥାଏ । ତେଣୁ ଖରାପ ଲୋକ ଓ କୁସଙ୍ଗରୁ ସଦାସର୍ବଦା ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବ ଏବଂ ସବୁ ସମୟରେ ବିଦ୍ଵାନ ଓ ବିବେକବାନଙ୍କ ସହ ରହି ଭଲ କଥା ଶିଖିବାକୁ ଚେଷ୍ଟା କରିବ ।


Rate this content
Log in

Similar oriya story from Classics